ଓଡ଼ିଶାରେ ୨୪ରୁ ଅନ୍ ଲାଇନ୍ ରେ ମିଳିବ ବିଦେଶୀ ମଦ, କିନ୍ତୁ ୫୦ ପ୍ରତିଶତ ଅଧିକ ମୂଲ୍ୟରେ
ଭୁବନେଶ୍ୱର, ମେ’୨୩
ମୋଅନୁଭବ.କମ୍
ରାଜ୍ୟରେ ଆସନ୍ତା କାଲିଠାରୁ ବିଦେଶୀ ମଦ ବିକ୍ରି ପାଇଁ ସରକାର ଅନୁମତି ଦେଇଛନ୍ତି । ତେବେ, ରିଟେଲ୍ ଆଉଟଲେଟ୍ ମାଧ୍ୟମରେ ନୁହେଁ, ଅନ୍ ଲାଇନ୍ ରେ ଲୋକଙ୍କୁ ବିଦେଶୀ ମଦ ମିଳିବ । ତେବେ, ବିଦେଶୀ ମଦ ଉପରେ ରାଜ୍ୟ ସରକାର ଏମଆରପି ଉପରେ ୫୦ ପ୍ରତିଶତ କୋଭିଡ଼-୧୯ ଫି’ ଲାଗୁ କରି ଥିବାରୁ ବିଦେଶୀ ମଦ ପୂର୍ବାପେକ୍ଷା ମହଙ୍ଗା ରହିବ । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମାର୍ଚ୍ଚ ୨୨ରୁ ତାଲାବନ୍ଦ କଟକଣା ଲାଗୁ କରି ବିଦେଶୀ ମଦ ବିକ୍ରି ସଂପୂର୍ଣ୍ଣ ବନ୍ଦ କରିଥିଲେ । ଦୁଇ ମାସ ପରେ ଅନ୍ ଲାଇନ୍ ରେ ବିଦେଶୀ ମଦ ଯୋଗାଇ ଦେବାକୁ ଆଜି ନିଷ୍ପତ୍ତି ନେଇଛନ୍ତି । ଏଥର ବିଦେଶୀ ମଦ ଦୋକାନରେ ନୁହେଁ ଘରେ ପହଂଚାଇ ଦିଆଯିବ । ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଅନ୍ ଲାଇନ୍ ରେ ଘରେ ବସି ବିଦେଶୀ ମଦ ମଗାଇ ହେବ । ବିୟର ସହ ସମସ୍ତ ପ୍ରକାର ବିଦେଶୀ ମଦ ଉପରେ କରୋନା ଟିକସ ଲାଗୁ ହୋଇଛି । ଏମଆରପି ମୂଲ୍ୟ ଉପରେ ୫୦ ପ୍ରତିଶତ କରୋନା ଫି’ ଲାଗୁ ହୋଇ ଥିବାରୁ ମୂଲ୍ୟ ଅଧିକ ରହିବ । ଏଥିସକାଶେ ରାଜ୍ୟ ସରକାର ଅବକାରୀ ନିୟମ,୨୦୧୭ରେ ଆବଶ୍ୟକ ସଂଶୋଧନ କରିଛନ୍ତି । ୨୦୧୯-୨୦ ଏମଆରପି ମୂଲ୍ୟ ଉପରେ ୫୦ ପ୍ରତିଶତ କୋଭିଡ଼ ଫି’ ଲାଗୁ ହୋଇଥିବା ଜଣାପଡିଛି । ରିଟେଲରମାନେ ଚାହିଁଲେ ନିଜ ଆଡୁ ବିଦେଶୀ ମଦର ହୋମ୍ ଡେଲିଭରି ଦେଇ ପାରିବେ । ନ ହେଲେ ଘରେ ଘରେ ଖାଦ୍ୟ ପହଂଚାଉ ଥିବା ଘରୋଇ ସଂସ୍ଥାଙ୍କ ସହାୟତା ନେଇ ପାରିବେ ବୋଲି ସରକାର କହିଛନ୍ତି । ବିଦେଶୀ ମଦ ଉପରେ ଲାଗୁ ହୋଇଥିବା ୫୦ ପ୍ରତିଶତ କୋଭିଡ଼ ଫି’ରୁ ଯେଉଁ ରାଜସ୍ୱ ଆୟ ହେବ ତାହା ରାଜ୍ୟ ସରକାର କରୋନା ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ବାବଦରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି । ମଦ ପାଇଁ ଯେକୌଣସି ତ୍ୟାଗ କରିବାକୁ ପ୍ରସ୍ତୁତ ଥିବା ଲୋକମାନେ ଅଧିକ ମୂଲ୍ୟ ହେଉ ପଛକେ ଘରେ ବସି ଏହାର ସ୍ୱାଦ ଚାଖି ପାରିବେ । ତେଣୁ, ମୂଲ୍ୟ ବୃଦ୍ଧିକୁ ନେଇ କୌଣସି ପ୍ରକାର ବିରୋଧର ଆଶଙ୍କା ନାହିଁ । ଏହାର ଉଦାହରଣ ହେଉଛି, ତାଲାବନ୍ଦ ଅବଧିରେ ହୋଇଥିବା ବିଦେଶୀ ମଦର ବ୍ୟାପକ କଳାବଜାର । ଅବକାରୀ ବିଭାଗ ମଦ ଦୋକାନ ଓ ବାର୍ ଗୁଡିକୁ ବାହାରୁ ସିଲ୍ କରିଥିବା ବେଳେ ଭିତରେ ବିଦେଶୀ ମଦର ଚୋରା କାରବାର ଚାଲିଥିବା ଅଭିଯୋଗ ହୋଇଥିଲା । ରାଜ୍ୟରେ ତାଲାବନ୍ଦ ଲାଗୁ ସମୟରେ ରାଜ୍ୟରେ ଥିବା ୨୦୦୦ରୁ ଅଧିକ ବିଦେଶୀ ମଦ ଆଉଟଲେଟ୍ ରେ କେତେ ପରିମାଣର ଷ୍ଟକ୍ ଗଚ୍ଛିତ ଥିଲା ତାହାର ହିସାବ କାହାରି ପାଖରେ ନାହିଁ । ତେଣୁ, ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଅବଧିରେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ବିଦେଶୀ ମଦ ଦୋକାନଗୁଡିକ ଖୋଲିବା ପାଇଁ ସବୁଜ ସଂକେତ ଦେଇଥିଲେ ସୁଦ୍ଧା ଲୋକଙ୍କ ଚାହିଦା ମେଂଟାଇଲା ଭଳି ଷ୍ଟକ୍ ନ ଥିବା ଦର୍ଶାଇ ରାଜ୍ୟ ସରକାର ମଦ ଦୋକାନଗୁଡିକ ଖୋଲି ନ ଥିଲେ । ତାଲାବନ୍ଦ ଅବଧିରେ ରାଜ୍ୟରେ ବିଦେଶୀ ମଦର କିଭଳି ବିଦେଶୀ ମଦର ଚୋରା କଳାବଜାର ଚାଲି ଥିଲା ତାହା ଆଜି ସ୍ପଷ୍ଟ ହୋଇଛି କଟକ ରୋଡ଼ରେ ଥିବା ଗୋଟିଏ ବାର୍ ରେ ଚଢାଉ ପରେ । ବାହାର ପଟୁ ସିଲ୍ ହୋଇଛି, ଭିତରେ ଅବାଧରେ ବିଦେଶୀ ମଦ ବିକ୍ରି ହେଉଛି ବୋଲି ଭୁବନେଶ୍ୱର କମିସନରେଟ୍ ପୁଲିସ ସୂଚନା ପାଇବା ପରେ ପୁଲିସର କ୍ୱିକ୍ ଆକ୍ସନ୍ ଟିମ୍ କଟକ ରୋଡ୍ ରେ ଥିବା ସଂପୃକ୍ତ ବାର୍ ଉପରେ ଚଢାଉ କରି ବହୁ ପରିମାଣର ମଦ ଜବତ କରିଛନ୍ତି । ବାର୍ ର ସିକ୍ୟୁରିଟି ଗାର୍ଡ ଓ ଅନ୍ୟ ଦୁଇ କର୍ମଚାରୀ ଅଟକ ରଖାଯାଇ ପଚରାଉଚୁରା କରାଯାଉଛି । କାଲିଠାରୁ ଅନ୍ ଲାଇନ୍ ଲୋକଙ୍କୁ ବିଦେଶୀ ମଦ ଯୋଗାଇ ଦିଆ ଗଲେ ଚୋରା କାରବାର ଅନ୍ତତଃ ବନ୍ଦ ହେବ ବୋଲି ସରକାର ଆଶା କରୁଛନ୍ତି । ଅବକାରୀ ବିଭାଗର ଅଜାଣତରେ ଏସବୁ ଚାଲି ଥିଲା କି (?) ବୋଲି ଏବେ ପ୍ରଶ୍ନ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS