କରୋନା ଡାଏରୀ (୫)…ପୃଷ୍ଠାରେ ପୃଷ୍ଠାଏ ମଦ !
ପ୍ରସାଦ ରାଓ
ଭୁବନେଶ୍ୱର, ମେ’୨୬
ସକାଳର ଖବର କାଗଜ ଦେଖିଲେ ମନେ ହେଲା ଯେମିତି ମଦ ଦୋକାନ ଆଗରେ ଲମ୍ବି ଥିବା ମଦ୍ୟପଙ୍କ ଧାଡି ଓ ମଦ ଟୋପାଏ ପାଇଁ ହେଉଥିବା ଲଙ୍କା ଦହନ ହିଁ ହେଉଛି ରାଜ୍ୟର ପ୍ରମୁଖ ଖବର । ପୃଷ୍ଠା ପୃଷ୍ଠା ରିପୋର୍ଟ କେବଳ ମଦକୁ ନେଇ । କେଉଁଠି ରାତି ପାହିବା ପୂର୍ବରୁ ଲୋକେ ମଦ ପାଇଁ ଧାଡି ବାନ୍ଧିଛନ୍ତିି ତ କୋଉଠି ହାତାହାତି ହେଉଥିବା ଲୋକଙ୍କୁ ପୁଲିସ ଲାଠି ଧରି ଗୋଡାଉଛି । ରିପୋର୍ଟ ଅପେକ୍ଷା ଫଟୋ ଅଧିକ କଥା କହୁଛି ।
ମନେ ପଡୁଛି ପିଲା ଦିନ କଥା । ସତୁରୀ ଦଶକରେ ସ୍କୁଲରେ ପାଠ ପଢିବା ସମୟରେ ଆମେ ଏଭଳି ଲମ୍ବା ଧାଡିରେ ଠିଆ ହେବାକୁ ଆଗ୍ରହର ସହ ଅପେକ୍ଷା କରୁଥିଲୁ । ମଦ ପାଇଁ ନୁହେଁ, ସରକାରଙ୍କ ସୁଲଭ ମୂଲ୍ୟ ଦୋକାନରୁ ରେସନ୍ ସଂଗ୍ରହ କରିବାକୁ । ସରକାରୀ ଚାଉଳ, ଗହମ, ଚିନି, କିରାସିନୀର ଦର ବଜାର ଦରଠାରୁ କମ୍ ଥିଲା । ଆଜି ଭଳି ସେତେବେଳେ ଏପିଏଲ୍, ବିପିଏଲ୍ କୁ ନେଇ ଭେଦଭାବ ନ ଥିଲା । ଯିଏ ଚାହୁଁ ଥିଲା ସୁଲଭ ମୂଲ୍ୟ ଦୋକାନ ଆଗରେ ଧାଡିରେ ରହି ସରକାରୀ ଦରରେ ଚାଉଳ, ଗହମ, ଚିନି, କିରାସିନୀ କିଣି ପାରୁଥିଲା । ପ୍ରତ୍ୟକଙ୍କୁ ନିର୍ଦ୍ଧିଷ୍ଟ ପରିମାଣର ରେସନ୍ ମିଳୁ ଥିବାରୁ ପରିବାରର ଏକାଧିକ ବ୍ୟକ୍ତି ଧାଡିରେ ରହୁଥିଲେ। ଉଦ୍ଦେଶ୍ୟ ଥିଲା ପରିବାର ପାଇଁ ଅଧିକ ପରିମାଣର ସରକାରୀ ରେସନ୍ ସଂଗ୍ରହ କରିବା । ଡେରିରେ ଗଲେ ଅଧିକ ସମୟ ଧାଡିରେ ରହିବାକୁ ପଡିବ । ତେଣୁ, ବେଳାବେଳି ହାଜର ହେବାକୁ ପଡୁଥିଲା ସୁଲଭ ମୂଲ୍ୟ ଦୋକାନରେ । ପାଠପଢା ଓ ଟ୍ୟୁସନ୍ ସାର୍ ଙ୍କୁ ଚକମା ଦେବା ପାଇଁ ଏହା ଥିଲା ସବୁଠାରୁ ଭଲ ଉପାୟ ।
ଆମେ ଭାଇ ଭଉଣୀ ମିଶି ଅଖା ବ୍ୟାଗ୍ ଟିଏ ଧରି ସାଇକଲରେ ପହଂଚି ଯାଉଥିଲୁ ପାଖ ରେସନ୍ ଦୋକାନରେ । ଧାଡିରେ ଠିଆ ହୋଇ ରେସନ୍ ସଂଗ୍ରହ କରି ଫେରିବା ବେଳକୁ ପାଠପଢା ସମୟ ଶେଷ । ବାପା, ମା’ ପଚାରିଲେ କହୁଥିଲୁ – ଭିଡ଼ ଥିଲା ପରା ! ଟ୍ୟୁସନ୍ ସାର୍ ଜଗି ଜଗି ଫେରି ଗଲେ କହି ବହେ ଗାଳି କରୁଥିଲେ ମା’ । ତଥାପି, ମାସକର କୋଟା ସହ ଘରକୁ ଥକ୍କା ହୋଇ ଫେରି ଥିବା ଦୃଷ୍ଟିରୁ ଅଧିକ ଗାଳିମନ୍ଦ ପଡୁ ନ ଥିଲା । ଏହା ହେଉଛି ସ୍କୁଲ ବେଳର କୌତୁକିଆ କଥା । ଧାଡି ସୀମିତ ଥିଲା ରେସନ୍ ଦୋକାନରେ । ମଦ କଥା ପାଟିରେ ଧରିବାକୁ କେହି କେବେ ସାହସ କରୁ ନ ଥିଲେ । ମଦ ଦୋକାନ ସାମନା ଦେଇ ଗଲେ ବି ମୁହଁ ଘୋଡାଇବାକୁ ପଡୁଥିଲା । ପାଠ ପଢା, ଚାକିରୀ ସବୁ ସରିବା ପରେ ବି ଆଜି ମଦ ଦୋକାନ ପାଖ ମାଡିବାକୁ କେମିତି ମାଡି ମାଡି ପଡେ । ତେବେ, ଯୁଗ ବଦଳିଛି । ମଦ ଆଉ ‘ଟାବୁ’ ହୋଇ ରହି ନାହିଁ । ପୂର୍ବରୁ ଏହା ବଡ ବଡିଆ ଓ ଥିଲା ବାଲାଙ୍କ ସଉକ ଥିଲା । ଆଜିର ଦିନରେ ଘରେ କିଛି ଥାଉ କି ନ ଥାଉ, ଥିଲା ବାଲା ନଥିଲା ବାଲା ସମସ୍ତେ ମଦ ସଉକରେ ମସଗୁଲ୍ । ଦେଶୀ ମଦ ସହର ତଳିରେ ନ ରହି ଏବେ ‘ସରକାରୀ ଦେଶୀ ମଦ ଦୋକାନ’ରେ ପରିଣତ ହୋଇଛି । ସ୍କୁଲ, କଲେଜ, ମନ୍ଦିର, ମସଜିଦ୍, ଚର୍ଚ୍ଚ ବା ଘରୋଇ ଅଂଚଳ – କିଛି ବାରଣ ନାହିଁ । ଜାତୀୟ ରାଜପଥ କଡରେ ମାଳ ମାଳ ଦେଶୀ, ବିଦେଶୀ ମଦ ଦୋକାନ । ସରକାର ରାଜସ୍ୱ ପାଉଛନ୍ତି, ଆକଟିବ କିଏ ?
ଆଜିର ଦିନରେ ବିଦେଶୀ ମଦ ଦୋକାନ ଲାଇସେନ୍ସ ଯାହା ପାଖରେ ଅଛି ସେ ପଇସାବାଲା ଓ ବଡ ଲୋକରେ ଗଣା । ଏକାଧିକ ଲାଇସେନ୍ସ୍ ଥିଲେ ‘ପୁଅ କଣ କରୁଛି’ ବୋଲି କନିଆ ଘର ପ୍ରଶ୍ନ କରିବାକୁ ସାହାସ କରିବେ ନାହିଁ । କାରଣ, ମଦରୁ ଯେଉଁ ଆୟ ହେଉଛି, ଅନ୍ୟ କେଉଁ କାର୍ଯ୍ୟରୁ ସେଭଳି ମିଳେନି – ଏକଥା ସମସ୍ତେ ଜାଣନ୍ତି । ତେଣୁ, କ୍ଷମତାରେ ଥିବା ଦଳର କୁଜି ନେତାଠାରୁ ଆରମ୍ଭ କରି ମନ୍ତ୍ରୀ, ଅଫିସର ପର୍ଯ୍ୟନ୍ତ ସମସ୍ତେ ମଦ ଲାଇସେନ୍ସ ଦୌଡରେ । ନିଜ ନାମରେ ନ ହେଲେ ବି ପରିବାର ସଦସ୍ୟଙ୍କ ନାମରେ ଲାଇସେନ୍ସଟିଏ ଆଣି ପାରିଲେ ଭାଗ୍ୟ ସୁଧୁରି ଯିବ । ତେଣୁ, ମଦ ଲାଇସେନ୍ସର ଚାହିଦା ଅଧିକ । ଏହା ପାଇବା ସକାଶେ ମାରପେଂଚ ମଧ୍ୟ ଅଧିକ । ସରକାର ନିର୍ବିଶେଷରେ ଅବକାରୀ ମନ୍ତ୍ରୀମାନେ ଲାଇସେନ୍ସ ବାଂଟିବା ଦାୟିତ୍ୱ ତୁଲାଇଥା’ନ୍ତି । ସତୁରୀ ଓ ଅଶି ଦଶକରେ ହାତଗୁଂଜାର ସୀମା ୫୦ ହଜାରରୁ ଲକ୍ଷେ ମଧ୍ୟରେ ଥିଲା । ଆଜିର ଦିନରେ ତାହା କେତେ ଗୁଣ ହୋଇଛି, କେବଳ ଲାଇସେନ୍ସ୍ ପାିଥିବା ବ୍ୟକ୍ତି ହିଁ ସଠିକ ଭାବେ କହି ପାରିବେ । ସରକାର ଧାର୍ଯ୍ୟ କରିଥିବା ମଦ କୋଟା (ଏମଜିକ୍ୟୁ) ଉଠାଇ ବିକ୍ରି ପରିମାଣ ଯାହା ହେଉନା କାହିଁକି ମାସକୁ ମାସ ସରକାରଙ୍କ ଧାର୍ଯ୍ୟ ରାଜସ୍ୱ ପୈଠ କରି ଦେଲେ ଅବକାରୀ ବିଭାଗ ଖୁସି, ସରକାର ଖୁସି ଏବଂ ନିଜେ ମାଲାମାଲ୍ ହେବାର ବାଟ ମଧ୍ୟ ମୁକୁଳା । କେବଳ ସ୍ଥାନୀୟ ପୁଲିସ, ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର କନେଷ୍ଟବଳଠାରୁ ଆରମ୍ଭ କରି ସୁପରିଟେଂଡେଂଟ୍ ପର୍ଯ୍ୟନ୍ତ ସନ୍ତୁଷ୍ଟ ରହିଲେ ହେଲା ।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ମଦରୁ ବାର୍ଷିକ ପ୍ରାୟ ସାଢେ ୪ ହଜାରରୁ ୫ ହଜାର କୋଟି ଟଙ୍କା ରାଜସ୍ୱ ପାଇଥା’ନ୍ତି । ମଦ ବ୍ୟବସାୟୀମାନେ ସେମାନଙ୍କ ପାଇଁ ଧାର୍ଯ୍ୟ ଏମଜିକ୍ୟୁ ଉଠାଇବାକୁ ଏବଂ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ରାଜସ୍ୱ ପୈଠ କରିବାକୁ ବାଧ୍ୟ । ସେତିକି ଅନ୍ତତଃ ଠିକ୍ ଠାକ୍ ଯେମିତି ଚାଲିବ, ତାହା ହେଉଛି ସରକାର ଓ ମଦ ବ୍ୟବସାୟୀଙ୍କ ପ୍ରାଥମିକତା । ଅଧିକ ଲାଭ ପାଇବା ଲୋଭରେ କିଛି ବ୍ୟବସାୟୀ ଅସଲି ଭିତରେ ନକଲି ପୁରାଇବାର ଅଭିଯୋଗ ହୁଏ । ଯେତେବେଳେ ରାଜ୍ୟରେ ମଦମୃତ୍ୟୁ ଭଳି ଘଟଣା ଘଟେ ଦେଶୀ, ବିଦେଶୀ ମଦରେ ଅପମିଶ୍ରଣ କଥା ସାମନାକୁ ଆସେ । ରାଜ୍ୟରେ ସର୍ବାଧିକ ଅବକାରୀ ରାଜସ୍ୱ ଦେଉଥିବା ଗଞ୍ଜାମ ଜିଲ୍ଲାରେ ଯେବେ ଏକାଧିକ ଥର ମଦମୃତ୍ୟୁ ଘଟିଲା ଓ ତାହାର ବିଚାର ବିଭାଗୀୟ ତଦନ୍ତ ହେଲା ତଦନ୍ତ କମିସନଙ୍କ ରିପୋର୍ଟ ଏହି ଦିଗକୁ ଇଂଗିତ କଲା । କଟକ ମଦମୃତ୍ୟୁରେ ମଧ୍ୟ କ୍ଷତିକାରକ ସ୍ପିରିଟ୍ ର ଅପମିଶ୍ରଣ କଥା ସାମନାକୁ ଆସିଥିଲା । ତେବେ, ବିଚାର ବିଭାଗୀୟ କମିସନଙ୍କ ରିପୋର୍ଟ ସର୍ବଦା ସରକାରଙ୍କ ନାଲି ଫିତା ତଳେ ଚପି ହୋଇଯାଏ । ସେଭଳି କିଛି ଦୁର୍ଘଟଣା ନ ଘଟିବା ଯାଏଁ ପୁଲିସ୍-ଅବକାରୀ ବିଭାଗ ଓ ମଦ ବ୍ୟବସାୟୀଙ୍କ ମଧୁଚନ୍ଦି୍ରକା ଚାଲେ । ସରକାରଙ୍କ ମତଲବ୍ ରାଜସ୍ୱରେ ସୀମିତ ଥିବାରୁ ଓ ତଳିଆ ପୁଲିସ, ଅବକାରୀ କର୍ମଚାରୀଠାରୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ମଦ ବେପାର ଅଡେ ରହି ଥିବାରୁ ମଦ ବନ୍ଦ ହେବା କେହି ଚାହିଁ ନ ଥା’ନ୍ତି । କାଁ ଭାଁ କେତେବେଳେ ଦିନେ ଦୁଇ ଦିନ ମଦ ଦୋକାନ ବନ୍ଦ ହେବାକୁ ଥିଲେ ପୂର୍ବ ଦିନ ମଦ ଦୋକାନରେ ହାଟ ଲାଗିଯାଏ ।
ପ୍ରଥମ ଥର ପାଇଁ କୋଭିଡ଼-୧୯ ଏହି ଚେନ୍ ବ୍ରେକ୍ କରିଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ୨୦୨୦ ମାର୍ଚ୍ଚ ୨୧ରୁ ରାଜ୍ୟବ୍ୟାପୀ ତାଲାବନ୍ଦ ଘୋଷଣା କରିବା ସହ ସମସ୍ତ ପ୍ରକାର ବାଣିଜ୍ୟ, ବ୍ୟବସାୟ ବନ୍ଦ କରି ଦେବାରୁ ଛାଏଁ ମଦ ଦୋକାନ ସବୁ ବନ୍ଦ ହୋଇଯାଇଛି । ମେ’ ୩୧ ପର୍ଯ୍ୟନ୍ତ ଏହି ତାଲାବନ୍ଦ ଅବଧି ଥିବା ସତ୍ୱେ ରାଜ୍ୟ ସରକାର ଆଉ ରାଜସ୍ୱ ହରାଇବା ମୁଡ୍ ରେ ନାହାନ୍ତି । ମଦ ଦୋକାନ ଖୋଲିଲେ ଲୋକଙ୍କ ଅସମ୍ଭାଳ ଭିଡ଼ ହେବ ଏବଂ ସାମାଜିକ ଦୂରତ୍ୱ ବ୍ୟାହତ ହେବା ସହ ଭିଡ଼ ସମ୍ଭାଳିବା କାଠିକର ପାଠ ହେବ ଜାଣି ସରକାର ଅନ୍ ଲାଇନ୍ ରେ ବିଦେଶୀ ମଦ ଯୋଗାଇବାକୁ ଘୋଷଣା କରି ମେ’୨୫ରୁ ଉଭୟ ଠିପି ଖୋଲା ଓ ଠିପି ବନ୍ଦ ବିଦେଶୀ ମଦକୁ ତାଲାବନ୍ଦ କଟକଣାରୁ ମୁକ୍ତ କରିଛନ୍ତି । ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟ ସେମାନଙ୍କ ପାଇଁ ଧାର୍ଯ୍ୟ ଏମଜିକ୍ୟୁ ଉଠାଇବେ ସିନା ସିଧାସଳଖ ବିକି ପାରିବେ ନାହିଁ । ଗ୍ରାହକ ଅନ୍ ଲାଇନ୍ ରେ ବିଦେଶୀ ମଦ କିଣିବାକୁ ଅଡର୍ ବୁକ୍ କଲେ ସଂପୃକ୍ତ ମଦ ବ୍ୟବସାୟୀ ତାଙ୍କ ଅଧସ୍ତନ କର୍ମଚାରୀ ବା ବିଭିନ୍ନ ଫୁଡ୍ ଚେନ୍ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ତାହା ପହଂଚାଇବା ବ୍ୟବସ୍ଥା କରିବେ ବୋଲି ସରକାରଙ୍କ ବିଜ୍ଞପ୍ତି କହୁଛି । କିନ୍ତୁ, ବିଭିନ୍ନ କାରଣ ଦର୍ଶାଇ ମଦ ବ୍ୟବସାୟୀମାନେ ଅନ୍ ଲାଇନ୍ ବେପାରରେ ଭାଗ ନେବାକୁ ଅମଙ୍ଗ । ଜିଲ୍ଲା ପ୍ରଶାସନ ଓ ଅବକାରୀ ଅଧିକାରୀଙ୍କ ଚାପରେ ବହୁ ଭାଗ ବିଦେଶୀ ମଦ ଦୋକାନ ଖୋଲିଛି । କିନ୍ତୁ, ଅନ୍ ଲାଇନ୍ ଅପେକ୍ଷା ଅଫ୍ ଲାଇନ୍ ବେପାର ଅଧିକ ଚାଲିଛି ।
ସରକାର ଓ ବିଦେଶୀ ମଦ ବ୍ୟବସାୟୀଙ୍କ ମଧ୍ୟରେ ଚାଲିଥିବା ଛକାପଂଝାରୁ ଯେଉଁ ଅଭବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଏବେ ରାସ୍ତାଘାଟରେ ଦେଖିବାକୁ ମିଳୁଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଅନ୍ ଲାଇନ୍ ବୁକିଂ ଓ ମଦ ପହଂଚାଇବା ସମୟ ଧାର୍ଯ୍ୟ ଥିବାରୁ ବୟସ ନିର୍ବିଶେଷରେ ଲୋକମାନେ ବିଦେଶୀ ମଦ ଦୋକାନ ସାମନାରେ ଭିଡ଼ ଜମାଉଛନ୍ତି । ସକାଳେ ମଦ ଦୋକାନର ସଟର୍ ନ ଖୋଲୁଣୁ ମଦ ପାଇଁ ଲମ୍ବା ଦାଡି ଲାଗୁଛି । କାନ୍ଥବାଡ ଡ଼େଇଁବାକୁ ବି ଲୋକ ପଛାଉ ନାହାନ୍ତି । ମୁହଁରେ ମାସ୍କ୍ ପିନ୍ଧିବା ବାଧ୍ୟତାମୂଳକ ଥିବାରୁ କାହାରି ମୁହଁ ଚିହ୍ନିବା କଷ୍ଟକର । ମଦ ଦୋକାନ ଖୋଲୁ ଖୋଲୁ ଯେଭଳି ଠେଲାପେଲା ଆରମ୍ଭ ହୋଇଯାଉଛି ଏବଂ ଯିଏ ଯେମିତି ସୁବିଧା ପାଇଲେ ମଦ ଝାଂପି ନେଉଛନ୍ତି ତାହା ଦେଖି ରାଜ୍ୟବାସୀ ତଟସ୍ଥ । ସରକାର ବିଦେଶୀ ମଦ ଓ ବିୟର୍ ଉପରେ ୨୦୧୯-୨୦ ଏମଆରପି ମୂଲ୍ୟ ସହ ୫୦ପ୍ରତିଶତ କୋଭିଡ଼-୧୯ ଫି’ ଲାଗୁ କରିବା ଦ୍ୱାରା ବିଦେଶୀ ମଦ ଦର ଚଢା ହୋଇଥିଲେ ମଧ୍ୟ କହାକୁ ଫରକ ପଡୁନି । ଓଲଟା, ଦୋକାନୀ ଯାହା ମୂଲ୍ୟ ଦାବି କରୁଛି ତାହା ଦେଇ ମଦ ଧରି ନେବାକୁ ସମସ୍ତେ ବ୍ୟଗ୍ର । ବିଦେଶୀ ମଦ ଦୋକାନ ସାମନାରେ ହେଉଥିବା ଅସମ୍ଭବ ଭିଡ଼ ଏବଂ ହାତାହାତି ପରିସ୍ଥିତିକୁ ଦେଖି ସରକାର ଖୁସି । ପୁଲିସ ବାବୁମାନେ ମଧ୍ୟ ଖୁସି । କାରଣ, ସରକାରଙ୍କ ରାଜସ୍ୱ ଚିନ୍ତା ଦୂର ହେବ ଏବଂ ପୁଲିସ ବାବୁମାନେ ରାଜ୍ୟକୁ ଫେରୁଥିବା ପ୍ରବାସୀ ଓଡ଼ିଆଙ୍କ ପିଛା ଛାଡି ବିଦେଶୀ ମଦ ଦୋକାନର ଛାଇରେ ଡ୍ୟୁଟି କରିବାର ସୌଭାଗ୍ୟ ଅର୍ଜନ କରିବେ । ‘ସରମ’ ଶବ୍ଦଟି ଏବେ ଶୀତଳ ଭଣ୍ଡାରକୁ ଚାଲି ଗଲାଣି । ସମସ୍ତେ ଖୁସି ଯେତେବେଳେ ଆମେ କାହିଁକି ଦୁଃଖ କରିବା?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS