କରୋନା ଡାଏରୀ (୬)…ବାସ୍ତବରେ ‘କୋଭିଡ଼ ଯୋଦ୍ଧା’ର ଶ୍ରେୟ କାହାକୁ ଯିବ ?
ପ୍ରସାଦ ରାଓ
ଭୁବନେଶ୍ୱର
ମେ’୨୮
ବାସ୍ତବରେ ଦେଶରେ କୋଭିଡ଼ ଯୋଦ୍ଧା କିଏ ? ଏହା ଏକ ବିବଦମାନ ପ୍ରଶ୍ନ । କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହେବା ଦିନଠାରୁ ସରକାର ‘କୋଭିଡ଼ ଯୋଦ୍ଧା’ କିଏ, ସ୍ପଷ୍ଟ କରିଦେଇଛନ୍ତି । ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ସକାଶେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସିନେ ତାରକା ପର୍ଯ୍ୟନ୍ତ ସମସ୍ତେ କାମ କରୁଛନ୍ତି । ମାର୍ଚ୍ଚ ମାସ ତୃତୀୟ ସପ୍ତାହରୁ ଦେଶରେ ତାଲାବନ୍ଦ କଟକଣା ଲାଗୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ ଘଂଟିଆ ‘ଜନତା କର୍ଫ୍ୟୁ’ ଆହ୍ୱାନ ଦେଇ ଦେଶବାସୀଙ୍କ ଭାବାବେଗକୁ ପରଖି ଥିଲେ । ଏହା କରୋନା ବିରୋଧରେ ପ୍ରଥମ ଯୁଦ୍ଧ କୁହାଯାଇପାରେ । ପରେ, ‘କୋଭିଡ଼ ଯୋଦ୍ଧା’ଙ୍କୁ ଉତ୍ସାହ ଦେବା ନାମରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଚାଲିଛି । ଜନତା କର୍ଫ୍ୟୁ ଦିନ ଘରେ ଘରେ ଦୀପ ଜାଳିଲା । ଘଂଟ ଘଂଟା ବଜାଇ ଜନସାଧାରଣ ‘କୋଭିଡ଼ ଯୋଦ୍ଧା’ଙ୍କ ତ୍ୟାଗ ପ୍ରତି ସମ୍ମାନ ଜଣାଇଲେ । ପ୍ରଧାନମନ୍ତ୍ରୀ ଉତ୍ସାହ ବାଣୀରେ ଉଦବୁଦ୍ଧ ଜନତା ଯେଭଳି ସାମାଜିକ ଦୂରତା ବଜାୟ ରଖିବାର ସାମାନ୍ୟତମ ନୀତି ନିୟମକୁ ଜଳାଂଜଳୀ ଦେଲେ, ତାହା ଚିନ୍ତାର କାରଣ ଥିଲା । ତେବେ, ପ୍ରଧାନମନ୍ତ୍ରୀଙ୍କ ନିର୍ଲିପ୍ତ ଉତ୍ତର ଥିଲା – ସେ କେବଳ ଦୀପ ଜାଳିବାକୁ କହିଥିଲେ, ରାସ୍ତାକୁ ଆସି ମାତ୍ରାଧିକ ଉତ୍ସାହ ଦେଖାଇବାକୁ କହି ନ ଥିଲେ ।
ପରବର୍ତୀ ସମୟରେ କରୋନା ଯୋଦ୍ଧା (!) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ‘ମହାନାୟକ’ର ମର୍ଯ୍ୟାଦା ପାଇଛନ୍ତି । ସେମାନଙ୍କୁ ଉତ୍ସାହିତ କରିବା ସକାଶେ କୌଣସି ଅସୁବିଧା ହେଲେ ପରିବାରକୁ ଲକ୍ଷ ଲକ୍ଷ ଟଙ୍କାର ବୀମାରାଶୀ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ମିଳିବ ବୋଲି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଫଳରେ, ‘ବିଶେଷ ସୁବିଧାପ୍ରାପ୍ତ ଏହି ଶ୍ରେଣୀ’ ଦେଶବାସୀଙ୍କ ଆଖିରେ ଭଗବାନ ସଦୃଶ ସମ୍ମାନର ଅଧିକାରୀ ହୋଇଛନ୍ତି । କେବଳ ସାଧାରଣ ଜନତା ନୁହନ୍ତି, ଭାରତୀୟ ସେନାର ଚିଫ୍ ଅଫ୍ ଡ଼ିଫେନ୍ସ ଷ୍ଟାଫ୍ (ସିଡ଼ିଏସ୍) ଏବଂ ତିନି ବାହିନୀର ମୁଖ୍ୟ କୋଭିଡ଼ ଯୋଦ୍ଧାଙ୍କ ସମ୍ମାନରେ ଭାରତୀୟ ବାୟୁ ସେନା ବିମାନରେ ସେମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରିବାକୁ ପଛାଇ ନାହାନ୍ତି । ସ୍ୱାଧୀନୋତ୍ତର ଭାରତରେ ବେସାମରିକ ବ୍ୟକ୍ତିବିଶେଷ ବା ସେବା ଅନୁଷ୍ଠାନଙ୍କୁ ଏଭଳି ସାମରିକ ସମ୍ମାନ ମିଳିବା ବୋଧହୁଏ ଏହା ପ୍ରଥମ ଘଟଣା । ସାଧାରଣ ଜନତା ମଧ୍ୟ ଏଥିରେ ଉତ୍ସାହିତ ହୋଇ କୋଭିଡ଼ ଯୋଦ୍ଧାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମ୍ମାନୀତ କରିବାକୁ ପଛାଇ ନାହାନ୍ତି । ଟେଲିଭିଜନ ପରଦାରେ ନାମୀଦାମୀ କଳାକଳାଙ୍କ ସମ୍ମାନସୂଚକ ପ୍ରତିବେଦନ ଆଜି ମଧ୍ୟ ଜାରି ରହିଛି ।
ସରକାର ଯେତେବେଳେ ସେମାନଙ୍କୁ ‘କୋଭିଡ଼ ଯୋଦ୍ଧା’ର ମର୍ଯ୍ୟାଦା ଦେଇଛନ୍ତି ବିଭିନ୍ନ ଭାବରେ ଏହି ଯୋଦ୍ଧାଙ୍କୁ ସମ୍ମାନୀତ କରିବାରେ କାହାରି ଆପତ୍ତି ନାହିଁ । କାରଣ, ଏହି ଯୋଦ୍ଧାଙ୍କ ମଧ୍ୟରୁ ଅଧିକାଂଶ ନିଜ ପରିବାର ନିରାପତ୍ତାକୁ ପଛରେ ପକାଇ ମାରାତ୍ମକ କରୋନା ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଫଳରେ, ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ତୁଳନାରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ସେହିପରି, ଅନ୍ୟତମ କରୋନା ଯୋଦ୍ଧା ପୁଲିସ ବାହିନୀ ଜୀବନକୁ ପଣ କରି ରାତି ଦିନ ଜନତାର ସୁରକ୍ଷାରେ ଲାଗିଛନ୍ତି । କରୋନା ସଂକ୍ରମଣ ଭୟରେ ସେମାନେ ନିଜ ପରିବା ଠାରୁ ଦୂରେଇ ରହି କାର୍ଯ୍ୟ କରୁଥିବା ପ୍ରଶଂସନୀୟ । ଜଣେ ଡ଼ାକ୍ତର, ନର୍ସିଂ କର୍ମଚାରୀ ବା ପୁଲିସ ଘର ଦୁଆର ମୁହଁରୁ ପରିବାର ସଦସ୍ୟଙ୍କୁ ଦେଖି କର୍ମ କ୍ଷେତ୍ରକୁ ଫେରୁ ଥିବାର କରୁଣ ଦୃଶ୍ୟ ଆଖିରେ ଲୁହ ଆଣିଦିଏ । ସାମାଜିକ ଗଣମାଧ୍ୟମରେ ଏଭଳି ଅନେକ କରୁଣ ଦୃଶ୍ୟ ଭାଇରାଲ୍ ହୋଇଛି । ଏହା ଜନସାଧାରଣରେ କରୋନା ଯୋଦ୍ଧାଙ୍କ ପ୍ରତି ସଂବେଦନତା ବଢାଇଛି । ସମସ୍ତ ସଚେତନତା ଓ ସତର୍କତା ସତ୍ୱେ ଦେଶରେ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡ଼ାକ୍ତର, ନର୍ସ, ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ଓ ପୁଲିସ କର୍ମଚାରୀ କରୋନା ଦ୍ୱାରା ସଂକ୍ରମିତ ହେଉଥିବା ଓ ସେମାନଙ୍କମଧ୍ୟରୁ କିଛି ଡ଼ାକ୍ତର ଓ ପୁଲିସ କର୍ମଚାରୀ ମୃତ୍ୟୁ ମୁଖରେ ପଡିଥିବା ଖବର ମଧ୍ୟ ଜନମାନସକୁ ଆନ୍ଦୋଳିତ କରୁଛି । ତେଣୁ, ଘୋଷିତ କରୋନା ଯୋଦ୍ଧା ପ୍ରତି ସଂବେଦନଶୀଳ ହେବା ଦେଶବାସୀଙ୍କ କର୍ତର୍ବ୍ୟ ହେଲାଣି । କିନ୍ତୁ, ସ୍ୱତଃ ଏଠାରେ ପ୍ରଶ୍ନ ଉଠୁଛି – ବାସ୍ତବ କରୋନା ଯୋଦ୍ଧା ଏତିକିରେ ସୀମିତ ନା ଆଉ କେହି ଅଛନ୍ତି ଏଭଳି ମର୍ଯ୍ୟାଦା ପାଇବାକୁ, ଯେଉଁମାନେ କି ଆଜି ଯାଏଁ ସରକାରଙ୍କ ସହାନୁଭୂତିର ପାତ୍ର ହୋଇପାରି ନାହାନ୍ତି ?
ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇ ସାରିଛି । ୨୦୨୦ ମାର୍ଚ୍ଚ ମାସ ମଧ୍ୟଭାଗରୁ ଦେଶରେ କରୋନା ସଂକ୍ରମଣ ଆରମ୍ଭ ହେବା ପରେ ପ୍ରଥମେ ଓଡ଼ିଶା ସରକାର ମାର୍ଚ୍ଚ ୨୧ ମଧ୍ୟରାତ୍ରୀରୁ ରାଜ୍ୟରେ ସ୍ୱଳ୍ପ ଅବଧି ତାଲାବନ୍ଦ ଘୋଷଣା କରିଥିଲେ । ପରେ, କେନ୍ଦ୍ର ସରକାର ମାର୍ଚ୍ଚ ୨୪ ମଧ୍ୟରାତ୍ରୀରୁ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କଲେ । ଫଳରେ, ସମଗ୍ର ଦେଶରେ ଜୀବନ, ଜୀବିକା ଠପ୍ ହୋଇ ଗଲା । ସଂପୂର୍ଣ୍ଣ ତାଲାବନ୍ଦ ଜାରି ରହିବାରୁ ସମସ୍ତ ପ୍ରକାର ବ୍ୟବସାୟିକ କାର୍ଯ୍ୟକଳାପ ବନ୍ଦ ରହି ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହେଲା ଏବଂ ଗରିବ ଲୋକମାନେ ଏହାର ପ୍ରଥମ ଶିକାର ହେଲେ । ଦୁଇ ମାସରୁ ଅଧିକ ହେଲା ପ୍ରତ୍ୟେକ ଭାରତୀୟ ତାଲାବନ୍ଦର ତୀକ୍ତ ଅନୁଭବକୁ ନେଇ ଜିଇଁବାର ପ୍ରୟାସ କରୁଛନ୍ତି । ବିଶ୍ୱାସ ଥିଲା – ମାସେ, ଦୁଇ ମାସ ବା ଚାରି ମାସ ଏଭଳି କଷ୍ଟ ହେବ । ପରେ କରୋନା ସଂକ୍ରମଣରୁ ମୁକ୍ତି ମିଳିବ ଓ ଜୀବନଯାତ୍ରା ସ୍ୱାଭାବିକ ହେବ । କିନ୍ତୁ, ଏହି ବିଶ୍ୱାସ ମଉଳି ଗଲାଣି । କରୋନାର ଅନ୍ତଃ ନାହିଁ, ଅନ୍ୟ ସଂକ୍ରାମକ ରୋଗ ଭଳି ଏହି ମାରାତ୍ମକ ଚୀନୀ-ରୋଗ ସହ ଆମକୁ ସାଲିସ କରି ଜୀବନ ଜିଇଁବାକୁ ପଡିବ, ଏକଥା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞମାନେ ଜଣାଇ ଦେବା ପରେ ସରକାର ମଧ୍ୟ ତାଲାବନ୍ଦ କଟକଣାକୁ କୟକୋହଳ କରିବାକୁ ବାଧ୍ୟ ହୋଇଛନ୍ତି ।
ତାଲାବନ୍ଦ କଟକଣା ଧୀରେ ଧୀରେ କୋହଳ ହେଉଥିବାରୁ କଂଟେନମେଂଟ୍ ଅଂଚଳ ବ୍ୟତୀତ ଅନ୍ୟ ସମସ୍ତ ଅଂଚଳରେ ଦୋକାନ, ବଜାର ଖୋଲିଲାଣି । ରାସ୍ତାରେ ବସ୍, ଅଟୋ, ଟ୍ୟାକ୍ସି ଚଳାଚଳ ଆରମ୍ଭ ହୋଇଛି । ସରକାରୀ ଅଧିକୃତ ଓ ଘରୋଇ ବିମାନ ଏବଂ ଯାତ୍ରୀବାହୀ ବସ୍ ଚଳାଚଳ ଆରମ୍ଭ ହୋଇଛି । ଜୁନ୍ ପହିଲାରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହେବା ଆଶା କରାଯାଉଛି । ସହରାଂଚଳରେ ହୋଟେଲ, ରେଷ୍ଟୁରାଂଟ୍, ସରକାରୀ ଓ ଘରୋଇ ଉଦ୍ୟୋଗ ଖୋଲିଲାଣି । କେବଳ ସିନେମା ହଲ୍ ଓ ମଲ୍ଟିବ୍ରାଂଡ୍ ମଲ୍ ଖୋଲି ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମତିଗତି ଯାହା ଅତିଶୀଘ୍ର ଏସବୁ ମଧ୍ୟ ଖୋଲି ଯିବ । ମଦ ଦୋକାନ ଭଳି କେତେକ କଟକଣା ଜାରି କରି ସରକାର ସିନେମା ହଲ୍ ଓ ମଲ୍ ଖୋଲିବାରେ କିଛି ଅସୁବିଧା ନାହିଁ ବୋଲି ଏବେ ଚର୍ଚ୍ଚା ହେଲାଣି । ତାଲାବନ୍ଦ କୋହଳ ହେବା ପରେ ଯାତ୍ରା କଳାକାରଙ୍କ ଠାରୁ ଆରମ୍ଭ କରି ମଂଚ କଳାକାର ପର୍ଯ୍ୟନ୍ତ ସମସ୍ତେ ଏକାଠି ହୋଇ ସେମାନଙ୍କ ଜୀବିକାର ବାଟ ଉନ୍ମୁକ୍ତ କରାଯିବାକୁ ଦାବି ଉଠାଇଲେଣି । ଓଡ଼ିଶାରେ ଯାତ୍ରା କଳାକାର ଓ ନୈପଥ୍ୟରେ ରହି କାର୍ଯ୍ୟ କରୁଥିବା କର୍ମଚାରୀ ସଂଖ୍ୟା ୧୦ ହଜାର । ସେମାନଙ୍କ ପରିବାରକୁ ହିସାବକୁ ନେଳେ ଏହି ସଂଖ୍ୟା ୫୦ ହଜାର ହେବ । ସେହିଭଳି, ଅନ୍ୟ ମଂଚ କଳାକାର ମଧ୍ୟ ଅଛନ୍ତି ।
ମଂଚରେ ପ୍ରଦର୍ଶନ ବନ୍ଦ୍ ରହିବା ଫଳରେ ସେମାନଙ୍କ ପେଟପାଟଣାକୁ ନେଇ ପ୍ରଶ୍ନ ଉଠିଛି । ଯେପର୍ଯ୍ୟନ୍ତ ମଂଚ ପ୍ରଦର୍ଶନ ପାଇଁ ଅନୁମତି ମିଳିନି ରାଜ୍ୟ ସରକାର ବିଭିନ୍ନ ଶ୍ରେଣୀର କଳାକାରମାନଙ୍କୁ ପ୍ରତି ମାସରେ କିଛି କିଛି ଆର୍ଥିକ ସହାୟତା ଯୋଗାଇ ଦେବାକୁ ଏବେ ଦାବି ହେଲାଣି । ପାଖାପାଖି ୭୦ ଦିନର ତାଲାବନ୍ଦ ଭିତରେ ପାନ, ଚା’ ଦୋକାନୀ ଠାରୁ ଆରମ୍ଭ କରି ଛୋଟ ବଡ ବ୍ୟବସାୟୀ ପର୍ଯ୍ୟନ୍ତ ସମସ୍ତେ ଆର୍ଥିକ ଚାପ ଭିତରେ ଅଛନ୍ତି । କଳାକାର, ଚାକିରିଆଙ୍କ ଜୀବନ ଦୁର୍ବିସହ ହେଲାଣି । ତାଲାବନ୍ଦ କଟକଣା କିଛିମାତ୍ରାରେ କୋହଳ ହେବା ପରେ ଜୀବନଯାତ୍ରା ଆରମ୍ଭ ହୋଇଛି ସିନା କାହାରି ଆର୍ଥିକ ସ୍ୱଚ୍ଛଳତା ନାହିଁ । ମାନସିକ ଶାନ୍ତି ମଧ୍ୟ ନଷ୍ଟ ହୋଇଛି । ଛୋଟ ବଡ଼ ଫାଷ୍ଟ୍ ଫୁଡ୍ ଦୋକାନ, ହୋଟେଲ ଓ ରେଷ୍ଟୁରାଂଟ ଦୁଇ ଦିନ ହେଲା ଖୋଲିଛି । କିନ୍ତୁ ଗ୍ରାହକ ନାହାନ୍ତି । ରାସ୍ତା କଡରେ ଅଟୋର ଧାଡି ଲାଗିଛି । କିନ୍ତୁ ସବାରୀ ନାହାନ୍ତି । ବିଦେଶୀ ମଦ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନରେ ଗ୍ରାହକଙ୍କ ଲମ୍ବା ଭିଡ଼ ଦେଖିବାକୁ ମିଳୁ ନାହିିଁ । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଦୋକାନରେ ହିଁ ଗ୍ରାହକଙ୍କୁ ଦେଖିବାକୁ ମିଳୁଛି । ବିଭିନ୍ନ ସରକାରୀ, ବେସରକାରୀ ଉଦ୍ୟୋଗରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ପରଠାରୁ କାମଧନ୍ଦା ଆରମ୍ଭ ହୋଇଛି । ତେବେ, ସରକାରୀ ସଂସ୍ଥାରେ ଶତ ପ୍ରତିଶତ ଉପସ୍ଥାନ ପାଇଁ ଅନୁମତି ଥିବବା ବେଳେ ଘରୋଇ ଉଦ୍ୟୋଗରେ ୩୩ ପ୍ରତିଶତ ଶ୍ରମଶକ୍ତିକୁ ନେଇ କାମ କରିବାର କଟକଣା ଅବ୍ୟାହତ ରହିଛି ।
ସାମାଜିକ ଦୂରତା ରକ୍ଷା ପାଇଁ ଏହା ନିତାନ୍ତ ଆବଶ୍ୟକ ବୋଲି ସରକାର କହୁଛନ୍ତି । ମୁହଁରେ ମାସ୍କ, ପକେଟରେ ସାନିଟାଇଜର୍ ଓ ପରସ୍ପର ମଧ୍ୟରେ ଛଅ ଫୁଟ ବ୍ୟବଧାନ ରକ୍ଷା – ଆଜି ଦିନର ଜୀବନ-ମଂତ୍ର ହୋଇଛି । ତାଲାବନ୍ଦ ଲାଗୁ ପୂର୍ବରୁ ବିଭନ୍ନ ବଡ଼ ଗ୍ରୋସରୀ ଦୋକାନ ବା ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ମଲ୍ କୁ ଗଲେ ପ୍ରବେଶ ଦ୍ୱାରରେ ତୈନାତ୍ ଦରୱାନ୍ ଗ୍ରାହକଙ୍କୁ ସଲାମ୍ କରି ସ୍ୱାଗତ କରୁଥିଲା । ଆଜିର ଦିନରେ ସେମାନଙ୍କ ଭୂମିକା ବଦଳି ଯାଇଛି । ଗ୍ରାହକଙ୍କୁ ସଲାମ୍ କରି ସ୍ୱାଗତ କରିବା ପରିବର୍ତେ ସେମାନେ ରୁକ୍ଷ ବ୍ୟବହାର କରୁଛନ୍ତି । ଗ୍ରାହକଙ୍କୁ ସାମାଜିକ ଦୂରତା ରକ୍ଷା କରିବାର ପାଠ ପଢାଇବା ସହ ଥର୍ମାଲ୍ ସ୍କ୍ରିନିଂ ଓ ହାତକୁ ସାନିଟାଇଜ୍ କରିବା ପରେ ହିଁ ଧାଡିରେ ଜଣକ ପରେ ଜଣେ ଯିବାକୁ ପ୍ରବର୍ତାଉଛନ୍ତି । ଭିତରକୁ ଗଲେ ସ୍ପିକର୍ ମାଧ୍ୟମରେ ଆବାଜ୍ ଶୁଣିବାକୁ ମିଳୁଛି – ‘ଗ୍ରାହକ ବଂଧୁ, ୧୫ ମିନିଟ ମଧ୍ୟରେ ନିଜର ସପିଂ ସାରନ୍ତୁ ଓ ଅନ୍ୟମାନଙ୍କୁ ସପିଂର ସୁଯୋଗ ଦିଅନ୍ତୁ’ । ଏହା ଏକ ବିଚିତ୍ର ପରିସ୍ଥିତି । କିନ୍ତୁ, ଆଜିର ବାଧ୍ୟବାଧକତା । ପରିବର୍ତିତ ପରିସ୍ଥତିରେ ସମସ୍ତେ ନିଜ ନିଜ ଦାୟିତ୍ୱ ସଂପାଦନ କରୁଛନ୍ତି । ଘରେ ବସି କଂପାନୀ କାମ ଅନ୍ ଲାଇନରେ କରୁଥିବା ଏକଜିକ୍ୟୁଟିଭମାନେ ମାନସିକ ଚାପରେ । ସାମାଜିକ ଦୂରତା ରକ୍ଷା ନାମରେ କଂପାନୀ ୩୩ ଭାଗ କର୍ମଚାରୀଙ୍କୁ ନେଇ କାମ କରୁଥିବାରୁ ଅନ୍ୟମାନଙ୍କୁ ଛଟେଇ ହେବାକୁ ପଡିବ କି ? ଏହି ଚିନ୍ତା ଆଜି ସମସ୍ତଙ୍କୁ ଗ୍ରାସ କରିଛି । ସରକାରୀ କର୍ମଚାରୀ ସର୍ବଦା ସୁରକ୍ଷିତ । କିନ୍ତୁ, ଘରୋଇ ଉଦ୍ୟୋଗରେ କର୍ମଚାରୀଙ୍କ ମୁଣ୍ଡରେ ଡ଼େମୋକ୍ଲିସ୍ଙ୍କ ଖଣ୍ଡା ଝୁଲିବା ଏକ ସାଧାରଣ ଘଟଣା । ଦୁର୍ବଳ ଶ୍ରମ ଆଇନ କର୍ମଚାରୀ ଓ ଶ୍ରମିକଙ୍କୁ ସୁରକ୍ଷା ଦେବାକୁ ଯଥେଷ୍ଟ ନୁହେଁ । ତଥାପି, ତାହାକୁ ଭରସା କରି କାର୍ଯ୍ୟ ସଂପାଦନ କରିବାକୁ ପଡିଥାଏ ।
୭୦ ଦିନର ତାଲାବନ୍ଦ ବିଭିନ୍ନ ବ୍ୟବସାୟିକ ସଂସ୍ଥାର ଆର୍ଥିକ ସ୍ଥିତିକୁ ଶକ୍ତ ଆଘାତ ଦେଇଛି । ସ୍ଥିତି ସୁଧୁରିବା ସମୟ ସାପେକ୍ଷ । ଶ୍ରମିକ, କର୍ମଚାରୀଙ୍କୁ ପୂର୍ଣ୍ଣ ପ୍ରାପ୍ୟ ମିଳିବା ଦୂରେ ଥାଏ, ସେମାନଙ୍କ ଚାକିରି ରହିବ କି ନାହିଁ ତାହା ମଧ୍ୟ ସନ୍ଦେହା ବଳୟରେ ରହିଛି । ତେଣୁ, ମାନସିକ ଚାପ ବଢିବା ସ୍ୱାଭାବିକ । ସମଗ୍ର ଦେଶରେ କୋଟି କୋଟି ଶ୍ରମିକ ଓ କର୍ମଚାରୀ ଏଭଳି ଚାପରେ ରହିଛନ୍ତି । ଆଉ ଛୋଟ ମୋଟ ଅସଂଗଠିତ ବ୍ୟବସାୟୀ ? ସେମାନଙ୍କ ପ୍ରତି କାହାରି ମନରେ କେବେ ଦୟା ଥିବା ମନେ ହୁଏ ନାହିଁ । ବେପାର ଆରମ୍ଭ ହୋଇଛି ସତ, କିନ୍ତୁ ସ୍ଥିତି କେବେ ସୁଧୁରିବ, ସେ ନେଇ କୌଣସି ନିଶ୍ଚିତତା ନାହିଁ । ମାର୍ଚ୍ଚ ମାସରୁ ଆମେ ଦେଖୁଛେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦୁର୍ଦ୍ଦଶା । ପୁଅ ସୁରଟରେ ଅଛି, କାମ କରି ଘରକୁ ଟଙ୍କା ପଠାଉଛି ବୋଲି ଗର୍ବର ସହ କହୁଥିବା କହୁଥିବା ବାପା, ମା’ ଆଜି ସବୁଠାରୁ ଅଧିକ ଦୁଃଖି । ବିଦେଶରେ ଥିବା ପିଲାଙ୍କ ବାପା, ମା’ଙ୍କ କଥା ଏକାଭଳି । କରୋନା ମହାମାରୀ ସମସ୍ତଙ୍କୁ ଏକାଭଳି ସଂକଟରେ ପକାଇଛି । ସୁରଟ୍, ମୁମ୍ବାଇ, ଚେନ୍ନାଇ, କଲିକତା ଭଳି ବଡ଼ ସହରରେ କାମଧନ୍ଦା କରି ପରିବାର ସମ୍ଭାଳୁ ଥିବା କାମିକା ପୁଅମାନେ ଆଜି ତାଲାବନ୍ଦର ବଡ଼ ଶିକାର । ମୁଣ୍ଡ ଉପରୁ ଛାତ ନାହିଁ, ପେଟରେ ଦାନା ନାହିଁ । ପରିବାର ଚଳାଇବାକୁ ବାଟ ନାହିଁ । ସବୁକିଛି ହରାଇ ସେମାନେ ଘର ମୁହାଁ ହୋଇଛନ୍ତି । ସମଗ୍ର ଦେଶରେ କୋଟି କୋଟି ସଂଖ୍ୟାରେ ପ୍ରବାସୀ ଶ୍ରମିକ ଆଜି ଏଭଳି ଏକ ସଂକଟ ସହ ଲଢୁଛନ୍ତି ।
ସରକାରଭ୍କ ଦୟାରେ ଦେଶରେ ଦୁଇ ମାସ ହେଲା ଯାନବାହାନ ଚଳାଚଳ ବନ୍ଦ ଥିବାରୁ ଏହି ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ କିଏ ହଜାର ହଜାର କିମି ପାଦରେ ଚାଲି ଚାଲି ଘରକୁ ଫେରିବା ଉଦ୍ୟମ କରୁଛି ତ କିଏ ସାଇକଲ୍, ବସ୍, ଟ୍ରକ୍ ବା ଅନ୍ୟ ଯାନବାହନରେ ନିଜ ରାଜ୍ୟ ଓ ଗ୍ରାମରେ ପହଂଚିବା ଉଦ୍ୟମ କରୁଛି । କୋଉଠି ପ୍ରଶାସନ ସହାୟତାର ହାତ ବଢାଉଛି ତ ଆଉ କୋଉଠି ସେମାନଙ୍କୁ ଲାତ, ଗୋଇଠା ଓ ପୁଲିସର ମାଡ ଖାଇ ଅଖିଆ ଅପିଆ ପଡି ରହିବାକୁ ପଡୁଛି । ପ୍ରବାସୀ ଶ୍ରମିକ ଦୁଇ ମାସ ହେଲା ଏହି ସଂଘର୍ଷରେ ମାତିଛନ୍ତି । କେନ୍ଦ୍ର ବା ରାଜ୍ୟ ସରକାର ସେମାନଙ୍କ କଥା ବୁଝିବାକୁ ଆଗ୍ରହୀ ନୁହନ୍ତି । ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ହେବା ପରେ ଓଡ଼ିଶା ସରକାର ପ୍ରବାସୀ ଶ୍ରମିକଙ୍କୁ ବସ୍ ଯୋଗେ ରାଜ୍ୟକୁ ଫେରିବା ବ୍ୟବସ୍ଥା କରିଥିଲେ । ପରେ, ମେ’ ୧ ଶ୍ରମିକ ଦିବସରୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ କରାଇ ସେମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରିବା ବ୍ୟବସ୍ଥା କରିଛନ୍ତି । ସରକାର ଶତାଧିକ ସଂଖ୍ୟାରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଇ ପ୍ରବାସୀଏଙ୍କୁ ବିଭିନ୍ନ ରାଜ୍ୟକୁ ପଠାଉ ଥିବା କହୁଥିବା ବେଳେ ମୁମ୍ବାଇ, ଦିଲ୍ଲୀ ଭଳି ସହରରେ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଶ୍ରମିକ ସ୍ତ୍ରୀ, ପିଲାଙ୍କୁ ଧରି ଭୋକ ଉପାସରେ ଟ୍ରେନ୍ ଅପେକ୍ଷାରେ ପଡି ରହିଥିବା ଦୃଶ୍ୟ ଉଦ୍ବେଗଜନକ । ଏଭଳି ପରିସ୍ଥିତି ପାଇଁ କେନ୍ଦ୍ର ରାଜ୍ୟଙ୍କୁ ଦାୟି କରୁଥିବା ବେଳେ ରାଜ୍ୟମାନେ କେନ୍ଦ୍ରକୁ ଦାୟି କରୁଛନ୍ତି । ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ଅଂଚଳରେ ପହଂଚାଇବା ପାଇଁ ଯେଉଁ ଟ୍ରେନ୍ ଚଳାଚଳ ହୋଇଛି ତାହାର ୮୫ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ଓ ୧୫ ପ୍ରତିଶତ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବା କୁହାଯାଉଛି । ତେବେ, ଶ୍ରମିକମାନେ ନିଜ ପକେଟ୍ ରୁ ଟିକଟ ଅର୍ଥ ଖର୍ଚ୍ଚ କରି ସ୍ୱରାଜ୍ୟକୁ ଫେରୁ ଥିବା ଅଭିଯୋଗ କରୁଛନ୍ତି । ଯେଉଁମାନଙ୍କ ପାଖରେ ଖାଇବାକୁ ପଇସା ନାହିଁ ସେମାନେ ଅନ୍ୟ ଉପାୟ ନ ପାଇ ସଡ଼କ ପଥ ଓ ଟ୍ରେନ୍ ଲାଇନରେ ଚାଲି ଚାଲି ଘରକୁ ଫେରିବା ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି । ଅନେକ ଶ୍ରମିକ ରାସ୍ତା ଦୁର୍ଘଟଣା ଓ ଟ୍ରେନ୍ ଚକରେ କଟି ମୃତ୍ୟୁବରଣ କଲେଣି । ଏସବୁ ହୃଦୟବିଦାରକ ଦୃଶ୍ୟ ଗଣମାଧ୍ୟମର ଖୋରାକ ହୋଇଥିବା ବେଳେ ସରକାର ମୋଟେ ବିଚଳିତ ଥିବା ମନେ ହେଉ ନାହିଁ । କ୍ଷତିପୂରଣ ଘୋଷଣା କରିଦେଇ ସରକାର ନିଜ ଦାୟିତ୍ୱ ସାରିଛନ୍ତି ।
ଏଭଳି ସଂଗୀନ ପରିସ୍ଥିତିରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ନୀରବତା ଅନେକଙ୍କୁ ବିସ୍ମିତ କରିଛି । ତେବେ, ଗଲା ୨୬ ତାରିଖ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ଗଣମାଧ୍ୟମରେ ପ୍ରସାରିତ ଦୃଶ୍ୟ ଭିତ୍ତିରେ ନିଜ ଆଡୁ ମାମଲା ରୁଜୁ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୁଇ ଦିନ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦେଶ ଦେବା ଆଶ୍ୱାସନାମୂଳକ ହୋଇଛି । ଆଜି (ମେ’୨୮) ଏହି ମାମଲାର ଶୁଣାଣୀ ପାଇଁ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି । ବିଚାରପତି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ସଂଜୟ କିସାନ କୌଲ ଓ ଜଷ୍ଟିସ ଏମ.ଆର.ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଶର ବିଭିନ୍ନ ଭାଗରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଚିନ୍ତାଜନକ ବୋଲି ମନ୍ତବ୍ୟ ଦେବା ସହ ସଂକଟ ସମୟରେ ଏହି ପ୍ରବାସୀ ଶ୍ରମିକଙ୍କୁ ସହାୟତା କରିବାରେ ସରକାରଙ୍କ ଆଡୁ ଉପଯୁକ୍ତ ପଦକ୍ଷେପ ନିଆଯାଇ ନାହିଁ ବୋଲି କହିଛନ୍ତି । ପ୍ରବାସୀ ଶ୍ରମିକ ଯେଉଁଠି ଅଟକି ରହିଛନ୍ତି କିମ୍ବା ପାଦରେ ଚାଲିଚାଲି, ସାଇକଲ୍ କିମ୍ବା ଅନ୍ୟ ମାଧ୍ୟମରେ ଘରକୁ ଫେରିବା ଉଦ୍ୟମ କରୁଛନ୍ତି ସରକାର ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ମାଗଣାରେ ଖାଦ୍ୟ, ରହଣୀ ଓ ଯାତ୍ରା ସୁବିଧା ଯୋଗାଇ ଦେବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି । ସୁପ୍ରିମ କୋଟ ଖଣ୍ଡପୀଠଙ୍କ ଉଦ୍ବେଗ ଅନ୍ତତଃ ସରକାରଙ୍କ ଆଖି ଖୋଲିବ ଓ ପରିସ୍ଥିତି ସୁଧୁରିବ ବୋଲି ଆଶା କରାଯାଇପାରେ ।
ଆମେ ଏବେ ମୂଳ ପ୍ରଶ୍ନକୁ ଫେରିବା । ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସାର ଗୁରୁ ଦାୟିତ୍ୱ ବହନ କରିଥିବା ଡ଼ାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ଏବଂ ଜନଜୀବନକୁ ସୁରକ୍ଷିତ ରଖିବା ଦାୟିତ୍ୱ ତୁଲାଉ ଥିବା ପୁଲିସ କର୍ମଚାରୀ କେବଳ କଣ ‘କୋଭିଡ଼ ଯୋଦ୍ଧା’? ସରକାର କୌଣସି ପୂର୍ବପ୍ରସ୍ତୁତି ନ ଥାଇ ଦୁଇ ମାସ ଧରି ତାଲାବନ୍ଦ ଜାରି କରିବା ଫଳରେ ଯେଉଁମାନେ ବୟସର୍ବହରା ହୋଇ ଜୀବନ, ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ସେମାନଙ୍କୁ କାହିଁକି ‘କୋଭିଡ଼ ଯୋଦ୍ଧା’ର ମାନ୍ୟତା ମିଳିବ ନାହିଁ ? କରୋନା ବିରୋଧୀ ସଂଗ୍ରାମରେ ସବୁ ବର୍ଗର ଜନସାଧାରଣ ସାମିଲ ଥିବାରୁ ଏବଂ ସମସ୍ତେ କିଛିନା କିଛି କ୍ଷତି ଓ ମାନସିକ ଚାପ ସହି ପରିସ୍ଥିତିର ମୁକାବିଲା କରୁଥିବାରୁ ସମସ୍ତଙ୍କୁ ଯୋଦ୍ଧାର ମାନ୍ୟତା ମିଳିବା ଉଚିତ । ନ ହେଲେ ସମାଜରେ ପ୍ରଭିଲେଜ୍ଡ କ୍ଲାସ ବା ବିଶେଷ ଅଧିକାରଭୁକ୍ତି ଆଉ ଏକ ଶ୍ରେଣୀ ସୃଷ୍ଟି ହୋଇଯିବ । ଏବଂ ଦେଶର କୋଟି କୋଟି ଶ୍ରମିକଙ୍କ ଲଢେଇ ତୁଚ୍ଛ ହୋଇଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS