ତିନିଟି ଅଲଂପିକ୍ସରେ ଭାରତକୁ ସ୍ୱର୍ଣ୍ଣ ଦେଇଥିଲେ ପଦ୍ମଶ୍ରୀ ବଲବୀର ସିଂହ ଦୋସାଂଜ୍
ପ୍ରସାଦ ରାଓ
ମେ’୨୮
ଆଜିର ଦିନରେ କ୍ରିକେଟ୍ ଆନ୍ତର୍ଜାତିକ ସ୍ତରରେ ଭାରତକୁ ପ୍ରତିଷ୍ଠିତ କରିଥିଲେ ମଧ୍ୟ ହକିକୁ କେହି ଭୁଲି ପାରି ନାହାନ୍ତି । ଭାରତୀୟ ହକିର କିମ୍ବଦନ୍ତୀ କହିଲେ ମେଜର ଧ୍ୟାନଚାନ୍ଦଙ୍କୁ ସମସ୍ତେ ଜାଣନ୍ତି । ସ୍କୁଲ ପାଠ୍ୟ ପୁସ୍ତକରେ ମଧ୍ୟ ପିଲାମାନେ ଧ୍ୟାନଚାନ୍ଦଙ୍କ କଥା ପଢିଛନ୍ତି ଏବଂ ହକି କଥା ଆସିଲେ ଧ୍ୟାନଚାନ୍ଦଙ୍କୁ ହିଁ ସମସ୍ତେ ମନେ ପକାନ୍ତି । ତେବେ, ଆଜି ଆଉ ଗୋଟିଏ ନାମ ହକି କିମ୍ବଦନ୍ତୀ ତାଲିକାରେ ଯୋଡି ହୋଇଛି । ସେହି ନାମଟି ହେଉଛି – ପଦ୍ମଶ୍ରୀ ବଲବୀର ସିଂହ ଦୋସାଂଜ୍ । ମେ’ ୨୫ ତାରିଖ ଏହି କିମ୍ବଦନ୍ତୀ ପୁରୁଷଙ୍କ ୯୬ ବର୍ଷ ବୟରେ ଦେହାନ୍ତ ହୋଇଛି । ଚଣ୍ଡିଗଡ଼ର ମୋହାଲି ସ୍ଥିତ ଫର୍ଟିସ ହସପିଟାଲରେ ସେ ଚିକିତ୍ସାଧୀନ ଥିଲେ । ବଲବୀର ସିଂହ ସିନିୟର ଦୁଇ ବର୍ଷ ହେଲା ଅସୁସ୍ଥ ଥିଲେ । ହୃଦଘାତ ଯୋଗୁ ଦୁଇ ସପ୍ତାହ ହେଲା ତାଙ୍କୁ ଭେନ୍ଟିଲେଟରରେ ରଖା ଯାଇଥିଲା । ଦୋସାଂଜ୍ ସେଂଟର ଫରୱାର୍ଡ ଭାବେ ସ୍ୱାଧୀନ ଭାରତର ଅନ୍ୟତମ ତାରକା ଖେଳାଳୀ ଥିଲେ । ୧୯୪୮, ୧୯୫୨ ଓ ୧୯୫୬ ଅଲଂପିକ୍ସ୍ରେ ଭାରତ ସ୍ୱର୍ଣ୍ଣ ବିଜୟୀ ହେବା ପଛରେ ଦୋସାଂଜ୍ ଙ୍କ ମହତ୍ୱ ଭୂମିକା ରହିଥିଲା । ୧୯୫୬ରେ ସେ ମେଲବର୍ନ ଅଲଂପିକ୍ସ୍ ରେ ସେ ଭାରତୀୟ ହକି ଦଳର ଅଧିନାୟକ ଥିଲେ । ୧୯୭୫ରେ ବିଶ୍ୱକପ୍ ଜିତିଥିବା ଭାରତୀୟ ହକି ଦଳର ସେ ଥିଲେ ମ୍ୟାନେଜର୍ । ପ୍ରଥମ ହକି ଖେଳାଳୀ ଭାବରେ ସେ ୧୯୫୭ରେ ପଦ୍ମଶ୍ରୀରେ ଭୂଷିତ ହୋଇଥିଲେ । ୧୯୨୩ ମସିହା ଡ଼ିସେମ୍ବର ୩୧ ତାରିଖ ପଂଜାବ ବ୍ରିଟିଶ ଇଂଡିଆର ହରିପୁର ଖାଲସାରେ ଜନ୍ମଗ୍ରହଣ କରିଥିବା ଦୋସାଂଜ୍ ୧୯୪୭ ମସିହାରେ ଭାରତ ପାଇଁ ପଦାର୍ପଣ କରି ବର୍ଷକ ଭିତରେ ଭାରତୀୟ ହକିରେ ବଲବୀର ସିଂହ ସିନିୟର ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ୧୯୪୮ରେ ଭାରତ ଲଣ୍ଡନ ଅଲଂପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିଲା । ୧୯୪୮ ମସିହା ଅଗଷ୍ଟ ୧୨ ତାରିଖରେ ଖେଳା ଯାଇଥିବା ଫାଇନାଲ୍ ର ୭୦ ମିନିଟ ପରେ ଭାରତର ତ୍ରିରଂଗା ଅଲଂପିକ୍ସ୍ ବିଜୟ ପାଇଁ ପଦକ ଉତ୍ସବରେ ଉଡ଼ି ଥିଲା । ଏହି ବିଜୟର ତିନି ଦିନ ପରେ ଭାରତ ନିଜର ପ୍ରଥମ ସ୍ୱାଧୀନତା ଦିବସ ପାଳନ କରିଥିଲା । ୧୯୫୨ ହେଲସିଂକି ଅଲଂପିକ୍ସ୍ ଓ ୧୯୫୬ ମେଲବର୍ନ ଅଲଂପିକ୍ସ୍ ରେ ଭାରତ ସ୍ୱର୍ଣ୍ଣ ଏବଂ ୧୯୫୮ ଟୋକିଓ ଏସୀୟ କ୍ରୀଡ଼ାରେ ରୌପ୍ୟ ପଦକ ବିଜେତା ହୋଇଥିଲା । ତାଙ୍କ ପ୍ରଶିକ୍ଷଣରେ ଭାରତୀୟ ହକି ଦଳ ୧୯୭୫ରେ ବିଶ୍ୱକପ୍ ବିଜୟୀ ହେବାର ସଫଳତା ଅର୍ଜନ କରିଥିଲା । ଦୋସାଂଜ୍ ସକ୍ରିୟ ହକିରୁ ଅବ୍ୟାହତି ନେବା ପରେ ପଂଜାବ ରାଜ୍ୟ କ୍ରୀଡ଼ା ପରିଷଦ ସଂପାଦକ ଓ ପଂଜାବ ସରକାରଙ୍କ କ୍ରୀଡା ନିର୍ଦେଶକ ଭାବେ ଦାୟିତ୍ୱ ତୁଲାଇ ଥିଲେ । ୧୯୯୨ରେ ସେ ଅବସର ଗ୍ରହଣ କରିଥିଲେ । ଆନ୍ତର୍ଜାତିକ ହକିରେ ଧ୍ୟାନଚାନ୍ଦ୍ ମଧ୍ୟ ତିନି ଥର (୧୯୨୮, ୧୯୩୨ ଓ ୧୯୩୬) ସ୍ୱର୍ଣ୍ଣ ବିଜୟୀ ଥିଲେ । ୧୯୭୯ ମସିହାରେ ୭୪ ବର୍ଷ ବୟସରେ ଧ୍ୟାନଚାନ୍ଦ୍ ଙ୍କ ଦେହାନ୍ତ ଘଟିଥିଲା । ଧ୍ରାନଚାନ୍ଦ୍ ଭଳି ବଲବୀର ସିଂହ ଦୋସାଂଜ୍ ମଧ୍ୟ ଶତାବ୍ଦୀର ମହାନ ଖେଳାଳୀ ଥିଲେ । ବଲବୀର ସିଂହ ଦୋସାଂଜ୍ ଙ୍କ ପିତା ଦିଲ୍ଲୀପ ସିଂହ ଦୋସାଂଜ୍ ଥିଲେ ଜଣେ ସ୍ୱାଧୀନତା ସଂଗ୍ରାମୀ । ପଂଜାବ ଜଳନ୍ଧର ଜିଲ୍ଲାର ହରିପୁର ଖାଲସା ତାଙ୍କ ନିଜ ଘର ହୋଇଥିଲେ ମଧ୍ୟ କାନାଡ଼ାରେ ଅବସ୍ଥାନ କରୁଥିଲେ । ଏବେ କାନାଡା ଓ ଚଣ୍ଡିଗଡ଼ରେ ତାଙ୍କ ଘର ରହିଛି । ବଲବୀର ସିଂହ ଦୋସାଂଜ୍ ଙ୍କ ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଝିଅ ସୁଶବୀର ଓ ନାତି କବିର ଚଣ୍ଡିଗଡ଼ରେ ରହି ଶେଷ ପର୍ଯ୍ୟନ୍ତ ତାଙ୍କ ସେବା କରୁଥିଲେ । ତାଙ୍କ ଶେଷକୃତ୍ୟୁ ଚଣ୍ଡିଗଡ଼ରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି । ଦୋସାଂଜ୍ ତିନି ଥର ଅଲଂପିକ୍ ସ୍ୱର୍ଣ୍ଣ ପଦକ ବିଜେତା ହୋଇଥିବାରୁ ଅବର୍ତମାନରେ ହେଉ ପଛେ ତାଙ୍କୁ ଭାରତ ରତ୍ନରେ ସମ୍ମାନୀତ କରାଯିବାକୁ ପଂଜାବର କ୍ରୀଡା ମନ୍ତ୍ରୀ ରାଣା ଗୁରମିତ ସିଂହ ସୋଡି ଦାବି କରିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS