କରୋନା ଡାଏରୀ (୭)… ବିନମ୍ରତା ଓ ବାକ୍ ଚାତୁରୀ ପାଇଁ ମୋଦୀ ଦେଶର ଏକ ନମ୍ବର ନେତା !
ପ୍ରସାଦ ରାଓ
ଭୁବନେଶ୍ୱର, ଜୁନ୍ ୦୧
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୋତାଙ୍କୁ ପ୍ରଭାବିତ କଲା ଭଳି ଭାଷଣ ଦେବାରେ ଦକ୍ଷ, ଏଥିରେ କେହି ଦ୍ୱିମତ ହେବାର ନାହିଁ । ରେଡ଼ିଓ ହେଉ, ଟେଲିଭିଜନ ହେଉ ବା ସଭା ସମିତି, ସବୁଠି ସରଳ ହିନ୍ଦୀ ଭାଷାରେ ପ୍ରଭାବଶାଳୀ ଢଙ୍ଗରେ ସେ ନିଜକୁ ଉପସ୍ଥାପନ କରିବାରେ ଦକ୍ଷ । ଭାଷଣରେ କେତେ ମିଛ ଅଛି ବା ସତ, ସେଥିରେ କିଛି ଫରକ୍ ପଡେ ନାହିଁ । ଜନତା ବୁଝିବା ବେଳକୁ କାର୍ଯ୍ୟସିଦ୍ଧି ସରିଥାଏ । ସେଇଥି ପାଇଁ ତ ସେ ଭାରତୀୟ ଜନତା ଦଳ ବା ବିଜେପି ଭଳି ଏକ ରାଷ୍ଟ୍ରବାଦୀ ଓ ଶକ୍ତିଶାଳୀ ରାଜନୈତିକ ଦଳର ମଂଗ ଧରିଛନ୍ତି । ଛଅ ବର୍ଷ ମଧ୍ୟରେ ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ, ଯଶବନ୍ତ ସିହ୍ନାଙ୍କ ଭଳି ଟାଣୁଆ ନେତାମାନେ ତାଙ୍କ ନିକଟରେ ନିଷ୍ପଭ୍ର ମନେ ହେଉଛନ୍ତି । ଯଶବନ୍ତ ସିହ୍ନା ବିଜେପିରେ ନାହାନ୍ତି । ଆଡଭାନୀ ଓ ଯୋଶୀଙ୍କ ଭଳି ତୁଙ୍ଗ ନେତା ଦଳରେ ଥାଇ ମଧ୍ୟ ଗୁରୁତ୍ୱହୀନ । ଅରୁଣ ଜେଟଲୀ ଓ ସୁଷମା ସ୍ୱରାଜଙ୍କ ନିଧନ ପରେ ଏବେ ଅମିତ ଶାହା, ପ୍ରକାଶ ଜାବଦେକର୍, ନିର୍ମଳା ସୀଥାରମଣ, ନୀତୀନ ଗଡ଼କରୀ, ରବି ଶଙ୍କର ପ୍ରସାଦଙ୍କ ଭଳି ନେତାମାନେ ମୋଦୀଙ୍କ ସଫଳ ସେନାପତି ସାଜିଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଭଲ ସଂଗଠକ ଓ ନିର୍ବାଚନ ରଣନୀତି ପ୍ରସ୍ତୁତକାରୀ । କିନ୍ତୁ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଭଲ ବକ୍ତା ନୁହନ୍ତି । ତେଣୁ, ନିର୍ବାଚନୀ ସଭାଗୁଡିକରେ ଶାହାଙ୍କ ଭାଷଣରେ ବିରୋଧଙ୍କ ପ୍ରତି ଆକ୍ରୋଶ ସ୍ପଷ୍ଟ ଜଣାପଡେ । କିନ୍ତୁ, ମୋଦୀଙ୍କ କ୍ଷେତ୍ରରେ ତାହା ହୁଏ ନାହିଁ । ମୋଦୀଙ୍କ ଭାଷଣରେ କଟାକ୍ଷ ଥାଏ । କିନ୍ତୁ, ସେଥରେ ବିନମ୍ରତା ମଧ୍ୟ ରହିଥାଏ । ତେଣୁ, ଜନତା ତାଙ୍କୁ ବିଶ୍ୱାସକୁ ନିଅନ୍ତି । ତେବେ, କଟାକ୍ଷ ଯାହା ପ୍ରତି ଉଦ୍ଦିଷ୍ଟ ଥାଏ ମନ ଭିତରେ ସେ ମରିସଢିଯାଏ ।
ତେବେ, କହି ରଖିବାକୁ ଚାହୁଁଛି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଣଗାନ କରିବା ଆଜିର ଏହି ଲେଖାର ଉଦେ୍ଦଶ୍ୟ ନୁହେଁ । ଉଦେ୍ଦଶ୍ୟ ହେଉଛି, ତାଙ୍କ ଭାଷଣର ବିନମ୍ରତା ଭିତରେ ଛପି ରହିଥିବା ରାଜନୀତିର ଆବରଣକୁ ଉନ୍ମୋଚନ କରିବା । ଇତିମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱିତୀୟ ପାଳି ସରକାରର ପ୍ରଥମ ବର୍ଷ ପୂର୍ଣ୍ଣ ହୋଇଛି । ଦ୍ୱିତୀୟ ଦଫାର ପାଂଚ ବର୍ଷ କାର୍ଯ୍ୟକାଳ ମଧ୍ୟରେ ସେ ଭାରତକୁ ପାଂଚ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ କରିବାର ସ୍ୱପ୍ନ ଦେଖାଇଛନ୍ତି ଦେଶବାସୀଙ୍କୁ, ଯାହାକି ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା । ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଓ ଆନ୍ତର୍ଜାତିକ ସ୍ୱୀକୃତିପ୍ରାପ୍ତ ଅର୍ଥନୀତିଜ୍ଞ ଅମର୍ତ୍ୟ ସେନଙ୍କ ଭଳି ଅର୍ଥନୀତି ବିଶାରଦମାନେ ମୋଦୀ ସରକାରଙ୍କ ଏଭଳି ଘୋଷଣାକୁ ବାସ୍ତବତା-ଭିତ୍ତିକ ନୁହେଁ କହି ନକାରି ଦେଇଥିବା ବେଳେ ସରକାର ଥିଲେ ଅଟଳ । ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଆଗେଇ ଆସିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣ ଓ ତାଙ୍କ ଟିମ୍ । ୨୦୨୪ ସୁଦ୍ଧା ଦେଶ ୨ ଟ୍ରିଲିଅନ୍ ଡଲାର ଅର୍ଥନୀତିରୁ ୫ ଟ୍ରିଲିଅନ୍ ଡ଼ଲାର ଅର୍ଥନୀତିକୁ ଯିବା ସମ୍ଭବ ବୋଲି ସେମାନେ ଯୁକ୍ତି ବାଡିବା ସହ ତାହାକୁ ବାସ୍ତବ ରୂପ ଦେବା ସକାଶେ ପରବର୍ତୀ କେନ୍ଦ୍ରୀୟ ବିଜେଟରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ କଥା ଘୋଷଣା କରିଥିଲେ ।
ତେବେ, ସରକାରଙ୍କ ସୌଭାଗ୍ୟ ହେଉ ବା ଦୁର୍ଭାଗ୍ୟ – ଚୀନରୁ ହୁଆନ ସହରରୁ ମାଡି ଆସିଥିବା କୋଭିଡ଼-୧୯ ପେଣ୍ଡାମିକ୍ ବା ମହାମାରୀ ଦେଶର ଅର୍ଥନୀତି ଉପରେ ଆଲୋଚନାର ବାଟ ବନ୍ଦ କରି ଦେଇଛି । ଏହି ମହାମାରୀ ବିଶ୍ୱର ବିଭିନ୍ନ ଶକ୍ତିଶାଳୀ ରାଷ୍ଟ୍ରରେ ବିପର୍ଯ୍ୟୟ ଘଟାଇ ୨୦୨୦ ଫେବୃୟାରୀ ବେଳକୁ ପହଂଚିଛି ଭାରତରେ । ମାର୍ଚ୍ଚ ମାସ ମଧ୍ୟ ଭାଗ ବେଳକୁ ଦେଶରେ କରୋନା ରୋଗର ଯେଉଁ ପ୍ରଭାବ ଦେଖିବାକୁ ମିଳିଲା ତାହା ଏବେ ଭାରତରେ ଲକ୍ଷାଧିକ ସଂଖ୍ୟାରେ ସଂକ୍ରମିତ କଲାଣି । ପ୍ରଥମେ ପ୍ରଥମେ ବିଦେଶ ଫେରନ୍ତା ଏହାର ବାହକ ଥିଲେ । ଦେଶରେ ଯେପରି ମହାମାରୀ ଗୋଷ୍ଠୀ ସଂକ୍ରମଣର ରୂପ ନ ନେବ ତାହା ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ୨୫ରୁ ‘ତାଲାବନ୍ଦ’ ଘୋଷଣା କରି ଅର୍ଥନୀତିରେ ଚାବି ପକାଇ ଦେଲେ । ଓଡ଼ିଶା ପ୍ରଥମେ ମାର୍ଚ୍ଚ ୨୨ରୁ ରାଜ୍ୟବ୍ୟାପୀ ‘ତାଲାବନ୍ଦ’ ଘୋଷଣା କରିଥିଲା । ଦୁଇ ଦିନ ପରେ କେନ୍ଦ୍ର ସରକାର ତାହା ଅନୁସରଣ କରି ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ‘ତାଲାବନ୍ଦ’ ଲାଗୁ କଲେ । ଚାରିଟି ପର୍ଯ୍ୟାୟରେ ଏହି ‘ତାଲାବନ୍ଦ’ କାର୍ଯ୍ୟକାରୀ ହୋଇ ମେ’ ୩୧ରେ ସରିଛି । ଜୁନ ୦୧ରୁ ନୂଆ ରୂପରେ ପଂଚମ ଚରଣ ତାଲାବନ୍ଦ ଆରମ୍ଭ ହୋଇଥିଲେ ମଧ୍ୟ ତାହା ଭିନ୍ନ ରୂପରେ ଓ ଭିନ୍ନ ନାମରେ ।
୬୮ ଦିନର ‘ତାଲାବନ୍ଦ’ ମଧ୍ୟରେ ଦେଶର ସମସ୍ତ ଅର୍ଥନୈତିକ ଓ ଅଣ ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ରହିଛି । ପର୍ଯ୍ୟାୟକ୍ରମେ ସବୁ କିଛି ସ୍ୱାଭାବିକ କରିବାକୁ କେନ୍ଦ୍ର ସରକାର ଚାହୁଁଛନ୍ତି । ତେଣୁ, ପଂଚମ ପର୍ଯ୍ୟାୟ ତାଲାବନ୍ଦର ନାମକରଣ କରିଛନ୍ତି ଅନଲକ୍-୧ । ପ୍ରଥମ ଦୁଇ ପର୍ଯ୍ୟାୟ (ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ) ‘ତାଲାବନ୍ଦ’ କଠୋର ଥିଲା । ଏହାର ଉଦେ୍ଦଶ୍ୟ ଥିଲା, ଅତ୍ୟନ୍ତ ବିପଜ୍ଜନକ ଏହି ମହାମାରୀ ସହଜରେ ସଂକ୍ରାମିତ ହୋଇପାରୁ ଥିବାରୁ କୋଭିଡ଼-୧୯ ସଂପର୍କରେ ଜନତାଙ୍କୁ ଜାଗ୍ରତ କରିବା । ସାମାଜିକ ଦୂରତ୍ୱ ରକ୍ଷା ମାଧ୍ୟମରେ ସଂକ୍ରମଣର ଶୃଙ୍ଖଳକୁ ଭାଂଗି ରୋଗୀ ସଂଖ୍ୟା କମାଇବା । ସନ୍ଦିଗ୍ଧ ରୋଗୀଙ୍କୁ ସଂଗରୋଧରେ ରଖିବା ଏବଂ ଆକ୍ରାନ୍ତଙ୍କୁ ଚିକିତ୍ସା ମାଧ୍ୟମରେ ସୁସ୍ଥ କରିବା । ପରବର୍ତୀ ଦୁଇ ପର୍ଯ୍ୟାୟ (ଏପ୍ରିଲ ୧୫ରୁ ମେ’ ୩୧) ଥିଲା ଜୀବନ ସହ ଜୀବିକାକୁ ଗୁରୁତ୍ୱ ଦେଇ ସ୍ଥାଣୁ ଅବସ୍ଥାରେ ପହଂଚି ଯାଇଥିବା ଅର୍ଥନୀତିରେ ସୁଧାର ଆଣିବା । ସରକାର ଏହି ଉଦେ୍ଦଶ୍ୟ ରଖି ଅତ୍ୟାବଶ୍ୟକ ଅର୍ଥନୈତିକ କ୍ଷେତ୍ରକୁ ପ୍ରାଥମିକତା ଦେଇଥିଲେ ଏବଂ ଏପ୍ରିଲ ୨୧ରୁ ତାହାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ । ମେ’ ୩୧ ସୁଦ୍ଧା ସଂପୂର୍ଣ୍ଣ ନହେଲେ ମଧ୍ୟ ଅନେକ କିଛି ସ୍ୱାଭାବିକ ହୋଇଛି । କରୋନା କଟକଣା ବହୁମାତ୍ରାରେ କୋହଳ ହୋଇଛି । ବାକି ଯାହା ରହିଛି ଜୁନ୍ ୩୦ ମଧ୍ୟରେ କୋହଳ କରିବାକୁ ସରକାର ଯୋଜନା କରିଛନ୍ତି ।
ତେବେ, ଗଲା ଦୁଇ ମାସ ତାଲାବନ୍ଦ କଟକଣା ସତ୍ୱେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବଢିଛି । ପ୍ରତିଦିନ ନୂଆ ନୂଆ ରୋଗୀ ଚିହ୍ନଟ ହେଉଛନ୍ତି । ଦେଶରେ ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆସିବା ସହ ସ୍ୱାସ୍ଥ୍ୟ ସହ ସଂପୃକ୍ତ ଡ଼ାକ୍ତର, ନର୍ସ ଓ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଦେଶରେ କରୋନା ଆକ୍ରାନ୍ତ ସୁସ୍ଥ ହେବା ହାର ମଧ୍ୟ ୪୬ ପ୍ରତିଶତରୁ ଅଧିକ ରହିଛି । ଜୁନ୍ ୦୧ ମଧ୍ୟାହ୍ନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୧ ହଜାରରୁ ସାମାନ୍ୟ ଅଧିକ ଥିବା ବେଳେ ୯୧,୯୦୭ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ୫,୪୧୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ସକ୍ରିୟ ରୋଗୀଙ୍କ ସଂଖ୍ୟା ରହିଛି ୯୩, ୭୭୪ । ସେହିପରି, ଓଡ଼ିଶାରେ ମଧ୍ୟ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ରେ ପହଂଚି ଥିବା ବେଳେ ୧,୧୨୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯୬୯ ଜଣ ସକ୍ରିୟ ରୋଗୀ ଚିକିତ୍ସାଧିନ ଅଛନ୍ତି । ରାଜ୍ୟରେ ୭ ଜଣଙ୍କ ମୃତ୍ୟୁ ଘଟିଛି । କୋଭିଡ଼-୧୯ର ପରିଚାଳନାରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ଆଗରେ ଥିବାରୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ମେ’ ୩୧ ତାରିଖ) ତାଙ୍କ ରେଡ଼ିଓ ଭିତ୍ତିକ (ଟେଲି ଭିଜନରେ ମଧ୍ୟ ପ୍ରସାରିତ ହେଉଛି)‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଭିଡ଼-୧୯ର ସଫଳ ପରିଚାଳନା ପାଇଁ ପ୍ରଶଂସା କରିଛନ୍ତି । ମେ’ ମାସରେ ‘ଆମ୍ପାନ୍’ ମହାବାତ୍ୟା ଓଡ଼ିଶାର ୧୦ଟି ଜିଲ୍ଲାକୁ ବ୍ୟାପକ ଭାବେ ପ୍ରଭାବିତ କରିଥିବା ବେଳେ ଉଭୟ କୋଭିଡ଼-୧୯ ଓ ‘ଆମ୍ଫାନ୍’କୁ ସଫଳତାର ସହ ରାଜ୍ୟ ସରକାର ପରିଚାଳନା କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହି ଓଡ଼ିଶାବାସୀଙ୍କ ମନ ଜିଣିବାର ଉଦ୍ୟମ କରିଛନ୍ତି ।
୩୧ ତାରିଖ ରାତି ୮ଟାରେ ‘ମନ୍ କି ବାତ୍’ର ସିଧା ପ୍ରସାରଣ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଖାଇ ଥିବା ବିନମ୍ରତା ଆଜି ଏହି ଲେଖାର ମୂଳ ଆଧାର କୁହାଯାଇପାରେ । ଗଲା ଦୁଇ ମାସ ଧରି ଦେଶରେ ‘ତାଲାବନ୍ଦ’ ଯୋଗୁ ଦେଶବାସୀ ଯେଭଳି କଷ୍ଟ ସହିଛନ୍ତି ତାହା ପୂର୍ଣ୍ଣ ଅବଗତ ଥିବା ପ୍ରଧାନମନ୍ତ୍ରୀ ଏହି ଭାଷଣରେ କହିଥିଲେ । ଦେଶର କୋଟିଏରୁ ଅଧିକ ପ୍ରବାସୀ ଶ୍ରମିକ ତାଲାବନ୍ଦ କଟକଣା ଯୋଗୁ ନିଯୁକ୍ତି ହରାଇ ସର୍ବହରା ହୋଇଥିବା ଓ ମୁଣ୍ଡ ଉପରେ ଛାତ ହରାଇ ରାଜରାସ୍ତାକୁ ଆସିବା ପରେ ନିର୍ଯ୍ୟାତିତ ହୋଇଥିବା ସେ ସ୍ୱୀକାର କରିଛନ୍ତି । ଖାଦ୍ୟାଭାବ ସହ ଯାନବାହନ ଚଳାଚଳରେ କଟକଣା ଯୋଗୁ ଏହି ପ୍ରବାସୀ ଶ୍ରମିକମାନେ ପାଦରେ ଚାଲି ଚାଲି ବା ଅନ୍ୟ କୌଣସି ମାଧ୍ୟମରେ ନିଜ ନିଜ ଘରକୁ ଫେରିଥିବା ବା ଘରେ ପହଂଚିବାର ଉଦ୍ୟମ କରିଥିବା ସ୍ୱୀକାର କରି ସେଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି ।
ତାଲାବନ୍ଦ ଲାଗୁ ହେବାର ଦୁଇ ମାସ ପରେ ଭାରତ ସରକାରଙ୍କ ରେଳବାଇ କର୍ତୃପକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଂଚାଇବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଇଲେ । ହଜାର ହଜାର ସଂଖ୍ୟାରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚାଲିଛି। ଲକ୍ଷାଧିକ ଶ୍ରମିକ ତାହାର ସୁଯୋଗ ନେଇ ଥିବା ବେଳେ ଆହୁରି ଅନେକ ଶ୍ରମିକ ପରିବାର ସହ ନିଜ ଘରେ ପହଂଚି ନ ପାରି ହଟହଟା ହେଉଛନ୍ତି । ତାଲାବନ୍ଦ ଦେଶର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଛି । କେବଳ ଶ୍ରମିକ ନୁହନ୍ତି, ଅନ୍ୟନ୍ୟ କର୍ମଚାରୀ ମଧ୍ୟ କର୍ମନିଯୁକ୍ତି ହରାଇ ବେକାର ହୋଇଛନ୍ତି । କରୋନା ମହାମାରୀର ନିଦାନ ଏପର୍ଯ୍ୟନ୍ତ ବାହାରି ନାହିଁ । ତେଣୁ, ଏହି ମାରାତ୍ମକ ରୋଗ ସହ ସାଲିସ କରି ଆଗକୁ ବଢିବାକୁ ପଡିବ ଏବଂ ଦେଶର ବିପର୍ଯ୍ୟସ୍ତ ଅର୍ଥନୀତିକୁ ସୁଧାରିବାକୁ ପଡିବ ବୋଲି ସେ କହିଛନ୍ତି । ସରକାର ପର୍ଯ୍ୟାୟକ୍ରମେ କଟକଣା ସବୁ କୋହଳ କରୁଥିବାରୁ ଦେଶବାସୀ ଏଥିରେ ଉଲ୍ଲସୀତ ନ ହୋଇ ନିଜ ଆଡୁ ସଚେତନ ଓ ସତର୍କ ପ୍ରତି ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଆହ୍ୱାନ ଦେଇଥିଲେ । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ, କରୋନା ଭଳି ଏକ ମାରାତ୍ମକ ମହାମାରୀକୁ ପରିଚାଳନା କଲା ଭଳି ଅଭିଜ୍ଞତା ସରକାରଙ୍କ ନ ଥିଲା । ତେଣୁ, ତରବରିଆ ଭାବେ ନିଆ ଯାଇଥିବା ପଦକ୍ଷେପ ଦେଶବାସୀଙ୍କୁ କଷ୍ଟ ଦେଇଛି । ଏଥିସକାଶେ ସେ ଦୁଃଖିତ ।
ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱୀକାରୋକ୍ତି ବୋଧହୁଏ କୋଭିଡ଼-୧୯ ମହାମାରୀକୁ ନେଇ ସବୁଠାରୁ ବଡ଼ ରାଜନୀତି, ଯାହାକି ସାଦାରଣଙ୍କ ଜନତାକୁ ନିଶ୍ଚିତ ପ୍ରଭାବିତ କରିଥିବ । କୋଭିଡ଼ ପ୍ରସଙ୍ଗରେ ଆଲୋଚନା କରୁ କରୁ ସେ ପୂର୍ବାଂଚଳ ରାଜ୍ୟଗୁଡିକର ବିକାଶ ଆଡକୁ ଯାଇ ତାଙ୍କ ସରକାରଙ୍କ ପରବର୍ତୀ ଟାର୍ଗେଟ୍ କୁ ମଧ୍ୟ ସ୍ପଷ୍ଟ କରିଛନ୍ତି । ପ୍ରଧାନମନ୍ତ୍ରୀ ବାକ୍ ଚାତୁରୀ ଓ ପ୍ରଶଂସାରେ ଓଡ଼ିଶା ସରକାର ଉତ୍ସାହିତ । ଏଥିରେ କିଛି ସନ୍ଦେହ ନାହିଁ । ତେବେ, ଏହା ଆଗାମୀ ଦିନର ରାଜନୀତିର ଆଭାସ ଦେଉଛି । ଆମ ମୁଖ୍ୟମନ୍ତ୍ରୀ ନମ୍ର ହେଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଚତୁର ଓ ବାକ୍-ପଟୁ ନୁହନ୍ତି । ସେ ଓଡ଼ିଆରେ ଭାଷଣ ଦେବା ସମୟରେ ସେଥିରେ ଥିବା ଯାଂତ୍ରିକତାକୁ ସ୍ପଷ୍ଟ ବାରି ହୁଏ । ଦେଶର ମୁଖ୍ୟ ବିରୋଧୀ କୁହାଯାଉଥିବା କଂଗ୍ରେସ ଦଳର ନେତୃବର୍ଗ (ଯୁବରାଜ ରାହୁଲ ଗାନ୍ଧୀଙ୍କ ସମେତ) ମଧ୍ୟ ଭାଷଣ ଦେବାରେ ମୋଦୀଙ୍କ ସମକକ୍ଷ ନୁହନ୍ତି । ତେଣୁ, ପ୍ରତିକୂଳ ପରିସ୍ଥିତିକୁ ମଧ୍ୟ ମୋଦୀ ନିଜ ବାକ୍ଚାତୁରୀ ମାଧ୍ୟମରେ ନିଜ ସପକ୍ଷରେ ନେବାକୁ ସିଦ୍ଧହସ୍ତ । ତେଣୁ, ଆଜି ଦେଶର ଲୋକପ୍ରିୟ ନେତାଙ୍କ ମଧ୍ୟରେ ସେ ସର୍ବାଗ୍ରେ ରହିଥିବା ନିଃସନ୍ଦେହରେ କୁହାଯିବ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS