୧୭୩ ନୂଆ କରୋନା ରୋଗୀ ଚିହ୍ନଟ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧, ମୃତ୍ୟୁ ସଂଖ୍ୟା ୮
ପ୍ରସାଦ ରାଓ
ଭୁବନେଶ୍ୱର, ଜୁନ୍ ୦୬
ମୋଅନୁଭବ.କମ୍
ଓଡ଼ିଶାରେ କୋଭିଡ଼-୧୯ର ମୁକାବିଲା ପାଇଁ ଆଜି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ (ଶନିବାର ଓ ରବିବାର) ୪୮ ଘଂଟିଆ ସଟ୍ ଡାଉନ୍ ଲାଗୁ ହୋଇଥିବା ବେଳେ ଶନିବାର ସକାଳ ସୁଦ୍ଧା ରାଜ୍ୟର ୧୪ଟି ଜିଲ୍ଲାରୁ ୧୭୩ ଜଣ ନୂଆ କୋଭିଡ଼-୧୯ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଫଳରେ, ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୦୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇତିବା ବେଳେ ୧୧୬୭ ଜଣ ଚିକିତ୍ସାଧିନ ରହିଛନ୍ତି । ୬ ତାରିଖ ସକାଳ ସୁଦ୍ଧା ରାଜ୍ୟରେ ୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ସେଥିରୁ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ସର୍ବାଧିକ ୪ଟି ମୃତ୍ୟୁ ଘଟି ଥିବା ବେଳେ କରୋନାର ଏପିସେଂଟର୍ ରହିଥିବା ଗଞ୍ଜାମ ଜିଲ୍ଲାରେ ୩ ଜଣ ଓ କଟକ ଜିଲ୍ଲାରେ ଜଣକର ମୃତ୍ୟୁ ଘଟିଛି ।
ଶନିବାର ସକାଳ ସୁଦ୍ଧା ଗତ ୨୪ ଘଂଟା ମଧ୍ୟରେ ଯେଉଁ ୧୭୩ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ସେମାନଙ୍କ ମଧ୍ୟରୁ ସର୍ବାଧିକ ୬୪ ଜଣ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଯାଜପୁର ଜିଲ୍ଲାର ୧୯ ଜଣ ଏବଂ କଟକ ଓ ମୟୁରଭଂଜ ଜିଲ୍ଲାରୁ ୧୩ ଜଣ ଲେଖାଏଁ ଅଛନ୍ତି । ସେମାନଙ୍କ ଛଡା ଖୋର୍ଦ୍ଧା ଜିଲ୍ଲାରୁ ୯ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ଭଦ୍ରକ ଜିଲ୍ଲାରୁ ୪ ଜଣ, କଳାହାଣ୍ଡି ଜିଲ୍ଲାରୁ ୨ ଜଣ, ଗଜପତି ଜିଲ୍ଲାରୁ ୧୦ ଜଣ, ବଲାଂଗୀର ଜିଲ୍ଲାରୁ ୧୧ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୧ ଜଣ, ପୁରୀ ଜିଲ୍ଲାରୁ ଜଣେ ଓ ନୂଆପଡ଼ା ଜିଲ୍ଲାରୁ ୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଏହା ପ୍ରଥମ । ଶୁକ୍ରବାର ଦିନ ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେଥିରୁ ଖୋର୍ଦ୍ଧା ଓ ମୟୁରଭଂଜ ଜିଲ୍ଲାରୁ ୨୨ ଜଣ ଲେଖାଏଁ ନୂଆ ରୋଗୀ ଅନ୍ତର୍ଭୁକ୍ତ । କାଲି ୧୩୦ ନୂଆ ଆକ୍ରନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦୮ରେ ପହଂଚି ଥିଲା । ତେବେ, ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ୩୫ ଜଣ ଓ କଟକ ଜିଲ୍ଲାର ୨୨ ଜଣ କୋଭିଡ଼-୧୯ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରୁ ସୂଚନା ମିଳିଥିଲା ।
ଶୁକ୍ରବାର ଦିନ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମ ଅଂଚଳରୁ ୧୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ୧୩ ଜଣଙ୍କ ମଧ୍ୟରୁ ୭ ଜଣ ହୋମ୍ କ୍ୱାରେଂଟାଇନ୍ ରେ ଥିବା ବେଳେ ଅନ୍ୟ ୬ ଜଣ ସଂଗରୋଧ କେନ୍ଦ୍ର ବାହାରର ହୋଇଥିବାରୁ ସରକାରଙ୍କ ଚିନ୍ତା ବଢିଥିଲା । ଏଥିରୁ ଜଣେ ଭୁବନେଶ୍ୱର ସାଲିଆ ସାହିର ହୋଇଥିବାରୁ ମହାନଗର ନିଗମ କର୍ତପକ୍ଷଙ୍କ ନିଦ ହଜିଛି । ସାଲିଆ ସାହି ହେଉଛି ରାଜଧାନୀର ସବୁଠାରୁ ବଡ଼ ଝୁପୁଡି ବସ୍ତି । ପ୍ରାୟ ୨୫୦ ଏକର ଜମିରେ ୯ ହଜାରରୁ ଅଧିକ ପରିବାର ଏଠାରେ ବସବାସ କରନ୍ତି । ମୋଟ ଅଧିବାସୀଙ୍କ ସଂଖ୍ୟା ୧ ଲକ୍ଷରୁ ଅଧିକ ହେବ । ଏହି ବସତିରେ ଓଡ଼ିଶାର ସବୁ ଜିଲ୍ଲାର ପ୍ରତିନିଧିତ୍ୱ ରହି ଥିବାରୁ ସାଲିଆ ସାହିକୁ ‘ମିନି ଓଡ଼ିଶା’ କହିବା ଅତ୍ୟୁକ୍ତି ହେବ ନାହିଁ । ରାଜଧାନୀରେ ୪୫୦ରୁ ଅଧିକ ବସ୍ତି ଥିବା ବେଳେ ସେଥିରୁ ୩୦୦ରୁ ଅଧିକ ହେଉଛି ବେଆଇନ ଭାବେ ଗଢି ଉଠିଥିବା ବସ୍ତି । ସାଲିଆ ସାହି ବସ୍ତିର ଅଧିବାସୀ ପାଖାପାଖି ଅଂଚଳର ସମସ୍ତ ଆପାର୍ଟମେଂଟ୍, ହୋଟେଲ, ରେଷ୍ଟୁରାଂଟ୍ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ କାମ କରି ପେଟ ପୋଷି ଥା’ନ୍ତି । ମୁମ୍ବାଇର ଧାରାବୀ ବସ୍ତିରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂକ୍ରମଣ ଯେପରି ନିଆଁ ଭଳି ମାଡି ଥିଲା ସେହିଭଳି ସାଲିଆ ସାହିରୁ କରୋନା ସଂକ୍ରମଣ ସହରକୁ ବ୍ୟାପିବାର ଯଥେଷ୍ଟ ଆଶଙ୍କା ରହୁଛି । ସଂଗରୋଧ କେନ୍ଦ୍ର ବାହାରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଦ୍ୱାରା ରାଜଧାନୀରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ମଧ୍ୟ ବଢୁଛି । ତେଣୁ, ସାଲିଆ ସାହିକୁ ନେଇ ଏବେ ରାଜ୍ୟ ସରକାର ଚିନ୍ତାରେ ଥିବା ସୂଚନା ମିଳିଛି ।
ରାଜଧାନୀ ଭୁବନେଶ୍ୱରରୁ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ, ରାଜ୍ୟ ସରକାର ବିଭିନ୍ନ କଂଟେନମେଂଟ୍ ଅଂଚଳକୁ ଚିହ୍ନଟ କରି ସେସବୁକୁ ସିଲ୍ କରି ଦେବା ସହ ଚିହ୍ନଟ ରୋଗୀଙ୍କ କୋଭିଡ଼ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱ ଦେବାରୁ ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିଲା । ରାଜଧାନୀରୁ ଏଯାବତ୍ ୮୧ କୋଭିଡ଼-୧୯ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ଆଜି ସକାଳ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୬ ଥିବା ବେଳେ ସେଥିରୁ ୮୭ ଜଣ ସୁସ୍ଥ ହେଲେଣି । ୧୩୪ ଜଣ ଚିକିତ୍ସାଧିନ ଅଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ କରୋନା ସଂକ୍ରମଣ ପହଂଚି ସାରିଛି । ମେ’ ମାସରେ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିବା ପରେ ଓଡ଼ିଶାର ଗଂଜାମ ଜିଲ୍ଲା ସବାଧିକ ସଂକ୍ରମିତ ହୋଇଛି । ଏହି ଜିଲ୍ଲାରେ ଶନିବାର ସକାଳ ସୁଦ୍ଧା ୫୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୩୮୯ ଚିକିତ୍ସା ପରେ ସୁସ୍ଥ ହୋଇଥିବା ଓ ୨୦୮ ଜଣ ଚିକିତ୍ସାଧିନ ଥିବା ଜଣାପଡିଛି । ଜିଲ୍ଲାର ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି ।
ଅନ୍ୟ ସର୍ବାଧିକ ସଂକ୍ରମତି ଜିଲ୍ଲା ମଧ୍ୟରେ ରହିଛି ଯାଜପୁର । ଶନିବାର ସକାଳ ସୁଦ୍ଧା ଯାଜପୁର ଜିଲ୍ଲାରେ ୩୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୪୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି । ୭୦ ଜଣ ଚିକିତ୍ସାଧିନ ରହିଛନ୍ତି । ସେହିଭଳି, ବାଲେଶ୍ୱର ଜିଲ୍ଲାରେ ୧୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୩୭ ଜଣ ଏଯାବତ ସୁସ୍ଥ ହେଲେଣି । ୫୨ଜଣ ଚିକିତ୍ସାଧିନ ଅଛନ୍ତି । ଭଦ୍ରକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୦ ଥିବା ବେଳେ ୧୦୬ ଜଣ ସୁସ୍ଥ ହୋଇ ୩୪ ଜଣ ଚିକିତ୍ସାଧିନ ଥିବା ଜଣାପଡିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସକାଳ ସୁଦ୍ଧା ୧୬୩ ଥିବା ବେଳେ ସେଥିରୁ ୯୯ ଜଣ ସୁସ୍ଥ ହେଲେଣି ଓ ୬୪ ଜଣ ଚିକିତ୍ସାଧିନ ଅଛନ୍ତି । କଟକ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬୭ରେ ପହଂଚିଛି । ସେଥିରୁ ୮୦ ଜଣ ସୁସ୍ଥ ହୋଇଥିବା ବେଳେ ୮୬ ଜଣ ଚିକିତ୍ସାଧିନ ଅଛନ୍ତି । ଏହି ଜିଲ୍ଲାରେ ଗୋଟିଏ ମୃତ୍ୟୁ ଘଟିଛି । ବଲାଂଗୀର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୬ ଥିବା ବେଳେ ଚିକିତ୍ସା ପରେ ୩୮ ଜଣ ସୁସ୍ଥ ହୋଇଛନ୍ତି । ଆକ୍ଟିଭ୍ ରୋଗୀ ସଂଖ୍ୟା ରହିଛି ୭୮ । ପୁରୀ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରେ ପହଂଚିଛି । ସେଥିରୁ ୮୧ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ୧୯ ଜଣ ଚିକିତ୍ସାଧିନ ରହିଛନ୍ତି । ଜଗତସିଂହପୁର ଜିଲ୍ଲାରେ ୬ ତାରିଖ ସକାଳ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଥିବା ବେଳେ ସେଥିରୁ ୪୧ ଜଣ ସୁସ୍ଥ ହୋଇଛନ୍ତି ଓ ୪୬ ଜଣ ଚିକିତ୍ସାଧିନ ରହିଛନ୍ତି ।
ସେହିଭଳି ସୁନ୍ଦରଗଡ଼ ଜିଲ୍ଲାର ସ୍ଥିତି ଅପରିବର୍ତିତ ରହିଛି । ଜିଲ୍ଲାର ୮୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୦ ଜଣ ସୁସ୍ଥ ହୋଇଥିବା ବେଳେ ୪୧ ଜଣ ଚିକିତ୍ସାଧିନ ଅଛନ୍ତି ।
ତେବେ, ନୟାଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସକାଳ ସୁଦ୍ଧା ୮୩କୁ ବଢିଛି । ସେଥିରୁ ୪୮ ଜଣ ସୁସ୍ଥ ହୋଇଛନ୍ତି ଚିକିତ୍ସାଧିନ ଥିବା କୋଭିଡ଼ ରୋଗୀ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି । ମୟୁରଭଂଜ ଜିଲ୍ଲାରେ ମଧ୍ୟ ଶନିବାର ସକାଳ ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୭୦କୁ ବଢିଛି । ସେଥିରୁ ଚିକିତ୍ସା ପରେ ୧୫ ଜଣ ସୁସ୍ଥ ହୋଇଥିବା ବେଳେ ୫୫ ଜଣ ଚିକିତ୍ସାଧିନ ଅଛନ୍ତି । ଗଜପତି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସକାଳ ସୁଦ୍ଧା ୬୧ରେ ପଂଚିଛି । ସେଥିରୁ ୧୦ ଜଣ ସୁସ୍ଥ ହୋଇଥିବା ବେଳେ ଓ ୫୧ ଜଣ ଚିକିତ୍ସାଧିନ ଅଛନ୍ତି । ବୌଦ୍ଧ ଜିଲ୍ଲାରେ ୩୪ ଜଣ ଆକ୍ରାନ୍ତ ଥିଲେ । ୩୩ ଜଣ ଚି୍ିତ୍ସା ପରେ ସୁସ୍ଥ ହୋଇଛନ୍ତି । ଜଣେ ମାତ୍ର ରୋଗୀ ଚିକିତ୍ସାଧିନ ଅଛନ୍ତି । ଏକାଭଳି, ଦେଓଗଡ଼ ଜିଲ୍ଲାରେ ୩୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୯ ଜଣ ଚିକିତ୍ସାଧିନ ରହିଛନ୍ତି ।
ଢେଙ୍କାନାଳ ଜିଲ୍ଲାରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସୁସ୍ଥ ହୋଇ ୨୬ ଜଣ ଚିକିତ୍ସାଧିନ ଅଛନ୍ତି । କେଉଁଝର ଜିଲ୍ଲାରେ ମଧ୍ୟ ୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ଜଣ ସୁସ୍ଥ ହୋଇଥିବା ଓ ୧୪ ଜଣ ଚିକିତ୍ସାଧିନ ଥିବା ଜଣାପଡିଛି । ଅନୁଗୁଳ ଜିଲ୍ଲାରେ ମୋଟ ୩୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୫ ଜଣ ସୁସ୍ଥ ହୋଇ ୬ ଜଣ ଚିକିତ୍ସାଧିନ ଥିବା ଜଣାପଡିଛି । ସୋନପୁର ଜିଲ୍ଲାରେ ୨୬ ଜଣ ଆକ୍ରାନ୍ତ ଥିଲେ । ୩ ଜଣ ସୁସ୍ଥ ହେବା ପରେ ୨୩ ଜଣ ଚିକିତ୍ସାଧିନ ଅଛନ୍ତି । ତେବେ, କଳାହାଣ୍ଡି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭କୁ ବଢିଛି । ସେଥିରୁ ୧୫ ଜଣ ସୁସ୍ଥ ହୋଇଥିବା ବେଳେ ୧୨ ଜଣ ଚିକିତ୍ସାଧିନ ରହିଛନ୍ତି । କନ୍ଧମାଳ ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଥିବା ବେଳେ ୧୩ ଜଣ ସୁସ୍ଥ ହୋଇ ୧୨ ଜଣ ଚିକିତ୍ସାଧିନ ଅଛନ୍ତି ।
ମାଲକାନଗିରି ଜିଲ୍ଲାରେ ମଧ୍ୟ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧ ଥିବା ବେଳେ ୧୯ ଜଣ ସୁସ୍ଥ ହେଲେଣି ଓ ୨ ଜଣ ଚିକିତ୍ସାଧିନ ଅଛନ୍ତି । ବରଗଡ଼ ଜିଲ୍ଲାରେ ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୧୪ ଜଣ ଚିକିତ୍ସାଧିନ ଅଛନ୍ତି । ସମ୍ବଲପୁର ଜିଲ୍ଲାରେ ମୋଟ ୧୬ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହେଲେଣି । ୧୧ ଜଣ ଚିକିତ୍ସାଧିନ ରହିଛନ୍ତି । କୋରାପୁଟ ଜିଲ୍ଲାରେ ୧୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସୁସ୍ଥ ହୋଇ ୭ ଜଣ ଚିକିତ୍ସାଧିନ ଥିବା ଜଣାପଡିଛି । ଝାରସୁଗୁଡ଼ା ଜିଲ୍ଲାରେ ମୋଟ ୮ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ ସୁସ୍ଥ ହୋଇ ୨ ଜଣ ଚିକିତ୍ସାଧିନ ଅଛନ୍ତି । ନବରଂଗପୁର ଜିଲ୍ଲାର ମୋଟ ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ଜଣେ ଚିକିତ୍ସାଧିନ ଥିବା ଜଣାପଡିଛି । ସବୁଠାରୁ ଶେଷର ଜୁନ ମାସରେ ରାଜ୍ୟ କରୋନା ମାନଚିତ୍ରରେ ସ୍ଥାନ ପାଇଥିବା ରାୟଗଡ଼ା ଜିଲ୍ଲାରେ ଚିହ୍ନଟ ହୋଇଥିବା ୨ କରୋନା ଆକ୍ରାନ୍ତ ଏବେ ଚିକିତ୍ସାଧିନ ରହିଛନ୍ତି ।
ରାଜ୍ୟରେ କରୋନା ମୁକାବିଲା ପାଇଁ ପଂଚମ ପର୍ଯ୍ୟାୟ ତାଲାବନ୍ଦ ଚାଲିଥିବା ବେଳେ ଯେଉଁ ୧୧ଟି ଜିଲ୍ଲକୁ ଅଧିକ ସଂକ୍ରମିତ ଜିଲ୍ଲା ଭାବେ ରାଜ୍ୟ ସରକାର ଚିହ୍ନଟ କରି ୩୦ ତାରିଖ ପର୍ଯ୍ୟନ୍ତ ସପ୍ତାହକୁ ଦୁଇ ଦିନ ‘ସଟ୍ ଡ଼ାଉନ୍’ ଘୋଷଣା କରିଛନ୍ତି ସେହି ଜିଲ୍ଲାଗୁଡିକ ହେଉଛି – ଖୋର୍ଦ୍ଧା (ଭୁବନେଶ୍ୱର ମହାନଗର ନିଗମ ଅଂଚଳ ସମେତ), କଟକ, ପୁରୀ, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ନୟାଗଡ଼ ଓ ବଲାଙ୍ଗୀର । ୯ଟି ଜିଲ୍ଲା ଉପକୂଳବର୍ତୀ ହୋଇଥିବା ବେଳେ ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲାରେ ସଂକ୍ରମଣ ଅଧିକ ରହିଛି । ରାଜ୍ୟକୁ ମେ’ ମାସରେ ୪.୨୬ ଲକ୍ଷ ପ୍ରବାସୀ ଶ୍ରମିକ ଫେରିଛନ୍ତି । ଚଳିତ ମାସରେ ଆଉ ୫ ଲକ୍ଷ ପ୍ରବାସୀ ଶ୍ରମିକ ଫେରିବାକୁ ଅଛି । ତେଣୁ, ଜୁନ ମାସରେ ରାଜ୍ୟରେ କରୋନା ସଂକ୍ରମଣ ବହୁ ମାତ୍ରାରେ ବଢିବା ଆଶଙ୍କା କରାଯାଉଛି । ତେଣୁ, ଜୁନ ୩୦ ପର୍ଯ୍ୟନ୍ତ ସରକାର ଅଧିକ କଠୋର କଟକଣା ଲାଗୁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇ ଦିନ ତଳେ କହିଥିଲେ । ଅତ୍ୟନ୍ତ ଆବଶ୍ୟକ କାର୍ଯ୍ୟ ନ ଥିଲେ ବାହାରକୁ ନ ଯିବାକୁ ଏବଂ ୬୫ ବର୍ଷରୁ ଅଧିକ ବୟସର ବରିଷ୍ଠ ନାଗରିକ, ମଧୁମେହ, ହାଇପର୍ ଟେନସନ୍ ଭଳି ବିଭିନ୍ନ ଘାତକ ରୋଗରେ ପୀଡ଼ିତ ରୋଗୀ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ବୟସର ଶିଶୁଙ୍କୁ ବାହାରକୁ ନ ଛାଡି ସେମାନଙ୍କ ଯତ୍ନ ନେବାକୁ ସେ ପରାମର୍ଶ ଦେଇଥିଲେ । ଏହି କ୍ର୍ରମରେ ଆଜିଠାରୁ ରଜଧାନୀ ସମେତ ଏସମସ୍ତ ଜିଲ୍ଲାରେ ସପ୍ତାହକୁ ୪୮ ଘଂଟା ସଟ୍ ଡାଉନ୍ ଆରମ୍ଭ ହୋଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS