କରୋନା ଡାଏରୀ (୧୦)…ବିଜେପିର ଭର୍ଚୁଆଲ୍ ରାଲି, ଆସନ୍ତା ଭୋଟ ପାଇଁ ଉଡାଣ ଆରମ୍ଭ !
ପ୍ରସାଦ ରାଓ
ନୂଆଦିଲ୍ଲୀ, ଜୁନ୍ ୧୦
ମୋଅନୁଭବ.କମ୍
ଭାରତରେ କରୋନା ମହାମାରୀର ଉଡାଣ ଥମି ନାହିଁ । ଦିନକୁ ହାରାହାରି ୧୦ ହଜାର ନୂଆ ରୋଗୀ ଚିହ୍ନଟ ହେଉଥିବା ବେଳେ ଗଲା ୩ ମାସରେ ୭,୫୦୦ରୁ ଅଧିକ ମୃତ୍ୟୁବରଣ କଲେଣି । ଦେଶର ରାଜଧାନୀ ଦିଲ୍ଲୀ ଓ ଆର୍ଥିକ ରାଜଧାନୀ ମୁମ୍ବାଇ ଅବସ୍ଥା ଅତ୍ୟନ୍ତ ଚିନ୍ତାଜନକ । କରୋନା ମହାମାରୀ ଯେଉଁ ଗତିରେ ଆଗକୁ ବଢି ଚାଲିଛି, ଆଗାମୀ ଦିନରେ ଏହା ଆମେରିକା ପାଖାପାଖି ପହଂଚି ଯିବା କିଛି ଅସମ୍ଭବ ନୁହେଁ । ତେବେ, ଦେଶରେ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅଧାଅଧି ଚିକିତ୍ସା ପରେ ସୁସ୍ଥ ହେଉଥିବା ଦେଶବାସୀଙ୍କୁ ଆଶ୍ୱସ୍ତ କରିଛି । କରୋନାକୁ ହରାଇଲା ଭଳି ଔଷଧ ବା ଟୀକା ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନଥିବାରୁ ଲମ୍ବା ସମୟ ପାଇଁ ଏହା ସହ ଆମକୁ ଜିଇଁବାକୁ ପଡିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିବା ପରେ ସରକାର ଆଉ ତାଲାବନ୍ଦ ଭିତରେ ରହିବାକୁ ଚାହୁଁ ନାହାନ୍ତି । ତେଣୁ, ପାଖାପାଖି ୮୦ ଦିନର ତାଲାବନ୍ଦ ପରେ ଏବେ ସବୁ କିଛି ଖୋଲାମେଲା ହେଲାଣି । ସରକାର ମଧ୍ୟ କରୋନା ସଂକଟକୁ ପଛରେ ପକାଇ ରାଜନୀତିର ଲମ୍ବା ଉଡାନ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବିହାର ପରେ ଓଡ଼ିଶାରେ ହୋଇଥିବା ଭର୍ଚୁଆଲ ର୍ୟାଲି ସ୍ପଷ୍ଟ କରିଛି । ବିଜେପିର ପୂର୍ବତନ ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଭର୍ଚୁଆଲ ର୍ୟାଲି ମାଧ୍ୟମରେ ନିଜ ଦଳର କର୍ମୀ ଓ ଜନସାଧାରଣଙ୍କ ନିକଟରେ ପହଂଚିବାର ପ୍ରୟାସ ଆରମ୍ଭ କରିଛନ୍ତି । କରୋନା ମହାମାରୀ ସମୟରେ କେନ୍ଦ୍ର ସରକାର ବିିଭିନ୍ନ ରାଜ୍ୟକୁ କେତେ ପରିମାଣ ସହାୟତା ଦେଇଛନ୍ତି ଏବଂ କେତେଦୂର ବଦାନ୍ୟତା ଦେଖାଇଛନ୍ତି ତାହାର ହିସାବ ରଖିବା ଭର୍ଚୁଆଲ୍ ର୍ୟାଲିର ଉଦେ୍ଦଶ୍ୟ ବୋଲି କୁହାଯାଉଥିଲେ ମଧ୍ୟ ବାସ୍ତବରେ ଆଗାମୀ ଦିନରେ ହେବାକୁ ନିର୍ବାଚନ ପାଇଁ ଏହା ବିଜେପିର ପୂର୍ବ ପ୍ରସ୍ତୁତି, ଏଥିରେ କିଛି ସନ୍ଦେହ ନାହିଁ ।
ବର୍ତମାନ ଦେଶର କୋଭିଡ଼-୧୯ ଜନିତ ପରିସ୍ଥିତିରେ ଶାସକ ଦଳ ଖୋଲାମେଲା ସାଧାରଣ ସଭା କରି ଜି କଥା ଲୋକଙ୍କୁ କହିପାରିବ ନାହିଁ । ତେଣୁ, ଡ଼ିଜିଟାଲ ପ୍ଲାଟଫର୍ମକୁ ବ୍ୟବହାର କରିବାରେ ଧୂରିଣ ବିଜେପି ଭର୍ଚୁଆଲ୍ ର୍ୟାଲି ମାଧ୍ୟମରେ ଦଳୀୟ କର୍ମୀ ଓ ସାଧାରଣ ଜନତା ସହ ଯୋଡି ହେବାର ଅପୂର୍ବ ଉଦ୍ୟମ ଆରମ୍ଭ କରିଛି । ଗତ ସୋମବାର ଦିନ କେନ୍ଦ୍ର ମନ୍ତ୍ରୀ ଶାହା ଓଡ଼ିଶାର ଦଳୀୟ କର୍ମୀ ଓ ସାଧାରଣ ଜନତା ନିମନ୍ତେ ଭର୍ଚୁଆଲ ର୍ୟାଲି କରି କୋଭିଡ଼-୧୯ର ମୁକାବିଲାରେ କେନ୍ଦ୍ର ସରକାରଙ୍କ ସଫଳ ରଣନୀତି ଏବଂ ରାଜ୍ୟମାନଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ବଦାନ୍ୟତା ସଂପର୍କରେ ସୂଚନା ଦେବା ମାଧ୍ୟମର ଓଡ଼ିଶାକୁ ପୁଣି ଥରେ ବିଜେପିର ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । କେନ୍ଦ୍ର ସରକାର ତାଙ୍କ ଛଅ ବର୍ଷର ଶାସନରେ ଓଡ଼ିଶାକୁ ଦେଇଥିବା ଆର୍ଥିକ ସହାୟତାର ଏକ ଲମ୍ବା ତାଲିକା ସେ ଉପସ୍ଥାପନ କରିଛନ୍ତି । କରୋନା ମହାମାରୀ ଭଳି ବିପତ୍ତିର ମୁକାବିଲା ପାଇଁ କେନ୍ଦ୍ର ସରକାର ନିଜର ଭଣ୍ଡାର ଖୋଲି ଦେଇଥିବା ଏବଂ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟକୁ ପର୍ଯ୍ୟାପ୍ତ ସହାୟତା ଦେଇଥିବା ଗୃହ ମନ୍ତ୍ରୀ ଶାହା ସୂଚନା ଦେବା ସହ ଆର୍ଥିକ ସହାୟତାର ଏକ ଲମ୍ବା ତାଲିକା ଉପସ୍ଥାପନ କରିଛନ୍ତି । ମୋଦୀ ସରକାର ବିଭିନ୍ନ ଯୋଜନା ବାବଦ ଖର୍ଚ୍ଚ ନିମନ୍ତେ ଓଡ଼ିଶାକୁ ୫ ଲକ୍ଷ ୫୨ ହଜାର ୧୦୯ କୋଟି ଟଙ୍କା ଦେଇଥିବା ଏବଂ କରୋନା ବିପତ୍ତିର ଅଲଗା ସହାୟତା ଦିଆଯାଇଥିବା ଏହି ତାଲିକାରୁ ଜଣାପଡିଛି ।
ଏହି ଅବସରରେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦାରତା ଓ ସମ୍ବେଦନଶୀଳତାର ହିସାବ ଦେବାକୁ ପଛାଇ ନାହାନ୍ତି । ଗତ ମେ’ ମାସରେ ‘ଆମ୍ଫାନ୍’ ମହାବାତ୍ୟା ପଶ୍ଚିମ ବଂଗରେ ସ୍ଥଳ ଭାଗ ଛୁଇଁବା ପୂର୍ବରୁ ଓଡ଼ିଶା ଉପକୂଳର ଅନ୍ୟୁନ ୧୬ଟି ଜିଲ୍ଲାକୁ ପ୍ରଭାବିତ କରିଥିଲା । ପ୍ରଧାନମନ୍ତ୍ରୀ ମାତ୍ର ଗୋଟିଏ ଦିନ ପରେ ପଶ୍ଚିମ ବଂଗ ଓ ଓଡ଼ିଶାରେ ହୋଇଥିବା କ୍ଷୟକ୍ଷତି ଆକାଶ ମାର୍ଗରୁ ଅନୁଧ୍ୟାନ କରି ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ପଶ୍ଚିମ ବଂଗ ପାଇଁ ହଜାର କୋଟି ଏବଂ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ଆଗୁଆ ସହାୟତା ତୁରନ୍ତ ଘୋଷଣା କରିଥିଲେ । ସେ ଦିଲ୍ଲୀ ଫେରିବାର ୨୪ ଘଂଟା ନ ପୁରୁଣୁ ଏହି ଅଗ୍ରୀମ ସହାୟତା ରାଜ୍ୟ ସରକାରଙ୍କ ଖାତାକୁ ଚାଲି ଅସିବା ଓଡ଼ିଶା ପ୍ରତି ବିଜେପିର ଆନ୍ତରିକତାର ସ୍ୱାକ୍ଷର ବହନ କରୁଛି ବୋଲି ଶାହା କହିଥିଲେ । ସ୍ୱାଧୀନତା ପରେ କେନ୍ଦ୍ରରେ କ୍ଷମତାସୀନ କୌଣସି ସରକାର ୭୦ ବର୍ଷ ଭିତରେ ଏଭଳି ତତ୍ପରତା ଓ ବଦାନ୍ୟତା ପ୍ରକାଶ କରି ନାହାନ୍ତି ବୋଲି ମନ୍ତବ୍ୟ ଦେଇ ଶାହା ମୋଦୀ ସରକାର ପୂର୍ବର ସମସ୍ତ କେନ୍ଦ୍ର ସରକାରଙ୍କୁ କେବଳ କାଠଗଡାକୁ ଟାଣି ନାହାନ୍ତି, ନିଜ ପିଠି ନିଜେ ଥାପୁଡାଇବା ଉଦ୍ୟମ କରିଛନ୍ତି ।
ଅପରପକ୍ଷରେ, ନୂଆଦିଲ୍ଲୀରୁ ପ୍ରସାରିତ ଏହି ଭର୍ଚୁଆଲ୍ ର୍ୟାଲିକୁ ବିଭିନ୍ନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ମାଧ୍ୟମରେ ରାଜ୍ୟର ୨୯ ଲକ୍ଷ ୫୮ ହଜାରରୁ ଅଧିକ ଲୋକ ଦେଖିଛନ୍ତି ଏବଂ ଏହାର ଭିଡ଼ିଓ କୋଟିଏରୁ ଅଧିକ ଲୋକଙ୍କ ନିକଟରେ ପହଂଚିଛି ବୋଲି ରାଜ୍ୟ ବିଜେପି ଦାବି କରିଛି । ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଏକ ପ୍ରେସ୍ ବିବୃତି ମାଧ୍ୟମରେ ଏହି ଦାବି କରିଛନ୍ତି । ରାଜ୍ୟର ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରୁ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ଓ ପ୍ରତାପ ଷଡଙ୍ଗୀ ଦିଲ୍ଲୀରେ ଉପସ୍ଥିତ ଥାଇ ଭର୍ଚୁଆଲ୍ ର୍ୟାଲିରେ ଭାଗ ନେଇଥିଲେ । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀଙ୍କ ପ୍ରତିବଦ୍ଧତା କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ଭାଷଣରେ ସ୍ପଷ୍ଟ ପ୍ରତିଫଳିତ ହୋଇଛି ବୋଲି ରାଜ୍ୟ ବିଜେପି ସଭାପତି ଦାବି କରିଥିବା ବେଳେ ଶାହାଙ୍କ ଭାଷଣରେ ବିଗତ କଂଗ୍ରେସ ସରକାରଙ୍କୁ ସମାଲୋଚନା ଏବଂ ଓଡ଼ିଶାରେ କ୍ଷମତାସୀନ ବିଜୁ ଜନତା ଦଳ (ବିଜେଡ଼ି) ପ୍ରତି ଉଦାରତା ହିଁ ଦେଖିବାକୁ ମିଳିଛି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ବିଜେଡ଼ିଠାରୁ ନିରାପଦ ଦୂରତା ରକ୍ଷା କରିବା ପଛାଇରେ ଯେଉଁ ରହସ୍ୟ ରହିଛି ତାହା ସମସ୍ତେ ଜାଣନ୍ତି । ଆସନ୍ତା ରାଜ୍ୟସଭା ନିର୍ବାଚନରେ ବିଜେପି ଯେତିକି ସଂଖ୍ୟାରେ ଆସନ ପାଇବାର ଆଶା ରଖିଛି ତାହା ପାଇଲେ ମଧ୍ୟ ରାଜ୍ୟସଭାରେ ବିଭିନ୍ନ ବିଲ୍ ପାଶ୍ କରାଇବା ପାଇଁ ବିଜେଡ଼ିର ସହାୟତା ନେବାକୁ ବାଧ୍ୟହେବ । ତେଣୁ, ରାଜ୍ୟରେ ବିଜେପି ନେତାମାନେ ସରକାର ବିରୋଧରେ ତୁମ୍ବିତୋଫାନ କରୁଥିଲେ ମଧ୍ୟ ଦଳର କେନ୍ଦ୍ରୀୟ ନେତାମାନେ ବିଜେଡ଼ି ବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପାଟି ଖୋଲିବାକୁ ପ୍ରସ୍ତୁତ ନୁହନ୍ତି ।
ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ରାଜ୍ୟରେ କରୋନା ଯୋଦ୍ଧାଙ୍କ ପାଇଁ ପିପିଇ କିଟ୍, ମାସ୍କ୍ ଓ ଅନ୍ୟାନ୍ୟ ଉପକରଣ କିଣାରେ ଘୋର ଦୁର୍ନୀତି ହୋଇଥିବା ଉଭୟ ରାଜ୍ୟ କଂଗ୍ରେସ ଓ ବିଜେପି ନେତାମାନେ ଅଭିଯୋଗ କରିବା ସହ ଏହାର ସିବିଆଇ ବା ବିଚାର ବିଭାଗୀୟ ତଦନ୍ତ ହେବା ଦାବି କରୁଥିବା ବେଳେ ସୋମବାର ଦିନ ଶାହା କରିଥିବା ଭର୍ଚୁଆଲ୍ ର୍ୟାଲିରେ ଏବାବଦରେ ପଦୁଟିଏ କହି ନାହାନ୍ତି । ରାଜ୍ୟ କଂଗ୍ରୋସ ଓ ବିଜେପି ନେତାଙ୍କ ଅଭିଯୋଗ ହେଉଛି, ଓଡ଼ିଶା ସରକାର ଦୁଇଟି ଭିନ୍ନ ଭିନ୍ନ ଦରରେ ରାଜ୍ୟ ବାହାରୁ କୋଭିଡ଼-୧୯ ମୁକାବିଲା ପାଇଁ ମାସ୍କ୍ ଓ ଅନ୍ୟାନ୍ୟ ଉପକରଣ କିଣିଛନ୍ତି । ମାସ୍କ୍ କିଣାରେ ଗୋଟି ପିଛା ଅନ୍ୟୁନ ୬ ଟଙ୍କା ହେରଫେର ହୋଇଛି । ରାଜ୍ୟ ସରକାରଙ୍କ ଔଷଧ ନିଗମ ଏହି କାରବାର କରିଛି । ଏଥି ସକାଶେ ସରକାର ପର୍ଚେଜ୍ କମିଟି ଗଠନ କରିବା ସହ କିଣାବିକାର ତଦାରଖ ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ କରିଥିଲେ । ତେବେ, ସମସ୍ତଙ୍କ ନାକ ତଳେ ଏହି ବଡ଼ ଧରଣର ଦୁର୍ନୀତି ହୋଇଛି ।
ବିରୋଧୀ ଏଭଳି ଏକ ଗୁରୁତର ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଥିବା ବେଳେ ମନ୍ତ୍ରୀ ସ୍ତରୀୟ କମିଟି ବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଟି ନଖୋଲି ଦଳର ମୁଖପାତ୍ରଙ୍କ ମାଧ୍ୟମରେ ସଫେଇ ଦେଉଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉପରେ ପଡି ସଫେଇ ଦେବାକୁ ଆସି ନିଜେ ଏଥିରେ ଛନ୍ଦି ହୋଇଯାଇଛନ୍ତି । ସରକାରଙ୍କ ଦ୍ୱାରା ଗଠିତ ପର୍ଚେଜ୍ କମିଟିର ମୁଖ୍ୟ ଆଇଏଏସ୍ ହେମନ୍ତ ଶର୍ମା ଏହି ଅଭିଯୋଗ ପଦାକୁ ଆସିବା ପରେ ତୁରନ୍ତ ଦାୟିତ୍ୱରୁ ବିଦା ହୋଇଥିଲେ । ପରେ, ବିରୋଧୀଙ୍କ ପିଛା ଛୁଡାଇବା ପାଇଁ ରାଜ୍ୟ ସରକାର କରୋନା ମୁକାବିଲା କାର୍ଯ୍ୟରେ ଗତ ମାର୍ଚ୍ଚ ମାସରୁ ନିୟୋଜିତ ଥିବା ସମସ୍ତ ଅଧିକାରୀଙ୍କୁ ହଟାଇ ଦେଇଛନ୍ତି । ତଥାପି ମାମଲା ଥଣ୍ଡା ପଡିବା ବଦଳରେ ଉତୁରୁଛି । ରାଜ୍ୟ ଔଷଧ ନିଗମର ମାସ୍କ୍, ପିପିଇ କିଟ୍ ଓ ଅନ୍ୟାନ୍ୟ ଜରୁରୀ ଉପକରଣ କିଣାରେ ହୋଇଥିବା କଥିତ ଦୁର୍ନୀତିର ସିବିଆ ବା ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେବାକୁ ନିବେଦନ କରି ଓଡ଼ିଶା ହାଇକୋର୍ଟରେ ଦୁଇଟି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ରାଜ୍ୟ କଂଗ୍ରେସ ଓ ବିଜେପି ନେତାମାନେ ସରକାରଙ୍କ ବିରୋଧରେ ଏହି ଦୁର୍ନୀତି ଅଭିଯୋଗ ଆଣି ତାହାର ସିବିଆଇ ବା ଉଚ୍ଚସ୍ତରୀୟ ତଦନ୍ତ ଦାବିରେ ତଂଟି ଫଟାଉଥିବା ବେଳେ କେନ୍ଦ୍ର ସରକାର, ବିଶେଷକରି କେନ୍ଦ୍ର ଗୃହ ମନ୍ତ୍ରୀ ଭର୍ଚୁଆଲ୍ ର୍ୟାଲି ମାଧ୍ୟମରେ ନିଜ ସରକାରଙ୍କ ଗୁଣ ଗାଇଲା ବେଳେ ଦଳର ରାଜ୍ୟ ଶାଖାର ଦାବିକୁ ଅଣଦେଖା କରିବା ସନ୍ଦେହଜନକ ନୁହେଁ କି ? କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ର୍ୟାଲିରେ ଏସଂପର୍କର ପଦେ କହି ନାହାନ୍ତି ।
ଇତିମଧ୍ୟରେ, ଭାରତ କରୋନା ଆକ୍ରାନ୍ତ ସଂଖ୍ୟାରେ ବିଶ୍ୱରେ ସର୍ବାଧିକ ଆକ୍ରାନ୍ତ ରାଷ୍ଟ୍ରଙ୍କ ମଧ୍ୟରେ ପଂଚମ ସ୍ଥାନରେ ପହଂଚିଛି । ଦେଶର ୨ ଲକ୍ଷ ୬୦ ହଜାରରୁ ଅଧିକ ଲୋକ ମହାମାରୀରେ ଆକ୍ରାନ୍ତ ହେଲେଣି । ତେବେ, ଦେଶର ଜନସଂଖ୍ୟା (୧୩୦ କୋଟି) ତୁଳନାରେ ଆକ୍ରାନ୍ତ ସଂଖ୍ୟା ଆମେରିକା, ବ୍ରାଜିଲ୍ ଭଳି ରାଷ୍ଟ୍ର ତୁଳନାରେ କିଛି ନୁହଁ କହି କେନ୍ଦ୍ର ସରକାର ଏହାକୁ ଫୁ’ରେ ଉଡାଇ ଦେଇଛନ୍ତି । ଚାରି ପର୍ଯ୍ୟାୟ ତାଲାବନ୍ଦ ପରେ ଦେଶରେ (ଓଡ଼ିଶା ବ୍ୟତୀତ) ଜୁନ୍ ୧ରୁ ‘ଅନଲକ୍-୧’ ଆରମ୍ଭ ହୋଇଛି । ଜୁନ ୮ରୁ ଦେଶର ଅନେକ ରାଜ୍ୟରେ ଧାର୍ମିକ ସ୍ଥଳ, ସପିଂ ମଲ୍, ହେଟେଲ୍, ରେଷ୍ଟୁରାଂଟ୍ ସମେତ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଛି । ରେଳ, ବସ୍ ଓ ବିମାନ ଚଳାଚଳ ମଧ୍ୟ ଆରମ୍ଭ ହେଲାଣି । ପାଖାପାଖି ଅଶି ଦିନ ପରେ ଦେଶର ଅର୍ଥନୈତିକ ଓ ବ୍ୟବସାୟିକ କାର୍ଯ୍ୟକଳାପ ଗତିଶୀଳ ହୋଇଥିବା ନିଶ୍ଚିତ ଭାବେ ଆନନ୍ଦର ବିଷୟ । କେତେ ଦିନ ବା ଲୋକେ ଜୀବିକା ହରାଇ ତାଲାବନ୍ଦରେ ଥାଆନ୍ତେ ! ମାର୍ଚ୍ଚ ୨୫ରୁ ସରକାର ସମଗ୍ର ଦେଶକୁ ତାଲାବନ୍ଦରେ ରଖି କୋଟି କୋଟି ଗରିବ ଜନତାକୁ ଜୀବିକା-ଶୂନ୍ୟ କରିଥିବା ବେଳେ ଜୁନ୍ ୮ରୁ ସବୁ କିଛି ଖୋଲାମେଲା କରିଦେବା ସନ୍ଦେହଜନକ ନୁହେଁ କି ? ରାଜନୀତି କ୍ଷେତ୍ରକୁ ପୁନଃ ସକ୍ରୀୟ କରିବା ସକାଶେ ସରକାରଙ୍କ ଏହା ଏକ ଚାଲ୍ ହିଁ କୁହାଯାଇପାରେ ।
ବିଜେପିର ଏହି ଉଡାଣର ରହସ୍ୟ ହେଉଛି, ଆଗାମୀ ଦିନରେ ଦଳ ସାମନା କରିବାକୁ ଯାଉଥିବା ବିଭିନ୍ନ ନିର୍ବାଚନ । ୨୦୨୦ ବର୍ଷ ଶେଷ ଭାଗରେ ବିହାରରେ ବଧାନସଭା ନିର୍ବାଚନ ହେବ । କେନ୍ଦ୍ର ଶାସିତ ରାଜ୍ୟ ପଣ୍ଡିଚେରୀରେ ୨୦୨୦ ଜୁନରେ ସରକାରଙ୍କ କାର୍ଯ୍ୟକାଳ ସରିଛି । ୨୦୨୧ରେ ପଶ୍ଚିମ ବଂଗ, ଆସାମ ଓ କେରଳ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଜମ୍ମୁ-କଶ୍ମୀରରେ କଥା ମଧ୍ୟ ସରକାରଙ୍କୁ ଚିନ୍ତା କରିବାକୁ ପଡିବ । ୨୦୨୨ରେ ଗୋଆ, ଗୁଜରାଟ, ହିମାଂଚଳ ପ୍ରଦେଶ, ପଂଜାବ, ମଣିପୁର, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ସରକାରଙ୍କ କାର୍ଯ୍ୟକାଳ ସରୁ ଥିବାରୁ ଏସବୁ ରାଜ୍ୟରେ ନିର୍ବାଚନ ହେବ । ସେହିଭଳି, ୨୦୨୩ରେ ଛତିଶଗଡ଼, କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ୍, ରାଜସ୍ଥାନ, ତେଲେଙ୍ଗାନା, ତ୍ରିପୁରାରେ ନିର୍ବାଚିତ ସରକାରଙ୍କ କାର୍ଯ୍ୟକାଳ ସରିବ । ୨୦୨୪ରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ହରିୟାନା, ଝାଡଖଣ୍ଡ, ମହାରାଷ୍ଟ୍ର ଓ ସିକ୍କିମ ନିର୍ବାଚନର ସାମନା କରିବ । ଶେଷକୁ ରହିଛି ଦିଲ୍ଲୀ । ୨୦୨୫ ଫେବୃୟାରୀରେ ଦିଲ୍ଲୀ ସରକାରଙ୍କ କାର୍ଯ୍ୟକାଳ ସରିବ । ନିର୍ବାଚନ କମିସନ ଏହାର ସାରଣୀ ପ୍ରସ୍ତୁତ କରି ରଖିଛନ୍ତି । ଏସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ନିର୍ବାଚନ ପୂର୍ବରୁ ଚଳିତ ମାସ (ଜୁନ୍)୧୯ ତାରିଖରେ କର୍ଣ୍ଣାଟକ, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ମଣିପୁର ଓ ମେଘାଳୟରେ ୨୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବାକୁ ଯାଉଛି । ବିଜେପି ଅଧିକରୁ ଅଧିକ ରାଜ୍ୟସଭା ଆସନ ପାଇବାକୁ ବ୍ୟଗ୍ର । ତେଣୁ, ଉଡାଣ ଆରମ୍ଭ କରିଛି । ଭର୍ଚୁଆଲ୍ ର୍ୟାଲି ନାମରେ ଦଳର ପ୍ରଚାର ଆରମ୍ଭ ହୋଇଛି । ବିହାର ଓ ପଶ୍ଚିମ ବଂଗରେ ଗେରୁଆ ସରକାର ପ୍ରତିଷ୍ଠା ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଶାହାଙ୍କ ପ୍ରାଥମିକତା ହୋଇଥିବାରୁ ବିହାର ପରେ ଏହି ଦୁଇ ରାଜ୍ୟକୁ ପ୍ରାଧାନ୍ୟ ଦିଆଯାଉଛି ।
ଓଡ଼ିଶା ୨୦୧୯ରୁ ଶାହାଙ୍କ ଟାର୍ଗେଟ୍ରେ ରହିଛି । ୨୦୧୯ ନିର୍ବାଚନରେ ରାଜ୍ୟର ୧୪୭ ବିଧାନସଭା ଆସନରୁ ‘୧୨୦-ପ୍ଲସ୍’ ହାତେଇବା ଶାହାଙ୍କ ସ୍ୱପ୍ନ ଥିଲା । ସେହି ଅନୁସାରେ ସେ ଦଳର ନୀଳନକ୍ସା ପ୍ରସ୍ତୁତ କରିଥିଲେ । ବାରମ୍ବାର ଓଡ଼ିଶା ଗସ୍ତରେ ଆସି କର୍ମୀମାନଙ୍କୁ ଉତ୍ସାହ ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଓଡ଼ିଶାରେ ଏକାଧିକ ସାଧାରଣ ସଭାରେ ଭାଷଣ ଦେଇ ଅବହେଳିତ ଅବସ୍ଥାରେ ରହିଥିବା ପୂର୍ବାଂଚଳ ରାଜ୍ୟଗୁଡିକୁ ବିଜେପି ହିଁ ବିକାଶର ମାର୍ଗ ଦେଖାଇ ପାରିବ ବୋଲି ଆଶା ଦେଖାଇ ଥିଲେ । ତେବେ, ଓଡ଼ିଶାବାସୀ ସେଥିରେ ଭଳି ନ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ିକୁ ବହୁମତ ଦେଇଥିଲେ । ବିଜେପି ମାତ୍ର ୨୨ଟି ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲା । ତେଣୁ, ୨୦୨୪ରେ ଏହି ସ୍ୱପ୍ନ ସାକାର କରିବାକୁ କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ଆଗ୍ରହୀ । ସେ ଯାହା କରି ପାରି ନାହାନ୍ତି ବର୍ତମାନର ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଅନ୍ତତଃ ତାହା କରି ଦେଖାଇବେ ବୋଲି ସୋମବାର ଶାହା ଆଶା ବ୍ୟକ୍ତ କରିଛନ୍ତି । ଓଡ଼ିଶାରେ ବୁଥ୍ କମିଟିଗୁଡିକୁ ସୁଦୃଢ କରି ରାଜ୍ୟକୁ ବଜେପିର ଏକ ଅଭେଦ୍ୟ ଦୁର୍ଗରେ ପରିଣତ କରିବାକୁ ସେ ଦଳୀୟ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି । ତେବେ, ନିର୍ବାଚନକୁ ସାମନା କରିବାକୁ ରାଜ୍ୟ ହାତରେ ୪ ବର୍ଷ ସମୟ ରହିଛି । ଏହି ମସୟ ଭିତରେ କରୋନା କହାକୁ ନେଇ କୋଉଠି ଥୋଇବ, ତାହା ଦେଖିବାକୁ ବାକି ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS