ରଥଯାତ୍ରା ନିଷ୍ପତ୍ତି ସୁପ୍ରିମକୋର୍ଟ ହାତରେ, ସରକାର କେବଳ କାର୍ଯ୍ୟକାରୀ କରିବେ
ପ୍ରସାଦ ରାଓ
ମୋଅନୁଭବ.କମ୍
ଭୁବନେଶ୍ୱର, ଜୁନ୍ ୧୬
ଚଳିତ ବର୍ଷ ପୁରୀ ବଡଦାଣ୍ଡରେ ତିନି ଠାକୁରଙ୍କ ରଥଯାତ୍ରା ହେବ କି ନାହିଁ (?) – ଏହି ପ୍ରଶ୍ନ ଜନମାନସକୁ ଆନ୍ଦୋଳିତ କରୁଥିବା ବେଳେ ଏହାର ନିଷ୍ପତ୍ତି ସୁପ୍ରମି କୋର୍ଟଙ୍କ ଉପରେ ନିର୍ଭର କରୁଛି । ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏକ ତିନି ଜଣିଆ ଖଣ୍ଡପୀଠ ୧୮ ତାରିଖ ଏସଂପର୍କିତ ମାମଲାର ଶୁଣାଣୀ କରି ରାୟ ପ୍ରକାଶ କରିବେ । ସେ ପର୍ଯ୍ୟନ୍ତ ରଥଯାତ୍ରା ହେବା, ନ ହେବା ଝୁଲିକି ରହିଛି । ପୂର୍ବରୁ ମଧ୍ୟ ବିଭିନ୍ନ କାରଣରୁ ବିଭିନ୍ନ ସମୟରେ ରଥଯାତ୍ରା ନ ହେବାର ନଜିର ରହିଛି । ଚଳିତ ବର୍ଷ କରୋନା ମହାମାରୀ ସମଗ୍ର ଦେଶରେ ଏକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଓଡ଼ିଶାରେ ମଧ୍ୟ ଏହାର ସଂକ୍ରମଣ ଜାରି ରହି ଥିବାରୁ ଏବର୍ଷ ରଥଯାତ୍ରା କରାନଯିବା ସକାଶେ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ଗଂଜାମ ଭିତ୍ତିକ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ପ୍ରଥମେ ଓଡ଼ଶା ହାଇକୋର୍ଟରେ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଓଡ଼ିଶା ହାଇକୋର୍ଟ ଜୁନ୍ ୨୩ରେ ଚତୁର୍ଦ୍ଧା ମୂରତୀଙ୍କ ରଥଯାତ୍ରା ହେବ କି ନାହିଁ ସେ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡିଛନ୍ତି । ଏହାକୁ ଚ୍ୟାଲେଂଜ୍ କରି ପରିଷଦ ସୁପ୍ରିମକୋର୍ଟରେ ଆବେଦନ କରିବା ସହ ଦୁଇଟି କେଭିଏଟ୍ ଫାଇଲ୍ କରିଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମୂଳ ମାମଲା ସମେତ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଦାଖଲ ହୋଇଥିବା ଦୁଇଟି କେଭିଏଟ୍ ଉପରେ ୧୮ ତାରିଖ ଶୁଣାଣୀ କରିବାକୁ ଧାର୍ଯ୍ୟ କରିଛନ୍ତି । ତେଣୁ, ୧୮ ତାରିଖ ପୂର୍ବରୁ ରାଜ୍ୟ ସରକାର କୌଣସି ନିଷ୍ପତ୍ତି ଘୋଷଣା କରିବା ପ୍ରଶ୍ନ ଉଠୁନି ।
ତେବେ, ରଥ ଅନୁକୂଳ ପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ପୁରୋହିତ ସିଦେ୍ଧଶ୍ୱର ମହାପାତ୍ରଙ୍କୁ ଅନୁମତିପତ୍ର ଦିଆଯିବା ଭକ୍ତ ମହଲରେ ଆଶାର ସଂଚାର କରିଛି । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦଇତାପତି ସେବକମାନେ ଜୁନ ୨୩ରେ କରୋନା କଟକଣା ମଧ୍ୟରେ ରଥଟଣା ହେବା ଚାହୁଁଛନ୍ତି । ଚତୁର୍ଦ୍ଧା ମୂରତୀଙ୍କ ସ୍ନାନଯାତ୍ରା ଭଳି ଭକ୍ତଙ୍କ ଉପସ୍ଥିତିକୁ ବାରଣ କରାଯାଇ ରଥଯାତ୍ରା କରାଯିବାକୁ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ମହାନ ପରଂପରା ରକ୍ଷା କରାଯିବାକୁ ଦଇତାପତିଙ୍କ ଆଡୁ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି । ଇତିମଧ୍ୟରେ, ରଥ ଅନୁକୂଳ ପାଇଁ ଆଜି ଶ୍ରୀମନ୍ଦିର ପୁରୋହିତଙ୍କୁ ମନ୍ଦିର ପ୍ରଶାସନ ଅନୁମତି ଦେବା ଏକ ସକାରାତ୍ମକ ସଂକେତ ଦେଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ମାମଲା ସୁପ୍ରିମ କୋର୍ଟରେ ବିଚାରାଧିନ ଥିବାରୁ ସର୍ବୋଚ୍ଚ ନ୍ୟାୟାଳୟର ନିଷ୍ପତ୍ତି ହିଁ ସର୍ବଶେଷ ନିଷ୍ପତ୍ତି ହେବ ।
ବିରୋଧୀଙ୍କ ଅଭିଯୋଗ ହେଉଛି, ରାଜ୍ୟ ସରକାର କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରାକୁ ଏଡାଇବାକୁ ଅନ୍ୟମାନଙ୍କୁ ବ୍ୟବହାର କରି ଫନ୍ଦିଫିକର ଚଳାଇଛନ୍ତି । କରୋନା ମହାମାରୀ ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରାଜନୈତିକ କାର୍ଯ୍ୟକଳାପ ଚାଲୁ ରହିଛି । ତାହା ଯଦି ହୋଇ ପାରୁଛି ସାମାଜିକ ଦୂରତା ରକ୍ଷା ମାଧ୍ୟମରେ ରଥଟଣା ହୋଇପାରିବ ନାହିଁ କାହିଁକି (?) ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ପୁରୀ ଜଗନ୍ନାଥ ମନ୍ଦିରର ଦଇତାପତି ସେବକମାନେ ମଧ୍ୟ ସାମାଜିକ ଦୂରତା ରକ୍ଷା ଏବଂ ଭକ୍ତଙ୍କ ଉପସ୍ଥିତି ବିନା ଶ୍ରୀଜୀଉଙ୍କ ରଥଯାତ୍ରା ସମାପନ କରାଯିବା ସପକ୍ଷରେ ସରକାରଙ୍କ ଉପରେ ଚାପ ସୃଷ୍ଟି କରୁଛନ୍ତି । ଗତ ଶୁକ୍ରବାର ଏନେଇ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘନଘନ ବୈଠକ ହୋଇଥିଲା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟକର୍ତାମାନେ ମନ୍ଦିର ଭିତରକୁ ଯାଇ ଦଇତାପତି ସେବକମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ରାଜ୍ୟ ସରକାର ସୋମବାର ଦିନ ରଥଟଣା ନେଇ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ସମସ୍ତେ ଆଶା କରି ଥିଲେ । କିନ୍ତୁ, ମଙ୍ଗଳବାର ସୁଦ୍ଧା ସରକାର ନିରବ ଥିବା ବେଳେ ରଥଯାତ୍ରା ମାମଲା ସୁପ୍ରିମ କୋର୍ଟରେ ପହଂଚି ସ୍ଥିତିକୁ ଗମ୍ଭୀର କରିଛି । ଅପରପକ୍ଷରେ, ରାଜ୍ୟ ସରକାର ପରିସ୍ଥିତି ଉପରେ କଡା ଦୃଷ୍ଟି ରଖିଛନ୍ତି, ଅତିଶୀଘ୍ର ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ମଙ୍ଗଳବାର ସୁଦ୍ଧା ସରକାର ନିଜ ଆଭିମୁଖ୍ୟ ସ୍ପଷ୍ଟ ନ କରିବାରୁ ପୁରୀ ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର କ୍ଷୋଭ ପ୍ରକାଶ କରିଛନ୍ତି । ଭିକ୍ତଙ୍କ ଉପସ୍ଥିତି ଉପରେ ସରକାର କଟକଣା ଜାରି କରି ରଥଟଣା ପାଇଁ ତୁରନ୍ତ ଅନୁମତି ଦେବା ଆବଶ୍ୟକ । ଦଇତାପତି ଓ ଶ୍ରୀମନ୍ଦିର ସେବକମାନେ ତିନି ରଥକୁ ଟାଣି ନେଇ ଗୁଣ୍ଡିଚା ମନ୍ଦିରରେ ପହଂଚାଇବାକୁ ପ୍ରସ୍ତୁତ । ପୂର୍ବରୁ ବଡ଼ ଦାଣ୍ଡରେ ବାଲି ରହୁଥିଲା । ହାତୀଙ୍କୁ ରଥଟଣାରେ ଲଗା ଯାଉଥିଲା । ଏବେ ସେଭଳି ପରିସ୍ଥିତି ନାହିଁ । ତିନି କିମି ବଡଦାଣ୍ଡରେ ଭକ୍ତଙ୍କ ବିନା ସେବାୟତ ଓ ପୁଲିସ ରଥ ତିନିଟିକ ଟାଣି ନେଇ ଗୁଣ୍ଡିଚା ମନ୍ଦିରେ ପହଂଚାଇ ଦେବେ ବୋଲି ବିନାୟକ ଦାସ ମହାପାତ୍ର କହିଛନ୍ତି । ମେସିନ୍ ଦ୍ୱାରା ରଥଟଣା ଉଚଚିତ ନୁହେଁ । ଆଜିର ଦିନରେ ରଥ ଟାଣିବା ପାଇଁ ହାତୀ ମିଳୁ ନାହାନ୍ତି । ତେଣୁ, ଦଇତାପତି ସେବକଙ୍କୁ ଏହି ଦାୟିତ୍ୱ ତୁଲାଇବାକୁ ଅନୁମତି ଦିଆଯାଉ ବୋଲି ସେ କହିଛନ୍ତି । ବିନାୟକ ଦାସ ମହାପାତ୍ରଙ୍କ ନେତୃତ୍ୱରେ ଆଜି ଏକ ପ୍ରତିନିଧି ଦଳ ଭୁବନେଶ୍ୱରରେ ରାଜ୍ୟ ଆଇନ ମନ୍ତ୍ରୀ ଡକ୍ଟର ଅରୁଣ ସାହୁଙ୍କୁ ଭୋଟିଛନ୍ତି । ଆଲୋଚନା ବେଳେ ମନ୍ତ୍ରୀ କଣ କହିଲେ, ତାହା ସ୍ପଷ୍ଟ ହୋଇ ନାହିଁ । ତେବେ, ଅଣସର ଘରେ ଉପଚାର ପରେ ଶ୍ରୀ ଜଗନ୍ନାଥ ସୁସ୍ଥ ଅଛନ୍ତି । ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି । ରଥଟଣା ପାଇଁ ସରକାର ଅନୁମତି ଦେଲେ ତାହା ମଧ୍ୟ ସୁରୁଖୁରରେ ସମାପିତ ହୋଇ ପାରିବ ବୋଲି ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଜଣାଇ ଥିବା ଦାସ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ୨୧ ପରେ ରାଜ୍ୟର ସମସ୍ତ ଧାର୍ମିକ ଓ ସାମାଜିକ ଉତ୍ସବ କରୋନା ମହାମାରୀରେ ମାରା ହୋଇଯାଇଛି । ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଉତ୍ସବ ଓ ରଥଟଣା କେବଳ ଓଡ଼ିଶାର ନୁହଁ, ଓଡ଼ିଶା ବାହାରର ଭକ୍ତ ଓ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ । ‘ହୋ ଭକତେ’… ରଥଟଣା ବେଳେ ରଥ ଉପରୁ ଡାହୁକଙ୍କ ଏହି ଡାକ ଶୁଣିବା ପାଇଁ ସମସ୍ତଙ୍କ କାନ ଆତୁର ଥାଏ । ଚଳିତ ବର୍ଷ ତାହା ଶୁଣିବାକୁ ମିଳି ନାହିଁ । ଚନ୍ଦନ ଯାତ୍ରା, ପୁରୀ ଶ୍ରୀମନ୍ଦିରର ଶ୍ରୀଜୀଉମାନଙ୍କ ସ୍ନାନ ଉତ୍ସବ, ହାତୀ ବେଶ ଦର୍ଶନ, ଅଣସର ସମୟରେ ବ୍ରହ୍ମଗିରି ଅଲାରନାଥ ପୀଠରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଭଳି ଭକ୍ତଙ୍କ ଭାବାବେଗ ସହିତ ଜଡିତ ସମସ୍ତ ଉତ୍ସବ ରାଜ୍ୟ ସରକାରଙ୍କ ୧୪୪ ଧାରା ଜାରି ଯୋଗୁ ଭକ୍ତଙ୍କଠାରୁ ଅପହଂଚ ଦୂରତାରେ ରହିଛି । ଏବେ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବା ଆଶା ସଂପୂର୍ଣ୍ଣ ମଉଳି ନ ଥିଲେ ମଧ୍ୟ ରଥଟଣା, ବାହୁଡାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ରମ ଭକ୍ତଙ୍କ ଅପହଂଚ ଦୂରତାରେ ରହିବା ନିଶ୍ଚିତ । ଏସବୁ କାର୍ଯ୍ୟକ୍ରମ ଟିଭି ପରଦାରେ ଦେଖି ହେବ । ତେବେ, ଚର୍ମଚକ୍ଷରୁ ଭଗବାନଙ୍କୁ ଦର୍ଶନ କରିବା ଓ ଟିଭି ପରଦାରେ ଦର୍ଶନ କରି କୃତ୍ୟକୃତ୍ୟ ହେବା ମଧ୍ୟରେ ଥିବା ପ୍ରଭେଦକୁ ଭକ୍ତ ହିଁ ବୁଝୁଛି, ସରକାର ନୁହେଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS