କରୋନା ଡାଏରୀ (୧୨)…ସେଇ କାମ କଲ, ନାଁ ପକାଇଲ କାହିଁକି ?
ପ୍ରସାଦ ରାଓ
ମୋଅନୁଭବ.କମ୍
ଭୁବନେଶ୍ୱର, ଜୁନ୍ ୨୪
୨୦୨୦ ରଥଯାତ୍ରା ପୁରୀ ଶ୍ରୀମନ୍ଦିର ଇତିହାସରେ ନୂଆ ଫର୍ଦ୍ଦ ଯୋଡିଛି । ଭକ୍ତ ଉପସ୍ଥିତି ନ ଥାଇ ଏଥର ଚତୁର୍ଦ୍ଧା ମୂରତୀଙ୍କ ରଥଯାତ୍ରା ସମାପନ ହୋଇଛି । ପୁରୀ ଶ୍ରୀମନ୍ଦିରର ୧୪୭୦ ସେବାୟତ କୋଭିଡ଼ ନମୁନା ପରୀକ୍ଷା ପରେ ରଥନୀତିରେ ସାମିଲ ହୋଇଥିଲେ ଏବଂ ତିନି ଠାକୁରଙ୍କ ରଥକୁ ଟାଣି ସନ୍ଧ୍ୟା ସୁଦ୍ଧା ପ୍ରାୟ ତିନି କିମି ଦୂର ମା’ଗୁଣ୍ଡିଚାଙ୍କ ମନ୍ଦିର ନିକଟରେ ପହଂଚାଇ ଥିଲେ । ସେବାୟତମାନେ ଡହ ଡହ ଖରାରେ ଖାଲି ପାଦରେ ତିନି ରଥକୁ ଟାଣି ନେବା ଦୃଶ୍ୟ ଥିଲା ନିଆରା । ରଥ ତିନିଟି ଏମିତି ଗଡି ଚାଲି ଥିଲା ଯେ ଯେମିତି କେଉଁଠି ହେଲେ ଅକାରଣରେ ଅଟକିବାର ନାହିଁ । ବଡ଼ଦାଣ୍ଡରେ ଭକ୍ତ ଥିଲେ ବୋଧହୁଏ ବଡ଼ ଠାକୁର ହଲି ଦୋହଲି ଜନ୍ମବେଦୀକୁ ଯାଇଥା’ନ୍ତେ । ସଂପୂର୍ଣ୍ଣ ବଡ଼ଦାଣ୍ଡ ଯେତେବେଳେ ଖାଁ ଖାଁ କାହା ପାଇଁ ବା ଅଟକି ଅଟକି ଯିବେ ? ଏଥର ଭକ୍ତମାନେ ଯେମିତି ଡାହୁକର ‘ଭକତେ ହୋ…’ ଡାକ ଶୁଣିବାରୁ ବଂଚିତ ହେଲେ, ପ୍ରଭୁ ଜଗନ୍ନାଥ ମଧ୍ୟ ସେହିଭଳି ‘ହରିବୋଲ’, ହୁଳହୁଳି ଶବ୍ଦ ଶୁଣିବାକୁ ପାଇଲେ ନାହିଁ । ସବୁ କିଛି ସୀମିତ ରହି ଗଲା ସେବାୟତ, ପୁଲିସ ଓ ପ୍ରଶାସନର ଚଉହଦି ଭିତରେ । ପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରା ହିଁ ଡ଼ାହୁକର ଡାକ ଶୁଣି ଆନନ୍ଦିତ ହୋଇଥିବେ ।
ରଥ ତିନିଟି ଘର୍ଘର ନାଦ କରି ପୁରୀ ବଡ଼ଦାଣ୍ଡରେ ଗଡୁ ଥିବା ସମୟରେ ଭକ୍ତମାନେ ବାନ୍ଧି ହୋଇ ରହି ଥିଲେ ନିଜ ନିଜ ଘର ଭିତରେ । ଟେଲିଭିଜନରେ ଦୂରଦର୍ଶନର ସିଧା ପ୍ରସାରଣ ଥିଲା ରଥଯାତ୍ରା ଦେଖିବାର ଏକମାତ୍ର ମାଧ୍ୟମ । ପୁରୀ ସହର ସଂପୂର୍ଣ୍ଣ ସଟ୍ ଡାଉନ୍ ଥିବାରୁ ଶ୍ରୀକ୍ଷେତ୍ରର ମୂଳ ବାସିନ୍ଦାମାନେ ମଧ୍ୟ ଚଳିତ ବର୍ଷ (ଜୁନ ୨୩) ଚତୁର୍ଦ୍ଧା ମୁରତୀଙ୍କୁ ରଥ ଉପରେ ଦର୍ଶନ କରିବା ସୁଯୋଗରୁ ବଂଚିତ ହେଲେ । ଅନ୍ୟମାନଙ୍କ ଭଳି ସେମାନେ ମଧ୍ୟ ଚର୍ମ ଚକ୍ଷୁରେ ଶ୍ରୀଜଗନ୍ନାଥଙ୍କୁ ଟିକେ ଆଖି ପୁରାଇ ଦେଖି ପାରିଲେ ନାହିଁ । ଭାବୁକତାକୁ ଚାପି ରଖି ଟିଭି ପରଦାରେ ରଥଟଣା ଦୃଶ୍ୟ ସମୟରେ ‘ଜୟ ଜଗନ୍ନାଥ’ ଧ୍ୱନୀ ଦେଲେ ଓ ମହିଳାମାନେ ହୁଳହୁଳି ପକାଇଲେ ସିନା ତାହା ତିନି ଠାକୁରଙ୍କ କାନର ପରଦାକୁ ଛୁଇଁଲା ନାହିଁ । ଏହା ବୋଧହୁଏ ପୁରୀ ରଥଯାତ୍ରା ଇତିହାସର ଆଉ ଏକ ଅଧ୍ୟାୟ । କାଲି ଭଳି ଦିନରେ ପୁରୀ ବଡ଼ଦାଣ୍ଡରେ ଯେଉଁଠି ସୋରିଷ ପକାଇବାକୁ ସ୍ଥାନ ନ ଥା’ନ୍ତା ସେଠି ଭକ୍ତ ନ ଥାଇ ଖାଁ ଖାଁ ପରିବେଶରେ ହେଲା ରଥଯାତ୍ରା । ଯୁଆଡେ ଚାହିଁଲେ କେବଳ ଥିଲେ ଶ୍ରୀମନ୍ଦିର ସେବାୟତ, ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ । ପ୍ରତି ବର୍ଷ ରଥଯାତ୍ରାରେ ମଝିରେ ମଝିରେ ଝିପି ଝିପି ବର୍ଷା ହୋଇ ଗରମରେ ସଢୁଥିବା ଭକ୍ତଙ୍କୁ ସାମାନ୍ୟ ଓଦା କରିଥାଏ । କିନ୍ତୁ, ଏଥର ଆକାଶରୁ ଟୋପାଏ ବି ପାଣି ପଡି ନାହିଁ । ଢୁ ଢୁ ଖରାରେ ରଥ ସବୁ ବଡ଼ଦାଣ୍ଡରେ ଗଡୁ ଥିବା ବେଳେ ସଂପୂର୍ଣ୍ଣ ବଡ଼ଦାଣ୍ଡ ଥିଲା ଭକ୍ତହୀନ ଓ ଶ୍ରୀହୀନ ।
ଏଥି ସକାଶେ ଆମେ କୋଭିଡ଼ (କରୋନା ମହାମାରୀ) ପରିସ୍ଥିତିକୁ ହିଁ ଦାୟି କରିବା । ମହାମାରୀ ପରିସ୍ଥିତି ଯୋଗୁ ରାଜ୍ୟ ସରକାର ଚାହିଁ ନ ଥିଲେ ଚଳିତ ବର୍ଷ ରଥଯାତ୍ରା କରିବା ପାଇଁ । କିନ୍ତୁ, ଭକ୍ତଙ୍କ ମନ ରଖିବାକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଣସରରୁ ବଡ଼ଦାଣ୍ଡକୁ ବାହାରିବାକୁ ମନ ବଳାଇ ଥିଲେ । ଠାକୁରଙ୍କ ଆଜ୍ଞା ବିନା ଗଛର ପତ୍ର ବି ହଲି ନ ଥାଏ । ତେଣୁ, ଜୁନ ୨୩ରେ ରଥଯାତ୍ରା ନ କରିବାକୁ ମଣିଷ ଚାହିଁ ଥିଲେ ବି ଭଗବାନ ସମସ୍ତ ପ୍ରତିବନ୍ଧକ ହଟାଇ ଚାଲି ଆସିଲେ ବଡ଼ଦାଣ୍ଡକୁ । ବିଶ୍ୱ ସମ୍ମୁଖରେ ରାଜ୍ୟ ସରକାର ଏବଂ ଓଡ଼ିଶାର ମର୍ଯ୍ୟାଦା ବଜାୟ ରଖିବା ସକାଶେ ତିନି ରଥ ଶୃଂଖଳିତ ଭାବେ କାଲି ସନ୍ଧ୍ୟା ସୁଦ୍ଧା ପହଂଚି ଯାଇଥିଲା ଗୁଣ୍ଡିଚା ମା’ଙ୍କ ମନ୍ଦିରରେ । ଏହା ବଡ଼ ଠାକୁରଙ୍କ ଚମତ୍କାର ହିଁ କୁହାଯିବ ।
ଚଳିତ ବର୍ଷ ବିଷମ ପରିସ୍ଥିତିରେ ହେଲା ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ୨୨ ତାରିଖ ମଧ୍ୟାହ୍ନ ଯାଏଁ ଯାତ୍ରା ହେବା ନେଇ ଲାଗି ରହି ଥିଲା ଅନିଶ୍ଚିତତା । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ରଥଟଣା ମାମଲାର ବିଚାର କରି କରୋନା ମହାମାରୀ ଦୃଷ୍ଟିରୁ ଏଥର ପୁରୀ ବଡ଼ଦାଣ୍ଡରେ ରଥ ଗଡ଼ିବ ନାହିଁ ବୋଲି ଜୁନ ୧୮ରେ ରାୟ ଦେଇଥିଲେ । ଏହି ରାୟ ଶୁଣିବା ପରେ ସମସ୍ତେ ମନମାରି ବସି ଥିବା ବେଳେ ଠାକୁରଙ୍କ ବୋଧହୁଏ ଆଜ୍ଞା ହେଲା, ରଥଯାତ୍ରା କରାଇବା ସକାଶେ । ପୁରୀ ଗଜପତି ମହାରାଜାଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ସମସ୍ତେ ଲାଗି ପଡିଲେ ରଥଯାତ୍ରା ହେବା ସପକ୍ଷରେ । ରାଜ୍ୟ ସରକାର ବାଧ୍ୟ ହେଲେ ସହମତି ଦେବା ପାଇଁ । ମାନ୍ୟବର ସୁପ୍ରିମ କୋର୍ଟର ତିନି ଜଣିଆ ଖଣ୍ଡପୀଠ ୨୨ ତାରିଖ ପୁନଃ ଶୁଣାଣୀ କଲେ ପୁରୀ ରଥଯାତ୍ରା ମାମଲା । ସନ୍ଧ୍ୟା ସୁଦ୍ଧା ରାୟ ଆସିଲା ସୁପ୍ରିମ କୋର୍ଟରୁ । କୋଭିଡ଼ କଟକଣା ମଧ୍ୟରେ କେବଳ ଶ୍ରୀଜଗନ୍ନାଥଙ୍କ ମୂଳପୀଠ ପୁରୀରେ ଚଳିତ ବର୍ଷ ରଥଟଣା ହେବ । ସର୍ବୋଚ୍ଚ ନ୍ୟାୟାଳୟର ଅନୁମତି ମିଳିବା ପରେ ରାଜ୍ୟ ସରକାର ସ୍ୱଇଚ୍ଛାରେ ହେଉ ବା ବାଧ୍ୟବାଧକତାରେ, ଲାଗି ପଡିଲେ ପରଦିନ ସକାଳେ ରଥଯାତ୍ରା କରାଇବା ପାଇଁ । ପୁରୀ ସହର ସମେତ ସମଗ୍ର ପୁରୀ ଜିଲ୍ଲାକୁ ସଟ୍ ଡାଉନ୍ କରାଗଲା ଓ ୨୩ ତାରିଖ ରଥଟଣା ହେଲା । ଏହା ଥିଲା ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କ ଆଉ ଏକ ଚମତ୍କାର ।
ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ବଢୁଛି । ମାର୍ଚ୍ଚ ୧୫ରୁ ଆଜି ସକାଳ ସୁଦ୍ଧା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨ରେ ପହଂଚି ଥିବା ବେଳେ ୧୭ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟାନ୍ୟ କାରଣରୁ ଆଉ ୭ ଜଣ ମରି ଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟରେ ଦର୍ଶାଯାଇଛି । ରାଜ୍ୟର ବିଭିନ୍ନ କୋଭିଡ଼ ହସପଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ୩୯୮୮ ଜଣ ସୁସ୍ଥ ହୋଇଥିବା ବେଳେ ୧୭୪୦ ଜଣ ଏବେ ବି ଚିକିତ୍ସାଧିନ ଅଛନ୍ତି । ୨୩ ତାରିଖରେ କେବଳ ୨୮୨ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ପ୍ରତିଦିନ ଶହେରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସେହି ଅନୁପାତରେ ଚିକିତ୍ସାଧିନ ଥିବା ରୋଗୀ ସୁସ୍ଥ ହେଉଥିବା ରାଜ୍ୟ ପାଇଁ ଏକମାତ୍ର ଆଶ୍ୱାସନା । ଏଭଳି ଏକ ସଂକଟର ମୁକାବିଲା କରୁଥିବା ରାଜ୍ୟ ସରକାର କୋଭିଡ଼ କଟକଣା ଯୋଗୁ ଚଳିତ ବର୍ଷ ରଥଯାତ୍ରା କରିବେ ନାହିଁ ବୋଲି ଅଡି ରହିବା କିଛି ଅସ୍ୱାଭାବିକ ନୁହେଁ । ଶ୍ରୀଜଗନ୍ନାଥଙ୍କ ଭକ୍ତମାନେ ପରିସ୍ଥିତିକୁ ବୁଝନ୍ତି । ରଥଯାତ୍ରା ହୋଇ ନ ଥିଲେ ବି ସରକାରଙ୍କୁ କେହି ଅଂଗୁଳି ଉଠାଇ ନ ଥା’ନ୍ତେ । ତେବେ, ରାଜ୍ୟ ସରକାର ଯେଭଳି ଭାବେ ଶ୍ରୀମନ୍ଦିର ପରିଚାଳନା କମିଟି ସଭାପତି ତଥା ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଓ ପୁରୀ ଶଙ୍କରାଚାର୍ଯ୍ୟ ଶ୍ରୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଅବଜ୍ଞା କରି ରଥଯାତ୍ରା ରୋକିବାର ପ୍ରୟାସ କଲେ ତାହା ସରକାରଙ୍କ ପାଇଁ ବୁମେରାଂ ହେଲା । ବିରୋଧୀ ସମାଲୋଚନା କଲେ ଏବଂ ଦଇତାପତି ସେବକ, ମୁକ୍ତି ମଣ୍ଡପର ପଣ୍ଡିତ ଓ ଜଗନ୍ନାଥ ସଂସ୍କୃତିର ରକ୍ଷକମାନେ ସଂଗଠିତ ଭାବେ ୨୩ ତାରିଖ ରଥଯାତ୍ରା କରାଇବାକୁ ସରକାରଙ୍କ ଉପରେ ଚାପ ବଢାଇବାରେ ଲାଗିଲେ ।
ରାଜ୍ୟ ସରକାରଙ୍କ ବଡ଼ ଭୁଲ ଥିଲା, ଜୁନ୍ ୧୮ ତାରିଖ ସୁପ୍ରିମ କୋର୍ଟରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଯେତେବେଳେ ଜୁନ୍ ୨୩ରେ ହେବାକୁ ଥିବା ରଥଯାତ୍ରା ବନ୍ଦ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବା ସକାଶେ ଓଡ଼ିଶା ବିକାଶ ପରିଷଦର ଆବେଦନ ଉପରେ ଶୁଣାଣୀ କରୁଥିଲେ ଓଡ଼ିଶା ସରକାରଙ୍କ ଦ୍ୱାରା ନିୟୋଜିତ ବରିଷ୍ଠ ଓକିଲ ତଥା ସୁପ୍ରିମ କୋର୍ଟର ପୂର୍ବତନ ସଲିସିଟର ଜେନେରାଲ୍ ହରିଶ ସାଲଭେ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ଜୁନ ୫ ତାରିଖରେ ଶ୍ରୀମନ୍ଦିର ପରିଚାଳନ କମିଟି ସଭାପତି ଭାବେ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରି ନ ଥିଲେ । ଅନ୍ୟପକ୍ଷରେ, ପୁରୀରେ ୨୩ ତାରିଖ ରଥଯାତ୍ରା ହେଲେ ୧୨/୧୩ ଲକ୍ଷ ଜନସମାଗମ ହେବ, ଏହାଦ୍ୱାରା କୋଭିଡ଼ କଟକଣା କାର୍ଯ୍ୟକାରୀ କରିବା ସମ୍ଭବ ହେବ ନାହିଁ ଓ କରୋନା ମହାମାରୀ ଦ୍ୱାରା ଅଧିକ ସଂଖ୍ୟାରେ ଜନସାଧାରଣ ସଂକ୍ରମିତ ହେବେ ବୋଲି ପୂର୍ବତନ ଏସଜି ସୁପ୍ରିମ କୋର୍ଟ ଖଣ୍ଡପୀଠଙ୍କୁ ବୁଝାଇବାରେ ସକ୍ଷମ ହୋଇ ଥିଲେ । ଫଳରେ, ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଓ ତାଙ୍କ ନେତୃତ୍ୱରେ ମାମଲାର ଶୁଣାଣୀ କରୁଥିବା ଖଣ୍ଡପୀଠ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରଥଯାତ୍ରା ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ । ଖଣ୍ଡପୀଠ ଏଥିସକାଶେ ଶ୍ରୀଜଗନ୍ନାଥଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିବା ବେଳେ ରାଜ୍ୟ ସରକାର ମଧ୍ୟ କୋର୍ଟ ରାୟ ପ୍ରକାଶ ପାଉ ପାଉ କ୍ୟାବିନେଟ୍ ବୈଠକ ଡ଼ାକି ରଥଯାତ୍ରା ବନ୍ଦ ସପକ୍ଷରେ ସଂକଳ୍ପ ପାରିତ କରାଇ ନେଲେ ଏବଂ ଏଭଳି ଏକ ଅସ୍ୱାଭାବିକ ନିଷ୍ପତ୍ତି ପାଇଁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ କହି ନିଜ ଦାୟିତ୍ୱ ସାରି ଦେଲେ ।
ପରେ ଯେତେବେଳେ ସୁପ୍ରିମ କୋର୍ଟରେ ରଥଯାତ୍ରା କରାଯିବା ସପକ୍ଷରେ ମୋଡ଼ିଫିକେସନ୍, ରିଭ୍ୟୁ ଓ ରିକଲ୍ ପିଟିସନ୍ ମାନ ଦାଖଲ ହେଲା ସରକାର ଅକଳରେ ପଡିଲେ । ଏହି ପିଟିସନ୍ ଗୁଡ଼ିକ ଶୁଣାଣୀ ପାଇଁ ସୁପ୍ରିମ କୋର୍ଟ ଗ୍ରହଣ କରିବେ କି ନାହିଁ ତାହା ୨୨ ତାରିଖ ସକାଳ ପର୍ଯ୍ୟନ୍ତ ଅନିଶ୍ଚିତ ଥିଲା । ତେବେ, ସମସ୍ତଙ୍କ ଭରସା ଥିଲା ବଡ଼ ଠାକୁର ଶ୍ରୀଜଗନ୍ନାଥଙ୍କ ଉପରେ । ୨୨ ତାରିଖ ପୂର୍ବାହ୍ନରେ ଚମକ୍ରାର ହେଲା । କେନ୍ଦ୍ର ସରକାର ରଥଯାତ୍ରା ହେବା ସପକ୍ଷରେ ମାମଲାରେ ନାକ ପୁରାଇଲେ । ସୁପ୍ରିମ କୋର୍ଟ ବରିଷ୍ଠ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କୁ ଭେଟିଲେ କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ଚଳିତ ବର୍ଷ ରଥଯାତ୍ରା ନ ହେଲେ ୧୨ ବର୍ଷ ପର୍ଯ୍ୟନ୍ତ ଆଉ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସେହି ସମୟରେ ନାଗପୁରଠାରେ ନିଜ ଘରେ ଥିବା ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେଙ୍କୁ ସୂଚିତ କରାଗଲା । ପୁରୀ ସହରକୁ ସଂପୂର୍ଣ୍ଣ ସଟ୍ ଡାଉନ୍ କରାଯାଇ ଭକ୍ତଙ୍କ ଉପସ୍ଥିତି ବିନା କରୋନା କଟକଣା ମଧ୍ୟରେ ରଥଯାତ୍ରା କରାଯିବାକୁ ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ ରାଜ୍ୟ ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସଂପର୍କରେ ମଧ୍ୟ ମୁଖ୍ୟ ବିଚାରପତି ଅବଗତ ହେଲେ । ସେହିଦିନ ଭିଡ଼ିଓ କନ୍ଫରୋନ୍ସିଂ ମାଧ୍ୟମରେ ମୁଖ୍ୟ ବିଚାରପତି ନାଗପୁରରୁ ତାଙ୍କ ନେତୃତ୍ୱାଧିନ ତିନି ଜଣିଆ ଖଣ୍ଡପୀଠ ସହ ରିଭ୍ୟୁ ପିଟିସନ୍ ଗୁଡ଼ିକର ଶୁଣାଣୀ କଲେ । କରୋନା କଟକଣା ମଧ୍ୟରେ ରଥଯାତ୍ରା ପାଇଁ ଖଣ୍ଡପୀଠ ଅନୁମତି ଦେଲେ । ସନ୍ଧ୍ୟା ସୁଦ୍ଧା ଖଣ୍ଡପୀଠଙ୍କ ରାୟ ଆସିବା ପରେ ରାଜ୍ୟ ସରକାର ତାହାକୁ ମଧ୍ୟ ସ୍ୱାଗତ କଲେ ଓ ପରଦିନ ରଥଯାତ୍ରା କରିବାକୁ ତତ୍ପରତା ଦେଖାଇଲେ । ରାଜ୍ୟର ତିନି ଜଣ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରୀ ପଠାଇଲେ । ରଥଯାତ୍ରାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସବୁ କିଛି ଯେମିତି ଶୃଙ୍ଖଳିତ ଭାବେ ହେବ, ତାହା ତଦାରଖ କରିବା ଦାୟିତ୍ୱ ଏହି ମନ୍ତ୍ରୀମାନଙ୍କ ଉପରେ ନ୍ୟସ୍ତ ରହିଛି । ରାଜ୍ୟ ମୁଖ୍ୟ ଶାସନ ସଚିବ ଡ. ଅସୀତ ତ୍ରିପାଠୀ ଓ ପୁଲିସ ମହାନିର୍ଦେଶକ ଅଭୟ ଉଭୟ ସାଧାରଣ ଓ ପୁଲିସ ପ୍ରଶାସନ ପକ୍ଷରୁ ପ୍ରତ୍ୟକ୍ଷ ଭାବେ ଚଳିତ ବର୍ଷର ରଥଯାତ୍ରାକୁ ପରିଚାଳନା କରୁଛନ୍ତି । ପୁରୀ ସହର ଓ ଜିଲ୍ଲାକୁ ସଂପୂର୍ଣ୍ଣ କର୍ଫ୍ୟରେ ରଖାଯାଇ ୨୩ ତାରିଖ ରଥଟଣା ଶୃଙ୍ଖଳିତ ଭାବେ ସମାପିତ ହୋଇଛି ।
ଚଳିତ ବର୍ଷ ରଥଯାତ୍ରା ହେବା ପଛରେ କେନ୍ଦ୍ର ସରକାରଙ୍କ ଅବଦାନ ପ୍ରଶଂସନୀୟ, ଏହା ସ୍ୱୀକାର୍ଯ୍ୟ । ତେବେ,ବଡ଼ ଠାକୁରଙ୍କ ଚମତ୍କାର ଯୋଗୁ ଏହା ସମ୍ଭବ ହେଲା ବୋଲି ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି । ଭକ୍ତଙ୍କୁ ଏହି ଭଳି ପରୀକ୍ଷା ମଧ୍ୟ ଦେଇ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଯିବାକୁ ପଡିବ ବୋଲି ଗଜପତି କହିଛନ୍ତି । ବାସ୍ତବରେ, ଚଳିତ ବର୍ଷ ଅକ୍ଷୟ ତୃତୀୟା ରଥକାଠ ଅନୁକୂଳଠାରୁ ଆରମ୍ଭ କରି ୨୩ ତାରିଖ ରଥଯାତ୍ରା ପର୍ଯ୍ୟନ୍ତ ସବୁ କିଛି ଅନିଶ୍ଚିତତା ଭିତରେ ଚାଲିଛି । ମାର୍ଚ୍ଚ ୨୨ରେ ରାଜ୍ୟ ସରକାର କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ତାଲାବନ୍ଦ ଲାଗୁ କଲେ । ଫଳରେ, ଅକ୍ଷୟ ତୃତୀୟରେ ରଥକାଠ ଅନୁକୂଳ ନ ହୋଇ ବିଳମ୍ବରେ ତାହା ହେଲା । ତିନି ଠାକୁରଙ୍କ ପାଇଁ ରଥ ନିର୍ମାଣ ମଧ୍ୟ ଅନିଶ୍ଚିତତା ମଧ୍ୟରେ ସଂପନ୍ନ ହେଲା । ଶ୍ରୀମନ୍ଦିର ପରିଚାଳନା କମିଟି ଓ ଦଇତାପତିଙ୍କ ଚାପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟରୁ ଅନୁମତି ଆଣି କରୋନା କଟକଣା ମଧ୍ୟରେ ଶ୍ରୀମନ୍ଦିର ପରିସରରେ ରଥ ନିର୍ମାଣ କରାଇଲେ । ବିଳମ୍ବରେ ରଥ ନିର୍ମାଣ ଆରମ୍ଭ ହେବାରୁ ୨୩ ତାରିଖ ସୁଦ୍ଧା ତିନି ରଥ ନିର୍ମାଣ କାର୍ଯ୍ୟ ସରିବ କି ନାହିଁ ସେ ନେଇ ସନ୍ଦେହ ପ୍ରକାଶ ପାଇଲା । ଓଡ଼ିଶା ହାଇକୋର୍ଟରେ ଏନେଇ ଏକ ଜନସ୍ୱାର୍ଥ ମାମଲା ହେବାରୁ ହାଇକୋର୍ଟ ମୁଖ୍ୟ ବିଚାପତିଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ ରଥ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଏବଂ ଜୁନ ୨୨ ସୁଦ୍ଧା ତାହା ସାରିବାକୁ ସରକାରଙ୍କୁ ନିର୍ଦେଶ ଦେଲେ । ତିନି ରଥର ନିର୍ମାଣ କାର୍ଯ୍ୟ ଦୃତ ବେଗରେ ଚାଲିଥିବା ବେଳେ କରୋନା ମହାମାରୀ ଜନଜୀବନ ପ୍ରତି ବିପତ୍ତି ସୃଷ୍ଟି କରି ଥିବାରୁ ଚଳିତ ବର୍ଷ ରଥଯାତ୍ରା ବନ୍ଦ କରିବା ସକାଶେ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେବାକୁ ଭାରତୀୟ ବିକାଶ ପରିଷଦ ନାମକ ଏକ ସାମାଜିକ ସଂଗଠନ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କଲେ । ଏହି ମାମଲା ପୁଣି ଥରେ ରଥଯାତ୍ରାକୁ ଅନିଶ୍ଚୟତା ମଧ୍ୟକୁ ଠେଲି ଦେଲା । ‘ମଳୁ ଖୋଜୁଥିଲା ଯାହା, ବଇଦ କହିଲା ତାହା’ ନ୍ୟାୟରେ ରାଜ୍ୟ ସରକାର ରଥଯାତ୍ରା ଟାଳିବାକୁ ଏହାକୁ ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ଚାହିଁଲେ । ତେବେ, ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ଚଳିତ ବର୍ଷର ରଥଯାତ୍ରା ନିଷ୍ପତ୍ତି ଛାଡି ସରକାରଙ୍କ ଅଡୁଆ ବଢାଇଲେ ।
ମାନ୍ୟବର ହାଇକୋର୍ଟଙ୍କ ରାୟକୁ ଭାରତୀୟ ବିକାଶ ପରିଷଦ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରି ଜୁନ୍ ୨୩ ରେ ରଥଯାତ୍ରା ବନ୍ଦ ପାଇଁ ପ୍ରାର୍ଥନା କଲେ । ଲକ୍ଷ ଲକ୍ଷ ଲୋକ ଏକାଠି ହେଲେ ମହାମାରୀ ବ୍ୟାପିବା ଆଶଙ୍କା ଥିବାରୁ ରଥଯାତ୍ରା ମୋଟେ କରା ନ ଯିବା ସକାଶେ ଭାରତୀୟ ବିକାଶ ପରିଷଦ ଯୁକ୍ତି ଉପସ୍ଥାପନ କରିଥିବା ବେଳେ କରୋନା କଟକଣା ମଧ୍ୟରେ ଭକ୍ତଙ୍କ ଅନୁପସ୍ଥିତିରେ ଜୁନ ୫ ତାରିଖ ସ୍ନାନ ପୂର୍ଣ୍ଣମୀ ଅବସରରେ ଦେବସ୍ନାନ ଓ ହାତୀ ବେଶ ନୀତି ଯେଭଳି ସଂପନ୍ନ କରାଗଲା ସେହି ଭଳି ରଥଯାତ୍ରା ପରଂପରାକୁ ସଂପନ୍ନ କରାଯାଇ ପାରିବ ବୋଲି ସେବାୟତଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରା ଗଲା । ଜୁନ ୫ ତାରିଖ ଦେବନୀତି ପାଇଁ ଶ୍ରୀମନ୍ଦିର ସେବାୟତମାନଙ୍କ କୋଭିଡ଼ ନମୁନା ପରୀକ୍ଷା ହୋଇଥିଲା ଓ ଯେଉଁମାନେ ନେଗେଟିଭ ବାହାରି ଥିଲେ ସେହିମାନେ କେବଳ ବିଭିନ୍ନ ନୀତିରେ ସାମିଲ ହୋଇଥିଲେ । ଶ୍ରୀମନ୍ଦିର ଠାରୁ ଭକ୍ତଙ୍କୁ ଦୂରେଇ ରଖିବା ସକାଶେ ପୁରୀ ସହରରେ କର୍ଫ୍ୟୁ ଜାରି ହୋଇଥିଲା । ଶ୍ରୀମନ୍ଦିର ସେବାୟତମାନେ ଶୃଙ୍ଖଳିତ ଭାବେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ସଂପନ୍ନ କରିଥିବାରୁ ରଥଯାତ୍ରା ମଧ୍ୟ ସେହି ପ୍ରକ୍ରିୟାରେ ହୋଇ ପାରିବ ବୋଲି ପୁରୀ ଗଜପତି ମହାରାଜ ସରକାରଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ । ତେବେ, ରାଜ୍ୟ ସରକାରଙ୍କ ପରାମର୍ଶଦାତାମାନେ ତାହାକୁ ଅଣଶୁଣା କରି ରଥଯାତ୍ରା ବନ୍ଦ କରିବାକୁ ସବୁମନ୍ତେ ଉଦ୍ୟମ କରିଥିଲେ ।
ଗଜପତି ମହାରାଜା ଏବଂ ପୁରୀ ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଉପେକ୍ଷିତ ହୋଇଆସୁ ଥିବାରୁ ବୋଧହୁଏ ସ୍ନାନ ଯାତ୍ରା ଦିନ ଉଭୟେ ସ୍ନାନବେଦୀ ନିକଟକୁ ନ ଯାଇ ନିଜର ନୀରବ ପ୍ରତିବାଦ ଜଣାଇ ଥିଲେ । ତେବେ, ପୁରୀ ଗଜପତି ଦିବ୍ୟସିଂହ ଦେବ ତାଙ୍କ ପ୍ରତିନିଧି ମୁଦିରସ୍ଥଙ୍କ ଦ୍ୱାରା ସ୍ନାନବେଦୀରେ ଛେରା ପହଁରା କାର୍ଯ୍ୟ ସଂପନ୍ନ କରାଇ ଥିଲେ । ମୁଦିରସ୍ଥଙ୍କ ଦ୍ୱାରା ସ୍ନାନବେଦୀରେ ତିନି ଠାକୁରଙ୍କ ଛେରା ପହଁରା କରାଇବା ନେଇ ସେଦିନ ଗଜପତି ମହାରାଜାଙ୍କ ସ୍ପଷ୍ଟୀକରଣ ଥିଲା, କୋଭିଡ଼ କଟକଣାକୁ ମାନି ସେ ସ୍ନାନବେଦୀରୁ ଦୂରେଇ ରହି ମୁଦିରସ୍ଥଙ୍କ ଦ୍ୱାରା ତାହା କରାଇଛନ୍ତି । ଅତୀତରେ ମଧ୍ୟ ସେଭଳି ହୋଇଛି । ରଥଯାତ୍ରା ନେଇ ୨୨ ତାରିଖ ସୁପ୍ରିମ କୋର୍ଟଙ୍କ ସଂଶୋଧିତ ରାୟ ଆସିବା ପୂର୍ବରୁ ମଧ୍ୟ ପୁରୀ ଗଜପତି ମହାରାଜା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କିଭଳି ଭକ୍ତଙ୍କ ଉପସ୍ଥିତି ବିନା ୨୩ ତାରିଖ କରୋନା କଟକଣା ମଧ୍ୟରେ ରଥଯାତ୍ରା ହୋଇପାରିବ, ତାହା ଦୋହରାଇ ଥିଲେ । ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚିଳାନନ୍ଦ ସରସ୍ୱତୀ ମଧ୍ୟ ୨୦୨୦ ରଥଯାତ୍ରା ବନ୍ଦ ପାଇଁ ୧୮ ତାରିଖର ସୁପ୍ରିମ କୋର୍ଟ ରାୟକୁ ସ୍ୱାଗତ କରିଥିବା ବେଳେ ପରେ ସେଥିରୁ ଓହରି ଯାଇ ୨୩ ତାରିଖ ରଥଯାତ୍ରା କରାଇବା ସପକ୍ଷରେ ରାଜ୍ୟ ସରକାରଙ୍କ ଉପରେ ଚାପ ବଢାଇ ଥିଲେ ।
ତେବେ, ରଥଯାତ୍ରା ହେବା ଥିଲା ସେହି ବଡ଼ ଠାକୁରଙ୍କ ଇଚ୍ଛା । ପୁରୀ ଶଙ୍କରାଚାର୍ଯ୍ୟଙ୍କ ଏଭଳି ‘ୟୁ ଟର୍ଣ୍ଣ’ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବୋବଡେଙ୍କୁ ମଧ୍ୟ ବିସ୍ମିତ କରିଥିଲା । ରଥଯାତ୍ରା ଉପରେ ୨୨ ତାରିଖ ଶୁଣାଣୀ ସମୟରେ ଜଷ୍ଟିସ ବୋବଡେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ୟୁ-ଟର୍ଣ୍ଣକୁ ନେଇ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲେ । ରଥଯାତ୍ରା ଟାଳିବାକୁ ଉଦ୍ୟମ କରି ଆସୁଥିବା ରାଜ୍ୟ ସରକାର ନୂଆଦିଲ୍ଲୀରେ ଅବସ୍ଥାପିତ ସରକାରଙ୍କ ସ୍ୱତନ୍ତ୍ର ରେସିଡେଂଟ୍ କମିସନର ସଂଜୀବ ମିଶ୍ରଙ୍କ ମାଧ୍ୟମରେ ୨୨ ତାରିଖ ସୁପ୍ରମି କୋର୍ଟରେ ସତ୍ୟପାଠ ଦାଖଲ କରି କରୋନା କଟକଣା ମଧ୍ୟରେ କେବଳ ପୁରୀ ମୂଳପୀଠରେ ରଥଯାତ୍ରା କରାଇବା ସକାଶେ ସହମତ ହେବା ମଧ୍ୟ ଆଉ ଏକ ବ୍ୟତିକ୍ରମ ଥିଲା ବୋଲି କୁହାଯାଇପାରେ । ଏତେସବୁ ହେବା ପରେ ସୁପ୍ରିମ କୋର୍ଟ ଜୁନ୍ ୨୩ରେ ପୁରୀ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ ।
ବର୍ତମାନ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ସୁପ୍ରିମ କୋର୍ଟରେ ୨୨ ତାରିଖ ଯେଉଁ ସତ୍ୟପାଠ ଦାଖଲ କଲେ ଓ କଠୋର କରୋନା କଟକଣା ମଧ୍ୟରେ ପୁରୀ ରଥଯାତ୍ରା କରାଇବାକୁ ସହମତ ହେଲେ ତାହା ଜୁନ ୧୮ରେ ସୁପ୍ରିମ କୋର୍ଟଙ୍କ ଶୁଣାଣୀ ବେଳେ ମଧ୍ୟ କରି ପାରି ଥା’ନ୍ତେ । ସେଥିରେ ଅସୁବିଧା କେଉଁଠି ଥିଲା ? ସରକାରୀ ପରାମର୍ଶଦାତାମାନେ ବୋଧହୁଏ ଚାହୁଁ ନ ଥିଲେ ଚଳିତ ବର୍ଷ ପୁରୀ ରଥଯାତ୍ରାକୁ ନେଇ କୌଣସି ରିସ୍କ୍ ନେବାକୁ । ତେଣୁ, ପୁରୀରେ ରଥଯାତ୍ରା ହେଲେ ୧୦ରୁ ୧୨ ଲକ୍ଷ ଜନସମାଗମ ହେବ ଏବଂ କରୋନା ମହାମାରୀର ସଂକ୍ରମଣ ବଢିବ ବୋଲି ୧୮ ତାରିଖ ସୁପ୍ରିମ କୋର୍ଟରେ କହିଲେ । ଏବେ ରାଜ୍ୟ ସରକାର ସଫେଇ ଦେଉଛନ୍ତି – ‘ଆମେ ୧୮ ତାରିଖ ସମଗ୍ର ରାଜ୍ୟ କଥା କହିଥିଲୁ, କେବଳ ପୁରୀରେ ଏତେ ସଂଖ୍ୟକ ଲୋକ ହେବେ ବୋଲି କଥା କହି ନ ଥିଲୁ’ । ଅପରପକ୍ଷରେ, କେନ୍ଦ୍ର ସରକାର ୨୨ ତାରିଖ ସକାଳେ ରଥଯାତ୍ରା ମାମଲାରେ ନାକ ପୁରାଇବାରୁ ଚଳିତ ବର୍ଷ ରଥଯାତ୍ରା ସମ୍ଭବ ହେଲା ବୋଲି ବିଜେପି ଦାବି କରୁଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ୨୨ ତାରିଖ ସକାଳେ ପୁରୀ ଗଜପତି ମହାରାଜାଙ୍କୁ ଫୋନ୍ କରି ରଥଯାତ୍ରା ପାଇଁ କିଭଳି ପ୍ରସ୍ତୁତି ଚାଲିଛି, ତାହା ବୁଝି ଥିଲେ । ଏହି ଖବର ବାହାରକୁ ଆସିବା ପରେ ବୋଧହୁଏ ରାଜ୍ୟ ସରକାରଙ୍କ ନିଦ ଭାଂଗିଲା ଏବଂ ରଥଯାତ୍ରା ହେବା ସପକ୍ଷରେ ସରକାର ସୁପ୍ରିମ କୋର୍ଟରେ ସତ୍ୟପାଠ ଦାଖଲ କରି ଥିଲେ !
ରଥଯାତ୍ରା ସପକ୍ଷରେ ସୁପ୍ରିମ କୋର୍ଟରୁ ଏଭଳି ଏକ ଅନୁକୂଳର ରାୟ ଆସିବା ନେଇ ବିଜେପି ନେତାମାନେ ବୋଧହୁଏ ଆଗୁଆ ଅନୁମାନ କରି ଥିଲେ । ତେଣୁ, କେନ୍ଦ୍ରରେ କ୍ଷମତରେ ଥିବା ବିଜେପି ୨୧ ତାରିଖରୁ ନାଟକବାଜୀ ଆରମ୍ଭ କରିଦେଇ ଥିଲା । ଦଳର ଜାତୀୟ ମୁଖପାତ୍ର ଡ.ସଂବିତ ପାତ୍ର ଜୁନ୍ ୨୧ରେ ପୁରୀରେ ପହଂଚି ୨୩ ତାରିଖ ରଥଯାତ୍ରା ହେବା ସପକ୍ଷରେ ଜନତାକୁ ମତାଇବା ଆରମ୍ଭ କରିଥିଲେ । ରଥଯାତ୍ରା ହେବା ନେଇ ଅନୁକୂଳ ରାୟ ଯେମିତି ଆସିବ ସେଥି ସକାଶେ ପୁରୀ ସହର ବାସିନ୍ଦା ଓ ରାଜ୍ୟର ଜନସାଧାରଣ ଗୋଟିଏ ଦିନ ପାଇଁ ଉପବାସ କରିବାକୁ ଆହ୍ୱାନ ଦେଇ ସେ ଏକ ନାଟକୀୟ ପରିବେଶ ସୃଷ୍ଟି କରିଥିଲେ । ୨୨ ତାରିଖ ସନ୍ଧ୍ୟାରେ ସୁପ୍ରିମ କୋର୍ଟଙ୍କ ପରିବର୍ତିତ ରାୟ ଆସିବା ପରେ ବିଜେପି ସେଥିରୁ ରାଜନୈତିକ ଫାଇଦା ନେବାକୁ ସମସ୍ତ ଉଦ୍ୟମ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମାମଲାରେ ହସ୍ତକ୍ଷେପ କରି ନଥିଲେ ବୋଧହୁଏ ଚଳିତ ବର୍ଷର ପୁରୀ ରଥଯାତ୍ରା ସମ୍ଭବ ହୋଇ ନ ଥା’ନ୍ତା ବୋଲି ବିଜେପି ନେତୃବର୍ଗ (ଏକାଧିକ କେନ୍ଦ୍ର ମନ୍ତ୍ରୀଙ୍କ ସମେତ) ଟ୍ୱିଟ୍ କରି ଦଳକୁ ସମସ୍ତ ଶ୍ରେୟ ଦେବାକୁ ଚେଷ୍ଟା କରିଛନ୍ତି । ଅପରପକ୍ଷରେ, ସବୁ ସେହି କାଳିଆ ଠାକୁରଙ୍କ ଇଚ୍ଛାରେ ହୋଇଛି ବୋଲି ପୁରୀ ଶ୍ରୀମନ୍ଦିର ସେବାୟତ ମତ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେୟ ନେବାର କଳୁଷିତ ରାଜନୀତି ଭିତରେ ପ୍ରବେଶ ନ କରି କେନ୍ଦ୍ର ସରକାରଙ୍କ ସହଯୋଗରୁ ୨୩ ତାରିଖ ରଥଯାତ୍ରା ସମ୍ଭବ ହେଲା ବୋଲି କହି ନିଜର ବିନମ୍ରତା ଦେଖାଇଛନ୍ତି । ବିଜେପି ୨୦୨୦ ରଥଯାତ୍ରାର ସମସ୍ତ ଶ୍ରେୟ ନେବାକୁ ଉଦ୍ୟମ କରୁଥିବା ନେଇ ରାଜ୍ୟରେ ବିତର୍କ ଯୋର ଧରି ଥିବା ବେଳେ ବିଜୟ ଯାହାର ହେଉନା କାହିଁକି ସବୁ ହେଉଛି ସେହି ଲୀଳାମୟ ଠାକୁରଙ୍କ ଇଚ୍ଛାରେ ବୋଲି ରାଜ୍ୟବାସୀଙ୍କ ମତ । ମୁଖ୍ୟମନ୍ତ୍ରୀ ୨୨ ତାରିଖ ସକାଳେ ଯେଉଁ ନିଷ୍ପତ୍ତି ନେଲେ ତାହା ଯଦି ଆଗୁଆ ନେଇ ଥା’ନ୍ତେ ତେବେ ସମସ୍ତ ଶ୍ରେୟ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଯାଇ ଥା’ନ୍ତା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS