ଜୁଲାଇରେ କରୋନା ବେଲଗାମ ଦୌଡୁଛି, ଗୋଟିଏ ଦିନରେ ଓଡ଼ିଶାରେ ୫୬୧ ନୂଆ ଆକ୍ରାନ୍ତ
ପ୍ରସାଦ ରାଓ
ଭୁବନେଶ୍ୱର,
ଜୁଲାଇ ୦୩
କୋଭିଡ଼-୧୯ର ମୁକାବିଲା ପାଇଁ ରାଜ୍ୟ ସରକାର ମାର୍ଚ୍ଚ ୨୨ରୁ ରାଜ୍ୟରେ ତାଲାବନ୍ଦ, ସଟ୍ ଡାଉନ୍, ମନ୍ଦିର, ମଲ୍, ସ୍ୱିମିଂପୁଲ୍, ସିନେମା ହଲ୍, ରାଜନୈତିକ, ସାମାଜିକ, ସାଂସ୍କୃତିକ, ଧାର୍ମିକ, ପୂଜାପାର୍ବଣ, ସମାବେଶ ପରି ସାମାଜିକ ଦୂରତା ରକ୍ଷାରେ ବାଧକ ହେଉଥିବା ସବୁ ବାଟ ବନ୍ଦ କରି ଦେଇଥିଲେ ମଧ୍ୟ କରୋନା ଭାଇରସ୍ ରଥ ଅମାନିଆ ଗଡି ଚାଲିଛି । ଗଲା ମେ’ ଓ ଜୁନ ମାସରେ ୬ ଲକ୍ଷରୁ ଅଧିକ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପରେ କରୋନା ଅମଣିଆ ହୋଇଛି । ଦେଶରେ ଜୁନ ପହିଲାରୁ ଅନଲକ୍ -୧ ଓ ଜୁଲାଇ ପହିଲାରୁ ଅନଲକ୍-୨ ଲାଗୁ ହୋଇ କରୋନା କଟକଣା ହୋଇଥିଲେ ମଧ୍ୟ ଓଡ଼ିଶା ସରକାର ନିଜ ନିଷ୍ପତ୍ତି ନିଜେ ନେଉଛନ୍ତି ଏବଂ ଜନତା ମୁଣ୍ଡରେ କଟକଣାର ବୋଝ ଲଦୁଛନ୍ତି । ତଥାପି, କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ଥିବା ଚିନ୍ତାର କାରଣ ହୋଇଛି । ଏପରିକି, ସଂଗରୋଧ କେନ୍ଦ୍ର ବାହାରୁ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ରାଜ୍ୟରେ ଗଣସଂକ୍ରମଣର ଆଶଙ୍କାକୁ ବଳବତ୍ତର କରିଛି ।
ରାଜ୍ୟରେ ଗଲା ୨୪ ଘଂଟା ମଧ୍ୟରେ ୫୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ଗୋଟିଏ ଦିନରେ ସର୍ବାଧିକ କୁହାଯିବ । ଏହି ୫୬୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ ଜଣ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୧୩୬ ଜଣ ବାହାରୁ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ଦୁଇଟି ମୃତ୍ୟୁ ଘଟିଛି । ଫଳରେ, ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୮,୧୦୬କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୯ରେ ପହଂଚିଛି । କରୋନା ସଂକ୍ରମଣ ଓ ମୃତ୍ୟୁ କ୍ଷେତ୍ରରେ ଗଂଜାମ ଜିଲ୍ଲା ଓଡ଼ିଶାରେ ସର୍ବାଗ୍ରେ ଅଛି । ତେବେ, ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୫,୫୦୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଥିବାରୁ ରାଜ୍ୟରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟା ୨,୫୬୭ ରହିଛି ।
ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟରୁ ଚିହ୍ନଟ ହୋଇଥିବା ୫୬୧ ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୨୮୩ ଜଣ ଗଂଜାମ ଜିଲ୍ଲାର ହୋଇଥିବା ବେଳେ କଟକ ଜିଲ୍ଲାରୁ ୮୧, ବରଗଡ଼ ଜିଲ୍ଲାରୁ ୨୧, ବଲାଙ୍ଗୀର ଜିଲ୍ଲାରୁ ୧୯, ସମ୍ବଲପୁର ଜିଲ୍ଲାରୁ ୮, କେନ୍ଦୁଝର ଜିଲ୍ଲାରୁ ୬, ଜଗତସିଂହପୁର ଜିଲ୍ଲାରୁ ୬, ଝାରସୁଗୁଡ଼ା ଜିଲ୍ଲାରୁ ୨, କେନ୍ଦ୍ରାପଡା ଜିଲ୍ଲାରୁ ୨, ଭଦ୍ରକ ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ ଜଣେ, ରାୟଗଡ଼ା ଜିଲ୍ଲାରୁ ୭୬, ଖୋର୍ଦ୍ଧା ଜିଲ୍ଲାରୁ ୨୬, ମୟୁରଭଂଜ ଜିଲ୍ଲାରୁ ୧୦, କୋରାପୁଟ ଜିଲ୍ଲାରୁ ୪, ଯାଜପୁର ଜିଲ୍ଲାରୁ ୩, ଢେଙ୍କାନାଳ ଜିଲ୍ଲାରୁ ୩, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଓ କଳାହାଣ୍ଡି ଜିଲ୍ଲାରୁ ୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛନ୍ତି । ଜଣେ ଏନଡ଼ିଆରଏଫ୍ ଯବାନ ମଧ୍ୟ ଏହି ଆକ୍ରାନ୍ତ ତାଲିକାରେ ଅଛନ୍ତି । ଆଜି ଯେଉଁ ଦୁଇଟି ମୃତ୍ୟୁ ଘଟିବଥିବା ସାମନାକୁ ଆସିଛି ସବୁ ଗଂଜାମ ଜିଲ୍ଲାରୁ । ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ବ୍ୟକ୍ତି ଓ ୪୦ ବର୍ଷ ବୟସ୍କ ଯୁବକର ଗତ ୨୪ ଘଂଟାରେ ମୃତ୍ୟୁ ଘଟିଛି । ମୃତ ୬୬ ବର୍ଷର ବ୍ୟକ୍ତି ଜଣକ ଉଚ୍ଚରକ୍ତଚାପ ରୋଗରେ ଆକ୍ରାନ୍ତ ଥିଲେ ଏବଂ ୪୦ ବର୍ଷ ବୟସର ଯୁବକ ଜଣକ ମଧୁମେହରେ ଆକ୍ରାନ୍ତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି ।
ଗୋଟିଏ ଦିନରେ ରାଜ୍ୟରୁ ୫୬୧ ନୂଆ କରୋନା ଆକାନ୍ତ ଚିହ୍ନଟ ହେବା ପରେ ସର୍ବାଧିକ ରୋଗୀ ଥିବା ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୫୦ରେ ପହଂଚିଛି । ସେଥିରୁ ୧୦୯୦ ଜଣ ଆଜି ସୁଦ୍ଧା ଚିକିତ୍ସା ପରେ ସୁସ୍ଥ ହୋଇଥିବାରୁ ଆକ୍ଟିଭ ରୋଗୀ ସଂଖ୍ୟା ୭୪୨ରେ ରହିଛି । କରୋନା ଆକ୍ଟିଭ ରୋଗୀ ସଂଖ୍ୟାରେ ଗଂଜାମ ପଛକୁ ରହିଛି ଗଜପତି ଜିଲ୍ଲା । ଜିଲ୍ଲାର ୪୪୨ ଆକ୍ରାନ୍ତଙ୍କ ମଧ୍ୟରୁ ଆକ୍ଟିଭ କେସ୍ ସଂଖ୍ୟା ରହିଛି ୨୩୦ । ସେହିଭଳି, ଖୋର୍ଦ୍ଧା ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୮୯୪ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୨୨୧ । କଟକ ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୦୨ରେ ପହଂଚି ଥିବା ବେଳେ ସେଥିରୁ ଆକ୍ଟିଭ ରୋଗୀ ଅଛନ୍ତି ୨୦୬ । ଯାଜପୁର ଜିଲ୍ଳାରେ ୫୪୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୭ଜଣ ଚିକିତ୍ସାଧୀନ ଥିବା ବେଳେ ଅନ୍ୟମାନେ ସୁସ୍ଥ ହୋଇଛନ୍ତି । ୫୦ରୁ ଅଧିକ ଆକ୍ଟିଭ କରୋନା କେସ୍ ଥିବା ଜିଲ୍ଲାଗୁଡିକ ହେଉଛି – ରାୟଗଡ଼ା ୯୮ (୧୧୫), ବାଲେଶ୍ୱର ୭୦ (୩୭୭), ବରଗଡ଼ ୭୩ (୧୩୧), ଜଗତସିଂହପୁର ୯୬ ( ୩୦୫), ଝାରସୁଗୁଡ଼ା ୭୨ (୧୨୦), କେଉଁଝର ୫୭ (୧୫୨), ବଲାଂଗୀର ୬୦ (୨୧୩), ମାଲକାନଗିରି ୫୪ (୧୦୬), ମୟୁରଭଂଜ ୭୦ (୨୨୫), ପୁରୀ ୫୮ (୨୭୩) ଓ ସୁନ୍ଦରଗଡ଼ ୫୬ (୨୨୦) ।
ଶୁକ୍ରବାର ସକାଳ ସୁଦ୍ଧା ୫୦ ତଳକୁ କରୋନା ଆକ୍ଟିଭ ରୋଗୀ ଥିବା ଜିଲ୍ଲା ସବୁ ହେଉଛି – କେନ୍ଦ୍ରାପଡ଼ା ୨୭ (୨୫୩), ନୟାଗଡ଼ ୩୪ (୧୬୩), ସମ୍ବଲପୁର ୪୦ (୬୪), ନବରଂଗପୁର ୨୯ (୪୨), କୋରାପୁଟ ୨୭ (୫୨), ଢେଙ୍କାନାଳ ୨୭ (୮୩), ଦେଓଗଡ଼ ୨୧ (୬୨), ଅନୁଗୁଳ ୧୩ (୭୧), ଭଦ୍ରକ ୯ (୨୩୩), ବୌଦ୍ଧ ୫ (୪୫), କଳାହାଣ୍ଡି ୬ (୭୬), କନ୍ଧମାଳ ୩ (୧୭୮), ନୂଆପଡ଼ା ୪ (୮୨), ସୁବର୍ଣ୍ଣପୁର ୨ (୩୭) । ରାଜ୍ୟରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ଘଟିଛି ଗଂଜାମରେ । ଆଜି ସକାଳ ସୁଦ୍ଧା ଜିଲ୍ଲାରେ କରୋନାରେ ୧୭ ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୫ ଜଣ, କଟକ ଜିଲ୍ଲାରେ ୪ ଜଣ, ପୁରୀ, ବରଗଡ଼ ଓ ଅନୁଗୁଳ ଜିଲ୍ଲାରେ ଗୋଟିଏ ଲେଖାଏଁ ମୃତ୍ୟୁ ଘଟିଛି । ରାଜ୍ୟରେ ଅନ୍ୟ କିଛି ଘଟିଥିଲେ ମଧ୍ୟ ସରକାର ତାହା ଅଣ-କୋଭିଡ଼ ଅନ୍ୟାନ୍ୟ ରୋଗ ଜନିତ ମୃତ୍ୟୁ ବୋଲି ଦର୍ଶାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଦୁଇଟି, ବାଲେଶ୍ୱର, କଟକ, ଗଂଜାମ, ମାଲକାନଗିରି, ନବରଂଗପୁର ଓ ପୁରୀରେ ଗୋଟିଏ ଲେଖାଏଁ ଏହି ଧରଣର ମୃତ୍ୟୁ ଘଟିଛି ।
ରାଜଧାନୀରେ ହାଇ-ଆଲର୍ଟ
ରାଜଧାନୀ ଭୁବନେଶ୍ୱରର ମହାନଗର ନିଗମ ଅଂଚଳରେ ସଂଗରୋଧ କେନ୍ଦ୍ର ବାହାର ବସ୍ତି ଅଂଚଳରୁ ରିତିମତ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବିଏମସି ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ଗୁରୁବାର ସୁଦ୍ଧା ଭୁବନେଶ୍ୱର ମହାନଗର ଅଂଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୫ରେ ପହଂଚିଛି । ସେଥିରୁ ୨୦୧ ଜଣ ସୁସ୍ଥ ହୋଇଥିବା ବେଳେ ୫ ଜଣଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱରରୁ ବୁଧବାର ଦିନ ଚିହ୍ନଟ ହୋଇଥିବା ୧୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮ ଜଣ ହୋମ୍ କ୍ୱାରେଂଟାଇନରେ ଥିବା ବେଳେ ୫ ଜଣ ବାହାରୁ ସଂଗରୋଧ କେନ୍ଦ୍ର ବାହାରୁ ଚିହ୍ନଟ ହୋଇଥିଲେ । ଏହି ପାଂଚ ଜଣ ହେଉଛନ୍ତି – ଖଣ୍ଡଗିରି ଶରଧାପଲ୍ଲୀ ବସ୍ତିର ୨୧ ବର୍ଷ ଜଣେ ମହିଳା (ଯାଜପୁର ଟ୍ରାଭେଲ ହିଷ୍ଟ୍ରୀ ରହିଛି), ପୁରୁଣା ଭୁବନେଶ୍ୱର ଭୀମଟାଂଗିର ଜଣେ ୩୨ ବର୍ଷର ପୁରୁଷ (କଟକ ଯାଇ ଥିଲେ), ସାଲିଆ ସାହିର ଜଣେ ୫୫ ବର୍ଷ ବୟସ୍କ ରେଳ କର୍ମଚାରୀ (ଯାଜପୁର ଜିଲ୍ଲାର), ନିଳାଦ୍ରି ବିହାର ଉକ୍ରଳ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡ଼ିକାଲ ସାଇନ୍ସ ନିକଟରେ ରହୁଥିବା ୫୭ ବର୍ଷର ଜଣେ ମହିଳା (ତାଙ୍କ ପରିବାର ନିକଟରେ ଆସାମରୁ ଫେରିଛନ୍ତି) ଏବଂ ଜୟଦେବ ବିହାର ନୀଳଚକ୍ର ନଗରର ଜଣେ ୧୮ ବର୍ଷର ଯୁବତୀ ।
ରାଜଧାନୀ ଭୁବନେଶ୍ୱରରୁ ଏଯାବତ୍ ଚିହ୍ନଟ ହୋଇଥିବା ୩୪୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟି ଥିବାରୁ ଆକ୍ଟିଭ କେସ୍ ସଂଖ୍ୟା ୧୩୯ ରହିଛି । ଗଲା ବୁଧବାର ୮ ରୋଗୀ ସୁସ୍ଥ ହୋଇଥିଲେ । ଗୁରୁବାର ସକାଳ ସୁଦ୍ଧା ରାଜ୍ୟରେ ୨୪ ଘଂଟାରେ ୨୨୯ଟି ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ଏବଂ କରୋନାରେ ୨ ଜଣଙ୍କ ମୃତ୍ୟୁ ଘଟିବା ଦ୍ୱାରା ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୭ରେ ପହଂଚିଥିଲା । ଶୁକ୍ରବାର ସକାଳ ସୁଦ୍ଧା ଗଂଜାମ ଜିଲ୍ଲାର ଦୁଇଟି ମୃତ୍ୟୁ ଘଟି ଥିବାରୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୯କୁ ବଢିଛି ।
ରାଜ୍ୟରେ କରୋନା ସଂକ୍ରମଣ ବଢୁ ଥିବାରୁ ଏବଂ ଅଧିକ ସଂଖ୍ୟାରେ ସରକାରୀ କର୍ମଚାରୀ ଏଥିରେ ଆକ୍ରାନ୍ତ ହେଉ ଥିବାରୁ ସରକାରଙ୍କ ନିଦ ହଜି ଯାଇଛି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ନିଜ ଅଂଚଳର ଆବଶ୍ୟକତା ଦେଖି ସଟ୍ ଡାଉନ୍ ଓ ଅନ୍ୟାନ୍ୟ କଟକଣା ଜାରି କରିବା ସହ ସରକକାରୀ କର୍ମଚାରୀଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ୧୦ ଦିନ ପାଇଁ ସରକାରୀ କାର୍ଯ୍ୟାଳୟମାନଙ୍କରେ ବାହାର ଲୋକଙ୍କ ପ୍ରବେଶ ନିଷିଦ୍ଧ କରିବା ସହ ୧୫ ଦିନ ପର୍ଯ୍ୟନ୍ତ ଗ୍ରାମାଂଚଳରୁ କେହି ସହରାଂଚଳକୁ ନ ଆସିବାକୁ ନିବେଦନ କରିଥିଲେ । ଅତ୍ୟାବଶ୍ୟକ କାର୍ଯ୍ୟ ନ ଥିଲେ ଛୋଟବଡ ଗାଡି ବ୍ୟବହାର ଉପରେ ମଧ୍ୟ ଏବେ କଟକଣା ଲାଗି ଯାଇଛି । ରାଜ୍ୟ ସରକାର ଗଂଜାମ ଜିଲ୍ଲାପାଳଙ୍କ ପଦାଙ୍କ ଅନୁସରଣ କରି ଗତକାଲିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସଚିବାଳୟ ବା ଲୋକ ସେବା ଭବନରେ ବାହାର ଲୋକଙ୍କ ପ୍ରବେଶ ନିଷିଦ୍ଧ କରିଛନ୍ତି । ଲୋକ ସେବା ଭବନ, ଖାରବେଳ ଭବନ, କୃଷି ଭବନ ଓ ରାଜୀବ ଭବନରେ ବାହାର ଲେକଙ୍କ ପ୍ରବେଶକୁ ନିଷିଦ୍ଧ କରି ରାଜ୍ୟ ସରକାରଙ୍କ ଗୃହ ବିଭାଗର ଅତିରିକ୍ତ ସଚିବ ସରୋଜ କୁମାର ମିଶ୍ରଙ୍କ ଦସ୍ତଖତରେ ଏକ ନିର୍ଦେଶନାମା ଜାରି ହୋଇଛି । ଯେଉଁମାନେ ଏହି ସବୁ କାର୍ଯ୍ୟାଳୟରେ ପ୍ରବେଶ ପାଇଁ ପ୍ରବେଶପତ୍ର ପାଇ ଥିଲେ ସେମାନଙ୍କ ଭିଜିଟର ପାସ୍ ସବୁ ବାତିଲ ହୋଇଛି । ଯଦି କେହି ଏହି ସବୁ କାର୍ଯ୍ୟାଳୟକୁ ଯିବା ନିତାନ୍ତ ଆବଶ୍ୟକ ମନେ କରାଗଲେ ସଂପୃକ୍ତ ବିଭାଗର ସଚିବ ଗୃହ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଶାସନ ସଚିବଙ୍କ ଅନୁମତି ନେଇ ପାସ୍ ଇସ୍ୟୁ କରିବେ ।
ରାଜ୍ୟ ସରକାର ଏଭଳି କଟକଣା ମାଧ୍ୟମରେ ସଚିବାଳୟ ବା ଲୋକ ସେବା ଭବନକୁ କରୋନା-ମୁକ୍ତ ରଖିବାକୁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛନ୍ତି । ଜୁଲାଇ ମାସରୁ ସବୁ ସରକାରୀ କାର୍ଯ୍ୟାଳୟ ଓ ସବର୍ଡିିନେଟ୍ ଅଫିସ୍ ରେ ୫୦ ପ୍ରତିଶତ (ଗୃପ୍-୧ କର୍ମଚାରୀ ସମତେ) କର୍ମଚାରୀଙ୍କୁ ନେଇ କାମ ହେଉଛି । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅଫିସକୁ ମଧ୍ୟ କର୍ମକ୍ଷେତ୍ରରେ କୋଭିଡ଼-୧୯ର ସଂକ୍ରମଣରୁ କର୍ମଚାରୀଙ୍କୁ ସୁରକ୍ଷିତ ରଖିବାକୁ ସତର୍କ କରାଯାଇଛି । କୌଣସି ସନ୍ଦିଗ୍ଧ କରୋନା କେସ୍ ସାମନାକୁ ଆସିଲେ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ କୁହାଯାଇଛି । ତେବେ, କରୋନା ରଥର ଡୋର କାହାରି ହାତରେ ନାହିଁ । କେତେବେଳେ ଯେ ଏହି ଅଦୃଶ୍ୟ ମହାମାରୀ କାହା ମାଧ୍ୟମରେ ତୃତୀୟ ମହଲାରେ ପହଂଚି ନ ଯିବ କେହି କହିପାରିବ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୭ ହଜାର
ଜୁଲାଇ ୩ ତାରିଖ ଶୁକ୍ରବାର ପୂର୍ବାହ୍ନ ୧୧ଟା ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୨୭,୧୬୮ ରହିଛି । ସେଥିରୁ ୩, ୭୯, ୯୦୨ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ଅଛି ୨,୨୮,୯୭୫ । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । ଶୁକ୍ରବାର ସକାଳ ସୁଦ୍ଧା ସଂଖ୍ୟା ୧୮,୨୨୫ ରହିଛି । ଦେଶର ସର୍ବାଧିକ ସଂଖ୍ୟକ ଆକ୍ଟିଭ୍ କେସ୍ ରହିଛି ମହାରାଷ୍ଟ୍ରରେ । ରାଜ୍ୟରେ ଆଜି ସୁଦ୍ଧା ୧ଲକ୍ଷ ୮୬ ହଜାର ୬୨୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ସେଥିରୁ ୧,୦୧,୧୭୨ ଜଣ ସୁସ୍ଥ ହୋଇଛନ୍ତି । ଆକ୍ଟିଭ କେସ୍ ସଂଖ୍ୟା ରହିଛି ୭୭,୨୬୦ । ଏହା ପଛକୁ ରହିଛି ଦିଲ୍ଲୀ । ରାଜ୍ୟରେ ଆକ୍ଟିଭ କେସ୍ ରହିଛି ୨୬,୩୦୪ ( ମୋଟ ଆକ୍ରାନ୍ତ ୯୨,୧୭୫) । କର୍ଣ୍ଣାଟକରେ ଶୁକ୍ରବାର ସକାଳ ସୁଦ୍ଧା ୯,୪୦୪ (୧୮,୦୧୬ରୁ) ଆକ୍ଟିଭ କେସ୍ ଥିବା ସମୟରେ ଆନ୍ଧ୍ର ପ୍ରଦେଶରେ ୮, ୫୮୬ (୧,୬୦,୯୭୦ରୁ), ଗୁଜରାଟରେ ୭,୫୧୧( ୩୩,୯୯୯ରୁ), ପଶ୍ଚିମ ବଂଗରେ ୬,୦୮୩ (୧୯,୮୧୯ରୁ) ଆକ୍ଟିଭ କେସ୍ ରହିଛି । ସେହିଭଳି ମହାରାଷ୍ଟ୍ରରେ ୮,୧୭୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦିଲ୍ଲୀରେ ୨,୮୬୪ ଜଣ, କର୍ଣ୍ଣାଟକରେ ୨୭୨ ଜଣ, ଆନ୍ଧ୍ର ପ୍ରଦେଶରେ ୧୯୮ ଜଣ, ଗୁଜରାଟରେ ୧,୮୮୭ ଜଣ ଓ ପଶ୍ଚିମ ବଂଗରେ ୬୯୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ୧.୨୪ ପ୍ରତିଶତ ହେଉଛି ଓଡ଼ିଶାରେ କରୋନାରେ ଆକ୍ରାନ୍ତଙ୍କ ହୋଇଥିବା ରୋଗୀ ସଂଖ୍ୟା । ସେଭଳି, ଭାରତର ସୁସ୍ଥ ହାରର ୧.୪୯ ପ୍ରତିଶତ ହେଉଛି ଓଡ଼ିଶାରେ ସୁସ୍ଥ ହାର । ଆକ୍ଟିଭ ରୋଗୀ ସଂଖ୍ୟାରେ ଓଡ଼ିଶାର ସ୍ଥାନ ଭାରତର ମୋଟ ଆକ୍ଟିଭ ରୋଗୀ ସଂଖ୍ୟାର ୦.୯୪ ପ୍ରତିଶତ । ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ହାର ମଧ୍ୟ ମାତ୍ର ଭାରତରେ ମୃତ୍ୟୁ ହାରର ମାତ୍ର ୦.୧୫ ପ୍ରତିଶତ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟରୁ ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS