ପୋଷ୍ଟ୍ ମର୍ଟମ୍ – ରାଜସ୍ଥାନ
ପ୍ରସାଦ ରାଓ
ଭୁବନେଶ୍ୱର,
ଜୁଲାଇ ୧୪
କଂଗ୍ରେସ ସଂସ୍କୃତି କୌଣସି କର୍ପୋରେଟ୍ ସଂସ୍କୃତି ଠାରୁ କମ୍ ନୁହେଁ । ପାଠକେ ପ୍ରଶ୍ନ କରିପାରନ୍ତି କର୍ପୋରେଟ୍ ସଂସ୍କୃତି କଣ ? ଏହାର ଉତ୍ତର ଅତି ସରଳ । ସ୍ୱାଧୀନତା ପୂର୍ବ କଂଗ୍ରେସ ଓ ସ୍ୱାଧୀନତା ପରବର୍ତୀ କଂଗ୍ରେସ ମଧ୍ୟରେ କୌଣସି ସାମଂଜସ୍ୟ ନାହିଁ କହିଲେ ଚଳେ । ଶତାଧିକ ବର୍ଷର ଏହି ବୃହତ ରାଜନୈତିକ ଦଳରେ ବହୁବାର ନବକଳେବର ହୋଇ ସାରିଛି । ମହାତ୍ମା ଗାନ୍ଧୀଙ୍କ କଂଗ୍ରେସର ବିଲୁପ୍ତି ଘଟି ଏବେ ଏକ ନୂଆ କଂଗ୍ରେସର ଅଭ୍ୟୁଦୟ ଘଟିଛି, ଯାହାକି ଆଉ ଜନାଧାର ନୁହେଁ କର୍ପୋରେଟ୍ ସଂସ୍କୃତିରେ ବିଶ୍ୱାସ କରେ । ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ସହ ମୂଳ କଂଗ୍ରେସର ମୃତ୍ୟୁ ଘଟିଛି । ପରବର୍ତୀ ସମୟରେ, ଇନ୍ଦିରା କଂଗ୍ରେସ, ରାଜୀବ କଂଗ୍ରେସ, ସୋନିଆ କଂଗ୍ରେସ ହୋଇ ଆଜି ଦିନରେ ତାହା ରାହୁଲ କଂଗ୍ରେସରେ ପରିଣତ ହୋଇଛି । ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠଭୂମୀରୁ ଜନ୍ମ ନେଇ ଥିବା ଏହି ଦଳ ପରବର୍ତୀ ସମୟରେ ଭାରତୀୟ ଜାତୀୟ କଂଗ୍ରେସରେ ପରିଣତ ହୋଇଥିଲା । ଆଜିର ଦିନରେ ଦଳ କର୍ପୋରେଟ୍ କଂଗ୍ରେସ ହୋଇଛି ଏବଂ ଦଳର ମୁଖିଆ ଜନସାଧାରଣଙ୍କ ସାଥିରେ ରହିବା ଦୂରେ ଥାଉ, ନିଜ ଦଳର ନେତା ଓ କର୍ମୀଙ୍କୁ ଭେଟିବା ବା ସେମାନଙ୍କ କଥା ଶୁଣିବାକୁ ପସନ୍ଦ କରୁ ନାହାନ୍ତି । କର୍ପୋରେଟ୍ ସଂସ୍କୃତିରେ ରହିଥିବା ପାହାଚ ପାହାଚ ପରିଚାଳନା ଶୈଳୀକୁ କଂଗ୍ରେସ ଦଳ ଆଦରି ନେଇଛି, ଯାହାକି କଂଗ୍ରସର ଶକ୍ତିକୁ ସୀମିତ କରି ଦେଇଛି ।
କେହି କେହି ପ୍ରଶ୍ନ କରିପାରନ୍ତି, କର୍ପୋରେଟ୍ ହାଉସ୍ କିଭଳି ଭାବେ ପରିଚାଳିତ ହୁଏ ? ତାହାର ଉତ୍ତର ମଧ୍ୟ ରାଜସ୍ଥାନର ସାଂପ୍ରତିକ ରାଜନୈତିକ ପରିସ୍ଥିତିକୁ ଦେଖିଲେ ଜଣେ ବୁଝି ପାରିବ । ୨୦୧୮ ଡ଼ିସେମ୍ବରରେ ରାଜସ୍ଥାନ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ବହୁମତ ପାଇ ସରକାର ଗଠନ କରିବା ପରଠାରୁ ବିଭିନ୍ନ ଅନ୍ତଃରୀଣ ବିଷୟକୁ ନେଇ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଓ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ତୀବ୍ର ମତଭେଦ ରହିଛି । ଏହାର ସମାଧାନ ପାଇଁ ଦିଲ୍ଲୀରେ ବସି ଥିବା କଂଗ୍ରେସ ହାଇକମାଣ୍ଡ୍ କେବେ ଉଦ୍ୟମ କରି ନାହାନ୍ତି । ସବୁ ସମୟରେ ଦଳର ଦୁଇ ନମ୍ବର ନେତାମାନଙ୍କୁ ସମାଧାନ ପାଇଁ ବ୍ୟବହାର କରାଯିବା ଦ୍ୱାରା ସମସ୍ୟା ଅଧିକ ଜଟିଳ ହୋଇଛି । ଏହି ମତଭେଦ ଏବେ ଅଧିକ ତୀବ୍ର ହୋଇ ରାଜସ୍ଥାନ ସରକାରଙ୍କୁ ଅଧିକ ବିପଦକୁ ଟାଣି ନେଇଛି । ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଙ୍କ ବିଦ୍ରୋହ ରାଜସ୍ଥାନ ସରକାରଙ୍କୁ ପତନମୁଖୀ କରିଥିଲେ ସୁଦ୍ଧା ହାଇକମାଣ୍ଡ ମଧ୍ୟସ୍ଥିଙ୍କ ମାଧ୍ୟମରେ ସମାଧାନ ଉଦ୍ୟମ ଚାଲୁ ରଖି ଥିବା କର୍ପୋରେଟ୍ ସଂସ୍କୃତିର ଏକ ବଡ଼ ଉଦାହରଣ । ହାଇକମାଣ୍ଡଙ୍କ ଅଧସ୍ଥନମାନେ ସମାଧାନର ସୂତ୍ର ଖୋଜୁଛନ୍ତି । କଂଗ୍ରେସ ହାଇକମାଣ୍ଡ ନିଶ୍ଚିନ୍ତ ହୋଇ ସାମୟିକ ଭାବେ ତାଳିପକା କାର୍ଯ୍ୟ କରୁଛନ୍ତି । ଦଳରେ କୋଣଠେସା ହୋଇ ରହିଥିବା ଶଶି ଥରୁରଙ୍କ ଭଳି ଜ୍ଞାନୀ, ଗୁଣି ନେତାମାନେ କଂଗ୍ରେସର ଜାତୀୟସ୍ତରରେ ଦେଖା ଦେଇଥିବା ନେତୃତ୍ୱ ସଂକଟ ସଂପର୍କରେ ଦଳର ମୁଖିଆଙ୍କୁ ସଚେତନ କରୁଥିଲେ ମଧ୍ୟ ମୁଖିଆଙ୍କ ନିଦ ଭାଂଗୁନି ।
ନିକଟରେ କଂଗ୍ରେସର ବରିଷ୍ଠ ସାଂସଦ ତଥା ସୁପ୍ରିମ କୋର୍ଟ ଆଇନଜୀବୀ (କଂଗ୍ରେସର ଜାତୀୟ ମୁଖପାତ୍ର) କପିଳ ସିବ୍ବଲ ଦଳର ହାଇକମାଣ୍ଡଙ୍କୁ ଯେଉଁ ପରାମର୍ଶ ଦେଇଛନ୍ତି, ତାହା ଏଠାରେ ଉଲ୍ଲେଖନୀୟ । ରାଜସ୍ଥାନର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଉପରେ ସିବ୍ବଲ ଟ୍ୱିଟ୍ କରି ହାଇକମାଣ୍ଡଙ୍କୁ ପ୍ରଶ୍ନ କରିଛନ୍ତି – ‘ଦଳର ସବୁ ଯାକ ଘୋଡା ଘୋଡାଶାଳ ଡ଼େଇଁ ଚାଲି ଯିବା ପରେ କଣ ନେତୃତ୍ୱର ଚୈତନ୍ୟ ଉଦୟ ହେବ (?)’ । ଏଥିରୁ ଦଳରେ ଥିବା ବରିଷ୍ଠ ନେତାମାନେ କେତେଦୂର ଅଣନିଶ୍ୱାସୀ ହେଲେଣି, ତାହା ସ୍ପଷ୍ଟ ହେଉଛି । କେବଳ କପିଲ ସିବ୍ବଲ ନୁହନ୍ତି, ଓଡ଼ିଶାର ତୁଙ୍ଗ ଆଦିବାସୀ ନେତା ପ୍ରଦୀପ ମାଝି ମଧ୍ୟ ସୋମବାର ଦିନ ଏକ ବିତର୍କରେ ଭାଗ ନେଇ ରାଜସ୍ଥାନର ସାଂପ୍ରତିକ ରାଜନୈତିକ ପରିସ୍ଥିତି ପାଇଁ ଉଭୟ ଦଳର ଆନ୍ତଃରୀଣ ସଭାପତି ଶ୍ରୀମତୀ ସୋନିଆ ଗାନ୍ଧୀ ଓ ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ ଦାୟୀ କରିଛନ୍ତି । କଂଗ୍ରେସ ଦଳରେ ଯେଉଁ ତୁଷ୍ଟିକରଣ ରାଜନୀତି ଚାଲିଛି ତାହା ଦଳକୁ ବିପର୍ଯ୍ୟୟମୁଖୀ କରିଛି । ଦେଶରେ କଂଗ୍ରେସକୁ ପୁଣି ଥରେ ଆଗ ଧାଡିକୁ ଆଣିବାକୁ ହେଲେ ହାଇକମାଣ୍ଡଙ୍କୁ ଲେନିନ, ଷ୍ଟାଲିନ୍ ଓ ନବୀନ (ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ) ଭଳି କଠୋର ନିଷ୍ପତ୍ତି ନେବାକୁ ପଡିବ ବୋଲି ମାଝି ଦେଇଥିବା ମନ୍ତବ୍ୟ ଆଜିର ଦିନରେ ବେଶ୍ ମହତ୍ୱ ରଖୁଛି । ଏହା ମଧ୍ୟ ଦଳର ସର୍ବୋଚ୍ଚ ସ୍ତରରେ ରହିଥିବା ସ୍ଥାଣୁତ୍ୱ ଓ ନିଜ ଲୋକଙ୍କୁ ସନ୍ତୁଷ୍ଟ କରିବା ନୀତିକୁ ଉଜାଗର କରୁଛି ।
କଂଗ୍ରେସ ଦଳ ୨୦୧୮ ମେ’ ମାସରେ ଜେଡ଼ିୟୁ ସହ ମେଂଟ କରି ରାଜ୍ୟରେ ସରକାର ଗଠନ କରିଥିଲେ ମଧ୍ୟ ଖୁବ କମ ଦିନରେ କ୍ଷମତା ହରାଇବା ପଛରେ କଂଗ୍ରେସ ହାଇକମାଣ୍ଡ୍ ଙ୍କ ଉଦାସୀନତାକୁ ଅନେକ ଦାୟି କରନ୍ତି । ନିର୍ବାଚନରେ କଂଗ୍ରେସ ଦଳ ବହୁମତ ପାଇ ନ ଥିବାରୁ ଜେଡ଼ିୟୁ (ଜନତା ଦଳ ୟୁନାଇଟେଡ୍) ସହ ମେଂଟରେ ରାଜ୍ୟରେ ସରକାର ଗଢିଥିଲା । ବିଜେପିକୁ କ୍ଷମତା ଠାରୁ ଦୂରେଇ ରଖିବା ଦୁଇ ଦଳର ଆଭିମୁଖ୍ୟ ଥିଲା । ଜେଡ଼ିୟୁ କଂଗ୍ରେସଠାରୁ କମ୍ ଆସନ ପାଇ ଥିଲେ ସୁଦ୍ଧା ଦୁଇ ଦଳ ମଧ୍ୟରେ ହୋଇଥିବା ବୁଝାମଣା ଭିତ୍ତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି.ଦେବେ ଗୌଡ଼ା (ଜେଡ଼ିୟୁ ମୁଖ୍ୟ)ଙ୍କ ପୁତ୍ର ଏଚ.ଡି.କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ହେଲେ । ତେବେ, କର୍ଣ୍ଣାଟକ କଂଗ୍ରେସ ନେତାଙ୍କ (ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟାଙ୍କ ସମେତ) କ୍ଷମତା ଲାଳସା ଏତେ ପ୍ରବଳ ଥିଲା ଯେ ସରକାର ଗଠନ ଦିନ ଠାରୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ସରକାରର ଅବଗଣନା ଆରମ୍ଭ ହୋଇଯାଇଥିଲା ।
ବିଜେପି ରାଜ୍ୟ ମୁଖ୍ୟ ବି.ଏସ.ୟେଦୁରାପ୍ପା ଏଭଳି ସୁଯୋଗକୁ ହାତଛଡା ନ କରି କ୍ଷମତାରେ ଥିବା ଜେଡ଼ିୟୁ ଓ କଂଗ୍ରେସରେ ଅସ୍ଥିରତା ସୃଷ୍ଟି କଲେ । ଉଭୟ କଂଗ୍ରେସ ଓ ଜେଡିୟୁର ୧୨ରୁ ଅଧିକ ବିଧାୟକ ବିଭିନ୍ନ ଭାବେ ପ୍ରଲୋଭିତ ହୋଇ ନିଜ ନିଜ ପଦରୁ ଇସ୍ତଫା ଦେବା ସହ ବିଜେପିକୁ କ୍ଷମତାକୁ ଫେରିବାରେ ସହଯୋଗ କଲେ । ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ପୁନଃ କ୍ଷମତା ଦଖଲ କରିବା ପରେ ସଂପୃକ୍ତ ବିଧାୟକମାନଙ୍କୁ ଉପ ନିର୍ବାଚନରେ ଜିତାଇ ଆଣି ଗୁରୁତ୍ୱପୂର୍ଣ୍ଣ ପଦରେ ଅବସ୍ଥାପିତ କଲେ । ପରେ, ୟେଦୁରାପ୍ପା ନିଜେ ସ୍ୱୀକାର କରିଛନ୍ତି ଯେ, ଏହି ଖେଳ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଥିଲା । ସେ କେବଳ ସୂତ୍ରଧର ସାଜି ଥିଲେ । ତେବେ, କର୍ଣ୍ଣାଟକରେ ଏଭଳି ଏକ ଅସାଧୁ ଉଦ୍ୟମ ଚାଲିଥିବା ବେଳେ କଂଗ୍ରେସ ହାଇକମାଣ୍ଡ୍ ନିଜ ଦଳର ବିଧାୟକମାନଙ୍କୁ ଶୃଙ୍ଖଳିତ କାରିବାରେ ସକ୍ଷମ ହେଲେ ନାହିଁ କେମିତି ?
ଏବେ ବିଜେପି ତାହାର କର୍ଣ୍ଣାଟକ ଫର୍ମୂଲା ଅନ୍ୟ ଅଣ-ବିଜେପି ଶାସିତ ରାଜ୍ୟରେ ପ୍ରୟୋଗ କରିବା ଆରମ୍ଭ କରିଛି । ଗତ ମାର୍ଚ୍ଚ ମାସରେ ମଧ୍ୟ ପ୍ରଦେଶ (ଏମପି)ର କମଳ ନାଥ ସରକାର ଏହି ଫର୍ମୁଲାରେ କ୍ଷମତାଚ୍ୟୁତ ହୋଇଛି । କର୍ଣ୍ଣାଟକ ବିଧାନସଭା ଭଳି ମଧ୍ୟ ପ୍ରଦେଶରେ ମଧ୍ୟ ୨୦୧୮ ଡ଼ିସେମ୍ବରରେ ବିଧାନସଭା ନିର୍ବାଚନ ହୋଇଥିଲା । କଂଗ୍ରେସ ଦଳ ବହୁମତ ନ ହେଲେ ବି ମେଜିକ ନମ୍ବର ପାଖାପାଖି ସଂଖ୍ୟା ପାଇ ସରକାର ଗଠନର ଦାବିଦାର ହୋଇଥିଲା । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ରାଜ୍ୟରେ ୧୫ ବର୍ଷ କ୍ଷମତାରେ ଥିବା ବିଜେପି ପାଇଁ ଏହା ଅସହ୍ୟ ଥିଲା । ମଧ୍ୟ ପ୍ରଦେଶରେ କଂଗ୍ରେସକୁ କ୍ଷମତାକୁ ଆସିବା ଭଳି ସ୍ଥିତିରେ ପହଂଚାଇବାରେ କଂଗ୍ରେସ ଯୁବ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଶ୍ରେୟ ମିଳିବା କଥା । କିନ୍ତୁ, ସରକାର ଗଠନ ବେଳେ ଦଳ ଜ୍ୟୋତିରାଦିତ୍ୟଙ୍କୁ ବିଜୟର ପ୍ରାପ୍ୟ ନ ଦେଇ ବରିଷ୍ଠ ନେତା କମଲ ନାଥଙ୍କୁ ମୁଖମନ୍ତ୍ରୀ ପଦରେ ବସାଇ ଥିଲା । ଏହା ଥିଲା କଂଗ୍ରସରେ ଥିବା ପୁରୁଣା ପିଢି ଓ ନୂଆ ପିଢି ମଧ୍ୟରେ ପ୍ରତ୍ୟକ୍ଷ ଯୁଦ୍ଧର ଅୟମାରମ୍ଭ । ଜ୍ୟୋତିରାଦିତ୍ୟଙ୍କ ଅସନ୍ତୋଷ ସତ୍ୱେ କଂଗ୍ରେସ ହାଇକମାଣ୍ଡ୍ କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ କରି ଆାନ୍ତିର ବୀଜ ବୁଣି ଥିଲେ । କୁହାଯାଉଛି, ଜ୍ୟୋତିରାଦିତ୍ୟ ନିଜେ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁ ନ ଥିଲେ ମଧ୍ୟ ନିଜ ଯୁବ ସମର୍ଥକମାନଙ୍କୁ ମନ୍ତ୍ରୀ ପରିଷଦରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଥଇଥାନ କରିବାକୁ ଚାହୁଁ ଥିଲେ । କିନ୍ତୁ, ମୁଖ୍ୟମନ୍ତ୍ରୀ କମଲ ନାଥ ତାହାକୁ ଗୁରୁତ୍ୱ ନ ଦେଇ ନିଜ ଅନୁଗତଙ୍କୁ ସନ୍ତୁଷ୍ଟ କରିବାରେ ଲାଗି ଥିଲେ । ବିଭିନ୍ନ ଇସ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ କମଲ ନାଥ ଓ ଯୁବ ନେତା ଜ୍ୟୋତିରାଦିତ୍ୟଙ୍କ ମଧ୍ୟରେ ଅଶାନ୍ତି ବଢୁ ଥିବା ବେଳେ ହାଇକମାଣ୍ଡ୍ ନିରବ ରହିଲେ । ବିଜେପି ଚାହୁଁ ଥିଲା କମଳନାଥ ସରକାରରେ ଅଶାନ୍ତି ବଢୁ । ତାହା ହିଁ ହେଲା ।
ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ ପରିବାରର ହୋଇଥିବାରୁ ଏବଂ ତାଙ୍କ ପଛରେ ଦଳୀୟ ବିଧାୟକଙ୍କ ସମର୍ଥନ ଥିବାରୁ ବିଜେପି ତାଙ୍କୁ ଗ୍ରହଣ କରି ନେଲା । ଗତ ମାର୍ଚ୍ଚ ମାସରେ ସିନ୍ଧିଆ ମଧ୍ୟ ପ୍ରଦେଶ କଂଗ୍ରେସରେ ବିଭାଜନ କରି ୨୨ ବିଧାୟକଙ୍କ ସହ ବିଜେପିକୁ ଚାଲି ଗଲେ । ମୁଖ୍ୟମନ୍ତ୍ରୀ କମଳ ନାଥ ସଂଖ୍ୟାଗରିଷ୍ଠତା ହରାଇ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ନ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପଦରୁ ଦେଲେ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୁନର୍ବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପିରେ ଯୋଗ ଦେବା ପରେ ବିଜେପି ତାଙ୍କୁ ରାଜ୍ୟସଭାକୁ ପଠାଇଛି । ରାଜସ୍ଥାନରେ ମଧ୍ୟ ବିଜେପି ଏକା ପ୍ରକାର ଖେଳ ଖେଳିଛି । ତେବେ, ଜ୍ୟୋତିରାଦିତ୍ୟଙ୍କ ଭଳି ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ସ୍ୱଚ୍ଛଳ ନ ଥିବାରୁ ବିଦ୍ରାହୀ କଂଗ୍ରେସ ବିଧାୟକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇ ନ ଥିବା ଆଜି ସକାଳ ସୁଦ୍ଧା ଥିବା ରାଜନୈତିକ ସ୍ଥିତିରୁ ସ୍ପଷ୍ଟ ହେଉଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ଏକା ସମୟରେ ହୋଇଥିଲା । ଜ୍ୟୋତିରାଦିତ୍ୟ ମଧ୍ୟ ପ୍ରଦେଶ ଓ ସଚିନ ପାଇଲଟ୍ ରାଜସ୍ଥାନରେ କଂଗ୍ରେସର ନିର୍ବାଚନ ପ୍ରଚାର ଅଭିଯାନ ଦାୟିତ୍ୱରେ ଥିଲେ । ଉଭୟ ଯୁବ ନେତାଙ୍କ ରାଜନୈତିକ ଭିତ୍ତିଭୂମି ଏବଂ ନିଷ୍କଳଂକ ଛବି ଭୋଟରଙ୍କୁ ଆକୃଷ୍ଟ କରିଥିଲା । କିନ୍ତୁ, ସରକାର ଗଠନ ସମୟରେ କଂଗ୍ରେସ ହାଇକମାଣ୍ଡ୍ (ସମ୍ଭବତଃ ସୋନିଆ ଗାନ୍ଧୀ) ଦଳର ପୁରୁଣା ଖେଳୁଆଡଙ୍କୁ ସନ୍ତୁଷ୍ଟ କରିବା ସକାଶେ ମଧ୍ୟ ପ୍ରଦେଶରେ କମଳ ନାଥଙ୍କ ଭଳି ରାଜସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଙ୍କୁ ମୁଖ୍ୟମନ୍ତ୍ରୀଭାବେ ଥଇଥାନ କଲେ । ସଚିନ ପାିଲଟ୍ ତାହାର ଦୃଢ ବିରୋଧ କଲେ ମଧ୍ୟ ତାଙ୍କ କଥାକୁ ଦଳ ଗୁରୁତ୍ୱ ଦେଲା ନାହିଁ । ମୁଖ୍ୟମନ୍ତ୍ରୀ ଗେହେଲଟ୍ ମଧ୍ୟ ସଚିନଙ୍କୁ ଅଣଦେଖା କରି ରାଜ୍ୟ ଶାସନ କରିବାରୁ ଅସନ୍ତୋଷ ତୀବ୍ର ହେଲା । ଗେହେଲଟ୍ ସରକାରଙ୍କୁ କ୍ଷମତାଚ୍ୟୁତ କରି ରାଜ୍ୟରେ ପୁନର୍ବାର ବିଜେପି ସରକାର ପ୍ରତିଷ୍ଠା ପାଇଁ ବିଜେପି କର୍ଣ୍ଣାଟକ ଓ ମଧ୍ୟ ପ୍ରଦେଶ ଫର୍ମୂଲା ସେଠାରେ କାର୍ଯ୍ୟକାରୀ କରିବାକୁ ଆତୁର । ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ଏବଂ ପ୍ରଦେଶ କଂଗ୍ରେସ କମିଟି ସଭାପତି ଥାଇ ସଚିନ ପାଇଲଟ୍ ଦଳୀୟ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବିଦ୍ରୋହ କରିବା ଏବଂ ହାତଗଣତି ବିଧାୟକଙ୍କୁ ଧରି ବିଜେପି ମୁହାଁ ହେବା କଂଗ୍ରେସ ନେତୃତ୍ୱ କେତେଦୂର ଦୁର୍ବଳ ହେଲାଣି, ତାହା ପଦାରେ ପକାଇଛି ।
ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଙ୍କ ବିରୋଧରେ ଉପ ମୁଖ୍ୟମନ୍ତ୍ରୀ ପାଇଲଟ୍ ଙ୍କ ବଡ଼ ଅଭିଯୋଗ ହେଉଛି, ମୁଖ୍ୟମନ୍ତ୍ରୀ ହେବା ପରେ ଗେହେଲଟ୍ ତାଙ୍କୁ ଓ ତାଙ୍କ ସମର୍ଥକ ବିଧାୟକଙ୍କୁ ଅଣ ଦେଖା କରି ନିଜ ଇଚ୍ଛାରେ ଶାସନ କରୁଛନ୍ତି । ଅପରପକ୍ଷରେ, ସଚିନଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ଗେହେଲଟ୍ ଙ୍କ ଅଭିଯୋଗ ଅଧିକ ସଂଗୀନ । ନିକଟରେ ସରିଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେପି ରାଜସ୍ଥାନରେ କଂଗ୍ରେସ ବିଧାୟକ ଦଳରେ ବିଭାଜନ ସୃଷ୍ଟି କରି ଘୋଡା ବେପାର ଉଦ୍ୟମ କରିଥିଲା ଏବଂ ସେଥିିରେ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଭୂମିକା ରହିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ସରକାର ଭାଂଗିବା ପାଇଁ ହୋଇଥିବା କଥିତ ଷଡଯନ୍ତ୍ରର ତଦନ୍ତ ଦାୟିତ୍ୱ ରାଜସ୍ଥାନ ପୁଲିସକୁ ଦେଇଛନ୍ତି । ରାଜସ୍ଥାନ ପୁଲିସ୍ ଏକ ସ୍ପେଶାଲ ଅପରେସନ୍ ଗୃପ୍ (ଏସଓଜି) ମାଧ୍ୟମରେ ଏହି ମାମଲାର ତଦନ୍ତ କରି ଦୁଇ ଜଣ ବିଜେପି ବିଧାୟକ ଭରତ ମାଲାନି ଓ ଅଶୋକ ସିଂହଙ୍କୁ ନିକଟରେ ଗିରଫ କରିଛନ୍ତି । ତଦନ୍ତକାରୀ ପୁଲିସ ଅଧିକାରୀମାନେ ଗତ ଜୁଲାଇ ୧୦ ତାରିଖ ଦିନ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ଓ ତାଙ୍କ ସହଯୋଗୀ ବିଧାୟକଙ୍କୁ ସମନ ଜାରି କରି ତଦନ୍ତ ପାଇଁ ଏସଓଜି ସମ୍ମୁଖରେ ହାଜର ହେବାକୁ ନିରଦେଶ ଦେବାରୁ ଶନିବାରରୁ ଝଡ ଆରମ୍ଭ ହୋଇଛି ।
ପୁଲିସ ଜାରି କରିଥିବା ସମନକୁ ନେଇ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ ପ୍ରଶ୍ନ ଉଠାଇବାରୁ ‘କେହି ଆଇନ୍ ର ଉଦ୍ଧ୍ୱର୍ରେ ନୁହନ୍ତି’ ବୋଲି ଏସଓଜି ଉତ୍ତର ଦେଇଥିବା କୁହାଯାଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଗେହେଲଟ୍ ନିଜେ ଗୃହ ମନ୍ତ୍ରୀ ଥିବାରୁ ତାଙ୍କରି ଇଂଗିତରେ ଏଭଳି ହେଉଛି ବୋଲି ଉପ ମୁଖ୍ୟମନ୍ତ୍ରୀ ପାଇଲଟ୍ ଅଭିଯୋଗ କରିଛନ୍ତି । ତାଙ୍କୁ ଅପମାନିତା କରିବା ସକାଶେ ମୁଖ୍ୟମନ୍ତ୍ରୀ ଏହା କରାଇ ଥିବା ଅଭିଯୋଗ କରି ପାଇଲଟ୍ କଂଗ୍ରେସ ହାଇକମାଣ୍ଡ୍ ଙ୍କ ନିକଟରେ ଫେରାଦ ହେବାକୁ ସମର୍ଥକ ବିଧାୟକଙ୍କ ସହ ଦିଲ୍ଲୀରେ ବସିଛନ୍ତି । ଅପରପକ୍ଷରେ, କଂଗ୍ରେସ ହାଇକମାଣ୍ଡ୍ (ସୋନିଆ ଓ ରାହୁଲ ଗାନ୍ଧୀ) ଶନିବାର ଠାରୁ ଦିଲ୍ଲୀରେ ବସି ଥିବା ସଚିନ ଓ ତାଙ୍କ ସମର୍ଥକ ବିଧାୟକମାନଙ୍କୁ ଧରାଛୁଆଁ ଦେଉ ନାହାନ୍ତି । ରବିବାର ଦିନ ସଚିନ ଦଳର ବରିଷ୍ଠ ନେତା ଅହମ୍ମଦ ପଟେଲଙ୍କ ସମେତ କିଛି ବରିଷ୍ଠ ନେତାଙ୍କ ଭେଟି ଆଲୋଚନା କରିଥିବା ବେଳେ କଂଗ୍ରେସ ହାଇକମାଣ୍ଡ ଦ୍ୱିତୀୟ ଧାଡିର କିଛି ନେତାଙ୍କୁ ଜୟପୁର ପଠାଇ ସେଠରେ ମୁଖ୍ୟମନ୍ତ୍ରୀ ଗେହେଲଟ୍ ଙ୍କ ସରକାରଙ୍କୁ ବଂଚାଇବାକୁ ଲାଗି ପଡି ଥିବା ଏବଂ ସଚିନଙ୍କୁ ରାଜସ୍ଥାନ ଫେରି ଯିବାକୁ ବାଧ୍ୟ କରାଯାଉଥିବା ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ଗେହେଲଟ୍ ରବିବାର ଓ ସୋମବାର ବିଧାୟକ ଦଳର (ସିଏଲପି) ବୈଠକ କରି ୨୦୦ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ତାଙ୍କ ପଛରେ ୧୦୯ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇଛନ୍ତି ।
ବାସ୍ତବରେ, ରାଜ୍ୟ ବିଧାନସଭାରେ କଂଗ୍ରେସର ସଦସ୍ୟ ସଂଖ୍ୟା ୧୦୭ ଥିବା ବେଳେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ରାଜ୍ୟର ୧୨ ଜଣ ସ୍ୱାଧୀନ ବିଧାୟକ, ୨ ଜଣ ଆଦିବାସୀ ବିଧାୟକ, ଜଣେ ଆରଜେଡ଼ି ବିଧାୟକଙ୍କ ସମର୍ଥନ ପାଉଛନ୍ତି । ସିପିଆଇ (ଏମ)ର ଦୁଇ ବିଧାୟକ ମଧ୍ୟ ଗେହେଲଟ୍ ସରକାରଙ୍କୁ ବାହାରୁ ସମର୍ଥନ ଦେଉଛନ୍ତି । ଅପରପକ୍ଷରେ, ବିଧାନସଭାରେ ବିଜେପିର ସଂଖ୍ୟା ରହିଛି ୭୨ । ଗତ ବର୍ଷ ବିଏସପିର ଛଅ ଜଣ ବିଧାୟକ ଦଳ ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ସରକାରଙ୍କୁ ସମର୍ଥନ ଦେଉ ଥିବା ୧୨ ଜଣ ସ୍ୱାଧୀନ ବିଧାୟକଙ୍କ ମଧ୍ୟରୁ ୩ ଜଣ ଗତ ୧୨ ତାରିଖ ଦିନ ସମର୍ଥନ ପ୍ରତ୍ୟାହାର କରି ବିଜେପିକୁ ମୁହାଁଇ ଥିବା ଜଣାପଡିଛି । ବିଧାନସଭାରେ ବିଜେପି ସହ ଆରଏଲପିର ୩ ବିଧାୟକ ଥିବାରୁ ଓ ୩ ସ୍ୱାଧୀନ ବିଧାୟକ ୧୨ ତାରିଖ ସେମାନଙ୍କ ଆନୁଗତ୍ୟ ବଦଳାଇ ଥିବାରୁ ଏବେ ବିଧାନସଭାରେ ବିଜେପିର ସଂଖ୍ୟା ୭୮ ରହିଛି । ପୂର୍ବ ହିସାବରେ ବିଜେପି ବିଧାୟକ ସଂଖ୍ୟା କଂଗ୍ରେସ କଂଗ୍ରେସ ଓ ତାଙ୍କ ସହଯୋଗୀଙ୍କ ମିଳିତ ସଂଖ୍ୟା ଠାରୁ ୪୮ କମ୍ ଥିଲା । ତେଣୁ, ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଙ୍କ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ସକାଶେ ବିଜେପି ସଚିନ ପାଇଲଟ୍ ଙ୍କ ଭଳି ଗୋଟିଏ ବଡ ମୁଣ୍ଡକୁ ହାତେଇବାର ଯୋଜନା କରିଥିଲା । ସଚିନଙ୍କୁ ଏସଓଜିର ସମନ ବିଜେପିକୁ ଆଲ୍ହାଦିତ କରିଛି । ସଚିନ ତାଙ୍କ ପଛରେ ୩୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରୁଥିବା ଏହି ସଂଖ୍ୟା ୨୦ରୁ କମ୍ ରହିଛି ବୋଲି ଗେହେଲଟ୍ ଙ୍କ ସମର୍ଥକ କହୁଛନ୍ତି । ବିଜେପି ମଧ୍ୟ ତୁରନ୍ତ ନିଜର ପତ୍ତା ନ ଖୋଲି ସଚିନଙ୍କ ସ୍ଥିତିକୁ ଆକଳନ କରୁଛି । ଏଭଳି ସ୍ଥିତିରେ କଂଗ୍ରେସ ହାଇକମାଣ୍ଡ୍ ଉଭୟ ବରିଷ୍ଠ ଓ କନିଷ୍ଠ ନେତାଙ୍କୁ ଏକାଠି ରଖି ଦଳରେ ସୌହାର୍ଦ୍ଧ୍ୟ ଭାବ ରକ୍ଷା କରିବା କଥା । କିନ୍ତୁ, ବର୍ତମାନ ଯାହା ଦେଖାଯାଉଛି ପାଇଲଟ୍ ବିଦ୍ରୋହ କରି କଂଗ୍ରେସରେ ଅଛୁଆଁ ହୋଇଥିବା ବେଳେ ବିଜେପି ତାହାର ଆଶା ଅନୁସାରେ ସଂଖ୍ୟା ନ ପାଇଲେ ସଚିନଙ୍କୁ ପାଖରେ ପୁରାଇବା ନେଇ ସନ୍ଦେହ ପ୍ରକାଶ ପାଉଛି ।
ଏଠାରେ ଆଉ ଗୋଟିଏ କଥା କୁହାଯାଇପାରେ । ରାହୁଲ ଗାନ୍ଧୀ ଏଆଇସିସି ସଭାପତି ଥାଇ କଂଗ୍ରେସ ୨୦୧୯ ସାଧାରଣ ନିର୍ବାଚନ ଲଢି ଥିଲା ଏବଂ ୨୦୧୪ ପରେ ଦ୍ୱତୀୟ ବିପର୍ଯ୍ୟୟର ସାମନା କରିଥିଲା । ସେତେବେଳ ଦଳର ସଭାପତି ଥିବା ରାହୁଲ ଗାନ୍ଧୀ ଏହି ନିର୍ବାଚନୀ ବିପର୍ଯ୍ୟୟ ପାଇଁ କମଳ ନାଥ, ଅଶୋକ ଗେହେଲଟ୍ (ସେମାନଙ୍କ ନାମ ନେଇ)ଙ୍କ ଭଳି ବରିଷ୍ଠ ନେତାଙ୍କୁ ଦାୟି କରିଥିଲେ । ସେମାନେ ନିଜ ସ୍ୱାର୍ଥକୁ ପ୍ରାଧାନ୍ୟ ଦେଇ ଦଳର ସ୍ୱାର୍ତକୁ ବଳି ପକାଇ ଥିଲେ ବୋଲି ରାହୁଲ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ କମିଟି ସିଡ଼ବ୍ଲୁସି ବୈଠକରେ ଅଭିଯୋଗ କରିଥିଲେ । ଏହି କାରଣରୁ ସେ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଉଥିବା ଘୋଷଣା କରିବା ସହ ନିର୍ବାଚନୀ ବିପର୍ଯ୍ୟୟ ପାଇଁ ଦାୟି ନେତାଙ୍କ ବିରୋଧରେ ସିଡ଼ବ୍ଲୁସି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଦାବି ରଖି ଥିଲେ । ଆଜି ସୁଦ୍ଧା ସଂପୃକ୍ତ ନେତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ । ଅପରପକ୍ଷରେ, ରାହୁଲଙ୍କ ଘନିଷ୍ଟ ଭାବେ ପରିଚିତ କଂଗ୍ରେସ ଯୁବ ପିଢିର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟ୍ ଙ୍କୁ ଦଳ ବାହାରକୁ ବାଟ ଦେଖାଇ ଦିଆଗଲା । ଜ୍ୟୋତିରାଦିତ୍ୟ ସିନ୍ଧଆ କମଳ ନାଥଙ୍କ ଏବଂ ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ଙ୍କ ଆକ୍ରୋଶର ଶିକାର ହେଲେ । ରାହୁଲ ନିଜର ଏହି ଦୁଇ ସହଯୋଗୀଙ୍କୁ ସୁରକ୍ଷା ଦେଲେ ନାହିଁ । ଏଭଳି ପରିସ୍ଥିତିରେ ଦେଶରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ଆମେ କାହାକୁ ଦାୟି କରିବା ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସହଯୋଗୀ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସେମାନଙ୍କ ବିସ୍ତାରବାଦୀ ରାଜନୀତି ପାଇଁ ଜଣାଶୁଣା । ଗୋଟିଏ ପରେ ଗୋଟିଏ କଂଗ୍ରେସ ଦୁର୍ଗ ପତନ ପଛରେ ଯେ ସେମାନଙ୍କ ଚତୁର ରାଜନୀତି ରହିଛି, ତାହା ସନ୍ଦେହ କରିବା ଯଥାର୍ଥ । ତେବେ, ଜାତୀୟ କଂଗ୍ରେସ ନେତୃତ୍ୱ ବିରୋଧୀଙ୍କ ମୁକାବିଲା ନ କରି ଖୋଳପା ଭିତରେ ଲୁଚି ରହିବା ଏବଂ ଦଳ ଭିତରେ ସାଡ଼େ-ବକ୍ସିଂର ମଜା ନେବା ଦ୍ୱାରା କଂଗ୍ରେସର ଅବସ୍ଥା ବଦଳିବ ବୋଲି ଆଶା କରିବା ବୃଥା ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS