ପ୍ରବାସୀ ଶ୍ରମିକଙ୍କ ଫେରିବା ଆରମ୍ଭ ହେଲାଣି, ରାଜ୍ୟ ସରକାର ଟିକେ ଆଖି ଖୋଲନ୍ତୁ
ପ୍ରସାଦ ରାଓ
ମୋଅନୁଭବ.କମ୍
ଭୁବନେଶ୍ୱର, ଜୁଲାଇ ୨୦
ସମଗ୍ର ଦେଶରେ କରୋନାର ଆତଙ୍କ ଛାଇ ରହି ଥିବା ବେଳେ ସର୍ବସ୍ୱ ହରାଇ ଦୁଃଖ କଷ୍ଟରେ ନିଜ ରାଜ୍ୟ ଓ ଘରକୁ ଫେରି ଥିବା ପ୍ରବାସୀ ଶ୍ରମିକମାନେ ମାତ୍ର ଦୁଇ ମାସ ପରେ ପୁନର୍ବାର ପ୍ରବାସକୁ ଫେରିବା ସକାଶେ ଗୋଡ କାଢିବା ତର୍ଜମାର ବିଷୟ ହୋଇଛିି । ରାଜ୍ୟ ସରକାର କରୋନା ମହାମାରୀ ବ୍ୟାପକ ହେବା ଆଶଙ୍କା ସତ୍ୱେ ଏହି ପ୍ରବାସୀ ଶ୍ରମିକଙ୍କୁ ବସ୍ ଓ ଟ୍ରେନ୍ ଯୋଗାଡ କରି ରାଜ୍ୟକୁ ଫେରିବା ବ୍ୟବସ୍ଥା କରିଥିଲେ । ସେମାନଙ୍କ ଫେରିବାରେ ଯାହା ଖର୍ଚ୍ଚ ହୋଇଥିଲା ସେଥିରୁ ୮୫ ପ୍ରତିଶତ କେନ୍ଦ୍ର ସରକାର ଓ ୧୫ ପ୍ରତିଶତ ରାଜ୍ୟ ସରକାର ବହନ କରିଥିବା ଉଭୟେ ଦାବି କରିଥିଲେ । ଫେରିବା ପରେ ସେମାନଙ୍କ ଖାଦ୍ୟପେୟ, କରୋନା ନମୁନା ପରୀକ୍ଷା, ସଂଗରୋଧ ଓ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚ ସଂପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିଛନ୍ତି । ପ୍ରବାସୀ ଶ୍ରମିକଙ୍କ ଥଇଥାନ ପାଇଁ ସରକାର ବଡ଼ ବଡ଼ ଘୋଷଣା କରିବା ସହ ସେମାନଙ୍କ ପରିବାରକୁ ପ୍ରଥମେ ତିନି ମାସ ଓ ପରେ ଆଉ ତିନି ଏହି ପରି ଛଅ ମାସ ପାଇଁ ମାଗଣାରେ ରେସନ୍ (ପରିବାରର ଜଣ ପିଛା ୫ କିଲୋ ଚାଉଳ ବା ଗହମ ଏବଂ ଏକ କିଲୋ ଡ଼ାଲି ବା ବୁଟ) ଯୋଗାଇ ଦେଉଛନ୍ତି । ରାଜ୍ୟର ଶ୍ରମ ଶକ୍ତିକୁ ରାଜ୍ୟ ଭିତରେ ସୁରକ୍ଷିତ ରଖିବା ଏବଂ ରାଜ୍ୟର ଅର୍ଥନୈତିକ ବିକାଶରେ ଲଗାଇବା ଆବଶ୍ୟକ ହୋଇଥିବା ବେଳେ ରାଜ୍ୟକୁ ଅସମୟରେ ଫେରି ଆସିଥିବା ଏହି ଶ୍ରମଶକ୍ତି ପୁନର୍ବାର ପ୍ରବାସ ମୁହାଁ ହେବା ଚିନ୍ତାର ବିଷୟ ନୁହେଁ କି ? ରାଜ୍ୟ ସରକାରଙ୍କ ପ୍ରତି ଆସ୍ଥା ଓ ବିଶ୍ୱାସର ଅଭାବ ଯୋଗୁ ଏହି ପ୍ରବାସରୁ ଫେରିଥିବା ଶ୍ରମିକ ପୁନର୍ବାର ପ୍ରବାସ ମୁହାଁ ହୋଇଥିବା କହିବା ଭୁଲ ହେବ କି ??
ଏଠି ଗୋଟିଏ କଥା ସ୍ପଷ୍ଟ ଯେ, କେନ୍ଦ୍ର ସରକାର ଗତ ଜୁନ୍ ଓ ଚଳିତ ଜୁଲାଇ ମାସରେ ଦୁଇ ପର୍ଯ୍ୟାୟରେ ‘ଅନ୍ ଲକିଂ’ ଆରମ୍ଭ କରି ଅର୍ଥନୀତି ଓ ଅନ୍ୟାନ୍ୟ କାର୍ଯ୍ୟକଳାପକୁ କଟକଣାମୁକ୍ତ କରିଛନ୍ତି । ଓଡ଼ିଶା ଛଡା ଦେଶର ବହୁ ରାଜ୍ୟ ଏହାର ସୁଯୋଗ ନେଇ ନିଜ ନିଜ ରାଜ୍ୟରେ ବାଣିଜ୍ୟ, ବ୍ୟବସାୟକୁ ସ୍ୱାଭାବିକ କରିବା ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି । ଶିଳ୍ପ ଓ ବାଣିଜ୍ୟ ସଂସ୍ଥାଗୁଡିକ ଖୋଲିଛି । ଆମଦାନୀ ଓ ରପ୍ତାନୀ ପାଇଁ ବାଟ ଖୋଲିଥିବା ବେଳେ ଶ୍ରମଶକ୍ତି ଅଭାବରୁ କଳ, କାରଖାନାରେ ଉତ୍ପାଦନ ଆଶାଜନକ ହୋଇ ପାରୁ ନାହିଁ । ତେଣୁ, ‘ତାଲାବନ୍ଦ’ ଲାଗୁ ହେବା ପରେ ଯେଉଁ ପ୍ରବାସୀ ଶ୍ରମିକମାନେ କର୍ମ ସଂସ୍ଥାନ ଓ ମୁଣ୍ଡ ଗୁଂଜିବାର ଆସ୍ଥାନ ହରାଇ ନିଜ ନିଜ ରାଜ୍ୟକୁ ଫେରିବାକୁ ବାଧ୍ୟ ହୋଇଥିଲେ ସେମାନଙ୍କୁ ଫେରାଇ ନେବାର ଉପକ୍ରମ ଆରମ୍ଭ ହୋଇଛି । ବାହାର ରାଜ୍ୟର ବିଭିନ୍ନ ସଂସ୍ଥାର ମାଲିକ ଅଧିକ ଦରମା, ରହିବା ସକାଶେ ମାଗଣା ଘର ଏବଂ କର୍ମସ୍ଥଳକୁ ଫେରିବା ପାଇଁ ବିମାନ ବା ରେଳଭଡା ଦେବା ପ୍ରଲୋଭନ ଦେଖାଇ ପ୍ରବାସୀଙ୍କୁ ପ୍ରୋତ୍ସାହିତ କରୁଥିବା ବେଳେ ଓଡ଼ିଶାରେ ପଂଚମ ପର୍ଯ୍ୟାୟ ତାଲାବନ୍ଦ ଆରମ୍ଭ ହୋଇଯାଇଛି ।
ରାଜ୍ୟରେ ଜୁନ୍, ଜୁଲାଇ ମାସରେ କରୋନାର ପ୍ରକୋପ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି । ବିଭିନ୍ନ ଜିଲ୍ଲା, ସହରାଂଚଳ ଓ ଗ୍ରମାଂଚଳରେ ନିୟମିତ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ସହ ସକାଳ ୬ରୁ ଦିନ ଗୋଟାଏ ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସେବାକୁ ଅନୁମତି ଯୋଗୁ ଛୋଟ, ବଡ଼ ବ୍ୟବସାୟ ଓ ଦୈନନ୍ଦିନର ବ୍ୟବସାୟିକ କାର୍ଯ୍ୟକଳାପ ପୁନର୍ବାର ସଂକୁଚିତ ହୋଇଯାଇଛି । ଜୁନ୍ ମାସରେ ରାଜ୍ୟରେ କରୋନା ମହାମାରୀ କଟକଣା ସାମାନ୍ୟ କୋହଳ ରହିବାରୁ ଛୋଟ, ବଡ଼ ବ୍ୟବସାୟ ଗତିଶୀଳ ହୋଇଥିଲା । ଜୁଲାଇ ମାସରେ ସଂକ୍ରମଣ ବଢିବା ସହ ଯେଉଁ ଅର୍ଥନୈତିକ ଗତିବିଧି ଆରମ୍ଭ ହୋଇଥିଲା ତାହା ପୁଣି ଥରେ ଧରାଶାୟୀ ହୋଇଛି । ପ୍ରବାସରୁ ନିଜ ରାଜ୍ୟକୁ ଫେରିଥିବା ଶ୍ରମିକମାନେ ରାଜ୍ୟର ଅବସ୍ଥା ଦେଖି କାର୍ଯ୍ୟ କୁଶଳତା ଅନୁସାରେ ରାଜ୍ୟ ଭିତରେ କର୍ମ ନିଯୁକ୍ତି ମିଳିବାର ବିଶ୍ୱାସ ହରାଇଛନ୍ତି । କଳ କାରଖାନାରେ କାମ କରିଥିବା ଶ୍ରମିକଙ୍କୁ ଏବେ କ୍ଷେତରେ କାମ କରିବାକୁ କୁହାଯାଉଛି ଓ ‘କାଳିଆ’ର ବିକଳ୍ପ ଭାବେ ଅନ୍ୟ କୃଷି ଭିତ୍ତିକ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଛି । ତେବେ, ରାଜ୍ୟରେ କୃଷିର ଅବସ୍ଥା ଯାହା ପ୍ରବାସୀ ଶ୍ରମିକ ରାଜ୍ୟ ସରକାରଙ୍କୁ ଭରସା କରି ରାଜ୍ୟରେ ରହିଯିବା କଥା ଚିନ୍ତା କରି ପାରୁ ନାହାନ୍ତି । ଏବେ ଯେଉଁ ବିଶ୍ୱାସର ସଂକଟ ଦେଖା ଦେଇଛି ତାହା ପ୍ରବାସୀଙ୍କୁ ପୁନର୍ବାର ପ୍ରବାସକୁ ବାହୁଡା ଯିବାକୁ ବାଧ୍ୟ କରିଛି । ପ୍ରବାସୀ ଓଡ଼ିଶା ଶ୍ରମିକ ବାହାର ରାଜ୍ୟର ମାଲିକଙ୍କ ପ୍ରଲୋଭନ ଓ ପ୍ରରୋଚନାରେ ପୁଣି ଥରେ ଗୁଜରାଟର ସୁରତ୍, ମହାରାଷ୍ଟ୍ରର ମୁମ୍ବାଇ ଏବଂ ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ମୁହାଁ ହୋଇଇବା ବେଳେ ରାଜ୍ୟକୁ ମିଳିଛି ଅଧିକରୁ ଅଧିକ କରୋନା ସଂକ୍ରମଣ ।
ମାର୍ଚ୍ଚ ମାସ ଥିଲା ଦୁଃଖର ଅୟମାରମ୍ଭ …
ଦେଶର ପ୍ରଥମ କରୋନା ଆକ୍ରାନ୍ତ ଫେବୃୟାରୀ ମାସରେ କେରଳରୁ ଚିହ୍ନଟ ହୋଇଥିଲେ । ଓଡ଼ିଶାର ପ୍ରଥମ ଆକ୍ରାନ୍ତ ଭୁବନେଶ୍ୱରରୁ ମାର୍ଚ୍ଚ ୧୫ରେ । ତାହାପରେ ଆରମ୍ଭ ହୋଇଥିଲା ‘ଅପରେସନ୍ ତାଲାବନ୍ଦ’ । କୋଭିଡ଼-୧୯ ବିଶ୍ୱ ପରିକ୍ରମା କରି ଭାରତରେ ପହଂଚିଲା ବେଳକୁ ଏହି ମହାମାରୀର ମୁକାବିଲା ସଂପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜ୍ଞାନ ଥିଲା ସୀମିତ । କରୋନାର ସ୍ରଷ୍ଟା ଚୀନ୍ ଏହି ମହାମାରୀର ମୁକାବିଲା ପାଇଁ ‘ତାଲାବନ୍ଦ’ ଫର୍ମୂଲାକୁ କଡାକଡି ଭାବେ କାର୍ଯ୍ୟକାରୀ କରିଥିଲା । ତେଣୁ, ଭାରତ ମଧ୍ୟ ବାଛି ନେଲା ଏହି ଉପାୟକୁ । ଫେବୃୟାରୀ ଶେଷ ଭାଗରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ଙ୍କ ସପରିବାର ଭାରତ ଗସ୍ତ ସରିବା ପରେ କେନ୍ଦ୍ର ସରକାର କରୋନା କଥା ଚିନ୍ତା କଲେ । ମାର୍ଚ୍ଚ ମାସ ତୃତୀୟ ସପ୍ତାହରେ ଦେଶବ୍ୟାପୀ ‘ଜନତା କର୍ଫ୍ୟୁ’ (ମାର୍ଚ୍ଚ ୨୧)ରୁ ଆରମ୍ଭ ହେଲା କରୋନା ଶୃଙ୍ଖଳ ଭାଂଗିବାର ଉପଚାର । ଏହା ମହାମାରୀକୁ ନିଷ୍ପ୍ରଭ କରିବା ପାଇଁ ଟୀକା ଓ ବଟିକା ବାହାରି ନ ଥିବାରୁ ମାସ୍କ୍, ସାମାଜିକ ଦୂରତା ରକ୍ଷା ଓ ସଂଗରୋଧ ଏକମାତ୍ର ଉପଚାର ଭାବେ ସାମନାକୁ ଆସିଲା । ‘ତାଲାବନ୍ଦ’ କଟକଣା ସହ ଆଖି ତଳକୁ ନାକ, ପାଟି ଓ ଥୋଡ଼ିକୁ ମାସ୍କ୍ରେ ଆବୃତ୍ତ କରିବାକୁ, ଘରକୁ ଫେରି ବାରମ୍ବାର ହାତକୁ ଧୋଇ ସାନିଟାଇଜର୍୍ କରିବାକୁ, ଘର ବାହାରେ ପରସ୍ପରଠାରୁ ଅନ୍ତତଃ ଛଅ ଫୁଟ୍ ଦୂରତା ରକ୍ଷା କରିବାକୁ ଜନସାଧାରଣଙ୍କୁ ବାଧ୍ୟ କରା ଗଲା ।
କରୋନା ମହାମାରୀକୁ ନେଇ ଜନସାଧାରଣରେ ବିଶେଷ ଜ୍ଞାନ ନଥିଲା । ତେଣୁ, ସରକାରୀ କଟକଣାକୁ ସଂଖ୍ୟାଧିକ ନାଗରିକ ମାନିଲେ ସିନା କିଛି ଅମାନିଆ ତାହାର ପରିପାଳନ କଲେ ନାହିଁ । ସାଧାରଣରେ ଧାରଣା ଥିଲା ଯେ ବିଦେଶରୁ ଫେରୁଥିବା କରୋନା ଆକ୍ରାନ୍ତ ଦେଶରେ ତାହା ସଂକ୍ରମିତ କରୁଛନ୍ତି । ବିଦେଶ ଫେରନ୍ତାଙ୍କୁ ସଂଗରୋଧରେ ରଖି ଦେଲେ ମାସେ ଦୁଇ ମାସରେ କରୋନା ନିୟନ୍ତ୍ରଣକୁ ଆସି ଯିବ ଏବଂ କଟକଣା ସବୁ କୋହଳ ହୋଇ ଜୀବନ ସ୍ୱାଭାବିକ ହୋଇଯିବ । କିନ୍ତୁ, ତାହା ହୋଇ ନାହିଁ । ପ୍ରଥମେ ବିଦେଶ ଫେରନ୍ତା, ତାଙ୍କ ପଛକୁ ଦିଲ୍ଲୀରେ ଅନୁଷ୍ଠିତ ନିଜାମୁଦ୍ଦିନ ମରକଜ୍ ରେ ଭାଗ ନେଇ ବିଭିନ୍ନ ରାଜ୍ୟକୁ ଫେରିଥିବା ନିର୍ଦ୍ଧିଷ୍ଟ ଗୋଷ୍ଠୀ ଏବଂ ତାହା ପଛକୁ କଲିକତା ଫେରନ୍ତା ଏବଂ ଶେଷକୁ ବିଭିନ୍ନ ରାଜ୍ୟରୁ ଫେରି ଥିବା ପ୍ରବାସୀ ଶ୍ରମିକ ଏହି ଭୟଂକର ମହାମାରୀ ବ୍ୟାପିବାର କାରକ ହେଲେ । ଦିନକୁ ଦିନ କଟକଣା ଅଧିକ କଠୋର ହେଲା । କେନ୍ଦ୍ର ସରକାର କେନ୍ଦ୍ର ସରକାର ମର୍ଚ୍ଚେ, ଏପ୍ରିଲ ଓ ମେ’ ମାସରେ କରୋନା କଟକଣାକୁ କଠୋର ଭାବେ ପାଳନ କରିବା ପରେ ଜୀବନ ସହ ଜୀବିକାକୁ ପୁନଃ ଗତିଶୀଳ କରିବା ପାଇଁ ଜୁନ ମାସରୁ ତାଲାବନ୍ଦ ହଟାଇବା ପ୍ରକ୍ରିୟା ଆରମ୍ଭ କଲେ । ତେବେ, ଓଡ଼ିଶା ସରକାର ତାଲାବନ୍ଦରେ ହିଁ ଚାଲିଛନ୍ତି । ଓଲଟା, ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ କଟକଣା ଅଧିକ କଡାକଡି ହୋଇଛି । ଜୁନ ମାସରେ ରାଜ୍ୟର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ (ଶନିବାର ଓ ରବିବାର) ସଟ୍ ଡାଉନ୍ ଜାରି ଥିଲା । ଜୁଲାଇ ମାସରେ ତାହା ୧୦ଟି ଜିଲ୍ଲାକୁ କମିଲା । ତେବେ, ଏହି ୧୦ଟି ଜିଲ୍ଲା ବ୍ୟତୀତ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନଙ୍କ ସୁପାରିଶ ଅନୁସାରେ ତାଲାବନ୍ଦ ଓ ସଟ୍ ଡାଉନ୍ ଜାରି ରହିଲା । ଜୁଲାଇ ୧୭ରୁ ୩୧ ପର୍ଯ୍ୟନ୍ତ ଏବେ ରାଜ୍ୟର ୪ଟି ଜିଲ୍ଲା (ଖୋର୍ଦ୍ଧା, କଟକ, ଯାଜପୁର ଓ ଗଂଜାମ) ଏବଂ ରାଉରକେଲା ମହାନଗର ନିଗମ ଅଂଚଳରେ ପଂଚମ ପର୍ଯ୍ୟାୟ ‘ତାଲାବନ୍ଦ’ ଘୋଷଣା ହୋଇ ସକାଳ ୬ଟାରୁ ଅପରାହ୍ନ ଗୋଟାଏ ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଅନୁମତି ରହିଛି । ଅନ୍ୟାନ୍ୟ କାର୍ଯ୍ୟ କଳାପକୁ ନିଷିଦ୍ଧ କରାଯାଇଛି । ଏହି ୪ ଜିଲ୍ଲା ବ୍ୟତୀତ ରାଜ୍ୟର ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ସ୍ଥାନୀୟ ପ୍ରଶାସନ ଏଭଳି କଟକଣା କାର୍ଯ୍ୟକାରୀ କରି ସାଧାରଣ ଜୀବନଯାତ୍ରାକୁ ଠପ୍ କରିଛନ୍ତି ।
ଏସବୁ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ଯୋଗୁ ରାଜ୍ୟରେ ସାଧାରଣ ଜନତା ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଜୀବନ, ଜୀବିକା ବିପର୍ଯ୍ୟସ୍ତ ହୋଇଛି । ‘ତାଲାବନ୍ଦ’ର ବୋଝ ତଳେ ସାଧାରଣ ମଣିଷ ତଳିତଳାନ୍ତ ହେଲେଣି । ସରକାର ନୂତନ ନିଯୁକ୍ତି ସଅଷ୍ଟି କରୁ ନାହାନ୍ତି । ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ଥିବା ଶ୍ରମିକ, କର୍ମଚାରୀ, ଛୋଟ-ବଡ ବ୍ୟବସାୟୀ ଲକ୍ ଡାଉନ୍ ଓ ସଟି ଡାଉନ୍ ରେ ପୋଷି ହୋଇ ଜୀବିକା ହରାଇଲେଣି । ନୂତନ କର୍ମ ନିଯୁକ୍ତି ଅଭାବରୁ ଶିକ୍ଷିତ ବେକାର ଯୁବକ, ଯୁବତୀମାନ ବାର ଦୁଆର ଶୁଣ୍ଢି ପିଣ୍ଡା ହେଉଥଇବା ବେଳେ କୁଶଳୀ, ଅଣକୁଶଳୀ ଶ୍ରମିକ, ଭୂମିହୀନ ଓ କୃଷି ଶ୍ରମିକ ରଜ୍ୟରେ ବର୍ଷ ସାରା କାମ ନ ପାଇ ପରିବାର ପୋଷଣ ସକାଶେ ପ୍ରବାସ ଯିବାକୁ ବାଧ୍ୟ । ଓଡ଼ିଶାରେ ମାର୍ଚ୍ଚ ୨୨ ଓ ଦେଶରେ ମାର୍ଚ୍ଚ ୨୫ରୁ ‘ତାଲାବନ୍ଦ’ କଟକଣା ଘୋଷଣା ହେଲା । ତରବରିଆ ଭାବେ ଘୋଷିତ ଏହି ତାଲାବନ୍ଦ ରାଜ୍ୟର ଅର୍ଥନୀତିକୁ କେବଳ ନୁହେଁ, ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ସର୍ବସ୍ୱାନ୍ତ କରିଛି । ପ୍ରବାସୀ ଶ୍ରମିକମାନେ କରୋନା ମୁକାବିଲା ନାଁରେ ହଠାତ୍ ତାଲାବନ୍ଦ ଯୋଗୁ କାମଧନ୍ଦା, ଘରଦ୍ୱାର ହରାଇ ଲକ୍ଷ୍ୟହୀନ ଅବସ୍ଥାରେ ବାହାର ରାଜ୍ୟରେ ଘୁରି ବୁଲିଲେ । ପରେ ସେମାନେ ଘରମୁହାଁ ହେବାକୁ ବାଧ୍ୟ ହେଲେ । ନୂଆ ପରିଚୟ ସହ – ‘କରୋନା ବାହକ’ ।
କୌଣସି ପ୍ରକାର ଗାଁକୁ ଫେରିବା ପରେ ମଧ୍ୟ ସେମାନେ ନିଜକୁ ସୁରକ୍ଷିତ ଭାବୁ ନାହାନ୍ତି । ୧୪ ଦିନର ସଂଗରୋଧ ପରେ ଯେତେବେଳେ ନିଜ ଘରକୁ ଯିବାକୁ ଚାହୁଁଛନ୍ତି, ଗ୍ରାମବାସୀ ସେମାନଙ୍କୁ ଗାଁରେ ପୁରାଉ ନାହାନ୍ତି । ପରିବାରକୁ ସାଙ୍ଗରେ ନେଇ ଫେରି ଥିବା ପ୍ରବାସୀ ଶ୍ରମିକ ଗାଁ ମୁଣ୍ଡରେ ଖୋଲା ଆକାଶ ତଳେ ଅଖିଆ ଅପିଆ ପଡ଼ି ରହିବାକୁ ବାଧ୍ୟ ହେଉ ଥିବାର ଦୃଶ୍ୟ ଦୁଃଖଦାୟକ । ସବୁଠାରୁ ହୃଦୟ ବିଦାରକ ଦୃଶ୍ୟ ହେଉଛି, ଆଜି ଦିନରେ କରୋନା ମହାମାରୀରେ ହେଉ ବା ଅନ୍ୟ କୌଣସି କାରଣରୁ ହେଉ ଯାହାର ମୃତ୍ୟୁ ଘଟୁଛି ଅନ୍ୟମାନେ ତାଙ୍କ ପରିବାରକୁ ସନେ୍ଦହ ଚକ୍ଷୁରେ ଦେଖୁଛନ୍ତି । କାନ୍ଧ ଦେବା ଦୂରେ ଥାଉ, ପାଖ ମଧ୍ୟ ମାଡ଼ୁ ନାହାନ୍ତି । ପୁଲିସ ଓ ପ୍ରଶାସନ କୁକୁର, ବିରାଡିଙ୍କ ଭଳି ମୃତକଙ୍କୁ ଘୋଷାରି ନେଇ ଦାହ କରାଉ ଥିବା ବା ଗାତ ଖୋଲି ପୋତୁ ଥିବା ଦୃଶ୍ୟ ପୂର୍ବରୁ କୌଣସି ସଭ୍ୟ ସମାଜରେ କେବେ ଦେଖିବାକୁ ମିଳି ନାହିଁ । ୨୦୨୦ ବର୍ଷ ଏହା ହେଉଛି ସବୁଠାରୁ ବଡ଼ କରୁଣ ଓ ହୃଦୟହୀନତାର ଦୃଶ୍ୟ ।
କେନ୍ଦ୍ର ଓ ରାଜ୍ୟ ସରକାର ମାର୍ଚ୍ଚ ମାସ ତୃତୀୟ ସପ୍ତାହରେ ଦେଶରେ ‘ତାଲାବନ୍ଦ’ ଘୋଷଣା କରିବା ପରେ ବିଭିନ୍ନ ରାଜ୍ୟରେ କାମଧନ୍ଦା କରୁଥିବା ଶ୍ରମଜୀବୀମାନେ ସର୍ବସ୍ୱାନ୍ତ ହୋଇ ବିଭିନ୍ନ ବାଟରେ ନିଜ ନିଜ ରାଜ୍ୟକୁ ଫେରିବାକୁ ଉଦ୍ୟମ କରିଥିଲେ । ଅନେକ ନିଜ ଉଦ୍ୟମରେ ଘରକୁ ଫେରିଥିବା ବେଳେ ମେ’ ମାସରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ବସ୍ ଓ ପରେ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଚଳ କରି ଲକ୍ଷାଧିକ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ପଠାଇଛନ୍ତି । ୨୦୨୦ ଜୁଲାଇ ୭ ତାରିଖ ସୁଦ୍ଧା ୨୫୬ଟି ଶ୍ରମିକ ସ୍ପେଶାଲ ଟ୍ରେନରେ ୩ ଲକ୍ଷ ୫୮ ହଜାର ୪୦୧ ପ୍ରବାସୀ ଓ ସଡ଼କ ପଥରେ ସରକାରୀ ବ୍ୟବସ୍ଥାରେ ୧ ଲକ୍ଷ ୮୧ହଜାର ୯୯୭ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରି ଥିବା ରାଜ୍ୟ ସରକାରଙ୍କ ସୂଚନାରୁ ଜଣାପଡିଛି । ସେହିଭଳି, ୨୦, ୭୦୮ ପ୍ରବାସୀ ନିଜ ନିଜ ଉଦ୍ୟମରେ ଗାଡି ଘୋଡା ବ୍ୟବସ୍ଥା କରି ରାଜ୍ୟକୁ ଫେରିଛନ୍ତି । ଏହାଛଡା, ପାଦରେ ଚାଲି ଚାଲି, ସାଇକେଲରେ ବା ସମୁଦ୍ର ବାଟ ଦେଇ ଡଙ୍ଗାରେ ଆହୁରି ଅନେକ ପ୍ରବାସୀ ଶ୍ରମିକ ରାଜ୍ୟକୁ ଆସିଛନ୍ତି । ସରକାର ଯେଉଁ ହିସାବ ଦେଇଛନ୍ତି ତାହା କେବଳ ପ୍ରବାସରୁ ଫେରିଥିବା ପଂଜୀକୃତ ଶ୍ରମିକଙ୍କ । ନିଜ ଉଦ୍ୟମରେ ଫେରି ଥିବା ଲୋକଙ୍କ ହିସାବ ସରକାରଙ୍କ ନିକଟରେ ନାହିଁ ।
ସରକାରୀ ରିପୋର୍ଟ ମୁତାବକ, ଜୁଲାଇ ୭ ତାରିଖ ସୁଦ୍ଧା ତାମିଲନାଡୁରୁ ୫୪,୯୬୮, କେରଳରୁ ୨୩, ୭୧୬, ଗୁଜରାଟରୁ ୧,୩୦,୫୩୭, ତେଲେଙ୍ଗାନାରୁ ୬୦,୦୫୩, କର୍ଣ୍ଣାଟକରୁ ୨୫, ୩୩୯ ଏବଂ ଅନ୍ୟ ରାଜ୍ୟରୁ ୬୩, ୭୮୮ ପ୍ରବାସୀ ବିଭିନ୍ନ ସ୍ୱତନ୍ତ୍ର ଶ୍ରମିକ ଟ୍ରେନରେ ଓଡ଼ିଶା ଫେରିଥିବା ବେଳେ ତାମିଲନାଡୁରୁ ୫୪, ୮୫୫, ପଶ୍ଚିମ ବଂଗରୁ ୨୫, ୧୫୩, ତେଲେଂଗାନାରୁ ୨୨,୨୨୮, ମହାରାଷ୍ଟ୍ରରୁ ୧୬,୬୨୪, ଆନ୍ଧ୍ର ପ୍ରଦେଶରୁ ୧୩,୫୮୬, ଗୁଜରାଟରୁ ୧୧,୫୩୮, କର୍ଣ୍ଣାଟକରୁ ୧୧,୧୦୧, କେରଳରୁ ୬,୫୩୨, ଝାଡ଼ଖଣ୍ଡରୁ ୪,୫୫୮, ଗୋଆରୁ ୩,୭୧୪, ଛତିଶଗଡ଼ରୁ ୩,୧୮୭, ବିହାରରୁ ୨,୦୫୧, ୟୁପିରୁ ୧,୫୬, ରାଜସ୍ଥାନରୁ ୧,୧୦୬, ମଧ୍ୟ ପ୍ରଦେଶରୁ ୯୩୩, ହରିୟାନାରୁ ୮୨୭, ଦିଲ୍ଲୀରୁ ୬୧୨, ପୁଡୁଚେରୀରୁ ୬୦୯, ଉତ୍ତରାଖଣ୍ଡରୁ ୨୫୩, ପଂଜାବରୁ ୨୪୯, ଆସାମରୁ ୧୬୯, ଜମ୍ମୁ-କଶ୍ମୀରରୁ ୧୧୯, ନେପାଳରୁ ୧୧୩ ଓ ହିମାଚଳ ପ୍ରଦେଶରୁ ୧୦୦ ପ୍ରବାସୀ ଶ୍ରମିକ ସଡ଼କ ପଥରେ ରାଜ୍ୟକୁ ଫେରିଛନ୍ତି । ଅନ୍ୟ କିଛି ରାଜ୍ୟରୁ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ଆଗମନ ହୋଇଛି । ତେବେ, ସଂଖ୍ୟା ଦୁଇ ଅଙ୍କ ବିଶିଷ୍ଟ । ରାଜ୍ୟ ବାହାରେ ଏତେ ସଂଖ୍ୟାରେ ଓଡ଼ିଆ ବିଭିନ୍ନ କାମଧନ୍ଦାରେ ନିୟୋଜିତ ହୋଇ ପରିବାର ପ୍ରତିପୋଷଣ କରୁଥିବା କରୋନା ଜନିତ ପରିସ୍ଥିତିରୁ ସ୍ପଷ୍ଟ ହୋଇଛି ।
ଯେଉଁମାନେ ପ୍ରବାସୀ ଶ୍ରମିକ ସରକାରୀ ବ୍ୟବସ୍ଥାରେ ଫେରିଛନ୍ତି ସରକାର ସେମାନଙ୍କ ଫେରିବା ଖର୍ଚ୍ଚ ସହ ସଂଗରୋଧ କେନ୍ଦ୍ରରେ ରହଣୀ, ଖାଦ୍ୟପେୟ ଓ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ୧୪ ଦିନିଆ ସଂଗରୋଧ ସଫଳ ଭାବେ ସରିବା ପରେ ପ୍ରତ୍ୟେକଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେଇଥିବା ସୂଚନା ମିଳିଛି । କିନ୍ତୁ, କେତେ ଜଣ ତାହା ପାଇଛନ୍ତି ଜଣାପଡିନାହିଁ । ପ୍ରବାସୀ ଶ୍ରମିକଙ୍କ ପାଇଁ ସବୁଠାରୁ ଦୁଃଖର ସମୟ ଥିଲା, ଯେତେବେଳେ କେନ୍ଦ୍ର ସରକାର ହଠାତ୍ ‘ତାଲାବନ୍ଦ’ ଘୋଷଣା କରି ସଡ଼କ ଓ ରେଳପରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଅଚଳ କରି ଦେଲେ । ପ୍ରବାସୀ ଶ୍ରମିକମାନେ କାମଧନ୍ଦା ହରାଇ ଭୋକ ଉପାସରେ ଘରକୁ ଫେରିବାକୁ ଯେତେବେଳେ ଉଦ୍ୟମ କଲେ ପରିବହନ ସୁବିଧା ନଥିଲା । ପାଦରେ ଚାଲି ଚାଲି ସେମାନେ ହଜାର ହଜାର କିମି ଅତିକ୍ରମ କରିବା ସମୟରେ ସେମାନେ ରାସ୍ତାରେ ଉଭୟ ବଦାନ୍ୟତା ଓ କ୍ରୁରତାକୁ ପ୍ରତ୍ୟକ୍ଷ କରିଛନ୍ତି । ଅନେକ ପ୍ରବାସୀ ଦୁର୍ଘଟଣାର ମଧ୍ୟ ସାମନା କରିଛନ୍ତି । ସେମାନଙ୍କ ପାଇଁ ଏହି ଯାତ୍ରା ଥିଲା ଅତିବ ଦୁଃଖଦାୟକ ଓ ହୃଦୟ ବିଦାରକ । ଆମ ସରକାର ଓ ସରକାରୀ କଳର ଅସହାୟତାର ବଡ଼ ଉଦାହରଣ ହେଉଛି ପ୍ରବାସୀଙ୍କ ଏହି ବଂଚିବାର ସଂଘର୍ଷ । ପରେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରବାସୀଙ୍କୁ ଏଥିସକାଶେ କ୍ଷମା ମାଗିଛନ୍ତି । କିନ୍ତୁ, ପ୍ରବାସୀ ନିଜ ନିଜ ଘରକୁ ଫେରିବା ସମୟରେ ଯାହା ସବୁ ଘଟି ଗଲା ସେସବୁର ପାପ ସରକାରଙ୍କ ମୁଣ୍ଡରେ । କ୍ଷମା ମାଗି ଦେଲେ କଣ ସେ ସବୁ ଧୋଇଯିବ ? କୋଟି କୋଟି ଶ୍ରମିକ ଓ ସେମାନଙ୍କ ପରିବାର ତାଲାବନ୍ଦ ଦ୍ୱାରା କିଭଳି ନିର୍ଯ୍ୟାତିତ ହୋଇଛନ୍ତି ତାହା ସମଗ୍ର ଦେଶ ଦେଖିଛି । ଏଭଳି ହେବ ବୋଲି ସରକାର ମଧ୍ୟ କଳ୍ପନା କରି ନ ଥିଲେ ।
ମେ’ ମାସରେ ଆସିଲା ଜୀବନ ସହ ଜୀବିକା କଥା..
ମେ’ ମାସରେ କେନ୍ଦ୍ର ଓ ରାଜ୍ୟ ସରକାର ଅନୁଭବ କଲେ ‘ତାଲାବନ୍ଦ’ରେ ଜୀବନ ସହ ଜୀବିକା ମଧ୍ୟ ବିପର୍ଯ୍ୟସ୍ତ ହୋଇଯାଇଛି । ଏହା ଚିନ୍ତା କଲା ବେଳକୁ ନେଡ଼ି ଗୁଡ଼ କହୁଣୀକୁ ବୋହି ସାରି ଥିଲା । ପ୍ରବାସୀ ଶ୍ରମିକ ଦହଗଂଜ ହୋଇ ଖାଲି ପାଦରେ ଚାଲି ଚାଲି, ମାଲ ବୁହା ଟ୍ରକରେ ବୁହା ହୋଇ ବା କଂକ୍ରିଟ୍ ମିକ୍ସଚର୍ ମେସିନ୍ ଭିତରେ ଲୁଚିଛପି ଗ୍ରାମାଭିମୁଖୀ ହେବା ଦୃଶ୍ୟ ବୋଧହୁଏ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ବିଚଳିତ କରିଥିଲା । ତେଣୁ, ମେ’ ମାସରେ ଶ୍ରମିକ ଦିବସ ଅବସରରେ କେନ୍ଦ୍ର ସରକାର ପ୍ରବାସୀଙ୍କ ଘର ବାହୁଡା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ଚଳାଇବାକୁ ଘୋଷଣା କଲେ । ରାଜ୍ୟ ସରକାର ସମସ୍ୟାକୁ ଦୁଇ ମାସ ଟାଳିବା ପରେ ଚାପ ବଢିବାରୁ ସ୍ୱତନ୍ତ୍ର ବସ୍ ଯୋଗେ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟକୁ ଫେରାଇ ଆଣିବା ବ୍ୟବସ୍ଥା କଲେ । ତେବେ, ସେତେବେଳକୁ କରୋନା ତାହା ଉଗ୍ରରୂପ ଦେଖାଇବା ଆରମ୍ଭ କରିଥିଲା । ଅଧିକ ଭାବେ କରୋନା ପ୍ରଭାବିକ ରାଜ୍ୟରୁ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରୁଥିବା ଦେଖି ରାଜ୍ୟରେ ଆଶଙ୍କା ବଢିଲା । ଗୋଟିଏ, ଦୁଇଟି ଏନଜିଓ ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କଲେ । ଜନସାଧାରଣରେ ଉଦବେଗ ଦେଖି ‘ଯିଏ ଯେଉଁଠି ଅଛନ୍ତି, ସେଇଠି ଥାଆନ୍ତୁ – ସେମାନଙ୍କ ଟେଷ୍ଟିଂ, ଚିକିତ୍ସା, ଖାଦ୍ୟପେୟ ଓ ରହଣୀ ବ୍ୟବସ୍ଥା ସଂପୃକ୍ତ ରାଜ୍ୟ ସରକାରମାନେ ବହନ କରିବେ’ ବୋଲି କେନ୍ଦ୍ର ସରକାର ଉପଦେଶ ଦେଲେ । ରାଜ୍ୟ ସରକାର ପ୍ରବାସରେ ଫସି ରହି ଥିବା ଶ୍ରମିକଙ୍କୁ ବାଝାଶୁଝା କରି ସେମାନଙ୍କ ସମସ୍ୟା ସମାଧାନ କରିବାକୁ ଓ ସେମାନଙ୍କୁ ପର୍ଯ୍ୟାୟକ୍ରମେ ରାଜ୍ୟକୁ ଫେରାଇ ଆଣିବାକୁ ରାଜ୍ୟର କିଛି ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦେଲେ । ତେବେ, ଲଗାମ ନ ଥିବା ଘୋଡ଼ା ଯେମିତି ଦିଗହରା ଓ ବେପରୁଆ ସେମିତି ହେଲା ଆମ ଅଧିକାରୀଙ୍କ ଅବସ୍ଥା ।
ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀଙ୍କ ଉପରେ ଦାୟିତ୍ୱ ଳଦି ନିଶ୍ଚିନ୍ତ ବସିଲେ । ବରିଷ୍ଠ ଅଧିକାରୀମାନେ କାହାରିକୁ ଉତ୍ତରଦାୟୀ ନ ହୋଇ ଆଖି, କାନ ବୁଜି ଦେଲେ । ଫଳରେ, ମେ’ ମାସ ବେଳକୁ ପରିସ୍ଥିତି ଅଧିକ ସଂଗୀନ ହେଲା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ବଢିବାରୁ ଆଗୁଆ ପଂଜୀକରଣ କରାଯାଇ ରେଳ ଓ ସଡ଼କ ପଥରେ ଶ୍ରମିକଙ୍କ ପ୍ରତ୍ୟାବର୍ତନ ବ୍ୟବସ୍ଥା କରାଗଲା । ଏବେ, ପ୍ରବାସୀ ଶ୍ରମିକ ଫେରି ଥିବା ଜିଲ୍ଲାଗୁଡ଼ିକ ଗୋଟିଏ ଗୋଟିଏ ହଟ୍ସ୍ପଟ୍ ହୋଇଛି । ରାଜ୍ୟ ସରକାର ଗ୍ରାମାଂଚଳରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ, ସଂଗରୋଧ ଓ ଥଇଥାନ ପାଇଁ ସରପଂଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି ଏବଂ ପଂଚାୟତ ସ୍ତରରେ ଟେଷ୍ଟିଂ ସହ ଚିକିତ୍ସା ସୁବିଧା କରାଯାଇଛି । ରାଜ୍ୟର ରାଜଧାନୀ ଓ ଜିଲ୍ଲାସ୍ତରରେ ୩୫ଟି କୋଭିଡ଼ ହସ୍ପିଟାଲ ଖୋଲାଯାଇ ୫୫୭୭ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ସେଥିରେ ୩୧୨ଟି ଆଇସିୟୁ କାମ କରୁଛି । ଗ୍ରାମାଂଚଳରେ ୧୭, ୬୪୭ ଟିଏମ୍ସି (ଅସ୍ଥାୟୀ ଚିକିତ୍ସା କେନ୍ଦ୍ର) ଏବଂ ୧୭୮ଟି କୋଭିଡ଼ କେୟାର ସେଂଟର ମଧ୍ୟ ସରକାର ଖୋଲିଛନ୍ତି । ରାଜ୍ୟ ସରକାର ନିକଟରେ କୋଭିଡ଼ ପରିଚାଳନାକୁ ‘୫- ଟି’ ଅନ୍ତର୍ଭୁକ୍ତ କରି ରାଜ୍ୟରେ ଅଧିକରୁ ଅଧିକ ନମୁନା ପରୀକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି । ଅଧିକ ସଂଖ୍ୟାରେ ନମୁନା ପରୀକ୍ଷା ଯୋଗୁଁ ରାଜ୍ୟରେ ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରୁ ୮୦ ପ୍ରତିଶତ ‘ଲକ୍ଷଣ ବିହୀନ’ ବୋଲି ସରକାର ଦାବି କରିଛନ୍ତି । ଲକ୍ଷଣ ବିହୀନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ଚିକିତ୍ସା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜ ହୋଇ ଥିବାରୁ ଏବେ ସରକାର ଘରୋଇ ସଂସ୍ଥାଙ୍କୁ କୋଭିଡ଼ ପରିଚାଳନା କାର୍ଯ୍ୟରେ ନିୟୋଜିତ କରିବାକୁ ପ୍ରାଥମିକତା ଦେଇଛନ୍ତି । ଲକ୍ଷଣ ବିହୀନ କରୋନା ରୋଗୀଙ୍କୁ ଚିହ୍ନଟ, ଆଇସୋଲେସନ୍ ଏବଂ ଚିକିତ୍ସା ପାଇଁ ଏନଜିଓ ଏବଂ ଘରୋଇ ଅନୁଷ୍ଠାନମାନେ ନିଜ ନିଜ ଉଦ୍ୟମରେ କୋଭିଡ଼ କେୟାର ୟୁନିଟମାନ ଖୋଲିବାକୁ ସରକାର ଅନୁମତି ଦେବା ସହ ଡ଼ାକ୍ତର, ସ୍ୱାସ୍ଥ୍ୟ ସେବା ଦାୟିତ୍ୱରେ ରହୁଥିବା କର୍ମଚାରୀ ଓ ରୋଗୀଙ୍କ ଖାଦ୍ୟପେୟ, ଔଷଧ ଖର୍ଚ୍ଚ ଓ ଅନ୍ୟାନ୍ୟ ।ବତୀୟ ଖର୍ଚ୍ଚ ସରକାର ବହନ କରିବେ ବୋଲି ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରତିଶ୍ରୁତି ଦେଇଛନ୍ତି ।
ତେବେ, ରାଜ୍ୟରେ କରୋନା ମହାମାରୀ ପରିଚାଳନାରେ ରାଜ୍ୟ ସରକାର ବିଫଳ ହୋଇଥିବା ଦର୍ଶାଇ ବିଜେପି ଓ କଂଗ୍ରେସ ରାଜ୍ୟପାଳଙ୍କୁ ନିକଟରେ ସ୍ମାରକପତ୍ର ଦେଇଥିବା ସରକାରଙ୍କୁ ଅଡୁଆରେ ପକାଇଛି । ତାଲାବନ୍ଦ କଟକଣା ଓ ଉପାର୍ଜନ ପାଇଁ ବାଟ କିଛି ନ ଥିବାରୁ ମାର୍ଚ୍ଚ ଓ ଏପ୍ରିଲ ମାସରୁ ପ୍ରବାସୀ ଶ୍ରମିକ ଘରମୁହାଁ ହୋଇଥିଲେ । ରାଜ୍ୟ ସରକାର ସେହି ସମୟରେ ପ୍ରବାସୀଙ୍କୁ ରାଜ୍ୟକୁ ଫେରାଇ ଆଣିବା ଦିଗରେ ପଦକ୍ଷେପ ନେଇଥିଲେ ପରିସ୍ଥିତି ଆଜି ଏବେ ସଂଗୀନ ହୋଇ ନ ଥା’ନ୍ତା ବୋଲି ଅଭିଯୋଗ ହେଉଛି । ସରକାର ମେ’ ମାସ ପର୍ଯ୍ୟନ୍ତ ଚୁପ୍ ବସି ଥିଲେ । ମେ’ ବେଳକୁ ଦେଶରେ କରୋନା ସଂକ୍ରମଣ ବଢି ଯିବାରୁ ପ୍ରବାସୀ ଶ୍ରମିକ ଅଜାଣତରେ ମହାମାରୀ ଦ୍ୱାରା ସଂକ୍ରମିତ ହେଲେ ଏବଂ ରାଜ୍ୟକୁ ଫେରିବା ପରେ ତାହା ଅନ୍ୟମାନଙ୍କୁ ବ୍ୟାପିବାର କାରକ ହେଲେ । ଯେଉଁ ଯେଉଁ ରାଜ୍ୟରୁ ସେମାନେ ଫେରିଛନ୍ତି ସେଇଠି ଯଦି ସେମାନଙ୍କ କୋଭିଡ଼ ନମୁନା ପରୀକ୍ଷା କରାଯାଇ ନମୁନା ରିପୋର୍ଟ ନେଗେଟିଭ୍ ଥିବା ଲୋକଙ୍କୁ କେବଳ ଓଡ଼ିଶା ଫେରାଇ ଅଣାଯାଇ ଥା’ନ୍ତା ଏବଂ ଅନ୍ୟମାନଙ୍କୁ ସେହି ରାଜ୍ୟରେ ଚିକିତ୍ସାର ବନେ୍ଦାବସ୍ତ ହୋଇଥା’ନ୍ତା ତେବେ ରାଜ୍ୟର କୋଭିଡ଼ ସଂକ୍ରମଣ ଏତେଦୂର ବଢି ନ ଥା’ନ୍ତା ବୋଳି ବିରୋଧୀ ଯୁକ୍ତ ଦର୍ଶାଇଛନ୍ତି । ଏନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ହୋଇଥିଲା । ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ତାହାର ଶୁଣାଣୀ କରି ଅନୁରୂପ ରାୟ ମଧ୍ୟ ଦେଇଥିଲେ । ତେବେ, ରାଜନୈତିକ କାରଣରୁ ପ୍ରବାସୀଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁ ନ ଥିବା ରାଜ୍ୟ ଓ କେନ୍ଦ୍ର ସରକାର ପ୍ରବାସୀଙ୍କ ମାଧ୍ୟମରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମ କୋର୍ଟରେ ଚ୍ୟାଲେଂଜ କରିବା ବ୍ୟବସ୍ଥା (?) କରିଥିଲେ । ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ପ୍ରବାସୀଙ୍କୁ ନିଜ ନିଜ ଘରକୁ ଫେରିବା ମୌଳିକ ଅଧିକାରରୁ ବଂଚିତ କରାଯାଇ ପାରିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ସୁପ୍ରିମ କୋର୍ଟରେ ଯୁକ୍ତିକୁ ଗ୍ରହଣ କରି ପ୍ରବାସୀଙ୍କ ସପକ୍ଷରେ ରାୟ ଦେବାରୁ ବିନା ପରୀକ୍ଷା ଓ ନେଗେଟିଭ୍ ରିପୋର୍ଟରେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିବା ବାଟ ପ୍ରଶସ୍ତ ହୋଇଥିଲା ।
ସୁପ୍ରିମ କୋର୍ଟଙ୍କ ରାୟ ଉପରେ ସଂଶୋଧନ ପିଟିସନ ଦାଖଲ କରିବାକୁ ରାଜ୍ୟ ସରକାର ଚାହିଁ ନ ଥିଲେ । କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଆଗୁଆ ସୂଚନା ନ ଦେଇ ନିଜ ଇଚ୍ଛା ଅନୁସାରେ ବସ୍ ଓ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ରେ ପ୍ରବାସୀଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରିଥିଲେ । ସଡକ ପଥରେ ଆସି ଥିବା ପ୍ରବାସୀଙ୍କୁ ଓଡ଼ିଶା ସୀମାନ୍ତ ଚେକପୋଷ୍ଟ୍ ଗୁଡିକରେ କଡାକଡି ଯାଂଚ ପରେ ବିଭିନ୍ନ ଜିଲ୍ଲା ଓ ଗ୍ରାମାଂଚଳକୁ ପଠାଇବା ବ୍ୟବସ୍ଥା ହୋଇଥିଲେ ବୋଧହୁଏ ରାଜ୍ୟର କରୋନା ମହାମାରୀ ସ୍ଥିତି ଏତେ ସଂଗୀନ୍ ହୋଇ ନ ଥା’ନ୍ତା । ସେହିଭଳି, ଟ୍ରେନ୍ ଓ ଅନ୍ୟାନ୍ୟ ମାଧ୍ୟମରେ ଆସି ଥିବା ପ୍ରବାସୀଙ୍କ ତୁରନ୍ତ ସ୍ୱାବ୍ ପରୀକ୍ଷା ନ ହୋଇ ବିଭିନ୍ନ ଜିଲ୍ଲାରେ ସେମାନେ ପହଂଚିବା ପରେ ସଂଗରୋଧ କେନ୍ଦ୍ରରେ ରଖାଯାଇ ଲକ୍ଷଣ ଯୁକ୍ତ ଓ ଲକ୍ଷଣ ବିହୀନଙ୍କୁ ଚିହ୍ନଟ କରା ଗଲା । ସେତେବେଳକୁ ସଂକ୍ରମିତ ଶ୍ରମିକମାନେ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସି ସାରିଥିଲେ । ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ସଂଗରୋଧ କେନ୍ଦ୍ରରୁ ଯେତିକି ପରିମାଣର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେହି ତୁଳନାରେ ବାହାରୁ ମଧ୍ୟ ପାଖାପାଖି ସେହି ଭଳି ରୋଗୀ ଚିହ୍ନଟ ହେଲେଣି । ଏକଦା ଗ୍ରାନ ଜୋନରେ ଥିବା ଗଂଜାମ ଜିଲ୍ଲା ହଠାତ ମେ’ ମାସରୁ ଦେଶର ଏକ ଆଗୁଆ କରୋନା ହଟସ୍ପଟ୍ ହେବାର ପ୍ରକୃତ କାରଣ ହେୁଛି ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତ୍ତି । ରାଜ୍ୟ ସରକାରଙ୍କ ଅଧିକାରୀମାନେ ରାଜନେତାଙ୍କୁ କରୋନା ମୁକାବିଲା କାର୍ଯ୍ୟରେ ସଂପୃକ୍ତ ନ କରି ନିଜ ଇଚ୍ଛା ମୁତାବକ କରୋନା ନିୟନ୍ତ୍ରଣ କାର୍ଯ୍ୟ କରିବାକୁ ଗଂଜାମ ଜିଲ୍ଲାର ଅବସ୍ଥା ସଂଗୀନ ହୋଇଛି ବୋଲି ଶାସକ ଦଳର ଜଣେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିବା ପରେ ମୁଖ୍ୟମନ୍ତ୍ରୀ ଏବେ ଦଳର ବିଧାୟକ ଓ ନେତୃବର୍ଗଙ୍କୁ ସନ୍ତୁଷ୍ଟ କରିବା ଉଦ୍ୟମ ଆରମ୍ଭ କରିଛନ୍ତି । ଜୁଲାଇ ମାସରେ ଦଳର ସାଂଗଠନିକ ପୁନର୍ବିନ୍ୟାସ କରାଯାଇ ନେତାମାନଙ୍କୁ ବିଭିନ୍ନ ସାଂଗଠନିକ ଦାୟିତ୍ୱ ଦିଆଯାଇଛି । ତେନେ, ମୂଳ ଚାବି ଜଣେ ଅଧେ ପ୍ରଶାସକଙ୍କ ହାତରେ ହିଁ ରହିଛି ।
ପ୍ରବାସୀ ଶ୍ରମିକ ସମସ୍ୟା ପାଇଁ ଦାୟୀ କିଏ ?
ଓଡ଼ିଶାରେ ପ୍ରବାସୀ ଶ୍ରମିକ ସମସ୍ୟା ଆଜିର ନୁହେଁ, ଦୀର୍ଘ ବର୍ଷରୁ ଏହି ସମସ୍ୟା ରହିଛି । ଦୀର୍ଘ ୨୧ ବର୍ଷ ହେଲା ଲଗାତର ରାଜ୍ୟରେ ଶାସନରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡ଼ି ଏହି ସମସ୍ୟାର ସମାଧାନ ଦିଗରେ ସେଭଳି କିଛି କାର୍ଯ୍ୟ କରି ନାହିଁ । ସମସ୍ତେ ଜାଣନ୍ତି, ଓଡ଼ିଶାର ଅର୍ଥନୀତି କୃଷି-ଭିତ୍ତିକ । ଗ୍ରାମାଂଚଳ ଜନସଂଖ୍ୟାର ୮୦ ପ୍ରତିଶତ କୃଷି ଉପରେ ନିର୍ଭରଶୀଳ । ଅନିୟମିତ ବର୍ଷା ଓ ବିଭିନ୍ନ ସମୟରେ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟର କୃଷି-ଅର୍ଥନୀତିକୁ ପ୍ରଭାବିତ କରି ଆସିଛି । ଚାଷ କାର୍ଯ୍ୟ ପାଇଁ ରାଜ୍ୟରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ନାହିଁ । ଭଲ ଫସଲ ଅମଳ ହେଲେ ତାହାକୁ ଗଚ୍ଛିତ ରଖିବା ସକାଶେ ଆବଶ୍ୟକ ମୁତାବକ ଗୋଦାମ ଘର ଓ ଶୀତଳ ଭଣ୍ଡାର ନାହିଁ । କୃଷି ଉତ୍ପାଦନର ମୂଲ୍ୟଯୁକ୍ତ ବିନିଯୋଗ ନିମନ୍ତେ ରାଜ୍ୟରେ କୌଣସି କୃଷି ଭିତ୍ତିକ ଶିଳ୍ପ ନାହିଁ । ଫଳରେ, ଫସଲ ଅମଳ ଭଲ ହେଲେ ଚାଷୀଙ୍କୁ ତାହାର ଲାଭଜନକ ଦର ମିଳୁନି । ଡ଼ିଷ୍ଟ୍ରେସ୍ ସେଲ୍ ଅଭିଯୋଗ ସର୍ବଦା ରହିଛି । ଫସଲ ଖରାପ ହେଲେ ଚାଷୀ ବଜାରରୁ ଆଣି ଥିବା ଉଧାର ଶୁଝି ନ ପାରି ଆତ୍ମହତ୍ୟା କରୁଥିବାର ବହୁ ନଜିର ରହିଛି ।
ଅଶି ଦଶକରେ ରାଜ୍ୟରେ କୃଷି ସହ ଶିଳ୍ପର ବିସ୍ତାରର ଅୟମାରମ୍ଭ ହୋଇଥିଲା । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହଜାର ଦିନରେ ହଜାର କୋଟି ଟଙ୍କାରେ ହଜାରେ ଶିଳ୍ପ ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇ ଯେଉଁ ଶିଳ୍ପ ନୀତି ଘୋଷଣା କରିଥିଲେ ତାହା ରାଜ୍ୟ ସାରା ଶିଳ୍ପାଂଚଳମାନ ଗଢି ଉଠିବାରେ ସହାୟକ ହେଲା ସିନା ସ୍ଥାୟୀ ଭାବେ ଶିଳ୍ପ ବିସ୍ତାର ସମ୍ଭବ ହୋଇ ନାହିଁ । ସେହି ସମୟରେ ଓଡ଼ିଶା ରାଜ୍ୟ ଅର୍ଥ ନିଗମ (ଓଏସ୍ଏଫ୍ସି), ଇଡ୍କୋ, ଇପିକଲ୍ ଭଳି ଅର୍ଥଲଗାଣକାରୀ ସଂସ୍ଥାମାନେ କୋହଳ ସୁଧ ହାରରେ ଆଖିବୁଚା ପୁଂଜି ବିନିଯୋଗ ପାଇଁ ଉଦ୍ୟୋଗୀଙ୍କୁ ଉତ୍ସାହିତ କଲେ । ଆବଶ୍ୟକ ସ୍ଥଳେ ଉତ୍ସାହୀ ଉଦ୍ୟୋଗୀଙ୍କୁ ଜମି ଓ ଶିଳ୍ପାଂଚଳରେ ସେଡ୍ ମଧ୍ୟ ଯୋଗାଇ ଦିଆଗଲା । ଏହି ଶିଳ୍ପ ବିପ୍ଳବ ସମୟରେ ରାଜ୍ୟରେ ହଜାର ଦିନରେ ହଜାର କୋଟି ଟଙ୍କାରୁ ଅଧିକ ପୁଂଜି ବିନିଯୋଗ ହୋଇଛି ସିନା ହଜାରେ ଶିଳ୍ପ ପ୍ରତିଷ୍ଠା ହୋଇଛି କି ନାହିଁ, ତାହା ଆଜି ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି । ତେବେ, ସେହି ସମୟରେ ରାଜ୍ୟରେ ଯେଉଁ ଶିଳ୍ପାଂଚଳମାନ ଗଢି ଉଠି ଥିଲା ଆଜିର ସେଥିରୁ ଅଧିକାଂଶ ପରିତ୍ୟକ୍ତ ଅବସ୍ଥାରେ ରହିଛି । କେଉଁଠି ହେଲେ କାରଖାନାରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳୁ ନାହିଁ । ଅପରପକ୍ଷରେ, ଶିଳ୍ପାଂଚଳରେ ଜମି ଲିଜ୍ ନେଇଥିବା ଉଦ୍ୟୋଗୀଙ୍କ ମଧ୍ୟରୁ ଅନେକ ଶିଳ୍ପ ପାଇଁ ଉଦ୍ଦିଷ୍ଟ ଜମିରେ ଘର ତିଆରି କରି ସ୍ଥାୟୀ ଭାବେ ବସବାସ କରୁଛନ୍ତି । କଟକ, ଚୌଦ୍ୱାର, ବ୍ରହ୍ମପୁର, ବାଲେଶ୍ୱର, ରାୟଗଡା, ଯାଜପୁର, ଭୁବନେଶ୍ୱର ଉପକଣ୍ଠରେ ଥିବା ଶିଳ୍ପାଂଚଳଗୁଡିକ ସ୍ଥିତି ଅନୁଧ୍ୟାନ କଲେ ଯେକେହି ଏହା ଜଣେ ଜାଣି ପାରିବ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଚୌଦ୍ୱାରରେ ଓଟିଏମ୍ (ଓଡ଼ିଶା ଟେକ୍ସଟାଇଲ୍ ମିଲ୍) ଓଡ଼ିଶାର ଗର୍ବ ଓ ଗୌରବ ଭାବେ ମୁଣ୍ଡ ଟେକିଥିଲା । ହଜାର ହଜାର ଶ୍ରମିକ ଓ କର୍ମଚାରୀଙ୍କ ଏହି ଶିଳ୍ପ ମାଧ୍ୟମରେ ଜୀବିକା ନିର୍ବାହ କରୁଥିଲେ । କିନ୍ତୁ, ଆଜି ଏହି ଶିଳ୍ପ ସଂସ୍ଥା ଆଉ ନାହିଁ । ଓଟିଏମ୍ ବନ୍ଦ ହୋଇଯିବାରୁ ବହୁ କୁଶଳୀ, ଅଣକୁଶଳୀ ଶ୍ରମିକ, କର୍ମଚାରୀ ଜୀବିକା ହରାଇଲେ । ଅଧିକାଂଶ ଶ୍ରମିକ ଓ କର୍ମଚାରୀ ଭୋକ ଉପାସରେ ମଲେଣି । ଆଉ କିଛି କାରଖାନା ଖୋଲିବା ଆଶାରେ ମଝିରେ ମଝିରେ ଧାରଣା, ଧର୍ମଘଟ ଓ ରାଜନୈତିକ ବିବୃତିବାଜୀରେ ବ୍ୟସ୍ତ । କିନ୍ତୁ, କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ସରକାରଙ୍କ କାନକୁ ତାହା ସ୍ପର୍ଶ କରୁ ନାହିଁ । ଚୌଦ୍ୱାରରେ ବଂଶୀ ପଣ୍ଡାଙ୍କ ‘ଇମ୍ଫା’ କଂପାନୀରୁ ଧୂଆଁ ଉଠୁ ନ ଥିଲେ ବୋଧହୁଏ ଆଜି ମହାନଦୀ କୂଳରେ ଥିବା ଏହି ଶିଳ୍ପାଂଚଳ କିମ୍ବଦନ୍ତୀ ହୋଇ ସାରନ୍ତାଣି । ଲଗାତର ୨୧ ବର୍ଷ କ୍ଷମତାରେ ରହି ସୁଦ୍ଧା ନିଜ ପିତାଙ୍କ ସ୍ମାରକୀର ପୁନରୁଦ୍ଧାର କରି ପାରୁ ନ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ଶିଳ୍ପ ସମୃଦ୍ଧ କରାଇବାକୁ ସ୍ୱପ୍ନ ଦେଖାଇବା ଦିବାସ୍ୱପ୍ନ ହିଁ କୁହାଯିବ ।
ରାଜ୍ୟର ସହରାଂଚଳ ଓ ଗ୍ରାମାଂଚଳରେ କାମଧନ୍ଦା ଅଭାବରୁ ଓଡ଼ିଶାର କୁଶଳୀ ଓ ଅଶକୁଶଳୀ ଶ୍ରମିକ, ବେକାର ଯୁବତୀ, ଯୁବକ କାମଧନ୍ଦା ଖୋଜିବା ପ୍ରବାସରେ ରାଜ୍ୟ ବାହାରକୁ ଯାଉଛନ୍ତି । ଗୁଜରାଟର ସୁରଟ୍ ସହରରେ ୩ ଲକ୍ଷରୁ ଅଧିିକ ଓଡ଼ିଆ ରହୁଥିବା ବେଳେ ଭାଇଜାଗର ଗାଜୁୱାକାରେ ମଧ୍ୟ ଲକ୍ଷାଧିକ ଓଡ଼ିଆ ରହି ଜୀବିକା ଉପାର୍ଜନ କରୁଥିବା ଦେଖିବାକୁ ମିଳିଛି । ସୂତାକଳ, ହୀରା ପଥର କାମ କରୁଥିବା କାରଖାନା, ଭାଇଜାଗ୍ ଡ଼କ୍ ୟାର୍ଡ ସମେତ ରିଏଲ ଇଷ୍ଟେଟ୍ ଓ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବହୁ ସଂଖ୍ୟାରେ ଓଡ଼ିଆ ଶ୍ରମିକ ନିୟୋଜିତ ଅଛନ୍ତି । ଆନ୍ଧ୍ର ପ୍ରଦେଶ ଓ ତାମିଲନାଡୁରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ଓ ଇଟାଭାଟିରେ କାମ କରୁଥିବା ଶ୍ରମିକଙ୍କ ମଧ୍ୟରେ ଓଡ଼ିଶାର ମହିଳା ଓ ପୁରୁଷ ଶ୍ରମିକଙ୍କ ସଂଖ୍ୟା କିଛି କମ୍ ନୁହେଁ । ଏହାଛଡା, ପାଇପ ମିସ୍ତ୍ରୀ ଭାବେ ଅନେକ ଓଡ଼ିଆ ବିଭିନ୍ନ ରାଜ୍ୟରେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ବାହାର ରାଜ୍ୟରେ କାମଧନ୍ଦା କରି ଜୀବିକା ନିର୍ବାହ କରୁଥିବା ଓଡ଼ିଆଙ୍କ ସଂଖ୍ୟା କେତେ (?), ତାହାର ସଠିକ୍ ହିସାବ ସରକାରଙ୍କ ପାଖରେ ନ ଥିଲା । ଏବେ, କୋଭିଡ଼ ମହାମାରୀ ସମସ୍ତଙ୍କ ଆଖି ଖୋଲିଛି । ଓଡ଼ିଶା ବାହାରେ କାମ କରୁଥିବା ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୧୦/୧୨ ଲକ୍ଷରୁ କମ୍ ନୁହେଁ – ତାହା ଏବେ ଜଣାପଡିଛି । କରୋନା ମହାମାରୀକୁ ନେଇ ଦେଶବ୍ୟାପୀ ତାଲାବନ୍ଦ ସମୟରେ କାମଧନ୍ଦା ହରାଇ ରାଜ୍ୟକୁ ଫେରି ଥିବା ଶ୍ରମିକଙ୍କ ସଂଖ୍ୟା ୫ରୁ ୭ ଲକ୍ଷ ହୋଇଥିବା ବେଳେ ପ୍ରତି ବର୍ଷ କାମଧନ୍ଦା କରିବାକୁ କେତେ ସଂଖ୍ୟାରେ ଲୋକ ବାହାରକୁ ଯାଉଛନ୍ତି, ତାହା ଯେ କେହି ଅନୁମାନ କରିପାରିବ ।
ଦୁଃସ୍ଥିତିରେ ପଡି ରାଜ୍ୟକୁ ଫେରି ଥିବା ଏହି ଶ୍ରମ ଶକ୍ତିକୁ ରାଜ୍ୟର ଅର୍ଥନୈତିକ ପ୍ରଗତିରେ ବିନିଯୋଗ କରିବା ସମୟ ଆସି ଥିବା ସରକାର ସେମାନଙ୍କ ଫେରି ଯିବା ବାଟକୁ ପ୍ରଶସ୍ତ କରୁଥିବା ଦୁର୍ଭାଗ୍ୟଜନକ । ରାଜ୍ୟ ବାହାରେ ଏବେ ଶ୍ରମିକ ସମସ୍ୟା ରହିଛି । କାରଖାନାର ଉତ୍ପାଦନକୁ ପୂର୍ବ ସ୍ଥିତିକୁ ଆଣିବା ପାଇଁ ବାହାର ରାଜ୍ୟ ଶିଳ୍ପ ସଂସ୍ଥାମାନେ ପ୍ରବାସୀ ଶ୍ରମିକଙ୍କ ଫେରନ୍ତା ରାସ୍ତାକୁ ଚାହିଁଛନ୍ତି ଏବଂ ବିମାନ ଟିକଟ, ଭଲ ଦରମା ଓ ମାଗଣା ରହଣୀର ପ୍ରଲୋଭନ ଦେଖାଉଛନ୍ତି । ଓଡ଼ିଶା ଫେରି ଥିବା ପ୍ରବାସୀମାନେ ରାଜ୍ୟରେ ଏକ ଅନିଶ୍ଚିତ ଭବିଷ୍ୟତକୁ ନେଇ ପଡି ରହିବା ଅପେକ୍ଷା ନିଜ ନିଜ କର୍ମ କ୍ଷେତ୍ରକୁ ଫେରି ପୁଣି ଥରେ ଜୀବନ ଜୀବିକାର ସଂଘର୍ଷ ଆରମ୍ଭ କରିବାକୁ ମହତ୍ୱ ଦେଉଛନ୍ତି । ତେଣୁ, ଆମ ଶ୍ରମିକଙ୍କ ଫେରିବା ଆରମ୍ଭ ହୋଇଛି । ଏହି ପରିସ୍ଥିତିରେ ରାଜ୍ୟ ସରକାର ସେମାନଙ୍କ ଦକ୍ଷତାର ମ୍ୟାପିଂ କରି ସେମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବା ବ୍ୟବସ୍ଥା କଲେ ଏହି ଶ୍ରମିକଙ୍କୁ ରାଜ୍ୟର ସ୍ୱାର୍ଥରେ ବିନିଯୋଗ କରି ହୁଅନ୍ତା । କାରଖାନା ଶ୍ରମିକଙ୍କୁ ମାଟି କାମ କରିବାକୁ କହିଲେ କଣ ସେମାନେ କରି ପାରିବେ ନା ଓଡ଼ିଶାରେ ରହିବେ ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS