ମିଡ଼ିଆ ଯୁଦ୍ଧ…
ଭୁବନେଶ୍ୱର
୦୮ ଅଗଷ୍ଟ
ମିଡ଼ିଆ ଯୁଦ୍ଧ…
ଓଡ଼ିଶାରେ ମିଡ଼ିଆ ଯୁଦ୍ଧ କିଛି ନୂଆ ନୁହେଁ । ଏହି ଯୁଦ୍ଧ ସାଧାରଣ ଜନତା ପାଇଁ ନୁହେଁ, ନିଜ ପ୍ରତିପତ୍ତି ପାଇଁ । ରାଜ୍ୟରେ କଂଗ୍ରେସ ଦଳ କ୍ଷମତାରେ ଥିବା ବେଳେ ସରକାର ସପକ୍ଷବାଦୀ ଓ ବିରୋଧୀଙ୍କ ମଧ୍ୟରେ ନିରନ୍ତର ନୀତିଗତ ଯୁଦ୍ଧ ଚାଲି ଥିଲା । ଅଶି ଦଶକରେ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିବା ସମୟରେ କଟକ ଜିଲ୍ଲାରେ ବିଲୁଆଖାଇ ନଦୀ ପଠାରେ ଘଟିଥିବା ଛବିରାଣୀ ମହାପାତ୍ର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀଙ୍କୁ ଘଣ୍ଟ ଘୋଡାଇବାରେ ସରକାରୀ ସମର୍ଥକ ସାମ୍ବାଦିକଙ୍କ ସମସ୍ତ ଉଦ୍ୟମକୁ ପଣ୍ଡ କରିଥିଲେ ନିଜକୁ ସ୍ଵାଧୀନଚେତା ପ୍ରମାଣିତ କରିବାକୁ ଚାହୁଁ ଥିବା କିଛି ଯୁବ ସାମ୍ବାଦିକ । ସେମାନେ ସଂପୃକ୍ତ ଗ୍ରାମରେ ପହଞ୍ଚି ଛବିରଣୀଙ୍କ ସ୍ୱାମୀ ନବକିଶୋର ମହାପାତ୍ରଙ୍କୁ ଉଦ୍ଧାର କରିବା ସହ ବିଲୁଆଖାଇ ନଦୀ ପଠାରେ ଛବିରାଣୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା କରିଥିବା ତତ୍କାଳୀନ ଶାସକ ଦଳ ସମର୍ଥିତ ପ୍ରଭାବଶାଳୀ ଗୋଷ୍ଠୀର ମୁଖା ଖୋଲିଥିଲେ । ଶାସକ ଦଳ ଗୁଣ୍ଡାଙ୍କ ଭୟରେ ଆତ୍ମଗୋପନ କରିଥିବା ଛବିରାଣୀଙ୍କ ସ୍ୱାମୀ ନବ ମହାପାତ୍ରଙ୍କୁ ଭୁବନେଶ୍ୱର ଅଣାଯାଇ ଓଡ଼ିଆ ଖବରକାଗଜ ‘ପ୍ରଗତିବାଦୀ’ କାର୍ଯ୍ୟାଳୟରେ ନିରାପଦ ଆଶ୍ରୟ ଦିଆଯାଇଥିଲା ।
ସେହି ସମୟରେ ଆମେ ଥିଲୁ ଶିକ୍ଷାନଵୀଶ ସାମ୍ବାଦିକ । ନବ ମହାପାତ୍ରଙ୍କୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ନେଇଥିଲେ ଆଜିର ବରିଷ୍ଠ ସାମ୍ବାଦିକ ରବି ଦାସ । ସେହି ସମୟରେ ରବି ଭାଇ ଥିଲେ ‘ Pragatibadi’ ଦୈନିକର କାର୍ଯ୍ୟ ନିର୍ବାହୀ ସମ୍ପାଦକ । ଏହି ସମ୍ବାଦପତ୍ରର ସମ୍ପାଦକ ପ୍ରଦ୍ୟୁମ୍ନ ବଳ ଥିଲେ ଜଣେ ସାଂସଦ । ରବି ଦାସଙ୍କ ସହ ସେହି ସମୟର ଆଉ କିଛି ସ୍ଵାଧୀନଚେତା ସାମ୍ବାଦିକ (ପ୍ରଶାନ୍ତ ପଟ୍ଟନାୟକ, ଅଶୋକ ଦାସ, ଅରୁଣ ସିହ୍ନା, ସ୍ୱରୂପ ଜେନା ପ୍ରମୁଖ) ଏହି ଅଭିଯାନର ନେତତ୍ବ ନେଇ ଥିଲେ । ଆମେ କେବଳ ଦେଖୁଥିଲୁ ସରକାରଙ୍କୁ ନ ଡରି କାମ କରୁଥିବା ଏହି ଟିମ୍ କୁ । ସରକାରଙ୍କ ଚାଟୁକାର ଭାବେ ଚିହ୍ନଟ ସାମ୍ବାଦିକମାନେ ସବୁ ସରକାରୀ ସୁବିଧା ପାଉଥିବା ବେଳେ ନିଜର ନିର୍ଭୀକତା ପ୍ରଦର୍ଶନ କରୁଥିବା ଏହି ସାମ୍ବାଦିକମାନେ ସରକାରଙ୍କ କୃପା ଦୃଷ୍ଟିରୁ ବଞ୍ଚିତ ଥିଲେ । ତେବେ, ଆମ ଭଳି ଯୁବ ସାମ୍ବାଦିକଙ୍କ ପାଇଁ ସେମାନେ ଥିଲେ ପ୍ରେରଣା । ସେମାନଙ୍କ କାର୍ଯ୍ୟଶୈଳୀ ଆମ ପାଇଁ ଆଦର୍ଶରେ ପରିଣତ ହୋଇଥିଲା ।
ଗଲା ୨୦ ବର୍ଷର ବିଜେଡ଼ି ଶାସନରେ ସାମ୍ବାଦିକତା ବୃତ୍ତି ର ପରିଭାଷା ବେଶ୍ ବଦଳି ଯାଇଛି । ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ବେଶ୍ ପରିବର୍ତ୍ତନ ଆସିଛି । ନବେ ଦଶକରେ ସମ୍ବାଦପତ୍ର ଶିଳ୍ପର ମାନ୍ୟତା ପାଇ ସାରିଥିଲା । ବୈଦ୍ୟୁତିକ ଗଣମାଧ୍ୟମ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରି ସାରିଥିଲା । ଛାପା ଗଣମାଧ୍ୟମ ପ୍ରଭାବଶୂନ୍ୟ ନ ଥିଲା ସତ, କିନ୍ତୁ ବୈଦ୍ୟୁତକ ଗଣମାଧ୍ୟମକୁ ସବୁ କ୍ଷେତ୍ରରେ ପ୍ରାଥମିକତା ମିଳୁ ଥିଲା । ସରକାରୀ ଅଧିକାରୀମାନେ ଛାପା ଗଣମାଧ୍ୟମର ଉପସ୍ଥିତିକୁ ଅଣଦେଖା କରି ପ୍ରତିଟି କାର୍ଯ୍ୟକ୍ରମରେ ବୈଦ୍ୟୁତିକ ଗଣମାଧ୍ୟମର ଉପସ୍ଥିତିକୁ ଖୋଜୁ ଥିଲେ । ଆମ ଭଳି ଛାପା ଗଣମାଧ୍ୟମରେ କାର୍ଯ୍ୟ କରି ଆସୁଥିବା ସାମ୍ବାଦିକଙ୍କ ପାଇଁ ଏହା ଥିଲା ଅସହ୍ୟ । ତଥାପି ଆମେ ବରଦାସ୍ତ କରୁଥିଲୁ ।
୨୦୦୦ ମସିହାରେ ରାଜ୍ୟରେ ବିଜେଡି ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶାରେ ସାମ୍ବାଦିକତାର ଚିତ୍ର ସମ୍ପୂର୍ଣ ବଦଳି ଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ସାମ୍ବାଦିକମାନଙ୍କ ଭେଟ ହୁଏ କେତେ ବେଳେ କେମିତି । ତାହା ମଧ୍ୟ ସରକାରୀ ପ୍ରାୟୋଜିତ । ସରକାରର ମୁଖ୍ୟ ଓ ସାମ୍ବାଦିକଙ୍କ ମଧ୍ୟରେ କେବେ ଅନୌପଚାରିକ ଆଲୋଚନା ବା ମତ ବିନିମୟ ଗଲା ୨୦ ବର୍ଷରେ କେବେ ହୋଇଥିବା ଦେଖିବାକୁ ମିଳି ନାହିଁ । ନିର୍ବାଚନ ହେଉ ବା ଅନ୍ୟ ସମୟରେ ମୁଖ୍ୟମନ୍ତ୍ରୀ ଓ ସାମ୍ବାଦିକଙ୍କ ମଧ୍ୟରେ ଭାବ ବିନିମୟ ହୁଏ ସୀମିତ କିଛି ପ୍ରଶ୍ନ ଓ ଉତ୍ତରରେ । ତାହା ମଧ୍ୟ ମାତ୍ର କିଛି ମିନିଟ୍ ପାଇଁ । ଅବଶ୍ୟ ଲୋକସେବା ଭବନ ପ୍ରେସ୍ ଲାଉଁଜରେ ବସୁଥିବା ସାମ୍ବାଦିକମାନେ ଅଧିକ କିଛି ଜଣିଥିବେ । ତେବେ, ଆମେ ଜାଣିବାରେ ତୃତୀୟ ମହଲା ସର୍ବଦା ଏକ ଅଭେଦ୍ୟ ଦୁର୍ଗ ରହିଛି । ସାମ୍ବାଦିକ ସଂଘ ନେତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାକୁ ବା କିଛି ଘୋଷଣା ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବଧେଇ ଜଣାଇବାକୁ ସୀମିତ ସମୟ ପାଇଥାନ୍ତି । ତାହା ମଧ୍ୟ ଫଟୋ ସେସନ୍ ମଧ୍ୟରେ ସୀମିତ ରୁହେ ।
ଯେଉଁଠି ସରକାର ଓ ସାମ୍ବାଦିକ ଙ୍କ ମଧ୍ୟରେ ସିଧା ସଳଖ ସଂପର୍କ ନାହିଁ, ସେଠାରେ ଅଫିସର୍ ରାଜ ଚାଲିବା ସ୍ଵାଭାବିକ । ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ସରକାର ଓ ସାମ୍ବାଦିକଙ୍କ ମଧ୍ୟରେ ସେତୁ ହେବା ବଦଳରେ ଏଜେଂଚ୍ ଭୂମିକାରେ ସୀମିତ ହୋଇ ଯାଇଛି | ବିଭିନ୍ନ ଗଣମାଧ୍ୟମ ସଂସ୍ଥାଂକୁ ସ୍ବୀକୃତି ଦେବା ସହ ବିଜ୍ଞାପନ ଏବଂ ଭିଜୁଆଲ୍ ମିଡିଆକୁ କାମ ଦେବାରେ ଯେଉଁ ଟେବୁଲ ତଳ କାରବାରର ଅଭିଯୋଗ ହେଉଛି ତାହାର ତଦନ୍ତ କରିବାକୁ କେହି ନାହାନ୍ତି | ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ପାଇଁ ଅପହଂଚ ହୋଇଥିବା ବେଳେ ଆଇଏଏସ୍, ଆଇପିଏସ୍ ମାନେ ସରକାର ଚଳାଉଛନ୍ତି | ଯେଉଁଠି ବିଧାୟକ, ଏମ୍ ପି ଓ ମୁଖ୍ୟମନ୍ତ୍ରୀଂକ ଦ୍ବାରା ବିଭିନ୍ନ ସରକାରୀ ବିଭାଗ ପାଇଁ ନିଯୁକ୍ତ ବିଜେଡି ରଥୀମାନେ ସରକାରୀ ଅନୁଗ୍ରହ ଅପେକ୍ଷାରେ ସେଠି ଗଣମାଧ୍ୟମ ବା ତାହାର ପ୍ରତିନିଧିଂକୁ ପଛରେ କିଏ ?
ଆଜି ସେଇଭଳି ଏକ ଅଵସ୍ଥା ଦେଇ ଗତି କରୁଛି ଓଡ଼ିଶାରେ ସାମ୍ବାଦିକତା । କେନ୍ଦ୍ରରେ ଶାସନରେ ଥିବା ବିଜେପି ଯେଭଳି ଅଧିକାଂଶ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମକୁ ପକେଟସ୍ଥ କରି ଜନମତ ପ୍ରଭାବିତ କରିବାକୁ ନିରନ୍ତର ଉଦ୍ୟମ କରୁଛି, ଓଡ଼ିଶାରେ ମଧ୍ୟ ତାହା ଚାଲିଛି । ଆଜିର ଦିନରେ ସମସ୍ତେ ପକ୍ଷଭୁକ୍ତ । ଓଡ଼ିଶାର ସ୍ବାର୍ଥ ବା ଜନହିତ ପାଇଁ ନୁହେଁ, ନିଜକୁ ସରକାରଙ୍କ କୋପରୁ ଦୂରେଇ ରଖିବା ପାଇଁ, ପଦ ପଦବୀ ମିଳିଗଲେ କ୍ଷମତାକୁ ଭୋଗ କରିବା ପାଇଁ ଏବଂ ସେହି କ୍ଷମତା ବଳରେ ବେଶ୍ କିଛି ରୋଜଗାର କରିବା ପାଇଁ । କୌଣସି ବ୍ୟକ୍ତିଗତ ବା ରାଜନୀତିକ କାରଣରୁ ଯଦି କେହି ବିରୋଧୀ ଭୂମିକା ନେଲା ସରକାରୀ କଳ ନିଜ ବାଟରେ ସେହି ବ୍ୟକ୍ତି ବା ସଂସ୍ଥାକୁ ସାବାଡ କରିବାକୁ ପଛାଉ ନାହିଁ । ଏବେ ଓଡ଼ିଶାର ଏକ ବୈଦ୍ୟୁତିକ ଗଣମାଧ୍ୟମ ଓ ଭୁବନେଶ୍ୱର ମହାନଗର ନିଗମ ମଧ୍ୟରେ ଚାଲି ଥିବା କ୍ଷମତା ଯୁଦ୍ଧ ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ କହିହେବ ।
ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ପରଦାରେ ଆଜି ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ପ୍ରସାରିତ ଦୃଶ୍ୟ ଆଜି ଦିନରେ ଓଡ଼ିଶାରେ ଗଣମାଧ୍ୟମ କେତେ ଦୁର୍ବଳ ଏବଂ ଏକତା ଶୂନ୍ୟ – ତାହା ସୂଚିତ କରୁଛି । ସରକାରୀ ଆକ୍ରୋଶର ଶିକାର ହୋଇଥିବା ଗଣମାଧ୍ୟମଟି ତାହା ସପକ୍ଷରେ ରାଜ୍ୟର କିଛି ବରିଷ୍ଠ ସାମ୍ବାଦକଙ୍କୁ ପରଦା ଉପରକୁ ଟାଣି ଆଣି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଗଣତନ୍ତ୍ରର କଣ୍ଠରୋଧ କରୁଛି ବୋଲି ବଡ଼ ପାଟିରେ କହୁଥିବା ବେଳେ ସରକାରଙ୍କ ବୋଲକରା କିଛି ବୈଦ୍ୟୁତିକ ଗଣମାଧ୍ୟମ ବିଏମ୍ ସି କାର୍ଯ୍ୟାନୁଷ୍ଠାନ ଯଥାର୍ଥ ସାବ୍ୟସ୍ତ କରିବାକୁ ମତାମତ ଯୋଗାଡ କରି ପ୍ରସାରିତ କରିବାରେ ବ୍ୟସ୍ତ । ବିଶେଷ କରି, ରାଜନେତାଙ୍କ ବିବୃତିକୁ ଲକ୍ଷ କଲେ କେଉଁଟା ସରକାରୀ ଚ୍ୟାନେଲ ଓ କେଉଁଟା ବିରୋଧୀ, ତାହା ବୁଝିବାରେ ଅସୁବିଧା ହେଉ ନାହିଁ । ଚ୍ୟାନେଲ୍ କୁ ସୁହାଇଲା ଭଳି ସେମାନଙ୍କ ବିବୃତି ପ୍ରସାରିତ ହେଉଛି ।
ଦିନେ ଯେଉଁ ବୈଦ୍ୟୁତିକ ଗଣମାଧ୍ୟମ ସରକାରଙ୍କ ମୁଖପାତ୍ର ଭାବେ ସମ୍ବାଦ ପରିବେଷଣ କରୁଥିଲା, ଆଜି ସେହି ସଂସ୍ଥା ସରକାରଙ୍କ କଟୁ ସମାଲୋଚକ । ସରକାର ମଧ୍ୟ ଇତିମଧ୍ୟରେ ନିଜର କିଛି ପୋଷା ଚ୍ୟାନେଲ ତିଆରି କରି କାମରେ ଲଗାଇଛନ୍ତି । ସେମାନେ କୌଣସି ନା କୌଣସି କାରଣରୁ ଆବଶ୍ୟକ ସମୟରେ ସରକାରଙ୍କ ପୋଷା କୁକୁର ସାଜିବାକୁ ବାଧ୍ୟ ହେଉଛନ୍ତି । ତେବେ, ତାହାର ସମ୍ପାଦକମାନେ ଦାବି କରନ୍ତି ଯେ ସେମାନେ ହିଁ ହେଉଛନ୍ତି ନିରପେକ୍ଷ ।
ଆଜିର ଦିନରେ ଏତେ କଥା ଲେଖିବାର କାରଣ ହେଉଛି, ଅଶି ଦଶକରେ ସାମ୍ବାଦିକତା କ୍ଷେତ୍ରରେ ଆଦର୍ଶଜନିତ ମତପାର୍ଥକ୍ୟ ଥିଲା । ଚାଟୁକାରିତା ମଧ୍ୟ ରହୁ ଥିଲା । ତଥାପି, ସରକାର ଓ ଗଣମାଧ୍ୟମ ଭିତରେ ନିରନ୍ତର ବାର୍ତା ବିନିମୟ ହେଉଥିଲା । କିନ୍ତୁ, ଆଜିର ଦିନରେ ତାହା ନାହିଁ । ଆଦର୍ଶଗତ ମତପାର୍ଥକ୍ୟ ଦୂର କଥା ଆଜିର ଦିନରେ ସାମ୍ବାଦିକତା ନା’ରେ କେବଳ ବୋକଚା ବୁହା ଚାଲିଛି । ବାକ୍ ସ୍ବାଧୀନତା ଓ ଗଣତନ୍ତ୍ରର କଣ୍ଠରୋଧ ଭଳି ଶବ୍ଦ କେବଳ ଲୋକ ଦେଖାଣିଆ ହୋଇଛି | ପରିସ୍ଥିତି ବଦଳିଲେ ତାହାର ସଂଜ୍ଞା ଓ ପ୍ରୟୋଗ ମଧ୍ୟ ବଦଳି ଯାଉଛି | ତେଣୁ, ନିରପେକ୍ଷତା, ବାକ୍ ସ୍ଵାଧୀନତା, ଗଣତନ୍ତ୍ରର କଣ୍ଠରୋଧ ଭଳି ଶବ୍ଦ ଆଜିର ଦିନରେ ସାମ୍ବାଦିକତା ପାଇଁ କୌଣସି ପ୍ରକାର ଅର୍ଥ ରଖୁ ନାହିଁ କହିଲେ ଭୁଲ ହେବ ନାହିଁ ।
ପ୍ରସାଦ ରାଓ
ମୁଖ୍ୟ ସମ୍ପାଦକ
ମୋ ଅନୁଭବ ମିଡ଼ିଆ
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS