ନେତ୍ରାନନ୍ଦଙ୍କ ମୃତ୍ୟୁ ପରେ କବର ଭିତରୁ ବାହାରିଲା ଇତିଶ୍ରୀ ପ୍ରଧାନ ହତ୍ୟା ମାମଲା !
କୋରାପୁଟ
ମୋଅନୁଭବ ମିଡ଼ିଆ
ଅଗଷ୍ଟ ୧୭
୨୦୧୩ ଅକ୍ଟୋବର ମାସରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଟିିକିରିରେ ଘଟି ଥିବା ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡ ଆଜି ପୁଣି ଥରେ ନିଆଁ ଭିତରୁ ଧୂଆଁ ହୋଇ ବାହାରକୁ ବାହାରିଛି । ଏହି ହତ୍ୟା ଘଟଣାରେ ରାଜ୍ୟ ସରକାର ପୂର୍ବରୁ ମଧ୍ୟ ଦୋଷୀ ମନେ ହେଉଥିଲେ । ଏବେ, ହତ୍ୟା ଷଡଯନ୍ତ୍ରର ମୁଖ୍ୟ ନାୟକ ଭାବେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ନେତ୍ରାନନ୍ଦ ଦଣ୍ଡସେନା ନାମକ ଜଣେ ପୂର୍ବତନ ସ୍କୁଲ ଏସଆଇ କାଲି ରାତିରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ହସପିଟାଲରେ ମୃତ୍ୟୁବରଣ କରିବା ପରେ ଏହି ମାମଲାରେ ହୋଇଥିବା ସରକାରୀ ଅବହେଳା ପୁଣି ଥରେ ଚର୍ଚ୍ଚାକୁ ଆସିଛି । ଇତିଶ୍ରୀ କବର ଭିତରୁ ବାହାରି ପୁନର୍ବାର ରାଜ୍ୟ ସରକାରଙ୍କୁ ଆଣି କାଠଗଡାରେ ଠିଆ କରାଇଲା ଭଳି ଆଜିର ଆଲୋଚନାରୁ ମନେ ହେଉଛି ।
ଉପକୂଳ ଓଡ଼ିଶାର ଝିଅଟିଏ ଥିଲେ ଇତିଶ୍ରୀ ପ୍ରଧାନ । ପରିବାର ପ୍ରତିପୋଷଣ ପାଇଁ ସେ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ ଟିକିରି ପ୍ରୋଜକ୍ଟ ୟୁପି ସ୍କୁଲରେ ଠିକା ଶିକ୍ଷୟିତ୍ରୀ ଚାକିରୀରେ ଯୋଗ ଦେବାକୁ ବାଧ୍ୟ ହୋଇଥିଲେ । ସେ କାର୍ଯ୍ୟରେ ଯୋଗ ଦେବା ପରଠାରୁ ହିଁ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆ ଯାଉଥିବା ଅଭିଯୋଗ ହୋଇଥିଲା । ରାୟଗଡ଼ା ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ସବୁ କିଛି ଅବଗତ ଥାଇ ମଧ୍ୟ ତାଙ୍କୁ କୌଣସି ପ୍ରକାର ସହାୟତା ନ କରିବାରୁ ନିର୍ଯ୍ୟାତନା ଦେଉଥିବା ଲୋକମାନଙ୍କ ସାହାସ ବଢି ଯାଇଥିଲା । ଇତିଶ୍ରୀ ପୁଲିସ ଓ ଜିଲ୍ଲା ପ୍ରଶାସନ ନିକଟରେ କରିଥିବା ଅଭିଯୋଗ ଫେରସ୍ତ ନେବାକୁ ଚାପ ପକାଇ ବିଫଳ ହେବା ପରେ ଦୁର୍ବୁତ୍ତମାନେ ଇତିଶ୍ରୀଙ୍କୁ ତାଙ୍କ ଘର ଭିତରେ ହିଁ ପୋଡି ମାରି ଦେଇଥିଲେ । ରାଜ୍ୟ ସରକାର ନିଜ ଅବହେଳା ପାଇଁ ରାଜ୍ୟରେ ଓ ରାଜ୍ୟ ବାହାରେ ଦୃଢ ସମାଲୋଚନାର ସମ୍ମୁଖୀନ ହେବା ପରେ ରାଜ୍ୟ କ୍ରାଇମ୍ ବ୍ରାଂଚକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇଥିଲେ । କ୍ରାଇମ୍ ବ୍ରାଂଚ୍ ମାମଲାର ତଦନ୍ତ କରି ମୁଖ୍ୟ ଆସାମୀକୁ ଚିହ୍ନଟ କରି ପାରି ନ ଥିଲେ ମଧ୍ୟ ଏହି ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ଭାବେ କାଶୀପୁର ବ୍ଲକର ପୂର୍ବତନ ସ୍କୁଲ ଏସଆଇ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ ଚିହ୍ନଟ କରି ରାୟଗଡ଼ା ଜିଲ୍ଲା ଓ ସେସନ୍ସ ଜଜଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ । କୋର୍ଟ ୨୦୧୬ ଏପ୍ରିଲରେ ଦଣ୍ଡସେନାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କୋରାପୁଟ ଜେଲରେ ଦଣ୍ଡସେନା ଏହି ଦଣ୍ଡ ଭୋଗୁଥିବା ବେଳେ କାଲି ରାତିରେ ଅସୁସ୍ଥ ଅବସ୍ଥାରେ କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସପିଟାଲରେ ତାଙ୍କ ମୃତ୍ୟୁ ଘଟିଛି ।
ଦଣ୍ଡସେନା ଦୁଇ ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କୁ ଚିକିତ୍ସା ପାଇଁ ଏହି ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ତାଙ୍କ ମୃତ୍ୟୁ ଘଟିଛି ବୋଲି ଜେଲ୍ ସୁପରିଟେଣ୍ଡେଂଟ ସୂଚନା ଦେଇଥିଲେ ମଧ୍ୟ ଦଣ୍ଡସେନାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ କହି ନାହାନ୍ତି । ଇତିଶ୍ରୀ ପ୍ରଧାନ ଯେଉଁ ସ୍କୁଲରେ ଠିକା ଶିକ୍ଷୟତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ ଦଣ୍ଡସେନା ସେହି ସ୍କୁଲରେ ପୂର୍ବରୁ ପୂର୍ବତନ ପ୍ରଧାନ ଶିକ୍ଷକ ଥିଲେ । ପରେ, ସେ କାଶୀପୁର ବ୍ଲକ ସ୍କୁଲ ଏସଆଇ ହୋଇ ଥିଲେ । ଶାସକ ଦଳର ଜଣେ ତତ୍କାଳୀନ ସାଂସଦଙ୍କ ସହ ଦଣ୍ଡସେନାଙ୍କ ଘନିଷ୍ଟ ସଂପର୍କ ଥିବା ସେହି ସମୟରେ ଅଭିଯୋଗ ହୋଇଥିଲା । ରାଜନୈତିକ ପ୍ରତିପତ୍ତି ଯୋଗୁଁ ଦଣ୍ଡସେନା ପୁଲିସ ଓ ପ୍ରଶାସନର ଛତ୍ରଛାୟା ପାଉଥିଲେ । ଇତିଶ୍ରୀ ପ୍ରଧାନ ଠିକା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ନେତ୍ରାନନ୍ଦ ଦଣ୍ଡସେନା ମନ୍ଦ ଉଦେ୍ଦଶ୍ୟ ରଖି ତାଙ୍କୁ ବିଭିନ୍ନ ଭାବେ ହଇରାଣ କରୁଥିବା ଇତିଶ୍ରୀ ଓ ତାଙ୍କ ପରିବାର ବ୍ଲକ ଓ ଜିଲ୍ଲା ପ୍ରଶାସନଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଲିଖିତ ଭାବେ ଅଭିଯୋଗ କରିଥିଲେ ସୁଦ୍ଧା ସେମାନଙ୍କ ଗୁହାରୀ କେହି ଶୁଣି ନ ଥିଲେ । ଟିକିରି ଥାନା ଓ ରାୟଗଡ଼ା ଜିଲ୍ଲାପାଳ ପ୍ରଶାସନର ନିରବତା ଦଣ୍ଡସୋ ଓ ତାଙ୍କ ସମର୍ଥକମାନଙ୍କୁ ଅଧିକ ଉଗ୍ର କରିଥିବା ବେଳେ ଅସହାୟା ଇତିଶ୍ରୀ ନିଜକୁ ବଂଚାଇବାକୁ ରାହା ନ ପାଇ ହତାଶାରେ ଦିନ କାଟୁଥିଲେ ।
ଇତିଶ୍ରୀ ରାୟଗଡ଼ା ପୁଲିସ ଓ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଯେଉଁ ଅଭିଯୋଗପତ୍ର ଦେଇଥିଲେ ତାହା ଫେରାଇ ଆଣିବାକୁ ଦଣ୍ଡସେନା ଓ ତାଙ୍କ ସମର୍ଥକଙ୍କ ପକ୍ଷରୁ ଇତିଶ୍ରୀଙ୍କ ଉପରେ ବିଭିନ୍ନ ପ୍ରକାର ଚାପ ସୃଷ୍ଟି କରାଯାଇଥିଲା । ତେବେ, ଇତିଶ୍ରୀ ମୁଣ୍ଡ ନୁଆଇଁ ନ ଥିଲେ । ୨୦୧୩ ଅକ୍ଟୋବର ୨୭ ତାରିଖ ରାତି ୯ଟା ୨୦ ମିନିଟରେ ଇତିଶ୍ରୀ ନିଜ ଘରେ ବସି ଗୀତ ଶୁଣୁଥିବା ସମୟରେ କିଛି ଦୁର୍ବୁତ୍ତ ତାଙ୍କ ଘରକୁ ଯାଇ ଥାନାରୁ ଏତଲା ପ୍ରତ୍ୟାହର କରି ନେବାକୁ ଚାପ ପକାଇ ଥିଲେ । ଇତିଶ୍ରୀ ସେମାନଙ୍କ କଥାରେ ରାଜି ନ ହେବାରୁ ସେମାନେ ତାଙ୍କ ଦେହରେ କିରୋସିନୀ ଢାଳି ନିଆଁ ଲଗାଇ ଦେଲେ ବୋଲି ଇତିଶ୍ରୀ ତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀରେ କହିଥିବା ରାୟଗଡ଼ା ଜିଲ୍ଲା ଓ ସେସନ୍ସ ଜଜ୍ ଙ୍କ ଅଦାଲତରେ ଥିବା କ୍ରିମିନାଲ୍ କେସ୍ ରେକର୍ଡ (ସି.ଟି. ନମ୍ବର ୪୮/୨୦୧୪)ରେ ଏହା ଦର୍ଶାଯାଇଛି । ସେଥିରେ ଦର୍ଶାଯାଇଛି ଯେ, ଇତିଶ୍ରୀ ସେଦିନ ରାତିରେ ଘରେ ବସି ଗୀତ ଶୁଣୁଥିବା ସମୟରେ କିଛି ଅଜଣା ବ୍ୟକ୍ତି ତାଙ୍କ ଘରକୁ ଯାଇ ଦଣ୍ଡସେନାଙ୍କ ବିରୋଧରେ ସେ କରିଥିବା ମାମଲା ପ୍ରତ୍ୟାହାର କରି ନେବାକୁ ତାଙ୍କୁ ପ୍ରବର୍ତାଇ ଥିଲେ । ଇତିଶ୍ରୀ ତାହାକୁ ଅଗ୍ରାହ୍ୟ କରି ଦେବାରୁ ଦୁର୍ବୁତ୍ତମାନେ ତାଙ୍କ ଉପରେ କିରୋସିନୀ ଢାଳି ଦେହରେ ନିଆଁ ଲଗାଇ ଦେଇଥିଲେ ।
ଇତିଶ୍ରୀଙ୍କୁ ଅତ୍ୟନ୍ତ ମୂମୂର୍ଷୁ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ଟିକିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା । ସେଠାକାର ମେଡ଼ିକାଲ ଅଫିସର ଇତିଶ୍ରୀଙ୍କୁ ଆବଶ୍ୟକ ପ୍ରାଥମିକ ଚିକିତ୍ସା ଦେବା ସହ ତାଙ୍କ (ଇତିଶ୍ରୀଙ୍କ) ବଂଚିବା ଆଶା କ୍ଷୀଣ ଥିବା ଦେଖି ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରାଇ ନେଇ ଥିଲେ । ସେଠାରୁ ଇତିଶ୍ରୀଙ୍କୁ ଅଧିକ ସ୍ପେଶାଲାଇଜଡ୍ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ରାୟଗଡା ଜିଲ୍ଲା ଚିକିତ୍ସାଳୟକୁ ଇତିଶ୍ରୀ ସ୍ଥାନାନ୍ତର ହେବା ପରେ ଘଟଣା ସଂପର୍କରେ ପୋଲିସକୁ ଖବର ଦିଆଯାଇଥିଲା । ରାୟଗଡ଼ା ପୁଲିସ ଏବଂ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ରାୟଗଡ଼ା ତହସିଲଦାର ହସପିଟାଲରେ ପହଂଚି ପୁନଃ ଇତିଶ୍ରୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ରେକର୍ଡ କରିଥିଲେ । ତାଙ୍କ ଅବସ୍ଥା ସାଂଘାତିକ ଥିବା ଦେଖି ରାୟଗଡ଼ା ଜିଲ୍ଲା ହସପିଟାଲ ଡ଼ାକ୍ତର ଇତିଶ୍ରୀଙ୍କୁ ବିଶାଖାପାଟନମ୍ ସ୍ଥିତ ସେଭେନ୍ ହିଲ୍ସ୍ ହସପିଟାଲକୁ ରେଫର କରି ଦେଇଥିଲେ । ସେଭେନ୍ ହିଲ୍ସ ହସପିଟାଲରେ ଚିକିତ୍ସାଧିନ ଥିବା ଅବସ୍ଥାରେ ୨୦୧୩ ନଭେମ୍ବର ୧ତାରିଖ ମଧ୍ୟାହ୍ନ ୧୧ଟା ୧୪ ମିନିଟରେ ଇତିଶ୍ରୀଙ୍କୁ ମୃତ୍ୟୁ ଘଟିଥିଲା ।
ଇତିଶ୍ରୀଙ୍କୁ ନିର୍ମମ ଭାବେ ହତ୍ୟା କରାଯିବା ଘଟଣାରେ ପୁଲିସ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହଜନକ ରହିବାରୁ ଗଣମାଧ୍ୟମରେ ଏହାର କଟୁ ସମାଲୋଚନା ହୋଇଥିଲା । ବିରୋଧୀ ମଧ୍ୟ ସରକାରଙ୍କୁ କଡା ସମାଲୋଚନା କରିବାରୁ ରାଜ୍ୟ ସରକାର ବାଧ୍ୟ ହୋଇ ରାଜ୍ୟ କ୍ରାଇମ ବ୍ରାଂଚକୁ ମାମଲାର ତଦନ୍ତ ଦାୟିତ୍ୱ ଦେଇ ଥିଲେ । ତେବେ, ରାଜ୍ୟ କ୍ରାଇମ୍ ବ୍ରାଂଚ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହେଲା ନାହିଁ । ପୂର୍ବତନ ସ୍କୁଲ ଏସଆଇ ନେତ୍ରାନନ୍ଦ ଦଣ୍ଡସେନା ହିଁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ରାୟଗଡା ଜିଲ୍ଲା ଓ ସେସନ୍ସ ଜଜ୍ ଙ୍କ ଅଦାଲତରେ ରାଜ୍ୟ କ୍ରାଇମ୍ ବ୍ରାଂଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରା ଗଲା । ରାୟଗଡ଼ା ଜିଲ୍ଲା ଓ ସେସନ୍ସ ଜଜ୍ ଏହି ମାମଲାର ବିଚାର କରି ୨୦୧୬ ଏପ୍ରିଲ ୨୬ ତାରିଖରେ ରାୟ ଦେଲେ । ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୦୨ ଅନ୍ତର୍ଗତ ଦଫା ୧୨୦ (ବି)ରେ ନେତ୍ରାନନ୍ଦ ଦଣ୍ଡସେନାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ସ୍ୱରୂପ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ।
ଠିକା ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନଙ୍କୁ ଟିକିରିରେ ଯେଭଳି ଭାବେ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଗଲା ଏବଂ ତାଙ୍କୁ ପୋଡି ଦିଆଗଲା, ତାହା ରାଜ୍ୟବ୍ୟାପୀ ଅସନ୍ତୋଷ ସୃଷ୍ଟି କରିଥିଲା । ଓଡ଼ିଶା କ୍ରାଇମ ବ୍ରାଂଚ୍ ର ତଦନ୍ତକୁ ନେଇ ମଧ୍ୟ ଜନସାଧାରଣରେ ସନ୍ଦେହ ରହିଛି । ଏଭଳି ଅବସ୍ଥାରେ, ଇତିଶ୍ରୀ ହତ୍ୟା ଘଟଣାର ପୁନଃ ତଦନ୍ତ ପାଇଁ ବାଂଗାଲୁରୁର ଜଣେ ଆଇନ ଛାତ୍ର ସୁପ୍ରିମ କୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯିବାକୁ ନିର୍ଦେଶ ଦେଇଥିଲେ । ସିବିଆଇ ରାଜ୍ୟ କ୍ରାଇମ ବ୍ରାଂଚ ଦ୍ୱାରା ହୋଇଥିବା ତଦନ୍ତ ଭିତ୍ତିରେ ନିଜ ଆଡୁ ମାମଲାର ତଦନ୍ତ କରିଥିଲା । କିନ୍ତୁ, ଓଡ଼ିଶା ପୁଲିସର କ୍ରାଇମ୍ ବ୍ରାଂଚ ଭଳି ସିବିଆଇ ମଧ୍ୟ ଏହି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇ ନେତ୍ରାନନ୍ଦ ଦଣ୍ଡସେନାଙ୍କ ପାଖରେ ହିଁ ଅଟକି ଯାଇଥିଲା । ସିବିଆଇ ସର୍ବୋଚ୍ଚ ନ୍ୟାୟାଳୟ ନିକଟରେ ହାତ ଟେକି ଦେବା ପରେ ମାମଲାର ପୂର୍ଣ୍ଣଛେଦ ପଡିଛି ସିନା ରାଜ୍ୟ ସରକାରଙ୍କ ଉପରେ ଜନସାଧାରଣ ମନରେ ଥିବା ସନ୍ଦେହ ଆଜି ବି ଅପରିବର୍ତତ ରହିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS