ନିର୍ବାଚନ କମିସନର୍ ଅଶୋକ ଲାଭାସାଙ୍କ ଇସ୍ତଫା, ଏଡ଼ିବି ଉପ ସଭାପତି ଭାବେ ଯୋଗ ଦେବେ
ନୂଆଦିଲ୍ଲୀ
ମୋଅନୁଭବ.କମ୍
ଅଗଷ୍ଟ ୧୮
ଏସୀୟ ଉନ୍ନୟନ ବ୍ୟାଙ୍କ୍ (ଏଡ଼ିବି)ର ଉପ ସଭାପତି ଭାବେ ନିଯୁକ୍ତି ପାଇ ଥିବା ୬୨ ବର୍ଷ ବୟସ୍କ ଅଶୋକ ଲାଭାସା ଆଜି ଦେଶର ନିର୍ବାଚନ କମିସନର୍ ପଦରୁ ଇସ୍ତଫା ଦେଇଛନ୍ତି । ସେ ୨୦୧୮ ମସିହା ଜାନୁୟାରୀ ମାସରେ ନିର୍ବାଚନ କମିସନର୍ ଭାବେ ନିଯୁକ୍ତି ପାଇ ଥିଲେ । ଲାଭାସାଙ୍କ କାର୍ଯ୍ୟକାଳ ଆଉ ଦୁଇ ବର୍ଷ ବାକି ଥିଲା । ତେବେ, ଏସୀୟ ଉନ୍ନୟନ ବ୍ୟାଙ୍କ ବା ଏଡ଼ିବି ଗତ ଜୁଲାଇ ୧୫ ତାରିଖରେ ଲାଭାସାଙ୍କୁ ଏଡ଼ିବିର ପରବର୍ତି ଉପ ସଭାପତି ଭାବେ ନାମିତ କରିବାରୁ ସେ ନିର୍ବାଚନ କମିସନର୍ ପଦ ଛାଡିବା ଏକ ପ୍ରକାର ନିଶ୍ଚିତ ଥିଲା । ଏଡିବିରେ ନୂତନ ନିଯୁକ୍ତି ମିଳିବାର ଠିକ୍ ମାସକ ପରେ ଲାଭାସା ନିର୍ବାଚନ କମିସନର ପଦରୁ ଇସ୍ତଫା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରଠାରୁ କେନ୍ଦ୍ର ସରକାରଙ୍କ ସହ ଲାଭାସାଙ୍କ ସଂପର୍କ ସେତେ ଭଲ ନ ଥିଲା । କାରଣ, ସାଧାରଣ ନିର୍ବାଚନ ସମୟରେ ବିରୋଧୀ ଦଳଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତକ୍ରାଳୀନ ବିଜେପି ରାଷ୍ଟ୍ରୀୟ ସଭାପତି (ବର୍ତମାନର କେନ୍ଦ୍ର ଗୃହ ମନ୍ତ୍ରୀ) ଅମିତ ଶାହାଙ୍କ ବିରୋଧରେ ଏକାଧିକ ଆଚରଣବିଧି ଉଲଂଘନ ଅଭିଯୋଗ ଆସିଥିଲା । କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଛଅଟି ଅଭିଯୋଗ ଥିଲା । ଏସବୁ ଅଭିଯୋଗ ଉପରେ ନିର୍ବାଚନ କମିସନ୍ ସଦସ୍ୟମାନେ ସଂଖ୍ୟାଗରିଷ୍ଠ ମତ ଭିତ୍ତିରେ ସରକାରଙ୍କ ସପକ୍ଷରେ ରୁଲିଂ ଦେଇଥିଲେ । ନିର୍ବାଚନ କମିସନର ଲାଭାସାଙ୍କ ମତାମତକୁ ଗୁରୁତ୍ୱ ଦିଆ ଯାଇ ନ ଥିଲା । ସେ ସହମତ ନ ଥିଲେ ମଧ୍ୟ ସେସବୁ ରୁଲିଂ କାର୍ଯ୍ୟକାରୀ ହୋଇଥିଲା । ଏଥିରେ ଅସନ୍ତୁଷ୍ଟ ଲାଭାସା କହିଥିଲେ, ଭାରତୀୟ ନିର୍ବାଚନ କମିସନ୍ ଭଳି ଏକାଧିକ ସଦସ୍ୟ ବିଶିଷ୍ଟ ସାମ୍ବିଧାନିକ ସଂସ୍ଥାମାନଙ୍କରେ ‘ସଂଖ୍ୟାଲଘୁ ମତ’ର କୌଣସି ମହତ୍ୱ ନଥାଏ । ପରବର୍ତି ସମୟରେ ସେ ନିର୍ବାଚନ କମିସନ୍ ର ଅନ୍ୟ ସବୁ ବୈଠକରେ ଯୋଗ ଦେବା ବନ୍ଦ କରିଥିଲେ । ନିର୍ବାଚନ କମିସନର୍ ଲାଭାସାଙ୍କ ଏହି ଭିନ୍ନ ମତ ଯୋଗୁଁ ବୋଧହୁଏ ତାଙ୍କୁ କେନ୍ଦ୍ର ସରକାରଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା । ତାଙ୍କ ପତ୍ନୀ ନଭେଲ୍ ଏସ୍ ଲାଭାସାଙ୍କ ଆୟକର ପୈଠ ବିବରଣୀରେ ଅସାମଂଜସ୍ୟ ରହି ଥିବା ଦର୍ଶାଇ ଆୟକର ବିଭାଗ ପକ୍ଷରୁ ଶ୍ରୀମତୀ ଲାଭାସା ତାଙ୍କୁ ନୋଟିସ ଜାରି କରାଯାଇ ଥିଲା । ତେବେ, ଶ୍ରୀମତୀ ଲାଭାସା ଏହାର ଉତ୍ତର ଦେଇ ଆୟକର ପୈଠରେ ସେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିଥିବା ଏବଂ ଯେଉଁ ଆୟ ଦେଖାଇଛନ୍ତି ତାହା ଉପରେ ଯେତିକି ଟିକସ ପୈଠ କରିବା କଥା ସେ କରିଥିବା ସରକାରଙ୍କୁ ଜଣାଇ ଥିଲେ । ଏଭଳି ଏକ ପରିସ୍ଥିତିରେ ଅଶୋକ ଲାଭାସାଙ୍କୁ ଏସୀୟ ଉନ୍ନୟନ ବ୍ୟାଙ୍କର ଉପ ସଭାପତି ଭାବେ ନିଯୁକ୍ତି ମିଳିବା ଉଭୟ ସରକାର ଓ ଲାଭାସାଙ୍କୁ ଆଶ୍ୱସ୍ତ କରିଛି । ନିର୍ବାଚନ କମିସନର୍ ପଦରୁ ଇସ୍ତଫା ଦେଇଥିବା ଲାଭାସା ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟରୁ ବିଜିନେସ୍ ପାଠ୍ୟକ୍ରମରେ ଏବଂ ମାଦ୍ରାସ ବିଶ୍ୱ ବିଦ୍ୟାଳୟରୁ ଡ଼ିଫେନ୍ସ ଏଣ୍ଡ୍ ଷ୍ଟ୍ରାଟେଜି୍କ ଷ୍ଟଡିସ୍ରେ ଡ଼ିଗ୍ରୀ ହାସଲ କରିଛନ୍ତି । ଏସୀୟ ଉନ୍ନୟନ ବ୍ୟାଙ୍କରେ ଲାଭାସାଙ୍କ ନିଯୁକ୍ତିରେ କେନ୍ଦ୍ର ସରକାର ଅନୁମୋଦନ ଥିବା ସୂଚନା ମିଳିଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS