କଂଗ୍ରେସରେ ନେତୃତ୍ୱ ପରିବର୍ତନ ଦାବି ବିଜେପି ଷଡଯନ୍ତ୍ର ନୁହେଁ ତ ?
ପ୍ରସାଦ ରାଓ
ମୋଅନୁଭବ.କମ୍
ଅଗଷ୍ଟ ୨୪
ଦଳର ୨୩ ତୁଙ୍ଗ ନେତା ଭାରତୀୟ ଜାତୀୟ କଂଗ୍ରେସର ଅନ୍ତଃରୀଣ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ନେତୃତ୍ୱ ପରିବର୍ତନ ସପକ୍ଷରେ ମତ ରଖିବାରୁ ଗତ ରବିବାରରୁ ଯେଉଁ କୋଳାହଳ ଆରମ୍ଭ ହୋଇଥିଲା ସାମୟିକ ଭାବେ ସେଥିରେ ଭଟ୍ଟା ପଡିଛି । ନେତୃତ୍ୱ ପରିବର୍ତନ ପାଇଁ ଉଠି ଥିବା ଦାବି ତାଙ୍କ ନେତୃତ୍ୱ ପ୍ରତି ଏକ ଆହ୍ୱାନ ବୋଲି ଅନୁଭବ କରିବା ପରେ କଂଗ୍ରେସର ଅନ୍ତଃରୀଣ ଅଧ୍ୟକ୍ଷା ଶ୍ରୀମତୀ ଗାନ୍ଧୀ ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବାକୁ ମନ ବଳାଇଛନ୍ତି । ଆଜି ଅନୁଷ୍ଟିତ ଦଳର ଜାତୀୟ କାର୍ଯ୍ୟକାରୀଣୀ ବୈଠକରେ ସେ ଏହା ଜଣାଇ ଦେବା ସହ କଂଗ୍ରେସର ସ୍ଥାୟୀ ସଭାପତି ଚୟନ ପାଇଁ ଏଆଇସିସିର ଏକ ବିଶେଷ ଅଧିବେଶନ ଡକାଯିବ ବୋଲି ସୂଚନା ଦେଇଛନ୍ତି । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଆଜି ଏହି କାର୍ଯ୍ୟକାରୀଣୀ ବୈଠକ ଚାଲିଥିଲା ଏବଂ ସ୍ଥାୟୀ ସଭାପତି ନିଯୁକ୍ତି ନେଇ ଦଳ ଭିତରେ ମଂଥନ ହୋଇଥିଲା ।
ଦଳର ନୂଆ ସଭାପତି ଚୟନ ପର୍ଯ୍ୟନ୍ତ ଶ୍ରୀମତୀ ଗାନ୍ଧୀ ଅନ୍ତଃରୀଣ ସଭାପତି ପଦରେ ରୁହନ୍ତୁ ବୋଲି ଆଜିର ବୈଠକରେ ଦଳର ବରିଷ୍ଠ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଅନୁରୋଧ କରିଥିବା ଜଣାପଡିଛି । ପୂର୍ବାହ୍ନରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଦଳର ଏହି ଜାତୀୟ କାର୍ଯ୍ୟକାରୀଣୀ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ତାହା ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲି ଥିଲା । ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ବୈଠକରେ ଯୋଗ ଦେଇ ଦଳର ସ୍ଥାୟୀ ସଭାପତି ନିଯୁକ୍ତି ଦାବି ଉପରେ ସିଧାସଳଖ କିଛି ମତ ରଖି ନ ଥିଲେ ମଧ୍ୟ ଅନ୍ତଃରୀଣ ସଭାପତି ଥିବା ଶ୍ରୀମତୀ ଗାନ୍ଧୀ ଅସୁସ୍ଥ ରହି ଚିକିତ୍ସାଧିନ ଥିବା ସମୟରେ ଏଭଳି ଦାବି ଉଠିବା ଓ ଶ୍ରୀମତୀ ଗାନ୍ଧୀଙ୍କୁ ଚିଠି ଲେଖାଯିବା ପଛରେ ଷଡଯନ୍ତ୍ର ଥିବା ଅଭିଯୋଗ କରିଛନ୍ତି । ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନେ ଯେଉଁ ସମୟକୁ ବାଛିଲେ ତାହା ଚିନ୍ତାର ବିଷୟ ବୋଲି ରାହୁଲ କହିଥିବା ସୂଚନା ମିଳିଛି ।
ଏହା ପଛରେ ବିଜେପିର ଷଡଯନ୍ତ୍ର ଥିବା ରାହୁଲ ଟ୍ୱିଟ୍ କରିବା ପରେ ବରିଷ୍ଠ କଂଗ୍ରେସ ନେତା କପିଲ ସିବ୍ବଲ ତାହାର ଦୃଢ ବିରୋଧ କରି ପାଲଟା ଟ୍ୱିଟ୍ କରିଥିଲେ । ସିଡ଼ବ୍ଲୁସି ବୈଠକରେ ତାହାକୁ ନେଇ ତୁମ୍ବିତୋଫାନ ହୋଇଥିଲା । ଅସନ୍ତୁଷ୍ଟ ନେତାମାନେ ବିଜେପି ଦ୍ୱାରା ପ୍ରେରିତ ହୋଇ ଏଭଳି କାର୍ଯ୍ୟ କରିଥିବା ରାହୁଲ ଓ ପ୍ରିୟଙ୍କାଙ୍କ ଅଭିଯୋଗ ଉପରେ ବୈଠକରେ ଗୁଲମ ନବିଙ୍କ ସମତେ ବହୁ ବରିଷ୍ଠ କଂଗ୍ରେସ ନେତା ଅସନ୍ତୋଷ ପ୍ରକାଶ କରିଥିଲେ । ଦଳ ପ୍ରତି ଦୀର୍ଘ ବର୍ଷ ଧରି ଥିବା ସେମାନଙ୍କ ଆନୁଗତ୍ୟର ହଲପ ଖାଇ ଥିଲେ । ଗୁଲମ ନବୀ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଧମକ ଦେବା ଓ କପିଳ ସିବ୍ବଲ ରାହୁଲଙ୍କୁ ଚ୍ୟାଲେଂଜ କରି ଟ୍ୱିଟ୍ କରିବା ଏହି ସିଡ଼ବ୍ଲୁସି ବୈଠକର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅବଧାରା ଥିଲା । ବୈଠକରେ ଏହା ଉପରେ ଯୋରଦାର ଆଲୋଚନା ହୋଇଥିଲା । ବିଜେପି ସହ କଂଗ୍ରେସ ଅସନ୍ତୁଷ୍ଟଙ୍କ ସଂପର୍କ ଥିବା ନେଇ ରାହୁଲ ଓ ପ୍ରିୟଙ୍କା କେସଣସି ମନ୍ତବ୍ୟ ଦେଇ ନାହାନ୍ତି ବୋଲି ଗାନ୍ଧୀ ପରିବାରର ଅନୁଗତ ଗୋଷ୍ୀଂ ସଫେଇ ଦେବା ପରେ ଗୁଲାମ ନବୀ ଓ ସିବ୍ବଲ ନରମି ଥିଲେ । ଉଭୟ ରାହୁଲ ଓ ସିବ୍ବଲ ନିଜ ନିଜ ଟ୍ୱିଟ୍ ପ୍ରତ୍ୟାହର କରି ନେଇ ବୁଝାମଣାର ରାସ୍ତା ଖୋଲି ଥିଲେ ।
ଉଲ୍ଲେଖନୀୟ ଯେ, ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, କପିଲ ସିବ୍ବଲ, ଶଶି ଥରୁର, ଆନନ୍ଦ ଶର୍ମା, ଭୂପିନ୍ଦର ସିଂହ ହୁଡ୍ଡା, ବୀରାପ୍ପା ମୋଇଲି, ପୃଥ୍ୱୀରାଜ ଚୌହାନ, ମନିଷ ତିୱାରୀ ପ୍ରମୁ୍ଖ ସୋନିଆଙ୍କୁ ଚିଠି ଲେଖି ଦଳର ନେତୃତ୍ୱ ପରିବର୍ତନ ସପକ୍ଷରେ ମତ ରଖି ଥିଲେ । ଦଳରେ ଜଣେ ସ୍ଥାୟୀ ସଭାପତି ନିଯୁକ୍ତି ଦିଆଯିବା ସହ ଆବଶ୍ୟକ ସାଂଗଠନିକ ପରିବର୍ତନ କରାଯାଇ ଦଳକୁ ସୁଦୃଢ କରାଯିବା ସପକ୍ଷରେ ସେମାନେ ପ୍ରସ୍ତାବ ଦେଇଛନ୍ତି । ଅପରପକ୍ଷରେ, ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ, ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଥିବା ଅଧିର ରଂଜନ ଚୌଧୁରୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ ବୁହୁ ରାଜ୍ୟର କଂଗ୍ରେସ ମୁଖ୍ୟ ଗାନ୍ଧୀ ପରିବାର ଓ ତାହାର ନେତୃତ୍ୱ ପ୍ରତି ଗଭୀର ଆସ୍ଥାଭାବ ପ୍ରକଟ କରି ସୋନିଆ ବା ରାହୁଲ ଦଳର ଶୀର୍ଷ ନେତୃତ୍ୱରେ ରୁହନ୍ତୁ ବୋଲି ମତ ରଖିଛନ୍ତି ।
ତେବେ, ଦଳର ଅଧ୍ୟକ୍ଷ ପଦ ରାହୁଲ ଓ ସୋନିଆ ମଧ୍ୟରେ ‘ସଟଲ୍ କର୍କ’ ଭଳି ଏପାଖ ସେପାଖ ହେବା ଦଳର ବହୁ ତୁଙ୍ଗ ନେତା ଚାହୁଁ ନାହାନ୍ତି । ଦଳ ଭିତରେ ସେମାନେ ଅଣନିଶ୍ୱାସୀ ଅନୁଭବ କରୁଛନ୍ତି । ଦେଶରେ କଂଗ୍ରେସର ଭବିଷ୍ୟତ ଅନ୍ଧକାର ହେବାରେ ଲାଗି ଥିବାରୁ ଆଗାମୀ ଦିନର ଚ୍ୟାଲେଂଜକୁ ସାମନା କରିବା ପାଇଁ ସେମାନେ ଦଳର ନେତୃତ୍ୱ ଓ ସଂଗଠନରେ ଫଳପ୍ରଦ ପରିବର୍ତନ ଚାହୁଁଛନ୍ତି । କିଛି ନେତା ସୋନିଆଙ୍କୁ ଲେଖି ଥିବା ଚିଠିରୁ ତାହା ହିଁ ଅନୁମାନ କରି ହେଉଛି । ସୋନିଆଙ୍କ ନେତୃତ୍ୱରେ କଂଗ୍ରେସ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ସରକାରରେ ଥିଲା । ଡ.ମନମୋହନ ସିଂହ ଏହି ଦୁଇ ସରକାରରେ ପ୍ରଧାନମନ୍ତ୍ରୀ ଥିଲେ ସତ, କିନ୍ତୁ ୟୁପିଏ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧୀ ହିଁ ଦଳ ଓ ସରକାରକୁ ନିୟନ୍ତ୍ରଣ କରୁଥିଲେ । ୟୁପିଏ-୧ ଓ ୟୁପିଏ-୨ ସରକାରରେ ଗଳା ପର୍ଯ୍ୟନ୍ତ ଦୂର୍ନୀତି, ପ୍ରୟାପ୍ରୀତି ଏବଂ ଶାସନଗତ ଅବ୍ୟବସ୍ଥା କେନ୍ଦ୍ରରେ ସରକାର ପରିବର୍ତନ ପାଇଁ ଦେଶବାସୀଙ୍କୁ ବାଧ୍ୟ କରିଥିଲା । ୨୦୧୪ ପୂର୍ବରୁ ଲଗାତର ଗୁଜରାଟ ମୁଖ୍ୟମନ୍ତ୍ରୀ ରହି ଆସିଥିବା ନରେନ୍ଦ୍ର ମୋଦୀ ଦେଶବାସୀଙ୍କ କଂଗ୍ରେସ ବିରୋଧୀ ମନୋଭାବକୁ ଠଉରାଇ ଜନମତକୁ ଶାଣୀତ କରିଥିଲେ ଏବଂ ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ୱରେ ଏନଡ଼ିଏ ପ୍ରବଳ ଜନମତ ଆଧାରରେ ଦେଶରେ ସରକାର ପ୍ରତିଷ୍ଠା କରିଥିଲା ।
୨୦୧୯ରେ ମଧ୍ୟ ତାହାର ପୁନରୁବୃତ୍ତି ଘଟିଛି । ୨୦୨୪ ସାଧାରଣ ନିର୍ବାଚନରେ ଦଳ କ୍ଷମତାକୁ ଫେରିବା ନେଇ ସମ୍ଭାବନା କ୍ଷୀଣ ଥିବା ଦେଖି ଦୁର୍ବଳରୁ ଦୁର୍ବଳତର ହେଉଥିବା ଦଳକୁ ପୁନଃ ସଂଗଠିତ କରିବାକୁ ଦଳର ଅସନ୍ତୁଷ୍ଟ ନେତାମାନେ ଗାନ୍ଧୀ ପରିବାର ଉପରେ ଏବେ ଚାପ ବଢାଇଛନ୍ତି । ଗଲା ୬ ବର୍ଷ ମଧ୍ୟରେ ଦେଶରେ ବିଜେପିର ଆଧିପତ୍ୟ ବୃଦ୍ଧି କଂଗ୍ରେସ ନେତାଙ୍କ ପାଇଁ ଅସହ୍ୟ ହୋଇଛି । ସେମାନେ ଦଳକୁ ପୁନଃ ସଂଗଠିତ ରିବା ପାଇଁ ଆଗ୍ରହୀ ବୋଲି ସୋନିଆଙ୍କୁ ଲେଖା ଯାଇଥିବା ଚିଠି କହୁଥିବା ବେଳେ କିଛି କଂଗ୍ରେସ ନେତାଙ୍କ ବିଜେପି ପ୍ରତି ଆକର୍ଷଣ ବଢୁ ଥିବାର ବିଜେପି ସତର୍କତାର ସହ ଏହି ଖେଳ ଖେଳୁଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।
୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ସେହି ସମୟରେ ଏଆଇସିସି ସଭାପତି ଥିବା ରାହୁଲ ଗାନ୍ଧୀ ଦଳର କିଛି ତୁଙ୍ଗ ନେତାଙ୍କୁ ଦାୟି କରିଥିଲେ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ କାର୍ଯ୍ୟକାରୀଣୀକୁ ସୁପାରିଶ କରିଥିଲେ । ସେ ନିଜେ ନିର୍ବାଚନ ପରାଜୟ ପାଇଁ ନିଜକୁ ଦାୟି କରି ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଗାନ୍ଧୀ ପରିବାର ବାହାରୁ ଜଣେ କେହି ଦଳର ନେତୃତ୍ୱ ନେବା ସପକ୍ଷରେ ରାହୁଲ ମତ ରଖି ଥିଲେ ମଧ୍ୟ ସେତେବେଳେ ତାଙ୍କ ମତକୁ ସିଡ଼ବ୍ଲୁସି ଗୁରୁତ୍ୱ ଦେଇ ନ ଥିଲା । ଓଲଟା, ଆଜିର ଦିନରେ ଯେଉଁ ତୁଙ୍ଗ ନେତାମାନେ ଦଳର ସ୍ଥାୟୀ ସଭାପତି ନିଯୁକ୍ତି ଓ ଦେଶବ୍ୟାପୀ ସାଂଗଠନିକ ପରିବର୍ତନ ସପକ୍ଷରେ ମତ ରଖି ସୋନିଆଙ୍କୁ ଚିଠି ଲେଖିଛନ୍ତି ଏବଂ ଅନ୍ତଃରୀଣ ଅଧ୍ୟକ୍ଷ ପଦରୁ ସୋନିଆଙ୍କୁ ହଟାଇବାକୁ ଉଦ୍ୟମ କରିଛନ୍ତି ସେହି ନେତାମାନେ ୨୦୧୯ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ପରେ ଅନୁଷ୍ଠିତ ସିଡ଼ବ୍ଲୁସି ବୈଠକରେ ରାହୁଲ ଗାନ୍ଧୀ ସେମାନଙ୍କ ସାମନାରେ ରଖିଥିବା ଆହ୍ୱାନକୁ ଗ୍ରହଣ କଲେ ନାହିଁ କାହିଁକି ?
ସୋନିଆ ଗାନ୍ଧୀ ଦୀର୍ଘ ୨୦ ବର୍ଷ ଏଆଇସିସି ସଭାପତି ରହିବା ପରେ ନିଜର ଅସୁସ୍ଥତା ଦର୍ଶାଇ ପୁଅ ରାହୁଲ ଗାନ୍ଧୀଙ୍କୁ କ୍ଷମତା ହସ୍ତାନ୍ତର କରିଥିଲେ । ରାହୁଲ ୨୦୧୯ ସାଧାରଣ ନିର୍ବାଚନ କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀ କରି ଦଳର ସଭାପତି ପଦରୁ ଇସ୍ତଫା ଦେଲେ । କଂଗ୍ରେସର ଏହି ବରିଷ୍ଠ ନେତାମାନେ ମାସାଧିକ କାଳ ସମୟ ପାଇ ଥିଲେ ମଧ୍ୟ ନିଜ ଭିତରୁ କାହାରିକୁ ନେତା ଭାବେ ବାଛି ନ ପାରି ରାହୁଲଙ୍କୁ ପୁଣି ଥରେ ଦଳର ନେତୃତ୍ୱ ନେବାକୁ ପ୍ରବର୍ତାଇ ଥିଲେ । ସେଥିରେ ବିଫଳ ହେବା ପରେ ସୋନେ ଶ୍ରୀମତୀ ଗାନ୍ଧୀଙ୍କୁ ଘରୁ ଡାକି ଆଣି ପୁନର୍ବାର ବର୍ଷକ ପାଇଁ ଦଳର ଅନ୍ତଃରୀଣ ସଭାପତି କଲେ । ଏଇ ବର୍ଷକ ଭିତରେ ଜଣେ ସ୍ଥାୟୀ ସଭାପତିଙ୍କୁ ଚୟନ କରିବା ସକାଶେ ନା ସୋନିଆ ଚାହିଁଲେ, ନା ଦଳର ଏହି ତୁଙ୍ଗ ନେତାମାନେ ! ଆଜି ଏହି ତୁଙ୍ଗ ନେତାମାନେ ଦଳ ପାଇଁ କାନ୍ଦୁ ଥିବାର ଅଭିନୟ କରୁଛନ୍ତି । ୨୦୨୦ ଡ଼ିସେମ୍ବରରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବା ସମୟରେ କଂଗ୍ରେସ ନେତାଙ୍କ କାନ୍ଦ କୌଣସି ଷଡଯନ୍ତ୍ରର ଅଂଶ ନୁହେଁ ତ ?
ସୋମବାର ଅନୁଷ୍ଠିତ ଜାତୀୟ କଂଗ୍ରେସ କାର୍ଯ୍ୟକାରୀଣୀ ଦୀର୍ଘ ୭ ଘଂଟା ଚାଲି ଥିଲା । ସୋନିଆ ଗାନ୍ଧୀଙ୍କୁ ଆଉ ଛଅ ମାସ ପାଇଁ ଦଳର ଅନ୍ତଃରୀଣ ଅଧ୍ୟକ୍ଷ ରଖାଯିବା ସହ ଛଅ ମାସ ମଧ୍ୟରେ ଏଆଇସିସିର ବିଶେଷ ଅଧିବେଶନ ଡକାଯାଇ କଂଗ୍ରେସର ସ୍ଥାୟୀ ଅଧ୍ୟକ୍ଷ ଚୟନ ପାଇଁ ନିଷ୍ପତ୍ତି ହୋଇଛି । ଯେଉଁ କଂଗ୍ରେସ ନେତାମାନେ ସୋନିଆଙ୍କୁ ଚିଠି ଲେଖି ଦଳର ସ୍ଥାୟୀ ସଭାପତି ଚୟନ କରାଯିବା ସପକ୍ଷରେ ମତ ରଖିଥିଲେ ସେମାନେ ସ୍ଥାୟୀ ଅଧ୍ୟକ୍ଷ ଚୟନକୁ ଚାପମୁକ୍ତ ରଖିବାକୁ ଏକ ନିରପେକ୍ଷ ଗୋଷ୍ଠୀ ଦ୍ୱାରା ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱ ଦେଇଛନ୍ତି । ସୋନିଆ ଓ ତାଙ୍କ ସମର୍ଥକ ଗୋଷ୍ଠୀ ଏହି ଦ୍ୱିତୀୟ ଦାବିକୁ ଗ୍ରହଣ କରୁଛନ୍ତି କି ନାହିଁ ତାହା ନିର୍ବାଚନ ସମୟରେ ଜଣାପଡିବ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS