୨୦୨୪ର ଆହ୍ୱାନ ରାହୁଲ-ମୁକ୍ତ କଂଗ୍ରେସ ?
ପ୍ରସାଦ ରାଓ
ମୋଅନୁଭବ.କମ୍
ଅଗଷ୍ଟ ୨୭
ୟୁପିଏ ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀ ଆଉ ଛଅ ମାସ ଭାରତୀୟ ଜାତୀୟ କଂଗ୍ରେସର ଅନ୍ତଃରୀଣ ଅଧ୍ୟକ୍ଷା ରହିବେ । ୨୪ ତାରିଖ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀଣୀ ବୈଠକରେ ତାହା ନିଶ୍ଚିତ ହୋଇଛି । ଏହି ନିଷ୍ପତ୍ତିରେ ଗାନ୍ଧୀ ପରିବାର ଓ ତାଙ୍କ ସମର୍ଥକମାନେ ଆଶ୍ୱସ୍ତ । କାରଣ, ଛଅ ମାସ ମଧ୍ୟରେ ଅନେକ କିଛି ବଦଳି ଯାଇପାରେ । ଗାନ୍ଧୀ ପରିବାରର ବିକଳ୍ପ ନେତା ବାଛିବା ଦାୟିତ୍ୱ ମଧ୍ୟ ଅସନ୍ତୁଷ୍ଟ ନେତାଙ୍କ ଉପରେ ରହିଛି । ନିଜ ଭିତରୁ ସେମାନେ ମୋଦୀଙ୍କ ବିକଳ୍ପକୁ ବାଛିବା ଏତେ ସହଜ ନୁହେଁ । ତେଣୁ, ପୁଣି ଥରେ ସେମାନେ ଗାନ୍ଧୀ ପରିବାର ନିକଟକୁ ହିଁ ଫେରିବେ । ସୋନିଆ ଛାଡିଲେ ରାହୁଲ ଦଳର ସଭାପତି ହେବେ । କଂଗ୍ରେସରେ ପୁଣି ଥରେ ପରିବାରର ରାଜ୍ ଚାଲିବ । ଗାନ୍ଧୀ ପରିବାରର ଅନୁଗତମାନେ ନିଜ ନିଜ ଭବିଷ୍ୟତ ସୁରକ୍ଷିତ ରଖି ପାରିବେ । ଏବେ ବି ଦଳ ଭିତରେ ସେହି ବିଶ୍ୱାସ ରହିଛି । ଅସନ୍ତୋଷକୁ ସାମୟିକ ଭାବେ ଚପାଇବା ପାଇଁ ଛଅ ମାସ ମଧ୍ୟରେ ଏଆଇସିସିର ବିଶେଷ ଅଧିବେଶନ ଡକା ଯିବ ଓ ସେହି ଅଧିବେଶନରେ ଦଳର ସ୍ଥାୟୀ ସଭାପତି ଚୟନ ହେବ ବୋଲି ଅସନ୍ତୁଷ୍ଟଙ୍କୁ ବୁଝାଇ ଦିଆଯାଇଛି ।
୨୦୧୪ ସାଧାରଣ ନିର୍ବାଚନ ପରଠାରୁ ଦେଶରେ କଂଗ୍ରେସ ଅଧିକରୁ ଅଧିକ ଦୁର୍ବଳ ହୋଇଥିବା ସମସ୍ତେ ଜାଣନ୍ତି । ଦଳ ଦ୍ୱିତୀୟ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ଲଜ୍ୟାଜନକ ପରାଜୟର ସାମନା କଲା । ୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଦଳ ସୁଧୁରିଯାଉ ବୋଲି ଯେଉଁମାନେ ଚାହୁଁଛନ୍ତି ସେମାନେ ଏବେ ବି ଗାନ୍ଧୀ ପରିବାର ପ୍ରତି ଅନୁରାଗ ଛାଡି ନାହାନ୍ତି, କିନ୍ତୁ ନିଜ ଭବିଷ୍ୟତ ଅନ୍ଧାର ହୋଇ ରହିବା ମଧ୍ୟ ଚାହୁଁ ନାହାନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ସୋନିଆ ବା ରାହୁଲ ଗାନ୍ଧୀ କଂଗ୍ରେସର ନେତୃତ୍ୱ ନେଲେ ଦଳ ବିଜେପି ଓ ମୋଦୀ-ଶାହା ଯୋଡିର ମୁକାବିଲା କରିବାରେ ସଫଳ ହେବ, ସେ ବିଶ୍ୱାସ ସେମାନଙ୍କର ନାହିଁ । ତେଣୁ, ଆସନ୍ତା ନିର୍ବାଚନ ପୂର୍ବରୁ ଦଳକୁ ସଂଗଠିତ କରିବା ପାଇଁ ଗାନ୍ଧୀ ପରିବାର ବାହାରୁ ଜଣେ କେହି କଂଗ୍ରେସର ପୂର୍ଣ୍ଣ ସମୟ ଦେଲା ଭଳି ସ୍ଥାୟୀ ସଭାପତି ହେବା ସେମାନେ ଚାହୁଁଛନ୍ତି । ଏହି ଚୟନ ମଧ୍ୟ ନିରପେକ୍ଷ ରହିବା ସେମାନଙ୍କର ଅନ୍ୟତମ ଦାବି । ଦୀର୍ଘ ବର୍ଷ ଧରି ଗାନ୍ଧୀ ପରିବାର ଛତ୍ରଛାୟା ତଳେ ରହି ଆସିଥିବା ଏହି ନେତାମାନେ ନିଜ ଭିତରୁ ମୋଦୀ-ଶାହାଙ୍କୁ ମୁକାବିଲା କଲା ଭଳି ଜଣେ ନେତାଙ୍କୁ ବାଛି ପାରିବେ ଏବଂ ଦଳର ପୁନର୍ବିନ୍ୟାସ କରି ପାରିବେ ବୋଲି ଏତେ ଶୀଘ୍ର ଭରସା କରି ହେଉ ନାହିଁ । ସୋନିଆଙ୍କୁ କଂଗ୍ରେସର ଆନ୍ତଃରୀଣ ଅଧ୍ୟକ୍ଷ ପଦରୁ ବିଦାୟ ନେବାକୁ ପରୋକ୍ଷରେ ଆହ୍ୱାନ ଦେଇ ସେମାନେ କଂଗ୍ରେସରେ ଯେଉଁ କଂପନ ସୃଷ୍ଟି କରିଛନ୍ତି ତାହାର ସ୍ଥାୟୀତ୍ୱ ମଧ୍ୟ ପ୍ରଶ୍ନବାଚୀ ହୋଇ ରହିଛି । ତଥାପି, ସେମାନଙ୍କ ଦୁଃସାହସକୁ ଦେଶବାସୀ ପ୍ରଶଂସା କରୁଛନ୍ତି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ଦଳ ଓ ସରକାର ଉପରେ ସର୍ବଦା ଗାନ୍ଧୀ ପରିବାରର ନିୟନ୍ତ୍ରଣ ରହି ଆସିଛି । ମନମୁଖୀ ଢଙ୍ଗରେ ଏହି ପରିବାର ଦଳକୁ ଚଳାଇ ଆସିଛନ୍ତି । ଗାନ୍ଧୀ ପରିବାରର ଅନୁଗତମାନେ ହିଁ ଦଳ ଓ ସରକାରରେ ବିଭିନ୍ନ ପଦ ପଦବୀରେ ରହି ଫାଇଦା ପାଆନ୍ତି । ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୋନିଆ ଗାନ୍ଧୀ ୨୦ ବର୍ଷରୁ ଅଧିକ ସମୟ କଂଗ୍ରେସର ସଭାପତି ରହିଲେ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ଅସୁସ୍ଥତା କାରଣରୁ ପୁତ୍ର ରାହୁଲ ଗାନ୍ଧୀଙ୍କୁ କଂଗ୍ରେସ ସଭାପତି ଚୟନ କରି ଦଳର ମଂଗ ଧରାଇଲେ । ରାହୁଲ ଦେଶର ‘ଭାବି ପ୍ରଧାନମନ୍ତ୍ରୀ’ – ଏହି ବିଶ୍ୱାସ ରଖି କଂଗ୍ରେସ ନେତା ଓ କର୍ମୀମାନେ ଆଜି ମଧ୍ୟ ତାଙ୍କୁ ଅନୁସରଣ କରୁଛନ୍ତି । ତେବେ, ୨୦୧୯ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ ଏବଂ ରାହୁଲ ଏଆଇସିସି ସଭାପତି ପଦରୁ ଇସ୍ତଫା ଦେଇ ଦଳର ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେବା କଂଗ୍ରେସ ଭିତରେ ମୋହ ଭଂଗର କାରଣ ହୋଇଛି । ନିର୍ବାଚନ ରାଜନୀତିରେ ଗାନ୍ଧୀ ପରିବାରର ଯାଦୁ ଆଉ କାମ କରୁ ନାହିଁ – ଏକଥା ଅନୁଭବ କରିବା ପରେ କିଛି ନେତା ବିକଳ୍ପ ସଂଧାନରେ ବାହାରିଛନ୍ତି । ପରିବାର ବାହାରୁ ଜଣକୁ ଦଳର ସ୍ଥାୟୀ ସଭାପତି ନିଯୁକ୍ତି କରାଯାଉ ବୋଲି ୨୦୧୯ ନିର୍ବାଚନ ବିପର୍ଯ୍ୟୟ ପରେ ରାହୁଲ ଗାନ୍ଧୀ ନିଜେ ଦଳର କାର୍ଯ୍ୟକାରୀଣୀରେ ପ୍ରସ୍ତାବ ରଖିଥିଲେ । ଏବେ କଂଗ୍ରେସର କିଛି ପୁରୁଖା ଦଳର ଅସ୍ଥାୟୀ ସଭାନେତ୍ରୀଙ୍କୁ ଚିଠି ଲେଖି କଂଗ୍ରେସରେ ଜଣେ ସ୍ଥାୟୀ ସଭାପତିଙ୍କୁ ନିଯୁକ୍ତି ଦିଆଯିବା ଏବଂ ତାହା ମଧ୍ୟ ନିରପେକ୍ଷ ନିର୍ବାଚନ ମାଧ୍ୟମରେ କରାଯିବା ପାଇଁ ଯେଉଁ ଆହ୍ୱାନ ଦେଇଛନ୍ତି ତାହା ବିରୁଡ଼ି ବସାରେ ହାତ ମାରିଲା ଭଳି ହୋଇଛି ।
ଏଭଳି ଏକ ସ୍ପର୍ଶକାତର ପ୍ରସଙ୍ଗ ଦଳର ଅନ୍ତଃରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ତାଙ୍କ ପୁତ୍ର ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କୁ କ୍ଷୁବ୍ଧ କରିଛି ସତ, କିନ୍ତୁ ଗାନ୍ଧୀ ପରିବାରର କର୍ତୃତ୍ୱକୁ ନେଇ ଅଣ ନିଶ୍ୱାସୀ ଥିବା ଦଳର ବହୁ ନେତାଙ୍କ ପାଇଁ ଆଶାର କିରଣ ହୋଇଛି । ସୋନିଆ ଅସନ୍ତୁଷ୍ଟ କଂଗ୍ରେସ ନେତାଙ୍କ ଚିଠି ପାଇବା ପରେ ଅନ୍ତଃରୀଣ ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବେ ବୋଲି ଧମକ ଦେବା ସହ ସୋମବାର ଦିନ ତୁରନ୍ତ ଦଳର କାର୍ଯ୍ୟକାରୀଣୀ ବୈଠକ ଡାକିଥିଲେ । ଏହି ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିଲା ଏବଂ ଦୀର୍ଘ ସାତ ଘଂଟା ଚାଲି ଥିଲା । ଛଅ ମାସ ମଧ୍ୟରେ ଏଆଇସିସିର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ଦଳର ପୂର୍ଣ୍ଣକାଳୀନ ସ୍ଥାୟୀ ସଭାପତି ନିଯୁକ୍ତି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଅନୁରୋଧରେ ସୋନିଆ ସେହି ସମୟ ପର୍ଯ୍ୟନ୍ତ ଦଳର ଅନ୍ତଃରୀଣ ଅଧକ୍ଷ ରହିବାକୁ ରାଜି ହୋଇଛନ୍ତି ।
ଦେଶରେ କଂଗ୍ରେସ ଦଳକୁ ମୂଳପୋଛ କରିବା ପାଇଁ ବିଜେପି, ଆରଏସଏସ ଏବଂ ମୋଦୀ-ଶାହା ଯୋଡିଙ୍କ ପକ୍ଷରୁ ଯେଉଁ ଆକ୍ରମଣାତ୍ମକ ରାଜନୀତି ଚାଲିଛି ତାହାର ମୁକାବିଲା କରିବା ଏବେ କଂଗ୍ରେସ ପାଇଁ ବଡ ଚ୍ୟାଲେଂଜ ହୋଇଛି । ଗାନ୍ଧୀ ପରିବାର ଖୋଳପା ଭିତରେ ରହି ଏହି ରାଜନୀତିର ଫଳପ୍ରଦ ମୁକାବିଲା କରିବା ସମ୍ଭବ ନୁହେଁ ବୋଲି ଯେଉଁ ନେତାମାନେ ହୃଦୟଙ୍ଗମ କଲେଣି ସେମାନେ ଏବେ ସେଥିରୁ ବାହାରି ଆସିବାର ରାସ୍ତା ଖୋଜୁଛନ୍ତି । ଦଳର କିଛି ନେତା ସୋନିଆଙ୍କୁ ଚିଠି ଲେଖି ଦଳରେ ଜଣେ ସ୍ଥାୟୀ ସଭାପତି ନିଯୁକ୍ତି କରାଯିବା ଦାବି ରଖିବା ପଛରେ ଏହି ରହସ୍ୟ ଥିବା ଅନୁମାନ କରାଯାଉଛି । ତେବେ, ପରିସ୍ଥିତିକୁ ହାଲକା କରିବା ପାଇଁ ଗାନ୍ଧୀ ପରିବାରର ଅନୁଗତମାନେ ଏହା ପଛରେ ବିଜେପିର ଦୁରଭିସଂଧି କାମ କରୁଥିବା ପ୍ରଚାର କରୁଛନ୍ତି । ଗାନ୍ଧୀ ପରିବାରର କର୍ତୃତ୍ୱକୁ ଚ୍ୟାଲେଂଜ କରାଯିବା ଦଳ ଭିତରେ ବିଦ୍ରୋହ ସଦୃଶ । ତେଣୁ, ବିଜେପିକୁ ଘୋଷାଡିବା ଉଦ୍ୟମ ହୋଇଛି ବୋଲି ବିରୋଧୀ କହୁଛନ୍ତି । ଅପରପକ୍ଷରେ, କଂଗ୍ରେସକୁ ଦୁର୍ବଳ କରିବାର କୌଣସି ସୁଯୋଗ ବିଜେପି ହାତଛଡା କରୁ ନ ଥିବାରୁ ଏହି ପରୋକ୍ଷ ବିଦ୍ରୋହ ପଛରେ ମଧ୍ୟ ବିଜେପିର ହାତ ଥାଇ ପାରେ ବୋଲି ରାଜନୈତିକ ବିଶ୍ଲେଷକମାନେ ଅନୁମାନ କରୁଛନ୍ତି ।
ଗୁଜରାଟ ମୁଖ୍ୟମନ୍ତ୍ରୀ ପଦ ତ୍ୟାଗ କରି ଠିକ୍ ୨୦୧୪ ସାଧାରଣ ନିର୍ବାଚନର ପୂର୍ବରୁ ଜାତୀୟ ରାଜନୀତିକୁ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କଂଗ୍ରେସ ବିପର୍ଯ୍ୟୟର ମୁଖ୍ୟ କାରଣ ହୋଇଛନ୍ତି । ସୋନିଆ କଂଗ୍ରେସ ଅଧ୍ୟକ୍ଷ ଥାଇ କଂଗ୍ରେସ ସମଭାବାପନ୍ନ ଦଳଙ୍କ ସହ ମିଶି ୟୁପିଏ ଗଠନ କରିଥିଲା ଏବଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ଦୁଇଟି ଦଫାରେ କଂଗ୍ରେସ ନେତୃତ୍ୱାଧୀନ ସରକାର ରହି ଥିଲା । ଦ୍ୱିତୀୟ ଦଫା ସରକାରରେ (ୟୁପିଏ-୨) ଗଣ୍ଡା ଗଣ୍ଡା ଦୁର୍ନୀତି ଅଭିଯୋଗ କଂଗ୍ରେସ ପ୍ରତି ଦେଶରେ ଏକ ବିତୃଷ୍ଣା ଭାବ ସୃଷ୍ଟି କରିଥିଲା । ନରେନ୍ଦ୍ର ମୋଦୀ ,ହାର ସୁଯୋଗ ନେଇ ବଡ ପାଟିରେ କଂଗ୍ରେସ ସରକାରର ଦୁର୍ନୀତିକୁ ପ୍ରଚାର କରିଥିଲେ ଏବଂ ଦେଶରେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ସରକାର ପ୍ରତିଷ୍ଠା ହେଲେ ଦେଶକୁ ସେ ଦୁର୍ନୀତି-ମୁକ୍ତ ଶାସନ ଓ ଗୁଜରାଟ ମଡେଲ ବିକାଶ ଦେବେ ବୋଲି ପ୍ରତିଶ୍ରୁତିବଦ୍ଧ ହୋଇଥିଲେ । ମୋଦୀଙ୍କ ବାକ୍ ଚାତୁରୀ ଦେଶବାସୀଙ୍କୁ ପ୍ରଲୋଭିତ କରିଥିଲା ଏବଂ ବିଜେପିକୁ ବିପୁଳ ଜନ ସମର୍ଥନ ମିଳିଥିଲା ।
ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଏନଡ଼ିଏ ସରକାର ଚାଲିଛି । କିନ୍ତୁ, ‘ବିକାଶ’ ଆଉ ପ୍ରସଙ୍ଗ ହୋଇ ରହି ନାହିଁ । ୨୦୧୪ରୁ ୨୦୧୯ ପ୍ରଥମ ପର୍ଯ୍ୟାୟ ସରକାରରେ ‘ବିକାଶ’ ବାଟବଣା ହେବା ସହ ‘କଂଗ୍ରେସ ମୁକ୍ତ ଭାରତ’ ଅଭିଯାନ ପ୍ରାଥମିକତା ପାଇଥିଲା । ଦେଶରେ ରାତି ଅଧିଆ ନୋଟ୍ ବନ୍ଦୀ ହେଲା । ଜିଏସଟି ବ୍ୟବସ୍ଥା ମଧ୍ୟ ଲାଗୁ ହେଲା । ବେକାର ସମସ୍ୟା ବଢିଲା ସିନା କମିଲା ନାହିଁ । ଦେଶବ୍ୟାପୀ ଚାଷୀ ଅସନ୍ତୋଷ ବୃଦ୍ଧି ପାଇଁ ତାହା ବିଭିନ୍ନ ବିଧାନସଭା ନିର୍ବାଚନରେ ପ୍ରତିଫଳିତ ହେଲା । କିନ୍ତୁ, ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ ସେଥିରୁ ପର୍ଯ୍ୟାପ୍ତ ଫାଇଦା ନେଇ ପାରିଲା ନାହିଁ । ରାହୁଲ ଗାନ୍ଧୀ ରାଫାଇଲ୍ ଦୁର୍ନୀତି ପ୍ରସଙ୍ଗରେ ଅଟକି ଗଲେ । ଅନ୍ୟାନ୍ୟ ପ୍ରସଙ୍ଗରେ ଯାହା ସବୁ ମନ୍ତବ୍ୟ ଦେଲେ ସେଥିରେ ‘ପିଲାଳିଆମୀ’ ଅଧିକ ଥିବା କଂଗ୍ରେସକୁ ଲୋକହସା କଲା । ୨୦୧୯ ନିର୍ବାଚନରେ କଂଗ୍ରେସ ବିଫଳ ହେବାର କାରଣ ହେଉଛି – ଦୁର୍ବଳ ନେତୃତ୍ୱ । ଏକଥା ପ୍ରତ୍ୟକ୍ଷ ଭାବରେ ନ ହେଲେ ମଧ୍ୟ ପରୋକ୍ଷରେ ଦଳର ନେତାମାନେ ସ୍ୱୀକାର କରୁଛନ୍ତି ।
ରାହୁଲ କଂଗ୍ରେସ ସଭାପତି ଭାବେ ଅନ୍ୟ ଅଣ-ବିଜେପି ଦଳଙ୍କୁ ଏକାଠି କରି ବିଜେପିର ବିକଳ୍ପ ଭାବେ ଦଳକୁ ଠିଆ କରାଇବାରେ ବିଫଳ ହେଲେ । ଫ୍ରାନ୍ସରୁ ରାଫାଏଲ୍ ଯୁଦ୍ଧ ବିମାନ କିଣାରେ ବଡ଼ ଦୁର୍ନୀତି ଥିବା ପ୍ରସଙ୍ଗରେ ସେ ମୋଦୀ ସରକାରଙ୍କୁ ଘେରିବାକୁ ଚାହିଁଲେ । କିନ୍ତୁ, ତାହା ଠିକ୍ ଭାବେ ପରିଚାଳିତ ହୋଇ ପାରିଲା ନାହିଁ । ଅପରପକ୍ଷରେ, ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାସନ କାଳରେ ହୋଇଥିବା ବୋଫର୍ସ କମାଣ କାରବାର ଚର୍ଚ୍ଚାକୁ ଆସିଥିଲା । ବିଜେପି ନେତୃତ୍ୱ ରାହୁଲଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ । ରାହୁଲ ଗାନ୍ଧୀ ନିର୍ବାଚନ ପ୍ରଚାରର ନେତୃତ୍ୱ ନେଇଥିବା ବେଳେ ଦେଶର ବିକାଶ ସଂପର୍କରେ କୌଣସି ଗଠନମୂଳକ ପ୍ରସ୍ତାବ ଜନସାଧାରଣଙ୍କ ସମ୍ମୁଖରେ ଉପସ୍ଥାପନ କରି ନ ପାରିବା ଥିଲା କଂଗ୍ରେସର ବଡ ଦୁର୍ବଳତା । ନିର୍ବାଚନ ପ୍ରଚାର ସମୟରେ ତାଙ୍କ ଫୁଲାଫାଙ୍କିଆ ମନ୍ତବ୍ୟ ଚର୍ଚ୍ଚାରେ ଥିବା ବେଳେ ଠିକ୍ ଭୋଟ ପୂର୍ବରୁ ଜମ୍ମୁ-କଶ୍ମୀରର ପୁଲୱାମା ସହରରେ ସୁରକ୍ଷା ବଳ ଉପରେ ହେଲା ଆତଙ୍କୀ ଆକ୍ରମଣ । ଏହି ଆତଙ୍କୀ ଆକ୍ରମଣରେ ୪୦ରୁ ଅଧିକ ଯବାନଙ୍କ ମୃତ୍ୟୁ ଘଟିଲା ଏବଂ ଦେଶ ପାଇଁ ଏହା ଏକ ବଡ ଇସ୍ୟୁ ଭାବେ ଉଭା ହେଲା । ପୁଲୱାମାରେ ଯେଉଁ ଆତଙ୍କୀ ହେଲା ତାହାର ଜବାବ ଦେଲା ଭାରତୀୟ ସେନା । ପାକିସ୍ତାନସୀମା ଭିତରେ ପଶି ଭାରତୀୟ ସେନା ଯବାନମାନେ ଯେଉଁ ସର୍ଜିକାଲ୍ ଷ୍ଟ୍ରାଇକ୍ କଲେ ତାହାର ସଂପୂର୍ଣ୍ଣ ଶ୍ରେୟ ନେଲା ବିଜେପି ଓ ମୋଦୀ ସରକାର । ‘ଜାତୀୟତାବଦ’ ମୁଦ୍ଦା ୨୦୧୯ ନିର୍ବାଚନରେ ଭାରତୀୟ ରାଜନୀତିର ମୋଡ ବଦଳାଇ ଦେଲା ।
ଦେଶବାସୀ ମୋଦୀ ସରକାରଙ୍କ ଏହି ପାଲଟା କାର୍ଯ୍ୟାନୁଷ୍ଠାନକୁ ପ୍ରଶାଂସା କରୁଥିବା ବେଳେ ଏଆଇସିସି ସଭାପତି ଥିବା ରାହୁଲ ଗାନ୍ଧୀ ଭାରତୀୟ ସେନାର ସର୍ଜିକାଲ୍ ଷ୍ଟାଇକ୍ କୁ ନେଇ ସନ୍ଦେହ ପ୍ରକାଶ କରିବା ଏବ ଅନ୍ୟ କିଛି ନେତାଙ୍କ ସହ ମିଶି ଏହା ଉପରେ ପ୍ରଶ୍ନ ଉଠାଇବା କଂଗ୍ରେସ ପାଇଁ ବୁମେରାଂ ହେଲା । ଚତୁର ମୋଦୀ-ଶାହା ଯୋଡି ରାହୁଲଙ୍କୁ ‘ରାଷ୍ଟ୍ର ବିରୋଧୀ’ କହି ନିଜକୁ ସଚ୍ଚା ଦେଶଭକ୍ତ ଭାବେ ଉପସ୍ଥାପନ କରିବାକୁ ପଛାଇଲେ ନାହିଁ । ସେ ହେଉଛନ୍ତି ଦେଶର ଚୌକିଦାର ବୋଲି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ରଖିବାରୁ ରାହୁଲ ‘ଚୌକିଦାର ଚୋର୍ ହୈ’ ବୋଲି ପାଲଟା ବୟାନ ରଖି ଦେଶବ୍ୟାପୀ ଜନସାଧାରଣଙ୍କ ଆକ୍ରୋଶର ଶିକାର ହେଲେ । ପରବର୍ତୀ ସମୟରେ କଂଗ୍ରେସ ‘ଡ୍ୟାମେଜ୍ କଂଟ୍ରୋଲ୍’ ଉଦ୍ୟମ କଲେ ମଧ୍ୟ ମୋଦୀ-ଶାହାଙ୍କ ଚତୁର ଗୋଟିଚାଳନା ସାମନାରେ ତିଷ୍ଠି ପାରିଲା ନାହିଁ । ରାହୁଲଙ୍କ ଏଭଳି ଅପରିପକ୍ୱ ମନ୍ତବ୍ୟ ଓ ନେତୃତ୍ୱ ନିର୍ବାଚନରେ ଦଳକୁ ବିପର୍ଯ୍ୟୟ ଆଡକୁ ନେଲା । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସେଭଳି କିଛି ନ ହେଉ ବୋଲି ଆଶା କରୁଛନ୍ତି ଦଳର ପୁରୁଖା ନେତାମାନେ ।
ନିର୍ବାଚନ ପାଇଁ ଚାରି ବର୍ଷ ସମୟ ଥିବାରୁ ଏବେ ଦଳରେ ନେତୃତ୍ୱକୁ ନେଇ ଚିନ୍ତନ ଆରମ୍ଭ ହୋଇଛି । ମୋଦୀ-ଶାହା ଯୋଡିଙ୍କ ମୁକାବିଲା କଲା ଭଳି ଜଣେ ନେତା କଂଗ୍ରେସର ନେତୃତ୍ୱ ନେବା ଗୁଲମ ନବୀ ଆଜାଦ, କପିଲ ସିବ୍ବଲ, ମନୀଷ ତିୱାରୀଙ୍କ ଭଳି ଦଳର ପୁରୁଖା ନେତାମାନେ ଚାହୁଁଛନ୍ତି । ଗାନ୍ଧୀ ପରିବାର ନିଜ ଖୋଳପା ଭିତରେ ଆବଦ୍ଧ ରହି ସଂଗଠନକୁ ଅଣଦେଖା କରୁଥିବାରୁ ମଧ୍ୟ ପ୍ରଦେଶରେ କମଳନାଥ ସରକାରଙ୍କ ପତନ ଘଟିଲା। ଦଳର ଅନ୍ୟତମ ତୁଙ୍ଗ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ସମର୍ଥକଙ୍କ ସହ ଦଳ ଛାଡି ବିଜେପିରେ ଯୋଗ ଦେଲେ । ସେହିଭଳି, ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଙ୍କ ସରକାର ଗଡୁ ଗଡୁ ଅଟକି ଗଲେ । ତାଙ୍କ ସରକାରରେ ଉପ ମୁଖ୍ୟମନ୍ତ୍ରୀ ଥିବା କଂଗ୍ରେସ ଯୁବ ନେତା ସଚିନ୍ ପାଇଲଟ ବିଜେପିର ହାତବାରିଶୀ ହୋଇ ସରକାରଙ୍କୁ କ୍ଷମତାଚ୍ୟୁତ କରିବାକୁ ଉଦ୍ୟମ କରିଥିବା ମୁଖ୍ୟମନ୍ତ୍ରୀଙ୍କ ଆଡୁ ଥାନାରେ ଅଭିଯୋଗ ହେଲା । ପାଇଲଟ୍ ନିଜ ସମର୍ଥକ ୧୯ କଂଗ୍ରେସ ବିଧାୟକଙ୍କ ସହ ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବାକୁ ଚାହିଁଲେ ମଧ୍ୟ ତାଙ୍କୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସାକ୍ଷାତ ମିଳିଲା ନାହିଁ ।
ଯେତେବେଳେ ବିଜେପି ରାଜସ୍ଥାନରେ ଆସ୍ଥା ଭୋଟ କରାଇ ଶକ୍ତି ପରୀକ୍ଷାର ଚ୍ୟାଲେଂଜ୍ ଦେଲା ସୋନିଆ, ରାହୁଲ ଓ ପ୍ରିୟଙ୍କା ସଚିନ୍ ପାଇଲଟଙ୍କୁ ଡକାଇ ତାଳିପକା ସମାଧାନ କଲେ । ଗେହଲୋଟ୍ ସରକାର ବଂଚିଗଲା । ଏସବୁ ଘଟଣା କଂଗ୍ରେସରେ ଅସନ୍ତୋଷର ବାତାବରଣ ସୃଷ୍ଟି କରିଛି । ଦଳରେ ଜଣେ ପୂର୍ଣ୍ଣ ସମୟ ସ୍ଥାୟୀ ସଭାପତି ନିଯୁକ୍ତି ହେଲେ ହିଁ ସମସ୍ୟାର ସମାଧାନ ହେବ ବୋଲି ବିଶ୍ୱାସ କରାଯାଉଛି । କେବଳ କଂଗ୍ରେସ ଦଳ ଭିତରେ ନୁହେଁ, ଦଳ ବାହାରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ନକାରାତ୍ମକ ମତ ପ୍ରକାଶ ପାଇଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦକ୍ଷିଣପନ୍ଥୀ ରାଜନୀତିର କଟୁ ସମାଲୋଚକମାନେ ମଧ୍ୟ ଏବେ ରାହୁଲ-ମୁକ୍ତ କଂଗ୍ରେସ ସପକ୍ଷରେ ମତ ଦେଲେଣି । ଅଗଷ୍ଟ ୨୫ ତାରିଖରେ ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ଏକ ସମ୍ବାଦପତ୍ରରେ ଐତିହାସିକ ରାମଚନ୍ଦ୍ର ଗୁହା ଲେଖିଥିବା ଅଗ୍ରଲେଖାରୁ ଏକଥା ସ୍ପଷ୍ଟ ହେଉଛି ।
‘ନେତୃତ୍ୱ ଛାଡନ୍ତୁ ଗାନ୍ଧୀ ପରିବାର’ ଶୀର୍ଷକ ଏହି ଲେଖାରେ ଗୁହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟଶୈଳୀକୁ ପ୍ରଶଂସା କରିବା ସହ କଂଗ୍ରେସର ଭାବି ପ୍ରଧାନମନ୍ତ୍ରୀ ମୁହଁ ରାହୁଲ ଗାନ୍ଧୀଙ୍କୁ ‘ପଲ୍ଲବଗ୍ରାହୀ’ କହି ସମାଲୋଚନା କରିଛନ୍ତି । ଗୁହା କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ସଫଳ ମୁକାବିଲା ପାଇଁ ଯେଉଁ ଶକ୍ତି ଓ ପ୍ରତିଭା ଆବଶ୍ୟକ, ତାହା ଭରପୁର ରହିଛି । ମୋଦୀ ନଜ ସ୍ୱାସ୍ଥ୍ୟ ଓ ସୁନିୟନ୍ତ୍ରିତ ସ୍ୱାସ୍ଥ୍ୟକର ଜୀବନ-ଶୈଳୀ ସଂପର୍କରେ ସର୍ବଦା ସଚେତନ । ଶାରୀରିକ ଓ ମାନସିକ ଶକ୍ତି ଦୃଷ୍ଟିରୁ ସେ ଅବିଶ୍ୱସନୀୟ ଭାବେ ସର୍ବୋତ୍ତମ । ମୋଦୀ ସର୍ବଦା ନିଜ ଅନ୍ୱେଷଣରେ ନିଜକୁ ହଜାଇ ଦିଅନ୍ତି ଏବଂ ନିଜକୁ କର୍ମବ୍ୟସ୍ତ ଓ ଚଳଚଂଚଳ ରଖିନ୍ତି । କର୍ମ ଭିତରେ ହିଁ ସେ ବିଶ୍ରାମ ନିଅନ୍ତି, କେବେ ଛୁଟି ନିଅନ୍ତି ନାହିଁ । ରାସ୍ତା କଡ ଚା’ ଦୋକାନ ହେଉ ବା ବିଶ୍ୱସ୍ତରୀୟ ଶୀର୍ଷ ସମ୍ମିଳନୀ, ସବୁଠି ସେ ନିଜ ପାଇଁ ସ୍ଥାନ ଖୋଜି ନିଅନ୍ତି । ମୋଦୀ ଜଣେ ଚମତ୍କାର ବକ୍ତା । ହିନ୍ଦୀ ଭାଷାରେ ସେ ପ୍ରଗଲ୍ଭ ଭାଷଣ ଦେଇ ପାରନ୍ତି । ମିଛ, ସତ ଯାହା କହିଲେ ବି ଲୋକ ତାହାକୁ ବିଶ୍ୱାସ କରି ନିଅନ୍ତି । ଭିନ୍ନ ଭିନ୍ନ ବିଷୟରେ ମୋଦୀଙ୍କ ଆଗ୍ରହ ରହିଛି । ଖବର ଉପରେ ତାଙ୍କର ସର୍ବଦା ନଜର ଥାଏ । ପ୍ରଧାନମନ୍ତ୍ରୀ ମୋଦୀ ସାଧାରଣ ଲୋକଙ୍କୁ ପ୍ରଭାବିତ କଲା ଭଳି ଭାଷାରେ ନିଜ କଥା କୁହନ୍ତି, ଯାହା କି ଗ୍ରହଣୀୟ ହୋଇଥାଏ । ଦୁର୍ଜୟ ଓ ଦୁର୍ଦ୍ଧର୍ଷ ଅମିତ ଶାହା ହେଉଛନ୍ତି ତାଙ୍କ ସହାୟକ ।
ଅପରପକ୍ଷରେ, ରାହୁଲ ଗାନ୍ଧୀ ହେଉଛନ୍ତି ଜଣେ ପଲ୍ଲବଗ୍ରାହୀ (ନାନା ବିଷୟରେ ଅଳ୍ପ ଓ ଅଗଭୀର ଜ୍ଞାନ ଥିବା ବ୍ୟକ୍ତି) । କୌଣସି ବିଷୟକୁ ଗୁରୁତ୍ୱର ସହ ସେ ଅଧ୍ୟୟନ କରନ୍ତି ନାହିଁ କିମ୍ବା ଅଧିକ ଜାଣିବା ସକାଶେ ତାଙ୍କର ଆଗ୍ରହ ନାହିଁ । ରାହୁଲ ଗାନ୍ଧୀ ଅତି ମାତ୍ରାର ସୌଖିନ । ସେ କଂଗ୍ରେସର ଭାବି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି ଦାବି କରାଯାଉଥିବା ବେଳେ ଏପର୍ଯ୍ୟନ୍ତ ସେ ନିଜର ପ୍ରଶାସନିକ ଦକ୍ଷତା ପ୍ରତିପାଦନ କରି ନାହାନ୍ତି । ଗୁରୁ ଦାୟିତ୍ୱ ବହନ କରିବାକୁ ତାଙ୍କର ଆଗ୍ରହ ନାହିଁ । ଗୁରୁତ୍ୱପୂର୍ଣ୍ଣ ସାମାଜିକ ସମସ୍ୟାକୁ ଚିହ୍ନଟ କରି ସେଗୁଡ଼ିକର ସମାଧାନ ପନ୍ଥା ବାହାର କରିବା ଶକ୍ତି ବା ଅଂଗୀକାରବଦ୍ଧତା ତାଙ୍କର ନାହିଁ । ସେ ତିନି ଥର ଉତ୍ତର ପ୍ରଦେଶରୁ ସାଂସଦ ରହିବା ସତ୍ୱେ ଏପର୍ଯ୍ୟନ୍ତ ଶୁଦ୍ଧ ଓ ଅନର୍ଗଳ ହିନ୍ଦୀ କହି ପାରନ୍ତି ନାହିଁ । ଦେଶର ସର୍ବାଧିକ ସଂଖ୍ୟାରେ ଜନତା ଯେଉଁ ଭାଷାରେ କଥା ହୁଅନ୍ତି ସେହି ଭାଷା କହିବାରେ ରାହୁଲଙ୍କ ଦକ୍ଷତା ନାହିଁ । ଭଂଗା ଭଂଗା ହିନ୍ଦୀରେ ଭାଷଣ ଦେଇ ରାହୁଲ ସର୍ବସାଧାରଣରେ ଉପହାସର ପାତ୍ର ହୁଅନ୍ତି । ତେବେ, ତାଙ୍କ ପ୍ରତୀଦ୍ୱନ୍ଦ୍ୱୀ ନରେନ୍ଦ୍ର ମୋଦୀଙ୍କ ବ୍ୟବହାରିକ ଭାଷା ଓ କହିବାର ଦକ୍ଷତା ଜନସାଧାରଣଙ୍କୁ ଆକର୍ଷିତ କରିଥାଏ ।
ମୋଦୀଙ୍କ ଏହି ଦକ୍ଷତା ହିଁ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସକୁ ବିପର୍ଯ୍ୟୟ ଭିତରକୁ ଠେଲି ଦେଲା ବୋଲି ଗୁହାଙ୍କ ମନ୍ତବ୍ୟରେ ସତ୍ୟତା ରହିଛି । ଗାନ୍ଧୀ ପରିବାରର ପଂଚମ ପିଢିର ନେତା ହୋଇ ମଧ୍ୟ ରାହୁଲ ନିଜ ପ୍ରଶାସନିକ ଅଭିଜ୍ଞତା ଓ ଦକ୍ଷତା ପ୍ରଦର୍ଶନ କରିବାରେ ବିଫଳ ହୋଇଥିବା ଏବଂ ବୁଦ୍ଧିଜୀବୀ ଓ ସାଧାରଣ ଜନତା ଦ୍ୱାରା ଗ୍ରହଣୀୟ ହୋଇପାରୁ ନ ଥିବା ଗୁହା ଦର୍ଶାଇଛନ୍ତି । ଗୁହାଙ୍କ ମତରେ, ରାହୁଲ ଗାନ୍ଧୀ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀମାନଙ୍କ ପୁଅ, ନାତି, ପଣନାତି ହୋଇ ସୁଦ୍ଧା ଅଧିକାଂଶ ଭାରତୀୟଙ୍କୁ ଆକର୍ଷିତ କରିବାରେ ବିଫଳ ହୋଇଛନ୍ତି । ଜନ୍ମ ଓ ବଂଶ ଅଧାରରେ ସେ କଂଗ୍ରେସର ନେତୃତ୍ୱ ନେବା କଥାକୁ ଅନେକ ନାପସନ୍ଦ କରନ୍ତି ଏବଂ ତାଙ୍କୁ ନାପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରଙ୍କ ବିଭିନ୍ନ ନୀତିର ସମାଲୋଚନା ବା ମୁକାବିଲା କରିବା ସମୟରେ ରାହୁଲ ଉପଯୁକ୍ତ ସମର୍ଥନ ପାଉ ନାହାନ୍ତି । ଓଲଟା ଅପଦସ୍ତ ହେଉଛନ୍ତି ।
ଦେଶରେ ଭିନ୍ନମତ ବା ଅସହମତିକୁ ଦମନ କରାଯାଉଥିବା ଏବଂ ଗଣମାଧ୍ୟମର ସ୍ୱାଧୀନତାକୁ ସଂକୁଚିତ କରାଯାଉଥିବା ପ୍ରସଙ୍ଗରେ ରହୁଲ ଯେତେବେଳେ ସରକାରଙ୍କୁ ଘେରିବାକୁ ଚାହୁଁଛନ୍ତି ଶାସକ ଦଳ ତାଙ୍କୁ ୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜାରି ଜରୁରୀ ପରିସ୍ଥିତି କଥା ମନେ ପକାଇ ଦେଉଛନ୍ତି । ଭାରତୀୟ ଅଂଚଳରେ ଚୀନ୍ ର ଅନୁପ୍ରବେଶକୁ ନେଇ ସେ ସରକାରଙ୍କୁ ସମାଲୋଚନା କଲେ ଶାସକ ଦଳ ତାଙ୍କୁ ୧୯୬୨ରେ ଜବାହାରଲାଲ ନେହେରୁ କଣ କରିଥିଲେ (?) ବୋଲି ପ୍ରଶ୍ନ କରୁଛନ୍ତି । ଦୁର୍ନୀତି ପ୍ରସଙ୍ଗରେ ସେ ସରକାରଙ୍କୁ ଘେରିବାକୁ ଚାହିଁଲେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସମୟର ବୋଫର୍ସ ଦୁର୍ନୀତି କଥା କହି ଦବାଇ ଦିଆଯାଉଛି । ଗାନ୍ଧୀ ପରିବାର ନେତୃତ୍ୱ ନେବା ପର୍ଯ୍ୟନ୍ତ ଏସବୁ ପ୍ରଶ୍ନ କଂଗ୍ରେସକୁ ଗୋଡାଇବ । ପରିବାର ବାହାରୁ କେହି ନେତୃତ୍ୱ ନେଲେ ହିଁ ସରକାର ଓ ଶାସକ ଦଳର ମୁକାବିଲା କରି ପାରିବ । ତେବେ, ଦଳର ନେତୃତ୍ୱ ନେଉଥିବା ବ୍ୟକ୍ତି ବ୍ୟକ୍ତିଗତ ସ୍ୱାର୍ଥର ଉଦ୍ଧ୍ୱର୍ରେ ରହି ଭାରତୀୟ ଗଣତନ୍ତ୍ରର ସ୍ୱାର୍ଥକୁ ପ୍ରାଧାନ୍ୟ ଦେଲେ ଦେଶର ମୁଖ୍ୟ ବିରୋଧୀ ଦଳ ଭାବେ କଂଗ୍ରେସ ଆଗକୁ ବଢି ପାରିବ ବୋଲି ମତପ୍ରକାଶ ପାିଛି । ତେବେ, ଗାନ୍ଧୀ ପରିବାର ଏହା କରାଇ ଦେବେ ତ (?) ବୋଲି ପଶ୍ନ କରିଛନ୍ତି ଗୁହା ।
ଗୁହାଙ୍କ ଏହି ପ୍ରଶ୍ନରେ ଭରପୁର ବାସ୍ତବତା ରହିଛି । ଛଅ ମାସ ମଧ୍ୟରେ ଏଆଇସିସିର ସ୍ୱତନ୍ତ୍ର ଅଧିବେଶନ ଡାକି ଦଳର ସ୍ଥାୟୀ ସଭାପତି ଚୟନ କରାଇବାକୁ ସୋନିଆ ଗାନ୍ଧୀ ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ଅକ୍ଷରେ ଅକ୍ଷରେ ପାଳନ ହେଲେ ମଧ୍ୟ ରାହୁଲଙ୍କ ନେତୃତ୍ୱକୁ ପ୍ରାଧାନ୍ୟ ଦିଆଯିବା ନିଶ୍ଚିତ । ରାହୁଲ ରାଜି ନ ହେଲେ ଗାନ୍ଧୀ ପରିବାର ବାହାରୁ କେହି ଦଳର ସଭାପତି ହେବା କଥା ଆସିବ । ଯଦିବା ବାହାରୁ କିଏ ସଭାପତି ହୁଅନ୍ତି ସେ ସ୍ୱତନ୍ତ୍ର ଏବଂ ଚାପଶୂନ୍ୟ ଭାବେ କାର୍ଯ୍ୟ କରିବା ସୁଯୋଗ ପାଇବେ ତ ? ଏସବୁ ପ୍ରଶ୍ନକୁ ନେଇ ମଧ୍ୟ ଏବେ ଚର୍ଚ୍ଚା ହେଲାଣି । ତେବେ, ଚନ୍ଦ୍ରଶେଖର ବା ପିଭି ନରସିଂହ ରାଓଙ୍କ ଭଳି ନେତା କଂଗ୍ରେସକୁ ମିଳିବା ଉପରେ ଦଳର ଭବିଷ୍ୟତ ନିର୍ଭର କରୁଛି । ଏଭଳି ନେତା କଂଗ୍ରେସକୁ ନ ମିଳିଲେ ମୋଦୀ-ଶାହା ପୁନର୍ବାର ବାଜି ମାରି ନେବେ, ଏଥିରେ କିଛି ସନ୍ଦେହ ନାହିଁ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS