କରୋନା ଡାଏରୀ (୧୬)… ‘ଅନଲକ୍-୪’ ଓଡ଼ିଶା ହିତରେ କି ?
ପ୍ରସାଦ ରାଓ
ମୋଅନୁଭବ.କମ୍
ଭୁବନେଶ୍ୱର/ଅଗଷ୍ଟ ୩୦
ଅଗଷ୍ଟ ସରିଲା । ସେପ୍ଟେମ୍ବର ଆରମ୍ଭ । କେନ୍ଦ୍ର ସରକାର ସେପ୍ଟେମ୍ବର ମାସ ପାଇଁ ଅନଲକ୍ -୪ ନିୟମାବଳୀ ଜାରି କରି ଅନେକ କିଛି କଟକଣା କୋହଳ କରିଛନ୍ତି । କଂଟେନମେଂଟ ଅଂଚଳରେ ହିଁ କରୋନା କଟକଣା କଡାକଡି ରହିବ । ଅନ୍ୟାନ୍ୟ ଅଂଚଳ ପାଇଁ କଟକଣା କୋହଳ ହୋଇଛି । ସମଗ୍ର ଦେଶ ପାଇଁ ଜାରି ହୋଇଥିବା ଏହି ନିୟମାବଳୀରେ ରାଜ୍ୟ ସରକାର ହସ୍ତକ୍ଷେପ କରି ପାରିବେ ନାହିଁ । ଆବଶ୍ୟକ ହେଲେ ରାଜ୍ୟରେ ଯଦି କିଛି କଟକଣା ଜାରି କରିବାକଚ ପଡିବ ତାହା ହେଲେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଆଗୁଆ ଅନୁମତି ନେବାକୁ ପଡିବ । ଅଗଷ୍ଟ ୨୯ରେ କେନ୍ଦ୍ର ସରକାରଙ୍କ ଏହି ଗାଇଡ୍ ଲାଇନ୍ ଆସିବା ପରେ ଏହାକୁ ନେଇ ରାଜନୀତି ଗରମ ହୋଇଛି । ବିହାର ବିଧାନସଭା ନିର୍ବାଚନ ଡ଼ିସେମ୍ବରରେ ହେବାକୁ ଥିବାରୁ କେନ୍ଦ୍ର ସରକାର ଏଭଳି ଏକ ନିର୍ଦେଶାବଳୀ ଜାରି କରିଛନ୍ତି ବିରୋଧୀ କହିଛନ୍ତି । ଓଡ଼ିଶା ସରକାର ଏହା ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥିଲେ ମଧ୍ୟ ରାଜ୍ୟର କରୋନା ଓ ବନ୍ୟାଜନତି ପରିସ୍ଥିତି ସମୟରେ ଏଭଳି ଏକ ନିର୍ଦେଶାବଳୀକୁ ନେଇ ଖୁସି ଥିବା ମନେ ହେଉ ନାହିଁ ।
ଗଲା ଛଅ ମାସ ହେଲା ଦେଶରେ ଜାରି ଥିବା କରୋନା କଟକଣା କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମାଇବାରେ ସଫଳ ହୋଇ ନାହିଁ । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଛି । କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଛି । ଦେଶ ତଥା ରାଜ୍ୟରେ ଅଗଷ୍ଟ ମାସରେ ରେକର୍ଡ ପରିମାଣର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରେକର୍ଡ ସଂଖ୍ୟାରେ କରୋନା ଜନିତ ମୃତ୍ୟୁ ମଧ୍ୟ ଘଟିଥିବା କେନ୍ଦ୍ର୍ର ସରକାରଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପ୍ରତିଦିନ ଟ୍ୱିଟ୍ ମାଧ୍ୟମରେ ଦେଉଥିବା ପରିସଂଖ୍ୟାନରୁ ଜଣାପଡୁଛି । ରବିବାର ଅପରାହ୍ନ ସୁଦ୍ଧା ମିଳିଥିବା ତଥ୍ୟ ମୁତାବକ ଦେଶରେ ଗତ ୨୪ ଘଂଟା ମଧ୍ୟରେ ୭୮, ୭୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋିଥିବା ବେଳେ ୯୪୮ଟି ମୃତ୍ୟୁ ଘଟିଛି । ଦେଶରେ ପାଖାପାଖି ୩୫ ଲକ୍ଷ ଲୋକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ୭ ଲକ୍ଷ ୬୫ ହଜାର ସକ୍ରିୟ ରୋଗୀ ଚିକିତ୍ସାଧିନ ଅଛନ୍ତି । ରବିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୩, ୪୯୮ରେ ପହଂଚିଛି । ଦିନକୁ ପାଖାପାଖି ୭୦ରୁ ୮୦ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ପାଖାପାଖି ୧୦୦୦ ଲୋକଙ୍କ ମୃତ୍ୟୁ ଘଟୁ ଥିବା ତଥ୍ୟ କହୁଥିବା ବେଳେ କେନ୍ଦ୍ର ସରକାର ‘ଅନଲକ୍-୪’ ନାଁରେ କରୋନା କଟକଣା ଅଧିକ କୋହଳ କରି ରାଜ୍ୟ ସରକାରମାନେ ସେଥିରେ ହସ୍ତକ୍ଷେପ କରିବାକୁ ବାରଣ କରିବା ପଛରେ କି ଯୁକ୍ତି ରହିଛି, ତାହା କେନ୍ଦ୍ର ସରକାର ହିଁ କହି ପାରିବ ।
କେହି କେହି ଯୁକ୍ତି କରିପାରନ୍ତି ଯେ, ଦେଶରେ କରୋନା ମହାମାରୀର ସଂକ୍ରମଣ ବଢିବା ପୂର୍ବରୁ କେନ୍ଦ୍ର ସରକାର ଯେଉଁ ସବୁ କଟକଣା ଜାରି କରି ଦେଲେ ସେଥିରେ ଜନସାଧାରଣଙ୍କ ଜୀବନ ଜୀବୀକା ଓ ଦେଶର ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହୋଇଛି । ତେଣୁ, ଏହି କଟକଣା ଅଧିକ ଦିନ ଜାରି ରଖି ଜନସାଧାରଣଙ୍କ ଆକ୍ରୋଶର ଶିକାର ହେବାକୁ ସରକାର ଚାହୁଁ ନାହାନ୍ତି । ଏହାଛଡା, ଆଗାମୀ ଡ଼ିସେମ୍ବରରେ ବିହାର ବିଧାନସଭା ସମେତ ୨୦୨୧ରେ ଆଉ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । କରୋନା କଟକଣା ମଧ୍ୟରେ ରାଜ୍ୟଗୁଡିକରେ ନିର୍ଦ୍ଧାରିତ ସମୟରେ ନିର୍ବାଚନ ହେବା ଭାରତୀୟ ନିର୍ବାଚନ କମିସନ୍ ଚାହୁଁଛନ୍ତି । ଏଥିସକାଶେ ମଧ୍ୟ ନିର୍ବାଚନ କମସନ୍ ପକ୍ଷରୁ ଗାଇଡ୍ ଲାଇନ୍ ଆସି ଗଲାଣି । କେବଳ ନିର୍ବାଚନ ତାରିଖ ଘୋଷଣା ହେଲେ ସେଥିରେ ମାତିବାକୁ ଅପେକ୍ଷା କରିଛନ୍ତି ବିଭିନ୍ନ ରାଜନୈତିକ ଦଳ । ଥରେ ତାରିଖ ଘୋଷଣା ହେଲେ ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ ଚୟନ, ପ୍ରାର୍ଥୀ ତାଲିକା ଘୋଷଣା, ନାମାଂକନପତ୍ର ଦାଖଲ ଓ ଭୋଟ ପ୍ରଚାର ଭଳି କାମରେ ଲାଗିବେ ।
ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମୁଖ୍ୟମନ୍ତ୍ରୀତ୍ୱରେ କ୍ଷମତାସୀନ ଥିବା ଜେଡ଼ିୟୁ-ବିଜେପି ମେଂଟ ୨୦୨୦ରେ ପୁନର୍ବାର କ୍ଷମତାକୁ ଫେରିବା ଆଶା ରଖିଛି । ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତକୁ ନେଇ ବିହାରରେ ଯେଭଳି ତତ୍ପରତା ପ୍ରକାଶ ପାଇଲା ତାହା ଉଭୟ ଜେଡିୟୁ ଓ ବିଜେପିର ରାଜନୈତିକ ଉଦେ୍ଦଶ୍ୟକୁ ପଦାରେ ପକାଇଛି । ଅପରପକ୍ଷରେ, ବିହାର ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ବର୍ଷ ହେଲା ଜେଲରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଆରଜେଡ଼ି ଅନ୍ୟ ସମଭାବାପନ୍ନ ରାଜନୈତିକ ଦଳଙ୍କୁ ନେଇ ଶାସକ ମେଂଟ ବିରୋଧରେ ନୂଆ ମୋର୍ଚ୍ଚା ଖୋଲିବା ଉଦ୍ୟମରେ ଅଛି । ଏଲଜେପି ବର୍ତମାନ ଏନଡ଼ିଏର ଅଂଶୀଦାର ଥିଲେ ମଧ୍ୟ ଆରଜେଡ଼ି ସହ ବୁଝାମଣା କରୁଥିବା ସାମାଜିକ ଗଣମାଧ୍ୟମରେ ଖବର ବୁଲିଲାଣି । ଏବେ ଏଲଜିପି ଚିରାଗ ପାଶ୍ୱାନଙ୍କ ନେତୃତ୍ୱରେ ପରିଚାଳିତ ହେଉଛି । ବିହାର ରାଜନୀତିରେ ନୂଆ ସମୀକରଣ ସାମନାକୁ ଆସୁଥିବା ବେଳେ କେନ୍ଦ୍ରରେ କ୍ଷମତାରେ ଥିବା ବିଜେପି ରାଜନୈତିକ କାର୍ଯ୍ୟକଳାପ ଉପରେ ଅଧିକ ଦିନ ଅଂକୁଶ ଲଗାଇବାକୁ ଚାହୁଁନି । ତେଣୁ, ଅନଲକ୍-୪ ଆଳରେ ଦେଶରେ ସେପ୍ଟେମ୍ବର ୨୧ରୁ ସମସ୍ତ ପ୍ରକାର ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକଳାପ ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ନିର୍ଦେଶାବଳୀ ଜାରି କରିଛନ୍ତି ।
କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍-୪ ନିର୍ଦେଶାବଳୀରେ ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଚଳାଚଳ ପାଇଁ ଅନୁମତି ଦିଆଯାଇଛି । ଏଥିସକାଶେ ଆଜି ଏସଓପି ମଧ୍ୟ ଜାରି ହେଲାଣି । ମେଟ୍ରୋରେ ଯାତ୍ରା କରିବାକୁ ଚାହୁଁ ଥିବା ରେଳଯାତ୍ରୀ ଟିକଟ ପରିବର୍ତେ ସ୍ମାର୍ଟ କାର୍ଡ ବ୍ୟବହାର କରିବାକୁ ପଡିବ । ମୁହଁରେ ମାସ୍କ୍ ପିନ୍ଧିବା ଏବଂ ହାତକୁ ବାରମ୍ବାର ସାନିଟାଇଜ୍ କରିବା ଜରୁରୀ । ଏହାଛଡା ସରକାର ସେପ୍ଟେମ୍ବର ୨୧ରୁ ରାଜନୈତିକ,ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ ସମାବେଶକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏସବୁ କାର୍ଯ୍ୟକଳାପରେ ସର୍ବାଧିକ ୧୦୦ ଜଣ ଭାଗ ନେଇ ପାରିବେ । କିନ୍ତୁ, ବିବାହ ଉତ୍ସବରେ ପୂର୍ବ ପରି ୫୦ ଜଣ ଓ ଶୁଦ୍ଧିକ୍ରୀୟାରେ ୨୦ ଜଣ ଯୋଗ ଦେଇ ଦେବା କଟକଣା ବଳବତ୍ତର ରହିଛି । ସେପ୍ଟେମ୍ବର ୨୧ରୁ ଦେଶରେ ଓପନ ଏୟାର୍ ଥିଏଟର ଚାଲି ପାରିବ । ତେବେ, ସ୍କୁଲ, କଲେଜ ସମେତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ସିନେମା ହଲ୍, ସ୍ୱିମିଂ ପୁଲ୍, ପାର୍କ ପ୍ରଭୃତି ସେପ୍ଟେମ୍ବରରେ ଖୋଲିବ ନାହିଁ । କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ଅନୁଯାୟୀ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିଲେ ସୁଦ୍ଧା ୫୦ ପ୍ରତିଶତ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରତିଦିନ କାର୍ଯ୍ୟକ୍ଷେତ୍ରରେ ଉପସ୍ଥିତ ରହିବାକୁ ବାଧ୍ୟ । ସେମାନେ ଅନ୍ ଲାଇନ ଶିକ୍ଷାଦାନ ସହ ଯୋଡି ହୋଇ ରହିବେ । ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଯଦି କୌଣସି ପାଠ ବିଷୟ ବୁଝିବାକୁ ଚାହିଁବେ ସ୍କୁଲ ଯାଇ ସେମାନଙ୍କ ଠାରୁ ବୁଝି ପାରିବେ । ତେବେ, ସେଥିପାଇଁ ସଂପୃକ୍ତ ଛାତ୍ର ନିଜ ଅଭିଭାବକଙ୍କ ଅନୁମତିପତ୍ର ନେବା ଆବଶ୍ୟକ ।
ସପ୍ଟେମ୍ବର ମାସ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଏହି ନିର୍ଦେଶାବଳୀ ଜନସାଧାରଣରେ ବିଶେଷ ଉତ୍ସାହ ସୃଷ୍ଟି କଲା ଭଳି ମନେ ହେଉ ନାହିଁ । କାରଣ, ସରକାର ଜୀବନ, ଜୀବୀକାକୁ ଯେତେ ସ୍ୱାଭାବିକ କରିବାକୁ ଚାହିଁଲେ ମଧ୍ୟ ଲୋକଙ୍କ ମନରୁ କାରାନା ସଂକ୍ରମଣ ଭୟ ଦୂର ହୋଇ ନାହିଁ । ପ୍ରତିଦିନ ନିଜ ଚାରି ପାଖରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଯିଏ ଦେଖୁଛି ସେ କେମିତି ବା ସ୍ୱାଭାବିକ ଜୀବନ ଜିଇଁ ପାରିବ ? ପୂର୍ବ ତିନିଟି ‘ଅନଲକ୍’ ନିର୍ଦେଶାବଳୀରେ କେନ୍ଦ୍ର ସରକାର ଜୀବନ ଓ ଜୀବିକାକୁ ସ୍ୱାଭାବିକ କରିବାକୁ କିଛି କିଛି କଟକଣା କୋହଳ କରିଥିଲେ । ତେବେ, ଆବଶ୍ୟକ ସ୍ଥଳେ ରାଜ୍ୟମାନେ ନିଜ ନିଜ ରାଜ୍ୟର ବାସ୍ତବିକ ସ୍ଥିତିକୁ ଆଖିରେ ରଖି କଟକଣା ଜାରି କରି ପାରିବେ ବୋଲି କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ଅନୁମତି ଥିଲା । ରାଜ୍ୟମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି କୋହଳ ମନୋଭାବର ସୁଯୋଗ ନେଇ ଅଧିକ ସଂକ୍ରମଣ ଥିବା ଜିଲ୍ଲାମାନଙ୍କରେ କଡା କଟକଣା ଲଗାଇ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖି ଥିଲେ । ଏବେ ସେହି ସୁଯୋଗ ରାଜ୍ୟଙ୍କ ହାତରେ ନାହିଁ ।
ଓଡ଼ିଶା କଥା ବିଚାରକୁ ନିଆଯାଉ । ରାଜ୍ୟରେ ମାର୍ଚ୍ଚ ୧୫ରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ଏପ୍ରିଲ ଶେଷ ପର୍ଯ୍ୟନ୍ତ ମହାମାରୀ ନିୟନ୍ତ୍ରଣରେ ଥିଲା । ମେ’ ମାସରେ ଅଧିକ ସଂକ୍ରମିତ ରାଜ୍ୟମାନଙ୍କରୁ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିଲେ । ଫଳରେ, ବିଭିନ୍ନ ଜିଲ୍ଲାରେ କରୋନା ସଂକ୍ରମଣ ବିଷ୍ଫୋରକ ରୂପ ଧାରଣ କଲା । ଜୁନ, ଜୁଲାଇ ଓ ଅଗଷ୍ଟ ମାସରେ ସ୍ଥିତି ଅଧିକ ଉଦ୍ବେଗଜନକ ହୋଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଗରୋଧ କେନ୍ଦ୍ରରୁ ପ୍ରତିଦିନ ଯେତିକି ସଂଖ୍ୟାରେ କରୋନା ପଜେଟିଭ୍ ବାହାରୁଛନ୍ତି ସେହି ପରିମାଣରେ ବା ତା’ଠାରୁ ଅଧିକ ସଂଖ୍ୟାରେ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେୁଛନ୍ତି । ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇ ନାହିଁ ବୋଲି ସରକାର କହୁଥିଲେ ମଧ୍ୟ ଭୁବନେଶ୍ୱର, କଟକ ମହାନଗର ନିଗମ ସମେତ ବିଭିନ୍ନ ଜିଲ୍ଲାରେ ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଉଛି । ଇତିମଧ୍ୟରେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଟପି ସାରି ଥିବା ରବିବାର ସୁଦ୍ଧା ମିଳିଥିବା ସରକାରୀ ତଥ୍ୟ କହୁଛି ।
ଅଗଷ୍ଟ ୩୦ ତାରିଖ ଅପରାହ୍ନ ସୁଦ୍ଧା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ତଥ୍ୟ ଅନୁସାରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦,୯୩୪ ରହିଛି । ସେଥିରୁ ୭୦, ୭୧୪ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ୍ କେସ୍ ସଂଖ୍ୟା ରହିଛି ୨୯,୬୮୫ । ରାଜ୍ୟରେ କରୋନାରେ ୪୮୨ ଜଣଙ୍କ ମୃତ୍ୟୁ ଘଟିଲାଣି । ଏହା ଅତିଶୀଘ୍ର ୫୦୦ ଟପିବା ଅନୁମାନ କରାଯାଉଛି । ରାଜ୍ୟ ସରକାର କହୁଛନ୍ତି, ସେପ୍ଟେମ୍ବର ମାସରେ କରୋନା ସଂକ୍ରମଣ ‘ପିକ୍’ରେ ପହଂଚିବ । ତେଣୁ, ଜନସାଧାରଣ ଅଧିକ ସତର୍କ ହେବା ଆବଶ୍ୟକ । କରୋନା କଟକଣା କଡାକଡି ଭାବେ ପାଳନ କରାଯିବା ସକାଶେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପରାମର୍ଶ ଦେଉଥିବା ବେଳେ କେନ୍ଦ୍ର ସରକାର ଅନଲକ୍-୪ ଗାଇଡ୍ ଲାଇନରେ ସବୁ କିଛି ଖୋଲାମେଲା କରି ଦେଇଛନ୍ତି । ଅମାନିଆଙ୍କ ପାଇଁ ଏହି ଗାଇଡ୍ ଲାଇନ୍ ବେଶ୍ ସହାୟକ ହେବ । କିନ୍ତୁ, ଯେଉଁମାନେ ଏହି ମହାମାରୀ ସୃଷ୍ଟି କରିଥିବା ବିପଦକୁ ନେଇ ସଚେତନ ସେମାନେ କେବେ ଚାହିଁବେନି ହଠାତ୍ ସବୁ କିଛି ଖୋଲାମେଲା ହୋଇଯାଉ ।
ସେପ୍ଟେମ୍ବର ମାସ ପାଇଁ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ନିରଦେଶାବଳୀକୁ ରାଜ୍ୟମାନେ ଅକ୍ଷରେ ଅକ୍ଷରେ ପାଳନ କରିବାକୁ ନିର୍ଦେଶ ଦିଆଯାଇଥିବା ବେଳେ ଓଡ଼ିଶା ଭଳି ରାଜ୍ୟ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିବା କଣ ସମ୍ଭବ ? ରାଜ୍ୟରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି । ପ୍ରତିଦିନ କରୋନା ଜନିତ ମୃତ୍ୟୁର ଖବର ଆସୁଛି । ରାଜ୍ୟରେ ଏଇ କିଛି ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷାରେ ମହାନଦୀ ସମେତ ବିଭିନ୍ନ ନଦୀରେ ପ୍ରବଳ ବନ୍ୟା ଆସି ୨୦ଟି ଜିଲ୍ଲାରେ ଉଦ୍ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିସନର ସୂଚନା ଦେଇଛନ୍ତି । ୧୧୨ଟି ବ୍ଲକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟର ଏହି ସବୁ ଜିଲ୍ଲାର ବ୍ୟାପକ ଅଂଚଳ ଜଳମଗ୍ନ ହୋଇ ରହିଛି । ଫଳରେ ହଜାର ହଜାର ପରିବାର ପାଣି ଘେରରେ । ଗୋଟିଏ ପଟେ କରୋନା ମହାମାରୀ ବିପଦ ଏବଂ ଅନ୍ୟ ପଟେ ବନ୍ୟାର ତାଣ୍ଡବ – ରାଜ୍ୟ ସରକାର କାହାକୁ ପ୍ରାଥମିକତା ଦେବେ ! କେନ୍ଦ୍ର ସରକାର ତାହା ବୁଝିବା ସ୍ଥିତିରେ ନାହାନ୍ତି, ଏକଥା ରାଜ୍ୟର ବିଜେପି ନେତାମାନେ ଦେଉଥିବା ରାଜନୈତିକ ମନ୍ତବ୍ୟରୁ ସ୍ପଷ୍ଟ ହେଉଛି ।
ଏକଥା ମାନୁଛୁ ଯେ କେନ୍ଦ୍ର ସରକାର ଅନଲକ୍-୪ ନିର୍ଦେଶାବଳୀ ଗୋଟିଏ ରାଜ୍ୟ ପାଇଁ ନୁହେଁ, ସମଗ୍ର ଦେଶ ପାଇଁ । ତେଣୁ, ସରକାର ଓଡ଼ିଶା ଭଳି ବନ୍ୟା ପରିସ୍ଥିତିର ସାମନା କରୁଥିବା ରାଜ୍ୟମାନଙ୍କ କଥା ସ୍ୱତନ୍ତ୍ର ଭାବେ ବିଚାର କରିବେ ବୋଲି ଆଶା କରାଯାଇପାରେ । ଅବଶ୍ୟ ଜିଲ୍ଲାସ୍ତରରେ ଛୋଟ ଛୋଟ କଂଟେନମେଂଟ ଅଂଚଳ ଚିହ୍ନଟ କରାଯାଇ ସେସବୁ ଅଂଚଳରେ କରୋନା କଟକଣା କଡାକଡି ଜାରି ରଖିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅନୁମତି ଦେଇଛନ୍ତି । ସେହି ଅନୁସାରେ ଓଡ଼ିଶା କଥା ଚିନ୍ତା କଲେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୭ ଜିଲ୍ଲାରେ କରୋନା ସଂକ୍ରମଣ ଚରମ ପର୍ଯ୍ୟାୟରେ ରହିଛି । ଏସବୁ ଜିଲ୍ଲାରେ ଆକ୍ଟିଭ ରୋଗୀ ସଂଖ୍ୟା ତିନି ଓ ଚାରି ଅଂକ ବିଶିଷ୍ଟ ରହିଛି । ତିନି ଅଂକରେ ଥିବା ଅଧିକାଂଶ ଜିଲ୍ଲା ଚାରି ଅଂକ ପାଖାପାଖି ଥିବାରୁ କେନ୍ଦ୍ର ସରକାରଙ୍କ ଅନଲକ୍-୪ ଗାଇଡ୍ ଲାଇନ୍ ଓଡ଼ିଶାରେ ଅକ୍ଷରେ ଅକ୍ଷରେ ପାଳନ ହେବା ବୋଧହୁଏ ସମ୍ଭବ ହୋଇ ନ ପାରେ । ୩୦ ତାରିଖ ସନ୍ଧ୍ୟା ସୁଦ୍ଧା ରାଜ୍ୟ ସରକାର ଏହି କେନ୍ଦ୍ରୀୟ ନିର୍ଦେଶାବଳୀକୁ ନେଇ କୌଣସି ମତାମତ ରଖି ନାହାନ୍ତି । କେବଳ, ଜେଇଇ ଓ ନିଟ୍ ପରୀକ୍ଷାକୁ ଦୃଷ୍ଟିରେ ରଖି ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଏବଂ ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ରାଜ୍ୟର କୌଣସି ଅଂଚଳରେ ତାଲାବନ୍ଦ ଓ ସଟ୍ ଡାଉନ୍ ଲାଗୁ ହେବ ନାହିଁ ବୋଲି ୨୯ ତାରିଖ ନିର୍ଦେଶାବଳୀ ଜାରି କରିଛନ୍ତି । ସଂପୂର୍ଣ୍ଣ ପ୍ରଶାସନ ବନ୍ୟା ମୁକାବିଲା ଏବଂ ଜେଇଇ, ନିଟ୍ ପରୀକ୍ଷାର୍ଥୀଙ୍କୁ ସହାୟତା କାର୍ଯ୍ୟରେ ଲାଗିଛି । ସେଥିରୁ ମୁକ୍ତି ମିଳିଲେ କେନ୍ଦ୍ର ସରକାରଙ୍କ ନିର୍ଦେଶାବଳୀ ଉପରେ ରାଜ୍ୟ ସରକାର ନିଜ ପ୍ରତିକ୍ରିୟା ରଖିବେ ବୋଲି ଆଶା କରାଯାଇପାରେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS