ସୁଶାନ୍ତ ସିଂହ ରାଜପୁତ ମାମଲା : ‘ମିଡ଼ିଆ ଟ୍ରାଏଲ’ ଉପରେ ରୋକ୍ ଲଗାଇବାକୁ ମୁମ୍ବାଇ ହାଇକୋର୍ଟରେ ଆବେଦନ
ମୁମ୍ବାଇ
ସେପ୍ଟେମ୍ବର ୦୩
ମୋଅନୁଭବ.କମ୍
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ୱାଭାବିକ ମୃତ୍ୟୁକୁ ନେଇ ଦୁଇ ମାସରୁ ଉଦ୍ଧ୍ୱର୍ ସମୟ ହେଲା ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ରୋଚକ ବିତର୍କମାନ ଚାଲିଛି । କିଛି ଟିଭି ଚ୍ୟାନେଲ୍ ଏକପାଖିଆ ଭାବେ ୨୪ ଘଂଟିଆ ବିତର୍କ ଓ ଆଲୋଚନା କାର୍ଯ୍ୟକ୍ରମ ରଖି ମୁମ୍ବାଇ ପୁଲିସକୁ ଘେରିବାକୁ ଉଦ୍ୟମ କରୁଛନ୍ତି । ସୁଶାନ୍ତ ସିଂହ ରାଜପୁତଙ୍କ ପରିବାର ସପକ୍ଷରେ କିଛି ଚ୍ୟାନେଲ୍ ଖବର ପ୍ରସାରଣ କରି ମୁମ୍ବାଇ ପୁଲିସ ଏବଂ ସୁଶାନ୍ତଙ୍କ ବାନ୍ଧବୀ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତୀ ଓ ତାଙ୍କ ପରିବାରକୁ କାଠଗଡାକୁ ଟାଣି ଥିବା ବେଳେ କିଛି ଚ୍ୟାନେଲ୍ ଏହାକୁ ନାପସନ୍ଦ କରି ବିତର୍କର ଆୟୋଜନ କରୁଛନ୍ତି । ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାକୁ ନେଇ ଭାରତୀୟ ଗଣମାଧ୍ୟମ ବସ୍ତୁତଃ ଦୁଇ ଭାଗ ହୋଇଥିବା ବେଳେ ଏବେ ମୁମ୍ବାଇ ପୁଲିସକୁ ବଦନାମ କରିବା ପାଇଁ କିଛି ଟିଭି ଚ୍ୟାନେଲ୍ ପ୍ରଚାର ଅଭିଯାନ ଚଳାଇ ଥିବା ମହାରାଷ୍ଟ୍ର ପୁଲିସ ପକ୍ଷରୁ ଅଭିଯୋଗ ହୋଇଛି । ମହାରାଷ୍ଟ୍ର ପୁଲିସର ଆଠ ଜଣ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ ମୁମ୍ବାଇ ହାଇକୋର୍ଟରେ ସୋମବାର ଦିନ ଏକ ଜନସ୍ୱାର୍ଥ ମାମଲା ଦାଏର କରି ସୁଶାଂନ୍ତ ସିଂହ ମାମଲାକୁ ନେଇ କିଛି ଟିଭି ଚ୍ୟାନେଲ୍ ରେ ଚାଲିଥିବା ମିଡ଼ିଆ ଟ୍ରାଏଲ୍ ଉପରେ ରୋକ୍ ଲଗାଇବାକୁ ନିବେଦନ କରିଛନ୍ତି ।
‘ମିଡ଼ିଆ ଟ୍ରାଏଲ୍’ ଉପରେ ରୋକ୍ ଲଗାଇବାକୁ ମୁମ୍ବାଇ ହାଇକୋର୍ଟରେ ଆବେଦନ କରିଥିବା ମହାରାଷ୍ଟ୍ରର ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀଙ୍କ ମଧ୍ୟରେ ଅଛନ୍ତି ମହାରାଷ୍ଟ୍ର ପୁଲିସର ପୂର୍ବତନ ଡ଼ିଜିପି ପି.ଏସ. ପସ୍ରିଚ୍ଛା, କେ.ସୁବ୍ରମଣ୍ୟମ, ଡ଼ି.ଶିବନନ୍ଦନ, ସଂଜୀବ ଦୟାଲ, ସତୀଶ ଚନ୍ଦ୍ର ମାଥୁର, ମୁମ୍ବାଇ ପୁଲିସର ପୂର୍ବତନ କମିସନର୍ ମହେଶ ଏନ ସିଂହ, ଧନଂଜୟ ଏନ ଯାଦବ ଓ ପୂର୍ବତନ ଏଟିଏସ (ଆଂଟି ଟେରରିଜମ୍ ସ୍କ୍ୱାଡ୍) ମୁଖ୍ୟ କେ.ପି.ରଘୁବଂଶୀ । ସେମାନେ ଅଭିଯୋଗ କରିଛନ୍ତି, ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାରେ କିଛି ଟିଭି ଚ୍ୟାନେଲ୍ ଏକପାଖିଆ ଓ ମିଛ ଖବର ପରିବେଷଣ କରି ମାମଲାର ତଦନ୍ତ କରୁଥିବା କେନ୍ଦ୍ରୀୟ ସଂସ୍ଥାର ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି । ମାମଲା ତଦନ୍ତ ସ୍ତରରେ ଥିବା ସମୟରେ ସଂପୃକ୍ତ ଟିଭି ଚ୍ୟାନେଲଗୁଡିକରେ ମୁମ୍ବାଇ ପୁଲିସ ସମେତ ରାଜ୍ୟର ସ୍ୱାସ୍ଥ୍ୟ ସେବା ଓ ଅନ୍ୟ ସପୋର୍ଟିଭ୍ ସେବା ସଂପର୍କରେ ଭିତ୍ତିହୀନ ଖବର ପ୍ରସାରିତ ହେଉଛି, ଯାହାକି ସାଧାରଣ ଜନତାଙ୍କୁ ବିଭାନ୍ତ କରୁଛି । କେତେକ ଟିଭି ଚ୍ୟାନେଲ୍ ର ଆଂକର୍ ୨୪ ଘଂଟିଆ ଖବର ପ୍ରସାରଣ ସମୟରେ ମୁମ୍ବାଇ ପୁଲିସ, ପୁଲିସ କମିସନର୍ ଏବଂ ଜୋନ୍ ଡ଼ିସିପିଙ୍କ ନାମ ନେବାକୁ ପଛାଉ ନାହାନ୍ତି । ସେମାନେ ସାମ୍ବାଦିକତାର ଶାଳୀନତା ବାହାରକୁ ଯାଇ ଖବର ପରିବେଷଣ କରୁଛନ୍ତି ।
ଦେଶର ନ୍ୟାୟିକ ବ୍ୟବସ୍ଥାରେ କୌଣସି ଅପରାଧରେ ଆରୋପୀ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ତାଙ୍କୁ ନିର୍ଦୋଷ ବା ନିରୀହ ବିବେଚନା କରାଯାଇଥାଏ । କିନ୍ତୁ, ସୁଶାନ୍ତ ସିଂହ ରାଜପୁତ ମାମଲାରେ କିଛି ମିଡ଼ିଆ ନିଜ ଆଡୁ ସମାନ୍ତରାଳ ତଦନ୍ତ ଚଳାଇ ଥିବା ଏବଂ ନିଜ ପକ୍ଷଙ୍କୁ ସୁହାଇଲା ଭଳି ଏକପାଖିଆ ଖବର ପ୍ରସାରଣ କରୁଥିବା ଦେଶର ନ୍ୟାୟିକ ବ୍ୟବସ୍ଥାର ସବୁ ସୀମା ଉଲଂଘନ କରୁଛି । କିଛି ବେସରକାରୀ ବ୍ୟକ୍ତି ‘ମିଡ଼ିଆ ଟ୍ରାଏଲ୍’ ନାମରେ ସମାନ୍ତରାଳ ତଦନ୍ତ କରିବା, ତଦନ୍ତକାରୀ ସଂସ୍ଥା ଦ୍ୱାରା ସଂଗୃହୀତ ତଥ୍ୟ ଓ ପ୍ରମାଣକୁ ମୋଡିମକଚି ଗଣମାଧ୍ୟମରେ ଉପସ୍ଥାପନ କରିବାରେ ସହାୟକ ହେବା ପଛରେ ମନ୍ଦ ଉଦେ୍ଦଶ୍ୟ ରହୁଛି । ‘ମିଡ଼ିଆ ଟ୍ରଏଲ୍’ ଦ୍ୱାରା ତଦନ୍ତରେ ବ୍ୟାଘାତ ସୃଷ୍ଟି କରାଯିବା ସହ ମୁମ୍ବାଇ ପୁଲିସ ସଂପର୍କରେ ଦାୟିତ୍ୱହୀନ ପ୍ରଚାର କରାଯାଇ ଏହି ସର୍ବ ପୂରାତନ ପୋଲିସ ବାହିନୀର ଭାବମୂର୍ତୀକୁ କ୍ଷୁର୍ଣ୍ଣ କରାଯାଉଛି ବୋଲି ଜନସ୍ୱାର୍ଥ ମାମଲାରେ ଅଭିଯୋଗ କରାଯାଇଛି । କେବଳ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ଘଟଣାରେ ନୁହେଁ, ତଦନ୍ତାଧୀନ ଥିବା ସମସ୍ତ ସ୍ପର୍ଶକାତର ମାମଲାରେ ମିଥ୍ୟା ଓ ଚରିତ୍ର ସଂହାରକାରୀ ଖବର ପରିବେଷଣରୁ ସାମାଜିକ ଓ ମୁଖ୍ୟସ୍ରୋତ ଗଣମାଧ୍ୟମକୁ ନିବୃତ୍ତ ରଖିବାକୁ କେନ୍ଦ୍ର ସରକାର, ପ୍ରେସ କାଉନସିଲ୍ ଅଫ୍ ଇଣ୍ଡିଆ, ନ୍ୟୁଜ୍ ବ୍ରଡକାଷ୍ଟର୍ସ ଆସୋସିଏସନ୍, ନ୍ୟୁଜ୍ ବ୍ରଡକାଷ୍ଠିଂ ଷ୍ଟାଣ୍ଡାର୍ଡ ଅଥରିଟିଜ୍ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଆବଶ୍ୟକ ଗାଇଡଲାଇନ୍ ଜାରି କରାଯିବାକୁ କୋର୍ଟ ନିଦେ୍ର୍ଦଶ ଦିଅନ୍ତୁ ବୋଲି ଏହି ଅବସରପ୍ରାପ୍ତ ବରିଷ୍ଠ ପୁଲିସ ଅଧିକାରୀମାନେ ମୁମ୍ବାଇ ହାଇକୋର୍ଟକୁ ନିବେଦନ କରିଛନ୍ତି ।
ଏହି ଜନସ୍ୱାର୍ଥ ମାମଲାରେ କୁହାଯାଇଛି ଯେ, କ୍ରାଇମ୍ ଓ କ୍ରିମିନାଲ୍ ଇନ୍ଭେଷ୍ଟିଗେସନ୍ ସଂପର୍କିତ ଖବରର ରିପୋର୍ଟିଂ ବାଲାନ୍ସଡ୍ ଓ ଅବ୍ଜେକ୍ଟିଭ୍ ହେବା ଉଚିତ । ‘ମିଡ଼ିଆ ଟ୍ରାଏଲ୍’ ନାମରେ ତାହା ପୁଲିସ ଓ ତଦନ୍ତକାରୀ ସଂସ୍ଥାଙ୍କ ବିରୋଧରେ ଅପପ୍ରଚାରର ମାଧ୍ୟମ ହେବା ଉଚିତ ନୁହେଁ । ଟେଲିଭିଜନ ଚ୍ୟାନେଲ୍ ଗୁଡିକ ‘ଟେଲିଭିଜନ୍ ରେଟିଂ ପଏଂଟ’ ବା ‘ଟିଆରପି’ ବଢାଇବା ସକାଶେ ଖବରକୁ ଆବଶ୍ୟକତାଠାରୁ ଅଧିକ ସ୍ପର୍ଶକାତର ଢଙ୍ଗରେ ପରିବେଷଣ କରୁଛନ୍ତି ଏବଂ ସେଥିପାଇଁ ଉତ୍ତରଦାୟୀ କରିବାକୁ କେହି ନାହିଁ । ଦାୟିତ୍ୱ ସଂପନ୍ନ ସାମ୍ବାଦକତା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଏହି ଆବେଦନରେ କୁହାଯାଇଛି । କ୍ରାଫୋର୍ଡ ବେୟଲେ ଏଣ୍ଡ୍ କଂପାନୀ ଏବଂ ସିନିୟର କନସେଲ୍ ମିଳିନ୍ଦ ସାଠେ ଓ ଆଡଭୋକେଟ୍ ଚେତନ କାପାଡ଼ିଆଙ୍କ ଜରିଆରେ ସୋମବାର ମୁମ୍ବାଇ ହାଇକୋର୍ଟରେ ଏହି ପିଆଇଏଲ ଦାଖଲ କରାଯାଇଛି । କୋର୍ଟ ଏହା ଉପରେ ତୁରନ୍ତ ଶୁଣାଣୀ କରିବାକୁ ସେମାନେ ଆବେଦନ କରିଛନ୍ତି । ସୁଶାନ୍ତ ସିଂ ରାଜପୁତ ମାମଲା ସମେତ ତଦନ୍ତସ୍ତରରେ ଥିବା ସବୁ ମାମଲାର ଖବର ପରିବେଷଣ ସମୟରେ ଗଣମାଧ୍ୟମ ଦାୟିତ୍ୱବାନ ହେବା ଦିଗରେ ସରକାର ଓ ମିଡ଼ିଆ ରେଗୁଲେଟରମାନେ ଗାଇଡ଼ଲାଇନ୍ ଇସ୍ୟୁ କରିବାକୁ କୋର୍ଟ ନିର୍ଦେଶ ଦିଅନ୍ତୁ ବୋଲି ଏହି ପିଆଇଏଲ୍ ରେ ଆବେଦନ କରାଯାଇଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS