ଦୀପିକା, ଶ୍ରଦ୍ଧା ଓ ସାରା ଅଲ୍ଲୀ ଖାନ୍ ଙ୍କୁ ଏନସିବି ଜେରା, ଧର୍ମା ପ୍ରଡକ୍ସନ୍ କାର୍ଯ୍ୟକାରୀ ପ୍ରଯୋଜକ ଗିରଫ
ମୁମ୍ବାଇ
ସେପ୍ଟେମ୍ବର ୨୬
ମୋଅନୁଭବ.କମ୍
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ସିବିଆଇ ତଦନ୍ତରେ ବିଶେଷ ଅଗ୍ରଗତି ଘଟି ନ ଥିଲେ ମଧ୍ୟ ବଲିଉଡରେ ଚାଲି ଥିବା ନିଷିଦ୍ଧ ଡ୍ରଗ୍ସ୍ ସେବନ ଓ କାରବାରକୁ ନେଇ ଚାଲିଥିବା ଏନସିବି ତଦନ୍ତରେ ବେଶ୍ ଅଗ୍ରଗତି ଘଟିଛି । ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ ଓ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ବାନ୍ଧବୀ ତଥା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ଏନସିବି ବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଦ୍ୱାରା ପ୍ରଥମେ ଜେରାର ସମ୍ମୁଖୀନ ହେବା ପରେ ମୁମ୍ବାଇ, ଗୋଆ ଓ ନୂଆଦିଲ୍ଲୀର କିଛି ଡ୍ରଗ୍ସ୍ ବେପାରୀଙ୍କ ସମେତ ରିଆ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀ ଗିରଫ ହୋଇ ଜେଲରେ ଅଛନ୍ତି । ରିୟା ସେପ୍ଟେମ୍ବର ୮ ତାରିଖରେ ଏନସିବି ଦ୍ୱାରା ଗିରଫ ହୋଇଥିଲେ । ମୁମ୍ବାଇର ବାଇକୁଲା ଜେଲରେ ଭାଇ ସୌଭିକଙ୍କ ସହ ତାଙ୍କୁ ଅଟକ ରଖା ଯାଇଛି । ଜାମିନ ପାଇବା ସକାଶେ ଭାଇ, ଭଉଣୀ ମୁମ୍ବାଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିବା ବେଳେ ତାହା ଉପରେ କୋର୍ଟରେ ଶୁଣାଣୀ ହୋଇ ନାହିଁ । ତେବେ, ରିୟା ଜେରା ବେଳେ ଏନସିବିକୁ ଦେଇଥିବା ସୂଚନା ଭିତ୍ତିରେ ଏନସିବି ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ରକୁଲପ୍ରିତ୍ ସିଂହ, ସାରା ଅଲ୍ଲୀ ଖାନ୍, ‘କେଡବ୍ଲୁଏଏନ’ର ଟ୍ୟାଲେଂଟ୍ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟକୁ ଡକାଇ ଜେରା କରିଛନ୍ତି । ଅଭିନେତ୍ରୀ ଦୀପିକା ପାଦୁକୋନ୍ ଗୋଆରେ ଏକ ଚଳଚ୍ଚିତ୍ରର ସୁଟିଂରେ ବ୍ୟସ୍ତ ଥିବା ସମୟରେ ବୁଧବାର ଏନସିବି ସମନ ପାଇଥିଲେ । ଗତକାଲି ସେ ମୁମ୍ବାଇରେ ପହଂଚି ଆଜି ସକାଳ ସାଢେ ୯ଟା ସମୟରେ ଏନସିବି ଜୋନାଲ ଅଫିସ୍ ର ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ସାମନାରେ ହାଜର ହୋଇଛନ୍ତି । ସେ ଡ୍ରଗ୍ସ୍ ସେବନ କରୁଥିବା ସ୍ୱୀକାର କରିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ସୂଚନା ଆସୁଥିବା ବେଳେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର ଡ୍ରଗ୍ସ୍ ସେବନକୁ ଅସ୍ୱୀକାର କରିଥିବା କୁହାଯାଉଛି । ଶ୍ରଦ୍ଧା ଆଜି ମଧ୍ୟାହ୍ନ ୧୨ଟା ସମୟରେ ଏନସିବିର ଜୋନାଲ୍ କାର୍ଯ୍ୟାଳୟରେ ପହଂଚି ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ୍ କାରବାର ଏବଂ ବଲିଉଡରେ ଚାଲିଥିବା ନିଷିଦ୍ଧ ମାଦକ ଦ୍ରବ୍ୟର ବ୍ୟବସାୟ ଓ ବ୍ୟବହାର ଉପରେ ଜେରାର ସମ୍ମୁଖୀନ ହୋଇଥିଲେ । ଏନସିବି ଅଧିକାରୀମାନେ ତାଙ୍କ ବୟାନ ରେକର୍ଡ କରିଥିବା ଜଣାପଡିଛି । ଶ୍ରଦ୍ଧା ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ୨୦୧୯ର ହିଟ୍ ଫିଲ୍ମ୍ ‘ଛିଛୋରେ’ରେ ଦେଖିବାକୁ ମିଳି ଥିଲେ । ଏହି ଚଳଚ୍ଚିତ୍ରରେ ସୁଶାନ୍ତ-ଶ୍ରଦ୍ଧାଙ୍କ କେମେଷ୍ଟ୍ରି ବେଶ୍ ଚର୍ଚ୍ଚିତ ଥିଲା । ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍ ହିନ୍ଦୀ ଫିଲ୍ମ୍ ‘କେଦାରନାଥ’ରେ ସୁଶାନ୍ତଙ୍କ ବିପକ୍ଷରେ ନାୟିକା ଥିଲେ । ‘କେଦାରନାଥ’ ଫିଲ୍ମ୍ ସୁଟିଂ ସମୟରୁ ସୁଶାନ୍ତ ଗଂଜେଇ ଭଳି ମାଦକ ଦ୍ରବ୍ୟ ସେବନରେ ନିଜକୁ ହଜାଇ ଦେଇଥିଲେ ବୋଲି ପରବର୍ତୀ ସମୟରେ ସୁଶାନ୍ତଙ୍କ ନିକଟତର ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତୀ ଡ୍ରଗ୍ସ୍ ମାମଲାରେ ଜେରା ସମୟରେ ଏନସିବି ନିକଟରେ ସ୍ୱୀକାର କରିଛନ୍ତି । ସାରା ମଧ୍ୟ ନିଷିଦ୍ଧ ନିଶା ସେବନରେ ସଂପୃକ୍ତ ଥିଲେ ବୋଲି ରିୟାଙ୍କ କଥିତ ସ୍ୱୀକାରୋକ୍ତି ଭିତ୍ତିରେ ଏନସିବି ପକ୍ଷରୁ ସାରାଙ୍କୁ ସମନ କରାଯାଇଥିଲା । ସାରା ଅଲ୍ଲୀ ଖାନ୍ ଆଜି ଅପରାହ୍ନ ଗୋଟାଏ ସମୟରେ ମୁମ୍ବାଇ ଏନସିବି ଜୋନାଲ କାର୍ଯ୍ୟାଳୟରେ ହାଜିରା ଦେଇ ଜେରାର ସମ୍ମୁଖୀନ ହୋଇଛନ୍ତି । ସେମାନଙ୍କ ବ୍ୟତୀତ, ‘କେଡବ୍ଲୁଏଏନ’ ନାମକ ସଂସ୍ଥାର କର୍ମଚାରୀ ତଥା ଟ୍ୟାଲେଂଟ୍ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ପୂର୍ବରୁ ଏନସିବି ଜେରା କରିଥିବା ବେଳେ ଆଜି ତାଙ୍କୁ ଦୀପିକା ପାଦୁକୋନ୍ ଙ୍କ ସହ ସାମ୍ନାସାମ୍ନି କରାଇ ଦୁହେଁ ଭିନ୍ନ ଭିନ୍ନ ଭାବେ ଦେଇଥିବା ବୟାନର କ୍ରସ୍ ଚେକ୍ କରିଛି । କରିନା ପ୍ରକାଶ ‘ଡି’ ମୂଳ ଅକ୍ଷର ଥିବା କାହା ସହ ହ୍ୱାଟ୍ସଆପ୍ ଚାର୍ଟ କରିଥିବା, ବିଶେଷକରି ଡ୍ରଗ୍ସ୍ କାରବାର ଉପରେ ଚାଟିଂ କରିଥିବା ଏନସିବି ଜାଣିବା ପରେ ‘ଡି’ କିଏ ଜାଣିବା ସକାଶେ ଖୋଳତାଡ କରୁଛି । ‘ଡି’ ସମ୍ଭବତଃ ଦୀପିକାଙ୍କ ନାମର ମୂଳ ଅକ୍ଷର ଥିବା ଏନସିବି ଅନୁମାନ କରୁଛି । ଦୀପିକାଙ୍କୁ ଏନସିବି ସମନ କରିବା ଓ ଜେରା କରିବା କଥାରୁ ଏହା ସ୍ପଷ୍ଟ ବାରି ହେଉଥିବା କୁହାଯାଉଛି । ଏନସିବି ଗଲା ବୁଧବାର ଦିନ ଦୀପିକା, ଶ୍ରଦ୍ଧା, ସାରା ଅଲ୍ଲୀ ଖାନ୍, ରକୁଲପ୍ରିତ୍ ସିଂହ, ଫେସନ୍ ଡ଼ିଜାଇନର୍ ସିମୋନ୍ ଖାମ୍ବାଟା, ସେଲିବ୍ରିଟି ମ୍ୟାନେଜର ଶୃତି ମୋଦୀ ପ୍ରମୁଖଙ୍କୁ ଜେରା ପାଇଁ ନୋଟିସ୍ କରିଥିଲା । ଚଳିତ ସପ୍ତାହର ପ୍ରାରମ୍ଭରେ ଏନସିବି ‘କେଡବ୍ଲୁଏଏନ’ ସଂସ୍ଥାର ସିଇଓ ଧୃବ୍ ଚିତ୍ ଗୋପେକାରଙ୍କୁ ମଧ୍ୟ ଏହି ମାମଲାରେ ଜେରା କରିଛି । ଶୁକ୍ରବାର ଦିନ ଏନସିବି ଅଭିନେତ୍ରୀ ରାକୁଲପ୍ରିତ୍ ସିଂହଙ୍କୁ ପ୍ରାୟ ୪ ଘଂଟା ଧରି ଜେରା କରିବା ସହ ତାଙ୍କ ବୟାନ ରେକର୍ଡ କରିଥିଲା । ଧର୍ମା ପ୍ରଡକ୍ସନ୍ ର ଏକ୍ଜିକ୍ୟୁଟିଭ୍ ପ୍ରଡ୍ୟୁସର୍ କ୍ଷୀତିଜ୍ ରବିଙ୍କୁ ଗତକାଲି ଏନସିବି ଜେରା କରିଥିବା ବେଳେ ଡ୍ରଗ୍ସ୍ କାରବାରକୁ ନେଇ କିଛି ଠୋସ୍ ତଥ୍ୟ ମିଳିଥିବାରୁ ଆଜି ଗିରଫ କରିଥିବା ଜଣାପଡିଛି । ପୂର୍ବରୁ ସୁଶାନ୍ତ ସିଂହ ରାଜପୁତଙ୍କ ଟ୍ୟାଲେଂଟ୍ ମ୍ୟାନେଜର ଶଅତି ମୋଦୀ ଏନସିବି ଜେରାର ସମ୍ମୁଖୀନ ହୋଇଛନ୍ତି । ଜୁନ ୧୪ରେ ସୁଶାନ୍ତ ସିଂହ ରାଜପୁତ ତାଙ୍କ ମୁମ୍ବାଇ ବାନ୍ଦ୍ରାସ୍ଥିତ ଫ୍ଲାଟ୍ ରେ ଆତ୍ମହତ୍ୟ କରିବା ପରେ ପ୍ରଥମେ ମୁମ୍ବାଇ ପୁଲିସ ଏହାର ତଦନ୍ତ କରୁଥିଲେ । ପରେ, ସୁଶାନ୍ତଙ୍କ ପିତା କେ.କେ. ସିଂହ ବିହାର ପାଟନା ଥାନାରେ ଏତଲା ଦେଇ ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ସହ ଏହା ପଛରେ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କ ହାତ ଥିବା ଏବଂ ଏଥିରେ ନିଶା କାରବାରର ସଂପୃକ୍ତି ଥିବା ଅଭିଯୋଗ କରିଥିଲେ । ବିହାର ପୁଲିସ ମାମଲାର ତଦନ୍ତ ଆରମ୍ଭ କରିବାରୁ ମୁମ୍ବାଇ ପୁଲିସ ସହ ବିହାର ପୁଲିସର ମୁହାଁମୁହିଁ ହୋଇଥିଲା । ଦୁଇ ରାଜ୍ୟ ପୁଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର ସରକାର ମଧ୍ୟ ତାହା ତୁରନ୍ତ ଗ୍ରହଣ କରି ନେଇ ସିବିଆଇକୁ ତଦନ୍ତ ଦାୟିତ୍ୱ ଦେଇଥିଲେ । ବିହାରରେ ହୋଇଥିବା ମାମଲା ମୁମ୍ବାଇକୁ ସ୍ଥାନାନ୍ତର କରାଯିବାକୁ ଅଭିଯୁକ୍ତ ରିୟା ଚକ୍ରବର୍ତୀ ସୁପ୍ରିମ କୋର୍ଟ ଯିବାରୁ ସୁପ୍ରିମ କୋର୍ଟର ଏକ ଖଣ୍ଡପୀଠ ତାହାର ଶୁଣାଣୀ କରି ସିବିଆଇ ତଦନ୍ତ ସପକ୍ଷରେ ରାୟ ଦେଇଥିଲେ । ବର୍ତମାନ ସିବିଆଇ ସହ ଏନଫୋର୍ସମେଂଟ୍ ଡିରେକ୍ଟୋରେଟ୍ ଓ ଏନସିବି ଏହି ମାମଲାର ବିଭିନ୍ନ ଦିଗ ଉପରେ ତଦନ୍ତ କରୁଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS