କରୋନା ଡ଼ାଏରୀ (୧୯)… ଅକ୍ଟୋବରରେ ମଧ୍ୟ କରୋନା ଉପରମୁହାଁ !
ପ୍ରସାଦ ରାଓ
ଭୁବନେଶ୍ୱର
ଅକ୍ଟୋବର, ୦୬
ଚଳିତ ଅକ୍ଟୋବର ମାସ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ‘ଅନ୍ ଲକ୍-୫’ ଗାଇଡ୍ ଲାଇନ୍ ଓଡ଼ିଶାରେ କାର୍ଯ୍ୟକାରୀ ହେଉ ନାହିଁ । ରାଜ୍ୟ ସରକାର ସେପ୍ଟେମ୍ବର ମାସର କରୋନା ଗ୍ରାଫ୍ କୁ ଦେଖି ଅକ୍ଟୋବର ମାସରେ କେନ୍ଦ୍ର ସରକାରଙ୍କ ଗାଇଡ୍ ଲଇନ୍ କୁ ଏଡାଇ ନିଜସ୍ୱ କଟକଣା ସବୁ ଜାରି ରଖିଲେ । ତଥାପି, ଅକ୍ଟୋବରରେ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଛି । ସେପ୍ଟେମ୍ବର ମାସରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିବା ପୂର୍ବ ମାସଗୁଡିକ ତୁଳନାରେ ବହୁ ଅଧିକ । ମୃତ୍ୟୁ ସଂଖ୍ୟା ମଧ୍ୟ ବେଶ୍ ଅଧିକ ଥିଲା । ଅକ୍ଟୋବର ମାସ ତାହାକୁ ବଳି ଯାଇଛି । ଗଲା ୫ ଦିନରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ୩ ହଜାର ତଳେ ରହିଥିଲେ ସୁଦ୍ଧା ମୃତ୍ୟୁ ସଂଖ୍ୟା ଦୁଇ ଅଂକରେ ରହୁଛି ।
ଅକ୍ଟୋବର ପହିଲାରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୨ ଲକ୍ଷ ୨୨ ହଜାର ୭୩୪ । ଅକ୍ଟୋବର ୬ ତାରିଖ ସକାଳ ସୁଦ୍ଧା, ଅର୍ଥାତ ଗତ ୫ ଦିନରେ ଏହି ସଂଖ୍ୟା ୨ ଲକ୍ଷ ୩୮ ହଜାର ୦୦୩ରେ ପହଂଚିଛି । ସେହିଭଳି, ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ମାସ ଆରମ୍ଭରେ ୮୫୯ ରହିଥିବା ବେଳେ ତାହା ୬ ତାରିଖ ସକାଳ ସୁଦ୍ଧା ୯୪୦ରେ ପହଂଚିଛି । ଅର୍ଥାତ, ଗଲା ୫ ଦିନରେ ରାଜ୍ୟରେ ଅଧିକ ୮୧ଟି ମୃତ୍ୟୁ ଘଟିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ ଏହା କହୁଛି ।
ଏମିତି ବି ୨୦୨୦ ବର୍ଷ ଏକ ଅଭିଷପ୍ତ ବର୍ଷ ହୋଇଛି । କରୋନା ମହାମାରୀ (କୋଭିଡ଼-୧୯) ପ୍ରତି ଦିନ ମଣିଷ ମାରୁଛି । ରାଜ୍ୟ ସରକାର ଜୀବନ ଓ ଜୀବୀକାକୁ ସମାନ୍ତରାଳ ଭାବେ ଆଗକୁ ନେବା ପାଇଁ ସାଧାରଣ ଜୀବନଯାତ୍ରାକୁ ଅଧିକ ଖୋଲାମେଲା କରିଛନ୍ତି । ପୂର୍ବରୁ ଲାଗୁ ଥିବା କଟକଣା ବହୁମାତ୍ରାରେ କୋହଳ ହୋଇ ଥିବାରୁ ସର୍ବସାଧାରଣରେ ଚଳାପ୍ରଚଳ ବଢିଛି । ତେବେ, ସେହି ଅନୁସାରେ କୋଭିଡ ନମୁନା ପରୀକ୍ଷା ଓ ସତର୍କତା ବଢିବା ପରିବର୍ତେ କମିଛି । ପୂର୍ବ ମାସଗୁଡିକ ତୁଳନାରେ ସେପ୍ଟେମ୍ବର, ଅକ୍ଟୋବରରେ ରାଜ୍ୟରେ କୋଭିଡ଼ ନମୁନା ପରୀକ୍ଷା କମି ଥିବାରୁ ଆକ୍ରାନ୍ତ ଓ ସକ୍ରୀୟ ରୋଗୀଙ୍କ ସଂଖ୍ୟା କିଛି ଦିନ ହେଲା ୩ ହଜାର ତଳକୁ ରହୁଥିବା ତଥ୍ୟାଭିଜ୍ଞ ମହଲରେ ଅଭିଯୋଗ ହେଉଛି । ତଥାପି, ଅକ୍ଟୋବର ପ୍ରାରମ୍ଭରୁ ରାଜ୍ୟରେ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ଉଦ୍ବେଗଜନକ ରହିଛି ।
ସରକାରୀ ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୬ ତାରିଖ ସକାଳ ସୁଦ୍ଧା ରାଜ୍ୟରେ ମୋଟ ୩୫ ଲକ୍ଷ ୨୪ ହଜାର ୨୪୨କୋଭିଡ଼ ନମୁନା ପରୀକ୍ଷା ହୋଇଥିବା ବେଳେ ସେଥିରୁ କରୋନା ଆକ୍ରାନ୍ତ ଅଛନ୍ତି ୨ଲକ୍ଷ ୩୮ ହଜାର ୦୦୩ ରହିଛି । ୨ଲକ୍ଷ ୦୬ ହଜାର ୪୦୦ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି ଓ ରାଜ୍ୟରେ କୋଭିଡ଼ ଜନିତ ମୃତ୍ୟୁ ସଂଖ୍ୟା ରହିଛି ୯୪୦ । ଅନ୍ୟାନ୍ୟ ରୋଗ ଥାଇ ଆଉ ୫୩ ଜଣ ମରି ଥିବା ସରକାର କହୁଛନ୍ତି । ଗଲା ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨,୬୭୩ ଜଣ ନୂଆ କୋଭିଡ଼-୧୯ ରୋଗୀ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସାଧିନ ଥିବା ରୋଗୀଙ୍କ ମଧ୍ୟରୁ ୪,୦୯୮ ଜଣ ସୁସ୍ଥ ହୋଇଛନ୍ତି । ଫଳରେ, ରାଜ୍ୟରେ ସକ୍ରୀୟ ରୋଗୀ ସଂଖ୍ୟା ୩୦, ୬୧୦ରେ ରହିଛି । ୨୪ ଘଂଟାରେ ଚିହ୍ନଟ ୨, ୬୭୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧, ୫୫୪ ଜଣ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୧,୧୧୯ ହେଉଛନ୍ତି ଲୋକାଲ୍ କଂଟାକ୍ଟ । ଏହି ୨୪ ଘଂଟାରେ ରାଜ୍ୟରେ ଆଉ ୧୬ଟି ମୃତ୍ୟୁ ଘଟିଛି ।
ଅକ୍ଟୋବର ୬ ତାରିଖ ସୁଦ୍ଧା ରାଜ୍ୟର ଅନୁଗୁଳ ଜିଲ୍ଲାରେ ୮ଟି, ବାଲେଶ୍ୱର ଜିଲ୍ଲାରେ ୩୯ଟି, ବରଗଡ଼ ଜିଲ୍ଲାରେ ୧୩ଟି, ଭଦ୍ରକ ଜିଲ୍ଲାରେ ୧୫ଟି, ବଲାଂଗୀର ଜିଲ୍ଲାରେ ୨୪ଟି, ବୌଦ୍ଧ ଜିଲ୍ଲାରେ ୫ଟି, କଟକ ଜିଲ୍ଲାରେ ୮୨ଟି, ଢେଙ୍କାନାଳ ଜିଲ୍ଲାରେ ୧୦ଟି, ଗଜପତି ଜିଲ୍ଲାରେ ୨୩ଟି, ଗଂଜାମ ଜିଲ୍ଲାରେ ୨୨୧ଟି, ଜଗତସିଂହପୁର ଜିଲ୍ଲାରେ ୧୩ଟି, ଯାଜପୁର ଜିଲ୍ଲାରେ ୧୧ଟି, ଝାରସୁଗୁଡା ଜିଲ୍ଲାରେ ୨ଟି, କଳାହାଣ୍ଡି ଜିଲ୍ଲାରେ ୧୧ଟି, କନ୍ଧମାଳ ଜିଲ୍ଲାରେ ୨୩ଟି, କେନ୍ଦ୍ରାପଡା ଜିଲ୍ଲାରେ ୧୩ଟି, କେନ୍ଦୁଝର ଜିଲ୍ଲାରେ ୧୨ଟି, ଖୋର୍ଦ୍ଧ ଜିଲ୍ଲାରେ ୧୫୪ଟି, କୋରାପୁଟ ଜିଲ୍ଲାରେ ୧୧ଟି, ମାଲକାନଗିରି ଜିଲ୍ଲାରେ ୧୨ଟି, ମୟୁରଭଂଜ ଜିଲ୍ଲାରେ ୨୫ଟି, ନବରଂଗପୁର ଜିଲ୍ଲାରେ ୭ଟି, ନୟାଗଡ଼ ଜିଲ୍ଲାରେ ୩୦ଟି, ନୂଆପଡା ଜିଲ୍ଲାରେ ୦୧ଟି, ପୁରୀ ଜିଲ୍ଲାରେ ୬୩ଟି, ରାୟଗଡ଼ା ଜିଲ୍ଲାରେ ୩୯ଟି, ସମ୍ବଲପୁର ଜିଲ୍ଲାରେ ୨୩ଟି, ସୁବର୍ଣ୍ଣପୁର ଜିଲ୍ଲାରେ ୯ଟି ଓ ସୁନ୍ଦରଗଡ଼ ଜିଲ୍ଲାରେ ୪୧ଟି ମୃତ୍ୟୁ ଘଟିଛି । ରାଜ୍ୟର ସର୍ବାଧିକ ସଂଖ୍ୟକ ସକ୍ରୀୟ କରୋନା ରୋଗୀ ଖୋର୍ଦ୍ଧ ଜିଲ୍ଲାରେ ଅଛନ୍ତି । ଏହା ପଛକୁ ରହିଛି କଟକ ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲା, ବିଶେଷକରି ରାଜଧାନୀ ଭୁବନେଶ୍ୱରେ ୫,୯୦୮ ସକ୍ରିୟ କରୋନା ରୋଗୀ ଚିକିତ୍ସାଧିନ ଥିବା ବେଳେ କଟକ ଜିଲ୍ଲାରେ ସକ୍ରୀୟ ରୋଗୀ (କରୋନା) ସଂଖ୍ୟା ରହିଛି ୨, ୭୯୦ । ସକ୍ରୀୟ କରୋନା ରୋଗୀ ଚାରି ଅଂକ ବିଶିଷ୍ଟ ଥିବା ଅନ୍ୟ ଜିଲ୍ଲାଗୁଡିକ ହେଉଛି – ଅନୁଗଳ (୧,୧୯୩), ବରଗଡ଼ (୧,୦୪୬), ଯାଜପୁର (୧,୧୮୬), କେନ୍ଦ୍ରାପଡା (୧,୧୪୯), ମୟୁରଭଂଜ (୧,୩୨୪),ପୁରୀ (୧,୫୧୧) ଓ ସମ୍ବଲପୁର (୧,୦୭୪) । ଏହାଛଡା, ରାଜ୍ୟପୁଲ୍ ରେ ୧, ୬୬୮ ଜଣ ସକ୍ରିୟ କରୋନା ରୋଗୀ ଥିବା ହିସାବ କରାଯାଇଛି ।
ବ୍ୟାଙ୍କ୍ ଡ଼କାୟତି ଶିଖାଇଲା କରୋନା !
ଗଲା ମାର୍ଚ୍ଚ ମାସରୁ ରାଜ୍ୟ କରୋନା ଆତଙ୍କରେ ରହିଛି । ତାଲାବନ୍ଦ୍, ସଟ୍୍ ଡାଉନ୍ ଭଳି ଅଭିଜ୍ଞତା ରାଜ୍ୟବାସୀଙ୍କ ପାଇଁ ନୂଆ ଥିଲା । ବର୍ତମାନ ଦେହସୁହା ହୋଇଯାଇଛି । ଏହି ମହାମାରୀ ମଣିଷ ସମାଜକୁ ଅନେକ ଅନୁକୂଳ (ପଜେଟିଭ୍) ଶିକ୍ଷା ଦେଇଥିବା ସମସ୍ତେ ଜାଣନ୍ତି । ନିଜକୁ ସ୍ୱଚ୍ଛ ରଖିବା, ପରିବେଶକୁ ସ୍ୱଚ୍ଛ ଓ ସନ୍ତୁଳିତ ରଖିବା, ପରସ୍ପରଠାରୁ ଦୂରତା ବଜାୟ ରଖିବା, ଅସମୟରେ ଏକାଠି ହୋଇ ପରସ୍ପରକୁ ସହଯୋଗ କରିବା ଓ ସଂକଟ ସହ ଏକାଠି ହୋଇ ଲଢିବା ଭଳି ଅନେକ ଶିକ୍ଷା ଆମକୁ ମିଳିଛି । ତେବେ, କରୋନା ମହାମାରୀ ଯୋଗୁ ଅନେକ ନିଜର ପାରଂପରିକ ଜୀବୀକା ହରାଇ କାଂଗାଳ ହୋଇଥିବା ଏବଂ ନୂଆ କରି ଜୀବନ ଆରମ୍ଭର ପ୍ରୟାସ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । କିଛି ଲୋକ ନିଜ ଜୀବୀକା ପାଇଁ ନୂଆ ବିଦ୍ୟା ମଧ୍ୟ ଶିଖିଲେଣି । ତେବେ, ନୂଆ ବିଦ୍ୟା ଶଖିବା ଭିତରେ ବାଧ୍ୟବାଧକତାରେ ହେଉ ବା ଅନ୍ୟ କାରଣରୁ ହେଉ କେହି କେହି ଅପରାଧ ଆଡକୁ ମଧ୍ୟ ଟାଣି ହୋଇଛନ୍ତି । ଏଭଳି ଅବାଟକୁ ଚାଲି ଯାଇଥିବା ଯୁବକଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱର ମଂଚେଶ୍ୱର ଥାନା ଟାଙ୍ଗିବନ୍ତର ସୌମ୍ୟ ରଂଜନ ଜେନା ଓରଫ ଟୁଲୁ ।
୨୫ ବର୍ଷ ବୟସର ଏହି ଯୁବକ ଜଣକ ଶିକ୍ଷିତ । ଯୁକ୍ତ-୨ ବାଣିଜ୍ୟ ପାଠ୍ୟକ୍ରମ ସାରି ଗାଁରେ ଖୋଲି ଥିଲେ ‘ଜେନା ନ୍ୟୁ ଷ୍ଟାଇଲ୍’ ନାମକ ଏକ ବ୍ୟବସାୟ ସଂସ୍ଥା । ଲୁଗା, ଚପଲ ପ୍ରଭୃତି ସେ ବିକୁଥିଲେ । ବ୍ୟବସାୟ ପାଇଁ ସେ ଦୁଇଟି ବ୍ୟାଙ୍କରୁ ୧୯ ଲକ୍ଷ ଟଙ୍କା ଋଣ ମଧ୍ୟ ଆଣି ଥିଲେ । ବ୍ୟବସାୟ ଭଲରେ ଚାଲି ଥିଲା ଏବଂ ଟର୍ଣ୍ଣଓଭର ୯ରୁ ୧୦ ଲକ୍ଷ ଟଙ୍କା ହେଉ ଥିଲା ବୋଲି ସେ କୁହନ୍ତି । ଦୁଇଟି ବ୍ୟାଙ୍କରୁ ଆଣି ଥିବା ଋଣରୁ ସେ ୬ ଲକ୍ଷ ଟଙ୍କା ସୁଧ ସହ ଶୁଝି ସାରି ଥିଲେ । ଆଉ ୧୨ ଲକ୍ଷ ଟଙ୍କା ଶୁଝିବାକୁ ବାକି ଥିବା ସମୟରେ କରୋନା ମାଡ଼ ଓ ତାଲାବନ୍ଦ୍ ତାଙ୍କ ବ୍ୟବସାୟକୁ ଠପ୍ କରି ଦେଲା । ସୌମ୍ୟଙ୍କ ବ୍ୟବସାୟ ବୁଡି ଯିବାରୁ ସେ ବକେୟା ଋଣ ଶୁଝି ପାରିଲେ ନାହାନ୍ତି । ଋଣ କିସ୍ତି ପୈଠ ପାଇଁ ଦୁଇ ବ୍ୟାଙ୍କରୁ ଚାପ ବଢିବାରୁ ସେ ବ୍ୟତିବ୍ୟସ୍ତ ହୋଇ ବ୍ୟାଙ୍କ ଡ଼କାୟତି କଥା ଚିନ୍ତା କଲେ । ସେଥିରେ ମଧ୍ୟ ସଫଳ ହେଲେ । ବ୍ୟାଙ୍କ ଲୁଟିବା ତରିକା ଶିଖିବା ପାଇଁ ସେ ୟୁ-ଟ୍ୟୁବ୍ ରେ ଥିବା ଏକାଧିକ ଭିଡ଼ିଓ ଦେଖିଲେ । ସେ ସବୁ କୌଶଳକୁ କାର୍ଯ୍ୟକାରୀ କରିବା ସକାଶେ ଘରେ ମଧ୍ୟ ରିହଲସଲ୍ କଲେ । ବ୍ୟାଙ୍କରେ କେଉଁ ସମୟରେ ଗ୍ରାହକ କମ୍ ରହୁଛନ୍ତି ତାହା ମଧ୍ୟ ଅନୁଧ୍ୟାନ କରିବା ସହ ବ୍ୟାଙ୍କ ଲୁଟି ପାଇଁ ଗୋଟିଏ ଏୟାରଗନ୍ କିଣିଲେ । ସେପ୍ଟେମ୍ବର ୭ ତାରିଖରେ ପ୍ରଥମ କରି ସେ ଭୁବନେଶ୍ୱର ଇନଫୋସିଟି ଥାନା ନନ୍ଦନ ବିହାର ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ (ଆଇଓବି)ରେ ସୌମ୍ୟ ତାଙ୍କ କଳା କୌଶଳ ଦେଖାଇଲେ । ଦିନ ଦ୍ୱିପହରରେ ସେ ବ୍ୟାଙ୍କରେ ଏକାକି ପଶି ଏୟାରଗନ୍ ଦେଖାଇ ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟିବାରେ ସକ୍ଷମ ହେଲେ । ଏଥିରେ ସଫଳ ହେବା ପରେ ତାଙ୍କ ସାହାସ ବଢିଲା । ସେ ଲୁଟ୍ ଟଙ୍କାରୁ ୭୫ ହଜାର ଖର୍ଚ୍ଚ କରି ଗୋଟିଏ ସତସତିକା ମାଉଜର୍ କିଣିଲେ ଏବଂ ସେପ୍ଟେମ୍ବର ୨୮ ତାରିଖ ଦିନ ମଂଚେଶ୍ୱର ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ବରିମୁଣ୍ଡା ଶାଖାରୁ ୯ ଲକ୍ଷ ୫୩ ହଜାର ଟଙ୍କା ଲୁଟି ନେଲେ । ବିଓଆଇରେ ସେ ଫାଂକା ଗୁଳି ଚାଳନା କରି ଲୁଟିବା ପୁଲିସ ପାଇଁ ଚ୍ୟାଲେଂଜ ଥିଲା ।
କମିସନରେଟ୍ ପୁଲିସ ଦୁଇଟି ଯାକ ବ୍ୟାଙ୍କ ଡ଼କାୟତିର ତଦନ୍ତ କରି ଦୁଇଟି ଯାକ ଘଟଣାରେ ଜଣେ ବ୍ୟକ୍ତି ସଂପୃକ୍ତ ଥିବା ଅନୁମାନ ଲଗାଇଲେ । ସିସିଟିଭି ଫୁଟେଜ୍ ଓ ଅନ୍ୟ ପାରିପାଶ୍ୱିର୍କ ପ୍ରମାଣକୁ ଏକାଠି କରି ପୁଲିସ ତଦନ୍ତ ଚାଲିଥିବା ବେଳେ ଦୀର୍ଘ ଛଅ ମାସ ହେଲା ବ୍ୟାଙ୍କ ଋଣର ମାସିକିଆ କିସ୍ତି ଦେଇ ପାରୁ ନ ଥିବା ସୌମ୍ୟ ହଠାତ୍ ବିଓଆଇ ବରିମୁଣ୍ଡା ଶାଖାରେ ଏକାଥରକେ ୬୦ ହଜାର ଟଙ୍କା ଜମା କରିବା ବ୍ୟାଙ୍କ କର୍ତୃପକ୍ଷଙ୍କୁ ସନ୍ଦେହରେ ପକାଇଲା । ପୁଲିସ ଏହି ସୁରାକକୁ ଧରି ସିସିଟିଭି ଫୁଟେଜରେ ଥିବା ଲୁଟେରାର ଚେହେରା ଓ ହେଲମେଟ୍ ସହ ସୌମ୍ୟଙ୍କ ଚେହେରା ଓ ହେଲମେଟ୍ କୁ ମିଳାଇ ସେ ହିଁ ଦୁଇଟି ବ୍ୟାଙ୍କରୁ ଡ଼କାୟତି କରିଥିବା ନିର୍ଣ୍ଣୟରେ ପହଂଚିଲେ ।
ସୌମ୍ୟଙ୍କୁ ଧରିବା ସକାଶେ ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଓ ତିନି ଥାନା ଅଧିକାରୀଙ୍କୁ ନେଇ ଏକ ଟିମ୍ ଗଠନ ହେଲା । ୪ ତାରିଖ ଦିନ ପୁଲିସ ତାଙ୍କ ପିଛା କରି ରାତିରେ ଖୋର୍ଦ୍ଧାରୁ ଉଠାଇ ଆଣିଲେ । ଧରାପଡିବା ପରେ ପୁଲିସ ନିକଟରେ ସେ ସବୁ କିଛି ସ୍ୱୀକାର କରିଛନ୍ତି । ତାଙ୍କ ନିକଟରୁ ଗୋଟିଏ ଖେଳନା ଏୟାରଗନ୍, ଗୋଟିଏ ମାଉଜର୍, ୯ ରାଉଣ୍ଡ୍ ଗୁଳି ଓ ୧୦ ଲକ୍ଷ ୭୬ ହଜାର ୬ ଶହ ଟଙ୍କା ଜବତ ହୋଇଛି ବୋଲି ଭୁବନେଶ୍ୱର-କଟକ ଦ୍ୱୈତ ମହାନଗରୀ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ସେମାବାର (୫ ତାରିଖ) ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ବ୍ୟାଙ୍କ ଲୁଟିରେ ବ୍ୟବହୃତ ହୋଇଥିବା ସ୍କୁଟି ମଧ୍ୟ ସୌମ୍ୟଙ୍କ ଠାରୁ ଜବତ ହୋଇଛି । ମଜାକଥା ହେଉଛି, ଏହି ଦୁଇ ବ୍ୟାଙ୍କରେ ସୌମ୍ୟଙ୍କ ଆକାଉଂଟ୍ ରହିଛି । ସୌମ୍ୟ ଏବେ ଝାରପଡ ଜେଲରେ । ଅକଳରେ ପଡି ମଣିଷ କେଉଁ ସ୍ତରକୁ ଯାଇ ପାରେ, ତାହା ଏହି ଘଟଣାରୁ ଅନୁଭବ କରି ହେଉଛି ।
ଓଡ଼ିଶାରେ ୩ ହଜାର ବ୍ୟାଙ୍କ କର୍ମଚାର କୋଭିଡ଼ ଆକ୍ରାନ୍ତ, ୧୪ ଜଣ ମରିଛନ୍ତି
ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଓଡ଼ିଶାରେ ୩,୦୬୬ ବ୍ୟାଙ୍କ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଏବଂ ୧୪ ଜଣଙ୍କ ମୃତ୍ୟୁ ଘଟିଛି । ରବିବାର ଦିନ ଜଣେ ବ୍ୟାଙ୍କ ଅଧିକାରୀଙ୍କ ଠାରୁ ଏହି ସୂଚନା ମିଳିଛି । ଏସ୍.ଏଲ୍.ବି.ସି (ଷ୍ଟେଟ୍ ଲେଭଲ ବ୍ୟାଙ୍କର୍ସ କମିଟି)ର ଆବାହକ ଅରୁପାନନ୍ଦ ଜେନାଙ୍କ ଏକ ଚିଠି ମାଧ୍ୟମରେ ଏହା ଜଣାଇ ଥିବା ଗଣମାଧ୍ୟମରେ କୁହାଯାଇଛି । ଜେନାଙ୍କ ତଥ୍ୟ ମୁତାବକ ପବ୍ଲିକ୍ ସେକ୍ଟର ବ୍ୟାଙ୍କ୍ ମଧ୍ୟରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ସର୍ବାଧିକ ୯୬୮ କର୍ମଚାରୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିବା ବେଳେ ଗୋଟିଏ ମୃତ୍ୟୁ ଘଟିଛି । ଘରୋଇ ବ୍ୟାଙ୍କ ମଧ୍ୟରେ ଆକ୍ସିସ୍ ବ୍ୟାଙ୍କର ସର୍ବାଧିକ ୩୯୦ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇତିମଧ୍ୟରେ, ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ୩ ଜଣ କର୍ମଚାରୀଙ୍କ କରୋନାରେ ମୃତ୍ୟୁ ବରଣ କରିଛନ୍ତି ।
ପିପିଇ କିଟ୍ ରୁ ଗଂଜେଇ ଜବତ !
କରୋନା କାହାକୁ କଣ ଶିକ୍ଷା ଦେଲା ଭିନ୍ନ କଥା, କିନ୍ତୁ ଅପରାଧୀଙ୍କୁ ଅପରାଧ କରିବାର ନୂଆ ନୂଆ ବାଟ ଦେଖାଇ ଦେଇଛି । ଗଂଜାମ ଜିଲ୍ଲାର କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ବୁଢାଆମ୍ବ ନିକଟରୁ ରବିବାର ଦିନ ଗୋଟିଏ ଆମ୍ବୁଲାନ୍ସରୁ ବିପୁଳ ପରିମାଣର ଗଂଜେଇ ଜବତରୁ ଏହା ଜଣାପଡିଛି । ପିପିଇ କିଟ୍ରେ ଗଂଜେଇତକ ଗୁଡା ହୋଇ ରହିଥିଲା । କବିସୂର୍ଯ୍ୟ ନଗର ଥାନା ପୁଲିସ ରବିବାର ସନ୍ଧ୍ୟାରେ ବୁଢାଆମ୍ବ ଫାଣ୍ଡି ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଦିଗପହଂଡିରୁ କୋଦଳା ଅଭିମୁଖେ ଯାଉଥିବା ଏକ ସନ୍ଦିଗ୍ଧ ଆମ୍ବୁଲାନ୍ସକୁ ଅଟକାଇ ଯାଂଚ କରିବାରୁ ଏହି ଅପରାଧ ଧରାପଡିଛି । ପୁଲିସ ପିପିଇ କିଟ୍ ରେ ଗୁଡା ହୋଇ ଚାଲାଣ ହେଉଥିବା ଗଂଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛନ୍ତି । ସେହିଭଳି ପୁରୀରୁ ମିଳିଥିବା ଆଉ ଏକ ଖବରରୁ ଜଣାପଡିଛି, ପୁରୀ ବାଶେଳିସାହି ପୁଲିସ ସେମାବାର ମଂଗଳାଘାଟ ଛକ ନିକଟରୁ ୨୭୩ ଗ୍ରାମ ବ୍ରାଉନ ସୁଗର ଜବତ କରିଛନ୍ତି, ଯାହାର ମୂଲ୍ୟ ୨୭ ଲକ୍ଷ ଟଙ୍କା ହେବ । ଏସଂକ୍ରାନ୍ତରେ ୬ ଜଣଙ୍କୁ ଗିରଫ କରାଯାଇଛି । ପୁଲିସ ମଂଗଳାଘାଟ ଛକ ନିକଟରେ ଗୋଟିଏ କଳା ପଲ୍ସର୍ ଗାଡି ଓ ଗୋଟିଏ ଟାଟା ସଫାରୀକୁ ପିଛା କରି ଏହି ବ୍ରାଉନ ସୁଗର ଜବତ କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ପିସ୍ତଲ ଓ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଥିବା ଏବଂ ୬ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଖୋର୍ଦ୍ଧାର ହୋଇଥିବା ବେଳେ ଜଣେ ନରେନ୍ଦ୍ର କୋଣ, ଜଣେ ବାରବାଟି ଓ ଜଣେ ପୁରୀ ଗୋଖାସାହିର ଥିବା ସୂଚନା ମିଳିଛି ।
ଆଉ ଜଣେ ମୁଲାୟମ ସିଂହ ଯାଦବ ?
ସୋମବାର ଦିନ ଏକ ରୋଚକ ଖବର ଆମ ହସ୍ତଗତ ହୋଇଥିଲା । ତାହା ଥିଲା, ୟୁପିର ୯୧ ବର୍ଷ ବୟସ୍କ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ଏମଏଲସି ମୁଲାୟମ ସିଂହ ଯାଦବଙ୍କ ଶନିବାର ରାତିରେ ଦେହାନ୍ତ ହୋଇଛି । ୟୁପିର ମୁଲାୟମ ସିଂହ ଯାଦବ କହିଲେ ଆମେ ଜଣକୁ ବୁଝୁ । ସେ ହେଉଛନ୍ତି, ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ଖବରକୁ ଘଂଟାଚକଟା କରିବାରୁ ଜଣାପଡିଲା, ଏ ହେଉଛନ୍ତି ଆଉ ଜଣେ ମୁଲାୟମ ସିଂହ ଯାଦବ । ୟୁପିର ପୁରୱାରରେ ଥିବା କାକୋର ଗ୍ରାମରେ ଏହି ମୁଲାୟମଙ୍କ ମୃତ୍ୟୁ ଘଟିଛି । ସେ ହେଉଛନ୍ତି ଜଣେ ଏସପି ନେତା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଅତି ଘନିଷ୍ଟ । ରବିବାର ଆୟୁରିୟାର ଜିଲ୍ଲାରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ସେଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ପୁଅ ତଥା ସମାଜବାଦୀ ପାର୍ଟି ମୁଖ୍ୟ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯୋଗ ଦେଇଥିଲେ । ମୃତ ମୁଲାୟମ ୧୯୪୯ ମସିହାରେ ୨୧ ବର୍ଷ ବୟସରେ ସରପଂଚ ପଦକୁ ନିର୍ବାଚିତ ହୋଇ ରାଜନୀତି ଆରମ୍ଭ କରିଥିଲେ ଏବଂ ରାଜନୈତିକ ଜୀବନରେ ସେ ୧୫ ବର୍ଷ ବ୍ଲକ ମୁଖ୍ୟ ଓ ୨୦ ବର୍ଷ ଏମଏଲସି ଥିଲେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS