ମୁମ୍ବାଇ ହାଇକୋର୍ଟରୁ ମିଳିଲା ରିୟାଙ୍କୁ ସର୍ତ୍ତମୂଳକ ଜାମିନ, ସୌଭିକଙ୍କୁ ନା’
ପ୍ରସାଦ ରାଓ
ଅକ୍ଟୋବର, ୦୭
ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ସହ ଯୋଡି ହୋଇଥିବା ନିଷିଦ୍ଧ ମାଦକ ଦ୍ରବ୍ୟ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ଗିରଡଫ ହୋଇ ଜେଳରେ ଥିବା ସୁଶାନ୍ତଙ୍କ ବାନ୍ଧବୀ ତଥା ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଆଜି ମୁମ୍ବାଇ ହାଇକୋର୍ଟରୁ ସର୍ତମୂଳକ ଜାମିନ ମିଳିଛି । ଡ୍ରଗ୍ସ୍ କାରବାରର ତଦନ୍ତ କରୁଥିବା ଏନସିବି (ନାର୍କୋଟିକ୍ସ୍ କଂଟ୍ରୋଲ ବ୍ୟୁରୋ) ରିୟା ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କ ଜାମିନ ଆବେଦନକୁ ବିରୋଧ କରିଥିବା ସତ୍ୱେ ହାଇକୋର୍ଟ ରିୟାଙ୍କ ଜାମିନ ମଂଜୁର କରିଛନ୍ତି । ତେବେ, ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଛନ୍ତି ।
ସୁଶାନ୍ତ ସିଂହ ରାଜପୁତ ଜୁନ ୧୪ ତାରିଖ ଦିନ ତାଙ୍କ ମୁମ୍ବାଇର ବାନ୍ଦ୍ରାସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ । ଏି ଆତ୍ମହତ୍ୟାର ରହସ୍ୟ ସଂପର୍କରେ ପ୍ରଥମେ ମୁମ୍ବାଇ ପୁଲିସ ତଦନ୍ତ କରୁଥିଲା । ତେବେ, ମୁମ୍ବାଇ ପୁଲିସ ତଦନ୍ତରେ କୌଣସି ଅଗ୍ରଗତି ଘଟୁ ନ ଥିବା ଦେଖି ସୁଶାନ୍ତଙ୍କ ପିତା କେ.କେ.ସିଂହ ବିହାର ପାଟନା ଥାନାରେ ଏକ ଏତଲା ଦେଇ ସୁଶାନ୍ତଙ୍କ ବାନ୍ଧବୀ ରିୟାଙ୍କୁ ଅଭିଯୁକ୍ତ ଦର୍ଶାଇ ତାଙ୍କୁ ଗିରଫ କରାଯିବାକୁ ଆବେଦନ କରିଥିଲେ । ତଦନ୍ତକୁ ନେଇ ମୁମ୍ବାଇ ପୁଲିସ ଓ ବିହାର ପୁଲିସ ମଧ୍ୟରେ ଟଣା ଓଟଣା ଚାଲିଥିବା ବେଳେ ସୁପ୍ରିମ କୋର୍ଟ ସିବିଆଇକୁ ଏହାର ତଦନ୍ତ ଦାୟିତ୍ୱ ଦେଇଛନ୍ତି ।
ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଆକାଉଂଟରୁ ୧୫ କୋଟି ଟଙ୍କା ବେନିୟମ ଭାବେ ଅନ୍ୟ କାହା ଆକାଉଂଟ୍ କୁ ସ୍ଥାନାନ୍ତର ହୋଇଥିବା ଏବଂ ରିୟା ସୁଶାନ୍ତଙ୍କୁ ନିଷିଦ୍ଧ ମାଦକ ଦ୍ରବ୍ୟ ଖୁଆଇ ମାରି ଦେଇଥିବା ସୁଶାନ୍ତଙ୍କ ପିତା ସିଂହ ପାଟନା ଥାନାରେ ଦେଇଥିବା ପ୍ରାଥମିକ ଏତଲା (ଏଫଆଇଆର)ରେ ଅଭିଯୋଗ କରିଥିବାରୁ ଆର୍ଥିକ ଅନିୟମିତତା ଅଭିଯୋଗକୁ ଇଡ଼ି (ଏନଫୋର୍ସମେଂଟ୍ ଡ଼ିରେକ୍ଟୋରେଟ୍) ଛାନବିନ୍ କରୁଛି । ସେହିଭଳି, ମାମଲାରେ ଥିବା ଡ୍ରାଗ୍ସ୍ କାରବାର ଦିଗ ଉପରେ ଏନସିବି ତଦନ୍ତ କରି ରିୟା, ତାଙ୍କ ଭାଇ ସୌଭିକଙ୍କ ସମେତ ମୁମ୍ବାଇ, ଗୋଆ ଓ ନୂଆଦିଲ୍ଲୀର କିଛି ଡ୍ରଗ୍ସ୍ ବେପାରୀଙ୍କୁ ଗିରଫ କରିଛି ।
ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଆକାଉଂଟ୍ ରୁ ବେଆଇନ ଭାବେ ମୋଟା ଅଂକର ଆର୍ଥ ଅନ୍ୟ କାହା ଆକାଉଂଟ୍କୁ ସ୍ଥାନାନ୍ତର ହୋଇଥିବା ଅଭିଯୋଗର ତଦନ୍ତ ବେଳେ ଇଡ଼ି ରିୟାଙ୍କ ମୋବାଇଲ୍ ଚାଟ୍ ରୁ ଡ଼ିଲିଟ୍ ହୋଇଥିବା ନିଷିଦ୍ଧ ଡ୍ରଗ୍ସ୍ କାରବାର ସଂପର୍କିତ କିଛି ହ୍ୱାଟସ୍ ଆପ୍ ଚାଟ୍ ର ପୁନଃରୁଦ୍ଧାର କରିଥିଲା ଏବଂ ତାହାର ତଦନ୍ତ ଦାୟିତ୍ୱ ଏନସିବି ହାତକୁ ଯାଇଥିଲା । ଏନସିବି ରିୟାଙ୍କୁ ବହୁ ବାର ଜେରା କରିବା ପରେ ନିଷିଦ୍ଧ ଡ୍ରଗ୍ସ୍ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ସେପ୍ଟେମ୍ବର ୮ ତାରିଖ ଦିନ ଗିରଫ କରିଥିଲା । ଗିରଫ ହେବା ପରେ ରିୟା ସେପ୍ଟେମ୍ବର ୯ ତାରିଖରୁ ମୁମ୍ବାଇର ବାଇକୁଲା ଜେଲରେ ଅଛନ୍ତି । ଜମାନତରେ ମୁକୁଳିବାକୁ ସେ ଏକାଧିକ ଥର ଉଦ୍ୟମ କରି ବିଫଳ ହେବା ପରେ ଆଜି ସେଥିରେ ସଫଳ ହୋଇଛନ୍ତି ।
ମୁମ୍ବାଇ ହାଇକୋର୍ଟ ଏକ ଲକ୍ଷ ଟଙ୍କା ବ୍ୟକ୍ତିଗତ ବଂଡ୍ ବିନିମୟରେ ରିୟାଙ୍କ ସର୍ତ୍ତମୂଳକ ଜାମିନ ମଂଜୁର କରିଥିବା ବେଳେ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀଙ୍କ ଆବେଦନକୁ କାରଜ କରିଛନ୍ତି । ମୁମ୍ବାଇ ହାଇକୋର୍ଟ ରିୟାଙ୍କୁ ଜାମିନ ଦେବାରେ ଯେଉଁ ସବୁ ସର୍ତ୍ତ ରଖିଛନ୍ତି ସେଗୁଡ଼ିକ ହେଉଛି – ରିୟା ଜମାନତରେ ଜେଲରୁ ବାହାରିବା ପରେ ଥାନାରେ ତାଙ୍କ ପାସପୋର୍ଟ ଜମା ଦେବେ । ୧୦ ଦିନ ପର୍ଯ୍ୟନ୍ତ ସେ ସ୍ଥାନୀୟ ପୁଲିସ ଥାନାରେ ହାଜିରା ଦେବେ । କୋର୍ଟଙ୍କ ବିନା ଅନୁମତିରେ ସେ ବିଦେଶ ଗସ୍ତରେ ଯିବେ ନାହିଁ ଏବଂ ଗ୍ରେଟର ମୁମ୍ବାଇରୁ ବାହାରକୁ ଯିବାକୁ ଥିଲେ ସେ ମାମଲାର ତଦନ୍ତ କରୁଥିବା ଅଫିସରଙ୍କୁ ତାହା ଅବଗତ କରାଇବାକୁ ବାଧ୍ୟ । ମୁମ୍ବାଇ ହାଇକୋର୍ଟ ଏହି ସର୍ତ୍ତରେ ତାଙ୍କୁ ଆଜି ଜାମିନ ମଂଜୁର କରିଥିବା ଅର୍ଡର ସିଟ୍ ରେ ଦର୍ଶାଇଛନ୍ତି ।
ମୁମ୍ବାଇ ହାଇକୋର୍ଟରୁ ଆଜି ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ୍ ମ୍ୟାନେଜର ସାମୁଏଲ ମିରାଣ୍ଡା ଓ ବ୍ୟକ୍ତିଗତ ଷ୍ଟାଫ୍ ଦୀପେଶ ସାୱନ୍ତ ମଧ୍ୟ ରିଲିଫ୍ ମିଳିଛି । ଦୁହିଁଙ୍କୁ ୫୦ ହଜାର ଟଙ୍କା ଲେଖାଁଏ ବ୍ୟକ୍ତିଗତ ବଂଡ୍ ରେ ଜାମିନ ମଂଜୁର ହୋଇଛି । ତେବେ, ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତୀ ଓ ଅନ୍ୟତମ ସନ୍ଦିଗ୍ଧ ଡ୍ରଗ୍ସ୍ ବେପାରୀ ଅବଦୁଲ ବସିତଙ୍କ ଜାମିନ ଆବେଦନ ଆଜି ମୁମ୍ବାଇ ହାଇକୋର୍ଟରେ ଖାରଜ ହୋଇଛି । ସୌଭିକଙ୍କ ବିରୋଧରେ ଡଗ୍ସ୍ କାରବାରରେ ସଂପୃକ୍ତି ନେଇ ଅଧିକ କିଛି ତଥ୍ୟ ଉପସ୍ଥାପନ ହୋଇ ଥିବାରୁ ବୋଦହୁଏ ତାଙ୍କ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି ବୋଲି ଅନୁମାନ କରାଯାଉଛି ।
ଅଭିନେତ୍ରୀ ରିୟା ଚକ୍ରବର୍ତୀ ଓ ତାଙ୍କ ସୌଭିକଙ୍କ ସହ ମିଶି ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ନିଷିଦ୍ଧ ମାଦକ ଦ୍ରବ୍ୟ ସଂଗ୍ରହ କରୁଥିଲେ ଓ ତାଙ୍କୁ ଖୁଆଉ ଥିଲେ ଏନସିବି ତାହାର ଅଭିଯୋଗପତ୍ରରେ ଦର୍ଶାଇବା ସହ ହାଇକୋର୍ଟରେ ରିୟା ଓ ସୌଭିକଙ୍କ ଜାମିନ ଆବେଦନକୁ ବିରୋଧ କରିଥିଲା । ଅଭିଯୁକ୍ତମାନେ ଗୋଟିଏ ଡ୍ରଗ୍ସ୍ ସିଣ୍ଡିକେଟ୍ ର ସକ୍ରୀୟ ସଦସ୍ୟ ଏବଂ ସେମାନେ ବହୁ ପ୍ରଭାବଶାଳୀ ବର୍ଗର ଲୋକଙ୍କ ସହ ସଂପର୍କ ରଖିବା ସହ ସେମାନଙ୍କୁ ଡ୍ରଗ୍ସ୍ ଯୋଗାଇ ଦେଉଥିଲେ ବୋଲି ଏନସିବି କହିଛି । ଏହି ତଦନ୍ତକାରୀ ସଂସ୍ଥା ପକ୍ଷରୁ ରିୟା, ତାଙ୍କ ଭାଇ ସୌଭୁକ ଓ ଅନ୍ୟ ଗିରଫ ହୋଇଥିବା ନିଷିଦ୍ଧ ମାଦକ ଦ୍ରବ୍ୟ ବେପାରୀଙ୍କ ବିରୋଧରେ ଏନଡ଼ିପିଏସ (ନର୍କ୍କାଟିକ୍ ଡ୍ରଗ୍ସ୍ ଏନ୍ଡ ସାଇକୋଥେରାପିକ୍ ସବ୍ଷ୍ଟାନ୍ସ) ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି ।
ମଂଗଳବାର ଦିନ ରିୟା ଓ ତାଙ୍କ ଭାଇ ସୌଭିକଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଅକ୍ଟୋବର ୨୦ ତାରିଖକୁ ବୃଦ୍ଧି ହୋଇଥିଲା ବେଳେ ଆଜି ମୁମ୍ବାଇ ହାଇକୋର୍ଟରେ ସେମାନଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ହୋଇଥିଲା । ଏନସିବି ପକ୍ଷରୁ ଏଏସଜି ଅନିଲ ସିଂହ ହାଇକୋର୍ଟରେ ହାଜର ହୋଇ ରିୟା ଓ ଅନ୍ୟମାନଙ୍କ ଜାମିନ ଆବେଦନର ବିରୋଧ କରିଥିଲେ । ସିଂହ କୋର୍ଟରେ ଯୁକ୍ତି ରଖିଥିଲେ ଯେ, ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ସହ ଏହି ମାମଲାର କୌଣସି ସଂପର୍କ ନାହିଁ । ବାସ୍ତବରେ ରିୟା ଓ ତାଙ୍କ ଭାଇ ସୌଭିକ ଏକ ଡ୍ରଗ୍ସ୍ ସିଣ୍ଡିକୋଟର ସକ୍ରୀୟ ସଦସ୍ୟ । କିଛି ପ୍ରଭାବଶାଳୀ ଲୋକ ଓ ଡ୍ରଗ୍ସ୍ ବ୍ୟବସାୟୀଙ୍କ ସହ ଏହି ସିଣ୍ଡିକେଟ୍ ର ସଂପର୍କ ରହିଛି । ରିୟା ଓ ତାଭ୍କ ଭାଇ ନିଷିଦ୍ଧ ମାଦକ ଦ୍ରବ୍ୟ କାରବାରକୁ ସୁରକ୍ଷା ଦେବା ସହ ଅର୍ଥ ଲଗାଣ ମଧ୍ୟ କରୁଥିଲେ । ଏହି ମାମଲାରେ ଯେତେ ଜଣ ଗିରଫ ହୋଇଛନ୍ତି ସେମାନଙ୍କ ମଧ୍ୟରେ ପାରସ୍ପରିକ ସଂପର୍କ ରହିଛି । ସେମାନେ ନିଜ ଭିତରେ ଲଗାତର ସଂପର୍କ ରଖିବା ସହ ଡ୍ରଗ୍ସ୍ କାରବାର କରୁଥିଲେ ।
ଅପରପକ୍ଷରେ, ରିୟାଙ୍କ ଓକିଲ ସତୀଶ ମାନସିନେ୍ଦଙ୍କ ଯୁକ୍ତି ଥିଲା, ରିୟାଙ୍କୁ ନେଇ ଏନସିବି ଯେଉଁ ଡ୍ରଗ୍ସ୍ ମାମଲାର ତଦନ୍ତ କରୁଛି ତାହା ଏନସିବିର କର୍ତୃତ୍ୱ ବାହାରେ । ତେଣୁ, ସିବିଆଇକୁ ତାହା ହସ୍ତାନ୍ତର ହେଉ । ଉଭୟ ପକ୍ଷକୁ ଶୁଣିବା ପରେ ମୁମ୍ବାଇ ହାଇକୋର୍ଟ ଆଜି ରିୟାଙ୍କ ଜାମିନ ଆବେଦନକୁ ଚାରିଟି ସର୍ତ୍ତରେ ମଂଜର କରିଥିବା ବେଳେ ସୌଭିକଙ୍କ ଆବେଦନ ଖାରଜ କରିଛନ୍ତି । ଜାମିନ ପାଇବା ପରେ ରିୟା ଆଜି ଜେଲରୁ ମୁକୁଳିଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS