ପେଟ୍ରୋଲ ପଂପ୍ ବିସ୍ଫୋରଣ ଥିଲା ଭୟଂକର, ପୁଲିସ ନିଜ ଆଡୁ ମାମଲା କଲା, ତଦନ୍ତ ନିର୍ଦେଶ ଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର
ଅକ୍ଟୋବର, ୦୭
ମୋଅନୁଭବ.କମ୍
ଆଜି ଅପରାହ୍ନରେ ଭୁବନେଶ୍ୱର ରାଜଭବନ ନିକଟରେ ଘଟିଛିଏକ ଭୟଂକର ବିସ୍ଫୋରଣ । ରାଜ୍ୟପାଳଙ୍କ ସରକାରୀ ବାସଭବନ (ୟୁନିଟ-୮) ଛକରେ ଥିବା ଏକ ପେଟ୍ରୋଲ ଟାଂକି ପରିସରରେ ଥିବା ଏଲପିଜି ଟାଂକିରେ ନିଆଁ ଲାଗି ଏହି ବିସ୍ଫୋରଣ ଘଟି ଥିଲା । ନିଆଁ କେମିତି ଓ କାହିଁକି ଲାଗିଲା ତାହା ଜଣାପଡିନାହିଁ । କମିସନରେଟ୍ ପୁଲିସ ନିଜ ଆଡୁ କ୍ୟାପିଟେଲ୍ ଥାନାରେ ଏକ ଆପରାଧିକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାର ବିଭାଗୀୟ ତଦନ୍ତ ପାଇଁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି । ଘଟଣା ସ୍ଥଳରେ ପୋଡା ମାଉଁସ ଓ ମେଂଚା ମେଂଚା ରକ୍ତ ପଡି ରହି ଥିବା ଦେଖିବାକୁ ମିଳି ଥିବା ବେଳେ ବିସ୍ଫୋରଣରେ କାହାରି ମୃତ୍ୟୁ ଘଟି ନାହିଁ ବୋଲି ରାତି ୯ଟା ସୁଦ୍ଧା ସରକାରଙ୍କ ପକ୍ଷରୁ କୁହାଯାଇଛି । ଫେରେନ୍ସିକ୍ ଟିମ୍ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଘଟଣା ସ୍ଥଳରେ ବିରାଟ ଗାତ ସୃଷ୍ଟି ହୋଇଛି । ବିସ୍ଫୋରଣ ଯୋଗୁ ୯ ଜଣ ପୋଡି ଯାଇ ଗୁରୁତର ଆହତ ହୋଇଛନ୍ତି । ସେଥି ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସାଂଘାତିକ ଥିବାରୁ ସେମାନଙ୍କୁ କଟକ ଏସସିବି ମେଡ଼ିକାଲ କଲେଜ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ୭୨ ଘଂଟା ପର୍ଯ୍ୟନ୍ତ ସେମାନଙ୍କ ଅବସ୍ଥା ସଂପର୍କରେ କିଛି କହି ହେବ ନାହିଁ ବୋଲି ଚିକିତ୍ସା କରୁଥିବା ଡ଼ାକ୍ତରମାନେ କହିଛନ୍ତି । ବର୍ତ୍ତମାନ ଗୋପବନ୍ଧୁ ଛକ ପର୍ଯ୍ୟନ୍ତ ଅଂଚଳକୁ ସିଲ୍ କରାଯାଇ ସର୍ବସାଧାରଣଙ୍କ ଯାତାୟତ ଉପରେ କଟକଣା ଲଗା ଯାଇଛି । ଆଖପାଖ ଅଂଚଳ ଅଧିବାସୀ ଘରେ ଗ୍ୟାସ ଚୁଲା ଜାଳିଲେ ଆଉ କିଛି ଦୁର୍ଘଟଣା ଘଟି ପାରେ ବୋଲି ଆଶଙ୍କା କରି ପୁଲିସ ପକ୍ଷରୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଘରେ ଗ୍ୟାସ୍ ଚୁଲା ନ ଜାଳିବାକୁ ନିବେଦନ କରାଇଛି । ଆଜିର ବିସ୍ଫୋରଣ ଏତେ ଭୟଂକର ଥିଲା ଯେ ଆଖପାଖ ଅଂଚଳରେ ଥିବା ସରକାରୀ କ୍ୱାଟର ଓ ଫ୍ଲାଟ୍ ମାନଙ୍କରେ ତାହାର ପ୍ରଭାବ ଦେଖିବାକୁ ମିଳିଛି । ଘଟଣା ସ୍ଥଳରୁ ୧୦୦ ମିଟର ବ୍ୟାସାର୍ଦ୍ଧ ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଅନେକ ଦୂର ପର୍ଯ୍ୟନ୍ତ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳି ଥିଲା ଏବଂ ତାହା ଭୂମିକଂପର ଭ୍ରମ ସୃଷ୍ଟି କରିଥିଲା ବୋଲି ଆଖପାଖ ଅଂଚଳ ଅଧିବାସୀ କହିଛନ୍ତି । ଅଗ୍ନିଶମ ସଂସ୍ଥା କର୍ମଚାରୀମାନେ ତୁରନ୍ତ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇବାରେ ଲାଗି ପଡି ଥିଲେ । ଘଂଟାଏରୁ ଉଦ୍ଧ୍ୱର୍ ସମୟ ଲାଗି ଥିଲା ନିଆଁ ଲିଭାଇବାକୁ । ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ରକ୍ତ ଛିଟା, ପୋଡା ମାଂସ ଓ ଯୋତା ସବୁ ପଡି ରହି ଥିବା ଦେଖିବାକୁ ପାଇଥିଲେ । ପେଟ୍ରୋଲ ଟାଂକିକୁ ତେଲ ପକାଇବାକୁ ଆସିଥିବା ଦୁଇ ଚକିଆ ଓ ଚାରି ଚକିଆ ଗାଡି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ,ଏହି ବିସ୍ଫୋରଣ ସମୟରେ ପେଟ୍ରୋଲ ଟାଂକିରେ କେତେ କର୍ମଚାର ଥିଲେ ଏବଂ କେତେ ଗ୍ରାହକ ଥିଲେ ତାହାର କିଛି ହିସାବ ମିଳି ନାହିଁ । ବିସ୍ଫୋରଣରେ ଆହତ ସମସ୍ତଙ୍କୁ ମାଗଣାରେ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଦୁର୍ଘଟଣା ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଘଟି ଥିବା କୁହାଯାଉଛି । ଅଗ୍ନିଶମ ବିଭାଗ ଡ଼ିଜି ସତ୍ୟଜିତ ମହାନ୍ତି ଓ ଭୁବନେଶ୍ୱ-କଟକ ଦ୍ୱୈତ ନବଗରୀ ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଖବର ପାଇ ତୁରନ୍ତ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ସଂପୃକ୍ତ ପେଟ୍ରୋଲ ପଂପର ତିନିଟି ଭିନ୍ନ ଭିନ୍ନ ଟାଂକିରେ ପେଟ୍ରୋଲ, ଡ଼ିଜେଲ ଓ ଏଲପିଜି ଗ୍ୟାସ ମହଯୁଦ ଥିଲା । ଏଲପିଜି ଗଚ୍ଛିତ ଥିବା ଟାଂକିରେ ଏହି ଅଗ୍ନିକାଣ୍ଡ ଘଟିଛି । ରାଜ୍ୟରେ ତଥା ଦେଶରେ ଏଭଳି ଘଟଣା ଆଗରୁ କେବେ ଘଟି ନାହିଁ । ଏହା ପ୍ରଥମ ଘଟଣା ବୋଲି ବିଶେଷଜ୍ଞମାନେ କହୁଛନ୍ତି । ବିଶ୍ୱରେ ମଧ୍ୟ କେବେ ଏଭଳି ବିସ୍ଫୋରଣ ଘଟି ଥିବାର ନଜିର ନାହିଁ ବୋଲି ସେମାନେ ମତ ଦେଇଛନ୍ତି । ସଂପୂର୍ଣ୍ଣ ସେଫ୍ଟି ନର୍ମସ୍ ପାଳନ କରାଯାଇ ମଧ୍ୟ ଏଭଳି ଦୁର୍ଘଟଣା ଘଟିବା ଆଶ୍ଚର୍ଯ୍ୟର ବିଷୟ ବୋଲି ମତ ପ୍ରକାଶ ପାଇଛି । ଏହି ବିସ୍ଫୋରଣ ପାଇଁ କି ପ୍ରକାର ତୃଟି ଦାୟି ତାହା ବିଶେଷଜ୍ଞମାନେ ତଦନ୍ତ କରିବା ଆବଶ୍ୟକ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି । ପେଟ୍ରୋଲ ପଂପ୍ ନିକଟରେ ଥିବା ଫାୟାର ଷ୍ଟେସନ୍ରେ ୧ଟା ୧୨ ମିନିଟରେ ଖବର ପହଂଚିବା ପରେ ତୁରନ୍ତ ଚାରିଟି ଅଗ୍ନି ନିର୍ବାପକ ଗାଡି ପଠା ଯାଇ ନିଆଁକୁ ଆୟତ୍ତ କରାଯାଇଥିଲା ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି । ପେଟ୍ରୋଲ ପଂପ୍ ପରିସରରେ ଅନ୍ୟ ଦୁଇଟି ଟାଂକିରେ ପେଟ୍ରୋଲ ଓ ଡ଼ିଜେଲ୍ ମହଯୁଦ ଥିବାରୁ ସେହି ଷ୍ଟକ୍ ତୁରନ୍ତ ସ୍ଥାନାନ୍ତର ପାଇଁ ଇଣ୍ଡିଆନ୍ ଅଏଲ କର୍ପୋରେସନ କର୍ତୃପକ୍ଷଙ୍କୁ ସୂଚିତ କରାଯାଇଛି ବୋଲି କଟକ-ଭୁବନେଶ୍ୱର ପୁଲିସ କମିସନର୍ ଷଡଙ୍ଗୀ ସନ୍ଧ୍ୟାରେ ସୂଚନା ଦେଇଥିଲେ । ଏହି ବିସ୍ଫୋରଣ ରାଜଧାନୀରେ ଘଟିବାରୁ ତୁରନ୍ତ ଆୟତ୍ତ କରି ନିଆଗଲା । ଅନ୍ୟତ୍ର କେଉଁଠି ଘଟି ଥିଲେ କଣ ହୋଇଥା’ନ୍ତା (?) ବୋଲି ସାଧାରଣରେ ପ୍ରଶ୍ନ ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS