କରୋନା ଡ଼ାଏରୀ (୨୦)… କରୋନା ପାଇଁ ରାଜଧାନୀ ବାସିନ୍ଦା ମିସ୍ କରୁଛନ୍ତି ପ୍ରଦର୍ଶନୀ ଋତୁକୁ …
ପ୍ରସାଦ ରାଓ
ଅକ୍ଟୋବର, ୧୬
ପ୍ରତି ବର୍ଷ ଅଗଷ୍ଟରୁ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ଚାଲେ ରାଜଧାନୀରେ ପ୍ରଦର୍ଶନୀ । ଗଣେଷ ପୂଜା ପୂର୍ବରୁ ଆରମ୍ଭ ହୋଇଥାଏ । ପର୍ବପର୍ବାଣୀକୁ ଟାର୍ଗେଟ୍ କରି ଦେଶର ବିଭିନ୍ନ ଅଂଚଳରୁ ଆସିଥା’ନ୍ତି ବ୍ୟବସାୟୀ । ପୂଜା ଋୁତୁରେ ବେପାର ବଣିଜ କରି କିଛି ଭଲ ପଇସା ରୋଜଗାର କରିବା ଆଶାରେ । ଲୁଗାପଟାରୁ ଘରକରଣା ପର୍ଯ୍ୟନ୍ତ ସବୁ ଜିନିଷ ମିଳେ ଏହି ପ୍ରଦର୍ଶନୀ ଋତୁରେ । ‘କଟନ ଫ୍ୟାବ୍’ରୁ ‘ଶିଶିର ସରସ’ ଏବଂ ଜାନୁୟାରୀ ମାସରେ ‘ଆଦିବାସୀ ମେଳା’ – ଲମ୍ବା ଧାଡିରେ ପ୍ରଦର୍ଶନୀ ଲାଗେ ସହରରେ ।
କଟନ ଫ୍ୟାବ୍ ହେଉଛି ସୂତା ତିଆରୀ ଲୁଗାପଟାର ପ୍ରଦର୍ଶନୀ । ପାଟ ଲୁଗା ପାଇଁ ‘ସିଲ୍କ୍ ଫ୍ୟାବ୍’ । ବିଭିନ୍ନ ରାଜ୍ୟରୁ ଆସନ୍ତି ବ୍ୟବସାୟୀ ପାଟ ଲୁଗାର ସମ୍ଭାର ନେଇ । ଓଡ଼ିଶାର ବମକେଇ, ସମ୍ବଲପୁରୀରୁ ଆରମ୍ଭ କରି କଶ୍ମୀରୀ, କାଂଜିବରମ୍ ପର୍ଯ୍ୟନ୍ତ ସବୁ କିଛି ମିଳେ ‘ସିଲ୍କ୍ ଫ୍ୟାବ୍’ରେ । ଗୋଟିଏ ତମ୍ବୁ ତଳେ ସବୁ କିଛି ମିଳୁ ଥିବାରୁ ଭିଡ଼ ଜମେ ମହିଳା ଓ ତରୁଣୀଙ୍କ । ସେମାନଙ୍କ ଦେଖା ଦେଖି ପ୍ରୌଢ ଓ ଯୁବକମାନେ ମଧ୍ୟ ଭିଡ଼ ଜମାନ୍ତି ଉଭୟ କଟନ ଓ ସିଲ୍କ୍ ଫ୍ୟାବ୍ ରେ । ଦଶହରା ଯାଏଁ ଚାଲେ ଲୁଗାପଟାର ବିପଣୀ । ଦୀପାବଳୀ ପୂର୍ବରୁ ଆସି ଯାଏ ‘ମୃତ୍ତିକା ପ୍ରଦର୍ଶନୀ’ । ୟୁନିଟ-୩ ‘ଇଡ଼କୋ’ ପଡିଆର ପୁରସତ ନଥାଏ ଭିଡ଼ ସମ୍ଭାଳିବାରେ । ‘ମୃତ୍ତିକା ପ୍ରଦର୍ଶନୀ’ରେ ମାଟି କାମର ସମ୍ଭାର । ଦୀପରୁ ଆରମ୍ଭ କରି କାରୁକାର୍ଯ୍ୟରେ ପରିପୂର୍ଣ୍ଣ ଛୋଟ, ବଡ ମାଟି ପାତ୍ର, ରୁଖା ଓ ଘର ସଜେଇ ଜିନିଷରେ ଭରିଯାଏ ପ୍ରଦର୍ଶନୀ ପଡିଆ । ଶିଳ୍ପୀର କଳାକୃତୀର ସମ୍ଭାରକୁ ଦେଖିବା ସକାଶେ ଆସିଥା’ନ୍ତି ବିଭିନ୍ନ ବର୍ଗର ପୁରୁଷ, ମହିଳା । ଭିଡ଼ରେ ମଧ୍ୟ ଧ୍ୟାନ ଭଂଗ ହୁଏ ନାହିଁ ଶିଳ୍ପୀର । ଅଧା ତିଆରି କାମରେ ତୁଳୀର ଶେଷ ସ୍ପର୍ଶ ଦେଉ ଦେଉ ବିକ୍ରିବଟାରେ ଲାଗି ପଡେ ସେ । ତେବେ, ସବୁ ପ୍ରଦର୍ଶନୀରେ ଗୋଟିଏ ଦୃଶ୍ୟ ଅତି ସାଧାରଣ ଭାବେ ଦେଖିବାକୁ ମିଳେ । ତାହା ହେଉଛି, ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରସାଧନ ସାମଗ୍ରୀ ଷ୍ଟଲ୍ ରେ ମହିଳା ଓ ଯୁବତୀଙ୍କ ଅସମ୍ଭବ ଭିଡ । କିଏ କାନର ଖୋଜେ ତ କିଏ ବେକ ପାଇଁ ମାଳି। ଝୁମ୍ପା, ମାଳି ଓ ମଥାରେ ଲଗାଇବା ପାଇଁ ବିଭିନ୍ନ ସାଇଜ୍ ଓ ରଂଗର ଟିପା । ତା’ ସହ ବିଭିନ୍ନ ରଂଗର ପାଣି କାଚ । ଆଦିବାସୀ ମେଳାରେ ଦେଖିବାକୁ ମିଳେ ସେମାନେ ବ୍ୟବହାର କରୁଥିବା ପାରଂପରିକ ଗହଣାର ସମ୍ଭାର । ଏସବୁ ଷ୍ଟଲ୍ ରେ ବୟସ ନିର୍ବିଶେଷରେ ମହିଳା, ଯୁବତୀଙ୍କ ଭିଡ ଜମେ ।
ଏସବୁ ବ୍ୟତୀତ, ପ୍ରଦର୍ଶନୀ ପଡିଆରେ ଦେଖିବାକୁ ମିଳେ ବିଭିନ୍ନ କାଠ ତିଆରି ଜିନିଷ । ଖଟ, ସୋଫାରୁ ଆରମ୍ଭ କରି ଆଲଣା, ଗାର୍ଡେନ୍ ଚେୟାର ପର୍ଯ୍ୟନ୍ତି । ପ୍ରଦର୍ଶନୀ ଋତୁରେ ଆୟୁର୍ବେଦିକ ଜଡି, ବୁଟିରେ ପ୍ରସ୍ତୁତ ତେଲ, ଅଁଳାରୁ ଆରମ୍ଭ କରି ମେଥି ପର୍ଯ୍ୟନ୍ତ ଗୁଣ୍ଡର ପାଉଚ; ଗ୍ୟାସ୍, ଡାଇବେଟିସ୍, ହାଇପରଟେନସନ୍ ଭଳି ରୋଗ ପାଇଁ ବିଭିନ୍ନ ପ୍ରକାର ଔଷଧ ସହ ଗଛ ପତ୍ର । ଏହି ସବୁ ଦୋକାନରେ ଭିଡ଼ ଜମାନ୍ତି ବୟସ୍କମାନେ । ଏଥି ସକାଶେ ଭିନ୍ନ ଭାବେ ପ୍ରଦର୍ଶନୀ ଆୟୋଜନ ହୋଇଥାଏ । ପ୍ରଦର୍ଶନୀରେ ଗାଁ ବଇଦ, ଆୟୁର୍ବେଦ ଡାକ୍ତରରୁ ଆରମ୍ଭ କରି ମାଳ ଅଂଚଳରେ ଚିକିତ୍ସକ ସାଜି ଥିବା କ୍ୱାକ୍ ପର୍ଯ୍ୟନ୍ତ ସମସ୍ତେ ବେକରେ ଷ୍ଟେଥୋ ପକାଇ ରୋଗୀଙ୍କୁ ଆକର୍ଷିତ କରିବାକୁ ଉଦ୍ୟମ କରି ଥା’ନ୍ତି । ଗାଁ ବଇଦ ଓ କ୍ୱାକ୍ ମାନେ ତ ନାଡି ଟିପି ଜାଣି ଦିଅନ୍ତି ରୋଗ । ଥରେ ସେମାନଙ୍କ ହାବୁଡରେ ପଡିଲେ କଥା ସରିଲା । ପ୍ରତି ବର୍ଷ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ ରାଜଧାନୀରେ ଦେଖିବାକୁ ମିଳେ ଏସବୁ ଦୃଶ୍ୟ । କେବଳ ‘ଇଡ଼କୋ’ ପ୍ରଦର୍ଶନୀ ପଡିଆ ନୁହେଁ, ଭୁବନେଶ୍ୱରର ‘ଜନତା ମଇଦାନ’ ମଧ୍ୟ ଉତ୍ସର୍ଗୀକୃତ ହୋଇଯାଏ ପ୍ରଦର୍ଶନୀ ଆୟୋଜନରେ । ନବରାତ୍ର ପୂଜା ଅବସରରେ ଦାଣ୍ଡିଆ ଆୟୋଜନରୁ ଆରମ୍ଭ ହୁଏ ମଇଦାନରେ ଭିଡ଼ । ରାଜ୍ୟ ସରକାରଙ୍କ ପ୍ରୟୋଜିତ ‘ଶିଶିର ସରସ’ ହୋଇଥାଏ ବର୍ଷର ଶେଷ ଓ ବଡ ପ୍ରଦର୍ଶନୀ । ‘ଓରମାସ୍’ ପ୍ରୟୋଜିତ ଏହି ପ୍ରଦର୍ଶନୀକୁ ଅପେକ୍ଷା କରିଥାନ୍ତି ରାଜଧାନୀବାସୀ । ପ୍ରଦର୍ଶନୀରେ ସବୁ କିଛି ମିଳେ । ବିଶେଷକରି, ମାଳ ଅଂଚଳରୁ ଆସୁଥିବା ଜୈବିକ ଉତ୍ପାଦମାନ କିଣିବା ସକାଶେ ଗ୍ରାହକଙ୍କ ବେଶ୍ ଭିଡ ଜମେ । ରାଜ୍ୟର ପ୍ରତିଟି ଜିଲ୍ଲାରୁ ଆସି ଥିବା ମହିଳା ଏସ୍.ଏଚ୍.ଜି (ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ)ମାନ ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ହୋଇଥା’ନ୍ତି । ସେମାନେ ବିକୁ ଥିବା ମୁଗ, କାନ୍ଦୁଲ, ବିଭିନ୍ନ ପ୍ରକାର ମାଳ ଅଂଚଳର ଚାଉଳ, ଅଦା, ଗୁଡ, କାନ୍ଦୁଲ, କାନ୍ଦୁଲ ଡ଼ାଲି, ମକାଗୁଣ୍ଡ, ଜହ୍ନା, ମାଣ୍ଡିଆ, ଅଁଳା, ବାହାଡା, ଝୁଣାରୁ ଝାଡୁ ପର୍ଯ୍ୟନ୍ତ ସବୁ ମିଳେ । ପୃଷ୍ଟିକର ଜୈବିକ ସାମଗ୍ରୀ ସବୁ ବୋହି ନେବା ପାଇଁ ରାଜଧାନୀବାସୀ ଏହି ମେଳାକୁ ଅପେକ୍ଷା କରନ୍ତି । ଶେଷ ଦିନ ମଧ୍ୟ ବଳକା ବଳକି ଜିନିଷ ଶସ୍ତାରେ ମିଳିବା ଆଶାରେ ଅଧିକ ଭିଡ଼ ଦେଖିବାକୁ ମିଳି ଥାଏ ।
‘ଇଡ଼କୋ’ ପଡିଆରେ ପ୍ରତି ବର୍ଷ ଆୟୋଜନ ହେଉଥିବା ପ୍ରଦର୍ଶନୀ ମଧ୍ୟରେ ଆଉ ଏକ ଆକର୍ଷଣ ହେଉଛି ‘ପୁସ୍ତକ ମେଳା’ । ଡିସେମ୍ବର ଶେଷ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥାଏ ଏକାଧିକ ପୁସ୍ତକ ମେଳା । ରାଜ୍ୟର ବିଭିନ୍ନ ଅଂଚଳରୁ ଏବଂ ରାଜ୍ୟ ବାହାରୁ ଆସି ଥିବା ପ୍ରକାଶନୀ ସଂସ୍ଥାମାନେ ପସରା ମେଲାଇ ଦିଅନ୍ତି ନୂଆ, ପୁରୁଣା ପୁସ୍ତକର ସମ୍ଭାର । ପାଠ୍ୟ ପୁସ୍ତକରୁ ଆରମ୍ଭ କରି ଓଡ଼ିଆ, ହିନ୍ଦି, ଇଂରାଜୀ ଏବଂ ଉର୍ଦ୍ଦୁ ଭାଷାର ସାହିତ୍ୟ, ଧର୍ମ ପୁସ୍ତକ ଏବଂ ବିଭିନ୍ନ ପ୍ରକାର ପୁସ୍ତକ ମିଳିଥାଏ ଏସବୁ ମେଳାରେ । ଭଲ ଲେଖକଙ୍କ ପୁରୁଣା ଓ ନୂଆ ବହି କିଣିବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି ପାଠକମାନେ । ତେବେ, ବହି କିଣିବା ଅପେକ୍ଷା ମେଳା ବୁଲିବାର ମଜା ନିଆରା । ଅଧିକାଂଶ ଆସନ୍ତି ପଡିଆର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବୁଲି ବହି ଦେଖିବାକୁ । ଧାର୍ଯ୍ୟ ମୂଲ୍ୟର ଅଧା ଦରରେ ମିଳୁଥିବା ପ୍ରତିଷ୍ଠିତ ଲେଖକଙ୍କ ଇଂରାଜୀ ଓ ହିନ୍ଦି ଥ୍ରିଲର୍, ନଭେଲ୍ ସମେତ ଅନ୍ୟାନ୍ୟ ବହି ମିଳୁ ଥିବା ଷ୍ଟଲ୍ ରେ ଭିଡ ହୁଏ ଯୁବ ପିଢିର । ଏପରିକି, ଶହେ ଟଙ୍କାରେ ଚାରିଟି ନଭେଲ୍ ମଧ୍ୟ ମିଳି ଯାଏ । ବର୍ଷକୁ ଥରେ ଏହି ସୁଯୋଗ ମିଳୁ ଥିବାରୁ ପାଠକେ ତାହା ହାତଛଡା କରିବାକୁ ଚାହାନ୍ତି ନାହିଁ । ସେସବୁ ଷ୍ଟଲ୍ ର ବିକ୍ରି ମଧ୍ୟ ଅନ୍ୟ ଷ୍ଟଲ୍ ଅପେକ୍ଷା ଭଲ ଥାଏ । ପ୍ରଦର୍ଶନୀ ଋତୁରେ ରାଜଧାନୀବାସୀଙ୍କ ବଡ ଆକର୍ଷଣ ହେଉଛି ପ୍ରଦର୍ଶନୀ ପଡିଆରେ ସନ୍ଧ୍ୟା କାଳରେ ଆୟୋଜନ କରାଯାଉଥିବା ବିଭିନ୍ନ ସାଂସ୍କୃତି କାର୍ଯ୍ୟକ୍ରମ । ପ୍ରଦର୍ଶନୀ ବୁଲିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ଏବଂ ପଡିଆର ଗୋଟିଏ ପଟ ବିସ୍ତିର୍ଣ୍ଣ ଅଂଚଳରେ ଖୋଲି ଥିବା ବିଭିନ୍ନ ରାଜ୍ୟର ଓ ଦେଶୀ ଖାଦ୍ୟ ଷ୍ଟଲ୍ ବାହାରେ ପଡି ଥିବା ଚଉକିରେ ବସି ପରିବାର ସହ ଖାଦ୍ୟର ସ୍ୱାଦ ନେବା କେବଳ ଏସବୁ ପ୍ରଦର୍ଶନୀ ମାଧ୍ୟମରେ ସମ୍ଭବ ହୋଇଥାଏ । ଯୁବ ପିଢି ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ପ୍ରଦର୍ଶନୀ ପଡିଆରେ ବୁଲନ୍ତି, ପାଟି ସୁଆଦ କରି ଘରକୁ ଫେରନ୍ତି ।
ବର୍ଷ ବର୍ଷ ଧରି ଏହା ଚାଲି ଆସିଥିବା ବେଳେ ୨୦୨୦ ହୋଇଛି ବ୍ୟତିକ୍ରମ । କୋଭିଡ଼-୧୯ ମହାମାରୀ ଗଲା ମାର୍ଚ୍ଚ ମାସ ମଧ୍ୟଭାଗରୁ ରାଜ୍ୟକୁ ଅନ୍ଧାର କରି ଦେଇଛି ଯେ ଆଲୁଅ ହେଉ ନାହିଁ । ରାଜ୍ୟ ସରକାର ମାର୍ଚ୍ଚ ୧୫ ପରେ ସମସ୍ତ ପ୍ରକାର ସାମାଜିକ, ସାଂସ୍କୃତିକ, ଧାର୍ମିକ ଓ ମନୋରଂଜନ କାର୍ଯ୍ୟକ୍ରମ ବନ୍ଦ ରଖିଛନ୍ତି । ରାଜଧାନୀବାସୀ ଆଠ ମାସ ହେଲା ଦିନକୁ ଦଶ ଥର ହାତ ଧୋଉଛନ୍ତି, ମୁହଁକୁ ମାସ୍କରେ ଘୋଡାଇ ଘରୁ ପଦାକୁ ଆସୁଛନ୍ତି ଏବଂ କଥା କଥାରେ ସାନିଟାଇଜର୍ ବ୍ୟବହାର ହେଉଛି । ପ୍ରଦର୍ଶନୀ ତ ଦୂରର କଥା ସିନେମା ହଲ୍ ଓ ଅନ୍ୟାନ୍ୟ ମନୋରଂଜନ କେନ୍ଦ୍ରରେ ମଧ୍ୟ ସାତ ମାସରୁ ଅଧିକ ହେଲା ତାଲା ଝୁଲୁଛି । ଘରୁ ବାହାରକୁ ଗଲେ ବାରମ୍ବାର ପିନ୍ଧା ଲୁଗା ଧୋଇବାକୁ ପଡୁଛି । ଏଭଳି ଅବସ୍ଥାରେ କିଏ କାହିଁକି ଗହଳିକୁ ଯାଇ ରୋଗ ନେଇ ଘରକୁ ଫେରିବାକୁ ଚାହିଁବ! ରାଜ୍ୟ ସରକାର ମଧ୍ୟ ଅକ୍ଟୋବର ମାସ କରୋନା ନିଦେ୍ର୍ଦଶାବଳୀରେ କେବଳ ବ୍ୟବସାୟିକ ପ୍ରଦର୍ଶନୀକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି । ସତ୍ ର୍ତ ହେଉଛି, ବ୍ୟବସାୟ ପ୍ରତିଷ୍ଠାନ ଅନୁମତି ନେଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରି ପାରିବେ । କିନ୍ତୁ, ସେଥିରେ ସାଧାରଣ ଜନତା ଭାଗ ନେଇ ପାରିବେ ନାହିଁ । ଏହି ସର୍ତ୍ତରେ କିଏ ବା କାହିଁକି ପ୍ରଦର୍ଶନୀ ଆୟୋଜନ କରିବ ?
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS