ଅର୍ଣ୍ଣବଙ୍କ ପାଇଁ ଏତେ ଦରଦ କାହିଁକି ?
ପ୍ରସାଦ ରାଓ
ନଭେମ୍ବର, ୦୫
‘ରିପବ୍ଲିକ ଟିଭି’ ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ଦିନ ମହାରାଷ୍ଟ୍ରର ଆଲିବାଗ ପୁଲିସ ଗିରଫ କରିବା ଘଟଣା ସମଗ୍ର ଦେଶରେ ଆଲୋଡନ ସୃଷ୍ଟି କରିଛି । ୨୦୧୮ ମସିହାର ଏକ ମାମଲାରେ ଆଲିବାଗ ପୁଲିସ ମୁମ୍ବାଇ ପୁଲିସ ସହାୟତାରେ ଅର୍ଣ୍ଣବଙ୍କୁ ତାଙ୍କ ୱର୍ଲିସ୍ଥିତ ବାସଭବନରୁ ଉଠାଇ ନେଇ ଜେଲକୁ ପଠାଇ ଦେଇଛନ୍ତି । ବୁଧବାର ସକାଳ ୬ଟାରୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଆଲିବାଗରେ ଏହି ଅଭିନୟ ଚାଲିଥିଲା । ପୁଲିସ କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦେ୍ଦଶ୍ୟମୂଳକ ଦର୍ଶାଇ ଅର୍ଣ୍ଣବ ତାହାର ଦୃଢ ବିରୋଧ କରିଥିବା ବେଳେ ପୁଲିସ ତାଙ୍କୁ ଘରୁ ଘୋଷାଡି ନେଉଥିବା ଦୃଶ୍ୟ ବୁଧବାର ଜାତୀୟ ବୈଦ୍ୟୁତିକ ଗଣମାଧ୍ୟମକୁ ଚଳଚଂଚଳ ରଖିଥିଲା । ଅର୍ଣ୍ଣବଙ୍କ ସହ ମହାରାଷ୍ଟ୍ର ପୁଲିସର ଦିନ ସାରା ଚାଲି ଥିବା ଟଣା ଓଟରା ଦୃଶ୍ୟ ଦର୍ଶକଙ୍କୁ ଆମୋଦିତ କରୁଥିଲା କି ନା’- ମୁଁ ଜାଣେନା । ତେବେ, ତାହା ମନେ ପକାଇ ଦେଉଥିଲା ଗତ ସେପ୍ଟେମ୍ବର ୮ ତାରିଖରେ ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇର ଏନସିବି (ନାର୍କୋଟିକ୍ସ୍ କଂଟ୍ରୋଲ ବ୍ୟୁରୋ) ଅଧିକାରୀମାନେ ତାଙ୍କ ବାସଭବନରୁ ଉଠାଇ ନେବାର ଦୃଶ୍ୟ । ଏହି ଘଟଣା ସମୟରେ ରିପବ୍ଲିକ୍ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ନିଜ ଚ୍ୟାନେଲର ଉଲ୍ଲିସିତ ହୋଇ ରିୟାଙ୍କୁ କଠୋର ସମାଲୋଚନା କରୁଥିବା ଦେଖିବାକୁ ମିଳିଥିଲା । ରିୟା ମୁଣ୍ଡପୋତିି ମୁମ୍ବାଇ ପୁଲିସର ସେହି ଜାଲି ଲାଗିଥିବା କଳା ଭ୍ୟାନରେ ଚଢି ପ୍ରଥମେ ଥାନା ଏବଂ ପରେ ଅଦାଲତ ଓ ଜେଲକୁ ଯାଇଥିଲେ ।
ପାଖାପାଖି ତିନି ମାସ ପରେ ଗଲା ବୁଧବାର ସେହି ଦୃଶ୍ୟର ରି-ପ୍ଲେ ହୋଇଛି ଅର୍ଣ୍ଣବଙ୍କ କ୍ଷେତ୍ରରେ । ଗଲା ସେପ୍ଟେମ୍ବରରେ ୮/୯ ତାରିଖ ନାଟକର କିରଦାର୍ ଥିଲେ ରିୟା ଚକ୍ରବର୍ତ୍ତୀ ଓ ଏନସିବି । ନଭେମ୍ବର ୪ ତାରିଖ ନାଟକର କିରଦାର୍ ହେଉଛନ୍ତି ମହାରାଷ୍ଟ୍ର ପୁଲିସ ଏବଂ ଅର୍ଣ୍ଣବ ଗୋସ୍ୱାମୀ । କେନ୍ଦ୍ରରେ କ୍ଷମତାରେ ଥିବା ବିଜେପିର ଖୋଲା ସମର୍ଥକ ଭାବେ ପରିଚିତ ‘ରିପବ୍ଲିକ୍ ଟିଭି’ର ମାଲିକ, ଆଂକର୍ ଓ ମୁଖ୍ୟ ସଂପାଦକ ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ର ପୁଲିସ ଦ୍ୱାରା ଗିରଫ ହୋଇ କଳା ଜାଲିଲଗା ପୁଲିସ ଭ୍ୟାନ୍ ଭିତରକୁ ଯେତେବେଳେ ଠେଲି ହୋଇ ଯାଉଥିଲେ ଦେଶବ୍ୟାପୀ ସୌହି ଦୃଶ୍ୟ ଗଣମାଧ୍ୟମ ପ୍ରତିନିଧି, ବିଶେଷଷକରି ଅର୍ଣ୍ଣବଙ୍କ ଶୁଭେଚ୍ଛୁମାନଙ୍କୁ ଦୁଃଖୀ କରିଥିଲା । ଏପରିକି, ଜି-ନ୍ୟୁଜ୍ ସଂପାଦକ ସୁଧୀର ଚୌଧୁରୀ ତାଙ୍କ ଚ୍ୟାନେଲରେ ଦିନ ସାରା ଗୋଟିଏ ପ୍ରଶ୍ନ କରୁଥିଲେ – ଅର୍ଣ୍ଣବଙ୍କ ପରିବାର ଅବସ୍ଥା କଣ ହେବ, ଅର୍ଣ୍ଣବଙ୍କ ପାଇଁ ତାଙ୍କ ପରିବାର କାହିଁକି ଦୁଃଖର ଭାଗିଦାର ହେବେ ? ତାଙ୍କ ଚ୍ୟାନେଲ (ଜି-ନ୍ୟୁଜ୍) ମଧ୍ୟ ୨୦୦୮ରୁ ଏଭଳି ପରିସ୍ଥିତିର ସମାନା କରି ଆସୁଛି ଓ ତାହା ଦେହସୁହା ହୋଇ ଗଲାଣି ଦର୍ଶାଇ, ସଠିକ୍ ତଥ୍ୟ ପରିବେଷଣ ପାଇଁ ସେ ନିଜେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ମାଲି ମକଦ୍ଦମାର ସାମନା କରୁଥିବା ଚୌଧୁରୀ ସୂଚନା ଦେଇଛନ୍ତି । ଅର୍ଣ୍ଣବଙ୍କ ଗିରଫଦାରୀ ଗଣତନ୍ତ୍ରକୁ ବିପନ୍ନ କରିଛି ଏବଂ ଆଜି ଚତୁର୍ଥ ସ୍ତମ୍ଭ କ୍ଷତବିକ୍ଷତ ବୋଲି ଗ୍ରାଫିକ୍ସ୍ ମାଧ୍ୟମରେ ସୁଧୀର ଟିଭି ଦର୍ଶକଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ, ଯାହା ଥିଲା ଜଣେ ବଂଧୁ ପାଇଁ ଆଉ ଜଣେ ବଂଧୁଙ୍କ ଭାବନାର ନିଚ୍ଛକ ପ୍ରଦର୍ଶନ ।
ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ ମହାରାଷ୍ଟ୍ର ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିଜେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିନ୍ଦା କରିବା ଏବଂ ଏହା ଗଣତନ୍ତ୍ରର କଂଠରୋଧ ବୋଲି କହିବା ଆଜି ଦିନରେ ଉଲ୍ଲେଖନୀୟ ବିଷୟ । କେବଳ ଶାହା ନୁହନ୍ତି, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପର୍ଯ୍ୟନ୍ତ ବିଜେପିର ସବୁ ମନ୍ତ୍ରୀ ଏବଂ ତୁଂଗ ନେତା ଏହି ଗିରଫଦାରୀର ନିନ୍ଦା କରିଛନ୍ତି ଏବଂ ଏହାକୁ ଅଗଣତାନ୍ତ୍ରିକ ଦର୍ଶାଇ ସାମ୍ବାଦିକତାର କଂଠରୋଧ ହେଉଥିବା ଅଭିଯୋଗ କରିଛନ୍ତି । ବିଜେପି ନେତାଙ୍କ ଏଭଳି ପ୍ରତିକି୍ରିୟାରୁ ତାଙ୍କ ସାମ୍ବାଦିକତା ଦଳ ପାଇଁ କେତେ ମହତ୍ୱ ରଖୁଛି ତାହା ସ୍ପଷ୍ଟ ହେଉଛି । ଅର୍ଣ୍ଣବଙ୍କ ଗିରଫଦାରୀ ଓଡ଼ିଶାର ଗଣମାଧ୍ୟମକୁ ମଧ୍ୟ ବିଚଳିତ କରିଥିବା ଗତକାଲି ବିଭିନ୍ନ ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମରେ ହୋଇଥିବା ଆଲୋଚନା ଓ ବଡ ବଡ ସାମ୍ବାଦିକଙ୍କ ଟେଲିଭିଜନ ବିତର୍କରୁ ସୂଚନା ମିଳିଛି । ଓଡ଼ିଶାରେ ମଧ୍ୟ ଗଣମାଧ୍ୟମ ସୁରକ୍ଷିତ ନୁହେଁ ବୋଲି ସେମାନେ କହିଛନ୍ତି ।
ଓଡ଼ିଶାରେ ବିଜେପି ଜାତୀୟ ଉପ ସଭାପତି ବୈଜୟନ୍ତ ପଣ୍ଡାଙ୍କ କଂପାନୀ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଉପରେ ରାଜ୍ୟ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଜାତୀୟସ୍ତରର ବିଜେପି ନେତୃତ୍ୱ ଏତେଦୂର ପ୍ରତିକ୍ରିୟାଶୀଳ ହୋଇ ନଥିବା ବେଳେ ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ଗିରଫଦାରୀକୁ ନେଇ ଦେଶର ବିଜେପି ନେତୃତ୍ୱ ଓ ଗଣମାଧ୍ୟମ ପ୍ରତିନିଧିମାନେ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହେବା ତଥ୍ୟାଭିଜ୍ଞ ମହଲକୁ ବିସ୍ମିତ କରିଛି । ଅନ୍ୟମାନଙ୍କ କ୍ଷେତ୍ରରେ ‘ଆଇନ ତାହା ବାଟରେ ଯିବ’ କୁହାଯାଉଛି । ଅର୍ଣ୍ଣବଙ୍କ କ୍ଷେତ୍ରରେ ବ୍ୟତିକ୍ରମ କାରଣ ହେଉଛି ରିପବ୍ଲିକ୍ ଟିଭିର ମାତ୍ରାଧିକ ଆନୁଗତ୍ୟ । ଏହି ପରିପ୍ରେକ୍ଷୀରେ ମହାରାଷ୍ଟ୍ର ପୁଲିସର କାର୍ଯ୍ୟାନୁଷ୍ଠାନ ଆଲୋଚନାର ଆବଶ୍ୟକତା ରଖୁଛି । ଏଥିରେ କିଛି ସନ୍ଦେହ ନାହିଁ ଯେ, ବଲିଉଡ୍ ର ଦିବଂଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ୨୦୧୯ ଜୁନ ୧୪ ତାରିଖ ଆତ୍ମହତ୍ୟା ପରବର୍ତୀ ପରବର୍ତୀ ଘଟଣାବଳୀ ମହାରାଷ୍ଟ୍ର ପୁଲିସକୁ କ୍ଷୁବ୍ଧ କରିଛି ।
ବିଜେପି ସହ ମହାରାଷ୍ଟ୍ରର ଶିବସେନା ସରକାର ଓ ମୁମ୍ବାଇ ପୁଲିସ ମୁହାଁମୁହିଁ ହୋଇଛନ୍ତି । କେନ୍ଦ୍ର ସରକାର ବିହାର ନିର୍ବାଚନକୁ ଆଖିରେ ରଖି ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ମାମଲାର ତଦନ୍ତ ମୁମ୍ବାଇ ପୁଲିସ ଛଡାଇ ନେଇ ସିବିଆଇକୁ ହସ୍ତାନ୍ତର କଲେ । ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସାବ୍ୟସ୍ତ କରିବା ଉଦ୍ୟମ ହେଲା । ଡ୍ରଗ୍ସ୍ ମାମଲାରେ ରିୟାଙ୍କୁ ଯୋଡି ଏନସିବି ମାଧ୍ୟମରେ ଏନଡ଼ିପିଏସ୍ ଆଇନ ବଳରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଗଲା । ଏଥିରେ କେନ୍ଦ୍ର ସରକାରଙ୍କ ପ୍ରଚ୍ଛନ୍ନ ସମର୍ଥନ ଥିଲା । ବିଜେପି ସରକାରଙ୍କୁ ଆରମ୍ଭରୁ ସମର୍ଥନ ଦେଇ ଆସୁଥିବା ‘ରିପବ୍ଲିକ୍ ଟିଭି’ ଓ ତାହାର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ରିୟାଙ୍କୁ ଜେଲ୍ ପଠାଇବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଥିଲେ । ଅଭିନେତ୍ରୀ କଂଗନା ରଣାୱତଙ୍କୁ ସୁରକ୍ଷା ଦେବାରେ କେନ୍ଦ୍ର ସରକାରଙ୍କ ଭୂମିକା ସନ୍ଦେହର ବାହାରେ ନଥିଲା । ଏଭଳି ଅବସ୍ଥାରେ ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୁଲିସ ମାତ୍ରାଧିକ ପ୍ରତିକ୍ରିୟାଶୀଳ ହେବା ସ୍ୱାଭାବିକ ।
ତେବେ, ଅର୍ଣ୍ଣବଙ୍କୁ ଗତକାଲି ଗିରଫ କଲା ବେଳେ ମହାରାଷ୍ଟ୍ର ପୁଲିସ ନିଜ ଭାବନାକୁ ଗୋପନ ରଖି ୨୦୧୮ ମସିହରେ ଅର୍ଣ୍ଣବଙ୍କ ବିରୋଧରେ ହୋଇଥିବା ଏକ ଆପରାଧିକ ମାମଲାକୁ ସାମନାରେ ରଖିଛନ୍ତି । ମାମଲାଟି ହେଉଛି ଏହିଭଳି । ୨୦୧୮ରେ ଆନଭୟ ନାଇକ୍ ନାମକ ଜଣେ ୫୩ ବର୍ଷ ବୟସ୍କ ଇଂଟେରିୟର ଡ଼ିଜାଇନର ଓ ତାଙ୍କ ମା’ ଅର୍ଣ୍ଣବ ଗୋସ୍ୱାମୀ ଓ ଅନ୍ୟ ଦୁଇ ଜଣ ବ୍ୟବସାୟୀଙ୍କ ଦ୍ୱାରା ପିଡ଼ିତ ହୋଇ ଆତ୍ମହତ୍ୟା ପାଇଁ ବାଧ୍ୟ ହୋଇଥିବା ଅଭିଯୋଗ ରହିଛି । ଇଂଟେରିୟର ଡ଼ିଜାଇନର୍ ନାଇକ୍ ଙ୍କ ସ୍ୱିସାଇଡ୍ ନୋଟ୍ ଭିତ୍ ତିରେ ଏହି ମାମଲା ହୋଇଛି । ସ୍ୱିସାଇଡ୍ ନୋଟରେ ନାଇକ୍ ଅର୍ଣ୍ଣବ ଓ ଅନ୍ୟ ଦୁଇ ଜଣ ବ୍ୟବସାୟୀ ସେ ପାଇବାକୁ ଥିବା ୫ କୋଟି ୪୦ ଲକ୍ଷ ଟଙ୍କା ହଡପ କରି ତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଦର୍ଶାଇଛନ୍ତି । ମୁମ୍ବାଇ ପୁଲିସ ଏହି ମାମଲାର ତଦନ୍ତ କରୁଥିଲେ ମଧ୍ୟ କୌଣସି ଚାପରେ ୨୦୧୯ରେ ତଦନ୍ତରେ ପୂର୍ଣ୍ଣଛେଦ ପକାଇ ଥିଲେ । ତେବେ, ୨୦୨୦ରେ ପୁନର୍ବାର ସେହି ଫାଇଲ୍ ଖୋଲିଛି । ସେହି ମାମଲାରେ ପୁଲିସ୍ କାଲି ଅର୍ଣ୍ଣବଙ୍କୁ ତାଙ୍କ ୱର୍ଲି ବାସଭବନରୁ ଉଠାଇ ଥିଲେ । ଅନ୍ୟ ଦୁଇ ଜଣ ବ୍ୟବସାୟୀ ପିରୋଜ୍ ସେଖ୍ ଓ ନୀତୀଶ ଶରଦଙ୍କୁ ମଧ୍ୟ ସେମାନଙ୍କ କାଣ୍ଡିଭିଲି ଓ ଯୋଗେଶ୍ୱରୀ ବାସଭବନରୁ ଉଠାଇ ନିଆଯାଇଛି ।
ଅର୍ଣ୍ଣବ ଓ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ସ୍ଥାନୀୟ ଏକ ଅଦାଲତରେ ହାଜର କରି ରିମାଣ୍ଡ୍ ରେ ନେବାକୁ ଉଦ୍ୟମ କରିଥିଲେ । ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଏହା ଉପରେ ଶୁଣାଣୀ ହୋଇଥିଲା । ବୁଧବାର ରାତି ସାଢେ ୧୧ଟା ସମୟରେ ବିଚାରପତି ଅଭିଯୁକ୍ତଙ୍କ ଜାମାନ ଆବେଦନ ଖାରଜ କରି ସେମାନଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି । ଅର୍ଣ୍ଣବ ନଭେମ୍ବର ୧୮ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ରହିବେ । ଅର୍ଣ୍ଣବ ତାଙ୍କ ଗିରଫଦାରୀକୁ ଲାଇଭ୍ କରାଇ ପୁଲିସ ତାଙ୍କୁ ଓ ତାଙ୍କ ପୁଅକୁ ଦୁର୍ବ୍ୟବହାର କରିଥିବା ଦେଶବାସୀଙ୍କୁ ଦେଖାଇବାକୁ ଉଦ୍ୟମ କରିଥିବା ବେଳେ ପୁଲିସ ଜଣେ କାର୍ଯ୍ୟରତ ମହିଳା ପୁଲିସ କର୍ମଚାରୀଙ୍କୁ ଅର୍ଣ୍ଣବ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଏକ ଏଫଆଇଆର୍ କରିଛନ୍ତି । ଏଥିରୁ, ମହାରାଷ୍ଟ୍ରରେ ବିଜେପି ସମର୍ଥିତ ରିପବ୍ଲିକ୍ ଚ୍ୟାନେଲ ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ, କେନ୍ଦ୍ର ସରକାର, ମହାରାଷ୍ଟ୍ରର ଶିବସେନା ସରକାର ଓ ସରକାର ସମର୍ଥିତ ମୁମ୍ବାଇ ପୁଲିସ ମଧ୍ୟରେ ଚାଲି ଥିବା ଛାୟାଯୁଦ୍ଧ ସ୍ପଷ୍ଟ ହୋଇଛି ।
ମୁମ୍ବାଇ ପୁଲିସର ଏତଲା ଅନୁଯାୟୀ, ମୁମ୍ବାଇ ଭିତ୍ତିକ ଇଂଟିରିୟର ଡ଼ିଜାଇନର୍ ସଂସ୍ଥା ‘କନକର୍ଡ ଡ଼ିଜାଇନ୍ ପ୍ରାଇଭେଟ୍ ଲିମିଟେଡ୍’ ‘ରିପବ୍ଲିକ୍ ଟିଭି’ର ପରିଚାଳକ ଏଆରଜି ଆଉଟଲିଅର୍, ଆଇକାଷ୍ଟଏକ୍ସ/ଏସକେଆଇ ମିଡ଼ିଆର ମାଲିକ ଫିରୋଜ ଶେଖ୍ ଏବଂ ସ୍ମାର୍ଟୱାର୍କସ୍ ମାଲିକ ନୀତୀଶ ଶରଦଙ୍କ ପାଇଁ ଇଂଟିୟିୟର ଡ଼ିଜାଇନିଂ କାମ କରିଥିଲେ ମଧ୍ୟ ତାହାର ପ୍ରାପ୍ୟ ବାବଦ ୫ କୋଟି ୪୦ ଲକ୍ଷ ଟଙ୍କା ପାଇ ନାହିଁ । ‘କନକର୍ଡ ଡ଼ିଜାଇନ୍ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦେଶକ ଥିଲେ ଆନଭୟ ନାଇକ୍ । ଆନଭୟଙ୍କ ମାଁ ଏହି କଂପାନୀର ଜଣେ ଡାଇରେକ୍ଟର । ବକେୟା ଅର୍ଥ ନପାଇ ନାଇକ୍ ଘୋର ଆର୍ଥିକ ସଂକଟରେ ଥିଲେ ଏବଂ ଭେଂଡରଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇ ନ ପାରି ଅପମାନିତ ହେବା ଦ୍ୱାରା ଘୋର ମାନସିକ ଚାପରେ ରହି ଥିଲେ । ୨୦୧୮ ମେ’ ମାସ ୫ ତାରିଖ ଦିନ ଆନଭିକ୍ ନାଇକଙ୍କ ମୃତଦେହ ତାଙ୍କ ଆଲିବାଗ୍ ସ୍ଥିତ ଫାର୍ମ ହାଉସ୍ ସିଲିଂରେ ଝୁଲା ଥିବା ଦେଖିବାକୁ ମିଳି ଥିଲା । ସେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଳେ । ଆନଭିକ୍ ଙ୍କ ମୃତ ଦେହ ପ୍ରଥମ ମହଲାରେ ଝୁଲୁ ଥିବା ବେଳେ ତାଙ୍କ ମା’ ତଳ ମହଲାରେ ଥିବା ତାଙ୍କ କୋଠରୀରେ ମୃତାବସ୍ଥାରେ ମିଳି ଥିଲେ । ପୁଲିସ ମାମଲାର ତଦନ୍ତ ସମୟରେ ଆନଭିକଙ୍କ ଶବ ନିକଟରୁ ଯେଉଁ ସ୍ୱିସାଇଡ୍ ନୋଟ ପାଇ ଥିଲେ ସେଥିରେ ଏହି ତିନି କଂପାନୀର ମାଲିକ ତାଙ୍କୁ ୫.୪କୋଟି ଟଙ୍କାର ଚୁନ ଲଗାଇ ଥିବା ଉଲ୍ଲେଖ ଥିଲା । ମାନସିକ ଚାପରେ ନାଇକ୍ ଆତ୍ମହତ୍ୟା କରିଥିବା ଦର୍ଶାଇ ସେଥିସକାଶେ ସେ ଏହି ତିନି ସଂସ୍ଥାର ମାଲିକଙ୍କୁ ଦାୟି କରିଥିଲେ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆତ୍ମହତ୍ୟାକୁ ପୃଷ୍ଟି କରିଥିଲା । ପୁଲିସ ଆନଭିକଙ୍କ ସ୍ୱିସାଇଡ୍ ନୋଟ ଭିତ୍ତିରେ ତିନି ସଂସ୍ଥାର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ।
ତେବେ, କୌଣସି ଚାପରେ ୨୦୧୯ରେ ମାମଲାର ତଦନ୍ତ ବନ୍ଦ କରାଯାଇ ଫାଇଲ୍ କ୍ଲୋଜ୍ କରି ଦିଆଯାଇଥିଲା । ତେବେ, ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ ଦେଶମୁଖଙ୍କ ନିର୍ଦେଶକ୍ରମେ ଚଳିତ ବର୍ଷ ପ୍ରାରମ୍ଭରେ ପୁଲିସ ଅଦାଲତର ଅନୁମତି ନେଇ ପୁନଃ ତଦନ୍ତ ପାଇଁ ଏହି ଫାଇଲ୍ ଖୋଲିଛନ୍ତି । ମୃତ ଆନଭିକଙ୍କ ଝିଅ ଆଦନ୍ୟା ଗୃହମନ୍ତ୍ରୀ ଦେଶମୁଖଙ୍କୁ ଭେଟି ନିବେଦନ କରିବାରୁ ପୁନଃତଦନ୍ତ ପାଇଁ ଫାଇଲ୍ ଖୋଲିଛି ବୋଲି ପୁଲିସ କହୁଥିବା ବେଳେ ରିପବ୍ଲିକ୍ ଟିଭି ଚ୍ୟାନେଲ୍ ଏବଂ ବିଜେପି ପୁଲିସର କାଲିର କାର୍ଯ୍ୟାନୁଷ୍ଠାନ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି । ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀ ମହାରାଷ୍ଟ୍ରର ମହାଗଠବନ୍ଧନ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଟୁ ସମାଲୋଚନା କରୁଥିବାରୁ ସରକାର ଓ ପୁଲିସର ଟାର୍ଗେଟ୍ ହୋଇଥିବା ସେମାନେ କହିଛନ୍ତି । ୧୯୭୫ର ଜରୁରୀ ପରିସ୍ଥିତି ବେଳେ ହୋଇଥିବା ମାତ୍ରାଧିକ୍ୟ ଓ ଗଣମାଧ୍ୟମର କଂଠରୋଧ ଉଦ୍ୟମକୁ ବିଜେପି ମନେ ପକାଇ ଦେଇଛି । ଅର୍ଣ୍ଣବ ମଧ୍ୟ ବୁଧବାର ଦିନ ମୁମ୍ବାଇ ହାଇକୋର୍ଟରେ ଏକ ‘ହେଭିଅସ୍ କର୍ପସ’ ପିଟିସନ୍ ଦାଏର କରି ପୁଲିସ ଗିରଫଦାରୀକୁ ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ଦର୍ଶାଇ ସହ ବନ୍ଦ୍ ହୋଇ ସାରିଥିବା ଏକ ଆପରାଧିକ ମାମଲାକୁ ପୁନଃତଦନ୍ତ ପାଇଁ ଖୋଲାଯିବା ତାଙ୍କୁ ହାରାଶ କରିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି ।
ଆନଭିକ୍ ନାଇକଙ୍କ ପତ୍ନୀ ଅକ୍ଷତା ନାଇକ୍ ଥାନାରେ ଦେଇଥିବା ଏତଲାରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ଏଆରଜି ଆଉଟଲିଏର୍ ସଂସ୍ଥା ବମ୍ବେ ଡାଇଂ ଷ୍ଟୁଡିଓ ପ୍ରୋଜେକ୍ଟର ଇଂଟେରିୟର ଡିଜାଇନିଂ ବାବଦରେ ୮୩ ଲକ୍ଷ ଟଙ୍କା ବକେୟା ଥିବା ଏବଂ ସଫିକ୍ ଓ ଶରଦ ସେମାନଙ୍କ କାମ ବାବଦରେ ଦେବାକୁ ଥିବା ୪ କୋଟି ୫୫ ଲକ୍ଷ ଟଙ୍କା ଦବାଇ ରଖିଥିବା ଅଭିଯୋଗ କରିଛନ୍ତି । ଆଲିବାଗ ପୁଲିସ ସ୍ୱିସାଇଡ୍ ନୋଟ୍ ବାତୀତ ଏହି ତିନି ଜଣଙ୍କ ବିରୋଧରେ ଆନଭିକ ଓ ତାଙ୍କ ମା’ଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ ଆଇପିସିର ୩୦୬ ଦଫାରେ ଛନ୍ଦିଛନ୍ତି । ଏତେ ବଡ ଠକେଇ ମାମଲାର ତଦନ୍ତ ୨୦୧୯ରେ କାହିଁକି ବନ୍ଦ ହେଲା, ସ୍ପଷ୍ଟ ନୁହେଁ । ଏବେ, ପୁଲିସ ମାମଲାକୁ ପୁନଃ ତଦନ୍ତ ପାଇଁ ଖୋଲିଛି ଏବଂ ଆଭନିକ୍ ନାଇକଙ୍କ ପରିବାର ନ୍ୟାୟ ପାଇବା ଆଶାରେ ଅଛନ୍ତି । ଏକ୍ଷେତ୍ରରେ ଅର୍ଣ୍ଣବଙ୍କ ଗିରଫ ହେବା ଘଟଣା ସାମ୍ବାଦିକତାର କଂଠରୋଧ ନା ଏକ ଆପରାଧିକ ମାମଲାର ପୁନଃତଦନ୍ତର ଏକ ପ୍ରୟାସ ର୍ ତାହା ପାଠକ ବିଚାର କରିବେ ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS