ଅଞ୍ଜନା ଉପାଖ୍ୟାନ, ୨୨ ବର୍ଷ ପରେ ବିବନ ହାତରେ ପଡିଲା ହତକଡି
ପ୍ରସାଦ ରାଓ
ଭୁବନେଶ୍ୱର
୨୨ ଫେବୃୟାରୀ
ଓଡ଼ିଶାର ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣ ଦୁଷ୍କର୍ମ ଘଟଣାର ମୁଖ୍ୟ ଆସାମୀ ବିବନ ବିଶ୍ଵାଳ ଓରଫ ବିବେକାନନ୍ଦ ବିଶ୍ବାଳକୁ ଭୁବନେଶ୍ୱର କମିଶନରେଟ୍ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ମୁମ୍ୱାଇ ଲୋନାୱାଲାର ଆମ୍ବିଭାଲିରୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ୧୯୯୯ ମସିହା ଜାନୁୟାରୀ ମାସ ୯ ତାରିଖ ରାତିରେ କଟକ – ଭୁବନେଶ୍ୱର ବାଇପାସ୍ ରାସ୍ତାରେ ବାରଙ୍ଗ ନିକଟରେ ଏହି ବିଭତ୍ସ ଗଣ ଦୁଷ୍କର୍ମ ଘଟଣା ଘଟିଥିଲା । ବିବନ ବିଶ୍ଵାଳ, ପ୍ରଦୀପ ସାହୁ ଓରଫ ପଦିଆ ଓ ଧୀରେନ୍ଦ୍ର ମହାନ୍ତି ଓରଫ ଟୁନିଆ ଏହି ଗଣ ଦୁଷ୍କର୍ମ କରିଥିଲେ । ତିନି ଅଭିଯୁକ୍ତଙ୍କ ମଧ୍ୟରୁ ପଦିଆ ଓ ଟୁନିଆ ଗିରଫ ହୋଇ ବିଚାରଣାର ସମ୍ମୁଖୀନ ହୋଇଥିବା ବେଳେ ବିବନ ଫେରାର ହୋଇଯାଇଥିଲା । ଆଜୀବନ କାରାଦଣ୍ଡ ଭୋଗୁଥିବା ଅବସ୍ଥାରେ ପଦିଆର ମୃତ୍ୟୁ ଘଟିଥିବା ବେଳେ ଟୁନିଆ ଜେଲରେ ସଜ୍ଜା ଭୋଗୁଛି । ୨୨ ବର୍ଷ ଧରି ପୁଲିସ ଓ ସିବିଆଇ ସହ ଲୁଚକାଳି ଖେଳିବା ପରେ ବିବନ ଧରା ପଡିଛି ।
ଏହି ଗଣଦୁଷ୍କର୍ମ ଘଟଣା ର ପୃଷ୍ଠଭୂମି ଅତ୍ୟନ୍ତ ରୋଚକ । ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଥାଆନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକ । ଏହା ଥିଲା ତାଙ୍କର ତୃତୀୟ ପାଳି ସରକାର । ମଝିରେ ୧୯୯୦ରୁ ୧୯୯୫ ବିଜୁ ପଟ୍ଟନାୟକ ଓଡ଼ିଶା ମୁଖ୍ୟମନ୍ତ୍ରୀ ଥିଲେ । ୧୯୯୫ ନିର୍ବାଚନରେ କଂଗ୍ରେସ ଦଳ ରାଜ୍ୟରେ କ୍ଷମତାକୁ ଫେରିବା ପରେ ଦୁର୍ନୀତି ଓ ଅନାଚାର ଅଭିଯୋଗ ବଢି ଯାଇଥିଲା । ଦଳ ଭିତରେ ମଧ୍ୟ ଗୋଷ୍ଠୀ କନ୍ଦଳ ତୀବ୍ର ଥଲା । ଜାନକୀ ହଟାଓ ଅଭିଯାନ ଯୋର ଧରି ଥିବାରୁ ଦଳ ଭିତରେ ଅସ୍ଥିରତା ବଢିଯାଇଥିଲା । ସେହି ସମୟରେ ରାଜ୍ଯ ସରକାରଙ୍କ ଆଡଭୋକେଟ ଜେନେରାଲ ଥିଲେ ଇନ୍ଦ୍ରଜିତ ରାୟ । ମୁଖ୍ୟମନ୍ତ୍ରୀଙ୍କ ନିକଟତର ବ୍ୟକ୍ତି ହୋଇଥିବାରୁ ସରକାରରେ ତାଙ୍କ ପ୍ରଭାଵ ବେଶି ଥିଲା । ଅଞ୍ଜନା ମିଶ୍ର ମଧ୍ଯ ଜଣେ ସୁନ୍ଦରୀ ଓ ପ୍ରଭାବଶାଳୀ ମହିଳା ଥିଲେ । ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ ରାୟ ତାଙ୍କୁ ଘରକୁ ଡକାଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଞ୍ଜନା ଅଭିଯୋଗ କରିବା ପରେ ରାଜ୍ୟ ରାଜନୀତିରେ ନିଆଁ ଲାଗି ଯାଇଥିଲା ।
ଏହି ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଜାନକୀ ବଲ୍ଲଭ ଙ୍କ ସରକାରକୁ ଅଡୁଆରେ ପକାଇବା ସହ ଏଡଭୋକେଟ ଜେନେରାଲ ରାୟଙ୍କୁ ମଧ୍ୟ ତୀବ୍ର ସମାଲୋଚନାର ଶରବ୍ୟ କରିଥିଲା । ରାୟ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ରାଜ୍ୟବ୍ୟାପୀ ଦାବୀ ଉଠିବାରୁ ଅଞ୍ଜନାଙ୍କ ମୁହଁ ବନ୍ଦ କରିବାକୁ ସରକାର ସବୁମନ୍ତେ ଉଦ୍ୟମ କରିଥିଲେ । ଅଞ୍ଜନାଙ୍କ ଉପରେ ଆକ୍ରମଣ ଉଦ୍ୟମ ହୋଇଥିବା ମଧ୍ଯ ସେତେବେଳେ ଅଭିଯୋଗ ହୋଇଥିଲା ।
ଏହି ପୃଷ୍ଠଭୂମିରେ ଘଟିଲା ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା । ସେତେବେଳେ ଆମେ ଯାହା ଶୁଣିଥିଲୁ, ପୀଡିତା ଅଞ୍ଜନା କଟକରେ ଥିବା କେହି ଜଣେ ଓକିଲଙ୍କ ସହ ପରାମର୍ଶ କରି ଜଣେ ପୁରୁଷ ବନ୍ଧୁଙ୍କ ସହ ୧୯୯୯ ଜାନୁୟାରୀ ୯ ତାରିଖ ରାତିରେ କଟକରୁ ଭାୟା ବାରଙ୍ଗ ଦେଇ ଭୁବନେଶ୍ୱର ଫେରୁଥିବା ବେଳେ ବାଟରେ ଅଟକି ଥିଲେ ବାରଙ୍ଗ ନିକଟସ୍ଥ ଏକ ଢାବାରେ । ସେଠାରେ ସେମାନେ ଚାହା ପିଇ ଭୁବନେଶ୍ୱର ଫେରୁଥିବା ସମୟରେ ସେମାନଙ୍କ ଆମ୍ବାସଡର୍ କାରକୁ ଅଟକାଇ ଅପହରଣ କରି ନିଆଯାଇଥିଲା । ଜଣେ ଅଭିଯୁକ୍ତ ସେହି କାରକୁ ଚଳାଉ ଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ତାହା ପଛରେ ସ୍କୁଟରରେ ପିଛା କରିଥିଲା । ପୁଲିସ୍ କହିବା ଅନୁସାରେ କାର ଡ଼୍ରାଇଭର ପିଛା କରୁଥିବା ସ୍କୁଟରରେ ବସିଥିଲା । ପରେ, ସେମାନଙ୍କ ମଧ୍ୟରୁ ଜଣେ ଅଞ୍ଜନାଙ୍କୁ ବାଟରେ ପଡୁଥିବା ଭାଲୁକା ଜଙ୍ଗଲ ଭିତରକୁ ନେଇ ଦୁଷ୍କର୍ମ କରିଥିଲା । ଅନ୍ୟ ଦୁଇ ଅଭିଯୁକ୍ତ ମଧ୍ୟ ଇତି ମଧ୍ୟରେ ସେଠାରେ ପହଞ୍ଚି ଯାଇଥିଲେ ଓ ୩ରୁ୪ ଘଣ୍ଟା ଧରି ଗଣଦୁଷ୍କର୍ମ କରିଥିଲେ । ଆଜି କଟକ-ଭୁବନେଶ୍ୱର ଦ୍ବୈତ ନଗରୀ ପୁଲିସ କମିସନର ଡଃ ସୁଧାଂଶୁ ଷଡଙ୍ଗୀ ଏଠାରେ ଗଣମାଧ୍ୟମକୁ ଭେଟି ବିବନ ବିଶ୍ଵାଳ ଗିରଫ ଘଟଣାର ତଥ୍ୟ ଦେବା ବେଳେ ଏହା ପୃଷ୍ଠି କରିଛନ୍ତି ।
୧୯୯୯ ଜାନୁୟାରୀ ୯ ତାରିଖ ରାତିରେ ଏହି ଗଣଦୁଷ୍କର୍ମ ଘଟଣା ଘଟିବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ବିରୋଧୀଙ୍କ ଅଙ୍ଗୁଳି ତତ୍କାଳୀନ ସରକାର ଓ ଅଡଭୋକେଟ ଜେନେରାଲଙ୍କ ଆଡକୁ ଉଠିଥିଲା । ଅଞ୍ଜନା ମଧ୍ଯ ସେଭଳି କିଛି ସଂଦେହ କରୁଥିବା ସେହି ସମୟରେ ଅଭିଯୋଗ କରିଥିଲେ । ୧୯୯ ଜାନୁୟାରୀ ୧୦ ତାରିଖ ଦିନ ସେ କଟକ ମହିଳା ଥାନାରେ ଏତଲା ଦେବା ପରେ ମହିଳା ଥାନା ପୁଲିସ୍ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରିଥିଲେ । ରାଜ୍ୟବ୍ୟାପୀ ସରକାରଙ୍କ ବିରୋଧରେ ହୋ ହାଲ୍ଲା ହେବାରୁ ଜାନୁୟାରୀ ୧୨ ତାରିଖରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚକୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଗଲା । କ୍ରାଇମ୍ ବ୍ରାଞ୍ଚ ପ୍ରଥମେ ପୁଲିସ ଅପରାଧରେ ବ୍ୟବହୃତ ସ୍କୁଟରକୁ ଜବତ କରିଥିଲେ । ୨୬ ଜାନୁୟାରୀରେ ଟୁନିଆ ଓ ପଦିଆ ଗିରଫ ହୋଇ ଥିଲେ । ତେବେ, ଏହି ଗଣଦୁଷ୍କର୍ମ ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ ଓଡ଼ିଶା ହାଇକୋର୍ଟ ୨୬ ଫେବୃୟାରୀରେ ଗଣଦୁଷ୍କର୍ମ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ (କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ) ହାତରେ ସମର୍ପି ଥିଲେ । ସିବିଆଇ ୧୯୯୯ ମେ’ ୫ ତାରିଖରେ ପଦିଆ, ଟୁନିଆ ଓ ପଳାତକ ବିବନ ବିଶ୍ଵାଳ ବିରୋଧରେ ଅଦାଲତର ଅଭିଯୋଗପତ୍ର (ଚାର୍ଜସିଟ୍) ଦାଖଲ କରିବା ପରେ ଗଣଦୁଷ୍କର୍ମ ମାମଲାର ଶୁଣାଣୀ ଆରମ୍ଭ ହୋଇଥିଲା । ତତ୍କାଳୀନ ଭୁବନେଶ୍ବର ଜିଲ୍ଲା ଜଜ୍ ମହେନ୍ଦ୍ର ପଟ୍ଟନାୟକ ଏହି ମାମଲାର ଶୁଣାଣୀ କରି ୨୦୦୨ ଏପ୍ରିଲ। ୨୯ ତାରିଖରେ ରାୟ ଦେଇଥିଲେ ।
ସମସ୍ତ ଅଭିଯୁକ୍ତଙ୍କୁ ଭାରତୀୟ ପିଙ୍ଗଳ କୋଡ଼ (ଆଇପିସି)ର ୩୪୧, ୩୬୬, ୩୭୬(୨) ଜି ଦଫାରେ ସେ ଦୋଷୀ ପାଇଥିବା ବେଳେ ଟୁନିଆକୁ ଆଇପିସିର ୩୯୪ ଦଫାରେ ଦୋଷୀ ପାଇଥିଲେ । ସମସ୍ତ ଦୋଷୀଙ୍କୁ ଜିଲ୍ଲା ଜଜ୍ ଶ୍ରୀ ପଟ୍ଟନାୟକ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ରାୟକୁ ଦଣ୍ଡିତ ବ୍ୟକ୍ତିମାନେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବାରୁ ମାମଲା ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା । ହାଇ କୋର୍ଟ ବିଚାରପତି ଜଷ୍ଟିସ ଏଏସ ନାଇଡୁ ଓ ବିଚାରପତି ସୁବାଷ ଚନ୍ଦ୍ର ପରିଜା ମାମଲାର ଶୁଣାଣୀ କରି ୨୦୧୦ ଜୁନ ୨୪ ତାରିଖରେ ଜିଲ୍ଲା ଜଜ୍ ଙ୍କ ରାୟକୁ କାଏମ ରଖିଥିଲେ ।ଏତେ ସବୁ ହେବା ପରେ ମଧ୍ୟ ଗଣଦୁଷ୍କର୍ମ ଘଟଣାର ମୁଖ୍ୟ ଆସାମୀ ବିବନ ବିଶ୍ଵାଳକୁ କ୍ରାଇମ୍ ବ୍ରାଞ୍ଚ ବା ସିବିଆଇ ଗିରଫ କରିବାକୁ ସକ୍ଷମ ହୋଇ ନଥିଲେ ।
ଦୀର୍ଘ ୨୨ ବର୍ଷର ଲୁଚକାଳି ପରେ ଭୁବନେଶ୍ୱର ସିପି ଡକ୍ଟର ସୁଧାଂଶୁ ଷଡଙ୍ଗୀ ବିବନକୁ ଜାଲରେ ପକାଇବାକୁ ସକ୍ଷମ ହୋଇଛନ୍ତି । ସିପିଙ୍କ କହିବା ଅନୁସାରେ ବିବନକୁ ପାତାଳରୁ ଖୋଜି ବାହାର କରିବା ପାଇଁ ସେ ସଂକଳ୍ପ କରିଥିଲେ । ଏଥିସକାଶେ ତିନି ମାସ ତଳେ ସେ ‘ସାଇଲେଣ୍ଟ ଭାଇପର ‘ ବା ‘ନୀରବ ବୋଡ଼ା ସାପ ‘ ନାମରେ ଏକ ଗୋପନୀୟ ଅଭିଯାନ ଆରମ୍ଭ କରିଥିଲେ । ଡିସିପି ପ୍ରତୀକ ସିଂହ, ଅତିରିକ୍ତ ଡିସିପି ପ୍ରମୋଦ ରଥ, ସ୍ୱତନ୍ତ୍ର ସ୍କ୍ୱାଡ ଇନ୍ସପେକ୍ଟର ଅଜିତ ଦାସ ଓ ବରଗଡ଼ ଥାନା ଆଇଆଇସି ଶଶିକାନ୍ତ ରାଉତଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ବିବନ ସଂପର୍କରେ ଖଳତାଡ଼ ବେଳେ ସେ ମହାରାଷ୍ଟ୍ରରେ ଜାଲ ନମରେ ଲୁଚି ରହିଥିବା ଖବର ମିଳି ଥିଲା । ମୁମ୍ବାଇରୁ ପୁନେ ରାସ୍ତାରେ ଲୋନାୱାଲାରେ ଥିବା ଆମ୍ବିଭ୍ୟାଲିରେ ବିବନ ଜାଲ ନାମରେ ସମସ୍ତ ଜାଲ ଦସ୍ତାବିଜ୍ ତିଆରି କରାଇ ଏକ ସଂସ୍ଥାରେ ପାଣି ପାଇପ ମିସ୍ତ୍ରୀ ଭାବେ ଚାକିରୀ କରୁଥିବା, ନିଜ ଗାଁ ସହ ପରୋକ୍ଷ ସଂପର୍କ ରଖି ରିତିମତ ପଇସା ପଠାଉଥିବା ଏବଂ ନିଜର ଏକ ଜାଲ ମୃତ୍ୟୁ ସାର୍ଟିଫିକେଟ ପ୍ରସ୍ତୁତି ଉଦ୍ୟମ ଚଳାଇଥିବା ସିପି ଖବର ପାଇବା ପରେ ତାକୁ ଧରିବା ପାଇଁ ଜାଲ ବିଛେଇ ଥିଲେ ।
ଗତ ୧୮ ତାରିଖ ରାତିରେ କଟକ ବାଦାମବାଡ଼ି ଥାନା ଆଇଆଇସି ରଶ୍ମୀ ରଞ୍ଜନ ମହାପାତ୍ର ଅନ୍ୟ ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ନେଇ ବିମାନ ଯୋଗେ ମୁମ୍ବାଇ ଯାଇଥିଲେ । ନାଭି ମୁମ୍ୱାଇରେ ପୁଲିସ କମିସନର ଥିବା ବିପିନ ସିଂହ ଭୁବନେଶ୍ୱର ପୁଲିସ କମିସନର ଷଡଙ୍ଗୀ ଙ୍କ ବ୍ୟାଚ ମେଟ୍ ହୋଇ ଥିବାରୁ ତାଙ୍କ ସହାୟତା ନିଆ ଯାଇଥିଲା । ନାଭି ମୁମ୍ବାଇ ସିପି ବିପିନ ସିଂହ ତାଙ୍କ ସହଯୋଗୀ ଡିସିପି ସିଆଇଡି ପ୍ରବୀଣ କୁମାର ପାଟିଲଙ୍କୁ ଜଳନ୍ଧର ସ୍ୱାଇଁ ନାମରେ ଆମ୍ବି ଭ୍ୟାଲିରେ ଲୁଚି ରହିଥିବା ବିବାନକୁ ଖୋଜି ବାହାର କରିବା ଦାୟିତ୍ଵ ଦେଇଥିଲେ । ଏହାଛଡା, ପୁଲିସର ଗୋଟିଏ ଟିମ୍ ଲୋନାୱାଲାରେ ପହଞ୍ଚି ଥିଲେ ।
ଓଡ଼ିଶା ପୁଲିସ ଓ ମହାରାଷ୍ଟ୍ର ପୁଲିସ ପାଇପ ମିସ୍ତ୍ରୀ ଭାବେ କାମ କରୁଥିବା ଜଳାନ୍ଧରକୁ ଠାବ କରି ଗତ ୨୦ ତାରିଖରେ ଆମ୍ବିଭ୍ୟାଲିରେ ଥିବା ସଂପୃକ୍ତ ସଂସ୍ଥାର ଷ୍ଟାଫ୍ କ୍ୱାଟର୍ସରେ ଚଢ଼ାଉ କରିଥିଲେ । ଜଳନ୍ଧର ଓରଫ୍ ବିବନ ଖସି ପଳାଇବାକୁ ଉଦ୍ୟମ କରିଥିଲେ ମଧ୍ଯ ସଫଳ ହୋଇ ନଥିଲା ।
ବିବନକୁ ପୁଲିସ ଗିରଫ କରି ବିମାନ ଯୋଗେ ୨୧ ତାରିଖରେ ଭୁବନେଶ୍ଵର ଆଣିଛନ୍ତି । ସାକ୍ଷୀ ମଧ୍ଯ ତାକୁ ଚିହ୍ନଟ କରି ସାରିଛନ୍ତି । ବିବନର ଗିରଫ ଖବର ସିବିଆଇକୁ ଦିଆ ସରିଛି । ତାକୁ ଧରିବା ସକାଶେ ସିବିଆଇ ଯେଉଁ ଆର୍ଥିକ ପୁରସ୍କାର ଘୋଷଣା କରିଥିଲେ ତାହା ‘ ସାଇଲେଣ୍ଟ ଭାଇପର୍ ‘ ଟିମ୍ କୁ ଦିଆଯିବାକୁ ସେ ସୁପାରିଶ କରିବେ ବୋଲି ଭୁବନେଶ୍ବର ସିପି ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମକୁ କହିଛନ୍ତି ।
୨୨ ବର୍ଷ ତଳେ ଗଣଦୁଷ୍କର୍ମରେ ପୀଡିତା ହୋଇଥିବା ଅଞ୍ଜନା ମଧ୍ଯ ଆଜି ବିବନ ଗିରଫ ହୋଇଥିବାରୁ ପୁଲିସକୁ ସାଧୁବାଦ୍ ଜଣାଇଛନ୍ତି । ବିବନକୁ ମୃତ୍ୟୁଦଣ୍ଡ ନ ହେଲେ ବି ଆଜୀବନ କାରାଦଣ୍ଡ ହେଉ ବୋଲି ଅଞ୍ଜନା କହିଛନ୍ତି ।
ଏହି ଗଣଦୁଷ୍କର୍ମ ଘଟଣା ପାଇଁ ୧୯୯୯ରେ ତତ୍କାଳୀନ ଆଡଭୋକେଟ୍ ଜେନେରାଲ ଇନ୍ଦ୍ରଜିତ ରାୟ ନିଜ ପଦରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେବାକୁ ବାଧ୍ୟ ହୋଇଥିଲେ ।
ମୁଖ୍ୟ ସମ୍ପାଦକ
Moanubhav.com
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS