ଗୋଟିଏ ଦିନରେ ଦୁଇଟି ମନ୍ଦିରରୁ ଚୋରୀ
ବାଲିଗୁଡାରୁ ସତ୍ୟ ନାରାୟଣ ପାଢୀଙ୍କ ରିପୋର୍ଟ
୨୮ ଫେବୃୟାରୀ
କନ୍ଧମାଳ ଜିଲ୍ଲାର ବାଲିଗୁଡା ସହରରେ ଥିବା ଦୁଇଟି ମନ୍ଦିରରୁ ଗୋଟିଏ ଦିନରେ ଚୋରୀ ହେବା ଘଟଣା ପୁଲିସ ପ୍ରଶାସନକୁ ଅଡୁଆରେ ପକାଇଛି । ଶୁକ୍ରବାର ରାତିରେଏହି ଚୋରୀ ହୋଇଥିବା ବେଳେ ମନ୍ଦିର ପୂଜକମାନେ ଶନିବାର ସକାଳେ ପୂଜା କରିବା ସକାଶେ ଆସି ତାହା ଜାଣି ଥିଲେ । ପୁଲିସକୁ ଖବର ଦେବା ପରେ ଏସଡ଼ିପିଓ ଓ ସାଇନ୍ଟିଫିକ୍ ଟିମ୍ ପହଂଚି ତାହାର ତଦନ୍ତ କରୁଛନ୍ତି । ସହର ଭିତରେ ଥିବା ଶ୍ରୀଜଗନ୍ନାଥ ମନ୍ଦିର ଓ ଦକ୍ଷିଣ କାଳୀ ମନ୍ଦିରର ପୂଜକମାନେ ଶନିବାର ସକାଳେ ଠାକୁର ପୂଜା ସଂପନ୍ନ କରିବା ସକାଶେ ଦୁଇ ମନ୍ଦିରରେ ପହଂଚି ମନ୍ଦିରର ତାଲା ଭଂଗା ଯାଇଥିବା ଦେଖି ସଂପୃକ୍ତ ମନ୍ଦିରର ମ୍ୟାନେଜିଂ ଟ୍ରଷ୍ଟିଙ୍କୁ ଜଣାଇ ଥିଲେ । ମନ୍ଦିର ଟ୍ରଷ୍ଟିଙ୍କ ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା । ବାଲିଗୁଡା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ସିସିଟିଭି ଲାଗି ଥିବା ବେଳେ ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ସିସିଟିଭି ଲାଗି ନାହିଁ । ପୁଲିସ ଶ୍ରୀଜଗନ୍ନାଥ ମନ୍ଦିରରେ ଲାଗି ଥିବା ସିସିଟିଭିର ଫୁଟେଜକୁ ନେଇ ଯାଂଚ ଚଳାଇଛି । ବାଲିଗୁଡା ଏସଡିପିଓ ମନୋଜ ପୁଝାରୀ ଓ ତଦନ୍ତ ଅଧିକାରୀ ରବିନ୍ଦ୍ର ମୁଣ୍ଡାରୀ ଡ଼ଗ୍ ସ୍କାଡ୍ ଏବଂ ସାଇନ୍ଟିଫିକ୍ ଟିମ୍ ସହ ଘଟଣା ସ୍ଥଳରେ ପହଂଚିକୁ ତଦନ୍ତକୁ ଯୋରଦାର କରିଛନ୍ତି । ବାଲିଗୁଡା ଶ୍ରୀଜଗନ୍ନାଥଙ୍କ ମନ୍ଦିର ଜାତୀୟ ରାଜପଥ କଡ ପୋଷ୍ଟ୍ ଅଫିସ ନିକଟରେ ଅଛି । ସିସିଟିଭି ଫୁଟେଜ୍ ଅନୁଯାୟୀ, ଚୋର ପାଚେରୀ ଡେଇଁ ମନ୍ଦିର ପରିସରରେ ପ୍ରବେଶ କରିଛି । ବାମ ପାଖ ରୋଷେଇ ଘର ନିକଟ ଭୋଗ ଯିବା ରାସ୍ତାରେ ଥିବା କବାଟର ତାଲା ଭାଂଗି ମନ୍ଦିର ଭିତରକୁ ଯାଇଛି ଏବଂ ମନ୍ଦିରରେ ଥିବା ଦାନବାକ୍ସ (ହୁଣ୍ଡି)କୁ ଭାଂଗି ସମସ୍ତ ଟଙ୍କା, ପଇସା ଧରି ଚଂପଟ ମାରିଛି । ଟଙ୍କା ପାଇସା ଗାମୁଛାରେ ଗୁଡାଇ ସେ ଗୋଟିଏ ବ୍ୟାଗରେ ଭର୍ତ୍ତି କରି ସେଠାରୁ ପଳାଇ ଥିବା ଫୁଟେଜ୍ କହୁଛି । ଅପରପକ୍ଷରେ, ମା’ ଦକ୍ଷିଣ କାଳୀଙ୍କ ମନ୍ଦିରରେ ସିସିଟିଭି ନ ଥିବାରୁ ଚୋରର ଗତିବିଧି ଜଣାପଡି ନାହିଁ । ତେବେ, ମା’ଙ୍କୁ ପିନ୍ଧା ଯାଇଥିବା ଦୁଇଟି ହାର ଲୁଟ୍ ହୋଇଥିବା ଜଣାପଡିଛି । ସହରରେ ପୁଲିସର ରାତ୍ରୀ ପେଟ୍ରୋଲିଂ ଅଭାବରୁ ଚୋରୀ ବଢୁ ଥିବା ସହର ବାସିନ୍ଦା ଅଭିଯୋଗ କରିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS