ଇନ୍ଦିରାଙ୍କ ‘ଏମର୍ଜେନ୍ସୀ’କୁ ନେଇ ରାହୁଲ-ବିଜେପି ମୁହାଁମୁହିଁ
ନୂଆଦିଲ୍ଲୀ
ମାର୍ଚ୍ଚ ୦୩
ମୋଅନୁଭବ.କମ୍
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତାଙ୍କ ଜେଜେମା’ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୭୭୫ରୁ ୧୯୭୭ ପର୍ଯ୍ୟନ୍ତ ଦେଶରେ ଯେଉଁ ଜରୁରୀ ପରିସ୍ଥିତି ବା ଏମର୍ଜେନ୍ସୀ ଜାରି କରିଥିଲେ ତାହା ଏକ ‘ଭୁଲ’ ପଦକ୍ଷେପ ଥିଲା । ତେବେ, ଆଜି ଦିନରେ ଆରଏସଏସ ଯେଭଳି ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ ଦୁର୍ବଳ କରି ନିଜ ଲୋକଙ୍କୁ ସେଥିରେ ଭର୍ତ୍ତି କରିଛି ଇନ୍ଦିରାଙ୍କ ଏମର୍ଜେନ୍ସୀରେ ସେଭଳି କିଛି ହୋଇ ନଥିଲା ବୋଲି ଏଆଇସିସିର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ଏକ ରଜନୈତିକ ଝଡ ସୃଷ୍ଟି କରିଛି । ରାହୁଲଙ୍କ ମନ୍ତବ୍ୟ ହାସ୍ୟାସ୍ପଦ ଏବଂ ଆରଏସଏସ ସଂଗଠନକୁ ବୁଝିବାକୁ ରାହୁଲଙ୍କୁ ଅଧିକ ସମୟ ଲାଗିବ ବୋଲି ଆଜି ବିଜେପି ପକ୍ଷରୁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଦେକର ପ୍ରତିକ୍ରିୟା ରଖି କହିଛନ୍ତି । ଇନ୍ଦିରାଙ୍କ ଦ୍ୱାରା ଜାରି ଜରୁରୀ ପରିସ୍ଥିତି ସମୟରେ ଦେଶର ସମସ୍ତ ଗଣତାନ୍ତ୍ରିକ ଅନୁଷ୍ଠାନକୁ ପଦାନତ କରାଯାଇଥିଲା । ଇନ୍ଦିରା ସରକାର ପ୍ରାୟତଃ ଦେଶର ସମସ୍ତ ରାଜନୈତିକ ଦଳକୁ ନିଷିଦ୍ଧ କରି ଦେବା ସହ ବିରୋଧୀ ଦଳ ଏମପି, ବିଧାୟକଙ୍କୁ ଗିରଫ କରି ଜେଲ୍ ରେ ପୁରାଇ ଦେଇଥିଲେ । ଖବର କାଗଜ ସଂସ୍ଥାଗୁଡିକରେ ମଧ୍ୟ ଚାବି ପଡି ଯାଇଥିଲା । ଆରଏସଏସ ହେଉଛି ବିଶ୍ୱର ଏକ ସର୍ବ ବୃହତ୍ତ ଦେଶଭକ୍ତ ସଂଗଠନ । ରାହୁଲଙ୍କୁ ତାହା ବୁଝିବାକୁ ଅଧିକ ସମୟ ଲାଗିବ ବୋଲି ଜାଭଦେକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ କର୍ଣ୍ଣେଲ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ‘ୱେବନିୟର’ରେ ଅର୍ଥନୀତିଜ୍ଞ କୌଶିକ ବସୁଙ୍କ ସହ ଚର୍ଚ୍ଚାରେ ଭାଗ ନେଇ ଇନ୍ଦିରାଙ୍କ ଏମର୍ଜେନ୍ସୀ ସଂପର୍କରେ ମତ ରଖି ଥିଲେ । ରାହୁଲ କହିଥିଲେ, ତାଙ୍କ ଜେଜେମା’ ଯାହା କରିଛନ୍ତି (ଦେଶରେ ଜରୁରୀ ପରିସ୍ଥିତି ଜାରି କରି) ତାହା ‘ଭୁଲ’ ଥିଲା । ସେହି ସମୟରେ ଯାହା ହୋଇଥିଲା ତାହା ମଧ୍ୟ ଠିକ୍ ନ ଥିଲା । ତେବେ, ଦେଶରେ ଜରୁରୀ ପରିସ୍ଥିତି ଜାରି ସମୟରେ କଂଗ୍ରେସ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡିକୁ କରାୟତ୍ତ କରି ନଥିଲା ବା ସରକାରଙ୍କ ସେଭଳି ଦକ୍ଷତା ନଥିଲା । କଂଗ୍ରେସର ଆଭିମୁଖ୍ୟ ମଧ୍ୟ ସେଭଳି ନୁହେଁ । ଜରୁରୀ ପରିସ୍ଥିତି ସମୟରେ ବିଜେପି ନେତାମାନେ ଜେଲ୍ ଯାଇ ଥିବାରୁ ଯେତେବେଳେ ବାକ୍ ସ୍ୱାଧୀନତା ଓ ଭିନ୍ନମତର ଅଧିକର କଥା ଆସୁଛି ସେମାନେ ସେହି ବିବଦମାନ ସମୟ କଥା ଉଠାଇ କଂଗ୍ରେସକୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି । ସେତେବେଳେ ଯାହା ଘଟି ଥିଲା ଓ ଆଜି ଯାହା ଘଟୁଛି ସେଥିରେ ‘ନୀତିଗତ ଭିନ୍ନତା’ ରହିଛି । ଆଜିର ଦିନରେ ଆରଏସଏସ ଦେଶର ପ୍ରତ୍ୟେକ ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅନୁଷ୍ଠାନରେ ନିଜ ଲୋକଙ୍କ ଏଭଳି ଭାବେ ଭର୍ତ୍ତି କରିଛି ଯେ ‘ଆମେ ବିଜେପିକୁ ନିର୍ବାଚନରେ ପରାଜିତ କଲେ ମଧ୍ୟ ସେମାନଙ୍କ ଦ୍ୱାରା ନିୟୋଜିତ ଲୋକଙ୍କ କବଳରୁ ମୁକୁଳି ପାରୁନୁ’ ବୋଲି ରାହୁଲ ମନ୍ତବ୍ୟ ରଖି ଥିଲେ । ସାମ୍ବିଧାନିକ ଅନୁଷ୍ଠାନ ସବୁ ସ୍ୱାଧୀନ ଭାବେ କାର୍ଯ୍ୟ କଲେ ଏବଂ ସମତୁଲତା ବଜାୟ ରଖିଲେ ହିଁ ଆଧୁନିକ ଗଣତନ୍ତ୍ର ବ୍ୟବସ୍ଥିତ ଭାବେ ଚାଲିବ । ତେବେ, ଭାରତରେ ଆରଏସଏସ ନାମକ ଏକ ବୃହତ୍ ଅନୁଷ୍ଠାନ ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅନୁଷ୍ଠାନଗୁଡିକର ସ୍ୱାଧୀନତାକୁ ହରଣ କରି ନେଇଛି । ଫଳରେ, ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥାର ପତନ ବା କଂଠରୋଧ ଘଟିଛି ବୋଲି ରାହୁଲ କହିଛନ୍ତି । ରାହୁଲଙ୍କ ଏପ୍ରକାର ମନ୍ତବ୍ୟ ଉଭୟ ଆରଏସଏସ୍ ଏବଂ ତାହାର ସମ୍ମୁଖ ରାଜନୈତିକ ସଂଗଠନ ବିଜେପିକୁ କ୍ଷୁବ୍ଧ କରିବା ସ୍ୱାଭାବିକ । ତେଣୁ, କେନ୍ଦ୍ର ମନ୍ତ୍ରୀ ଜାଭଦେକର ଆଜି ସାମ୍ବାଦିକ ସମ୍ମିଳନୀ କରି ରାହୁଲଙ୍କୁ ଇନ୍ଦିରାଙ୍କ ଏମର୍ଜେନ୍ସୀ ସମୟରେ ହୋଇଥିବା ମାତ୍ରାଧିକ୍ୟ ମନେ ପକାଇ ଦେବା ସହ ଆରଏସଏସ୍ ସଂପର୍କରେ ଥିବା ଅଜ୍ଞତା ଦୂର କରିବାକୁ ପରାମର୍ଶ ଦେଇଛନ୍ତି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS