ଫେରୁଛି ‘ତାଲାବନ୍ଦ’ ପରିସ୍ଥିତି ?ପୁଣେରେ ସପ୍ତାହକ ପାଇଁ ୧୨ ଘଂଟିଆ ରାତ୍ରୀ କର୍ଫ୍ୟୁ, ଛତିଶଗଡ଼ ଦୁର୍ଗ ଜିଲ୍ଲାରେ ନଅ ଦିନ ପାଇଁ ସଂପୂର୍ଣ୍ଣ ତାଲାବନ୍ଦ..
ଫେରୁଛି ‘ତାଲାବନ୍ଦ’ ପରିସ୍ଥିତି ?
ପୁଣେରେ ସପ୍ତାହକ ପାଇଁ ୧୨ ଘଂଟିଆ ରାତ୍ରୀ କର୍ଫ୍ୟୁ, ଛତିଶଗଡ଼ ଦୁର୍ଗ ଜିଲ୍ଲାରେ ନଅ ଦିନ ପାଇଁ ସଂପୂର୍ଣ୍ଣ ତାଲାବନ୍ଦ..
ଏପ୍ରିଲ ୦୨
ମୋଅନୁଭବ.କମ୍
କରୋନା ଟକା ଆସିବା ପରେ ଦେଶରେ ଏହି ମହାମାରୀର ସଂକ୍ରମଣ କମିବ ଏବଂ ସ୍ଥିତି ସାମାନ୍ୟ ହେବ ବୋଲି ଯାହା ଆଶା କରାଯାଉଥିଲା ଏବେ ତାହା ଭୁଲ ପ୍ରମାଣିତ ହେବାକୁ ଯାଉଛି । ଗତ ଜାନୁୟାରୀ ୧୬ ତାରିଖରୁ ଦେଶରେ କୋଭିଡ଼-୧୯କୁ ପ୍ରତିହତ କରିବା ପାଇଁ ଟିକାକରଣ ଆରମ୍ଭ ହେଲା । ଏପ୍ରିଲ ୨ ତାରିଖ ସୁଦ୍ଧା ଦେଶର ୬ କୋଟି ୮୪ ଲକ୍ଷ ବରିଷ୍ଠ ନାଗରିକ, କୋଭିଡ଼ ଯୋଦ୍ଧା ଓ ୪୫ ବର୍ଷରୁ ଉର୍ଦ୍ଧ ବିଭିନ୍ନ ଘାତକ ରୋଗରେ ସଂକ୍ରମିତ (ଡାକ୍ତରୀ ସାର୍ଟିଫିକେଟ୍ ଦେଖାଇ) ଲୋକମାନେ ଟିକା ନେଇ ସାରିଲେଣି । କିଏ ପ୍ରଥମ ଡୋଜ୍ ନେଇ ଦ୍ୱିତୀୟ ଡୋଜ୍ ଅପେକ୍ଷାରେ ଅଛନ୍ତି ତ ଆଉ କିଏ ଦ୍ୱିତୀୟ ଡୋଜ୍ ମଧ୍ୟ ନେଇ ସାରିଲେଣି । ଟିକା ଆସିବା ପରେ ବି କରୋନା ମହାମାରୀ ଦେଶବାସୀଙ୍କ ପିଛା ଛାଡୁନି । ଗଲା ବର୍ଷ ଏହାର ପ୍ରଥମ ଲହର ଚାଲିଥିଲା । ଏବର୍ଷ ଦ୍ୱିତୀୟ ଲହର ଚାଲିଥିବା କୁହାଯାଉଛି । ଏହି ଲହରକୁ ଦେଖି ସରକାର ଛାନିଆ । ଏପ୍ରିଲ ୧ ତାରିଖରୁ ୪୫ ବର୍ଷରୁ ଉଦ୍ଧ୍ୱର୍ ବୟସ୍କ (ଏକାଧିକରୋଗରେ ଆକ୍ରାନ୍ତ ଥା’ନ୍ତୁ ବା ନଥା’ନ୍ତୁ) ବିନା ଡାକ୍ତରୀ ସାର୍ଟିଫିକେଟ୍ରେ ଟିକାକରଣରେ ଅଂଶ ଗ୍ରହଣ କରି ପାରିବେ ବୋଲି କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସବୁଜ ସଂକେତ ଦେବା ପରେ ବିଭିନ୍ନ ଟିକାକରଣ କେନ୍ଦ୍ରରେ ଟିକା ନେବାକୁ ଆଗ୍ରହୀଙ୍କ ସଂଖ୍ୟା ବଢିଛି । ତେବେ, କରୋନା ଟିକାକୁ ଚ୍ୟାଲେଂଜ ଦେବା ଭଳି କରାନା ମହାମାରୀର ଦ୍ୱିତୀୟ ଲହର ମାଡ଼ି ଚାଲିବା ଦେଖି ପୁଣି ଥରେ ଦେଶରେ ‘ତାଲାବନ୍ଦ’ ବା ‘ଲକ୍ ଡାଉନ୍’ ସ୍ଥିତି ଫେରୁଥିବା ଜଳଜଳ ଦିଶୁଛି ।
କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ଆଜି ସକାଳେ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଂଟା ମଧ୍ୟରେ ଦେଶରେ ଚଳିତ ସିଜିନ୍ ର ସର୍ବାଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ବର୍ଷ ଅକ୍ଟୋବର ୨ ତାରିଖରେ ଦେଶରେ ୮୧ ହଜାର ୪୮୪ ଜଣ (ଗୋଟିଏ ଦିନରେ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯାହାକି ସର୍ବାଧିକ ଥିଲା । ଆଜି ଏହି ରେକର୍ଡ ପାଖାପାଖି ରହିଛି ଗତ ୨୪ ଘଂଟାରେ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ଏପ୍ରିଲ ୨ ତାରିଖ ସକାଳ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଂଟା ମଧ୍ୟରେ ଦେଶରେ ୮୧ ହଜାର ୪୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୪୬୯ ଜଣଙ୍କ ମୃତ୍ୟୁ ଘଟିଛି । ଛଅ ମାସ ପରେ ଏଭଳି ରେକର୍ଡ ସଂଖ୍ୟକ ସଂକ୍ରମଣ ରିପୋର୍ଟ ଆସିଛି । ଗଲା ୨୪ ଘଂଟାରେ ଦେଶରେ ନୂଆ ୮୧ ହଜାର ୪୬୬ କରୋନା ଆକ୍ରାନ୍ତ ଚିହ୍ନଟ ହେବା ଦ୍ୱାରା ଦେଶର ମୋଟ କରୋନା ସଂକ୍ରମିତ ସଂଖ୍ୟା ୧ କୋଟି ୨୩ ଲକ୍ଷ ୦୩ ହଜାର ୧୩୧ରେ ପହଂଚିଛି । ତେବେ, ସେଥିରୁ ୧ କୋଟି ୧୫ ଲକ୍ଷ ୨୫ ହଜାର ୦୩୯ ଜଣ ସୁସ୍ଥ ହୋଇଥିବାରୁ ଓ ୧ ଲକ୍ଷ ୬୩ ହଜାର ୩୯୬ ଜଣଙ୍କ ମୃତ୍ୟୁ ଘଟି ଥିବାରୁ ଆଜି ଦିନରେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୪ ହଜାର ୬୯୬ ରହିଛି । ଦେଶରେ ୬ କୋଟି ୮୭ ଲକ୍ଷ ୮୯ ହଜାର ୧୩୮ ଜଣଙ୍କୁ ଟିକାକାରଣ ସରିଲାଣି ବୋଲି ସରକାରୀ ରିପୋର୍ଟରୁ ଜଣାପଡିଛି ।
ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସିଂହଭାଗ ହେଉଛନ୍ତି ପାଂଚଟି ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଛତିଶଗଡ଼ ଓ ପଂଜାବର । ସେମାନଙ୍କ ସଂଖ୍ୟା ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାର ୭୮.୯ ଭାଗ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ମହାରାଷ୍ଟ୍ରର ମୁମ୍ବାଇ ଓ ପୁଣେ ସହର କରୋନା ହଟସ୍ପଟ୍ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ମୁମ୍ବାଇ ବ୍ରିହତ୍ତ ମହାନଗର ନିଗମ ଅଂଚଳରୁ ୮, ୬୪୬ ଜଣ ନୂଆ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ପୁଣେରେ ଦୁଇ ଦିନ ହେଲା ଲଗାତର ୮ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗୁରୁବାର ରାତିରେ ପୁଣେ କତ୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ ଦ୍ୱିତୀୟ ଦିନ ପାଇଁ ପୁଣେରୁ ୮,୦୧୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଣେରେ କାଲି ସକାଳ ୬ଟାରୁ ସପ୍ତାହକ ପାଇଁ ୧୨ ଘଂଟିଆ ରାତ୍ରୀ କର୍ଫ୍ୟୁ ଜାରୀ କରାଯାଇଛି । ଏହି ସାତ ଦିନ ଧରି ସହରର ସମସ୍ତ ଧାର୍ମିକ ସ୍ଥାନ, ହୋଟେଲ ଓ ବାର୍, ମୁଭି ଥିଏଟର ବନ୍ଦ ରହିବ ବୋଲି ପୁଣେ ଡ଼ିଭିଜନାଲ କମିସନର ସୌରଭ ରାଓ ଆଜି ଅପରାହ୍ନରେ କହିଛନ୍ତି । କେବଳ ଖାଦ୍ୟ ସାମଗ୍ରୀ, ଔଷଧ ଓ ଅତ୍ୟାବଶ୍ୟକ ସାମଗ୍ରୀ ଘରେ ପହଂଚିବା ବ୍ୟବସ୍ଥା ହୋଇଛି । ସହରରୁ ବୁଧବାର ଦିନ ୮, ୬୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
କରୋନା ମହାମାରୀର ନିୟନ୍ତ୍ରଣ ପାଇଁ ମହାରାଷ୍ଟ୍ର ସରକାର ୫୦ ପ୍ରତିଶତ ଲୋକଙ୍କୁ ନେଇ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ମୁଭି ଥିଏଟର୍, ହୋଟେଲ୍, ମଲ୍ ପ୍ରଭୃତି ଖୋଲା ରଖିବାକୁ ଅନୁମତି ଦେଇଥିଲେ ମଧ୍ୟ ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହେଉ ନାହାନ୍ତି । ଗଲା ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୪୩ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟର ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ପାଇଁ ପ୍ରସ୍ତୁତ ରହିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ପ୍ରଶାସନିକ ଅଧିକାରୀମାନଙ୍କ ସତର୍କ କରାଇ ଥିଲେ । ଆଜି ରାତି ସାଢେ ୮ଟାରେ ସେ ରାଜ୍ୟବାସୀଙ୍କୁ ସଂବୋଧିତ କରିବା କାର୍ଯ୍ୟକ୍ରମ ରଖି ଥିବାରୁ କିଛି ଗୋଟାଏ ବଡ଼ ନିଷ୍ପତ୍ତି ଘୋଷଣା ହୋଇପାରେ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଁ ସେ ଅମାନିଆ ଓ ବେପରୁଆଙ୍କୁ ଦାୟୀ କରୁଥିବାରୁ ପୁନର୍ବାର ‘ତାଲାବନ୍ଦ’ ଆଡକୁ ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି ।
ଛତିଶଗଡ଼ରେ ମଧ୍ୟ କରୋନା ସଂକ୍ରମଣ ଉଦ୍ବେଗଜନକ ସ୍ଥିତିରେ ପହଂଚି ଥିବାରୁ ରାଜ୍ୟ ସରକାର ଦୁର୍ଗ ଜିଲ୍ଲାରେ ୯ ଦିନ ପାଇଁ ସଂପୂର୍ଣ୍ଣ ‘ତାଲାବନ୍ଦ’ ଜାରି କରିଛନ୍ତି । ଏପ୍ରିଲ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ‘ତାଲାବନ୍ଦ’ ଜାରି ରହିବ । କେବଳ ଅତ୍ୟାବଶ୍ୟକ ସେବା ଉପଲବ୍ଧ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ମହାମାରୀ କରୋନାର ଦ୍ୱିତୀୟ ଲହର ଓଡ଼ିଶାରେ ମଧ୍ୟ ଅନୁଭୂତ ହେଉଛି । ଗଲା କିଛି ଦିନ ହେଲା ଚିହ୍ନଟ ହେଉଥିବା ନୂଆ ଆକା୍ରନ୍ତଙ୍କ ସଂଖ୍ୟା ବଢୁଥିବା ଲକ୍ଷ୍ୟ କରାଯାଉଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୪୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୨୭୨ ଜଣ ସଂଗରୋଧ କେନ୍ଦ୍ରରୁ ଓ ୧୮୯ ସ୍ଥାନୀୟ ଲୋକ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।
ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶାର ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୮୬ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୬୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬୨ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୬ ଜଣ, ବରଗଡ଼ ଜିଲ୍ଲାରୁ ୩୨ ଜଣ, ଅନୁଗୁଳ ଜିଲ୍ଲାରୁ ୨୭ ଜଣ, କଟକ ଜିଲ୍ଲାରୁ ୨୨ ଜଣ, ସମ୍ବଲପୁର ଜିଲ୍ଲାରୁ ୧୬ ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬ ଜଣ ଓ ଝାରସୁଗୁଡା ଜିଲ୍ଲାରୁ ୧୩ ଜଣ ଚିହ୍ନଟ ହୋଇଛନ୍ତି । ପଡୋଶୀ ରାଜ୍ୟ ଛତିଶଗଡ଼ରେ କରୋନା ସଂକ୍ରମଣ ଉପର ମୁହାଁ ଥିବାରୁ ସୀମାନ୍ତବର୍ତ୍ତୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉଥିବା ଆଜି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗଣମାଧମକୁ କହିଛନ୍ତି । ସୀମା ସିଲ୍ ସମାଧାନ ନୁହେଁ, ମାସ୍କ୍ ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳମାନେ ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର ୭୭୨ରେ ପହଂଚି ଥିବା ବେଳେ ସେଥିରୁ ୩ ଲକ୍ଷ ୩୭ ହଜାର ୨୧୨ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୮୬ ରହିଛି । ରାଜ୍ୟରେ ୧୯୨୧ ଜଣଙ୍କ କୋଭିଡ଼ ଜନିତ ମୃତ୍ୟୁ ଘଟିଛି । ଓଡ଼ିଶାରେ ମଧ୍ୟ ଅମାନିଆ ଓ ବେପରୁଆଙ୍କୁ ନେଇ ସରକାର ଚିନ୍ତିତ । କରୋନା କଟକଣା ମାନୁ ନଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁଲିସ ଓ ପ୍ରଶାସନକୁ ନିର୍ଦେଶ ଥିଲେ ମଧ୍ୟ କାର୍ଯାନୁଷ୍ଠାନରେ ଢିଲାପଣ ଯୋଗୁଁ କରୋନା ଆକ୍ରାନ୍ତ ବଢୁଥିବା ଦେଖିବାକୁ ମିଳୁଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS