କରୋନା ପରିସ୍ଥିତି ସୁଧୁରିବା ଯାଏଁ ପ୍ରବାସୀ ଶ୍ରମିକଙ୍କୁ ମାଗଣା ରେସନ୍ ଦିଅ: ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ
ଜୁନ ୨୯
ଦେଶରେ କରୋନା ପରିସ୍ଥିତି ସୁଧୁରିବା ଯାଏଁ ପ୍ରବାସୀ ଶ୍ରମିକଙ୍କୁ ମାଗଣା ରେସନ ଯୋଗାଇବାକୁ ସୁପ୍ରିମ କୋର୍ଟ ଆଜି ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳଙ୍କୁ ନିର୍ଦେଶ ଦେଇଛନ୍ତି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏମ.ଆର.ଶାହାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଜୁଲା ୩୧ ତାରିଖ ସୁଦ୍ଧା ଦେଶରେ ‘ଗୋଟିଏ ଦେଶ’, ଗୋଟିଏ ରେସନ କାର୍ଡ’ ସ୍କିମ୍ ଲାଗୁ କରିବାକୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ନିର୍ଦେଶ ଦେବା ସହ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା, କ୍ୟାସ୍ ଟ୍ରାନ୍ସଫର୍ ଓ ଅନ୍ୟାନ୍ୟ କଲ୍ୟାଣକାରୀ ସ୍କିମ୍ ରେ ସାମିଲ କରାଯିବାକୁ କହିଛନ୍ତି । କେନ୍ଦ୍ର ସରକାର କୋଭିଡ଼ ପରିସ୍ଥିତି ଥିବା ପର୍ଯ୍ୟନ୍ତ ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ଖାଦ୍ୟ ଶସ୍ୟ ବଂଟନ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ଯଥେଷ୍ଟ ପରିମାଣର ଖାଦ୍ୟ ଶସ୍ୟ ଯୋଗାଇ ଦେବାକୁ ମଧ୍ୟ ଖଣ୍ଡପୀଠ ନିର୍ଦେଶ ଦେଇଥିବା ଜଣାପଡିଛି । ରାଜ୍ୟମାନେ ପ୍ରବାସୀ ଶ୍ରମିକଙ୍କୁ ମାଗଣାରେ ରେସନ ଯୋଗାଇବା ସହ କମ୍ୟୁନିଟି କିଚିନ୍ ମଧ୍ୟ ଚାଲୁ ରଖିବାକୁ କୁହାଯାଇଛି ।
କୋର୍ଟରେ ତିନି ଜଣ ସାମାଜିକ କାର୍ଯ୍ୟକର୍ତ୍ତା କରିଥିବା ଆବେଦନ ଉପରେ ସୁପ୍ରମି କୋର୍ଟ ଏହି ନିର୍ଦେଶ ଦେଇଥିବା ଜଣାପଡିଛି । ଇତିମଧ୍ୟରେ, ସୁପ୍ରମି କୋର୍ଟ ଜୁଲାଇ ୩୧ ସୁଦ୍ଧା ଦେଶର ସମସ୍ତ ଅସଂଗଠିତ ଶ୍ରମିକଙ୍କ ନିକଟରେ ଯେପରି ସରକାରଙ୍କ କଲ୍ୟାଣକାରୀ ଯୋଜନାର ପହଂଚି ପାରିବ ତାହା ଦୃଷ୍ଟିରେ ରଖି ସେମାନଙ୍କ ପଂଜୀକରଣ କରାଇବାକୁ ଏବଂ ଏଥିସକାଶେ ଏନଆଇସି (ନ୍ୟାସନାଲ୍ ଇନଫରମେଟିକ୍ସ ସେଂଟର) ମାଧ୍ୟମରେ ଏକ ପୋର୍ଟାଲ୍ ବିକାଶ କରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଥିଲେ । ପୂର୍ବରୁ ମଧ୍ୟ ଦେଶରେ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପଂଜୀକରଣ କରାଯାଇ ଏକ ଜାତୀୟ ଡ଼ାଟାବେସ୍ ପ୍ରସ୍ତୁତ କରିବା ସକାଶେ ସଫ୍ଟୱେର୍ ବିକଶିତ କରିବାକୁ କେନ୍ଦ୍ର ଓ ରାଜ୍ୟମାନଙ୍କୁ ନିର୍ଦେଶ ଦିଆଯାଇଥିଲା । ତେବେ, ସଫ୍ଟୱେର୍ ବିକଶିତ କରାଯିବା କାର୍ଯ୍ୟ ବିଳମ୍ବିତ ହେଉ ଥିବା ଦେଖି ସୁପ୍ରିମ କୋର୍ଟ କଡ଼ା ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ସରକାର କୋଭିଡ଼ ପରିସ୍ଥିତି ଯୋଗୁଁ ଆସନ୍ତା ନଭେମ୍ବର ପର୍ଯ୍ୟନ୍ତ ଦେଶର ସମସ୍ତ ଗରିବ ପରିବାର ଓ ଅସଂଗଠିତ ଶ୍ରମିକଙ୍କ ନିକଟରେ ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ’ ମାଗଣାରେ ରେସନ ପହଂଚାଇବେ ବୋଲି ଘୋଷଣା କରିଥିବା ବେଳେ ଯେଉଁ ଅସଂଗଠିତ ଶ୍ରମିକଙ୍କ ରେସନ୍ କାର୍ଡ ନାହିଁ ସେମାନଙ୍କ ନିକଟରେ ଏହା କେମିତି ପହଂଚିବ ବୋଲି ସୁପ୍ରିମ କୋର୍ଟ ସରକାରଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ କରିଥିବା ଜଣାପଡିଛି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS