୨୦୨୪ ପାଇଁ ପ୍ରଶାନ୍ତ କିଶୋରଙ୍କ ରଣନୀତି ଉପରେ ଦେଶର ଭବିଷ୍ୟତ ରାଜନୀତି ନିର୍ଭର କରୁଛି
ପ୍ରସାଦ ରାଓ
ଜୁଲାଇ ୧୪
ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପିର ସମସ୍ତ କୂଟନୀତିକୁ ପ୍ରତିହତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଖିଳ ଭାରତ ତୃଣମୂଳ କଂଗ୍ରେସ ପାର୍ଟି (ଏଆଇଟିଏମସି)ର ବିପୁଳ ବିଜୟ ଭାରତୀୟ ରାଜନୀତିରେ ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ଗୁରୁତ୍ୱ ବେଶ୍ ବଢାଇ ଦେଇଛି । ପଶ୍ଚିମ ବଂଗରେ ମମତାଙ୍କ ବିପୁଳ ବିଜୟ ପରେ ପ୍ରଶାନ୍ତ କିଶୋର କହିଥିଲେ, ସେ ନିର୍ବାଚନ ରଣନୀତିକାର କାର୍ଯ୍ୟରୁ ସାମୟିକ ଭାବେ ଅବ୍ୟାହତି ନେଇ ଅନ୍ୟ କାର୍ଯ୍ୟରେ ନିୟୋଜିତ ହେବାକୁ ଚାହୁଁଛନ୍ତି । ତେବେ, ଏଭଳି ମନ୍ତବ୍ୟ ଦେବା ପରେ ସେ ମୁମ୍ବାଇ ଯାଇ ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିବା ଏବଂ ପାୱାରଙ୍କ ସହ ମଧ୍ୟାହ୍ନ ଭୋଜନରେ ଦୀର୍ଘ ସମୟ ଆଲୋଚନା କରିବା ଏବଂ ନିକଟରେ ଗାନ୍ଧୀ ପରିବାରକୁ ଭେଟିବା ରାଜନୈତିକ ମହଲରେ ବେଶ୍ ଆଲୋଡ଼ନ ସୃଷ୍ଟି କରିଛି । ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ସେମାନେ ରଣନୀତି ପ୍ରସ୍ତୁତି କରୁ ନାହାନ୍ତି ତ (?) – ଏଭଳି ଏକ ସମ୍ଭାନାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଜାତୀୟ ଗଣମାଧ୍ୟମରେ ତାହା ବଡ଼ ପ୍ରସଙ୍ଗ ହୋଇଥିବା ଦେଖିବାକୁ ମିଳୁଛି ।
ପାୱାରଙ୍କ ଭେଟିବା ପରେ ପ୍ରଶାନ୍ତ କିଶୋର ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ଖିଚିଡି ପକା ଆରମ୍ଭ ହୋଇଥିବା କଥାକୁ ଅସ୍ୱୀକାର କରି ଥିଲେ । କହିଥିଲେ, ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜୟ ପାଇଁ ଯେଉଁ ଜାତୀୟସ୍ତର ନେତାମାନେ ମମତା ବାନାର୍ଜୀଙ୍କ ମନୋବଳ ବଢାଇ ଥିଲେ ସେମାନଙ୍କୁ ସେ ଔପଚାରିକା ଦୃଷ୍ଟିରୁ ଭେଟି କୃତଜ୍ଞତା ଜଣାଉଛନ୍ତି । ତେବେ, ପ୍ରଶାନ୍ତ କିଶୋରଙ୍କ ସଫେଇକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ଭଳି ଏକ ସୁସଂଗଠିତ ଦଳକୁ ଟକ୍କର ଦେବା ଭଳି ଏକ ବିରୋଧୀ ରାଜନୈତିକ ମେଂଟ ଗଠନ ଦିଗରେ ଉଦ୍ୟମ ଆରମ୍ଭ ହୋଇଥିବା ସମସ୍ତେ ଅନୁମାନ କରୁଛନ୍ତି ।
ମଙ୍ଗଳବାର ପ୍ରଶାନ୍ତ କିଶୋର ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ବାସଭବନରେ ରାହୁଲଙ୍କ ସମେତ ଏଆଇସିସି ଅନ୍ତଃରୀଣ ସଭାପତି ସୋନିଆ ଗାନ୍ଧୀ ଓ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟି ଦୀର୍ଘ ସମୟ ଆଲୋଚନା କରିବା ଘଟଣା ୨୦୨୪ ରଣନୀତିର ଏକ ଅଂଶ କୁହାଯାଉଛି । ପ୍ରଶାନ୍ତ କିଶୋର କଂଗ୍ରେସ ଦଳରେ ଯୋଗ ଦେଇ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇ ପାରନ୍ତି ବୋଲି ମଧ୍ୟ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି । ୨୦୨୨ରେ ପଂଜାବ, ୟୁପି ସମେତ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି । ୨୦୨୩ରେ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ବିଧାନସଭା ନିର୍ବାଚନର ସାମ୍ନା କରିବ । ତେଣୁ, ଜାତୀୟସ୍ତରରେ ମୁଖ୍ୟ ବିରୋଧୀ ଦଳ ଥିବା କଂଗ୍ରେସ ପ୍ରଶାନ୍ତ କିଶୋରଙ୍କୁ ଦଳରେ ସାମିଲ କରି କିଛି ରଣନୀତି ପ୍ରସ୍ତୁତିରେ ତାଙ୍କ ଦକ୍ଷତା ଓ ଅଭିଜ୍ଞତାକୁ ବ୍ୟବହାର କରିବାକୁ ଚାହୁଁ ଥାଇ ପାରେ ବୋଲି ବିଭିନ୍ନ ଗଣମାଧମରେ ଚର୍ଚ୍ଚା ଜୋର୍ ଧରିଛି ।
ଗାନ୍ଧୀ ପରିବାର ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ମଙ୍ଗଳବାରର ଭେଟ ପ୍ରଥମ ନୁହେଁ । ଇତିମଧ୍ୟରେ ସେମାନେ ଏକାଧିକ ଥର ଭେଟଲେଣି । ଏହି ଭେଟ ପଂଜାବ ଓ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ସୀମିତ ନୁହେଁ, ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଏକ ବଡ଼ ଧରଣର ରଣନୀତି ପ୍ରସ୍ତୁତିର ଅୟମାରମ୍ଭ ବୋଲି କୁହାଯାଉଛି । ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେଇ ଏହି ରଣନୀତି କାର୍ଯ୍ୟକାରୀ କରିବା ଦାୟିତ୍ୱ ନେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ୨୦୨୧ ପ୍ରାରମ୍ଭରେ ହୋଇଥିବା ପାଂଚଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟରୁ ଦୁଇଟି ପାଇଁ ପ୍ରଶାନ୍ତ କିଶୋର ରଣନୀତି ପ୍ରସ୍ତୁତ କରିଥିଲେ । ପଶ୍ଚିମ ବଂଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସି (ତୃଣମୂଳ କଂଗ୍ରେସ ପାର୍ଟି) ଓ ତାମିଲନାଡ଼ୁରେ ଏମ.କେ.ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡ଼ିଏମକେ ପାଇଁ ସେ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଉଭୟେ ବିଜୟୀ ହୋଇଛନ୍ତି ।
ନିର୍ବାଚନ ସମୟରେ ତାମିଲନାଡ଼ୁରେ କ୍ଷମତାରେ ଥିଲା ଏଆଇଏଡ଼ିଏମକେ । ବିଜେପି ସହ ନିର୍ବାଚନୀ ବୁଝାମଣା କରି ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇ ଥିଲା । ତେବେ, ପ୍ରଶାନ୍ତଙ୍କ ସଫଳ ରଣନାତି ଯୋଗୁଁ ଏହି ମେଂଟର ଉଦ୍ୟମ ବିଫଳ ହେଲା ଏବଂ ଏମ.କେ.ଷ୍ଟାଲିନଙ୍କ ନେତୃତ୍ୱରେ ଡ଼ିଏମକେ ବଡ଼ ଧରଣର ବିଜୟ ହାସଲ କରି ଷ୍ଟାଲିନ ପ୍ରଥମ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ସୁଯୋଗ ପାଇଲେ । ତେଣୁ, ବିଜୟର ଶ୍ରେୟ ସ୍ୱାଭାବିକ ଭାବେ ପ୍ରଶାନ୍ତ କିଶୋରଙ୍କୁ ଯାଉଛି । ୨୦୨୧ ମାର୍ଚ୍ଚ ୨୭ରୁ ଏପ୍ରିଲ ୨୯ ତାରିଖ ମଧ୍ୟରେ ଆସାମ, ପଶ୍ଚିମ ବଂଗ, ତାମିଲନାଡୁ ସମେତ ପାଂଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା ଏବଂ ମେ’ ୨ରେ ଫଳାଫଳ ପ୍ରକାଶ ପାଇଥିଲା । ଆସାମରେ ବିଜେପି ସରକାର ଥିଲା ଓ ରହିଛି । ପଶ୍ଚିମ ବଂଗରେ ୧୦ ବର୍ଷ ଧରି କ୍ଷମତାରେ ଥିବା ଟିଏମସି ବିଜେପିର ଟାର୍ଗେଟ ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଜେପିର ବହୁ ନେତା ପଶ୍ଚିମ ବଂଗ ଦଖଲ ପାଇଁ ଯେଭଳି ଆକ୍ରମଣାତ୍ମକ ପ୍ରଚାର କରିଥିଲେ ତାହା କିଛି ସମୟ ପାଇଁ ବିଜେପି ବିଜୟୀ ହେବାର ଭ୍ରମ ସୃଷ୍ଟି କରିଥିଲା ।
ବିଜେପିର ଆକ୍ରମଣାତ୍ମକ ରୂପକୁ ଦେଖି ମମତା ସାମୟିକ ଭାବେ ବିଚଳିତ ହୋଇଥିଲେ ସିନା ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ବିଚଳିତ ନଥିଲେ । ସେ କହିଥିଲେ, ବିଜେପି ନିର୍ବାଚନ ସଭାରେ ଲକ୍ଷାଧିକ ଜନସମାଗମ ହେଲେ ମଧ୍ୟ ତାହା ଭୋଟରେ ରୂପାନ୍ତରିତ ହେବା ସମ୍ଭାବନା ନାହିଁ । ବାସ୍ତବରେ ତାହା ହିଁ ହେଲା । ବିଜେପି ବୃଥା ଆସ୍ଫାଳନ କଲେ ମଧ୍ୟ ଦୁଇ ଅଂକ ଟପିବ ନାହିଁ ବୋଲି ସେ ଯେଉଁ ଆକଳନ କରିଥିଲେ ତାହା ହିଁ ସତ୍ୟ ପ୍ରମାଣିତ ହେଲା । ରାଜ୍ୟର ୨୯୪ ବିଧାନସଭା ଆସନରୁ ୨୯୨ ଆସନ ପାଇଁ ନିର୍ବାଚନ ହୋଇଥିଲା । ଟିଏମସି ୨୧୩ ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୭୭ରେ ସୀମିତ ରହିଯାଇଛି । ମେ’ ୨ରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ପ୍ରଶାନ୍ତ କିଶୋର ଏକ ଗଣମାଧ୍ୟମ ସାକ୍ଷାତକାରରେ କହିଥିଲେ, ବର୍ତ୍ତମାନ ସମୟ ଆସିଛି ନିର୍ବାଚନ ରଣନୀତି ପ୍ରସ୍ତୁତିରୁ ଦୂରେଇ ଯାଇ ଅନ୍ୟ କିଛି କାର୍ଯ୍ୟରେ ମନୋନିବେଶ କରିବା ପାଇଁ । ସେ ନିଜକୁ ଜଣେ ବିଫଳ ରାଜନୈତିକ ବ୍ୟକ୍ତି ଭାବେ ଦର୍ଶାଇ କୌଣସି ରାଜନୈତିକ ଦଳରେ ଯୋଗ ଦେବା ବା ନିଜେ ରାଜନୈତିକ ଦଳ ଗଢିବା ସମ୍ଭାବନାକୁ ଅଗ୍ରାହ୍ୟ କରିଥିଲେ । ଏଭଳି ମନ୍ତବ୍ୟ ରଖିବା ପରେ ପରେ ସେ ଏନସିପି ମୁଖ୍ୟ ପାୱାରଙ୍କୁ ଭେଟି ଥିଲେ । ଏବେ ଗାନ୍ଧୀ ପରିବାରକୁ ଭେଟି ଆଲୋଚନା କରିଛନ୍ତି । ଯାହାକି, ଦେଶରେ ଏକ ନୂତନ ରାଜନୈତିକ ସମ୍ଭାବନାର ସୂତ୍ରପାତ କରିଛି ।
ପ୍ରଶାନ୍ତ କିଶୋର ଅତୀତରେ ମଧ୍ୟ କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି । ୨୦୧୭ରେ ଅନୁଷ୍ଠିତ ୟୁପି ବିଧାନସଭା ନିର୍ବାଚନରେ କଂଗ୍ରେସ – ସମାଜବାଦୀ ପାର୍ଟି ମେଂଟର ସୂତ୍ରଧର ଥିଲେ ସେ । ତେବେ, ନିର୍ବାଚନରେ ମେଂଟର ପରାଜୟ ହୋଇଥିଲା ଏବଂ ବିଜେପି ବିପୁଳ ବିଜୟ ହାସଲ କରି ଯୋଗୀ ଆଦିତ୍ୟନାଥ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେବେ, ସେହି ବର୍ଷ ପଂଜାବରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଶାନ୍ତ କିଶୋର କଂଗ୍ରେସ ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ । କଂଗ୍ରେସ ଦଳ କ୍ଷମତାସୀନ ହୋଇଛି । ୨୦୨୨ରେ ଏହି ଦୁଇ ରାଜ୍ୟ ସମେତ ଅନ୍ୟ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଅଛି ।
୨୦୧୭ ନିର୍ବାଚନ ପରେ ପ୍ରଶାନ୍ତ କିଶୋର କଂଗ୍ରେସକୁ ସମାଲୋଚନା କରି ଏହି ଶତବର୍ଷ ପୂରାତନ ଦଳ ତା’ ବାଟରେ କାମ କରୁଛି, କାହାରି କଥା ଶୁଣିବା ସ୍ଥିତିରେ ନାହିଁ ବୋଲି ମନ୍ତବ୍ୟ ରଖିଥିଲେ । ଦଳ ଭିତରେ ଯେଉଁ ସମସ୍ୟା ରହିଛି ତାହା ଦଳର ନେତୃତ୍ୱ ହୃଦବୋଧ କରି ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଏବେ ସେ କଂଗ୍ରେସ ସହ ଯୋଡି ହୋଇ ପାରନ୍ତି ବୋଲି ହେଉଥିବା ଆଲୋଚନା ପଛରେ ଏକ ସୁଚିନ୍ତିତ ଯୋଜନା ରହିଥିବା ଅନୁଭବ କରି ହେଉଛି । ପ୍ରଶାନ୍ତ କିଶୋର ନିଜକୁ ଜଣେ ବିଫଳ ରାଜନେତା କହିବା କାରଣ ଥିଲା, ସେ କିଛି ସମୟ ପାଇଁ ବିହାର ରାଜନୀତି ସହ ଯୋଡି ହୋଇ ଥିଲେ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ରଣନୀତିକାର ହେବା ସହ ଜେଡ଼ିୟୁରେ ଯୋଗ ଦେଇ ସକ୍ରୀୟ ରାଜନୀତିରେ ଭାଗ ନେଇ ଥିଲେ । ତେବେ, ନୀତୀଶଙ୍କ ସହ ସଂପର୍କ ତୀକ୍ତ ହେବାରୁ ତାଙ୍କୁ ଦଳ ଛାଡିବାକୁ ପଡି ଥିଲା । ଏହା ପରଠାରୁ ସେ କୌଣସି ରାଜନୈତିକ ଦଳରେ ପ୍ରତ୍ୟକ୍ଷ ଭାବେ ଯୋଗ ଦେଇ ନାହାନ୍ତି । ବର୍ତ୍ତମାନ ଯଦି ସେ କଂଗ୍ରେସରେ ଯୋଗ ଦିଅନ୍ତି ତେବେ ତାହା ତାଙ୍କ ପାଇଁ ଦ୍ୱିତୀୟ ସକ୍ରୀୟ ରାଜନୈତିକ କ୍ଷେତ୍ର ହେବ ।
ଏଠାରେ ଅନ୍ୟ ଏକ ଦିଗ ମଧ୍ୟ ଆଲୋଚନାର ଆବଶ୍ୟକତା ରଖୁଛି । ତାହା ହେଉଛି, ପ୍ରଶାନ୍ତ କିଶୋର ୨୦୨୪ ସାଧାରଣ ନିର୍ବାଚନକୁ ନଜରରେ ରଖି ଯେଉଁ ରଣନୀତି ପ୍ରସ୍ତୁତ କରୁଛନ୍ତି ସେଥିରେ କାହା ହାତରେ ବିରୋଧୀ ମେଂଟର ମଂଗ ରହିବ ? ରାହୁଲ ଗାନ୍ଧୀ, ଶରଦ ପାୱାର, ମମତା ବାନାର୍ଜୀ ନା ଆଉ କିଏ ?? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ନେତୃତ୍ୱାଧୀନ ଏନଡ଼ିଏର ମଂଗ ଧରିଛନ୍ତି ଏବଂ ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳକୁ ଧୂଳି ଚଟାଇ ଦେଶବ୍ୟାପୀ ବିପୁଳ ଜନସମର୍ଥନ ଗୋଟାଇଛନ୍ତି । ୨୦୨୪ରେ ମଧ୍ୟ ମୋଦୀଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ମଇଦାନରେ ରହିବ । ମୋଦୀଙ୍କ ବାକ୍ ଚାତୁରୀ ଓ ନିର୍ବାଚନ ପରିଚାଳନା ଦକ୍ଷତା ନିକଟରେ କଂଗ୍ରେସ ନେତୃତ୍ୱ ନିଷ୍ପ୍ରଭ ରହି ଆସିଛି । ବିରୋଧୀ ମେଂଟ ମଧ୍ୟ ମୋଦୀଙ୍କ ସମତୁଲ ହୋଇପାରୁ ନାହିଁ । ତେଣୁ, ପ୍ରଶାନ୍ତ କିଶୋରଙ୍କ ରଣନୀତିରେ ବିରୋଧୀ ମେଂଟର ମଂଗ କାହା ହାତରେ ରହିବ, ତାହା ଦେଖିବା ସମୟ ଆସୁଛି ।
ମୋଦୀଙ୍କୁ ଟକ୍କର ଦେବାକୁ ହେଲେ ବିରୋଧୀ ମେଂଟର ନେତା ନିର୍ଭୀକ ଓ ଆକ୍ରମଣାତ୍ମକ ହେବା ଆବଶ୍ୟକତା ରଖୁଛି । ଏହାକୁ ନେଇ ଆଲୋଚନା କଲା ବେଳେ ନିକଟରେ ମୋଦୀ ଓ ତାଙ୍କ ସହଯୋଗୀଙ୍କୁ ପଶ୍ଚିମ ବଂଗ ନିର୍ବାଚନରେ ଧୂଳି ଚଟାଇ ଥିବା ମମତା ବାନାର୍ଜୀଙ୍କ ନାମ ସ୍ୱାଭାବିକ ଭାବେ ସାମ୍ନାକୁ ଆସୁଛି । ତେବେ, ବିଭିନ୍ନ ବିଜେପି-ବିରୋଧୀ ରାଜନୈତିକ ଦଳ ନେତୃବର୍ଗଙ୍କ ମଧ୍ୟରେ ଥିବା ଆତ୍ମାଭିମାନ ହେଉ ବା ଆତ୍ମଗର୍ବ ଏବଂ ପ୍ରଧାନମନ୍ତ୍ରୀ ହେବା ସ୍ୱପ୍ନ ମମତାଙ୍କୁ ଏଭଳି ଏକ ସୁଯୋଗ ଦେବାରେ ପ୍ରତିବନ୍ଧକ ହେବା ସ୍ୱାଭାବିକ । ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏସଂପର୍କରେ ନିଶ୍ଚିତ ଅବଗତ ଥିବେ । ତେଣୁ, ୨୦୨୪ ପାଇଁ ତାଙ୍କ ରଣନୀତି କଣ ହେବ, ତାହା ଉପରେ ଭବିଷ୍ୟତ ରାଜନୀତି ନିର୍ଭର କରୁଛି ।
ମୁଖ୍ୟ ସଂପାଦକ
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS