ଭାରତ-ଇଂଲଣ୍ଡ ପଂଚମ ଟେଷ୍ଟ୍ ଅନିର୍ଦ୍ଧିଷ୍ଟକାଳ ପାଇଁ ଘୁଂଚିଲା
ପ୍ରସାଦ ରାଓ
ସେପ୍ଟେମ୍ବର ୧୦
ମାଂଚେଷ୍ଟରର ଓଲ୍ଡ୍ ଟ୍ରାଫୋର୍ଡ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ପଂଚମ ଟେଷ୍ଟ୍ କ୍ରିକେଟ୍ ମ୍ୟାଚ୍ ଅନିର୍ଦ୍ଧିଷ୍ଟ ସମୟ ପାଇଁ ବାତିଲ ହୋଇଛି । ଏହି ଟେଷ୍ଟ୍ ମାଚ୍ ପାଇଁ ପରେ ତାରିଖ ଧାର୍ଯ୍ୟ ହେବ । ତେବେ, ଚଳିତ ବର୍ଷ ତାହା ହୋଇନପାରେ ବୋଲି ମୁମ୍ବାଇରୁ ସୂଚନା ମିଳିଛି । ଭାରତ-ଇଂଲଣ୍ଡ ମଧ୍ୟରେ ଇଂଲଣ୍ଡରେ ଚାଲି ଥିବା କ୍ରିକେଟ୍ ଟେଷ୍ଟ୍ ମ୍ୟାଚରେ ଏଯାବତ୍ ଭାରତ ୨-୧ରେ ଆଗୁଆ ଅଛି । ପଂଚମ ଟେଷ୍ଟ୍ ମ୍ୟାଚ୍ ନିର୍ଣ୍ଣାୟକ ହେବାକୁ ଥିବା ବେଳେ ଆଜି ତାହା ବାତିଲ ହୋଇଛି । ପଂଚମ ଟେଷ୍ଟ୍ ଅନିର୍ଦ୍ଧିଷ୍ଟକାଳ ପାଇଁ ବାତିଲ ହୋଇ ଥିବାରୁ ଭାରତୀୟ କ୍ରିକେଟ୍ ଟିମ୍ ଏବେ ଇଂଲଣ୍ଡରୁ ବିଦା ନେଇ ଆଇପିଏଲ୍ ପ୍ରୋଟୋକଲ୍ ମଧ୍ୟରେ ୟୁଏଇ ଗସ୍ତ ପାଇଁ ପ୍ରସ୍ତୁତ ହେବେ । ଗୁରୁବାର ରାତି ଓ ଶୁକ୍ରବାର ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଓ ଇଂଲଣ୍ଡ ଏଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟରେ ମାରାଥନ୍ ଆଲୋଚନା ପରେ ପଂଚମ ଟେଷ୍ଟ୍ ମ୍ୟାଚ୍ ବାତିଲ ନିଷ୍ପତ୍ତି ହୋଇଛି । ଇସିବି ଭାରତ-ଇଂଲଣ୍ଡ ପଂଚମ ଟେଷ୍ଟ୍ ଦୁଇ ଦିନ ବିଳମ୍ବିତ କରିବାକୁ କିମ୍ବା ସଂପୂର୍ଣ୍ଣ ବାତିଲ କରିବାକୁ ପ୍ରସ୍ତାବ ରଖି ଥିଲା । ବିସିସିଆଇ ପକ୍ଷରୁ ଏନେଇ ଭାରତୀୟ କ୍ରିକେଟ୍ ଟିମ୍ ସହ ପରାମର୍ଶ କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଚାଲି ଥିବା ଟେଷ୍ଟ ମ୍ୟାଚ୍ ସଂପୂର୍ଣ୍ଣ ବାତିଲ ନକରି ପଂଚମ ଟେଷ୍ଟ୍ ଘୁଂଚାଇ ଦେବା ସପକ୍ଷରେ ଭାରତୀୟ ଟିମ୍ ମତ ରଖି ଥିଲେ । ସେହି ଅନୁସାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ପଂଚମ ଟେଷ୍ଟ୍ ମ୍ୟାଚ୍ ଅନିର୍ଦ୍ଧିଷ୍ଟକାଳ ପାଇଁ ବାତିଲ ହୋଇଛି । ତେବେ, ବାତିଲ ହୋଇଥବା ଟେଷ୍ଟ୍ ମ୍ୟାଚ୍ ଚଳିତ ବର୍ଷ ନ ହୋଇ ଆସନ୍ତା ବର୍ଷ ହୋଇ ପାରେ ବୋଲି ସୂଚନା ମିଳୁଛି । ବର୍ତ୍ତମାନ ବିସିସିଆଇ ଆଇପିଏଲ୍ ଓ ତାହା ପରେ ହେବାକୁ ଥିବା ଟି-୨୦ ବିଶ୍ୱ କପ୍ କ୍ରିକେଟ୍ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ରହିବ । ତେଣୁ, ଭାରତ ତିନିଟି ଦିନିକିଆ ଆନ୍ତର୍ଜାତିକ ଓ ତିନିଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାକୁ ୨୦୨୨ ଜୁଲାଇରେ ଇଂଲଣ୍ଡ ଯିବାକୁ ଥିବାରୁ ସେହି ସମୟରେ ବାକି ଥିବା ପଂଚମ ଟେଷ୍ଟ୍ ହୋଇ ପାରେ ବୋଲି ଅନୁମାନ କରାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ, ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଟିମ୍ ର ପ୍ରାୟ ସମସ୍ତ ବିଭାଗର କୋଚ୍ କୋଭିଡ଼ରେ ଆକ୍ରାନ୍ତ ହୋଇ ଏବେ ସଂଗରୋଧରେ ଥିବାରୁ ପଂଚମ ଟେଷ୍ଟ୍ କୁ ନେଇ ଅନିଶ୍ଚିତତା ଲାଗି ରହି ଥିଲା ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS