ଭାରତରେ ନିରାଶା, ପାକିସ୍ତାନରେ ଉତ୍ସବ !
ପ୍ରସାଦ ରାଓ
ଅକ୍ଟୋବର ୨୫
ରବିବାର ରାତିରେ ଦୁବାଇରେ ଅନୁଷ୍ଠିତ ଭାରତ-ପାକିସ୍ତାନ ଆଇସିସି ୨୦-୨୦ ପୁରୁଷ ବିଶ୍ୱକପ୍ ମ୍ୟାଚରେ ଭାରତର ପରାଜୟ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଥିବା ବେଳେ ପାକିସ୍ତାନରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ୭ ୱିକେଟ୍ ବିିନିମୟରେ ୧୫୧ ରନ୍ କରିଥିବା ବେଳେ ପାକିସ୍ତାନ ଟିମ୍ ୧୭.୫ ଓଭର ଖେଳି ଓ କୌଣସି ୱିକେଟ୍ ନ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲେ । ପାକିସ୍ତାନ ପ୍ରଥମ ଥର ପାଇଁ ଆଇସିସି ୨୦-୨୦ ବିଶ୍ୱକପ୍ କ୍ରିକେଟରେ ଭାରତକୁ ପରାଜିତ କରି ଥିବାରୁ କାଲି ରାତିରେ ପାକିସ୍ତାନରେ ଉତ୍ସବର ମାହୋଲ ଦେଖିବାକୁ ମିଳି ଥିଲା । ପାକିସ୍ତାନ କ୍ରିକେଟ୍ ଟମ୍ ର ଅଧିନାୟକ ବାବର ଆଜାମ ଓ ସ୍କିପର୍ ମହମ୍ମଦ ରିଜୱାନ ରାତି ୯ଟାରେ ବ୍ୟାଟିଂ ଆରମ୍ଭ କରି ୧୧ଟା ସୁଦ୍ଧା ଦଳକୁ ବିଜୟ ଦେଇଥିଲେ । ‘ପାକିସ୍ତାନ ଟିମ୍ ସୁନ୍ଦର ପ୍ରଦର୍ଶନ କରିଛନ୍ତି ବୋଲି କହିବାକୁ ଲଜ୍ଜ୍ୟାବୋଧ କରୁ ନାହିଁ ବୋଲି ଖେଳ ସରିବା ପରେ ଭାରତୀୟ କ୍ରିକେଟ୍ ଟିମ୍ ର କ୍ୟାପଟେନ ବିରାଟ କୋହିଲି ଗଣମାଧ୍ୟମକୁ କହିଥିଲେ । ଖେଳ ସରିବା ପରେ ଭାରତୀୟ ଟିମ୍ ଓ ପାକିସ୍ତାନ ଟିମ୍ ପରସ୍ପର ସହ ସୌହାର୍ଦ୍ଧ୍ୟପୂର୍ଣ୍ଣ ଆଚରଣ ପ୍ରଦର୍ଶନ କରିଥିବା ବେଳେ ଭାରତର ପରାଜୟରେ କ୍ଷୁବ୍ଧ କିଛି ଭାରତୀୟ କ୍ରିକେଟ ପ୍ରେମୀ ଅଧିନାୟକ କୋହିଲି ଓ ଦଳରେ ଥିବା ଏକମାତ୍ର ମୁସଲିମ୍ ଖେଳାଳୀ ମହମ୍ମଦ ସମ୍ମିଙ୍କୁ ଟ୍ରୋଲ୍ କରିବାକୁ ପଛାଇ ନଥିବା ଜଣାପଡିଛି । ସମ୍ମିଙ୍କ ଇନ୍ଷ୍ଟାଗ୍ରାମ ଆକାଉଂଟରେ ଅତ୍ୟନ୍ତ ନିମ୍ନମାନର ମନ୍ତବ୍ୟମାନ ପୋଷ୍ଟ୍ ହୋଇଥିବା ଦେଖି ବିରେନ୍ଦ୍ର ସେହେବାଗଙ୍କ ଭଳି ବହୁ ପୁରୁଖା କ୍ରିକେଟର୍ ତାହାର ନିନ୍ଦା କରିଛନ୍ତି । ଏଭଳି ଘୃଣାର ପ୍ରସାର କରନ୍ତୁ ନାହିଁ ବୋଲି ସେମାନେ ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେଇଥିବା ଲୋକମାନଙ୍କୁ ତାଗିଦ କରିଛନ୍ତି । କାଲିର ମ୍ୟାଚ୍ ଆରମ୍ଭରେ ପାକିସ୍ତନ ଟସ୍ ଜିତି ପ୍ରଥମେ ଫିଲଡିଂ ନେଇଥିଲା । ଭାରତ ବ୍ୟାଟିଂ ଆରମ୍ଭ କରି ମୂଳରୁ ଝୁଂଟି ଥିଲା । ଭାରତୀୟ ଦଳ ୨୦ ଓଭର ଖେଳି ୭ ୱିକେଟ୍ ହରାଇ ୧୫୧ ରନ୍ କରିବା ସହ ପାକିସ୍ତାନ ସମ୍ମୁଖରେ ୧୫୨ ରନ୍ ର ଟାର୍ଗେଟ୍ ରଖି ଥିଲେ । ପାକିସ୍ତାନ୍ ଯେଭଳି ଏହି ରନ୍ ଲକ୍ଷ୍ୟ ହାସଲ କରି ନପାରିବ ସେଥିପାଇଁ ଭାରତୀୟ ବୋଲର୍ ଓ ଫିଲ୍ଡରମାନେ ଶେଷ ପର୍ଯ୍ୟନ୍ତ ସେମାନଙ୍କୁ ଚାପରେ ରଖି ଥିଲେ । ତେବେ, ପାକିସ୍ତାନ ଟିମ୍ ର କ୍ୟାପଟେନ୍ ବାବର ଆଜାମ ଓ ସ୍କିପର୍ ମହମ୍ମଦ ରିଜୱାନ ଭାରତର ସମସ୍ତ ରଣନୀତିକୁ ମାତ୍ ଦେଇ ୧୭.୫ ଓଭରରେ ୧୫୨ ରନ୍ ସଂଗ୍ରହ କରି ନେଇଥିଲେ । ୧୩ ବଲ୍ ହାତରେ ଥାଇ ପାକିସ୍ତାନ ଦଳ ମ୍ୟାଚ୍ ଜିତିବା ଓ ୧୦ ୱିକେଟରେ ଭାରତୀୟ ଦଳକୁ ପରାଜିତ କରିବା ଭାରତକୁ ବିଧା ମାରିଲା ଭଳି ହୋଇଛି ବୋଲି କିମ୍ବଦନ୍ତୀ କ୍ରିକେଟ୍ ତାରକା ସୁନିଲ ଗାଭାସ୍କର ମତ ଦେଇଛନ୍ତି । ତେବେ, ଏହା ଆଇସିସି ୨୦-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଂଟର ଆରମ୍ଭ ମାତ୍ର ହୋଇ ଥିବାରୁ ଭାରତୀୟ ଦଳ ପରବର୍ତ୍ତୀ ମ୍ୟାଚଗୁଡିକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS