ଗହମ ଚାଷୀଙ୍କୁ କେଂଚିଲା ଭଳି ହୋଇଛି ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ?
ପ୍ରସାଦ ରାଓ
ସେପ୍ଟେମ୍ବର ୦୮
କେନ୍ଦ୍ର ସରକାର ଚଳିତ ରବି ଋତୁରେ ଉତ୍ପାଦନ ହେବାକୁ ଥିବା ଗହମ ଫସଲ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା କରିଛନ୍ତି । ୧୦୦ କେଜି ଗହମର ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ ୨,୦୧୫ ଟଙ୍କା ଧାର୍ଯ୍ୟ ହୋଇଛି । ଯାହାକି ମାତ୍ର ୨ ପ୍ରତିଶତ ବୃଦ୍ଧି ଏବଂ ଗଲା ୧୦ ବର୍ଷ ମଧ୍ୟରେ ସର୍ବନିମ୍ନ ବୃଦ୍ଧି କୁହାଯାଉଛି । କେନ୍ଦ୍ର ସରକାର ସୋରିଷର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଂଟାଲ ପିଛା ୪୦୦ ଟଙ୍କାରୁ ୫,୦୫୦ଟଙ୍କାକୁ ବୃଦ୍ଧି କରି ଥିବା ବେଳେ ଗହମର ସର୍ବନିମ୍ନ ସହାୟକ ମୂଲ୍ୟ ମାତ୍ର ଦୁଇ ପ୍ରତିଶତ ବୃଦ୍ଧି କରିବା ଗହମ ଚାଷୀଙ୍କୁ କେଂଚିଲା ଭଳି ହୋଇଛି । ତେବେ, ସରକାରଙ୍କ ହିସାବ ଭିନ୍ନ । ଗହମର ଉତ୍ପାଦନ ଖର୍ଚ୍ଚ କୁଇଂଟାଲ ପିଛା ୧,୦୦୮ ଟଙ୍କା ହିସାବ କରାଯାଇ ଚଳିତ ଋତୁରେ ହେବାକୁ ଥିବା ଗହମ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ୨,୦୧୫ ଟଙ୍କା ଧାର୍ଯ୍ୟ କରାଯାଇଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
ଚାଷୀଙ୍କୁ ସେମାନଙ୍କ କୃଷି ଉତ୍ପାଦନ ବାବଦରେ ସର୍ବନିମ୍ନ ସହାୟକ ମୂଲ୍ୟ ମିଳିବା, ଅଭାବି ବିକ୍ରିକୁ ରୋକିବା ଓ ଚାଷୀ ଯେପରି ନିଜର ଫସଲ ବିକ୍ରି ବାବଦ ଆୟରୁ ଅତ୍ୟାବଶ୍ୟକ ଖର୍ଚ୍ଚ ତୁଲାଇ ପାରିବେ ତାହା ସୁନିଶ୍ଚିତ କରିବା ହେଉଛି ସରକାର ଏମଏସପି ଧାର୍ଯ୍ୟ କରାଯିବାର ମୌଳିକ ଲକ୍ଷ୍ୟ । ତେବେ, ବିଭିନ୍ନ ସମୟରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ହେଉଥିବା ଏମଏସପିକୁ ନେଇ ବିବାଦ ମୁଣ୍ଡ ଟେକୁଛି । ବିଭିନ୍ନ ଫସଲ ଉତ୍ପାଦନ ବାବଦରେ ଚାଷୀଙ୍କ ଯାହା ଖର୍ଚ୍ଚ ହେଉଛି ଓ ଶ୍ରମଦାନ କରିବାକୁ ପଡୁଛି ସେହି ତୁଳନାରେ କେନ୍ଦ୍ର ସରକାର ଧାର୍ଯ୍ୟ କରୁଥିବା ଏମଏସପି ବା ସର୍ବନିମ୍ନ ସହାୟକ ମୂଲ୍ୟ କମ୍ ରହୁଛି, ଚାଷୀଙ୍କ ଖର୍ଚ୍ଚ ମଧ୍ୟ ଭରଣା ହେଉ ନାହିଁ ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି । ତେବେ, କେନ୍ଦ୍ର ସରକାର କହୁଛନ୍ତି, କୃଷି ବିଶେଷଜ୍ଞମାନଙ୍କ ସୁପାରିଶ ଭିତ୍ତିରେ ସବୁ ଖର୍ଚ୍ଚକୁ ହିସାବକୁ ନିଆଯାଇ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ହେଉଛି ।
ଉଭୟ କେନ୍ଦ୍ର ସରକାର ଓ ବିରୋଧୀ ଏମଏସପି ସଂପର୍କିତ ସ୍ୱାମୀନାଥନ କମିସନଙ୍କ ସୁପାରିଶ କଥା କହୁଛନ୍ତି ଓ ନିଜ ନିଜ ସୁବିଧା ଅନୁସାରେ ତାହାର ତର୍ଜମା କରୁଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ବାଦ ବିବାଦ ହେଉଛି । ତେବେ, ଏପର୍ଯ୍ୟନ୍ତ ଚାଷୀ ଏମଏସପିର ସୁଫଳ ପାଇ ନାହାନ୍ତି । କାରଣ, କେନ୍ଦ୍ର ସରକାର ପ୍ରତି ବର୍ଷ ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଧାର୍ଯ୍ୟ କରୁଥିବା ବେଳେ ତାହା ଚାଷୀଙ୍କୁ ଠିକ ଭାବେ ମିଳୁଛି କି ନାହିଁ ତଦାରଖ କରାଯାଉନାହିଁ । ଏମଏସପି କେବଳ ସରକାରୀ ବେଂଚ୍ ମାର୍କ ହୋଇ ରହିଛି । ସରକାର ଏବଂ ବିଭିନ୍ନ ସରକାରୀ ଏଜେନ୍ସୀ ଚାଷୀଙ୍କଠାରୁ ଫସଲ କିଣିଲେ ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁଛି । ସେଥିରେ ମଧ୍ୟ ଅନେକ ପେଂଚ । ଏଫଏକ୍ୟୁ ଯାଂଚ ହୋଇ ଖର୍ଦ୍ଦି ହେଉଛି । ସରକାରୀ ଏଜେନ୍ସୀ ଚାଷୀଙ୍କ ଉତ୍ପାଦନ ନ ଉଠାଇଲେ ଚାଷୀଙ୍କୁ ଘରୋଇ ବ୍ୟବସାୟୀଙ୍କ ଉପରେ ନିର୍ଭର କରିବାକୁ ପଡୁଛି । କେନ୍ଦ୍ର ସରକାର ଏମଏସପିକୁ ଆଇନଗତ ମାନ୍ୟତା ଦେଇ ନଥିବାରୁ ଘରୋଇ ବ୍ୟବସାୟୀଙ୍କ ଉପରେ ଅଂକୁଶ ନାହିଁ ।
ଚାଷୀ ନିଜର ଅଭାବ ଦୂର କରିବା ପାଇଁ ଏମଏସପି ଠାରୁ କମ୍ ମୂଲ୍ୟରେ ମଂଡ଼ି ବାହାରେ ନିଜର ଉତ୍ପାଦନ ବିକୁଛନ୍ତି ଏବଂ ଅଭାବୀ ବିକ୍ରିର ସାମ୍ନା କରୁଛନ୍ତି । ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ଗତ ବର୍ଷ ସଂସଦରେ ତିନି ନୂଆ କୃଷି ଆଇନ ପାରିତ କରାଇ ତାହାକୁ ଆଇନରେ ପରିଣତ କରିଛନ୍ତି । ଚାଷୀ ମଂଡିରେ ହେଉ ବା ମଂଡ଼ି ବାହାରେ ଯେଉଁଠି ଅଧିକ ମୂଲ୍ୟ ପାଇବେ ସେଠାରେ ସେମାନଙ୍କ କୃଷିଜାତ ସାମଗ୍ରୀ ବିକି ପାରିବେ ବୋଲି ଆଇନରେ ବ୍ୟବସ୍ଥା ଥିବା ସରକାର ଦାବି କରୁଛନ୍ତି । ତେବେ, ଏମଏସପିକୁ ଆଇନଗତ ମାନ୍ୟତା ଦେଇ କଡାକଡି ଭାବେ ଲାଗୁ କରିବା ସପକ୍ଷରେ ସରକାର ନଥିବା ସନ୍ଦେହର କାରଣ ହୋଇଛି । ସରକାରଙ୍କ ଆଭିମୁଖ୍ୟକୁ ନେଇ ଚାଷୀଙ୍କ ମନରେ ସନ୍ଦେହ ରହିଛି । କର୍ପୋରେଟଙ୍କ ହାତରେ ଚାଷ ଜମି ଓ କୃଷି ଉତ୍ପାଦନକୁ ସମର୍ପି ଦେବାକୁ କେନ୍ଦ୍ର ସରକାରଙ୍କ ଏହା ଏକ ବଡ଼ ଷଡଯନ୍ତ୍ର ବୋଲି ସେମାନେ ଅଭିଯୋଗ କରୁଛନ୍ତି ।
ତିନି ନୂଆ କୃଷି ଆଇନ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯିବା ଦାବିରେ ଦେଶର ୪୦ଟି କୃଷି ସଂଗଠନ ପକ୍ଷରୁ ଗତ ବର୍ଷ ନଭେମ୍ବର ମାସରୁ ଆନ୍ଦୋଳନ ଚାଲିଥିବା ଆନ୍ଦୋଳନ ଏବେ ଏକ ରାଜନୈତିକ ମୋଡରେ ପହଂଚିଛି । ସରକାର ଚାଷୀଙ୍କ ଦାବିକୁ ଗ୍ରହଣ କରିବା ଅବସ୍ଥାରେ ନାହାନ୍ତି । ଏମଏସପିକୁ ମଧ୍ୟ ଆଇନଗତ ମାନ୍ୟତା ଦିଆଯାଉନି । ଏମଏସପି ଠାରୁ କମ୍ ମୂଲ୍ୟରେ ଫସଲ କିଣିଲେ ସେ ବ୍ୟକ୍ତି ହୁଅନ୍ତୁ ବା ସଂସ୍ଥା ତାଙ୍କ ପ୍ରତି ଦଣ୍ଡବିଧାନ ବ୍ୟବସ୍ଥା ସୁନିଶ୍ଚିତ କରାଯିବା ଚାଷୀଙ୍କ ଆଉ ଏକ ପ୍ରମୁଖ ଦାବି ହେଲାଣି । କିନ୍ତୁ, ସରକାର ଏମଏସପିକୁ ଆଇନଗତ ମାନ୍ୟତା ଦିଆଯିବା ଦାବିକୁ ଏଡାଇ ଯାଉଥିବାରୁ ସରକାର ଓ ଚାଷୀ ସଂଗଠନ ମଧ୍ୟରେ ବାର୍ତ୍ତା ବିନିମୟରେ ଏକପ୍ରକାର ଅଚଳାବସ୍ଥା ଜାରି ରହିଛି । ତିନି କୃଷି ଆଇନ ରଦ୍ଦ କରାଯିବା ନେଇ ଚାଷୀ ସଂଗଠନଙ୍କ ଆବେଦନ ସୁପ୍ରିମ କୋର୍ଟରେ ପହଂଚିବା ପରେ ଅଦାଲତ ଏହି ତିନି ଆଇନର କାର୍ଯ୍ୟକାରିତା ଉପରେ ସାମୟିକ ସ୍ଥଗିତାଦେଶ ଜାରି କରି ଅଦାଲତରେ ପହଂଚି ଥିବା ମାମଲାଗୁଡିକର ଶୁଣାଣୀ ଜାରି ରଖିଛନ୍ତି । ତେଣୁ, ଅଦାଲତରେ ହିଁ ଯାହା କିଛି ନିର୍ଣ୍ଣୟ ହେବ ବୋଲି ଆଶା କରାଯାଉଛି ।
କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଗଲା କିଛି ମାସ ହେଲା ଚାଲିଥିବା ଚାଷୀ ଆନ୍ଦୋଳନରେ ପଂଜାବ, ହରିୟାନା, ରାଜସ୍ଥାନ, ୟୁପି, ମଧ୍ୟ ପ୍ରଦେଶ ପ୍ରଭୃତି ରାଜ୍ୟର ଚାଷୀ ପ୍ରମୁଖ ଭୂମିକାରେ ଅଛନ୍ତି । ବିଶେଷକରି, ଗହମ ଉତ୍ପାଦନକାରୀ ରାଜ୍ୟଗୁଡିକର ଚାଷୀ ନେତୃସ୍ଥାନରେ ଅଛନ୍ତି । ଆନ୍ଦୋଳନକାରୀ ନେତାମାନେ ସରକାରଙ୍କ କୋପ ଦୃଷ୍ଟିରେ ଥିବାରୁ ଗହମ ଚାଷୀଙ୍କ ଉପରେ ଚଡକ ପଡି ଥିବା ଅଭିଯୋଗ ହେଉଛି । ଚଳିତ ଋତୁ ପାଇଁ ଗହମର ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଘୋଷଣା ହୋଇଛି ତାହା ଦଶ ବର୍ଷରେ ସର୍ବନିମ୍ନ । ଗହମ ଚାଷୀଙ୍କୁ ଚେଂକ ଦେଲା ଭଳି ତାହା ହୋଇଛି ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ) କେଉଁ ଫସଲର ଏମଏସପି କେତେ ବୃଦ୍ଧି ହେବ ସେହି ନିଷ୍ପତ୍ତି ନେଇଛନ୍ତି । ସୋରିଷର ଏମଏସପି ଆଶାତୀତ ବୃଦ୍ଧି ଓ ଗହମର ମାତ୍ର ଦୁଇ ପ୍ରତିଶତ ବୃଦ୍ଧି ଚର୍ଚ୍ଚାର ଖୋରାକ ଯୋଗାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ସରକାର କେବଳ ଗହମ ବା ସୋରିଷ ନୁହେଁ, ୨୦୨୧-୨୨ ବର୍ଷ ଫସଲ ଋତୁ (ଜୁଲାଇ-ଜୁନ) ଏବଂ ୨୦୨୨-୨୩ ମାର୍କେଟିଂ ଋୁତୁ ପାଇଁ ଛଅଟି ଫସଲର ଏମଏସପି ବୃଦ୍ଧି ସଂପର୍କରେ ବୈଠକରେ ନିଷ୍ପତ୍ତି ନେଇଛନ୍ତି । ଖରିଫ ଫସଲ କଟା ସରୁ ସରୁ ଅକ୍ଟୋବର ଭିତରେ ରବି ଚାଷ ହେବ । ସରକାର ଯେଉଁ ୨୩ଟି ଖରିଫ ଓ ରବି ଫସଲର ଏମଏସପି ଧାର୍ଯ୍ୟ କରୁଛନ୍ତି ସେଥିରେ ଗହମ ଓ ସୋରିଷ ହେଉଛି ଦୁଇଟି ପ୍ରମୁଖ ରବି ଫସଲ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS