ଏଆଇସିସିର ନୂଆ ଚାଲ୍, ଓଡ଼ିଶାରେ କଂଗ୍ରେସର ସ୍ଥିତି ଆକଳନ ପାଇଁ ତିନି ଜଣିଆ ପର୍ଯ୍ୟବେକ୍ଷକ ଟିମ୍ … ସଂକଟ ଟଳିବ ନା ଅଧିକ ଘନୀଭୂତ ହେବ ?
– ପ୍ରସାଦ ରାଓ –
ଭୁବନେଶ୍ୱର, ଜୁଲାଇ ୨୨: ଓଡ଼ିଶାରେ କଂଗ୍ରେସ ରାଜନୀତି ଘୋର ସଂକଟ ମଧ୍ୟ ଦେଇ ଗତି କରୁଛି । ରାଜ୍ୟରେ ଦଳୀୟ ନେତୃତ୍ୱ ପରିବର୍ତନ ଦାବିରେ କଂଗ୍ରେସ ବିଧାୟକମାନେ ବାରମ୍ବାର ଦିଲ୍ଲୀ ଯାଇ ହାଇକମାଣ୍ଡ ଉପରେ ଚାପ ବଢାଉ ଥିବା ବେଳେ ପିସିସି ସଭାପତିଙ୍କ ସମର୍ଥକମାନେ ମୁକାବିଲାର ରାସ୍ତା ଧରି ଥିବାରୁ ସମାଧାନ ଆଶା କ୍ଷୀଣ ହେବାରେ ଲାଗିଛି । ଏଭଳି ଏକ ସ୍ଥିତିରେ ଏଆଇସିସି ପକ୍ଷରୁ ଏକ ତିନି ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ଗଠନ କରାଯାଇ ଓଡ଼ିଶାରେ ଦଳର ରାଜନୈତିକ ସ୍ଥିତି ଆକଳନ କରିବା ଦାୟିତ୍ୱ ଦିଆଯାଇଥିବା ଦଳୀୟ କର୍ମୀଙ୍କୁ ଆଶ୍ୱସ୍ତ କରିଛି । ତେବେ,ଏହି ଟିମ୍ ଗଠନ ଦ୍ୱାରା ଦଳରେ ଲାଗି ରହିଥିବା ସଂକଟ ଟଳିବ ନା ଅଧିକ ଘନୀଭୂତ ହେବ, ସେ ନେଇ ବିଭିନ୍ନ ମହଲରେ ଆଶା ଓ ଆଶଙ୍କା ପ୍ରକାଶ ପାଉଛି ।
ନିଖିଳ ଭାରତ କଂଗ୍ରେସ କମିଟୀ (ଏଆଇସିସି) ପକ୍ଷରୁ ଆଜି ଘୋଷଣା କରାଯାଇଥିବା ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳରେ ଅଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ, ଛତିଶଗଡ଼ ସାଂସଦ ତମ୍ରଧ୍ୱଜ ସାହୁ ଓ ଆସାମ ସାଂସଦ ସସ୍ମିତା ଦେବ । ସେମାନେ ଓଡ଼ିଶା ଆସି ରାଜ୍ୟରେ ଦଳର ରାଜନୈତିକ ସ୍ଥିତି ଆକଳନ କରି ଦଳର ସଭାପତିଙ୍କୁ ରିପୋର୍ଟ ଦେବା ପରେ ଓଡ଼ିଶା ସଂପର୍କରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ଏଆଇସିସି ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି । ଓଡ଼ିଶା ଦାୟିତ୍ୱରେ ଥିବା ଦଳର ପର୍ଯ୍ୟବେକ୍ଷକ ବିକେ ହରି ପ୍ରସାଦଙ୍କୁ ଅପରିବର୍ତିତ ରଖି ଟିମ୍ ଗଠନ କରାଯିବା ଏବଂ ସେମାନଙ୍କୁ ଓଡ଼ିଶା ପଠାଇ ଦଳର ରାଜନୈତିକ ସ୍ଥିତି ଆକଳନ କରାଯିବା ନିଷ୍ପତ୍ତି ଦଳ ଭିତରେ କିଛି ମାସ ଧରି ଲାଗି ରହିଥିବା ସଂକଟକୁ ଗଡାଇ ନେବା ପାଇଁ ଏଆଇସିସିର ଏକ ସୁଚିନ୍ତିତ ଚାଲ୍ ନୁହେଁ ତ (?) ବୋଲି ଏବେ ପ୍ରଶ୍ନ ହେଉଛି । କାରଣ, ଓଡ଼ିଶାରେ ଦଳର ସ୍ଥିତି ସଂପର୍କରେ ଏଆଇସିସି ଅଜ୍ଞ ନୁହେଁ । ଉଭୟ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସମର୍ଥକ ଓ ରାଜ୍ୟର କଂଗ୍ରେସ ବିଧାୟକମାନଙ୍କ ପ୍ରତିନିଧି ଦଳ ଲଗାତର ଦିଲ୍ଲୀ ଦୌଡ଼ି ଏଆଇସିସି ଉପ ସଭାପତି ରାହୁଲ ଗାନ୍ଧୀ ଓ ଦଳର ଅନ୍ୟ ବରିଷ୍ଠ ନେତାମାନଙ୍କୁ ଓଡ଼ିଶାରେ କଂଗ୍ରେସର ସ୍ଥିତି ସଂପର୍କରେ ଅବଗତ କରି ଆସିଛନ୍ତି । ଫେବୃୟାରୀ, ୨୦୧୭ରେ ହୋଇ ଥିବା ପଂଚାୟତ ନିର୍ବାଚନରେ ଦଳର ସ୍ଥିତି ଦୁଇରୁ ତିନି ନମ୍ବରକୁ ଖସି ଯିବା ପରେ ପିସିସି ସଭାପତି ପରିବର୍ତନ ଦାବି ଅଧିକ ଜୋର୍ ଧରିଛି । ଏପରିକି, ନିକଟରେ ସରିଥିବା ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ନେତୃତ୍ୱାଧୀନ ମିଳିତ ବିରୋଧୀ ଦଳ ପ୍ରାର୍ଥୀ ପୂର୍ବତନ ଲୋକସଭା ବାଚସ୍ପତି ମୀରା କୁମାରଙ୍କୁ ଓଡ଼ିଶା ଆସିବାକୁ ଦିଆ ଯାଇ ନ ଥିଲା । ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପର୍ଯ୍ୟବେକ୍ଷକ ହରି ପ୍ରସାଦଙ୍କୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତିକ ବିମାନ ବନ୍ଦରରୁ ବିଦାୟ କରି ଦିଆଯାଇଥିଲା । ‘ମୀରା କୁମାରଙ୍କ ଗସ୍ତ ବାତିଲ ହେଲା, ଆପଣ ଫେରି ଯାଆନ୍ତୁ’ ବୋଲି ନିଜେ ରାଜ୍ୟ ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର ହରି ପ୍ରସାଦଙ୍କୁ ଜଣାଇ ଦେଇ ଥିଲେ ବୋଲି ନିଜେ ସ୍ୱୀକାର କରିଛନ୍ତି । ହରି ପ୍ରସାଦ କାନମୁଣ୍ଡା ଆଉଁଷି ଫେରନ୍ତା ବିମାନରେ ଦିଲ୍ଲୀ ପଳାଇ ଥିଲେ । ଦ୍ୱତୀୟ ଥର ମଧ୍ୟ ମୀରା କୁମାରଙ୍କ ଗସ୍ତ ବାତିଲ ହେଲା । ମୀରା ଓଡ଼ିଶା ଆସିବାର କୌଣସି ଆବଶ୍ୟକତା ନାହିଁ ବୋଲି ଓଡ଼ିଶାରେ ଦଳୀୟ ନେତୃତ୍ୱ ପରିବର୍ତନର ମଂଗ ଧରି ଥିବା ବରିଷ୍ଠ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଖୋଲାଖୋଲି ବିବୃତି ଦେଇଥିଲେ । ପିସିସି ସଭାପତି ହରିଚନ୍ଦନ କଂଗ୍ରେସ ସମର୍ଥୀତ ରାଷ୍ଟ୍ରପତି ପ୍ରାର୍ଥୀ ମୀରା କୁମାରଙ୍କୁ ପାଛୋଟିବା ପାଇଁ ହୋଟେଲରେ ନିଜ ସମର୍ଥକଙ୍କୁ ଧରି ଅପେକ୍ଷା କରିଥିବା ବେଳେ ହରି ପ୍ରସାଦଙ୍କୁ ବିମାନ ବନ୍ଦରରୁ ଘଉଡାଇ ଦିଆଯିବା ଏବଂ ରାଷ୍ଟ୍ରପତି ନିର୍ବାଚନ ସରିବା ପର୍ଯ୍ୟନ୍ତ ପ୍ରାର୍ଥୀ ମୀରା କୁମାରଙ୍କୁ ଓଡ଼ିଶା ଆସିବାକୁ ଦିଆ ନ ଯିବା ଦଳର ଆଭ୍ୟନ୍ତରୀଣ କନ୍ଦଳର ଗଭୀରତାକୁ ପଦାରେ ପକାଇଛି । ମୀରାଙ୍କ ଉପସ୍ଥିତିରେ କିଛି ଅଘଟନ ଘଟିବା ଆଶଙ୍କା କରି ଏଆଇସିସି ତାଙ୍କ ଦ୍ୱିତୀୟ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଥିବା ଏଠାରେ ରାଜନୈତିକ ମହଲରେ ଚର୍ଚ୍ଚା ହୋଇଥିବା ବେଳେ ଏଆଇସିସି କର୍ତୃପକ୍ଷ କିଛି ନ ଜାଣିଲା ଭଳି ଏକ ତିନି ଜଣିଆ ପର୍ଯ୍ୟବେକ୍ଷକ ଟିମ୍ ଗଠନ କରି ଓଡ଼ିଶାରେ କଂଗ୍ରେସର ରାଜନୈତିକ ସ୍ଥିତି ଆକଳନ ପାଇଁ ପଠାଇବା ନାଟକବାଜୀ ନୁହେଁ କି (?) ବୋଲି ତଥ୍ୟଭିଜ୍ଞ ମହଲରେ ପ୍ରଶ୍ନ ହେଉଛି ।
ଓଡ଼ିଶାରେ କଂଗ୍ରେସ ଗୋଷ୍ଠୀ କନ୍ଦଳ କିଛି ନୂଆ କଥା ନୁହେଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନନ୍ଦିନୀ ଶତପଥୀଙ୍କ ଶାସନ ସମୟରେ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କୁ ଅସ୍ତ୍ର କରାଯାଇ ନନ୍ଦିନୀଙ୍କୁ କ୍ଷମତାଚ୍ୟୁତ କରାଯାଇଥିଲା । ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରୀ କରି ଦେଶର ଶାସନ ଡ଼ୋର ସଂପୂର୍ଣ ଭାବେ ନିଜ ନିୟନ୍ତ୍ରଣରେ ରଖି ଥିବା ବେଳେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନିନ୍ଦିନୀ ଶତପଥୀଙ୍କ ବିରୋଧରେ ବିନାୟକ ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ଦସ୍ତଖତ ସଂଗ୍ରହ ଅଭିଯାନ ଚାଲିଥିଲା । ନିଜେ ପ୍ରଧାନମନ୍ତ୍ରୀ ତାଙ୍କୁ କ୍ଷମତାରୁ ଓହରି ଯିବାକୁ କହି ବିନାୟକ ବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ପିସିସି ସଭାପତି ଦାୟିତ୍ୱ ନେଇ ୧୯୮୦ରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ହେବା ପରେ ୧୯୯୦ ପର୍ଯ୍ୟନ୍ତ ନିରଙ୍କୁଶ ଶାସନ କରିଥିଲେ । ତେବେ, ୧୦ ବର୍ଷର ଶାସନ କାଳରେ ସେ ମଧ୍ୟ ଗୁରୁତର ଗୋଷ୍ଠୀ କନ୍ଦଳର ସମ୍ମୁଖୀନ ହୋଇଥିଲେ । ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ବସନ୍ତ ବିଶ୍ୱାଳଙ୍କ ରାଜନୈତିକ ଗୋଟି ଚାଳନା ତାଙ୍କୁ ମଝିରେ ମଝିରେ ସଂକଟ ଭିତରକୁ ଠେଲି ଦେଉଥିଲା । ରାଜ୍ୟ କଂଗ୍ରେସରେ ଅରାଜକତା ଓ ଦୁର୍ନୀତିକୁ ଇସ୍ୟୁ କରି ୧୯୯୦ରେ ବିଜୁ ବାକୁ କଂଗ୍ରେସକୁ କ୍ଷମତାଚ୍ୟୁତ କରିଥିଲେ । ରାଜ୍ୟବାସୀ କଂଗ୍ରେସକୁ କ୍ଷମତାରୁ ହଟାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ବିପୁଳ ସମର୍ଥନ ଜାହିର କରିଥିଲେ । କମ୍ୟୁନିଷ୍ଟଙ୍କ ସହ ମେଂଟ କରି ଜନତା ଦଳ କ୍ଷମତାକୁ ଆସି ଥିଲା । ଦୀର୍ଘ ୨୭ ବର୍ଷ ପରେ ବିଜୁ ବାବୁ ବିପୁଳ ବିଜୟ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ଆସୀନ ହୋଇଥିଲେ । ତେବେ,୧୯୯୫ରେ ରାଜ୍ୟରେ ପୁଣି ଥରେ କଂଗ୍ରେସ କ୍ଷମତାକୁ ଫେରି ଥିଲା । ତୃତୀୟ ଥର ପାଇଁ ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୯୯୫ରୁ ୨୦୦୦ – ଏହି ପାଂଚ ବର୍ଷ ରାଜ୍ୟରେ କଂଗ୍ରେସର ଶାସନ ଅସ୍ଥିର ରହି ଥିଲା । ଦଳ ଭିତରେ ଗୋଷ୍ଠୀ କନ୍ଦଳ ଅଧିକ ଗୁରୁତର ହେବା ସହ ବିଭିନ୍ନ ଘଟଣାବଳୀକୁ ନେଇ ଜାନକୀ ବାବୁ ପୂର୍ଣ ପାଂଚ ବର୍ଷ ମୁଖ୍ୟମନ୍ତ୍ରୀ ଆସନରେ ରହି ପାରିଲେ ନାହିଁ ଏବଂ ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ହେବା ସୁଯୋଗ ପାଇଲେ ।
୨୦୦୦ ମସିହାରୁ ବିଜୁ ଜନତା ଦଳ ଓଡ଼ିଶାରେ ଶାସନ କରୁଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୭ ବର୍ଷର ଶାସନରେ କଂଗ୍ରେସ କ୍ଷମତାକୁ ଫେରିବାର ନିରନ୍ତର ପ୍ରୟାସ କରି ସଫଳ ହୋଇ ପାରିନି । ଜାନକୀ ବାବୁ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଭୂମିକାରେ ଦାୟିତ୍ୱ ତୁଳାଇବା ବେଳେ ଓଡ଼ିଶାରେ କଂଗ୍ରେସ ଗୋଷ୍ଠୀକନ୍ଦଳ ଅଧିକ ତୀବ୍ର ହେବାରୁ ତାହା ପଛରେ ଜାନକୀ ବାବୁଙ୍କ ହାତ ଥିବା ସନେ୍ଦହ କରି ତକ୍ରାଳୀନ ୟୁପିଏ ସରକାର ତାଙ୍କୁ ରାଜ୍ୟପାଳ କରି ଆସାମ ପଠାଇ ଦେଇଥିଲେ । ତଥାପି, ରାଜ୍ୟରେ କଂଗ୍ରେସ ଅବସ୍ଥା ସୁଧୁରିଲା ନାହିଁ । ନେତୃତ୍ୱକୁ ନେଇ ବିବାଦ ଥମିବା ବଦଳରେ ବଢି ଚାଲିଲା । ଜାନକୀ ବାବୁ ତାଙ୍କ ରାଜ୍ୟପାଳ କାର୍ଯ୍ୟକାଳ ଶେଷ କରି ଓଡ଼ିଶା ଫେରି ଆସିଲେ ସିନା ରାଜ୍ୟରେ କଂଗ୍ରେସ ଆଉ ଉଧେଇ ପାରିଲା ନାହିଁଁ । ତାଙ୍କ ଅବର୍ତମାନରେ ଏବେ ଦଳ ବାଟବଣା ହୋଇ ଯାଇଛି । ପିସିସି ସଭାପତି ପଦକୁ ନେଇ ଦଳ ଭିତରେ ରତିମତ ଷଡଯଂତ୍ର, ରାଜ୍ୟରେ କଂଗ୍ରେସ ସଂଗଠନକୁ ଅଧିକ ଦୁର୍ବଳ କରିଥିବା ବେଳେ ଶାସକ ବିଜୁ ଜନତା ଦଳ ଜନସାଧାରଣରେ ଅଧିକ ଗ୍ରହଣୀୟ ହୋଇପାରିଛି । ବର୍ତମାନର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ଇସ୍ୟୁକୁ ନେଇ ରାତିମତ ଆନେ୍ଦାଳନ କାର୍ଯ୍ୟକ୍ରମ ହାତକୁ ନେଇ ଦଳକୁ ସକ୍ରିୟ ରଖିଛନ୍ତି ସିନା ପିସିସି ସଭାପତି ଆସନ ପ୍ରତି ଆଖେଇ ରହିଥିବା ନେତାଙ୍କ ଗୋଟିଚାଳନାରୁ ନିଜକୁ ସୁରକ୍ଷିତ ରଖିପାରି ନାହାନ୍ତି । ଫଳରେ, ଓଡ଼ିଶାରେ ପିସିସି ଓ ରାଜ୍ୟ କଂଗ୍ରେସ ବିଧାୟକ ଦଳ ଭିତରେ ସଂପର୍କ ଜଟିଳ ହୋଇ ଯାଇଛି । ଗୋଟିଏ ପରେ ପ୍ରସାଦ ନିଜ ଶଶୁର ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟଙ୍କ ଦ୍ୱାରା ପରିଚାଳିତ ହେଉଥିବା ଅଭିଯୋଗ କରି ରାଜ୍ୟ କଂଗ୍ରେସ ବିଧାୟକମାନେ ତାଙ୍କ ବିରୋଧରେ ମେଳି ବାନ୍ଧି ଥିବା ବେଳେ ଅପରପକ୍ଷରେ ପିସିସି ସଭାପତି ରାଜ୍ୟ ବିଧାନସଭା ବିରୋଧୀ ଦଳ ନେତା ଥିବା ନରସିଂହ ମିଶ୍ର ଓ ଦଳୀୟ ବିଧାୟକମାନଙ୍କୁ ଉପେକ୍ଷା କରି ନିଜ କାର୍ଯ୍ୟକ୍ରମ ଚଳାଇ ଥିବାରୁ ପିସିସି ନେତୃତ୍ୱ ଦାବି ଅଧିକ ଶାଣିତ ହୋଇଛି । ୨୦୧୭ ପଂଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ଆସନ ପାଇବାରେ କଂଗ୍ରେସ ଦଳ ତୃତୀୟ ସ୍ଥାନକୁ ଖସିବା ଦ୍ୱାରା ପରିସ୍ଥିତି ଅଧିକ ଖରାପ ହୋଇଛି । ଓଡ଼ିଶାରେ ମୋଟେ ଭିତ୍ତିଭୂମୀ ନ ଥିବା ବିଜେପି ଦ୍ୱିତୀୟ ସ୍ଥାନକୁ ଉଠି ବିଜୁ ଜନତା ଦଳ ପଛକୁ ରହି ଥିବା ବେଳେ କଂଗ୍ରେସର ଦୟନୀୟ ସ୍ଥିତି ପାଇଁ ଉଭୟ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ବିକେ ହରିପ୍ରସାଦଙ୍କୁ ଦଳର ବିଧାୟକ ଓ ବରିଷ୍ଠ ନେତାମାନେ ଦାୟି କରିଛନ୍ତି ।
ଏଆଇସିସି ସଭାପତି ରାହୁଲ ଗାନ୍ଧୀଙ୍କ ସହ ଭିନ୍ନ ଭିନ୍ନ ଭାବେ ରାଜ୍ୟର କଂଗ୍ରେସ ବିଧାୟକ, ବରିଷ୍ଠ ନେତାମାନେ ଆଲୋଚନା କରିଥିଲେ । ପିସିସି ସଭାପତି ମଧ୍ୟ ନିଜ ସମର୍ଥକଙ୍କୁ ଧରି ଦିଲ୍ଲୀ ଯାଇ ତାଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ କଂଗ୍ରେସ ବିଧାୟକମାନଙ୍କୁ ରାହୁଲ ନେତୃତ୍ୱ ପରିବର୍ତନର ସଂକେତ ଦେଇଥିବା ଚର୍ଚା ହୋଇଥିଲା । ତେବେ, ତାହା କାର୍ଯ୍ୟକାରୀ ନ ହୋଇ ଧିମେଇ ଯିବାରୁ ପୁର୍ନବାର ପିସିସି ହଟାଓ ଅଭିଯାନ ଜୋର୍ ଧରିଛି । କଂଗ୍ରେସ ବିଧାୟକଙ୍କ ପ୍ରତିନିଧି ଦଳ ଦିଲ୍ଲୀ ଯାଇ ଏଆଇସିସିର ପ୍ରମୁଖ ନେତାମାନଙ୍କୁ ଭେଟି ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ପୁନଃ ପିସିସି ସଭାପତି ଭାବେ ଅବସ୍ଥାପିତ କରାଯିବାକୁ ଦାବି କରିଛନ୍ତି । ନିରଂଜନ ବାବୁ ବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସଙ୍କ ମଧ୍ୟରୁ ଜଣକୁ ପିସିସି ସଭାପତି କରାଯିବ ବୋଲି ଏଆଇସିସିରୁ ସଂକେତ ମିଳିବା ପରେ ବିଧାୟକଙ୍କ ଗୋଷ୍ଠୀ ନିରଂଜନ ହିଁ ଉପଯୁକ୍ତ ବ୍ୟକ୍ତି ବୋଲି ଅଡ଼ି ବସିଛନ୍ତି । ଦଳ ଚଳାଇବାର ସାମର୍ଥ୍ୟ ଭକ୍ତଙ୍କର ନାହିଁ ବୋଲି ସେମାନେ କେନ୍ଦ୍ର ନେତୃତ୍ୱକୁ ବୁଝାଇବାକୁ ଉଦ୍ୟମ କରିବା ଫଳରେ ଏଆଇସିସିର ନିଷ୍ପତ୍ତି ଝୁଲିକି ରହିଛି । ଖୁବ୍ ଶୀଘ୍ର ନୀରଂଜନଙ୍କୁ ଦାୟିତ୍ୱ ମିଳି ଯିବ ବୋଲି ତାଙ୍କ ସମର୍ଥକ ଗୋଷ୍ଠୀ ଆଶା ବାନ୍ଧି ବସିଥିବା ଏବଂ ବିରୋଧୀ ଦଳ ନେତା ମିଶ୍ର ଓ ଅନ୍ୟ କଂଗ୍ରେସ ବିଧାୟକଙ୍କ ଘରେ ଘନ ଘନ ବୈଠକ ଚଳାଇ ଥିବା ବେଳେ ଶନିବାର ଏଆଇସିସିର ବିଜ୍ଞପ୍ତି ସମସ୍ତଙ୍କୁ ଚକିତ କରିଛି । ଏଆଇସିସି ଦ୍ୱାରା ନିଯୁକ୍ତ ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ ଓଡ଼ିଶା ଆସି ରାଜ୍ୟରେ କଂଗ୍ରେସର ରାଜନୈତିକ ସ୍ଥିତି ଆକଳନ କରି ସଭାପତିଙ୍କୁ ରିପୋର୍ଟ ଦେବା ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଏଆଇସିସି ସ୍ପଷ୍ଟ କରି ଦେଇଛି । ଏଆଇସିସିର ଏହି ଚାଲ୍ ପିସିସି ସଭାପତି ଆଶାୟୀଙ୍କ ମୁହଁ ଶୁଖାଇ ଦେଇଛି । ତିନି ଜଣିଆ ପର୍ଯ୍ୟବେକ୍ଷକ ଦଳ ଓଡ଼ିଶା ଆସି ଦଳର ସ୍ଥିତି ଆକଳନ କଲା ବେଳେ ସେମାନଙ୍କୁ ପ୍ରଭାବିତ କରିବାରେ ଉଭୟ ଗୋଷ୍ଠୀ ଲାଗି ଯିବେ । ତା’ ଭିତରେ ଏଆଇସିସିର ସାଂଗଠନିକ ନିର୍ବାଚନ ଆରମ୍ଭ ହୋଇଯିବ ଏବଂ ରାଜ୍ୟରେ କଂଗ୍ରେସର ନେତୃତ୍ୱ ପରିବର୍ତନ ଚାପକୁ ଟାଳି ଦିଆଯାଇ ପାରିବ । ଏଭଳି ଏକ ଅଭିମୁଖ୍ୟ ରଖି ଏଆଇସିସି ବୋଧହୁଏ ନେତୃତ୍ୱ ପରିବର୍ତନ ଦାବି ‘ବଲ୍’କୁ ଓଡ଼ିଶା ନେତାଙ୍କ ଆଡକୁ ପୁନର୍ବାର ଫିଙ୍ଗ ଦେଇଛି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
କଂଗ୍ରେସ କାହାଣି ବଖାଣି ସତ କଥା ଲେଖିଛନ୍ତି, ଜଣେ ବରିଷ୍ଠ ସ୍ତମ୍ଭକାର ରୁପେ ଆପନଙ୍କ ଅଭିଜ୍ଞତା ଅଛି। ଭଲ ଲାଗିଲା।
Dhanyabad Brusaketu babu. web page samparkare jadi kichi suggestion thai mail karibe boli aasha karuchi.