ସ୍ୱତନ୍ତ୍ର ପାହ୍ୟା ଦାବି : ଚନ୍ଦ୍ରବାବୁଙ୍କ ଅନଶନକୁ ନବୀନଙ୍କ ଅବୋଧ୍ୟ ରଣନୀତି
– ପ୍ରସାଦ ରାଓ-
ଭୁବନେଶ୍ୱର,୧୨ ଫେବୃୟାରୀ: ଓଡ଼ିଶା ଓ ଅନ୍ଧ୍ର ପ୍ରଦେଶର ଦାବି ସମାନ । ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଉଠାଇଛନ୍ତି ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’ ଦାବି । ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବା ଦାବିରେ ସେଠାକାର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ନୂଆଦିଲ୍ଲୀ ସ୍ଥିତ ଆନ୍ଧ୍ର ପ୍ରଦେଶ ଭବନ ଠାରେ ସୋମବାର ଦିନିକିଆ ଅନଶନରେ ବସି ଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେହି ଏକା ଦାବି ନେଇ କେନ୍ଦ୍ରକୁ ଚିଠି ଲେଖିବା ଓ ସଭା ସମିତି, ସାମ୍ବାଦିକ ସମ୍ମିଳନୀରେ ସୀମିତ ଅଛନ୍ତି । ବିଜେଡ଼ି ଏହି ଦାବିକୁ ନେଇ ନିକଟରେ ସଂସଦରେ ସ୍ୱର ଉଠାଇ ଥିଲା ସତ, କିନ୍ତୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭଳି ନିର୍ଣ୍ଣାୟକ ପଦକ୍ଷେପ ନେବାରେ ପଛୁଆ ରହିଛି । ଚନ୍ଦ୍ରବାବୁ ଏହି ଦାବି ସପକ୍ଷରେ ଏନଡ଼ିଓରୁ ଓହରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପଛାଇ ନ ଥିଲେ । ତେବେ, ସେତେବେଳେ ବିଜେଡ଼ିର ଭୂମିକା ଥିଲା ଭିନ୍ନ । ଦଳ ଭୋଟ ଦାନରୁ ବିରତ ରହି ପରୋକ୍ଷରେ ମୋଦୀ ସରକାରଙ୍କୁ ସମର୍ଥନ ଦେଇଥିଲା । ତାହାକୁ ରାଜନୈତିକ ସୁବିଧାବାଦ କୁହା ଯାଇ ପାରେ । ଏବେ, ସାଧାରଣ ନିର୍ବାଚନ ସହ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବିକୁ ନେଇ ସ୍ୱର ଶାଣିତ କରିଛନ୍ତି । କିନ୍ତୁ, କେନ୍ଦ୍ରରେ କ୍ଷମତାସୀନ ବିଜେପି ପ୍ରତି ବିଜେଡ଼ିର ଆଚରଣ ଅସ୍ପଷ୍ଟ ରହି ଆସି ଥିବାରୁ ନବୀନଙ୍କ ଏହି ରଣନୀତି ସାମୟିକ ନା ଦୀର୍ଘସ୍ଥାୟୀ, ସେ ନେଇ ରାଜ୍ୟବାସୀଙ୍କ ମନରେ ସନ୍ଦେହ ରହିଛି ।
୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ଦିନ ଠାରୁ କେନ୍ଦ୍ର ପ୍ରତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଓ ତାଙ୍କ ଦଳ ବିଜେଡ଼ିର ଆଭିମୁଖ୍ୟ ଅସ୍ପଷ୍ଟ ରହିଛି । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତା କଥା କହୁ ଥିବା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ବିଗତ ଚାରି ବର୍ଷ ମଧ୍ୟରେ ବିମୁଦ୍ରାକରଣ, ଜିଏସ୍ଟି ଭଳି ଅର୍ଥନୈତିକ ନିଷ୍ପତ୍ତି ଏବଂ ଦେଶର ରାଷ୍ଟ୍ରପତି, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଭଳି ରାଜନୈତିକ ନିଷ୍ପତ୍ତି କ୍ଷେତ୍ରରେ ବିଜେପିକୁ ସମର୍ଥନ ଦେଇ ସମାଲୋଚିତ ହୋଇ ଆସିଛନ୍ତି । କେବଳ, ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡ଼ି ବିରୋଧୀଙ୍କୁ ସମର୍ଥନ ଦେଇଥିଲା । ତେବେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଥିଲେ ଯେ ବିଜେପି ପ୍ରାର୍ଥୀ ଏମ. ଭେଙ୍କାୟା ନାଇଡୁଙ୍କର ହିଁ ବିଜୟ ହେବ ।
ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ୨୦୧୪ରୁ ଚାରି ବର୍ଷ ହେଲା କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କୁ ସମର୍ଥନ ଦେବାରେ ରାଜ୍ୟବାସୀଙ୍କ କୌଣସି ଆପତ୍ତି ନ ଥିଲା । କାରଣ, ରାଜ୍ୟବାସୀ ଆଶା କରି ଥିଲେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ସୁସଂପର୍କ ରହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ବିଭିନ୍ନ ଦାବି ପ୍ରତି ଗୁରୁତ୍ୱ ଦେବେ । ରାଜ୍ୟର ବିକାଶ ମଧ୍ୟ ତ୍ୱରାନ୍ୱିତ ହେବ । ପୂର୍ବ କଂଗ୍ରେସ ସରକାର ପ୍ରତି ଜନସାଧାରଣରେ ଥିବା ଅବିଶ୍ୱାସ ଭାବ ମୁଖ୍ୟମନ୍ତ୍ରୀଙ୍କ ବିଜେପି-ପ୍ରୀତିକୁ ଅଣଦେଖା କରି ଆସିଛି । ତେବେ, ଆଜିର ଦିନରେ ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରୁଛନ୍ତି ପୂର୍ବ କଂଗ୍ରେସ ସରକାର ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ମଧ୍ୟ ଓଡ଼ିଶା ପ୍ରତି ଅବହେଳା କରି ଆସିଛି । କେବଳ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ଦେବା କ୍ଷେତ୍ରରେ ନୁହେଁ, ରାଜ୍ୟକୁ ମିଳୁ ଥିବା ବିଭିନ୍ନ କେନ୍ଦ୍ରୀୟ ଅନୁଦାନକୁ କାଟଛାଂଟ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଗତିରୋଧ କରିଛି । ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ମିଳୁ ଥିବା କେନ୍ଦ୍ରୀୟ ଅନୁଦାନ କମିଛି ଏବଂ କେନ୍ଦ୍ର ସରକାର ନିଜ ଆଡୁ ଆରମ୍ଭ କରି ଥିବା ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ଉପରେ ଲଦି ଦେବାକୁ ଉଦ୍ୟମ କରିଛନ୍ତି । ଫଳରେ, ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ରାଜ୍ୟ ପାଂଠିରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାକୁ ବାଧ୍ୟ ହୋଇଛନ୍ତି । ଏସବୁ କାର୍ଯ୍ୟକ୍ରମକୁ ନେଇ ଉଭୟ ବିଜେଡ଼ି ଓ ବିଜେପି ସରକାର ମଧ୍ୟରେ ଟଣାଓଟରା ଓ କାଦୁଅଫିଙ୍ଗା ଲାଗି ରହିଛି ।
ବିଳମ୍ବରେ ହେଲେ ବି ରାଜ୍ୟ ବିଜେଡ଼ି ସରକାରଙ୍କ ଅଭିଯୋଗ ହେଉଛି, ୨୦୧୪ ସାଧାରଣ ନିର୍ବାଚନ ସମୟରେ ବିଜେପିର ପ୍ରତିଶ୍ରୁତି ଥିଲା କେନ୍ଦ୍ରରେ କ୍ଷମତାକୁ ଆସିଲେ ଦଳ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବ । ଏହାଛଡା, ଦେଶରେ ପ୍ରତି ବର୍ଷ ୨ କୋଟି କର୍ମ ନିଯୁକ୍ତି ସୃଷ୍ଟି, ବିଦେଶରେ ଥିବା କଳାଧନ ଦେଶକୁ ଫେରାଇ ଆଣି ପ୍ରତ୍ୟେକ ଭାରତୀୟଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରିବା, ଚାଷୀଙ୍କୁ ସେମାନଙ୍କ ଉତ୍ପାଦନ ଖର୍ଚ୍ଚର ଦେଢ ଗୁଣା ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍.ଏସ୍.ପି ଦେବା ବିଜେପିର ପ୍ରତିଶ୍ରୁତି ରହି ଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ମୁତାବକ ବର୍ଷକୁ ୨ କୋଟି କର୍ମ ନିଯୁକ୍ତି ସୃଷ୍ଟି କରିଥିଲେ ଓଡ଼ିଶାର ୩୬ ଲକ୍ଷ ବେକାର ନିଯୁକ୍ତି ପାଇଥା’ନ୍ତେ । ଏହି ପ୍ରତିଶ୍ରୁତି ରକ୍ଷା କରାଯାଇ ନାହିଁ । ଅପରପକ୍ଷରେ, ଓଡ଼ିଶାର ଗରୀବ ଲୋକଙ୍କ ସ୍ୱାର୍ଥ ସହ ଜଡିତ ୩୩ଟି ସ୍କିମ୍ କୁ କେନ୍ଦ୍ରୀୟ ଅନୁଦାନ ପରିମାଣ ହ୍ରାସ ପାଇବା ସହ ୮ଟି ସ୍କିମ୍ ବନ୍ଦ କରି ଦିଆଯାଇଛିି । ନିର୍ବାଚନକୁ ଆଖିରେ ରଖି ବିଜେପିର ଓଡ଼ିଶା ସରକାରଙ୍କ ପ୍ରତି ତାହାର ଆକ୍ରମଣ ଶାଣିତ କରିଥିବା ବେଳେ ବିଜେଡ଼ିର ପ୍ରମୁଖ ନେତାମାନେ ମଧ୍ୟ କେନ୍ଦ୍ର ସରକାରଙ୍କୁ ‘ପ୍ରତିଶ୍ରୁତି ଭଙ୍ଗକାରୀ’ ଦର୍ଶାଇ ଚାରି ବର୍ଷ ହେଲା କେନ୍ଦ୍ର ସରକାରଙ୍କ ପ୍ରତି ଦେଖାଇ ଥିବା ଅନୁଗ୍ରହକୁ ରାଜ୍ୟବାସୀଙ୍କ ମନରୁ ପୋଛି ଦେବାର ପ୍ରୟାସ କରୁଛନ୍ତି ।
ଏବେ ଫେରିବା ଚନ୍ଦ୍ରବାବୁଙ୍କ ନିକଟକୁ । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡୁ ୨୦୧୪ରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଦ୍ୱାରା ପୀଡ଼ିତ । କାରଣ, ୟୁପିଏ ସରକାର କ୍ଷମତାଚ୍ୟୁତ ହେବା ପୂର୍ବରୁ ରାଜ୍ୟ ପୁନର୍ଗଠନ ଆଇନ ବଳରେ ଆନ୍ଧ୍ରକୁ ଦୁଇ ଭାଗ କରି ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ କରିଥିଲେ । ଆନ୍ଧ୍ର ପ୍ରଦେଶ ଜନସାଧାରଣ ସେତେବେଳେ ବିରୋଧ କରିବାରୁ ଆନ୍ଧ୍ରବାସୀଙ୍କୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ସେତେବେଳେ ନିର୍ବାଚନର ସାମନା କରୁଥିବା ବର୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଭୋଟ ପ୍ରଚାର ବେଳେ ବିଜେପି କ୍ଷମତାକୁ ଆସିଲେ ଖଣ୍ଡିତ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦେବାକୁ ପ୍ରତିଶ୍ରୁତିବଦ୍ଧ ଥିଲେ । ବିପୁଳ ଜନମତରେ ବିଜେପି ବିଜୟୀ ହୋଇ କେନ୍ଦ୍ରରେ କ୍ଷମତାସୀନ ହେବା ମୋଦୀଙ୍କ ନେତୃତ୍ୱରେ ଯେଉଁ ଏନଡ଼ିଏ ସରକାର ପ୍ରତିଷ୍ଠା ହେଲା ସେଥିରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ସମର୍ତନ ରହି ଥିଲା । ନାଇଡୁ ପାଖାପାଖି ତିନି ବର୍ଷ ଏନଡ଼ିଏ ସହ ରହିଲେ ମଧ୍ୟ ମୋଦୀଜୀ ଆନ୍ଧ୍ରବାସୀଙ୍କୁ ଦେଇ ଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବାରୁ ସେ (ଚନ୍ଦ୍ରବାବୁ ନାଇଡୁ) ପ୍ରଥମେ ଚେତାବନୀ ଓ ପରେ ଏନଡ଼ିଏ ପରିତ୍ୟାଗ କରି ତାଙ୍କ ଅସନ୍ତୋଷ ଜାହିର କରି ଥିଲେ । ତଥାପି କେନ୍ଦ୍ର ସରକାର ପ୍ରତିଶ୍ରୁତି ପାଳନ କରୁ ନ ଥିବା ଏବଂ ଆନ୍ଧ୍ର ପ୍ରଦେଶରେ ତେଲୁଗୁ ଦେଶମ (ଟିଡ଼ିପି)ର ଦୃଢ ବିରୋଧୀ ୱାଆରଏସ କଂଗ୍ରେସ ମୁଖ୍ୟ ଜଗନ ମୋହନ ରେଡ୍ଡୀଙ୍କ ସହ ଭିତିରି ବୁଝାମଣା ଚଳାଇ ଥିବା ଜାଣିବା ପରେ ଚନ୍ଦ୍ରବାବୁ ମୋଦୀ ସରକାରଙ୍କ ବିରୋଧରେ ଅଂଟା ଭିଡିଛନ୍ତି ଓ ତୃତୀୟ ସାମ୍ମୁଖ୍ୟ ଗଠନରେ ବଡ ଭାଗିଦାର ସାଜିଛନ୍ତି ।
ଟିଡ଼ିପି ପକ୍ଷରୁ ମୋଦୀ ସରକାରଙ୍କ ବିରୋଧରେ ସଂସଦରେ ଅଣା ଯାଇଥିବା ଅନାସ୍ଥା ପ୍ରସ୍ତାବ ବିଜେଡ଼ି ମୁଖ୍ୟ ନବୀନ ପଟ୍ଟନାୟକ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ରାଜଶେଖର ରେଡିଙ୍କ ସମର୍ଥନ ନ ପାଇ କାଟ୍ ଖାଇ ଯିବା ପରେ ବିଜେପି ନାଇଡୁଙ୍କ ପର କାଟିବାର କୌଣସି ସୁଯୋଗ ହାତଛଡା କରୁ ନାହିଁ । ଏବେ, ନିର୍ବାଚନକୁ ଦେଖି ନାଇଡୁଙ୍କ ବ୍ୟକ୍ତିଗତ ଚରିତ୍ର ସଂହାର ଆରମ୍ଭ ହୋଇଯାଇଛି । ନାଇଡୁ କ୍ଷମତାକୁ ଆସିବା ପାଇଁ ନିଜ ଶ୍ୱଶୁର ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଏନ.ଟି. ରାମାରାଓଙ୍କ ସହ ବିଶ୍ୱାସଘାତ କରିଥିବା ଏବଂ ଆନ୍ଧ୍ରବାସୀଙ୍କ ସ୍ୱାର୍ଥକୁ ଜଳାଂଜଳୀ ଦେଇ ନିଜ ପୁତ୍ର ଲୋକେଶଙ୍କ ସ୍ୱାର୍ଥକୁ ପ୍ରଧାନ୍ୟ ଦେଉ ଥିବା ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଏକ ସାଧାରଣ ସଭାରେ ଅଭିଯୋଗ କରିବା ପରେ ଚନ୍ଦ୍ରବାବୁ ମଧ୍ୟ ବ୍ୟକ୍ତିଗତ ସ୍ତରକୁ ଯାଇ ପ୍ରଧାନମନ୍ତ୍ରୀଙ୍କୁ ସମାଲୋଚନା କରୁଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ବିଜେପିକୁ କ୍ଷମତାଚ୍ୟୁତ କରିବା ପାଇଁ ସେ କଂଗ୍ରେସ ସମେତ ୨୩ଟି ବିରୋଧୀ ରାଜନୈତିକ ଦଳର ମେଂଟରେ ସାମିଲ ହୋଇଛନ୍ତି । ସେମାବାର ଦିନ ନୂଆଦିଲ୍ଲୀର ଆନ୍ଧ୍ର ପ୍ରଦେଶ ଭବନ ଠାରେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ସେ ଦିନିକିଆ ଅନଶନ ବସି ଥିବା ବେଳେ ଏଆଇସିସି ସଭପତି ରାହୁଲ ଗାନ୍ଧୀ, ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ (ଏନସି) ନେତା ଫାରୁକ ଅବଦୁଲ୍ଲା, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସମେତ ବହୁ ତୁଙ୍ଗ ଜାତୀୟସ୍ତର ନେତା ତାଙ୍କୁ ସମର୍ଥନ ଦେଇଛନ୍ତି । କେନ୍ଦ୍ରରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସେଠାରେ ଘୋଷଣା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପିକୁ ‘ମିଥ୍ୟାବାଦୀ’ କହି ସମାଲୋଚନ କରିଥିଲେ । ରାଫେଲ ଯୁଦ୍ଧ ବିମାନ କ୍ରୟ ପ୍ରସଙ୍ଗରେ ପିଏମଓର ଭୂମିକା ମଧ୍ୟ ଏହି ସଭାରେ ସମାଲୋଚିତ ହୋଇଥିଲା । ଏହା ନାଇଡୁଙ୍କ ବିଜେପି ବିରୋଧୀ ଅଭିଯାନକୁ ଅଧିକ ସଶକ୍ତ କରିଛି । ଦିଲ୍ଲୀରେ ଏକାଠି ହୋଇଥିବା ଟିଡ଼ିପିର ମନ୍ତ୍ରୀ, ବିଧାୟକ, ଏମପି ଓ ବହୁ ସଂଖ୍ୟକ ପ୍ରତିନିଧି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ନେତୃତ୍ୱରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସେମାନଙ୍କ ଦାବି ସପକ୍ଷରେ ଏକ ସ୍ମାରକପତ୍ର ଦେବେ ବୋଲି ଜଣାପଡିଛି ।
ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦିଆଯିବା ଦାବିରେ ଦେଶର ପ୍ରମୁଖ ବିରୋଧୀ ଦଳଙ୍କ ସହାୟତାରେ ଏକ ନିର୍ଣ୍ଣାୟକ ଲଢେଇ ଲଢୁ ଥିବା ବେଳେ ଓଡ଼ିଶାରେ ବିଜେଡ଼ି ସମଦୂରତା କଥା କହି ବିରୋଧୀ ମେଂଟ ଠାରୁ ଦୂରେଇ ରହିବା ରହସ୍ୟମୟ । ଓଡ଼ିଶାରେ ଯେମିତି ଉଭୟ କଂଗ୍ରେସ ଓ ବିଜେପି ଶାସକ ବିଜେଡ଼ିର ପ୍ରତିଦ୍ୱନ୍ଦ୍ୱୀ ଆନ୍ଧ୍ରରେ ମଧ୍ୟ କଂଗ୍ରେସ, ୱାଇଏସଆର କଂଗ୍ରେସ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି)ର ପ୍ରମୁଖ ପ୍ରତିଦ୍ୱନ୍ଦୀ । ତଥାପି, ଚନ୍ଦ୍ରବାବୁ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ଅନ୍ୟ ବିରୋଧୀ ନେତାଙ୍କୁ ନେଇ ଆନ୍ଧ୍ର ପ୍ରଦେଶର ସ୍ୱାର୍ଥ ପାଇଁ ଲଢୁଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କାହାରିକୁ ସାଙ୍ଗରେ ନ ନେଇ ଏକାକୀ ଲଢିବାର ଯେଉଁ ରଣନୀତି ପ୍ରସ୍ତୁତ କରିଛନ୍ତି ତାହା ଭୋଟ ପରେ ପୁଣି ବିଜେପି ସହ ସଂପର୍କ ଯୋଡିବା ଉଦେ୍ଦଶ୍ୟରେ ନୁହେଁ ତ (?), ସାଧାରଣ ଜନତା ମନକୁ ଏହି ପ୍ରଶ୍ନ ଆସୁଛି । ଏହାର ଉତ୍ତର କେବେଳ ବିଜେଡ଼ି ସୁପ୍ରିମୋ ବା ତାଙ୍କ ପରାମର୍ଶଦାତାମାନେ ହିଁ ଦେଇ ପାରିବେ ।
The way of writing and presentation is Excellent.
Thank u Somuch..