ଉପ ରାଷ୍ଟ୍ରପତି ନିର୍ବାଚନ, ନବୀନଙ୍କ ଉପରେ ସମସ୍ତଙ୍କ ଆଖି


ପ୍ରସାଦ ରାଓ
ଭୁବନେଶ୍ୱର
ସେପ୍ଟେମ୍ବର ୯ ତାରିଖରେ ଦେଶରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାରୁ ଜାତୀୟ ରାଜନୀତି ଚଳଚଂଚଳ ଥିବା ବେଳେ ଓଡ଼ିଶାରେ ମଧ୍ୟ ରାଜନୈତିକ ଚଂଚଳତା ଦେଖିବାକୁ ମିଳଛି । ଏହି ନିର୍ବାଚନରେ ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ଆରଏସଏସ ନେତା ସିପି ରାଧାକ୍ରୀଷ୍ଣନ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡିଏ)ରୁ ପ୍ରାର୍ଥୀ ଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ‘ଇଣ୍ଡି’ ମେଂଟରୁ ତେଲେଂଗାନାର ବରିଷ୍ଠ ଆଇନଜୀବୀ ତଥା ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବାଲାକ୍ରୀଷ୍ଣା ସୁଦର୍ଶନ ରେଡୀ ପ୍ରାର୍ଥୀ ଅଛନ୍ତି । ସଂସଦରେ ସଂଖ୍ୟା ଦୃଷ୍ଟିରୁ ଏନଡିଏର ପଲ୍ଲା ଭାରି ରହିଥିବା ବେଳେ ବିରୋଧୀ ‘ଇଣ୍ଡି’ ମେଂଟ ଜଷ୍ଟିସ ରେଡୀଙ୍କୁ ପ୍ରାର୍ଥୀ କରିବା ସମୟରେ ପ୍ରାରମ୍ଭରୁ ସ୍ପଷ୍ଟ କରି ଦେଇଛି, ବିଚାରଧାରାକୁ ନେଇ ଏହି ଲଢେଇ ହେଉଛି । ଏଥିରେ ଜୟ, ପରାଜୟ କଥା ଚିନ୍ତା କରିବା ଅର୍ଥହିନ । ଜଷ୍ଟିସ ରେଡୀ ମଧ୍ୟ ବିରୋଧୀ ମେଂଟ ଉପ ରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମ ଘୋଷଣା ପରେ ସେହି ଏକା କଥା କହିଛନ୍ତି । ସେ କହିଛନ୍ତି, ଏହା ଏକ ବିଚାରଧାରାର ଲଢେଇ ହୋଇଥିବାରୁ ଜୟ, ପରାଜୟକୁ ଗୁରୁତ୍ୱ ଦେଉ ନାହାନ୍ତି । ଭୋଟ ହେଲେ କିଏ କାହାକୁ ଭୋଟ ଦେବ ଓ ଫଳାଫଳ କଣ ହେବ ତାହା ସମୟ କହିବ । ସଂସଦରେ ଏନଡିଏର ସଂଖ୍ୟାକୁ ନେଇ ସେ ବିବ୍ରତ ନୁହନ୍ତି । ଦୁଇ ଉପ ରାଷ୍ଟ୍ରପତି ପ୍ରାର୍ଥୀ ନିଜର ବିଚାରଧାରା ମତଦାତା (ସାଂସଦ)ଙ୍କ ନିକଟରେ ପହଂଚାଇ ନିଜ ନିଜ ପକ୍ଷରେ ଭୋଟ ମାଗୁଥିବା ବେଳେ ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରୀଷ୍ଣନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସମେତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସମର୍ଥନ ଜୁଟାଇବା କାର୍ଯ୍ୟରେ ଲାଗିଛନ୍ତି । ସେହିପରି, ‘ଇଣ୍ଡି’ ମେଂଟର ନେତୃତ୍ୱ ନେଉଥିବା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଅଣ-ବିଜେପି ଶାସିତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ବିରୋଧୀ ଦଳର ନେତାମାନଙ୍କ ସହ ଯୋଗଯୋଗରେ ରହି ମେଂଟର ଉପ ରାଷ୍ଟ୍ରପତି ପ୍ରାର୍ଥୀ ଜଷ୍ଟିସ ରେଡୀଙ୍କ ପାଇଁ ସମର୍ଥନ ଯୋଗାଡ କରୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ଦୁଇ ପକ୍ଷ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସହ ଯୋଗାଯୋଗ କରି ନିଜ ନିଜ ଉପ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସପକ୍ଷରେ ବିଜେଡି (ବିଜୁ ଜନତା ଦଳ)ର ସମର୍ଥନ ଲୋଡି ଥିବା ଜଣାପଡିଛି । ନବୀନ ଅସୁସ୍ଥ ହୋଇ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଟେଲିଫୋନ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ ଏବଂ ଅତିଶୀଘ୍ର ଆରୋଗ୍ୟ ଲାଭ କରିବାକୁ କାମନା କରିଥିଲେ । ସୁସ୍ଥ ହେବା ପରେ ଦିଲ୍ଲୀ ଗଲେ ତାଙ୍କୁ ଭେଟିବାକୁ ମଧ୍ୟ ନିମନ୍ତ୍ରଣ ଦେଇଥିଲେ । ସେହିପରି, କଂଗ୍ରେସ ସଭାପତି ତଥା ‘ଇଣ୍ଡି’ ମେଂଟ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ ନବୀନ ହସ୍ପିଟାଲରେ ଥିବା ସମୟରେ ତାଙ୍କ ସହ ଯୋଗଯୋଗ କରି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିଲେ ଏବଂ ଖୁବ୍ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି କାମନା କରିଥିଲେ । ନବୀନଙ୍କ ପରି ଜଣେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜାଣିବା ପରେ ଜାତୀୟସ୍ତରର ନେତାମାନେ ଫୋନ କରି ସ୍ୱାସ୍ଥ୍ୟ ସଂପର୍କରେ ଜାଣିବାକୁ ଚାହିଁବା ଓ ଅତିଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି କାମନା କରିବା ସ୍ୱାଭାବିକ କଥା । ଏହାକୁ ସର୍ବନିମ୍ନ ସୌଜନ୍ୟତା କୁହାଯାଇପାରେ । ତେବେ, ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଓ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ କଂଗ୍ରେସ ମୁଖ୍ୟ ଖାର୍ଗେ ନବୀନଙ୍କୁ ଯୋଗାଯୋଗ କରି ହାଲଚାଲ ପଚାରିବା ଓ ଅତିଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି କାମନା କରିବା ରାଜନୈତିକ ଦୃଷ୍ଟିରୁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ନବୀନଙ୍କ ହାଲଚାଲ ବୁଝିବା ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟପାଲ ଡ. ହରିବାବୁ କମ୍ବମପତି ଆଗପଛ ହୋଇ ନବୀନ ନିବାସକୁ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବା ଓ ପୁଷ୍ପଗୁଚ୍ଛ ଦେଇ ଶୀଘ୍ର ସୁସ୍ଥ ହେବା କାମନା କରିବା ମଧ୍ୟ ସମାଲୋଚକଙ୍କ ଦୃଷ୍ଟି ଏଡାଇ ପାରି ନାହିଁ । ଓଡ଼ିଶାରେ ବିଜେଡି ୨୦୦୯ରୁ କଂଗ୍ରେସ ଓ ବିଜେପି ସହ ସମଦୂରତା କଥା କହି ଆସୁଥିଲେ ମଧ୍ୟ ଓଡ଼ିଶାର ସ୍ୱାର୍ଥ ସମ୍ବନ୍ଧିତ ପ୍ରସଙ୍ଗରେ କେନ୍ଦ୍ରରେ ଶାସନରେ ଥିବା ସରକାରଙ୍କୁ ସମର୍ଥନ ଦେଇ ଆସୁଛି । ୨୦୦୪ରୁ ୨୦୧୪ କେନ୍ଦ୍ରରେ ଡ.ମନମୋହନ ସିଂହଙ୍କ ନେତୃତ୍ୱରେ ଦେଶରେ ୟୁପିଏ ସରକାର ଥିବା ସମୟରେ ଓଡ଼ିଶାରେ ଶାସନରେ ଥିବା ବିଜୁ ଜନତା ଦଳର ମୁଖ୍ୟ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରମୁଖ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ ଦେଉଥିଲେ । ଓଡ଼ିଶାରେ ବିରୋଧୀ କଂଗ୍ରେସ ନେତାମାନେ ବିଜେଡି ବିରୋଧରେ ଶତମୁଖ ଥିଲେ ମଧ୍ୟ ୟୁପିଏର କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାରେ ପୋତି ପକାଉ ଥିଲେ । ୨୦୧୪ରେ କେନ୍ଦ୍ରରେ ସରକାର ପରିବର୍ତ୍ତନ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶା ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସଂସଦରେ ସମର୍ଥନ ଦେଇ ଆସିଛନ୍ତି । ଯାହାକି ବିଜେଡି-ବିଜେପି ସଂପର୍କ କ୍ଷୀର-ନୀର ବୋଲି ଧାରଣା ସୃଷ୍ଟି ହୋଇସାରିଛି । ୨୦୨୪ ଜୁନରେ ରାଜ୍ୟରେ ବିଜେଡି ସରକାରର ପତନ ଓ ବିଜେପି କ୍ଷମତାକୁ ଆସିବା ପରେ ମଧ୍ୟ ବିଜେପି ପ୍ରତି ନବୀନଙ୍କ ମୋହଭଂଗ ଘଟି ନାହିଁ । ଯାହାକି ସଂସଦରେ ୱାକଫ ବୋର୍ଡ ସଂଶୋଧନ ବିଧେୟକକୁ ବିଜେଡିର ରାଜ୍ୟସଭା ସାଂସଦମାନେ ସମର୍ଥନ କରିବା ଘଟଣାରୁ ସ୍ପଷ୍ଟ ହେଉଛି । ଏହି ବିଧେୟକକୁ ସଂସଦରେ ବିରୋଧ କରାଯିବ ବୋଲି ନବୀନ ପ୍ରଥମେ ନିଷ୍ପତ୍ତି ନେଇଥିଲେ ଏବଂ ରାଜ୍ୟସଭାରେ ଥିବା ଦଳୀୟ ସାଂସଦମାନଙ୍କୁ ସେହି ଅନୁସାରେ ନିର୍ଦେଶ ମଧ୍ୟ ଦେଇଥିଲେ । ତେବେ, ଭୋଟିଂ ଦିନ ବିବେକାନୁମୋଦିତ ଭୋଟ ଦେବାକୁ ସେମାନଙ୍କୁ ନିର୍ଦେଶ ଯାଇଥିଲା । ରାଜ୍ୟସଭାରେ ଥିବା ବିଜେଡି ସାଂସଦମାନେ ଏହା ନବୀନଙ୍କ ନିର୍ଦେଶ କି ଆଉ କାହାର (?) ବୁଝିବାକୁ ସମୟ ମଧ୍ୟ ପାଇ ନଥିଲେ । ସାତ ଜଣ ବିଜେଡି ସାଂସଦଙ୍କ ମଧ୍ୟରୁ ଜଣେ ବିଧେୟକ ବିରୋଧରେ ଓ ପାଂଚ ଜଣ ସପକ୍ଷରେ ଭୋଟ ଦେଇଥିବା ବେଳେ ଜଣେ ପ୍ରତିବାଦସୂଚକ ଭୋଟଦାନରୁ ବିରତ ରହିଥିଲେ । ଦଳ ମୁଖିଆଙ୍କ ଏଭଳି ସନ୍ଦେହଜନକ ନୀତିକୁ ନେଇ ସେଦିନରୁ ବିଜେଡିରେ ଯେଉଁ ଝଡ ଚାଲିଛି ତାହା ଥମିବା ନାଁ ନେଉ ନାହିଁ । ଦଳର ବରିଷ୍ଠ ନେତାମାନେ ଦଳ ଭିତରେ କୋଣଠେସା ହୋଇଯାଇଥିବା ବେଳେ ରାଜ୍ୟସଭାରେ ଥିବା ମୋଟ ୭ ସାଂସଦ ଏକପ୍ରକାର ଦିଗହରା ଅବସ୍ଥାରେ କାର୍ଯ୍ୟ କରୁଛନ୍ତି । ଏଭଳି ସ୍ଥିତିରେ ସେପ୍ଟେମ୍ବର ୯ରେ ଦେଶରେ ଉପ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ଲୋକସଭାରେ ବିଜେଡିର ସଂଖ୍ୟା ‘ଶୂନ’ ଥିଲେ ମଧ୍ୟ ରାଜ୍ୟସଭାରେ ଦଳର ୭ ସାଂସଦ ଅଛନ୍ତି । ସେହିପରି, ୧୪୭ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭାରେ ବିଜେଡି ବିଧାୟକ ସଂଖ୍ୟା ରହିଛି ୫୧ । ତେଣୁ, ବିଜେଡି ଉପରେ ଉଭୟ ଏନଡିଏ ଓ ‘ଇଣ୍ଡି’ ମେଂଟର ନଜର ରହିବା ସ୍ୱାଭାବିକ । ଉଭୟ ପ୍ରଧାନମନ୍ତ୍ରୀ ମୋଦୀ ଓ କଂଗ୍ରେସ ମୁଖ୍ୟ ଖାର୍ଗେଙ୍କ ଶୁଭକାମନା ପାଇଥିଲେ ମଧ୍ୟ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଉପ ରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କଣ ହେବ, ତାହା ଏଯାବତ୍ ସ୍ପଷ୍ଟ କରି ନାହାନ୍ତି । ଦଳର ବହୁ ନେତା ଉପ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀଙ୍କ ବିପକ୍ଷରେ ଭୋଟ ଦେବା ଚାହୁଁଥିବା ବେଳେ କିଛି ନେତା ଦଳ ଭୋଟଦାନରୁ ବିରତ ରହିବା ଉପରେ ଗୁରୁତ୍ୱ ଦେଉଥିବା ସୂଚନା ମିଳୁଛି । ତେବେ, ନବୀନଙ୍କ ନିରବତା ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଉଛି । ରାଜ୍ୟରେ ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଥିଲେ ମଧ୍ୟ ଠିକ୍ ଭାବେ ତାହାର ବିରୋଧୀ ଭୂମିକା ସଂପାଦନ କରୁନଥିବାରୁ ଦଳ ଭିତରେ ଓ ବାହାରେ ଆକ୍ରୋଶ ବଢୁଛି । କଂଗ୍ରେସ ସେଥିରୁ ଫାଇଦା ନେଉଛି । ତେଣୁ, ଦଳ ଓ ରାଜ୍ୟବାସୀଙ୍କ ମନରେ ସୃଷ୍ଟି ହୋଇଥିବା ଅବିଶ୍ୱାସ ଭାବ ଦୂର କରିବା ସକାଶେ ଦଳର ମୁଖ୍ୟ ଉପ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉଚିତ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ରାଜନୈତିକ ବିଶ୍ଲେଷକ ମହଲରେ ମତପ୍ରକାଶ ପାଉଛି ।
୨୯ ଅଗଷ୍ଟରେ ଏହି ଲେଖା ଦୈନିକ ଅନୁପମ ଭାରତ ପ୍ରଥମ ପୃଷ୍ଠାରେ ପ୍ରକାଶିତ
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS