ବିଜେଡି କନ୍ଦଳ: ଓଡ଼ିଶାରେ ମହାରାଷ୍ଟ୍ର ପରିସ୍ଥିତି ହେବ କି ?


ପ୍ରସାଦ ରାଓ
ଭୁବନେଶ୍ୱର
ସେପ୍ଟେମ୍ବର ୧୪
ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିକଟରେ ବିଜେଡିରୁ ନିଲମ୍ବିତ କରାଯାଇଛି । ଦଳର ବରିଷ୍ଠ ଉପ ସଭାପତି (ମୁଖ୍ୟାଳୟ) ପ୍ରତାପ ଜେନାଙ୍କ ଦସ୍ତଖତରେ ଏହି ନିଲମ୍ବନ ଆଦେଶ ଜାରି ହେବା ପରେ ପ୍ରଫୁଲ୍ଲ କହିଛନ୍ତି, ସେ ଦଳରୁ ଇସ୍ତଫା ଦେବା ପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ଦିଆଯାଇଛି । ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ପାଇଁ ମଲ୍ଲିକ ସିଧାସଲଖ ଦଳର ନେତୃତ୍ୱ ଓ ଭି.କେ.ପାଣ୍ଡିଆନଙ୍କୁ ଦାୟି କରୁଥିଲେ । ଫଳରେ, ପରବର୍ତ୍ତୀ ସମୟରେ ନବୀନଙ୍କ ଦ୍ୱାରା ଗଠିତ ଦଳର ରାଜନୈତିକ ବ୍ୟାପାର କମିଟି ଓ ବିଜେଡି ରାଜ୍ୟ କାର୍ଯ୍ୟକାରୀଣୀରେ ତାଙ୍କୁ ସ୍ଥାନ ମିଳି ନଥିଲା । ମଲ୍ଲିକଙ୍କ ଭଳି ବିଜେଡିର ଅନ୍ୟ ବହୁ ବରିଷ୍ଠ ନେତା ନିର୍ବାଚନ ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟି କରି ଦଳରେ କୋଣଠେସା ହୋଇ ରହିଛନ୍ତି । ବିଭିନ୍ନ ସମୟରେ ସେମାନେ ଦଳର ନେତୃତ୍ୱ ବିରୋଧରେ ଅସନ୍ତୋଷ ଜାହିର କରୁଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାପ୍ରସାଦ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ମଲ୍ଲିକଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ସେମାନଙ୍କ ପାଇଁ ଚେତାବନୀ ସଦୃଶ ହୋଇଛି ।
୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ମଂଗ ଧରିଥିଲେ ପୂର୍ବତନ ଆଇଏଏସ୍ ତଥା ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ । ନିର୍ବାଚନ ପୂର୍ବରୁ ରାଜ୍ୟ ସାରା ବୁଲି ଛାୟା ମୁଖ୍ୟମନ୍ତ୍ରୀ ଭାବେ କୋଟି କୋଟି ଟଙ୍କାର ନୂଆ ପ୍ରକଳ୍ପ ଘୋଷଣା କରୁଥିଲେ । ଆଇଏଏସ୍ ଚାକିରୀରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବା ପରେ ଇଚ୍ଛାନୁସାରେ ଦଳକୁ ପରିଚାଳନା କରୁଥିଲେ । ଏପରିକି, ରାଜ୍ୟର ବିଭିନ୍ନ ବିଧାନସଭା ଓ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଚୟନରେ ମଧ୍ୟ ତାଙ୍କ ମୁଖ୍ୟ ଭୂମିକା ଥିଲା । ରାଜ୍ୟର ମନ୍ତ୍ରୀ ଓ ନେତାମାନେ ଦଳୀୟ ଟିକଟ ପାଇବା ଆଶାରେ ପାଣ୍ଡିଆନଙ୍କ ଇଂଗିତରେ ଉଠ୍ ବସ୍ ହେଉଥିଲେ । ପାଣ୍ଡିଆନଙ୍କୁ ଯଦି କେହି ସମାଲୋଚନା କରୁଥିଲା ନବୀନ ନିଜେ ତାହାକୁ ଖଣ୍ଡନ କରି ସମାଲୋଚକଙ୍କ ମୁହଁ ବନ୍ଦ କରୁଥିଲେ । ମାତ୍ରାଧିକ ଆତ୍ମବିଶ୍ୱାସ ଯେ ବିପର୍ଯ୍ୟୟର କାରଣ ହୋଇପାରେ, ତାହା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଥିଲା । ଲୋକସଭାରେ ଦଳର ସାଂସଦଙ୍କ ସଂଖ୍ୟା ଶୂନ ହୋଇଯିବା ସହ ରାଜ୍ୟ ବିଧାନସଭାରେ ବିଧାୟକ ସଂଖ୍ୟା ୫୧କୁ ଖସି ଯାଇଥିଲା । ବିଜେପି ୭୮ଟି ଆସନରେ ବିଜୟୀ ହୋଇ ଏକାକୀ ସରକାର କରିବାକୁ ସକ୍ଷମ ହୋଇଥିଲା ।
ଏହା ପରରୁ ଆରମ୍ଭ ହୋଇଛି ବିଜେଡିରେ ବିଦ୍ରୋହ । ଦଳର ବହୁ ବରିଷ୍ଠ ନେତା ନିର୍ବାଚନ ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରି ବିଜେଡିରେ କୋଣଠେସା ହୋଇଛନ୍ତି । ଯେଉଁମାନେ ଅସନ୍ତୁଷ୍ଟ ଥିଲେ ମଧ୍ୟ ପଦାରେ ପଡୁ ନାହାନ୍ତି ସେମାନଙ୍କୁ ବିଜେଡିର ସାଗଠନିକ ଦାୟିତ୍ୱ ମିଳିଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଗୃହୀତ ୱାକଫ୍ ସଂଶୋଧନ ବିଧେୟକକୁ ବିଜେଡିର ସାତ ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ପାଂଚ ଜଣ ସମର୍ଥନ ଦେଇ ବିଜେଡିରେ ବିଦ୍ରୋହକୁ ଅଧିକ ଘନିଭୂତ କରିଥିଲେ । ଯେଉଁ ଦୁଇ ଜଣ ସାଂସଦ ବିବେକାନୁମୋଦିତ ଭୋଟ ନିଷ୍ପତ୍ତିକୁ ନେଇ ସନ୍ଦେହ ବ୍ୟକ୍ତ କରିଥିଲେ ସେଥିରୁ ଜଣେ ବିଧେୟକ ବିରୋଧରେ ଭୋଟ ଦେଇଥିବା ବେଳେ ଅନ୍ୟ ଜଣେ ଭୋଟ ଦେବାରୁ ବିରତ ରହିଥିଲେ । ୱାକଫ୍ ସଂଶୋଧନ ବିଧେୟକକୁ ସଂସଦରେ ବିରୋଧ କରାଯିବ ବୋଲି ବିଜେଡି ମୁଖ୍ୟ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଠିକ୍ ଭୋଟିଂ ପୂର୍ବରୁ ବିବେକାନୁମୋଦିତ ଭୋଟ ଦେବାକୁ ରଜ୍ୟସଭା ସାଂସଦମାନଙ୍କୁ ଯେଉଁ ନିର୍ଦେଶ ନଦିଆଯିବା ଦଳର ମୁଖ୍ୟ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ଥିଲା କି ଆଉ କାହାର (?) – ତାହା ଆଜି ସୁଦ୍ଧା ରହସ୍ୟ ହୋଇ ରହି ଯାଇଛି । ବିଧେୟକ ବିରୋଧରେ ଭୋଟ ଦେଇଥିବା ବିଜେଡି ସାଂସଦ ମୁନା ଖାନ ସେତେବେଳେ ନବୀନ ନିବାସରେ ତୁମ୍ବିତୋଫାନ କରିଥିଲେ ମଧ୍ୟ ସଠିକ୍ ଉତ୍ତର ପାଇ ନଥିଲେ । ବିଜେଡିର ଅନ୍ୟ ବହୁ ବରିଷ୍ଠ ନେତା ଦଳର ଏହି ନିଷ୍ପତ୍ତି ବିରୋଧରେ ଗଣମାଧ୍ୟମରେ ବିଷୋଦ୍ଗାର କରିଥିଲେ ମଧ୍ୟ ବିଜେଡି ନେତୃତ୍ୱ ତଦନ୍ତ କରିବେ କହି ଅସନ୍ତୋଷକୁ ଚାପି ଦେଇଥିଲେ ।
ନିକଟରେ ସରିଥିବା ଉପ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ବିଜେଡି ଭୋଟଦାନରୁ ବିରତ ରହିବାକୁ ଯେଉଁ ନିଷ୍ପତ୍ତି ନେଲା ତାହା ବିଜେପି ରାଷ୍ଟ୍ରୀୟ ନେତୃତ୍ୱ ସହ ଦଳର ଘନିଷ୍ଟତାକୁ ପ୍ରମାଣିତ କରିଛି । ଦଳର ନୀତି ସ୍ପଷ୍ଟ ଓ ପାରଦର୍ଶୀ ନ ରହିଲେ ଦଳ ରାଜ୍ୟବାସୀଙ୍କ ବିଶ୍ୱାସ ହରାଇ ବିଲୁପ୍ତ ହୋଇଯିବ ବୋଲି ବିଜେଡିର ବହୁ ବରିଷ୍ଠ ନେତା ବିଜେଡି ମୁଖ୍ୟଙ୍କୁ ଚେତାଇ ଦେଇଥିଲେ । କିଛି ବରିଷ୍ଠ ନେତା କାର୍ଯ୍ୟାନୁଷ୍ଠାନ ଭୟରେ ନିରବ ରହିବାକୁ ବାଧ୍ୟ ହୋଇଥିଲେ । ତେବେ, ଦଳ ଭିତରେ ଅସନ୍ତୁଷ୍ଟଙ୍କ ମେଳି ବଢିଛି । ବିଜେଡିର କିଛି ବଡ ନେତା ଭିନ୍ନ ଭିନ୍ନ ସ୍ଥାନରେ ବୈଠକମାନ କରି ଦଳକୁ ଗୋଟିଏ ଗୋଷ୍ଠୀ କବ୍ଚା କରି ରଖିଥିବାରୁ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ‘ବିଜୁ ତତ୍ତ୍ୱ’କୁ ବଂଚାଇ ରଖିବାକୁ ଏକ ଆଂଚଳିକ ଦଳ ଗଠନ ନିମନ୍ତେ ସେମାନେ ବିଚାର ବିମର୍ଷ କରୁଥିବା ସୂଚନା ମିଳୁଛି । ଏହି ପରିସ୍ଥିତିରେ ବିଜେଡିର ଦୁଇ ଜଣ ପୁରୁଖା ନେତା ରାୟଗଡା ଜିଲ୍ଲାର ଏନ.ଭାସ୍କର ରାଓ ଓ ଲାଲ ବିହାରୀ ହିମିରିକା ବିଜେଡିରୁ ଇସ୍ତଫା ଦେଇ ବିଜୁ ସ୍ୱାଭିମାନ ମଂଚ ଗଠନ କଥା ଘୋଷଣା କରିଛନ୍ତି । ରାୟଗଡା ଜିଲ୍ଲାରୁ ଯେଉଁ ବିଦ୍ରୋହ ଆରମ୍ଭ ହୋଇଛି ତାହା ରାଜ୍ୟର ଅନ୍ୟତ୍ର ମଧ୍ୟ ବ୍ୟାପୁଥିବା ଏବଂ ପୂର୍ବରୁ ବିଜେଡିର ଗଡ କୁହାଯାଉଥିବା ଅଂଚଳରେ ଏବେ ଗେରୁଆ ପତକା ଉଡୁଥିବା ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଲୁପ୍ତି ମୁହାଁ ହୋଇଥିବା ଆଶଙ୍କା ସୃଷ୍ଟି କରିଛି । ବିଜୁଙ୍କ ନାମ କେବଳ ନୁହେଁ, ଆଂଚଳିକ ଦଳ ଗଠନ କଥା ଚିନ୍ତା କରୁଥିବା ନେତାମାନେ ବିଜେଡିର ମୂଳ ନିର୍ବାଚନ ଚିହ୍ନ ‘ଶଙ୍ଖ’ ଉପରେ ମଧ୍ୟ ଆଖି ପକାଇ ଥିବା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ କଥା ମନେ ପକାଇ ଦେଉଛି । ଆଗକୁ ଓଡ଼ିଶାରେ ମହାରାଷ୍ଟ୍ର ପରିସ୍ଥିତି ସୃଷ୍ଟି ହେବନି ତ (?) ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇସାରିଛି ।
ଆଜି ଦିନରେ ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଥିବା ଏକନାଥ ସିନ୍ଧେ ବାଲାସାହେବ ଠାକରେଙ୍କ ଦ୍ୱାରା ପ୍ରତିଷ୍ଠିତ ଶିବସେନାର ଜଣେ ଆଗୁଆ ସୈନିକ ଥିଲେ । ୨୦୧୯ ସାଧାରଣ ନିର୍ବାଚନରେ ମହାରାଷ୍ଟ୍ରରେ ବାଲାସାହେବଙ୍କ ପୁଅ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଯେଉଁ ଶିବସେନା-ଏନସିପି-କଂଗ୍ରେସ ମହାମେଂଟ ସରକାର ପ୍ରତିଷ୍ଠା ହୋଇଥିଲା ସେଥିରେ ସିନ୍ଧେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦାୟିତ୍ୱ ମଧ୍ୟ ପାଇଥିଲେ । ତେବେ, ଦଳରେ ପ୍ରିୟାପ୍ରିତି ବଢିବା ସହ ଦଳର ବରିଷ୍ଠ ନେତାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅପହଂଚ ହୋଇଯିବାରୁ ସରକାର ଗଠନର ବର୍ଷକ ପରେ ଶିବସେନାରେ ବିଦ୍ରୋହର ସୂତ୍ରପାତ ହୋଇଥିଲା ଏବଂ ସିନ୍ଧେ ତାହାର ନେତୃତ୍ୱ ନେଇଥିଲେ । ଏହି ବିଦ୍ରୋହ ଉଦ୍ଧବ ସରକାରଙ୍କ ପତନ ଘଟାଇ ଥିଲା । ସିନ୍ଧେ ୪୦ରୁ ଅଧିକ ବିଧାୟକ, ସାଂସଦଙ୍କୁ ଧରି ବିଜେପି ସମର୍ଥନରେ ମହାରାଷ୍ଟରେ ସରକାର କରି ନିଜେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏଥିସହ, ତାଙ୍କ ଗୋଷ୍ଠୀ ହିଁ ପ୍ରକୃତ ଶିବସେନା ବୋଲି ନିର୍ବାଚନ କମିଶନଙ୍କୁ ବୁଝାଇବାକୁ ସକ୍ଷମ ହୋଇ ଶିବସେନାର ମୂଳ ନିର୍ବାଚନ ଚିହ୍ନକୁ ହାତେଇ ନେଇଥିଲେ । କେବଳ ସିନ୍ଧେ ନୁହନ୍ତି, ମହାରାଷ୍ଟ୍ରରେ ଶରଦ ପାୱାରଙ୍କ ଏନସିପି ମଧ୍ୟ ବିଭାଜିତ ହୋଇ ସାରିଛି । ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରା ସଂଖ୍ୟାଧିକ ବିଧାୟକ ଓ ସାଂସଦଙ୍କୁ ଧରି ବିଜେପି-ଶିବସେନା (ସିନ୍ଧେ) ସରକାରରେ ସାମିଲ ହେବା ସହ ରାଜ୍ୟରେ ଉପ ମୁଖ୍ୟମନ୍ତ୍ରୀ ପଦ ହାତେଇ ଥିଲେ । ଅଜିତ ପାୱାର ଗୋଷ୍ଠୀକୁ ମଧ୍ୟ ନିର୍ବାଚନ କମିଶନ ମୂଳ ଏନସିପି ବୋଲି ଗ୍ରହଣ କରି ଏନସିପିର ନିର୍ବାଚନ ଚିହ୍ନ ହସ୍ତାନ୍ତର କରିଛନ୍ତି । ଶରଦ ପାୱାରଙ୍କ ଗୋଷ୍ଠୀ ଏନସିପି (ଶରଦ ଚନ୍ଦ୍ର ପାୱାର) ନାମରେ ରାଜ୍ୟ ରାଜନୀତିରେ ଅଛନ୍ତି ।
ଓଡ଼ିଶାରେ ବିଜେଡିର ଅସନ୍ତୁଷ୍ଟ ନେତାମାନେ ବିଜେଡି ନେତୃତ୍ୱକୁ ମହାରାଷ୍ଟ୍ର ଭଳି ଖେଳ ଦେଖାଇବାକୁ ବିଚାର ବିମର୍ଷ କରୁଥିବା ସୂଚନା ମିଳୁଛି । ତେବେ, ନବୀନ ସପକ୍ଷବାଦୀ ଗୋଷ୍ଠୀର ଦାବି ହେଉଛି, ବିଜେଡିର ଯେତେ ବଡ ନେତା ହୋଇଥା’ନ୍ତୁ ନା କାହିଁକି ଦଳ ଛାଡିଲେ ତାହା କୌଣସି ପ୍ରଭାବ ଦଳ ଉପରେ ପଡିବ ନାହିଁ । ବିଜେଡିର ବରିଷ୍ଠ ନେତା ଅମର ଶତପଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମୟରେ ସେମାନେ ଏଇ କଥା କହିଥିଲେ । ଏବେ, ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଓ ପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କ ଇସ୍ତଫା ପରେ ମଧ୍ୟ ତାହା ହିଁ କହୁଛନ୍ତି । ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ପ୍ରଥମେ ନିଲମ୍ବନ କରିଛି ନା ସେ ଦଳରୁ ଇସ୍ତଫା ଦେବା ପରେ ତାଙ୍କୁ ନିଲମ୍ବନ କରାଯାଇଥିବାର ବିଜ୍ଞପ୍ତୀ ପ୍ରକାଶ ପାଇଛି – ତାହା ଆଜି ସୁଦ୍ଧା ଅସ୍ପଷ୍ଟ । ବିଜେଡି ଅସନ୍ତୁଷ୍ଟ ଗୋଷ୍ଠୀ କହୁଛନ୍ତ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କାହାରି ପୈତୃକ ସଂପତ୍ତି ନୁହନ୍ତି, ସେ ହେଉଛନ୍ତି ଓଡ଼ିଆ ଜାତିର ସଂପତ୍ତି । ତେଣୁ, ତାଙ୍କ ନାମକୁ ନେଇ ଅନ୍ୟ ଏକ ଆଂଚଳିକ ଦଳ ଗଠନ କରିବାରେ କିଛି ଅସୁବିଧା ନାହିଁ । ଏବେ ବିଜେଡିରେ ଉଗ୍ର ରୂପ ନେଇଥିବା ଆଭ୍ୟନ୍ତରୀଣ କନ୍ଦଳ ରାଜ୍ୟ ରାଜନୀତିକୁ ସରଗରମ କରିବାରେ ଲାଗିଛି । ରାଜ୍ୟର ବିଜେପି ସରକାର ମଧ୍ୟ ବିଜେଡିରେ କେବେ ବଡ ଧରଣର ବିସ୍ଫୋରଣ ଘଟିବ, ସେହି ଅପେକ୍ଷାରେ ଥିବା ଅନୁମାନ କରାଯାଉଛି । ସରକାର ଗଠନର ୧୫ ମାସ ପରେ ମଧ୍ୟ ରାଜ୍ୟ ମନ୍ତ୍ରୀ ପରିଷଦ ସ୍ୱୟଂ ସଂପୂର୍ଣ୍ଣ ହୋଇପାରିନି । ମନ୍ତ୍ରୀ ପରିଷଦରେ ଅଦଳବଦଳ ଦୂର କଥା, ମୋହନ ସରକାର ଖାଲି ପଡିଥିବା ଛଅ ମନ୍ତ୍ରୀ ପଦ ସହ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ପୂରଣ କରୁ ନାହାନ୍ତି । ବିଜେପି ରାଜ୍ୟ ନେତୃତ୍ୱ କାହା ଅପେକ୍ଷାରେ ରହିଛନ୍ତି (?) ବୋଲି ତଥ୍ୟାଭିଜ୍ଞ ମହଲରେ ପ୍ରଶ୍ନ ହେଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS