ବିଜେଡି ମହାନଦୀକୁ ଭୁଲିଗଲା, ପୋଲାଭରମକୁ ନେଇ ଉଦବେଗ ?


ପ୍ରସାଦ ରାଓ
ଭୁବନେଶ୍ୱର
ବିଜେଡି ପକ୍ଷରୁ ଅଗଷ୍ଟ ୨୧ ତାରିଖ ଦିନ କେନ୍ଦ୍ର ସରକାରଙ୍କ ଦୁଇ ମନ୍ତ୍ରୀଙ୍କ ଉଦ୍ଦେଶରେ ଯେଉଁ ସ୍ମାରକପତ୍ର ଦିଆଯାଇଛି ସେଥିରେ ମହାନଦୀ ସଂପର୍କରେ ଧାଡିଟିଏ ନଥିବା ବେଳେ ଆନ୍ଧ୍ର ପ୍ରଦେଶରେ ନିର୍ମାଣାଧୀନ ଥିବା ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପକୁ ନେଇ ସୃଷ୍ଟି ହେବାକୁ ଥିବା ସମସ୍ୟା ହିଁ ରହିଛି । କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ର ପରିବେଶ, ଜଂଗଲ ଓ ପରିବେଶନ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଭୂପିନ୍ଦର ଯାଦବଙ୍କୁ ଏହି ସ୍ମାରକପତ୍ର ଦିଆଯାଇଛି । ବିଜେଡି ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଭେଟି ଏହି ସ୍ମାରକପତ୍ର ଦେଇଛନ୍ତି ।
ମହାନଦୀ ଜଳ ବଂଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଦୀର୍ଘ ବର୍ଷ ହେଲା ବିବାଦ ରହିଛି । ଛତିଶଗଡ଼ ସରକାର ମହାନଦୀ ଉପର ମୁଣ୍ଡରେ ଏକାଧିକ ବ୍ୟାରେଜ ନିର୍ମାଣ କରି ଓଡ଼ିଶାକୁ ଆବଶ୍ୟକ ମୁତାବକ ଜଳ ଯୋଗାଇ ଦେଉନଥିବା ବେଳେ ନଦୀ ଜଳକୁ ବ୍ୟବସାୟିକ କାର୍ଯ୍ୟରେ ବିନିଯୋଗ କରି ଆସୁଛନ୍ତି । ଏହି ବିବାଦ ସୁପ୍ରିମ କୋର୍ଟରେ ଓ ଆନ୍ତଃ ରାଜ୍ୟ ଜଳ ବିବାଦ ଟ୍ରିବ୍ୟୁନାଲରେ ଦୀର୍ଘ ବର୍ଷ ହେଲା ପଡି ରହିଛି । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଓଡ଼ିଶା ଓ ଛତିଶଗଡ ସରକାର ଆଲୋଚନା ମାଧ୍ୟମରେ ଏହି ବିବାଦର ସମାଧାନ କରିବାକୁ ସୁପ୍ରିମ କୋର୍ଟ ପରାମର୍ଶ ଦେଇଛନ୍ତି । ବିଜେଡି ୨୦୧୭ ପଂଚାୟତ ନିର୍ବାଚନ ପୂର୍ବରୁ ମହାନଦୀ ଜଳ ବିବାଦକୁ ପ୍ରସଙ୍ଗ କରି ଛତିଶଗଡ଼ ସରକାରଙ୍କ ବିରୋଧରେ ରାଜ୍ୟରେ ପଦଯାତ୍ରାମାନ କରିଥିଲା । ତେବେ, ଦୁଇ ରାଜ୍ୟରେ ଭିନ୍ନ ଭିନ୍ନ ଦଳର ସରକାର ଥିବାରୁ ଏହି ଅନ୍ତଃରାଜ୍ୟ ଜଳ ବିବାଦର ସମାଧାନ ହୋଇପାରୁ ନଥିଲା । ଆଜି ଦିନରେ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଥିବା ବେଳେ କେନ୍ଦ୍ରରେ ମଧ୍ୟ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ରହିଛି । ତ୍ରିପୁଲ ଇଂଜିନ ସରକାରରେ ମହାନଦୀ ଜଳ ବିବାଦର ସମାଧାନ ହେବାରେ ଅସୁବିଧା ରହିଲା କେଉଁଠି ବୋଲି ଏବେ ପ୍ରଶ୍ନ ହେଉଛି ।
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବିରୋଧୀଙ୍କ ଚାପରେ ମହାନଦୀ ଜଳ ବିବାଦର ସମାଧାନ କ୍ଷେତ୍ରରେ ପାଦେ ଆଗେଇଛନ୍ତି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣଦେବ ସାଏଙ୍କୁ ସରକାରୀ ଭାବେ ଚିଠି ଲେଖି ଆଲୋଚନା ମାଧ୍ୟମରେ ଦୀର୍ଘ ବର୍ଷର ଏହି ବାବଦର ସମାଧାନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମଧ୍ୟ ଏହା ବିଚାରାଧୀନ ଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମାଝି ଦିଲ୍ଲୀ ଯାଇଥିବା ବେଳେ ସେଠାରେ ସଂପୃକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି । ତେବେ, ସବୁ କଥା ଏଇଠି ସୀମିତ ରହି ଯାଇଛି । କେବେ ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ଦୁଇ ରାଜ୍ୟ ମଧ୍ୟରେ ଆଲୋଚନା ହେବ, ତାହା ଆଜି ସୁଦ୍ଧା ଜଣାପଡି ନାହିଁ । ଅପରପକ୍ଷରେ, ମୌସୁମୀ ଓ ଲଘୁଚାପ ଜନିତ ବର୍ଷାରେ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀରେ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସଂପୃକ୍ତ ଅଂଚଳ ଉବୁଟୁବୁ ହେଉଥିବା ବେଳେ ମହାନଦୀର ବିସ୍ତୃତ ଅଂଚଳ ଶୁଖିଲା ପଡି ଠା’ ଠା’ ବାଲି ହିଁ ଦୃଶ୍ୟମାନ ହେଉଛି । ମହାନଦୀ ଜଳ ବିବାଦ ଦୁଇ ରାଜ୍ୟ ମଧ୍ୟରେ ଚିଠି ଦିଆନିଆ ଓ ଆଲୋଚନା ପ୍ରତିଶ୍ରୁତି ମଧ୍ୟରେ ସୀମିତ ରହିଥିବା ବେଳେ ଗତ ୨୧ ତାରିଖରେ ବିଜେଡି ପ୍ରତିନିଧି ଦଳ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦେଇଥିବା ସ୍ମାରକପତ୍ରରେ ମହାନଦୀ ସଂପର୍କରେ ଧଡିଟିଏ ନଥିବା ରାଜ୍ୟବାସୀଙ୍କୁ ବିସ୍ମିତ କରିଛି ।
ଅଗଷ୍ଟ ୨୧ ତାରିଖ ଦିନ ବିଜେଡିର ରାଜ୍ୟସଭା ସାଂସଦ, ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ ଏବଂ ଦଳୀୟ ନେତାଙ୍କ ଏହି ପ୍ରତିନିଧି ଦଳ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ କେନ୍ଦ୍ର ପରିବେଶ, ଜଂଗଲ ଏବଂ ପରିବେଶ ପରିବତ୍ତନ ମନ୍ତ୍ରୀ ଭୂବିନ୍ଦର ଯାଦବଙ୍କୁ ଭିନ୍ନ ଭିନ୍ନ ଭାବେ ସ୍ମାରକପତ୍ର ଦେଇ ଆନ୍ଧ୍ର ପ୍ରଦେଶ ଗୋଦାବରୀ ଜିଲ୍ଲାରେ ଗୋଦାବରୀ ନଦୀ ଉପରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ନିର୍ମାଣାଧୀନ ପୋଲାଭରମ ବହୁମୁଖୀ ଜଳସେଚନ ଡ୍ୟାମ୍ ପ୍ରକଳ୍ପକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି । ଯେଉଁ ପରିବର୍ତ୍ତିତ ଡିଜାଇନକୁ ନେଇ ଏହି ବୁହୁମୁଖୀ ଜଳ ସେଚନ ପ୍ରକଳ୍ପର ବନ୍ଧ ନିର୍ମାଣ କାର୍ଯ୍ୟ କରାଯାଉଛି ତାହା ସଂପୂର୍ଣ୍ଣ ହେଲେ ଗୋଦାବରୀ ନଦୀର ବ୍ୟାକ୍ ୱାଟରରେ ଓଡ଼ିଶାର ଉପାନ୍ତ ମାଲକାନଗିରି ଜିଲ୍ଲାର କାଲିମେଳା, ପଡିଆ, ମୋଟୁ ଅଂଚଳ ସମେତ ସଂଲଗ୍ନ ଆନ୍ଧ୍ର ଓ ଛତିଶଗଡ଼ର ବ୍ୟାପକ ଅଂଚଳ ଜଳମଗ୍ନ ହୋଇଯିବ । ଜମି ଓ ଜଂଗଲ ଡ୍ୟାମ୍ ପ୍ରୋଜେକ୍ଟରେ ସଂପୂର୍ଣ୍ଣ ଲୀନ ହୋଇଗଲେ ବର୍ଷ ବର୍ଷ ଧରି ସେସବୁ ଅଂଚଳରେ ବସବାସ କରି ଆସୁଥିବା ହଜାର ହଜାର ଆଦିବାସୀ, ଦଳିତ ପରିବାର ବାସହୀନ ଓ ଜୀବିକାହୀନ ହୋଇପଡିବେ । ସେମାନଙ୍କୁ ସରକାର ଥଇଥାନ କଲେ ମଧ୍ୟ ଜୀବନ, ଜୀବିକା ଦୁର୍ବିସହ ରହିବ । ତେଣୁ, କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ପରିବେଶ, ଜଂଗଲ ମନ୍ତ୍ରଣାଳୟ ବେଳ ଥାଉ ଥାଉ ପ୍ରତିକାରାତ୍ମକ ପଦକ୍ଷେପ ନେବା ଆବଶ୍ୟକ ବୋଲି ବିଜେଡି ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି ରଖିଛି ।
ଓଡ଼ିଶାର ବିରୋଧ ସତ୍ତ୍ୱେ ଆନ୍ଧ୍ର ସରକାର ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି । ୨୦୨୪ ସାଧାରଣ ନିର୍ବାଚନରେ ବିଜେପି କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ନ ପାଇବାରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଜନତା ଦଳ (ୟୁ) କାନ୍ଧରେ ଭରା ଦେଇ କେନ୍ଦ୍ରରେ ଏନଡିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ) ସରକାର ପ୍ରତିଷ୍ଠା କରିଛି । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନାଇଡୁଙ୍କୁ ସନ୍ତୁଷ୍ଟ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଗତ ବଜେଟରେ ଆନ୍ଧ୍ରରେ ନିର୍ମାଣାଧୀନ ଥିବା ବିବାଦୀୟ ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ଆନ୍ଧ୍ରକୁ ୧୭,୯୩୬ କୋଟି ଟଙ୍କା ମଂଜୁର କରିଛନ୍ତି । ତେବେ, ପୋଲାଭରମ ପ୍ରକଳ୍ପର ପରିବର୍ତ୍ତିତ ଡିଜାଇନ୍ ଓଡ଼ିଶା ପାଇଁ ବିପଦ ହେବାକୁ ଯାଉଛି । ଓଡ଼ିଶାରେ ବିଜେଡି ଶାସନରେ ଥିବା ସମୟରୁ ଆନ୍ଧ୍ରରେ ନିର୍ମାଣାଧୀନ ପୋଲାଭରମ ବନ୍ଧ ପ୍ରକଳ୍ପକୁ ବିରୋଧ କରି ଆସୁଛି । ନିର୍ମାଣ କାର୍ଯ୍ୟ ଉପରେ ରୋକ୍ ଲଗାଯିବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିବା ସହ ସୁପ୍ରିମ କୋର୍ଟରେ ମଧ୍ୟ ମାମଲା କରିଛି ।
୨୦୨୨ ସେପ୍ଟେମ୍ବର ୬ ତାରିଖରେ ସୁପ୍ରିମ କୋର୍ଟ ମତ ଦେଇଥିଲେ, ଆନ୍ଧ୍ର ପ୍ରଦେଶ ସରକାର ପୋଲାଭରମ ପ୍ରକଳ୍ପ ସଂପର୍କିତ କିଛି ବୈଷୟିକ ରିପୋର୍ଟ ଉପସ୍ଥାପନ କରିଛନ୍ତି ସତ, କିନ୍ତୁ ପରିବର୍ତ୍ତିକୁ ନିର୍ମାଣ କାର୍ଯ୍ୟକୁ ନେଇ ଆହୁରି ଅନେକ ତଥ୍ୟ ଉପସ୍ଥାପନ କରିବା ଆବଶ୍ୟକତା ରହିଛି । ଏହାଛଡା, ପ୍ରକଳ୍ପର ନିର୍ମାଣ ପାଇଁ ପରିବେଶ ମନ୍ତ୍ରଣାଳୟର କ୍ଲିୟରାନ୍ସ ମଧ୍ୟ ଜରୁରୀ । ତେବେ, ଆନ୍ଧ୍ର ସରକାର ସୁପ୍ରିମ କୋର୍ଟଙ୍କ ମତାମତକୁ ଅଣଦେଖା କରି ପୋଲାଭରମ ବହୁମୁଖୀ ଡ୍ୟାମ୍ ପ୍ରୋଜେକ୍ଟର ବନ୍ଧ ନିର୍ମାଣ କାର୍ଯ୍ୟ ଚାଲୁ ରଖିଥିବା ବେଳେ କେନ୍ଦ୍ର ସରକାର ତାହାକୁ ରୋକିବା ବଦଳରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ଆନ୍ଧ୍ର ସରକାରଙ୍କୁ ବିପୁଳ ଆର୍ଥିକ ଅନୁଦାନ ଦେଇଛନ୍ତି । ବିଜେଡି ଏଥିନେଇ ସ୍ମାରକପତ୍ରରେ କ୍ଷୋଭ ପ୍ରକାଶ କରିଛି । ରାଜ୍ୟରେ ୨୦୨୪ ଜୁନରୁ ୧୪ ମାସ ହେଲା ବିଜେପିର ସରକାର ଥାଇ ସୁଦ୍ଧା ମହାନଦୀ ଆନ୍ତଃରାଜ୍ୟ ଜଳ ବଂଟନ ବିବାଦର ସମାଧାନ ଉଦ୍ୟମ ମନ୍ଥର ଗତିରେ ଚାଲିଛି । ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥାଇ ସୁଦ୍ଧା ପୋଲାଭରମ ବହୁମୁଖୀ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହେବାକୁ ଥିବା ମାଲକାନଗିରି ଜିଲ୍ଲା ଆଦିବାସୀ, ଦଳିତଙ୍କ ସମସ୍ୟା ଶୁଣିବାକୁ କାହାରି ଆଗ୍ରହ ନାହିଁ । ଦୁଇଟି ଯାକ ଆନ୍ତଃରାଜ୍ୟ ବିବାଦ । କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସବୁ ସମସ୍ୟାର ସମାଧାନ ହୋଇପାରନ୍ତା । ଯଦି କିଛି ହୋଇପାରୁନି ତ୍ରିପୁଲ ଇଂଜିନ ସରକାର ଚାଲିବାର ଫାଇଦା କଣ (?) ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS