୨୦୨୫ରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବ ତ ?


ପ୍ରସାଦ ରାଓ
ଭୁବନେଶ୍ୱର
ସେପ୍ଟେମ୍ବର ୦୭
ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଘଟଣା ପରରୁ ଓଡ଼ିଶାରେ ଛାତ୍ର ରାଜନୀତି ଏକପ୍ରକାର ଶିଥିଳ ଅବସ୍ଥାକୁ ଆସି ଯାଇଥିବା ଦେଖିବାକୁ ମିଳୁଛି । ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ନେତ୍ରୀ ଥିବା ସୌମ୍ୟାଶ୍ରୀ ନିଜ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଯୌନ ଉତ୍ପୀଡନର ଶିକାର ହୋଇଥିବା ଅଭିଯୋଗ କରିଥିଲେ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ମଧ୍ୟ ନ୍ୟାୟ ନ ପାଇନଥିବା ଅଭିଯୋଗ କରି ଆତ୍ମଦାହ କରିଥିଲେ । ସଂପୃକ୍ତ ଘଟଣାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟ ଗିରଫ ହୋଇ ଜେଲରେ ଅଛନ୍ତି । ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଘଟଣା ପାଇଁ ଏବିଭିପି ପ୍ରଥମେ କଂଗ୍ରେସକୁ ଦାୟୀ କରିଥିଲା । କଂଗ୍ରେସର କିଛି ଛାତ୍ର ନେତା ସୌମ୍ୟାଶ୍ରୀଙ୍କୁ ଆତ୍ମଦାହ ପାଇଁ ଉସୁକାଇବାରୁ ସେ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସାମ୍ନାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଏବିଭିପିର ଅଭିଯୋଗ ଥିଲା । ତେବେ, ସେଦିନ ସୌମ୍ୟାଶ୍ରୀ ଜଳୁଥିବା ବେଳେ ତାଙ୍କୁ ବଂଚାଇବାକୁ ଉଦ୍ୟମ କରିଥିବା ଓ ଘଟଣାର ମୋବାଇଲ ରେକର୍ଡିଂ କରିଥିବା ଏବିଭିପିର ଦୁଇ ଜଣ ଛାତ୍ର ନେତାଙ୍କୁ ଓଡ଼ିଶା ପୁଲିସର କ୍ରାଇମ୍ ବ୍ରାଂଚ ଗିରଫ କରିବା ପରେ ଘଟଣା ସହ ଏବିଭିପିର ସଂପୃକ୍ତି ପଦାକୁ ଆସିଲା । ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେଲେ ଏବିଭିପି ସପକ୍ଷରେ ଅନୁକଂପା ସୃଷ୍ଟି କରିବା ପାଇଁ ଏଭଳି ଏକ ନାଟକର ରଚନା କରାଯାଇଥିଲା, ଯେଉଁଥିରେ କି ସୌମ୍ୟାଶ୍ରୀ ବଳି ପଡିଲେ ଓ ୯୦ ପ୍ରତିଶତରୁ ଅଧିକ ପୋଡି ଯାଇ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ ।
ଏହି ଘଟଣାକୁ ନେଇ ରାଜ୍ୟବ୍ୟାପୀ ତୁମ୍ବିତୋଫାନ କରୁଥିବା ଏବିଭିପି ନେତାମାନେ ଏବେ ସଂପୂର୍ଣ୍ଣ ନିରବ । ଆଉ ଛାତ୍ର ସଂସଦ ନିର୍ବାଚନ କଥା ତୁଣ୍ଡରେ ଧରୁ ନାହାନ୍ତି । ତଦନ୍ତ ମଧ୍ୟ ବାଟବଣା ହୋଇସାରିଥିବା ଅଭିଯୋଗ ହେଉଛି । ସେହିଭଳି, ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଥାଇ ଜଣେ ଯୁବତୀଙ୍କୁ ହୋଟେଲକୁ ଡକାଇ ନିଶାଗ୍ରସ୍ତ କରିବା ସହ ଦୁଷ୍କର୍ମ କରିଥିବା ଅଭିଯୋଗରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ପୁଲିସ ଦ୍ୱାରା ଗିରଫ ହୋଇ ମାସାଧିକ ସମୟ ହେଲା ଭୁବନେଶ୍ୱର ଝାରପଡା ଜେଲରେ ଅଛନ୍ତି । ଉଦିତ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଥିବା ସମୟରେ ରାଜ୍ୟରେ ‘ନାରୀଙ୍କୁ ନ୍ୟାୟ’ ଦାବିରେ କଂଗ୍ରେସ ପକ୍ଷରୁ ଚାଲିଥିବା ଆନ୍ଦୋଳନରେ ବେଶ୍ ସକ୍ରିୟ ଥିଲେ । ସୌମ୍ୟାଶ୍ରୀ ଆତ୍ମଦାହ ଘଟଣା ଓ ପରେ ଘଟିଥିବା ବିଭିନ୍ନ ଛାତ୍ରୀ ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟି କରି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ସରକାର ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଛାତ୍ର କଂଗ୍ରେସ ପକ୍ଷରୁ ସେମାନଙ୍କ ଘର ଉପରେ ଅଣ୍ଡା ମାଡ କରାଯାଇଥିଲା । ଉଦିତ ପ୍ରଧାନ ଛାତ୍ରୀ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ ଯିବା ପରେ କଂଗ୍ରେସ ‘ବ୍ୟାକ୍ ଫୁଟ୍’କୁ ଆସି ଯାଇଥିଲା ଓ ଅପବାଦରୁ ମୁକୁଳିବା ପାଇଁ ଉଦିତଙ୍କୁ ଦଳରୁ ନିଲମ୍ବିତ କରିଥିଲା । ଏହାପରଠାରୁ ରାଜ୍ୟରେ ଛାତ୍ର କଂଗ୍ରେସ ବାଟବଣା ହୋଇଛି । ପୂର୍ବ ଭଳି ଆଉ ସକ୍ରିୟତା ଦେଖିବାକୁ ମିଳୁ ନାହିଁ । ଉଦିତଙ୍କୁ ଜାମିନରେ ଆଣିବାକୁ ରାଜ୍ୟ କଂଗ୍ରେସ ନେତୃତ୍ୱ ପ୍ରୟାସ କରୁଥିବା ସୂଚନା ମିଳୁଛି ।
ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡିରେ ସେହି ଏକା ଅବସ୍ଥା । ଗତ ଅଗଷ୍ଟ ୨୬ ତାରିଖରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ବାଣୀବିହାରର ପୂର୍ବତନ ଛାତ୍ର ସଂସଦ ସଭାପତି ଚିନ୍ମୟ ସାହୁଙ୍କୁ ରାଜ୍ୟ ଯୁବ ଜନତା ଦଳ ସଭାପତି ଓ ସୁଶ୍ରୀ ଇପ୍ସିତା ସାହୁଙ୍କୁ ରାଜ୍ୟ ଛାତ୍ର ବିଜୁ ଜନତା ଦଳ ସଭାପତି ନିଯୁକ୍ତି କରିବା ପରେ ଦଳରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି । ନବୀନ ଦଳର କୋର୍ କମିଟି ନେତାଙ୍କ ସହ ପରାମର୍ଶ ନକରି ଚିନ୍ମୟ ଓ ଇପ୍ସିତାଙ୍କୁ ଯୁବ ଓ ଛାତ୍ର ବିଜେଡି ସଭାପତି ନିଯୁକ୍ତ କରିଥିବା ଚର୍ଚ୍ଚା ହେଉଥିବା ବେଳେ ଏହା ପଛରେ ପୂର୍ବତନ ପ୍ରଶାସକ ତଥା ବିବାଦୀୟ ନେତା ଭି.କେ.ପାଣ୍ଡିଆନଙ୍କ ଅଦୃଶ୍ୟ ହାତ ଥିବା ମଧ୍ୟ ଅଭିଯୋଗ ହେଉଛି । ଏହି ନିଯୁକ୍ତିକୁ ନେଇ ବିଜେଡିର ଅଧିକାଂଶ ଯୁବ ଓ ଛାତ୍ର ନେତା ଅସନ୍ତୁଷ୍ଟ । ସେମାନେ ଦଳର କୋର୍ କମିଟି ନେତାମାନଙ୍କୁ ଘେରୁଥିବା ବେଳେ ନେତାମାନେ କହୁଛନ୍ତି ସେମାନଙ୍କ ସହ ପରାମର୍ଶ କରାନଯାଇ ଏହି ନିଯୁକ୍ତି ଦିଆଯାଇଥିବାରୁ ସେମାନେ ନାଚାର । ଏମିତି ବି ବିଭିନ୍ନ କାରଣରୁ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି ଓ ଛକାପଂଝା ଲାଗି ରହିଛି । ଏବେ ବିଜେଡି ଯୁବ ଓ ଛାତ୍ର ସଂଗଠନ ମଧ୍ୟରେ ଯେଉଁ ଅଶାନ୍ତି ଓ ଅସନ୍ତୋଷ ଦେଖା ଦେଇଛି ତାହା ନବୀନଙ୍କ ଅଡୁଆ ବଢାଇ ଥିବା କୁହାଯାଉଛି । ଏଭଳି ସ୍ଥିତିରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ସରକାର କେବେ ଛାତ୍ର ସଂସଦ ନିର୍ବାଚନ କରାଇବେ ସେ ନେଇ ପ୍ରଶ୍ନ କରିବାକୁ କେହି ନାହିଁ । ରାଜ୍ୟରେ ବିଜେଡି ଶାସନ ସମୟରେ ୨୦୧୮ରୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ମନୋନୀତ ଛାତ୍ର ନେତାମାନେ ଆବାହକ ଦାୟିତ୍ୱରେ ରହି ଛାତ୍ର ରାଜନୀତିକୁ ଇଚ୍ଛା ମୁତାବକ ପରିଚାଳନା କରୁଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ସରକାରୀ ପ୍ରୋତ୍ସାହନରେ ଅତ୍ୟାଧୁନିକ ନାଚ, ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମତାଇ ଦିଆଯାଇ ଛାତ୍ର ରାଜନୀତିର ଏକପ୍ରକାର ତଂଟି ଚିପି ଦିଆଯାଇଥିଲା । ସେତେବେଳେ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଥିବା ବିଜେପି ଏହାର କଡା ସମାଲୋଚନା କରିବା ସହ ବିଜେପି କ୍ଷମତାକୁ ଆସିଲେ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପ୍ରଥମେ ଛାତ୍ର ସଂସଦ ନିର୍ବାଚନ କରାଇବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲା ।
୨୦୨୪ ଜୁନରେ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା ହେବା ପରେ ଛାତ୍ର ନେତାମାନେ ଆଶା କରିଥିଲେ ନିର୍ଦ୍ଧାରିତ ସମୟରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେବ ଏବଂ ଦୀର୍ଘ ବର୍ଷ ହେଲା ନିସ୍ତେଜ ହୋଇ ରହିଥିବା ଛାତ୍ର ରାଜନୀତି ପୁଣି ଥରେ ଗଜୁରି ଉଠିବ । ବିଜେପି ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୁରଜ ରାଜ୍ୟରେ ଉଚ୍ଚଶିକ୍ଷା ମନ୍ତ୍ରୀ ଭାବେ ନିଯୁକ୍ତ ହେବା ପରେ ଯୁବ ଓ ଛାତ୍ର ସମାଜ ନିର୍ବାଚନ ହେବା ନେଇ ଅଧିକ ଆଶାୟୀ ଥିଲେ । ତେବେ, ବିଜେପି କ୍ଷମତାକୁ ଆସିବାର ୧୪ ମାସ ବିତିଲାଣି ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହୋଇପାରୁନାହିଁ । ୨୦୨୪ ସେପ୍ଟେମ୍ବରରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ରାଜ୍ୟ ସରକାରଙ୍କ ଉପରେ ଚାପ ସୃଷ୍ଟି କରାଯାଇଥିଲେ ମଧ୍ୟ ସରକାର ବିଭିନ୍ନ କାରଣ ଦର୍ଶାଇ ତାହାକୁ ଏଡାଇ ଯାଇଥିଲେ । ୨୦୨୫ରେ ନିର୍ବାଚନ ହେବ ବୋଲି ସରକାରଙ୍କ ଆଡୁ ପ୍ରତିଶ୍ରୁତି ଦିଆଯାଇଥିଲା । ପ୍ରତିଶ୍ରୁତି ମୁତାବକ ଚଳିତ ସେପ୍ଟେମ୍ବର ୨୫ ଓ ୨୬ ତାରିଖରେ ରାଜ୍ୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ କରାଯିବ ବୋଲି ମଧ୍ୟ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଯୋଜନା କରିଥିବା ଗତ ଜୁଲାଇ ମାସରେ ସୂଚନା ମିଳିଥିଲା । କିନ୍ତୁ, ଆଜି ସୁଦ୍ଧା ଏନେଇ ସରକାରୀ ଭାବେ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ ।
ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ସୂତ୍ରରୁ ଜୁଲାଇରେ ମିଳିଥିବା ସୂଚନା ମୁତାବକ, ଲିଂଗଡୋ କମିଶନଙ୍କ ଗାଇଡଲାଇନ୍ ଅନୁସାରେ ସରକାର ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଇବାକୁ ପ୍ରସ୍ତୁତ । ସେପ୍ଟେମ୍ବର ୧୭ ବା ୧୮ରେ ନାମାଂକନ ଦାଖଲ, ଯାଂଚ ପରେ ୧୮ ବା ୧୯ ତାରିଖରେ ନାମାଂକନ ପ୍ରତ୍ୟାହାର ଏବଂ ୨୪ ବା ୨୫ ତାରିଖରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କ୍ୟାଂପସ୍ ଗୁଡିକରେ ‘ହ୍ୱାଟ୍ ଆଇ ଷ୍ଟାଂଡ୍ ଫର୍’ ସଭା ହେବ । ସେପ୍ଟେମ୍ବର ୨୫ ବା ୨୬ ତାରିଖରେ ଛାତ୍ର ସଂସଦ ଭୋଟ ହୋଇ ଫଳାଫଳ ଘୋଷଣା ପରେ ଶିକ୍ଷାନୁଷ୍ଠାନଗୁଡିକ ପାଇଁ ପୂଜା ଛୁଟି ଘୋଷଣା ହେବ । ସରକାରୀ ଭାବେ ଏଭଳି ଯୋଜନା ହୋଇଥିବା କୁହାଯାଇଥିଲେ ମଧ୍ୟ ଆଜି ସୁଦ୍ଧା ଛାତ୍ର ସଂସଦ ନିର୍ବାଚନ ନେଇ ବିଧିବଦ୍ଧ ଭାବେ ସରକାରୀ ବିଜ୍ଞପ୍ତୀ ପ୍ରକାଶ ପାଇ ନଥିବାରୁ ସମସ୍ତେ ଦ୍ୱନ୍ଦ୍ୱରେ । କୌଣସି ଦଳର ଛାତ୍ର ନେତା ନିର୍ବାଚନ ବିଜ୍ଞପ୍ତୀ କେବେ ପ୍ରକାଶ ପାଇବ ବୋଲି ସରକାରଙ୍କୁ ପ୍ରଶ୍ନ କରୁନଥିବା ମଧ୍ୟ ଅଧିକ ବିସ୍ମୟକର । ଅପରପକ୍ଷରେ, ସେପ୍ଟେମ୍ବର ୧୮ରୁ ୨୫ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାର ମୌସୁମୀ ଅଧିବେଶନ ହେବାକୁ ଯାଉଛି । ଅକ୍ଟୋବର ୨ ତାରିଖରେ ଦୂର୍ଗା ଦଶମୀ ଥିବାରୁ ସେପ୍ଟେମ୍ବର ଶେଷ ଆଡକୁ ଶିକ୍ଷାନୁଷ୍ଠାନଗୁଡିକ ପାଇଁ ଛୁଟି ଘୋଷଣା ହୋଇଯିବ । ଏଭଳି ସ୍ଥିତିରେ ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ଛାତ୍ର ସଂସଦ ନିର୍ବାଚନକୁ ଟାଳି ଦେବା ଯୋଜନାରେ ଅଛନ୍ତି କି (?) ବୋଲି ପ୍ରଶ୍ନ ଉଠିବା ସ୍ୱାଭାବିକ । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ହିଁ କେବଳ ଏହାର ସଠିକ ଦେଇ ପାରିବେ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS