ଓଡ଼ିଶା ରାଜନୀତି.. ମାଙ୍କଡ଼ କଳିରୁ ଫାଇଦା ନେବ କିଏ !


– ପ୍ରସାଦ ରାଓ-
ଭୁବନେଶ୍ୱର,(ମେ ୨୫): ଓଡ଼ିଶା ରାଜନୀତି ଆଜି ଏଭଳି ଏକ ମୋଡରେ ପହଂଚିଛି ଯେ, ଦୁଇ ମାଙ୍କଡ଼ଙ୍କ ପିଠା କଳିରୁ ବିଲେଇ ଫାଇଦା ନେଲା ଭଳି ଅବସ୍ଥା ସୃଷ୍ଟି ହୋଇଛି । ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନ କୋଶେ ବାଟରେ ଥିବା ବେଳେ ଓଡ଼ିଶାରେ ‘କ୍ଷମତା ଦଖଲ ପିଠା’ ଖାଇବାକୁ ଶାସକ ବିଜେଡ଼ି ଓ ବିଜେପି ପରସ୍ପର ପ୍ରତି ଯେଭଳି ଆକ୍ଷେପ, ପ୍ରତ୍ୟାକ୍ଷେପ କରୁଛନ୍ତି; ଶାଳୀନତା ଠାରୁ ଦୂରେଇ ଯାଉଛନ୍ତି, ତାହା ଦେଖିଲେ ପିଲା ବେଳର ସେହି ମାଙ୍କଡ଼, ବିଲେଇ ଉପାଖ୍ୟାନ ମନେ ପଡି ଯାଉଛି । ବିଜେପି, ବିଜେଡ଼ିର ଏହି ପିଠା କଳିରେ ବିଲେଇ ଭୂମିକାରେ ରହିଛି କଂଗ୍ରେସ । ଦଳ କ୍ଷମତାଠାରୁ ବହୁ ଦୂରରେ ଥିଲେ ସୁଦ୍ଧା ତ୍ରିମୁଖୀ ଲଢେଇରୁ ଫାଇଦା ନେବା ଆଶା ଛାଡି ନାହିଁ । ତେଣୁ, ଦିନକୁ ଦିନ ଓଡ଼ିଶା ରାଜନୀତି ରୋଚକ ମୋଡ ନେଉଥିବା ଦେଖିବାକୁ ମିଳୁଛି ।
୨୦୦୦ ମସିହା ପୂର୍ବରୁ ଓଡ଼ିଶାରେ କ୍ଷମତାର କେନ୍ଦ୍ର କହିଲେ କଂଗ୍ରେସକୁ ର୍ହିଁ ବୁଝାଉ ଥିଲା । ଏକମାତ୍ର ଶକ୍ତିଶାଳୀ ଦଳ ଭାବେ ଉଭା ହୋଇ କଂଗ୍ରେସ ଦୀର୍ଘ ବର୍ଷ ଧରି ରାଜ୍ୟକୁ ଶାସନ କରିଛି । ଯେଉଁମାନେ କଂଗ୍ରେସ ଛାଡି ଅନ୍ୟ ଦଳ ଗଠନ କରିବା ସହ କଂଗ୍ରେସ ବିରୋଧରେ ଲଢୁ ଥିଲେ, ସେମାନଙ୍କ ଅବସ୍ଥା ଆଜିର କଂଗ୍ରେସ ଭଳି ହେଉଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରୀ କରି ଦେଶବ୍ୟାପୀ ରୋଷର ଶିକାର ହୋଇଥିଲେ ମଧ୍ୟ ଓଡ଼ିଶାରେ କଂଗ୍ରେସର ସ୍ଥିତି ଦୋହଲି ନଥିଲା । ନନ୍ଦିନୀ ଶତପଥୀ ଓ ବିନାୟକ ଆଚାର୍ଯ୍ୟଙ୍କ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓଡ଼ିଶାରେ କଂଗ୍ରେସର ଡ଼ୋର ସମ୍ଭାଳି ଥିଲେ । ୧୯୮୦ରୁ ୧୯୮୯ ଏବଂ ୧୯୯୫ରୁ ୧୯୯୯ ଥିଲା ଓଡ଼ିଶା କଂଗ୍ରେସର ସୁବର୍ଣ ଯୁଗ । ମଝିରେ, ୧୯୯୦ରୁ ୧୯୯୫ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଜନତା ଦଳର ଶାସନ ଚାଲିଲା, ଯେଉଁ ଥିରେ କି ଦୁଇ କମ୍ୟୁନିଷ୍ଟ ଦଳ ଭାଗିଦାର ଥିଲେ । ୧୯୯୫ ନିର୍ବାଚନରେ ଜନତା ଦଳର ପରାଜୟ ଏବଂ କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତନ କରିବା ଅଣ-କଂଗ୍ରେସ ରାଜନୀତି ପାଇଁ ଝଟ୍କା ହୋଇଥିଲା । ତେବେ, କ୍ଷମତା ପାଇଁ ଦଳ ଭିତରେ ଅନ୍ତଦ୍ୱର୍ନ୍ଦ୍ୱ, ଅରାଜକତା, ଦୁର୍ନୀତି ଏବଂ ନେତାଙ୍କ ଭିତରେ ଗୋଛି କଟାକଟି ସାଧାରଣ ଜନତାଙ୍କୁ ଏତେଦୂର ପ୍ରଭାବିତ କଲା ଯେ, ଓଡ଼ିଶାରେ କଂଗ୍ରେସ ଶାସନର ବିକଳ୍ପ ଉଭା ହେବାକୁ ଅପେକ୍ଷା କଲେ ରାଜ୍ୟବାସୀ । ବିଲେଇ କପାଳକୁ ସିକା ଛିଡିବା ନ୍ୟାୟରେ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ନିଧନ ଏବଂ ତାଙ୍କ ପୁତ୍ର ନବୀନ ପଟ୍ଟନାୟକଙ୍କ ରାଜନୀତିରେ ପ୍ରବେଶ ଅଣ-କଂଗ୍ରେସ ରାଜନୀତିକୁ ନୂଆ ମୋଡ ଦେଲା । ବିଜୁ ପଟ୍ଟନାୟକଙ୍କ ନିଧନ ପରେ ଗଞ୍ଜାମ ଜିଲ୍ଲାର ଆସିକା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକ ନୂତନ ଭାବେ ଗଠିତ ବିଜୁ ଜନତା ଦଳ (ବିଜେଡ଼ି)ର ମଙ୍ଗ ଧରି ୨୦୦୦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିବା ସହ ରାଜ୍ୟରେ କଂଗ୍ରେସ ପୁସ୍ତକର ଡ଼ୋରି ବାନ୍ଧି ଦେଲେ । ରାଜ୍ୟରେ ବିଜେପିର ସ୍ଥିତି ନ ଥିଲେ ବି ବିଜେଡ଼ି ସହ ମେଂଟରେ ରହି କ୍ଷମତାର ସ୍ୱାଦ ଚାଖିଲା । ୨୦୦୯ ପର୍ଯ୍ୟନ୍ତ ଯେଉଁ ବିଜେଡ଼ି ବିଜେପି ପାଇଁ ସୁଆଦିଆ ଥିଲା, ଆଜି ପିତା ହୋଇ ଯାଇଛି । ବିଜେଡ଼ିକୁ ଅପାରଗ କହି କ୍ଷମତାରୁ ହଟାଇବାକୁ ବିଜେପି ସ୍ୱପ୍ନ ଦେଖୁଛି । ବିଜେଡ଼ି-ବିଜେପି ମେଂଟ ସରକାରରେ ମନ୍ତ୍ରୀ ହେବାର ସୁଯୋଗ ପାଇଥିବା ବିଜେପି ନେତାମାନେ କେତେ ପାରଂଗମ ଥିଲେ ଓ କେଉଁ ପରିସ୍ଥିତିରେ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ, ତାହା ଓଡ଼ିଶାବାସୀ ବୋଧହୁଏ ଭୁଲି ନ ଥିବେ ।
୨୦୦୯ରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ଆଡୁ ବିଜେପି ସହ ସଂପର୍କ ତୁଟାଇବା ବେଳେ ସମସ୍ତେ ଭାବି ଥିଲେ ତ୍ରିମୁଖୀ ଲଢେଇ ନବୀନଙ୍କ ପାଇଁ ମହଙ୍ଗା ପଡିବ । କେବଳ ବିଜେପିର ରାଜ୍ୟ ଓ ଜାତୀୟସ୍ତର ନେତାମାନେ ନୁହନ୍ତି, କଂଗ୍ରେସ ମଧ୍ୟ ସେଭଳି ଅଙ୍କ କଷି ଥିଲେ । କିନ୍ତୁ, ପ୍ୟାରୀ ମହାପାତ୍ରଙ୍କ ଗୋଟି ଚାଳନା ଓ ନବୀନଙ୍କ ଭାବମୂର୍ତୀ ଦଳକୁ ଏକାକୀ ନିର୍ବାଚନ ଲଢି ପୁନଃ କ୍ଷମତାକୁ ଆଣି ସମସ୍ତଙ୍କୁ ଚକିତ କରିଥିଲା । କଂଗ୍ରେସ ସହ ବିଜେପି ନିର୍ବାଚନ ମଇଦାନରେ ଥିଲେ ବି ବିଜେଡ଼ିର ବିପୁଳ ବିଜୟକୁ କେହି ରୋକି ପାରି ନଥିଲେ । ରାଜ୍ୟବାସୀ ତୃତୀୟ ଥର ପାଇଁ ନବୀନଙ୍କ ପ୍ରତି ଆସ୍ଥା ପ୍ରକଟ କରି ବିଜେଡ଼ିକୁ କ୍ଷମତାସୀନ କରିଥିଲେ । ୨୦୧୪ ନିର୍ବାଚନ ପୂର୍ବରୁ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଏକ କଥିତ ଚକ୍ରାନ୍ତ ଅଭିଯୋଗରେ ପ୍ୟାରୀ ମୋହନ ବିଜେଡ଼ିରେ କୋଣଠେସା ହେଲେ । ପରେ ଦଳରୁ ବିଦାୟ ହୋଇ ନିଜର ଦଳ ଗଢି ନିର୍ବାଚନ ମଇଦାନକୁ ଆସିଲେ । ସେ ନବୀନଙ୍କ ଦୁର୍ବଳତା ଖୋଲି ଦେବେ ବୋଲି ଯେତେ ଯାହା ଧମକ ଦେଲେ ବି କାମ ଦେଲା ନାହିଁଁ । ନବୀନ ନିଜ ବଳରେ ନିର୍ବାଚନ ଲଢି ରାଜ୍ୟ ବିଧାନସଭାରେ ରେକର୍ଡ ସଂଖ୍ୟକ ଆସନ ଦଖଲ କଲେ । ଏବେ ବିଧାନସଭାର ୧୪୭ରୁ ୧୧୭ ଆସନ ବିଜେଡ଼ି ଅକ୍ତିଆରରେ ରହିଛି । ଏକଦା ଓଡ଼ିଶାର ଏକମାତ୍ର ପ୍ରଭାବୀ ଦଳ ଭାବେ ପରିଚିତ କଂଗ୍ରେସର ସ୍ଥିତି ଅତି ଶୋଚନୀୟ ହୋଇଥିବା ବେଳେ ବିଜେପି ଅବସ୍ଥା ତା’ଠାରୁ ଅଧିକ ଶୋଚନୀୟ । ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୨୦ଟିରେ ବିଜେଡ଼ି ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ମାତ୍ର ଆସନ ପାଇଛି । ସେହି ଆସନରୁ ଜିତି ଥିବା ଜୁଏଲ ଓରାମ ଏବେ କେନ୍ଦ୍ର ମନ୍ତ୍ରୀ । ରାଜ୍ୟର ଭାବୀ ମୁଖ୍ୟମନ୍ତ୍ରୀ ଭାବେ ପ୍ରୋଜେକ୍ଟ୍ ହେଉଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିହାରରୁ ରାଜ୍ୟସଭାକୁ ଯାଇଛନ୍ତି ।
ଓଡ଼ିଶାରେ କଂଗ୍ରେସର ବିପର୍ଯ୍ୟୟ ପାଇଁ ଦଳ ଭିତରେ ଥିବା ଅନ୍ତଦ୍ୱର୍ନ୍ଦ୍ୱ ଯେଉଁ ପରିମାଣରେ ଦାୟୀ, କଂଗ୍ରେସ ହାଇକମାଂଡଙ୍କ ଓଡ଼ିଶା ପ୍ରତି ଅବହେଳା ମଧ୍ୟ ସେହି ପରିମାଣରେ ଦାୟୀ । ବାରଂବାର ନେତୃତ୍ୱ ପରିବର୍ତନ କରି ଦଳ ଭିତରେ ଅସ୍ଥିରତା ସୃଷ୍ଟିି କରାଯିବା ସହ ନେତୃତ୍ୱ ନା’ରେ ନେତାଙ୍କ ଭିତରେ ଅନ୍ତଦ୍ୱର୍ନ୍ଦ୍ୱର ମଂଜି ବୁଣିବା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସତର ବର୍ଷ ତଳେ ଭୂଇଁ ଚାଟି ଥିବା ଦଳ ଆଉ ଉଠି ପାରୁ ନାହିଁ । ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ରାଜ୍ୟରେ କଂଗ୍ରେସର ନେତୃତ୍ୱ ନେଇ ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ ହେଲା ଭଳି ନେତାଙ୍କ ଅଭାବ ଅନୁଭବ କରି ହେଉଛି । ଜେବିଙ୍କ ଶିଷ୍ୟ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର ବା ଲୁଲୁ ମହାପାତ୍ର ଫାୟାରବ୍ରାଣ୍ଡ୍ ନେତା ଥିଲେ ଏବଂ ସମଗ୍ର ରାଜ୍ୟରେ ତାଙ୍କ ସଂଗଠନ ଥିଲା । କିନ୍ତୁ, ଏଆଇସିସି ଦ୍ୱାରା ସେ ଅବହେଳିତ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ । ଗଲା ୧୭ ବର୍ଷ ମଧ୍ୟରେ ରାଜ୍ୟ ସଭାପତି ମନୋନୀତ ହୋଇଥିବା କଂଗ୍ରେସ ନେତାମାନେ ଦଳକୁ ସଜାଡିବେ କଣ, ନିଜ ଚଉକି ସମ୍ଭାଳୁ ସମ୍ଭାଳୁ ବିଦା ହୋଇ ଗଲେ । ତଥାପି, ଦଳରେ ଅନ୍ତଦ୍ୱର୍ନ୍ଦ୍ୱର ତୁଟୁ ନାହିଁ । ଆଜି ଏଭଳି ଏକ ସ୍ଥିତିରେ କଂଗ୍ରେସ ପହଂଚିଛି, ଯେଉଁ ଆଦିବାସୀମାନେ ଦିନେ କଂଗ୍ରେସର ହସ୍ତମୁଦିମାହାଲ ବା ଭୋଟ ବ୍ୟାଙ୍କ୍ ଥିଲେ ସେମାନଙ୍କ ସମର୍ଥନ କୁଆଡେ ଗଲା (!) ଜାଣିବା ପାଇଁ ଏଆଇସିସି ଉପସଭାପତି ରାହୁଲ ଗାନ୍ଧୀଙ୍କୁ ଓଡ଼ିଶାର ଆଦିବାସୀ ନେତାଙ୍କୁ ଦିଲ୍ଲୀ ଡ଼ାକି ଆଲୋଚନା କରିବାକୁ ପଡୁଛି । ନିକଟରେ ଶ୍ରୀ ଗାନ୍ଧୀ ଓଡ଼ିଶା ସମେତ ଦେଶର ସମସ୍ତ ଅଂଚଳର ଦଳୀୟ ଆଦିବାସୀ ବିଧାୟକ, ଏମ୍ପି ଓ ନେତାଙ୍କୁ ଦିଲ୍ଲୀ ଡ଼କାଇ ଏସଂପର୍କରେ ତର୍ଜମା କରିଛନ୍ତି । ଦିନ ଥିଲା, ଓଡ଼ିଶାର ଯେ କୌଣସି ଆଦିବାସୀ ଅଂଚଳକୁ ଯାଇ ସେଠାକାର ପୁରୁଷ, ମହିଲା ଭୋଟରଙ୍କୁ ପଚାରିଲେ ହାତ ଚିହ୍ନ ଓ ଇନ୍ଦିରା ମା’ଙ୍କ ଛଡା ସେମାନେ ଅନ୍ୟ କାହାକୁ ଜାଣି ନ ଥିବା କହୁ ଥିଲେ । ଆଜିର ଦିନରେ କଂଗ୍ରେସର ସେହି ଦୁର୍ଗ ଭାଙ୍ଗି ଯାଇଛିି । ଓଡ଼ିଶାରେ କଂଗ୍ରେସର ଶକ୍ତି ଭାବେ ପରିଚିତ ହେଉଥିବା ଗମାଂଗ, ଉଲ୍ଲାକା ପରିବାର ଏବେ ବିଜେପିରେ । ବିଜେଡ଼ି ମଧ୍ୟ ଆଦିବାସୀ ଭୋଟ ହାତେଇବାରେ ପଛରେ ପଡି ନାହିଁ ।
ଓଡ଼ିଶାରେ କଂଗ୍ରେସ ଦଳ ନିଜର ପୂର୍ବ ସ୍ଥିତି ଫେରି ପାଇବା ପାଇଁ ସଂଘର୍ଷ କରୁଥିବା ବେଳେ ବିଜେଡ଼ି ୧୭ ବର୍ଷ ନିରଙ୍କୁଶ କ୍ଷମତା ଉପଭୋଗ କରି ଏବେ ‘ଆଂଟି ଇନ୍କମ୍ବେନ୍ସ’ ସଂକ୍ରମଣ ଦ୍ୱାରା ଆକ୍ରାନ୍ତ । ଚତୁର୍ଥ ପାଳିର ତିନି ବର୍ଷ ପୂର୍ତି ବେଳକୁ ଦଳରେ କ୍ଷମତା କଂଦଳ, ବିଦ୍ରୋହ ଏବଂ ପ୍ରଶାସନିକ ସ୍ଥାଣୁତା ସରକାରଙ୍କୁ ଦୁର୍ବଳ ସ୍ଥିତିରେ ପହଂଚାଇ ଦେଇଛି । ହାଇକମାଂଡ ପୂର୍ବ ଭଳିି କଠୋର ହୋଇ ପାରୁ ନାହାନ୍ତି, ଏହି ବାର୍ତା ତଳ ସ୍ତରକୁ ଗଲାଣି । ୨୦୧୭ ପଂଚାୟତ ନିର୍ବାଚନ ଫଳାଫଳ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ପ୍ରଦର୍ଶନ ସେତେ ଖରାପ ନଥିଲେ ବି ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିର ଉତ୍ଥାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦ ହଜାଇ ଦେବା ସ୍ୱାଭାବିକ । ରାଜ୍ୟରେ ବିଜେଡ଼ି ପ୍ରତି ଜନ ସମର୍ଥନ କମୁଛି ଏବଂ ବିଜେପି ପ୍ରତି ସମର୍ଥନ ବଢୁଛି, ଏଭଳି ଏକ ଧାରଣା ମିଡ଼ିଆ ଦ୍ୱାରା ସୃଷ୍ଟି କରାଯାଉଥିବା ନବୀନଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କିଛି ବିଜେଡ଼ି ନେତା ମାଙ୍କଡ଼ ଡ଼ିଆଁ ପାଇଁ ଗୋଡ ଟେକି ବସିଥିବା ବେଳେ ଦଳ ଓ ସରକାରକୁ ସଜାଡିବା ପାଇଁ ନବୀନଙ୍କ ଉଦ୍ୟମ ଶାସକ ଦଳର ଅସହାୟ ଅବସ୍ଥାକୁ ପଦାରେ ପକାଇଛି । ଅତୀତରେ ନବୀନଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଦଳ ଭିତରୁ ଷଡଯନ୍ତ୍ର ହୋଇଥିଲା । କଂଗ୍ରେସର ଏକ ପ୍ରଭାବଶାଳୀ ଗୋଷ୍ଠୀ ଏଥିରେ ପ୍ରମୁଖ ଭୂମିକା ଗ୍ରହର କରିଥିଲେ ବି ପଦାରେ ପଡି ନଥିଲେ । ନବୀନଙ୍କ ମୁଖ୍ୟ ପରାମର୍ଶଦାତା ଥିବା ପ୍ୟାରୀ ମୋହନ ମହାପାତ୍ର ଏହି ଷଡଯନ୍ତ୍ରର ରୂପରେକ ଦେଇଥିବା ଅଭିଯୋଗରେ ବଳି ପଡିଲେ । ଦଳରୁ ତାଙ୍କୁ ବିଦା କରାଗଲା । ସେ ‘ଜନମୋର୍ଚା’ ଗଠନ କରି ରାଜନୀତି କରିବାକୁ ଚାହିଁଲେ ବି ଆଉ ମୁଖ୍ୟସ୍ରୋତକୁ ଫେରି ପାରିଲେ ନାହିଁ । ୨୦୧୭ ପଂଚାୟତ ନିର୍ବାଚନରେ ମଧ୍ୟ ସମାନ ଗୋଟି ଚାଳନା ହୋଇଥିବା ଅନୁମାନ କରାଯାଉଛି । ବିଜେପି ଓ କଂଗ୍ରେସ ଭିନ୍ନ ଭିନ୍ନ ଭାବେ ଲଢି ଥିଲେ ମଧ୍ୟ ସ୍ଥଳ ବିଶେଷରେ ନବୀନଙ୍କୁ ପରାଜିତ କରିବା ଲକ୍ଷ୍ୟ ନେଇ ଏକାଠି କାମ କରିଥିବା ନିର୍ବାଚନ ପରେ କଂଗ୍ରେସ ଯୁବ ନେତା ପ୍ରଦୀପ ମାଝୀ ସ୍ୱୀକାର କରିଥିଲେ ।
ବ୍ୟକ୍ତିଗତ ଭାବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାବମୂର୍ତୀ ବା ପତିଆରା କମି ନାହିଁ । କିନ୍ତୁ, ଚିଟ୍ ଫଣ୍ଡ୍ ଦୁର୍ନୀତି, ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା, ରେସନ୍ କାର୍ଡ ବଂଟନରେ ଜାଲିଆତି, ଜାଲ୍ ରେସନ କାର୍ଡ ହାତେଇବା ଅଭିଯୋଗରେ ଗ୍ରାମାଂଚଳରେ ପୁଲିସ ଗିରଫଦାରୀ ଭଳି ଘଟଣା ସରକାରଙ୍କ ଭାବମୂର୍ତିକୁ କଳଂକିତ କରିଛି । ନବୀନ ମନ୍ତ୍ରୀ ପରିଷଦ, ସରକାର ଓ ପ୍ରଶାସନରେ ଯେତେ ଅଦଳବଦଳ କଲେ ବି ଏହି କଳଂକକୁ ଧୋଇ ପାରୁ ନାହାନ୍ତି । କିଛି କଳଂକିତ ନେତାଙ୍କୁ ପୁନର୍ବାର ମନ୍ତ୍ରୀ ପଦ ଦେଇ ସେ ନିଜର ଦୁର୍ବଳତା ପଦାରେ ପକାଇଛନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି । ତଥାପି, ବିଜେଡ଼ି ମୁଖିଆଙ୍କ ନା’ରେ ହିଁ ଓଡ଼ିଶାରେ ଭୋଟ ଅଛି, ତାଙ୍କୁ ଛାଡିଲେ ଦଳ ଭାସି ଯିବ – ଏକଥା ଦଳର ନେତାମାନେ ସ୍ୱୀକାର କରୁଛନ୍ତି । ବିଜେଡ଼ିର ପ୍ରତିଷ୍ଠା ଦିବସ ଉତ୍ସବରେ ସାଂସଦ ତଥାଗତ ସତପଥୀ ଖୋଲାଖୋଲି ଏଭଳି ମନ୍ତବ୍ୟ ଦେଇ ସମସ୍ତଙ୍କୁ ଚକିତ କରିଛନ୍ତି । ‘ଆମେ ନବୀନଙ୍କ ଚାକର’ କହି ଅତୀତରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବିଜେଡ଼ିରେ ଥିବା ତାଙ୍କ ଭଳି ନେତାଙ୍କ ଦୟନୀୟ ଅବସ୍ଥାର ସୂଚନା ଦେଇଥିଲେ । ଏବେ, ତଥାଗତ ଦେଇଥିବା ମନ୍ତବ୍ୟ ‘ନବୀନଙ୍କ ବିନା ବିଜେଡ଼ି ସ୍ଥିତିହୀନ’ ବୋଲି ପ୍ରମାଣିତ କରିଛି । ମୁଖିଆଙ୍କ ଗୋଟିଏ ଇସାରାରେ ମନ୍ତ୍ରୀ ପଦ ଛାଡି ଦଳର ସଂଗଠନ ଦାୟିତ୍ୱ ନେଇ ଥିବା ପୂର୍ବମନ୍ତ୍ରୀମାନେ ମନରେ ଯାହା ଅସନ୍ତୋଷ ଥାଉ ନା କାହିଁକି ଦଳ ପାଇଁ କାମ କରୁଥିବା ନବୀନଙ୍କ ପ୍ରତି ସେମାନଙ୍କ ଆସ୍ଥା ଭାବର ସୂଚନା ଦେଉଛି ।
ରାଜ୍ୟରେ କ୍ଷମତା ଦଖଲ ପାଇଁ ଧସେଇ ପଶୁଥିବା ବିଜେପିକୁ ରୋକିବା ପାଇଁ ଯେ ବିଜେଡ଼ିର ଏହି ଘର ସଜଡା, ଏକଥା କାହାକୁ ଅଛପା ନାହିଁ । ୨୦୧୭ ପଂଚାୟତ ନିର୍ବାଚନରେ ରାଜ୍ୟରେ ବିଜେପିର ସଫଳତା ନଗଣ୍ୟ ହୋଇଥିଲେ ମଧ୍ୟ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏହାକୁ ଗୁରୁତ୍ୱ ଦେଇ ରାଜ୍ୟ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବା ସକାଶେ ଭୁବନେଶ୍ୱରଠାରେ ଦଳର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରୀଣୀ ଆୟୋଜନ କରିଥଲେ । ବିଜେପି ସଭାପତି ଅମିତ ଶାହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର କ୍ୟାବିନେଟ୍ର ସବୁ ମନ୍ତ୍ରୀ, ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଦଳର ବରିଷ୍ଠ ନେତାମାନେ ଏଥିରେ ଯୋଗ ଦେଇ ୨୦୧୯ରେ ଓଡ଼ିଶା ଦଖଲ ଅଭିଯାନର ନୀଳନକ୍ସା ପ୍ରସ୍ତୁତ କରିଥିଲେ । ନକ୍ସା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀମାନେ ବାରମ୍ବାର ଓଡ଼ିଶା ଗସ୍ତ କରି ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଉଛନ୍ତି । କେନ୍ଦ୍ରୀୟ ସଭାପତି ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବେଳେ ନବୀନଙ୍କ ଗଡ଼ ଗୁଡ଼ିକୁ ଭାଂଗିବା ଯୋଜନା ରଖା ଯାଇଛି । ପ୍ରଧାନମନ୍ତ୍ରୀ ପାଂଚ ଥର ଓଡ଼ିଶା ଆସିଲେଣି । ପୁଣି ଥରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଦଳର ୨୦ ହଜାର ତାଲିମପ୍ରାପ୍ତ କର୍ମୀ ବୁଥ୍ସ୍ତର ପର୍ଯ୍ୟନ୍ତ ଯାଇ ତିନି ବର୍ଷ ଭିତରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ସଫଳତା ଓ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଫଳତାର ପ୍ରଚାର ଯୋଜନା ରହିଛି । ଓଡ଼ିଶାର ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରାଯାଉ ଥିବା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଶାର ବିଭିନ୍ନ ଅଂଚଳ ଗସ୍ତ କରି ବିଜେଡ଼ି ସରକାରଙ୍କ ଦୁର୍ବଳତା ପ୍ରତି ଦଳର କର୍ମୀ ଓ ଜନସାଧାରଣଙ୍କୁ ସଚେତନ କରାଇବା ଦାୟିତ୍ୱ ଦିଆଯାଇଛି । ବିଜେଡ଼ି ସରକାର ଟଙ୍କିକିଆ ଚାଉଳ ବାଂଟିଲା ଭଳି ବିଜେପି ରାଜ୍ୟର ଗରୀବ ପରିବାରଙ୍କୁ ରନ୍ଧନ ଗ୍ୟାସ୍ ବାଂଟି ଭୋଟ ବ୍ୟାଙ୍କ୍ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି । ବିଜେପିର ଉଗ୍ର ପ୍ରଚାର ଅଭିଯାନ ବିଜେଡି ସହ ସଂପର୍କକୁ ଅଧିକ ତୀକ୍ତ କରିଛି । ଏବେ, ଦୁଇ ଦଳର ନେତାମାନେ କଥା କଥାରେ ଅଂଟାରେ ଲୁଗା ଭିଡ଼ି ମିଡ଼ିଆ ଆଗକୁ ଚାଲି ଆସୁଥିବା ଏବଂ ସମସ୍ତ ଶାଳୀନତାକୁ ଜଳାଂଜଳୀ ଦେଇ ‘ମାଙ୍କଡ଼ କଳି’ ପରିସ୍ଥିତି ସୃଷ୍ଟି କରୁଥିବା ପରିବେଶକୁ ସରଗରମ କରିଛି । ଦଳରେ ତିନି ବର୍ଷ ହେଲା କୋଣଠେସା ହୋଇ ରହି ଥିବା କୁହାଳିଆ ନେତାଙ୍କୁ ନବୀନ ମନ୍ତ୍ରୀ ଆସନରେ ବସାଇ ବିଜେପିର ମୁକାବିଲା ପାଇଁ ମିଡ଼ିଆ ଆଗକୁ ଛାଡିଛନ୍ତି । କଂଗ୍ରେସ ନେତୃତ୍ୱ ମଧ୍ୟ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ କଳିରେ ନିଜକୁ ସାମିଲ କରି ଖୁମ୍ପୁରାଖୁମ୍ପୁରୀରେ ମାତିଛି । ରାଜ୍ୟରେ ୨୦୧୮ରେ ପୌର ନିର୍ବାଚନ ହେବାକୁ ଥିବାରୁ ତିନି ଦଳର ଏହା ପ୍ରସ୍ତୁତି କୁହାଯାଇ ପାରେ । ମହାନଗର ନିଗମ, ପୌରପାଳିକା ଓ ବିଜ୍ଞପିତ ଅଂଚଳ ପରିଷଦ ନିର୍ବାଚନର ସଫଳତା ଉପରେ ୨୦୧୯ ସାଧାରଣ ନିର୍ବାଚନ ରଣନୀତି ପ୍ରସ୍ତୁତ ହେବାକୁ ଥିବାରୁ ତିନି ଦଳ ପରସ୍ପରକୁ ନିଚା ଦେଖାଇବାର କୌଣସି ସୁଯୋଗ ହାତଛଡା କରୁ ନାହାନ୍ତି । ଏଭଳି ଏକ ଉଗ୍ର ରଣନୀତି କାହାକୁ କେତେ ସଫଳତା ଦେଉଛି, ତାହା ଆଗାମୀ ଦିନରେ ଜଣାପଡ଼ିବ ।

ନମସ୍କାର ଭାଇନା,
ବହୁତ ଦିନ ପରେ ଆପଣ ଙ୍କ ଲେଖା ପଢିଲି ଏବଂ ପଢି ପଢି ବଡ ହୋଇଛୁ ସେଥିପାଇଁ କୃତଞ୍ୟତା ଜଣାଉଛି.
ବିଜେପି ଫାଇଦା ନେବ
1.କଂଗ୍ରେସ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଶ୍ବାସ ହରାଇଛି
2.ନବୀନ ସରକାର ଙ୍କ ଚେହେରା ଓ ଦୁର୍ନୀତି ଦେଖି ଦେଖି ଲୋକ ବୋର୍ ହୋଇଗଲେଣି
3.ପଂଚାୟତ ନିର୍ବାଚନ ର ଫଳାଫଳ ମାତ୍ର 9 ଲଖ୍ୟ ବିଜେଡି ପଛରେ ଅଛି ଇତ୍ୟାଦି ଇତ୍ୟାଦି……….
ମନୋଜ ପଟ୍ଟନାୟକ ,ଆଇନଜୀବୀ ,ବ୍ରହ୍ମପୁର-8
Thanks Manoj…