ଯନ୍ତାରେ କର୍ନନ!
ନୂଆଦିଲ୍ଲୀ: କଲିକତାରେ ବସି ସୁପ୍ରିମ କୋର୍ଟ ବିଚାରପତିମାନଙ୍କୁ ନାଲି ଆଖି ଦେଖାଉ ଥିବା କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଚିନ୍ନାସ୍ୱାମୀ ସ୍ୱାମୀନାଥନ କର୍ନନ ଏବେ ଜେଲ୍ ଯିବା ଭୟରେ ପୁଲିସ୍କୁ ତାଙ୍କୁ ଛଅ ମାସ ଜେଲ୍ଦଣ୍ଡ ଶୁଣାଇ ଥିବା ସୁପ୍ରିମ କୋର୍ଟଙ୍କ ନିକଟରେ ସାନି ଶୁଣାଣୀ ପାଇଁ ଗୁହାରୀ କରିଛନ୍ତି । ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତିଙ୍କୁ ଅଧ୍ୟକ୍ଷତାରେ ଗଠିତ ସାତ ଜଣିଆ ଖଣ୍ଡପୀଠ ଗତ ୯ ତାରିଖ ଏହି ଦଣ୍ଡ ଶୁଣାଇ ଥିଲେ । ଦଣ୍ଡାଦେଶ ପ୍ରତ୍ୟାହାର ପାଇଁ ଜଷ୍ଟିସ୍ କର୍ନନ ବାରମ୍ବାର ଅପିଲ୍ କରୁଥିବା ବେଳେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଗଦୀଶ ସିଂହ ଖେହର ବିରକ୍ତି ପ୍ରକାଶ କରି ଥରକୁ ଥର ଆବେଦନ ପ୍ରତ୍ୟାଖାନ ହେବା ସତ୍ୱେ ଜଷ୍ଟିସ୍ କର୍ନନ ‘ଜରୁରୀ ଶୁଣାଣୀ’ ପାଇଁ ସାନି ଆବେଦନ କରିବା ଦ୍ୱାରା ସର୍ବୋଚ୍ଚ ନ୍ୟାୟାଳୟର ସମୟ ନଷ୍ଟ କରୁଛନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି । ଦଣ୍ଡାଦେଶ ଶୁଣାଇ ଥିବା ସାତ ଜଣିଆ ଖଣ୍ଡପୀଠର ସମସ୍ତ ବିଚାରପତି ସମୟ ବାହାର କରି ଏକାଠି ହେଲେ ହିଁ ଜଷ୍ଟିସ୍ କର୍ନନଙ୍କ ଅପିଲ୍ ଉପରେ ସାନି ବିଚାର ସମ୍ଭବ ବୋଲି ସ୍ପଷ୍ଟ କରି ଦିଆଯାଇଛି ।
ସାଂଘାତିକ ଅଦାଲତ ଅବମାନନା ଅଭିଯୋଗରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ସାତ ଜଣିଆ ଖଣ୍ଡପୀଠ ଜଷ୍ଟିସ୍ କର୍ନନଙ୍କୁ ଏହି କାରାଦଣ୍ଡା ଆଦେଶ ଦେଇଥିଲେ । ବିଚାରପତି ପଦରେ ଅଧିଷ୍ଠିତ ଥିବା ଜଣେ ବ୍ୟକ୍ତବିଶେଷଙ୍କ ବିରୋଧରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦଣ୍ଡ ବିଧାନ କରି ତୁରନ୍ତ ତାଙ୍କୁ ଗିରଫ କରି ଜେଲ୍କୁ ପଠାଇବାକୁ ନିଦେ୍ର୍ଦଶ ଦିଆଯିବା ଦେଶରେ ଏହା ପ୍ରଥମ ଘଟଣା । କୋଲକାତା ହାଇକୋର୍ଟ ବିଚାରପତି ଜଷ୍ଟିସ୍ କର୍ନନ ଏବେ ଏହି ଦଣ୍ଡାଦେଶରୁ ମୁକୁଳିବା ପାଇଁ ପ୍ରୟାସରେ ଥିବା ବେଳେ ଦଣ୍ଡ ପ୍ରତ୍ୟାହାର ପାଇଁ ତାଙ୍କ ଆବେଦନର ବିଚାର କରିବାକୁ ମାନ୍ୟବର ସୁପ୍ରିମ କୋର୍ଟ ପ୍ରତ୍ୟାଖାନ କରି ନାହାନ୍ତି । କିନ୍ତୁ, ‘ଜରୁରୀ ଶୁଣାଣୀ’ ପାଇଁ ଜଷ୍ଟିସ୍ କର୍ନନ ବାରମ୍ବାର ଆବେଦନ କରିବା ଘଟଣାରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି କ୍ଷୁବ୍ଧ । ଓକିଲ ମାଥ୍ୟୁ ନେଦୁମ୍ପରାଙ୍କ ମାଧ୍ୟମରେ ଜଷ୍ଟିସ୍ କର୍ନନ ଏହି ସାନି ଆବେଦନ କରିଥିଲେ । ଜଷ୍ଟିସ୍ କର୍ନନ ‘ଜରୁରୀ ଶୁଣାଣୀ’ ପାଇଁ ବାରମ୍ବାର ଆବେଦନ କରି କୋର୍ଟଙ୍କ ସମୟ ଅପଚୟ ନ କରି ଦଣ୍ଡାଦେଶ ଦେଇଥିବା ସମସ୍ତ ବିଚାରପତି ଉପଲବ୍ଧ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଖେହର ସ୍ପଷ୍ଟ କରି ଦେଇଛନ୍ତି । ଜଷ୍ଟିସ କର୍ନନ ଯନ୍ତାରେ ପଡି ଚଟପଟ ହେଉଥିବା ବେଳେ ତାଙ୍କୁ ତୁରନ୍ତ ଗିରଫ କରି ଜେଲ୍ରେ ପୁରାଇବାକୁ କୋର୍ଟ ଆଦେଶ ପାଇଥିବା ପୁଲିସ ଏହି ନିଦେ୍ର୍ଦଶ କାର୍ଯ୍ୟକାରୀ କରିବା ଅପେକ୍ଷାରେ ଥିବା ସମଗ୍ର ଦେଶର ଆଖି ସ୍ୱତଃ ଏହି ମାମଲା ଆଡକୁ ଟାଣି ହୋଇ ଯାଇଛି । ଦଳିତ କାର୍ଡ ଖେଳି କଲିକତା ହାଇକୋର୍ଟ ବିଚାରପତି ଜଷ୍ଟିସ୍ କର୍ନନ ଗତ କିଛି ବର୍ଷ ହେଲା ହାଇକୋର୍ଟ ଓ ସୁପ୍ରିମ କୋର୍ଟ ବିଚାରପତିମାନଙ୍କୁ ନାକେଦମ୍ କରି ଦେଇଥିଲେ । ଅବସର ଗ୍ରହଣ କରିବାକୁ ଅଳ୍ପ ଦିନ ବାକି ଥିବା ବେଳେ ସେ ନିଜେ ଏବେ ହରଡଘଣାରେ ପଡିଛନ୍ତି ।
ଜଷ୍ଟିସ୍ କର୍ନନ ଜଣେ ଓକିଲ ଭାବେ ପ୍ରତିଷ୍ଠା ଅର୍ଜନ କରିବା ପରେ ସୁପ୍ରିମ କୋର୍ଟ କଲଇଜିଅମ୍ ଦ୍ୱାରା ପ୍ରଥମେ ମାଦ୍ରାସ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇ ଥିଲେ । ବିଚାରପତି ହେବା ପରେ ସେ ଏତେଦୂର ବିବଦମାନ ହୋଇ ପଡିଲେ ଯେ, ସୁପ୍ରିମ କୋର୍ଟ କଲିଜିଅମ୍ ତାଙ୍କୁ କଲିକତା ହାଇକୋର୍ଟକୁ ବଦଳି କରିବାକୁ ବାଧ୍ୟ ହୋଇଥିଲେ । ଏହି ବଦଳିର କାରଣ ଥିଲା, ମାଦ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ବିରୋଧରେ ତାଙ୍କର ସାଂଘାତିକ ଅଭିଯୋଗ । ସେ ଦଳିତ ଶ୍ରେଣୀର ହୋଇ ଥିବାରୁ ବାରମ୍ବାର ତାଙ୍କ ପ୍ରତି ପାତରଅନ୍ତର କରାଯାଉଛି ବୋଲି ଜଷ୍ଟିସ୍ କର୍ନନ ମାନ୍ୟବର ସୁପ୍ରିମ କୋର୍ଟ ଓ ଏସ୍ସି ଏସଟି କମିସନଙ୍କୁ ଚିଠି ଲେଖି ଅଭିଯୋଗ କରୁଥିଲେ । ୨୦୧୫ରେ ତକ୍ରାଳୀନ ମାଦ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସଂଜୟ କିସନ୍ କାଉଲଙ୍କ ବିରୋଧରେ ମଧ୍ୟ ସେ ଏଭଳି ଅଭିଯୋଗ କରି କଂଟେମ୍ପ୍ଟ ପ୍ରୋସିଡିଂ ଆରମ୍ଭ କରିବାକୁ ଧମକ ଦେବାରୁ ମାଦ୍ରାସ ହାଇକୋର୍ଟ ପକ୍ଷରୁ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ହସ୍ତକ୍ଷେପ ଲୋଡା ଯାଇଥିଲା । ମାଦ୍ରାସ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ କାଉଲ୍ ତାଙ୍କ କ୍ଷମତାରେ ଅଯଥା ହସ୍ତକ୍ଷେପ କରୁଛନ୍ତି ଏବଂ ସେ ଦଳିତ ସଂପ୍ରଦାୟର ହୋଇଥିବାରୁ ବାରମ୍ବାର ତାଙ୍କୁ ହାରାଶ କରାଯାଉଛି ବୋଲି କର୍ନନ ଅଭିଯୋଗ କରି ନ୍ୟାସନାଲ କମିସନ୍ ଫର୍ ଏସ୍ସିକୁ ବିଶେଷ ତଦନ୍ତ ପାଇଁ ନିଦେ୍ର୍ଦଶ ଦେବା ଘଟଣାରେ ମାନ୍ୟବର ସୁପ୍ରିମ କୋର୍ଟ ତୁରନ୍ତ ହସ୍ତକ୍ଷେପ କରି ଜଷ୍ଟିସ୍ କର୍ନନଙ୍କ ଆଦେଶ ଉପରେ ରହିତାଦେଶ ଜାରୀ କରିଥିଲେ । ପରେ, ତକ୍ରାଳୀନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଟିଏସ୍ ଠାକୁର ତାଙ୍କୁ ୨୦୧୬ ମାର୍ଚରେ କଲିକତା ହାଇକୋର୍ଟକୁ ବଦଳି କରିଥିଲେ । କଲିକତା ହାଇକୋର୍ଟ ବିଚାରପତି ଭାବେ ମଧ୍ୟ ଜଷ୍ଟିସ୍ କର୍ନନଙ୍କ କାର୍ଯ୍ୟକଳାପ ବିବଦମାନ ଥିଲା । ୨୦୧୭ ଜାନୁୟାରୀ ୨୩ ତାରିଖ ସେ ସିବିଆଇକୁ ଚିଠି ଲେଖି ବର୍ତମାନ ବିଚାରପତି ଭାବେ କାର୍ଯ୍ୟରତ ଥିବା ଏବଂ ଅବସର ଗ୍ରହଣ କରିସାରି ଥିବା ସୁପ୍ରିମ କୋର୍ଟ ଓ ହାଇକୋର୍ଟର ୨୦ଜଣ ବିଚାରପତିଙ୍କ ବିରୋଧରେ ସାଂଘାତିକ ଦୁର୍ନୀତି ଅଭିଯୋଗ ଆଣି ତାହାର ତଦନ୍ତ ନିଦେ୍ର୍ଦଶ ଦେଇଥିଲେ । ମାନ୍ୟବର ସୁପ୍ରିମ କୋର୍ଟ ଏହାକୁ ସାଂଘାତିକ ଆପରାଧିକ ଅଦାଲତ ଅବମାନନା ଭାବେ ଗ୍ରହଣ କରି ଫେବ୍ରୁୟାରୀ ୮ରେ ନିଜ ଆଡୁ ଜଷ୍ଟିସ୍ କର୍ନନଙ୍କ ବିରୋଧରେ କଂଟେମ୍ପ୍ଟ ପ୍ରୋସିଡିଂ ଆରମ୍ଭ କରିଥିଲେ । ତାଙ୍କୁ କୋର୍ଟରେ ହାଜିର ପାଇଁ ଚାରି ଥର ନୋଟିସ କରା ଯିବା ସତ୍ୱେ ସେ ତିନି ମାସ ମଧ୍ୟରେ କେବଳ ଥରକ ପାଇଁ ମାର୍ଚ ୩୧ରେ କୋର୍ଟରେ ହାଜର ହୋଇଥିଲେ । ମାନ୍ୟବର ସୁପ୍ରିମ କୋର୍ଟ କ୍ଷମା ପ୍ରାର୍ଥନା କରି କାର୍ଯ୍ୟାନୁଷ୍ଠାନରୁ ମୁକ୍ତ ହେବାକୁ ତାଙ୍କୁ ସୁଯୋଗ ଦେଇଥିଲେ । କିନ୍ତୁ, ଜଷ୍ଟିସ୍ କର୍ନନ ତାହାକୁ ବେଖାତେିରି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେଇଥିବା ସୁଯୋଗକୁ ଅଗ୍ରାହ୍ୟ କରି ଦେବାରୁ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଖେହରଙ୍କ ଅଧ୍ୟକ୍ଷତାରେ ଗଠିତ ସାତ ଜଣିଆ ଖଣ୍ଡପୀଠ ଅଦାଲତା ଅବମାନନା ମାମଲାର ବିଚାର କରି ମଇ ୯ ତାରିଖରେ ଜଷ୍ଟିସ୍ କର୍ନନଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଛଅ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇ ଥିଲେ ।
Its a nice effort prasad.my best wishes to mo anubhav. keep it up