ଓଡ଼ିଶା ରାଜନୀତି : ରାହୁଲ ନୀରବ, ନେତୃତ୍ୱ ପରିବର୍ତନ ଜୁଆରରେ ଭଟ୍ଟା
ାା ପ୍ରସାଦ ରାଓ ।ା
ଭୁବନେଶ୍ୱର: ଓଡ଼ିଶା କଂଗ୍ରେସ ନେତୃତ୍ୱରେ ପରିବର୍ତନ ହେବ । ୨୦୧୭ ପଂଚାୟତ ନିର୍ବାଚନ ପରଠାରୁ ଏହି କଥା ଶୁଣିବାକୁ ମିଳୁଛି । ନିର୍ବାଚନ ପୂର୍ବରୁ ରାଜ୍ୟର କଂଗ୍ରେସ ବିଧାୟକ ଓ ଦଳର କିଛି ପ୍ରଭାବଶାଳୀ ନେତା ବାରମ୍ବାର ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତାଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ । ‘ବିଲେଇ ଭାଗ୍ୟକୁ ଶିକା ଛିଡ଼ିବା’ ନ୍ୟାୟରେ ପଂଚାୟତ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ତୃତୀୟ ସ୍ଥାନକୁ ଖସିବା ଏବଂ ବିଜେପି କଂଗ୍ରେସର ଭୋଟ ଚୋରାଇ ନେବା ଘଟଣା ନେତୃତ୍ୱ ପରିବର୍ତନ ଦାବିକୁ ହାୱା ଦେଇଥିଲା । ଏଆଇସିସି ଉପ ସଭାପତି ରାହୁଲ ଗାନ୍ଧୀ ନିକଟରେ ଓଡ଼ିଶାର ଦଳୀୟ ନେତାଙ୍କୁ ଦିଲ୍ଲୀ ଡ଼କାଇ ଦଳର ବିପର୍ଯ୍ୟୟ ସଂପର୍କରେ ଆଲୋଚନା କରିବା ସହ ରାଜ୍ୟରେ ଦଳ କିପରି ପୁନଃ ସଂଗଠିତ ହେବ, ସେ ସଂପର୍କରେ ମତାମତ ଲୋଡି ଥିଲେ । ଏହି ସୁଯୋଗରେ ଗୋଳିଆ ପାଣିରୁ ମାଛ ଧରିବାକୁ ଚାହୁଁ ଥିବା ନେତାମାନେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ହରି ପ୍ରସାଦଙ୍କୁ ପଂଚାୟତ ନିର୍ବାଚନ ବିପର୍ଯ୍ୟୟ ପାଇଁ ଦାୟି କରି ନେତୃତ୍ୱ ପରିବର୍ତନ ସପକ୍ଷରେ ଯୁକ୍ତି ବାଢିଲେ । ଏହି ଦୁଇ ନେତା ମଧ୍ୟ ଦଳର ବିପର୍ଯ୍ୟୟ ନିଜକୁ ଦାୟି କଲେ । ଏଆଇସିସି ପ୍ରଭାରୀ ହରି ପ୍ରସାଦ ଓଡ଼ିଶା ଦାୟିତ୍ୱରୁ ଇସ୍ତଫା ଦେବା ଘଟଣା ପରିବର୍ତନ ଦାବି କରୁଥିବା ନେତାଙ୍କୁ ଅଧିକ ଉତ୍ସାହିତ କରିଥିଲା । କିନ୍ତୁ ଏଆଇସିସି ହରି ପ୍ରସାଦଙ୍କ ଇସ୍ତଫା ଗ୍ରହଣ ନ କରି ଆଲୋଚନା ପିସିସି ସଭାପତିଙ୍କ ପର୍ଯ୍ୟନ୍ତ ସୀମିତ ରଖି ଥିଲା । ରାହୁଲଙ୍କ ମାନସ ମନ୍ଥନ ପିସିସି ସଭାପତି ପରିବର୍ତନ ହାୱାକୁ ଯୋର୍ ଦେଲା ସତ, କିନ୍ତୁ ପରବର୍ତୀ ସମୟରେ ହଠାତ୍ ତାଙ୍କର ନରୀବତା ନେତୃତ୍ୱ ପରିବର୍ତନକୁ ନେଇ ଚାଲି ଥିବା କଳ୍ପନାଜଳ୍ପନାରେ ଭଟ୍ଟା ପକାଇଛି । ରାଜ୍ୟରେ ଦଳର ନେତୃତ୍ୱ ନ ବଦଳାଇ ବର୍ତମାନର ପିସିସି ସଭାପତିଙ୍କୁ ଦଳ ସଜାଡିବାରେ ସହାୟତା କରିବା ସକାଶେ ଏକ କୋର୍ କମିଟି ଗଠନ କରିବା ଅଧିକ ଫଳପ୍ରଦ ହେବ ବୋଲି କୁଆଡେ ଏବେ ଏଆଇସିସି ଚିନ୍ତା କରୁଛି । ଏହି ଖବର ନେତୃତ୍ୱ ପରିବର୍ତନ ପାଇଁ ଗୋଟି ଚଳାଇ ଥିବା ନେତାଙ୍କ ମୁହଁରୁ ହସ ଲିଭାଇ ଦେଇଥିବା ବେଳେ ପିସିସି ସଭାପତି ପ୍ରସାଦଙ୍କୁ ପୁଣି ଥରେ ଅଂଟା ଭିଡ଼ିବାର ସୁଯୋଗ ଦେଇଛି । ଦୀର୍ଘ ଦିନର ନୀରବତା ପରେ ପ୍ରସାଦ ରାଜଧାନୀରେ ଯୁବ କଂଗ୍ରେସର ବିରାଟ ପଟୁଆର ଆଳରେ ତାଙ୍କ ପ୍ରତି ଏଆଇସିସିର ଭରସା ଏପର୍ଯ୍ୟନ୍ତ ଅତୁଟି ରହି ଥିବା ପ୍ରମାଣ କରିଛନ୍ତି । ଯୁବ କଂଗ୍ରେସ ପଟୁଆର ପୁଣି ଥରେ ରାଜ୍ୟ କଂଗ୍ରେସ ରାଜନୀତିକୁ ଚଳାଚଂଚଳ କରିଛି । ଏହାଛଡା, ରାଜ୍ୟରେ କଂଗ୍ରେସର ସାଂଗଠନିକ କରାଇବାକୁ ପ୍ରସାଦଙ୍କ ଆଜିର (୧୮ ତାରିଖ) ଘୋଷଣା ମଧ୍ୟ ଅସନ୍ତୁଷ୍ଟଙ୍କୁ ଚକ୍ମା ଦେବାକୁ ଏକ ଚତୁର ଚାଲ୍ ଭାବେ ବିଚାର କରାଯାଉଛି । ତଥାପି, ପରିବର୍ତନ ସପକ୍ଷବାଦୀଙ୍କ ଆଶା ମଉଳି ନାହିଁ । ଜଣେ, ଅଧେ ନୁହଁ; ରାଜ୍ୟର ପାଖାପାଖି ୪୦ ନେତା ରାହୁଲଙ୍କୁ ଭେଟି ପଂଚାୟତ ନିର୍ବାଚନରେ କଂଗ୍ରେସର ବିଫଳତା ଏବଂ ସାଂଗଠନିକ ପରିବର୍ତନର ଆବଶ୍ୟକତା ଉପରେ ଆଲୋଚନା କରି ଥିବାରୁ ଏଆଇସିସି ଖୁବ୍ ଶୀଘ୍ର କିଛି ପଦକ୍ଷେପ ନେବ ବୋଲି ସେମାନେ ଆଶା ରଖିଛନ୍ତି । ପରିବର୍ତନ ହେଲେ, ତାହା କେଉଁ ଧରଣର ହେବ, ସେ ନେଇ ଏବେ ଚର୍ଚା ଚାଲିଛି । ବର୍ତମାନର ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ନ ବଦଳାଇ ତାଙ୍କୁ ସହାୟତା କରିବା ପାଇଁ କିଛି ନେତାଙ୍କ ନେଇ କୋର୍ କମିଟି ଗଠନ କରା ଗଲେ ଦଳ ଉପରେ ସଂପୂର୍ଣ ନିୟଂତ୍ରଣ ଚାହୁଁଥିବା ନେତାମାନଙ୍କ ସ୍ୱାର୍ଥ ସାଧନ ହେବ ନାହିଁ । ଅପରପକ୍ଷରେ, ତାହା ବାମପନ୍ଥୀ ଦଳଙ୍କ ସାଂଗଠନିକ ଢାଂଚାର ରୂପରେଖ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତ ଦେଉଛନ୍ତି । ଅତୀତରେ, ଏଆଇସିସି ପକ୍ଷରୁ ଓଡ଼ିଶାରେ ଏଭଳି ଏକ ପରୀକ୍ଷା ନିରୀକ୍ଷା ହୋଇଥିଲା । କିନ୍ତୁ, ତାହା ବିଶେଷ ଫଳପ୍ରଦ ହୋଇ ନ ଥିଲା । ବର୍ତମାନ ପୁଣି ଥରେ ସମାନ କୌଶଳର ପ୍ରୟୋଗ ରାଜ୍ୟରେ କଂଗ୍ରେସର ସ୍ଥାଣୁ ଅବସ୍ଥା ଦୂର କରିବାରେ ବିଶେଷ ସହାୟକ ହେବ ନାହିଁ ବୋଲି ସେମାନଙ୍କ ମତ ।
୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଉଭୟ ବିଜେଡ଼ି ଓ ବିଜେପି ସହ କଂଗ୍ରେସର ମୁକାବିଲା ହେବ । କାହା ନେତୃତ୍ୱରେ ଦଳ ଏହି ନିର୍ବାଚନର ଲଢିବ, ସେ ନିଷ୍ପତ୍ତି ନେବେ କଂଗ୍ରେସ ହାଇକମାଣ୍ଡ୍ । ଏହି ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି ବୋଲି ଅସଂତୁଷ୍ଟ ନେତାଙ୍କ ମତ । ୨୦୧୪ ସାଧାରଣ ନିର୍ବାଚନ ବେଳେ କଂଗ୍ରେସ ହାଇକମାଣ୍ଡ୍ ରାଜ୍ୟ ନେତୃତ୍ୱକୁ ଏକ ଝଟକା ଦେଇଥିଲେ । ପିସିସି ସଭାପତି ଥିବା ନିରଂଜନ ପଟ୍ଟନାୟକଙ୍କୁ ଠିକ୍ ନିର୍ବାଚନ ପୂର୍ବରୁ ହଟାଇ ଦେଇ ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କୁ ଦାୟିତ୍ୱ ଦେଲେ । ଦଳିତ ଭୋଟ ହାତେଇବା ଲକ୍ଷ୍ୟରେ ଏଭଳି କରାଗଲା ବୋଲି ସେତେବେଳେ ଚର୍ଚା ହେଲା । ନିରଂଜନ ଦିନ, ରାତି ପରିଶ୍ରମ କରି ରାଜ୍ୟରେ ଦଳର ସଂଗଠନ ତିଆରି କରିଥିଲେ ସିନା ୨୦୧୪ ନିର୍ବାଚନ ପାଇଁ ଦଳର ଟିକଟ ବାଂଟିଲେ ଜୟଦେବ, ତାଙ୍କ ପୁଅ ସଂଗ୍ରାମ ଓ ସେତେବେଳେ କେନ୍ଦ୍ର ମନ୍ତ୍ରୀ ଥିବା ଶ୍ରୀକାନ୍ତ ଜେନା । ଟିକଟ ବଂଟା କେଳେକାଂରୀ ଏକ ଅଭୁଲା ସ୍ମୃତି ହୋଇ ରହି ଯାଇଛି । ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପୁନର୍ବାର ପିସିସି ସଭାପତି ପରିବର୍ତନର ବାଟ ଖୋଲି ଥିଲା ।
‘ମୁଁ’ ନୁହେ ‘ଆମେ’ ସ୍ଲୋଗାନରୁ ସଂଗଠନ ଆରମ୍ଭ କରିଥିବା ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଆରମ୍ଭରୁ ଦଳର ବରିଷ୍ଠ ନେତାମାନଙ୍କୁ ଚକ୍ଷୁଶୂଳ ହୋଇ ରହିଛନ୍ତି । ପିସିସି ଓ କଂଗ୍ରେସ ବିଧାୟକ ଦଳ ମଧ୍ୟର ଫାଟ ସୃଷ୍ଟି ହେବା ଏବଂ ବିଭିନ୍ନ ଇସ୍ୟୁରେ ପିସିସି ସଭାପତି ଓ କଂଗ୍ରେସ ବିଧାୟକ ଦଳ ନେତା ଭିନ୍ନ ଭିନ୍ନ ରଣକୌଶଳ ଆପଣାଇ ଏହି ଫାଟକୁ ଅଧିକ ଉଜାଗର କରିବା ପଂଚାୟତ ନିର୍ବାଚନରେ ଦଳର ବିପର୍ଯ୍ୟୟର ମୁଖ୍ୟ କାରଣ ଭାବେ ବିଚାର କରାଯାଉଛି । ଏହା ପଛରେ ଯେଉଁମାନଙ୍କ ପ୍ରଚ୍ଛନ୍ନ ହାତ ଥିଲା ସେମାନେ ଏବେ ନେତୃତ୍ୱ ପାଇଁ ଆଶାୟୀ । ବୋଧହୁଏ, ରାହୁଲ ଏହା ଜାଣିବା ପରେ ଅଧିକ ଆଲୋଚନାକୁ ଟାଳି ଦେଇଛନ୍ତି । ପ୍ରସାଦଙ୍କ ନେତୃତ୍ୱକୁ ସହାୟତା ପାଇଁ କୋର୍ କମିଟି ଗଠନ କଥା ଉଠିଛି । ପରିବର୍ତିତ ପରିସ୍ଥିତି ରାଜ୍ୟରେ କଂଗ୍ରେସ ନେତୃତ୍ୱ ପରିବର୍ତନ ରାଜନୀତିକୁ ସାମୟିକ ଭାବେ ଶିଥିଳ କରି ଦେଇଛି ସିନା ପରିବର୍ତନ ସପକ୍ଷବାଦୀଙ୍କୁ ସବୁ ଦିନ ପାଇଁ ଥଣ୍ଡା ବାକ୍ସକୁ ଠେଲି ଦେବାରେ ସକ୍ଷମ ହେବ ନାହିଁ ବୋଲି ଚର୍ଚା ହେଉଛି ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS