ଅଗଷ୍ଟର ଦୁଃଖ : ୧୬ ଦିନରେ ଟଳିଲେ ତିନି ତୁଙ୍ଗ ନେତା – କରୁଣାନିଧୀ, ସୋମନାଥଙ୍କ ପରେ ଅଟଳ ବିହାରୀ ବାଜପେୟୀ
ନୂଆଦିଲ୍ଲୀ, ଅଗଷ୍ଟ ୧୭ (ପ୍ରସାଦ ରାଓ): ଅଗଷ୍ଟ ୨୦୧୮ ଯେମିତି ଭାରତର ବରିଷ୍ଠ ରାଜନେତାଙ୍କ ପାଇଁ ବିଦାୟର ମାସ ହୋଇଛି । ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡ଼ିଏମକେ ପ୍ରତିଷ୍ଠାତା ଏମ. କରୁଣାନିଧୀ ଏହି ମାସ ୭ ତାରିଖ ସନ୍ଧ୍ୟା ୬ଟା ୧୦ ମିନିଟରେ ଚେନ୍ନାଇର ଏକ ଘରୋଇ ହସପିଟାଲରେ ଦେହତ୍ୟାଗ କଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇ ଥିଲା । ସେ ୧୩ ଥର ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହେବା ସହ ୫ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । କେବଳ ତାମିଲ ରାଜନୀତି ନୁହେଁ, ଭାରତୀୟ ରାଜନୀତିରେ ମଧ୍ୟ ତାଙ୍କ ଯୋଗଦାନ ଅବିସ୍ମରଣୀୟ ଥିଲା । ତାଙ୍କ ମୃତ୍ୟୁରେ ଭାରତୀୟ ରାଜନୀତି ଜଣେ ତୁଙ୍ଗ ନେତାଙ୍କୁ ହରାଇଲା।
ଠିକ ସାତ ଦିନ ପରେ ଅଗଷ୍ଟ ୧୩ ତାରିଖରେ ଭାରତୀୟ ରାଜନୀତିର ଆଉ ଜଣେ ବିଜ୍ଞ ନେତା ତଥା ମାର୍କସବାଦର ପ୍ରବକ୍ତା ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ସେ ମଧ୍ୟ ୧୦ ଥର ସିପିଏମ୍ (ମାର୍କସବାଦୀ କମ୍ୟୁନିଷ୍ଟ ପାର୍ଟି)ର ସାଂସଦ ଭାବେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ଥରେ ମାତ୍ର ସେ ୧୯୮୪ରେ ଯାଦବପୁର ନିର୍ବାଚନ ମଣ୍ଡଳୀରୁ ବର୍ତର୍ମାନର ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀଙ୍କ ଠାରୁ ନିର୍ବାଚନ ହାରି ଥିଲେ । ୨୦୦୪ରୁ ୨୦୦୯ ୟୁପିଏ-୧ ସରକାରରେ ସେ ଲୋକସଭାର ବାଚସ୍ପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୧ ସରକାର ସିପିଏମ୍ ସମର୍ଥନରେ ଚାଲି ଥିଲା । ତେଣୁ, ସୋମନାଥଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦ ମିଳି ଥିଲା । ଲୋକସଭା ବାଚସ୍ପତି ଭାବେ ସେ ନିରପେକ୍ଷତାର ମିଶାଲ ସୃଷ୍ଟି କରିଛନ୍ତି । ତାଙ୍କ ମତରେ ଲୋକସଭା ବାଚସ୍ପତି ପଦ ଥିଲା ଦଳମତରୁ ଉଦ୍ଧ୍ୱର୍ରେ । ୨୦୦୮ରେ ଆମେରିକା-ଭାରତ ମଧ୍ୟରେ ହୋଇଥିବା ଏକ ଆଣବିକ ଚୁକ୍ତିକୁ ବିରୋଧ କରି ସିପିଏମ୍ ୟୁପିଏ-୧ ସରକାରଙ୍କ ଠାରୁ ନିଜର ସମର୍ଥନ ପ୍ରତ୍ୟାହାର କରିବାରୁ ସେମାନାଥଙ୍କ ରାଜନୈତିକ ଜୀବନରେ ଝଡର ସୂତ୍ରପାତ ହୋଇଥିଲା । ସିପିଏମ୍ ପଲିଟିବ୍ୟୁରୋ ୟୁପିଏ ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିବା ସହ ସୋମନାଥଙ୍କୁ ବାଚସ୍ପତି ପଦରୁ ଇସ୍ତଫା ଦେଇ ଲୋକସଭାରେ ସରକାରଙ୍କ ବିରୋଧରେ ଭୋଟ ଦେବାକୁ ନିର୍ଦେଶ ଦେଇଥିଲା, ଯାହାକୁ କି ସୋମନାଥ ଚାଟାର୍ଜୀ ଅଣ ଦେଖା କରି ବାଚସ୍ପତି ଆସନରେ ବସି ଅନାସ୍ଥା ପ୍ରସ୍ତବା ଉପରେ ଭୋଟ କରାଇ ଥିଲେ। ୟୁପିଏ-୧ ସରକାର ଅନାସ୍ଥା ଭୋଟରେ ବିଜୟୀ ହେବାରୁ କ୍ଷୁବ୍ଧ ସିପିଏମ୍ ପଲିଟିବ୍ୟୁରୋ ସୋମନାଥଙ୍କୁ କାରଣଦର୍ଶା ନୋଟିସ ନ ଦେଇ ଦଳରୁ ବହିଷ୍କାର କରିଥିଲା । କିନ୍ତୁ, ସୋମନାଥ ଚାଟାର୍ଜୀ ୨୦୦୯ ପର୍ଯ୍ୟନ୍ତ ବାଚସ୍ପତି ପଦରେ ରହି ଗୃହ ପରିଚାଳନା କରିବା ସହ ଜଣେ ଆଦର୍ଶବାଦୀ ନେତାର ପରିଚୟ ସୃଷ୍ଟି କରିଥିଲେ । ସେ ଆଜି ବି କେବଳ ମାର୍କସବାଦୀ ଚିନ୍ତାଧାରା ଭିତରେ ନୁହେଁ, ଦଳମତ ନିର୍ବିଶେଷରେ ସମସ୍ତ ଭାରତୀୟଙ୍କ ହୃଦରେ ମହାନ ନେତା ହୋଇ ରହିଛନ୍ତି ।
ସୋମନାଥଙ୍କ ମୃତ୍ୟୁର ଶୋକ ନ ସରୁଣୁ ତିନି ଦିନ ପରେ ଆଉ ଜଣେ ଚିନ୍ତାନାୟକ ତଥା ଆଦର୍ଶବାଦୀ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଦେଶ ହରାଇଛି । ଅଗଷ୍ଟ ୧୬ ତାରିଖ ସନ୍ଧ୍ୟା ୫ଟା ୦୫ ମିନିଟରେ ୯୩ ବର୍ଷ ବୟସରେ ନୂଆଦିଲ୍ଲୀର ‘ଏମସ୍’ରେ ତାଙ୍କର ଦେହାନ୍ତ ଘଟିଛି । ବାଜପେୟୀ ଆରଏସଏସ ଓ ଜନସଂଘ ସହିତ ଜଡିତ ଥିଲେ ମଧ୍ୟ ଦଳମତ ନିର୍ବିଶେଷରେ ସମସ୍ତ ଭାରତୀୟ ତାଙ୍କୁ ଭଲ ପାଉ ଥିଲେ । ୧୯୨୪ ମସିହା ଡ଼ିସେମ୍ବର ୨୫ ତାରିଖରେ ମଧ୍ୟ ପ୍ରଦେଶର ଗୋୱାଲିୟର ସହରରେ ଜନ୍ମିତ ବାଜପେୟୀ ଭାରତୀୟ ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ଥିଲେ । ‘ହିନ୍ଦତ୍ୱ’ ଉପରେ ଆଧାରିତ ଭାରତୀୟ ଜନସଂଘକୁ ଧର୍ମନିରପେକ୍ଷ ଦଳମାନେ ଭାରତୀୟ ରାଜନୀତିରୁ ଦୂରେଇ ରଖିବାକୁ ଯଥା ସମ୍ଭବ ଉଦ୍ୟମ କରିଥିଲେ ମଧ୍ୟ ୧୯୭୬ରେ ତକ୍ରାଳୀନ କଂଗ୍ରେସ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶରେ ଜରୁରୀ ପରିସ୍ଥିତି ଜାରି କରି ଦେଶର ରାଜନୈତିକ ସମୀକରଣକୁ ବଦଳାଇ ଦେଇଥିଲା । ଜରୁରୀ ପରିସ୍ଥିତି ସମୟରେ ଦେଶର ହଜାର ହଜାର ରାଜନେତା, ସାମ୍ବାଦିକ, ବୁଦ୍ଧିଜୀବୀ ଓ ବିରୋଧୀ ଦଳ କର୍ମୀଙ୍କୁ କଂଗ୍ରେସ ସରକାର ଜେଲରେ ପୁରାଇ ୧୯ ମାସ କାଳ ଅଟକ ରଖିଥିଲେ । ସମାଜବାଦୀ ନେତା ଜୟପ୍ରକାଶ ନାରାୟଣଙ୍କ ଆନେ୍ଦାଳନରେ ସାମିଲ ଥାଇ ଜେଲ୍ ବରଣ କରିଥିବା ରାଜନେତାଙ୍କ ମଧ୍ୟରେ ଥିଲେ ଅଟଳ ବିହାରୀ ବାଜପେୟୀ । ଦେଶରୁ ଜରୁରୀ ପରିସ୍ଥିତି ହଟିବା ପରେ ଇନ୍ଦିରା ସରକାରଙ୍କ ପତନ ଘଟି ଥିଲା ଏବଂ ବରୋଧୀମାନେ ଏକାଠି ହୋଇ ଯେଉଁ ସରକାର ଗଠନ କରିଥିଲେ ସେଥିରେ ପ୍ରଧାନମନ୍ତ୍ରୀ ହୋବାର ସୁଯୋଗ ପାଇ ଥିଲେ ମୋରାରଜୀ ଦେଶାଇ । ଜନତା ସରକାରରେ ବାଜପେୟୀ ହୋଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ।
ମୋରାରଜୀ ଦେଶାଇଙ୍କ ପରେ ଭିପି ସିଂହ, ଚନ୍ଦ୍ରଶେଖର ଓ ଦେବେଗୌଡା ପ୍ରଧାନମନ୍ତ୍ରୀ ଭାବେ ଦେଶର ଅଣ-କଂଗ୍ରେସ ସରକାରର ନେତୃତ୍ୱ ନେଲେ । ତେବେ, କୌଣସି ସରକାର ଅଧିକ ଦିନ ତିଷ୍ଠି ପାରିଲା ନାହିଁ । ୧୯୮୦ରେ ମୋରାରଜୀ ଦେଶାଇ ସରକାରଙ୍କ ପତନ ଘଟିବା ପରେ ଅଟଳ ବିହାରୀ ବାଜପେୟୀ ଜନସଂଘକୁ ପୁନର୍ଗଠନ କରି ଭାରତୀୟ ଜନତା ପାର୍ଟି (ବିଜେପି)ରେ ପରିଣତ କରିବା ସହ ଅଣ-କଂଗ୍ରେସ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ବାଜପେୟୀଙ୍କ ସହ ତାଙ୍କ ଘନିଷ୍ଟ ସହଯୋଗୀ ଲାଲକୃଷ୍ଣ ଆଡଭାନୀ ବିଜେପିକୁ ଦୁବ ଘାସରୁ ବଟ ବୃକ୍ଷରେ ପରିଣତ କରିବାରେ ଯେଉଁ ଅସୀମ ଧୌର୍ଯ୍ୟ ଦେଖାଇ ଥିଲେ ତାହାର ସୁଫଳ ମିଳିଲା ୧୯୯୬ରେ । ଦିବଙ୍ଗତ ନେତା ବାଜପେୟୀ ୧୯୯୬ରେ ମାତ୍ର ୧୩ ଦିନ ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇ ଥିଲେ ମଧ୍ୟ ପରବର୍ତର୍ୀ ସମୟରେ ଦେଶର ମଙ୍ଗ ଧରି ଥିଲେ । ୧୯୯୮-୯୯ରେ ସେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ପଦରେ ଥିଲେ । ତେବେ, ୧୯୯୯ରେ ହୋଇଥିବା ଆଗୁଆ ସାଧାରଣ ନିର୍ବାଚନରେ ସେ ବିଜେପି ନେତୃତ୍ୱାଧୀନ ଏନଡ଼ିଏ (ଜାତୀୟ ଗଣତାନ୍ତ୍ରିକ ମେଂଟ)କୁ ବିଜୟୀ କରାଇ ଦେଶକୁ ଏକ ସ୍ଥିର ସରକାର ଦେବାରେ ସକ୍ଷମ ହୋଇଥିଲେ । ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ରହି ଥିଲେ । ସେ ହେଉଛନ୍ତି ଏକମାତ୍ର ବିରୋଧୀ ରାଜନେତା ଯିଏକି ଜଣେ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ପୂର୍ଣ୍ଣ କାଳ (୫ ବର୍ଷ) ଶାସନ କରିଥିଲେ । କିନ୍ତୁ, ବାଜପେୟୀଙ୍କ ନେତୃତ୍ୱରେ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ) ୨୦୦୪ ସାଧାରଣ ନିର୍ବାଚନରେ ପରାଜିତ ହୋଇଥିଲା । କଂଗ୍ରେସ ନେତୃତ୍ୱରେ ୟୁପିଏ (ମିଳିତ ପ୍ରଗତିଶୀଳ ମେଂଟ) କ୍ଷମତାକୁ ଫେରି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ସରକାର ଚାଲାଇ ଥିଲା । ୨୦୦୯ ପର୍ଯ୍ୟନ୍ତ ବାଜପେୟୀଙ୍କ ଲୋକସଭା ନିର୍ବାଚନ ମଂଡଳୀ ଥିଲା ଉତ୍ତର ପ୍ରଦେଶର ଲକ୍ଷ୍ନୌ ସଂସଦୀୟ କ୍ଷେତ୍ର । ତେବେ, ଅଚାନକ ହୃଦଘାତରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ୱାସ୍ଥ୍ର୍ୟଗତ ସମସ୍ୟାର ସମ୍ମୁଖୀନ ହେବା ପରେ ସେ ୨୦୦୯ରେ ସକ୍ରୀୟ ରାଜନୀତିରୁ ଓହରି ଯାଇ ଦଳକୁ ଆଡଭାନୀଙ୍କ ହାତରେ ଛାଡି ଦେଇ ଥିଲେ ।
ବାଜପେୟୀ ହେଉଛନ୍ତି ଦେଶର ଅନ୍ୟତମ ଅଣ-କଂଗ୍ରେସ ନେତା ଯିଏକି ୪୦ ବର୍ଷରୁ ଉଦ୍ଧ୍ୱର୍ ସମୟ ସଂସଦକୁ ନିର୍ବାଚିତ ହୋଇଛନ୍ତି । ସେ ୧୦ ଥର ଲୋକସଭାକୁ ଓ ୨ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ତାଙ୍କୁ ଭାରତ ସରକାର ‘ପଦ୍ମ ବିଭୂଷଣ’ରେ ଭୂଷିତ କରିଥିଲେ । ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ ପୁନଶ୍ଚ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ପରେ ୨୦୧୫ରେ ତାଙ୍କୁ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନୀତ କରାଯାଇଛି । ୨୦୧୮ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟାରେ ବାଜପେୟୀଜୀଙ୍କ ମୃତ୍ୟୁ ଭାରତୀୟ ରାଜନୀତିରେ ଏକ ଯୁଗର ଅବସାନ ଘଟାଇଛି । ଗୋଟିଏ ମାସର ପ୍ରଥମ ୧୬ଦିନରେ ଦେଶର ତିନି ଜଣ ତୁଙ୍ଗ ନେତାଙ୍କ ବିୟୋଗ ଏକ ଆକସ୍ମିକ ଯୋଗାଯୋଗ ବୋଲି କୁହାଯାଇପାରେ । ତେବେ, ଦେଶ ହରାଇଛି ପ୍ରବୀଣଙ୍କୁ । କରୁଣାନିଧୀ ଜଣେ ଅଭିନେତାରୁ ରାଜନେତା ହୋଇ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ଲଢି ଥିଲେ ତାମିଲ ଅସ୍ମିତା ପାଇଁ । କରୁଣାନିଧୀଙ୍କ ବ୍ରାହ୍ମଣ-ବିରୋଧୀ ରାଜନୀତି ତାଙ୍କୁ ଦଳିତଙ୍କ ନିକଟରେ ଭଗବାନ ଭାବେ ରୂପାନ୍ତର କରି ଥିଲା । ପଶ୍ମିମ ବଂଗର ‘ବଂଗାଳୀ ବାବୁ’ ସୋମନାଥ ଚାଟାର୍ଜୀ କୋଲକାତା ସହରରେ ଜଣେ ଓକିଲ ଭାବେ କର୍ମମୟ ଜୀବନ ଆରମ୍ଭ କରିଥିଲେ ମଧ୍ୟ ମାର୍କସବାଦ ଚିନ୍ତାଧାରା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜର ଦକ୍ଷତା ବଳରେ ରାଜନୈତିକ ଶିଖରରେ ପହଂଚି ଥିଲେ । ସଂସଦୀୟ ରାଜନୀତିରେ ଜଣେ ଦକ୍ଷ, ନିରପେକ୍ଷ ଓ ବିଜ୍ଞ ରାଜନୀତିଜ୍ଞ ଭାବେ ସେ ନିଜ ଛାପ ଛାଡି ଯାଇଛନ୍ତି । ଲୋକସଭା ବାଚସ୍ପତି ଭାବେ ତାଙ୍କ ଭୂମିକାକୁ ଶତୃ ମଧ୍ୟ ପ୍ରଶଂସା କରୁଛନ୍ତି । ସେହିପରି, ବାଜପେୟୀଙ୍କୁ ଯେତେ ପ୍ରଶଂସା କଲେ ବି ସରିବ ନାହିଁ । ଜଣେ ହିନ୍ଦୁବାଦୀ ନେତା ହୋଇ ମଧ୍ୟ ସେ ବିଚକ୍ଷଣ ବକ୍ତା, କବି ଓ ପ୍ରଶାସକ ଭାବେ ସମଗ୍ର ଭାରତବାସୀଙ୍କ ହୃଦୟ ଜିଣିଛନ୍ତି । ଏହି ତିନି ନେତାଙ୍କ ଶରୀର ମାଟିରେ ମିଶି ଯାଇଛି ସିନା ସେମାନଙ୍କ ଗୁଣ ଚିରକାଳ ପାଇଁ ଅବସ୍ମରଣୀୟ ରହିବ, ଏଥିରେ କୌଣସି ସନ୍ଦେହ ନାହିଁ ।
Share this:
Good article. We lost Stalwarts of Indian Politics in this month.
thanks