ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଶୁଭେଚ୍ଛୁ ଚିନ୍ତାରେ
ନୂଆଦିଲ୍ଲୀ, ଅଗଷ୍ଟ ୧୬ (ପ୍ରସାଦ ରାଓ): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱସ୍ଥ୍ୟାବସ୍ଥାକୁ ନେଇ ଶୁଭେଚ୍ଛୁ ଓ ସମର୍ଥକମାନେ ଚିନ୍ତାରେ । ବିଭିନ୍ନ ଗୁଜବକୁ ନେଇ ଚିନ୍ତା ବଢୁ ଥିବା ବେଳେ ବାଜପେୟୀଜୀ ‘ଏମସ୍’ର ଆଇସିୟୁରେ ଲାଇଫ୍ ସପୋର୍ଟ ସିଷ୍ଟମ୍ ସହାୟତାରେ ଜୀବିତ ଥିବା ଅପରାହ୍ନ ସୁଦ୍ଧା ଖବର ମିଳିଛି । ତାଙ୍କ ଅବସ୍ଥା ବିଗୁଡୁ ଥିବା ଖବର ପାଇ ‘ଏମସ୍’ ମୁଖ୍ୟ ଫାଟକ ନିକଟରେ ଲକ୍ଷାଧିକ ସଂଖ୍ୟକ ଶୁଭେଚ୍ଛୁ ଓ ସମର୍ଥକଙ୍କ ସମାଗମ ହେଲାଣି । ପରିସ୍ଥିତିକୁ ଦେଖି ‘ଏମସ୍’ ବାହାରେ ବ୍ୟାପକ ସଶସ୍ତ୍ର ପୁଲିସ ମୁତୟନ କରାଯାଇଛି । ଭାରତର ଉପ ରାଷ୍ଟ୍ରପତି ଏମ. ଭେଙ୍କାୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା, କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ‘ଏମସ୍’କୁ ଯାଇ ବାଜପେୟୀଙ୍କ ସ୍ୱାସ୍ଥାବସ୍ଥା ସଂପର୍କରେ ଖବର ନେଇ ଥିବା ବେଳେ ପଶ୍ଚିମ ବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜର ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ନୂଆଦିଲ୍ଲୀରେ ପହଂଚି ଥିବା ସୂଚନା ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ‘ଏମସ୍’କୁ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ । ବାଜପେୟୀଙ୍କ ଘନିଷ୍ଟ ମିତ୍ର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ତାଙ୍କ ଝିଅ ପ୍ରତିଭା ଆଡଭାନୀ ସହ ‘ଏମସ୍’ ଯାଇ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି ।
୯୩ ବର୍ଷ ବୟସ୍କ ବାଜପେୟୀଙ୍କୁ କିଡ଼ନୀ ଜନିତ ସଂକ୍ରମଣ ସହ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ ଜୁନ ୧୧ ତାରିଖରୁ ‘ଏମସ୍’ରେ ଭର୍ତର୍ି କରା ଯାଇଛି । ସ୍ୱାସ୍ଥ୍ୟାବସ୍ଥା ସୁଧୁରୁଛି ବୋଲି ଡ଼ାକ୍ତରମାନେ କହି ଆସୁଥିଲେ। ତେବେ, ଦୁଇ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟବାସ୍ଥା ଜଟିଳ ହୋଇ ଅପସ୍ଥା ବଦଳୁ ନ ଥିବାରୁ ତାଙ୍କୁ ଆଇସିୟୁରେ ଲାଇଫ ସପୋର୍ଟ ସିଷ୍ଟମ୍ ରେ ରଖା ଯାଇଛି । ଆଜି ଅପରାହ୍ନ ସୁଦ୍ଧା ତାଙ୍କ ସ୍ୱାସ୍ଥାବସ୍ଥା ଅପରିବର୍ତର୍ିତ ରହି ଥିବା ଚିକିତ୍ସା କରୁଥିବା ଡାକ୍ତରମାନେ ଜଣାଇବା ପରେ ‘ଏମସ୍’ରେ ବିଜେପି ନେତାଙ୍କ ଭିଡ ଜମିଛି । ବାଜପେୟୀ ଓ ତାଙ୍କ ଅତି ଘନିଷ୍ଟ ସହଯୋଗୀ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଟ ଆଡଭାନୀ (୧୯୯୮ରୁ ୨୦୦୪) ବିଜେପିର ପ୍ରତିଷ୍ଠାତା ସଦସ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ୧୯୮୦ରେ ଦୁହେଁ ଜନସଂଘକୁ ବିଜେପିର ରୂପ ଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ କେବଳ ଜଣେ ବିଜ୍ଞ ରାଜନେତା ନୁହଁନ୍ତି, ଜଣେ ବାଗ୍ନୀ, ମିଷ୍ଠଭାଷୀ, ଜନପ୍ରିୟ, ଶାନ୍ତ, ସୁଶିଳ ନେତା ଭାବେ ପରିଚିତ ର ତାଙ୍କ ଓଜସ୍ୱିନୀ ଭାଷଣ ଓ କବିତା ଜନମାନସକୁ ପ୍ରଭାବିତ କଲା ଭଳି ଶକ୍ତି ରଖୁ ଥିଲା । ଜଣେ ବିଚକ୍ଷଣ ବକ୍ତା ଓ କବି ଭାବରେ ସେ ସମଗ୍ର ବିଶ୍ୱରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି । ଅଶି ଦଶକରେ ବାଜପେୟୀ ଓ ଆଡ଼ଭାନୀଙ୍କୁ ନେଇ ଆରମ୍ଭ ହୋଇଥିବା ଭାରତୀୟ ଜନତା ପାର୍ଟି ବା ବିଜେପି ଆଜି ଦେଶର ସଂସଦରେ ସର୍ବ ବୃହତ ଦଳ ଭାବେ ଉଭା ହୋଇ କ୍ଷମତାସୀନ ରହିଛି । ଏହି ମହାନ ଜନନେତା ଜୀବନର ଶେଷ ଅବସ୍ଥାରେ ପହଂଚି ଥିବା ଦେଖି ତାଙ୍କ ସମର୍ଥକ ଓ ଶୁଭେଚ୍ଛୁମାନେ ବ୍ୟାକୁଳ । ୨୦୦୯ ପର୍ଯ୍ୟନ୍ତ ତାଙ୍କ ଲୋକସଭା କ୍ଷେତ୍ର ଥିବା ଲକ୍ଷ୍ନୌ ନିର୍ବାଚନ ମଂଡଳୀ ସମେତ ଦେଶରେ ବିଭିନ୍ନ ସ୍ଥାନରେ ବାଜପେୟୀଙ୍କ ଆରୋଗ୍ୟ କାମନା କରି ପୂଜାପାଠ ଚାଲି ଥିବା ସୂଚନା ମିଳିଛି ।
ଅଟଳ ବିହାରୀ ହେଉଛନ୍ତି ତିନିଟି ପର୍ଯ୍ୟାୟରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ଏକମାତ୍ର ଅଣ-କଂଗ୍ରେସ ରାଜନେତା । ୧୯୯୬ରେ ସେ ପ୍ରଥମେ ଦେଶର ପ୍ରଧାନମନ୍ତ୍ରୀ ହୋଇ ୧୩ ଦିନ କ୍ଷମତାରେ ରହି ଥିଲେ । ତାହା ପରେ, ୧୯୯୮ରେ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହେଲେ । ୧୯୯୯ରେ ତାଙ୍କ ନେତୃତ୍ୱରେ ଦେଶରେ ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ) ସରକାର ପ୍ରତିଷ୍ଠା ହୋଇ ପୂର୍ଣ୍ଣ ପାଂଚ ବର୍ଷ କାଳ କ୍ଷମତାରେ ରହିଲା । ସେ ହେଉଛନ୍ତି ଦେଶର ପ୍ରତମ ଅଣ-କଂଗ୍ରେସ ପ୍ରଧାନମନ୍ତ୍ରୀ ଯିଏକି କେନ୍ଦ୍ରରେ ସରକାର ଗଠନ କରି ୫ ବର୍ଷ କ୍ଷମତାରେ ରହିଛନ୍ତି । ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ତାଙ୍କ ତାଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଦେଶରେ ଜାତୀୟ ରାଜପଥର ସଂପ୍ରସାରଣ ଓ ଉନ୍ନତିକରଣ ସମେତ ବହୁ ଉନ୍ନତିମୂଳକ କାର୍ଯ୍ୟ ହୋଇଛି । ତେଣୁ, ତାଙ୍କ ନେତୃତ୍ୱରେ ଏନଡ଼ିଏ ୨୦୦୪ ନିର୍ବାଚନରେ ପୁନର୍ବାର କ୍ଷମତାକୁ ଫେରିବା ବୋଲି ଥିବାରୁ ବିଜେପି ଆଶା ରଖି ଥିଲା । ବାଜପେୟୀଙ୍କ ନେତୃତ୍ୱରେ ଦଳ ଲଢି ‘ସାଇନିଂ ଇଣ୍ଡିଆ’ ସ୍ଲୋଗାନରେ ନିର୍ବାଚନ ଲଢି କଂଗ୍ରେସ ନେତୃତ୍ୱାଧୀନ ୟୁପିଏ (ୟୁନାଇଟେଡ୍ ପ୍ରେଗ୍ରୋସିଭ ଆଲାଇନ୍ସ) ଠାରୁ ପରାଜିତ ହୋଇ ଥିଲା । ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଡ. ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱରେ ଦେଶରେ ୟୁପିଏ-୧ ଓ ୟୁପିଏ-୨ ସରକାର କ୍ଷମତାସୀନ ରହିବା ପରେ ୨୦୧୪ରେ ପୁନର୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏନଡ଼ିଏ ସରକାର ପ୍ରତିଷ୍ଠା ହୋଇଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ୧୯୨୪ ମସିହା ଡ଼ିସେମ୍ବର ୨୫ ତାରିଖରେ ଉତ୍ତର ପ୍ରଦେଶର ଗୋୱାଲିୟର ସହରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କୁ ଦେଶ ପ୍ରଥମେ ‘ପଦ୍ମ ବିଭୂଷଣ’ ସମ୍ମାନ ଭୂଷିତ କରିଥିଲା । ପରେ, ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶରେ ଏନଡ଼ିଏ ସରକାର ପ୍ରତିଷ୍ଠା ହେବା ପରେ ବାଜପେୟୀଙ୍କୁ ୨୦୧୫ରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ଭୂଷିତ କରାଯାଇ ତାଙ୍କ ଜନ୍ମ ଦିନକୁ ଦେଶରେ ‘ସୁପ୍ରଶାସନ ଦିବସ’ (ଗୁଡ୍ ଗଭର୍ଣ୍ଣାଂସ୍ ଡ଼େ) ଭାବରେ ପାଳନ କରାଯାଉଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମୋରାରଜୀ ଦେଶାଇଙ୍କ ସରକାରରେ ବାଜପେୟୀ ଦେଶର ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିବା ସମୟରେ ପଡୋଶୀ ରାଷ୍ଟ୍ରଙ୍କ ସହ ଉତ୍ତମ ସଂପର୍କ ପ୍ରତିଷ୍ଠା କରି ବେଶ ସୁନାମ ଅର୍ଜନ କରିଥିଲେ । ଜନତା ସରକାରର ପତନ ପରେ ବାଜପେୟୀ ୧୯୮୦ରେ ଜନସଂଘକୁ ଭାରତୀୟ ଜନତା ପାର୍ଟିର (ବିଜେପି)ର ରୂପ ଦେଇ ଭାରତରେ ଅଣ-କଂଗ୍ରେସ ରାଜନୀତିକୁ ହୁଷ୍ଟପୃଷ୍ଟ କରିବାରେ ସହାୟକ ହୋଇଥିଲେ । ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ପହୋଶୀ ପାକିସ୍ତାନ ସହ ଉତ୍ତମ ସଂପର୍କ ପ୍ରତିଷ୍ଠା ଉଦ୍ୟମ ହୋଇଥିଲା । ତେବେ, କାର୍ଗିଲ ସମସ୍ୟା ସୃଷ୍ଟି କରି ପାକିସ୍ତାନ ଭାରତକୁ ସୀମିତ ଯୁଦ୍ଧ ପାଇଁ ବାଧ୍ୟ କରିଥିଲା । ଏହି ସୀମିତ ଯୁଦ୍ଧରେ ଭାରତୀୟ ଯବାନମାନେ ବୀରତ୍ୱର ସହ ଲଢି ଦେଶକୁ ବିଜୟ ଦେବା ସହ ବାଜପେୟୀଙ୍କ ମୁଣ୍ଡରେ ବୀଜୟ ଟୀକା ପିନ୍ଧାଇ ଥିଲେ । ବାଜପେୟୀ ୪୦ ବର୍ଷରୁ ଅଧିକ ସମୟ ଧରି ଦେଶର ସାଂସଦ ଭାବେ ଦାୟିତ୍ୱ ତୁଲାଇଛନ୍ତି । ସେ ଦଶ ଥର ଲୋକସଭା ଓ ଦୁଇ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ଥିଲେ । ୨୦୦୯ରେ ସ୍ୱାସ୍ଥ୍ୟଗତ କାରଣରୁ ସେ ସକ୍ରିୟ ରାଜନୀତିରୁ ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଲକ୍ଷ୍ନୌ ଥିଲା ତାଙ୍କ ନିର୍ବାଚନ କ୍ଷେତ୍ର ।
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS