କେବଳ ପୁଲିସ ଓ ଅର୍ଦ୍ଧ ସାମରିକ ବଳ ସ୍ୱାଧୀନତା ଦିବସ ପ୍ୟାରେଡରେ ଭାଗ ନେବେ
ଭୁବନେଶ୍ୱର, ଅଗଷ୍ଟ ୧୫ (ମୋଅନୁଭବ.କମ୍): ଉତ୍ତର ପଶ୍ଚିମ ବଂଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଂଚଳରେ ୪୮ ଘଂଟା ଧରି ପ୍ରବଳରୁ ପ୍ରବଳତର ବର୍ଷା ହେବା ସଂପର୍କରେ ଭାରତୀୟ ପାଣିପାଗ ସଂସ୍ଥା ପୂର୍ବାନୁମାନ କରି ଥିବାରୁ ସ୍ୱାଧୀନତା ଦିବସ ପ୍ୟାରେଡରେ ପ୍ରଥମ ଥର ପାଇଁ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ଭାଗ ନେଉ ନ ଥିବା ଏବଂ ଏଥି ଉପଲକ୍ଷେ ଆୟୋଜିତ ସମସ୍ତ କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସରକାର ବାତିଲ କରି ଦେଇଥିବା ଜଣାପଡିଛି । ଏଥର କେବଳ ପୁଲିସ ଓ ଅର୍ଦ୍ଧ ସାମରିକ ବଳ ପ୍ୟାରେଡରେ ଭାଗ ନେବେ । ସ୍ୱାଧୀନତା ଦିବସ ପ୍ୟାରେଡରେ ଯୋଗ ଦେଉଥିବା ଅତିଥିମାନଙ୍କ ପାଇଁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ସୂଚନା ମିଳିଛି । ରାଜ୍ୟ ସରକାର ଏସଂପର୍କରେ ବିଧିବଦ୍ଧ ଭାବେ ନିର୍ଦେଶନାମା ଜାରି କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ତାରିଖ ଦିନ ରାଜ୍ୟର ବନ୍ୟା ଓ ବର୍ଷା ପରିସ୍ଥିତି ସଂପର୍କରେ ସମୀକ୍ଷା କରିବା ସମୟରେ ଏହି ନିଷ୍ପତ୍ତି ନେଇ ଥିଲେ । ବଜ୍ରପାତରେ ଜୀବନହାନୀ ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥା ସ୍ୱରୂପ ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କୁ ଏଥରର ସ୍ୱାଧୀନତା ଦିବସ ପ୍ୟାରେଡରୁ ବାଦ୍ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ରାଜ୍ୟ ଗୃହ ବିଭାଗ ଶାସନ ସଚିବ ସନ୍ତୋଷ ବାଲା ରାଜ୍ୟର ସମସ୍ତ ରାଜସ୍ୱ କମିସନର, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଚିଠି ଲେଖି ସରକାରଙ୍କ ନିର୍ଦେଶନାମା ଜଣାଇ ଦେଇଛନ୍ତି । ସ୍ୱାଧୀନତା ଦିବସ ପ୍ୟାରେଡରେ ଯୋଗ ଦେଉ ଥିବା ଅନ୍ୟ ସମସ୍ତଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯିବାକୁ ସେମାନଙ୍କୁ କୁହାଯାଇଛି । ରାଜଧାନୀରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ୟାରେଡ ଏବଂ ଜିଲ୍ଲା ଓ ସବ୍ ଡ଼ିଭିଜନସ୍ତରରେ ହେବାକୁ ଥିବା ସ୍ୱାଧୀନତା ଦିବସ ପ୍ୟାରେଡକୁ ଯଥାସଂଭବ କାଠଛାଂଟ କରାଯିବାକୁ ମଧ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ରାଜ୍ୟ ସରକାର ସମ୍ଭାବ୍ୟ ପ୍ରଳୟଂକରୀ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିବା ସହ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପୂର୍ବରୁ ନିର୍ଦେଶ ଦେଇଛନ୍ତି । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, ନବରଙ୍ଗପୁର ଜିଲ୍ଲାରେ ଦୁଇ ଦିନ ଧରି ପ୍ରବଳରୁ ପ୍ରବଳତର ବୃଷ୍ଟିପାତ ହେବ ବୋଲି ପାଣିପାଗ ବିଭାଗ ସତର୍କ କରାଇ ଦେଇଛି । ରାଜ୍ୟର ଆନ୍ୟ ସବୁ ଅଂଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉ ଥିବାରୁ ସରକାର ସଜାଗ ଅଛନ୍ତି । ବର୍ଷା ସହ ବଜ୍ରପାତ ହେବା ସଂପର୍କରେ ମଧ୍ୟ ପାଣିପାଗ ବିଭାଗ ସତର୍କ କରାଇ ଦେଇ ଥିବାରୁ ସ୍କୁଲ, କଲେଜ ଛାତ୍ରଛାତ୍ରୀମାନେ ଯେଭଳି ବିପତ୍ତିରେ ନ ପଡ଼ିବେ ସେଥି ପାଇଁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଥିବା ସରକାରୀ ଭାବେ କୁହାଯାଇଛି । ୧୫ ତାରିଖ ରାଜ୍ୟସ୍ତରୀୟ ପ୍ୟାରେଡରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିବେ ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS