‘ଭୋଟ ଚୋରୀ’ରୁ ନଜର ହଟାଇବାକୁ ସମ୍ବିଧାନ ୧୩୦ତମ ସଂଶୋଧନ ?


ପ୍ରସାଦ ରାଓ
ସଂସଦର ଚଳିତ ମୌସୁମୀ ଅଧିବେଶନରେ କେନ୍ଦ୍ର ସରକାର ସମ୍ବିଧାନରେ ୧୩୦ତମ ସଂଶୋଧନ ପାଇଁ ବିଧେୟକ ଆଣିବା ଜାତୀୟ ରାଜନୀତିରେ ହଟ୍ଟଚମଟ ସୃଷ୍ଟି କରିଛି । ପାଂଚ ବର୍ଷରୁ ଅଧିକ ଦଣ୍ଡ ପ୍ରାବଧାନ ଥିବା ଯେକୌଣସି ଆପରାଧିକ ମାମଲାରେ ଗିରଫ ହୋଇ ୩୦ ଦିନ ଜେଲରେ ରହିଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ଯେକେହି କେନ୍ଦ୍ର ମନ୍ତ୍ରୀ ନିଜ ପଦରୁ ବହିଷ୍କୃତ ହେବେ ବୋଲି ଏହି ବିଧେୟକରେ ପ୍ରାବଧାନ ରହିଛି । ବିରୋଧୀ ଦଳମାନେ ଏହାକୁ ଏକ ‘କଳା ଆଇନ’ କହି ସଂସଦ ଭିତରେ ଓ ବାହାରେ ସରକାରଙ୍କୁ ଘେରୁଥିବା ଦେଖାବାକୁ ମିଳୁଛି । ବିରୋଧୀଙ୍କ ଅଭିଯୋଗ ହେଉଛି, ବିଜେପି ସରକାର ଥିବା ରାଜ୍ୟରେ ଯେତେଯାହା ଆପରାଧିକ କାର୍ଯ୍ୟକଳାପ ହେଲେ ମଧ୍ୟ ସରକାର ଆଖି ବୁଜି ଦେଉଛନ୍ତି । ଆପରାଧିକ ମାମଲାରେ ଅଭିଯୁକ୍ତ ଅଣ-ବିଜେପି ନେତାମାନେ ଥରେ ବିଜେପିରେ ସାମିଲ ହୋଇଗଲେ ସେମାନଙ୍କ ଅପରାଧକୁ ୱାସିମେସିନରେ ପକାଇ ଧୋଇ ଦିଆଯାଉଛି । ସେମାନେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ପଦରେ ବସି ଅବାଧ କ୍ଷମତା ଭୋଗ କରୁଛନ୍ତି । ତେବେ, ଅଣ-ବିଜେପି ଶାସିତ ରାଜ୍ୟର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ କୌଣସି ଠୋସ୍ ଭିତ୍ତି ନଥିବା ମାମଲାରେ ଛନ୍ଦି ହୋଇ ଇଡି, ସିବିଆଇ ଓ ଆୟକର ବିଭାଗର ଚଢାଉର ସମ୍ମୁଖୀନ ହେଉଛନ୍ତି ଏବଂ ସେମାନଙ୍କ ବିରୋଧରେ ପିଏମଏଲଏ ମାମଲା ରୁଜୁ କରାଯାଇ ଜେଲ ପଠାଇ ଦିଆଯାଉଛି । ପିଏମଏଲଏ ଭଳି ସଂଗୀନ ମାମଲାରେ କୋର୍ଟରୁ ଜାମିନ ମିଳିବା ସମୟ ସାପେକ୍ଷ ହେଉଥିବାରୁ ସେମାନେ ମାସାଧିକ କାଳ ଜେଲରେ ରହୁଛନ୍ତି । କେନ୍ଦ୍ର ସରକାର ସମ୍ବିଧାନର ୧୩୦ତମ ସଂଶୋଧନ ନାମରେ ସଂସଦରେ ଯେଉଁ ବିଧେୟକ ଉପସ୍ଥାପନ କରିଛନ୍ତି ତାହା ଥରେ ଆଇନରେ ପରିଣତ ହେଲେ ବିରୋଧୀ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରି ଜେଲରେ ପୁରାଇବା ଏବଂ ସେମାନଙ୍କୁ ୩୦ ଦିନ ଜେଲରେ ରଖି କ୍ଷମତାଚ୍ୟୁତ କରିବା ସରକାରଙ୍କ ପାଇଁ ସହଜ ହେବ । ଏହି ଲକ୍ଷ୍ୟ ହାସଲ ପାଇଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ସମ୍ବିଧାନର ୧୩୦ ତମ ସଂଶୋଧନ ବିଧେୟକ ସଂସଦରେ ଆଣିଛନ୍ତି । ଏହା ପଛରେ ଶାସକ ମେଂଟର ଗଭୀର ଷଡଯନ୍ତ୍ର ରହିଛି । ଅପରପକ୍ଷରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶାସକ ମେଂଟ ସଂସଦମାନେ ବିଧେୟକ ସପକ୍ଷରେ ଯୁକ୍ତି ଉପସ୍ଥାପନ କରୁଛନ୍ତି । ସଂସଦରେ ସମ୍ବିଧାନ ସଂଶୋଧନ ବିଧେୟକ ଉପସ୍ଥାପନ କରିଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଯୁକ୍ତି ହେଉଛି – ବି.ଆର.ଅମ୍ବେଦକରଙ୍କ ଭଳି ସମ୍ବିଧାନ ପ୍ରଣେତାମାନେ ସମ୍ବିଧାନ ଲେଖିବା ବେଳେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ ଭବିଷ୍ୟତରେ ଦେଶର ରାଜନୀତିରେ ଅପରାଧୀଙ୍କ ପ୍ରବେଶ ଓ ପ୍ରାଧାନ୍ୟ ବଢିବ । ଦାଗିମାନେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଆସନରେ ବସି ଦେଶର ଶାସନ ଡୋରିକୁ ଧରିବେ । ତେଣୁ, ସମ୍ବିଧାନ ଲେଖିବା ସମୟରେ ସେମାନେ ଶାସନକୁ ଅପରାଧୀ-ମୁକ୍ତ ରଖିବା ଦିଗରେ କୌଣସି ପ୍ରାବଧାନ କରିନଥିଲେ । ଗଲା କିଛି ବର୍ଷ ହେଲା ଏଭଳି ସମସ୍ୟା ଦେଖା ଦେଇଛି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନେ ଗୁରୁତର ଅପରାଧରେ ଅଭିଯୁକ୍ତ ହୋଇ ଗିରଫ ହେବା ସହ ମାସାଧିକ କାଳ ଜେଲରେ ରହୁଥିଲେ ମଧ୍ୟ ନୈତିକତା ଦୃଷ୍ଟିରୁ ନିଜ ପଦବୀରୁ ଇସ୍ତଫା ଦେଉ ନାହାନ୍ତି । ସେମାନଙ୍କୁ ପଦଚ୍ୟୁତ କରିବା ନେଇ ସମ୍ବିଧାନରେ କୌଣସି ବ୍ୟବସ୍ଥା ନଥିବାରୁ ଓଲଟା ସେମାନେ ଜେଲରୁ ଶାସନ କରିବେ ବୋଲି କହୁଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ଗୁରୁତର ଆପରାଧିକ ମାମଲାରେ କେନ୍ଦ୍ରୀୟ ଅପରାଧ ତଦନ୍ତକାରୀ ସଂସ୍ଥାଙ୍କ ଦ୍ୱାରା ଗିରଫ ହୋଇ ମାସାଧିକ କାଳ ଜେଲରେ ରହିବା ଭିତରେ ଜେଲରୁ ସରକାର ଚଳାଇବାକୁ ଅଡି ବସିବା କେତେଦୂର ଗ୍ରହଣୀୟ ବୋଲି ଶାସକ ମେଂଟ ପକ୍ଷରୁ ପ୍ରଶ୍ନ କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଶାହା ସଂସଦରେ ବିଧେୟକ ଉପସ୍ଥାପନ କରିବା ସମୟରେ ଯେଉଁ ଯୁକ୍ତି ଣଖିଛନ୍ତି ତାହା ପରୋକ୍ଷରେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ଆକ୍ଷେପ କଲା ଭଳି ହୋଇଛି । ବିଭିନ୍ନ ଟେଲିଭିଜନ ବିତର୍କ ଓ ସାକ୍ଷାତକାରରେ ମଧ୍ୟ ବିଜେପି ନେତାମାନେ କେନ୍ଦ୍ର ମନ୍ତ୍ରୀ ଶାହାଙ୍କ ବକ୍ତବ୍ୟକୁ ଉଦାହରଣ ଆକାରରେ ନେଉଛନ୍ତି । ଏଠାରେ ସୂଚନାଯୋଗ୍ୟ, ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାରରେ ଥିବା ସମୟରେ ମୁଖ୍ୟମନ୍ତ୍ରୀ ତଥା ‘ଆପ୍’ ମୁଖ୍ୟ ଅରବିନ୍ଦ କେଜରୀୱାଲ ଦିଲ୍ଲୀ ସରକାରଙ୍କ ମଦ ନୀତିରେ ଦୁର୍ନୀତି ମାମଲାରେ ଫସି ପାଂଚ ମାସ ଜେଲରେ ରହିଥିଲେ । ପ୍ରଥମେ ରାଜ୍ୟର ଅବକାରୀ ମନ୍ତ୍ରୀ ଥିବା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସୀଙ୍କ ଦ୍ୱାରା ଗିରଫ ହୋଇ ଦୀର୍ଘ ସମୟ ତିହାର ଜେଲରେ ରହି ଥିଲେ । ତେବେ, ସିସୋଦିଆ ଜେଲ ଯିବା ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ପରବର୍ତ୍ତୀ ସମୟରେ ଏକା ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେଇ ଜେଲରୁ ସରକାର ଚଳାଇବାକୁ ଅଡି ରହିଥିଲେ । ୨୦୨୪ ସାଧାରଣ ନିର୍ବାଚନ ସମୟରେ ସୁପ୍ରିମ କୋର୍ଟ ମୁଖ୍ୟମନ୍ତ୍ରୀ କେଜରୀୱାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ବିଚାର କରି ନିର୍ବାଚନ ପ୍ରଚାର ପାଇଁ ୨୦୨୪ ମେ’ ୧୦ରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ଜାମିନ ଅବଧି ସରିବା ପରେ ସେ ଅଧିକ ଏକ ସପ୍ତାହ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ମଧ୍ୟ ତାହା ଖାରଜ ହୋଇଥିଲା ଏବଂ ତାଙ୍କୁ ଜେଲକୁ ଫେରିବାକୁ ପଡିଥିଲା । ପିଏମଏଲଏ ମାମଲାରେ ସୁପ୍ରିମ କୋର୍ଟରୁ ସ୍ଥାୟୀ ଜାମିନ ମିଳିବା ଯାଏଁ କେଜରୀୱାଲ ମୁଖ୍ୟମନ୍ତ୍ରୀ ପଦରେ ଅଡି ରହିଥିଲେ । ସ୍ଥାୟୀ ଜାମିନ ମିଳିବା ପରେ ସେ ଜେଲରୁ ବାହାରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଘନିଷ୍ଟ ସହଯୋଗୀ ଆତିଶୀ ମାର୍ଲିନାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । କେଜରୀୱାଲ ଜେଲରେ ଥିବା ସମୟରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରିବାକୁ ବିରୋଧୀ କୋର୍ଟରେ ଯେଉଁ ଆବେଦେନ ହୋଇଥିଲେ ତାହା ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ବରଖାସ୍ତ କରିବାକୁ ସମ୍ବିଧାନରେ କୌଣସି ବ୍ୟବସ୍ଥା ନାହିଁ କହି ସୁପ୍ରିମ କୋର୍ଟ ଖାରଜ କରି ଦେଇଥିଲେ । ତେବେ, କୋର୍ଟ କେଜରୀୱାଲଙ୍କୁ ସ୍ଥାୟୀ ଜାମିନ ମଂଜୁର କରିବା ସମୟରେ ସର୍ତ୍ତ ରଖିଥିଲେ ଯେ ଜେଲରୁ ମୁକୁଳିବା ପରେ ସେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଦୂରେଇ ରହିବେ, କୌଣସି ଗୁରୁତ୍ୱପୂର୍ଣ୍ଣ ଫାଇଲରେ ଦସ୍ତଖତ କରି ପାରିବେ ନାହିଁ ଏବଂ ମାମଲାର ସାକ୍ଷମାନଙ୍କୁ ପ୍ରଭାବିତ କରିବାକୁ କୌଣସି ପ୍ରକାର ଉଦ୍ୟମ କରିବେ ନାହିଁ । ସୁପ୍ରିମ କୋର୍ଟଙ୍କ ଏହି ସର୍ତ୍ତ ସବୁ ହିଁ କେଜରୀୱାଲଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା । ତେବେ, ସେ ଦିଲ୍ଲୀ ସରକାରକୁ ନିଜ ନିୟନ୍ତ୍ରଣ ରଖିବା ପାଇଁ ମନ୍ତ୍ରୀ ପରିଷଦର କନିଷ୍ଠ ସହଯୋଗୀ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇ ପରୋକ୍ଷ ଶାସନ ଚଳାଇ ଥିଲେ । ତେବେ, ୨୦୨୪ ଲୋକସଭା ଓ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ଦିଲ୍ଲୀବାସୀ କେଜରୀୱାଲ ଓ ‘ଆପ୍’କୁ ମୂଳପୋଛ କରି ତାହାର ଜବାବ ଦେଇଛନ୍ତି । କେଜରୀୱାଲଙ୍କ ଏହି ଅଡିଅଳ ପଣ ଓ କ୍ଷମତା ଲୋଭ ହିଁ ଆଜି କେନ୍ଦ୍ର ସରକାରଙ୍କୁ ସମ୍ବିଧାନରେ ୧୩୦ ତମ ସଂଶୋଧନ ବିଧେୟକ ଆଣିବାକୁ ପ୍ରୋତ୍ସାହିତ କରିଛି ବୋଲି ତଥ୍ୟାଭିଜ୍ଞ ମହଲରେ ଆଲୋଚନା ହେଉଛି । ଅପରପକ୍ଷରେ, ଶାସକ ମେଂଟ ନେତାମାନେ ବିଧେକକୁ ନେଇ ବିତର୍କ ସମୟରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉଦାହରଣ ଦେଉଛନ୍ତି । ସୋରେନ ଏକ ଜମି ମାମଲାରେ ଇଡ଼ି ଦ୍ୱାରା ଗିରଫ ହେବା ପରେ ତୁରନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ତାଙ୍କ ସହଯୋଗୀ ଚଂପାଇ ସୋରେନଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ । ଜେଲରୁ ଜାମିନରେ ମୁକୁଳିବା ପରେ ସୋରେନ ପୁନର୍ବାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ପରବର୍ତ୍ତୀ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ତାଙ୍କୁ ଅନୁକଂପା ଭୋଟ ଦେଇ ପୁନର୍ବାର କ୍ଷମତାକୁ ଆଣିଥିଲେ । କେଜରୀୱାଲ ତାହା ନ କରିବାରୁ ମୂଳପୋଛ ହୋଇଗଲେ । କେନ୍ଦ୍ର ସରକାର ସଂସଦରେ ଆଣିଥିବା ବିଧେୟକରେ ପାଂଚ ବର୍ଷ ବା ତାଠାରୁ ଅଧିକ ଦଣ୍ଡବିଧାନ ହେଲା ଭଳି ଗୁରୁତର ଆପରାଧିକ ମାମଲାରେ ସଂପୃକ୍ତ ଥାଇ ଗିରଫ ହେବା ପରେ ୩୦ ଦିନରୁ ଅଧିକ ଜେଲରେ ରହିଲେ ମାମଲାରେ ଦଣ୍ଡିତ ହୁଅନ୍ତୁ ବା ନ ହୁଅନ୍ତୁ; ସେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ମନ୍ତ୍ରୀ ନି ପଦ ହରାଇବେ । ପ୍ରଧାନମନ୍ତ୍ରୀ ନିଜେ ଏହି ବିଧେୟକରେ ନିଜକୁ ସାମିଲ କରିଥିବା ବେଳେ ବିରୋଧୀଙ୍କ ଯୁକ୍ତି ହେଉଛି, ଏହା ଚତୁର ମୋଦୀ-ଶାହା ଯୋଡିର ଶଠତା । କେଉଁ କେନ୍ଦ୍ରୀୟ ଏଜେନ୍ସୀ କ୍ଷମତାରେ ଥିବା ଜଣେ ପ୍ରଧାନମନ୍ତ୍ରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରି ୩୦ ଦିନ ଜେଲରେ ରଖିବ ? ଗୃହ ମନ୍ତ୍ରୀ ଶାହା ଲୋକସଭାରେ ଏହି ବିଧେୟକ ଉପସ୍ଥାପନ କରିବା ଦିନ ବିରୋଧୀଙ୍କ ଆଡୁ ବେଶ୍ ହଟ୍ଟଗୋଳ ହୋଇଥିଲା । ବିରୋଧୀ ସାଂସଦମାନେ ସମ୍ବିଧାନ ସଂଶୋଧନ ବିଧେୟକର ନକଲକୁ ଚିରି ଗୃହ ମନ୍ତ୍ରୀଙ୍କ ଉପରକୁ ଫିଙ୍ଗି ଥିଲେ । ଗୃହ ମନ୍ତ୍ରୀ ମଧ୍ୟ ସଂସଦରେ ଏହି ବିଧେୟକକୁ ଉପସ୍ଥାପନ କରିବା ପରେ ତାହା ଅଧିକ ବିଚାର ବିମର୍ଷ ପାଇଁ ଜେପିସି (ଯୁଗ୍ମ ସଂସଦୀୟ କମିଟି)କୁ ପଠାଯିବ ବୋଲି ଘୋଷଣା କରିଥିଲେ । ତେବେ, ବିରୋଧୀ ଜାଣନ୍ତି, କେନ୍ଦ୍ର ସରକାର ବିଧେୟକକୁ ଜେପିସିକୁ ପଠାଇଲେ ତାହାର ଭାଗ୍ୟ ୱାକଫ୍ ବୋର୍ଡ ସଂଶୋଧନ ବିଧେୟକ ଓ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଧେୟକ ଭଳି ହିଁ ହେବ । କାରଣ, ପାର୍ଲାମେଂଟ ପକ୍ଷରୁ ଯେଉଁ ଯୁଗ୍ମ ସଂସଦୀୟ କମିଟି ଗଠନ କରାଯାଇଥାଏ ସେଥିରେ ଶାସକ ମେଂଟ ସାଂସଦଙ୍କ ପ୍ରାଧାନ୍ୟ ରହିଥାଏ । ବିରୋଧୀ ସାଂସଦଙ୍କ ପ୍ରସ୍ତାବ ସବୁକୁ ଏଡାଇ ଦିଆଯାଇ ଚୂଡାନ୍ତ ରିପୋଟ ପ୍ରସ୍ତୁତ ହୁଏ ଓ ତାହାକୁ ସଂସଦରେ ଉପସ୍ଥାପନ କରାଯାଏ । ଜେପିସି ଦ୍ୱାରା ଉପସ୍ଥାପନ ହେଉଥିବା ରିପୋର୍ଟ ପ୍ରାୟତଃ ପକ୍ଷଭୁକ୍ତ ଥାଏ ବୋଲି ବିରୋଧୀ ଅଭିଯୋଗ କରି ଆସିଛନ୍ତି । ଏଭଳି ସ୍ଥିତିରେ, ସମ୍ବିଧାନର ୧୩୦ତମ ସଂଶୋଧନ ବିଧେୟକ ଜେପିସିକୁ ପଠାଗଲେ ତାହାର ଭାଗ୍ୟ କଣ ହେବ ତାହା ବିରୋଧୀ ଜାଣିଥିବାରୁ ଦେଶର ପ୍ରମୁଖ ବିରୋଧୀ ଦଳମାନେ ଜେପିସିରେ ସାମିଲ ହେବେ ନାହିଁ ବୋଲି କହି ସାରିଲେଣି । ଆଗକୁ ସେମାନେ କଣ କରୁଛନ୍ତି ଦେଖିବାକୁ ପଡିବ । ଗୋଟିଏ ପଟେ କଂଗ୍ରେସ ନେତା ରହୁଲ ଗାନ୍ଧୀ ବିଜେପି ଓ ନିର୍ବାଚୟ ଆୟୋଗ ବିରୋଧରେ ‘ଭୋଟ ଚୋରୀ’ ଅଭିଯୋଗ ଆଣି ସଚେତନତା ଅଭିଯାନ ଚଳାଇ ଥିବା ବେଳେ ଅନ୍ୟପଟେ କେନ୍ଦ୍ର ସରକାର ଦାଗି ନେତାଙ୍କୁ ରାଜନୀତିରୁ ଦୂରେଇ ରଖିବା ବାହାନାରେ ସଂସଦରେ ସମ୍ବିଧାନର ୩୧୦ତମ ସଂଶୋଧନ ବିଧେୟକ ଆଣିଛନ୍ତି । ‘ଭୋଟ ଚୋରୀ’ରୁ ଜନତାଙ୍କ ନଜର ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ସମ୍ବିଧାନ ସଂଶୋଧନ ବିଧେୟକ ଆଣିଥିବା ବିରୋଧୀ କହୁଛନ୍ତି । ଶାସକ ଓ ବିରୋଧୀ ମେଂଟ ମଧ୍ୟରେ ଯେଉଁ ଛକାପଂଝା ଚାଲିଛି ସେଥିରୁ ଦେଶବାସୀ କାହାକୁ ଗ୍ରହଣ କରୁଛନ୍ତି ତାହା ବର୍ଷ ଶେଷ ଆଡକୁ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
ମୋ: ୯୪୩୭୦୬୬୧୪୭/୭୦୦୮୯୫୮୨୮୪
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS