୧୪ ମାସ ପରେ ମଧ୍ୟ ସରକାର ଅଧୁରା ?


ପ୍ରସାଦ ରାଓ
ଭୁବନେଶ୍ୱର
ଓଡ଼ିଶାରେ ବିଜେପି ସରକାର ଆସି ଚଉଦ ମାସ ବିତିଲାଣି, କିନ୍ତୁ ସରକାର ସ୍ୱୟଂସଂପୂର୍ଣ୍ଣ ହୋଇପାରିନଥିବା ଏବେ ଚର୍ଚ୍ଚାର ବିଷୟ ରହିଛି । ସରକାର ଗଠନ ଦିନରୁ ରାଜ୍ୟରେ ଛଅ ମନ୍ତ୍ରୀ ପଦ ଖାଲି ପଡିଛି । ବିଭିନ୍ନ ସରକାରୀ ନିଗମ ଓ ସଂସ୍ଥାର ଅଧ୍ୟକ୍ଷ ନିଯୁକ୍ତି ହୋଇପାରି ନାହିଁ । ସରକାର ଓ ରାଜ୍ୟ ବିଜେପି ସଂଗଠନ ମଧ୍ୟରେ ସମନ୍ୱୟର ଅଭାବରୁ କୌଣସି କାର୍ଯ୍ୟ ଆଗକୁ ବଢୁପାରୁ ନଥିବା ଆଲୋଚନା ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏକାଠି ବାରମ୍ବାର ଦିଲ୍ଲୀ ଗସ୍ତ କରୁଛନ୍ତି ଓ ଦଳର କେନ୍ଦ୍ରୀୟ ନେତାମାନଙ୍କ ସହ ଆଲୋଚନା କରି ଫେରୁଛନ୍ତି । ଏହି ଦୁଇ ନେତା ଦିଲ୍ଲୀ ଗସ୍ତ କଲେ ଫେରିବା ବାଟକୁ ଚାହିଁ ରହୁଥିବା ରାଜ୍ୟ ନେତାମାନେ ଶେଷରେ ନିରାଶ ହେଉଛନ୍ତି । ୧୪ ମାସ ହେଲା ଏହି ଧାରା ଚାଲିଛି । ରାଜ୍ୟ ସରକାର ନିଜ ବୁଦ୍ଧିରେ କଣ କିଛି ନିଷ୍ପତ୍ତି ନେବାକୁ ଅକ୍ଷମ କି ବୋଲି ଏବେ କେବଳ ରାଜନୈତିକ ମହଲରେ ନୁହେଁ, ଜନସାଧାରଣରେ ମଧ୍ୟ ପ୍ରଶ୍ନ ହେଲାଣି । ଛଅ ମନ୍ତ୍ରୀ ପଦ ଓ ବିଭିନ୍ନ ନିଗମର ଅଧ୍ୟକ୍ଷ ପଦ ପୂରଣ କରିବାକୁ ମୋହନ ସରକାର କାହା ନିର୍ଦେଶ ଅପେକ୍ଷାରେ ରହିଛନ୍ତି, ତାହା ଆଜି ଦିନରେ ବଡ ପ୍ରଶ୍ନ ହୋଇଛି ।
୨୦୨୪ ଜୁନ ୧୨ ତାରିଖରେ ଓଡ଼ିଶାରେ ମୋହନ ମାଝିଙ୍କ ସରକାର କ୍ଷମତାସୀନ ହୋଇଥିଲା । ରାଜ୍ୟରେ ପ୍ରଥମ ଥର ପାଇଁ ବିଜେପି ଏକାକୀ ସରକାର କରିବାକୁ ସକ୍ଷମ ହେବା ପରେ ଦଳ ଭିତରେ ବେଶ୍ ଆଶାର ସଂଚାର ହୋଇଥିଲା । ବର୍ଷ ବର୍ଷ ଧରି ଦଳ ପାଇଁ କାମ କରି ଆସୁଥିବା ନେତାମାନେ ପଦପଦବୀ ପାଇବା ଆଶାରେ ଥିବା ବେଳେ ପ୍ରଥମ ଥର ପାଇଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିବା ବିଜେପି ବିଧାୟକମାନେ ମଧ୍ୟ ମନ୍ତ୍ରୀ ପରିଷଦରେ ସ୍ଥାନ ପାଇବା ସ୍ୱପ୍ନ ଦେଖୁଥିଲେ । କିଛି ନ ହେଲେ ବି ରାଜ୍ୟରେ ଥିବା ବିଭିନ୍ନ ସରକାରୀ ନିଗମ ବା ସଂସ୍ଥାରେ ସେମାନଙ୍କୁ ଅଧ୍ୟକ୍ଷ ପଦରେ ଥଇଥାନ କରାଯିବାର ସୁଯୋଗ ରହିଛି ବୋଲି ସେମାନେ ବିଶ୍ୱାସ କରୁଥିଲେ । ତେବେ, ବର୍ଷକରୁ ଅଧିକ ସମୟ ବିତିଲାଣି ସିନା ସେମାନଙ୍କ ଏହି ଆଶା ପୂରଣ ହେଲା ନାହିଁ । ସରକାର ଆସିବାର ୧୪ ମାସ ପରେ ମଧ୍ୟ ସେମାନେ ମୁଖ୍ୟମନ୍ତ୍ରୀ, ଦଳର ରାଜ୍ୟ ସଭାପତି ଓ କେନ୍ଦ୍ରୀୟ ନେତୃତ୍ୱର ମୁହଁକୁ ଚାହୁଁଛନ୍ତି ସିନା କିଛି ହେବାର ଆଶା ଦିଶୁନଥିବାରୁ ନିରାଶ । ବିଜେପି ରାଜ୍ୟ ସଭାପତି, ରାଜ୍ୟ ପାଇଁ ନିଯୁକ୍ତ ଦଳର କେନ୍ଦ୍ରୀୟ ପ୍ରଭାରୀ ଏବଂ ମୁଖ୍ୟମନ୍ତ୍ରୀ ନିଜେ ଅତିଶୀଘ୍ର ଖାଲି ଥିବା ସମସ୍ତ ମନ୍ତ୍ରୀ ପଦ ସହ ବିଭିନ୍ନ ନିଗମ ଅଧ୍ୟକ୍ଷ ପଦ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଉଛନ୍ତି ସିନା ତାହା କାର୍ଯ୍ୟକାରୀ କରାଯାଉନଥିବା ହିଁ ନିରାଶାର କାରଣ ହୋଇଛି ।
ଇତିମଧ୍ୟରେ, ରାଜ୍ୟ ବିଜେପିରେ ନୈରାଶ୍ୟ ବଢି ଚାଲିଥିବା ବେଳେ ମୁଖ୍ୟ ବିରୋଧୀ ଦଳ ବିଜେଡିରେ ଆଭ୍ୟନ୍ତରୀଣ କନ୍ଦଳ ଓ ଅସନ୍ତୋଷ ବଢି ଚାଲିଛି । ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ଏତେଦୂର ଅସୁସ୍ଥ ହେଲେଣି ଯେ ସେ ଆଉ କେତେଦିନ ଦଳକୁ ବାନ୍ଧି ରଖି ପାରିବେ, ତାହା ବଡ ପ୍ରଶ୍ନ ହୋଇଛି । ନବୀନଙ୍କ ଦୁର୍ବଳ ସ୍ୱାସ୍ଥ୍ର୍ୟର ସୁଯୋଗ ତାଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ତଥା ଅଦ୍ୟାବଧି ନିଜକୁ ବିଜେଡି ନେତା ଭାବେ ଦାବି କରୁଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଏକପ୍ରକାର ଦଳକୁ କବ୍ଚାକୁ ନେଇ ଯାଇଥିବା ଦେଖିବାକୁ ମିଳୁଛି । ପାଣ୍ଡିଆନଙ୍କ ନେତୃତ୍ୱରେ ୨୦୨୪ରେ ଦଳ ସାଧାରଣ ନିର୍ବାଚନ ଲଢିଥିଲା । ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିବା ଘୋଷଣା କରିଥିଲେ ମଧ୍ୟ ‘ନବୀନ ନିବାସ’ ଛାଡି ନଥିଲେ । ସର୍ବସାଧାରଣରେ ସେ ଦୃଶ୍ୟମାନ ହେଉନଥିଲେ ମଧ୍ୟ ଭିତିରି ଦଳକୁ ନୟନ୍ତ୍ରଣ କରୁଥିଲେ । ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ନିଜର ଅସ୍ତ୍ରୋପଚାର କରାଇବାକୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ପାଖ ପାଖେ ଥିବା ପାଣ୍ଡିଆନ ନବୀନଙ୍କୁ ଦେଖିବାକୁ ଯାଇଥିବା ରାଜ୍ୟର ବରିଷ୍ଠ ବିଜେଡି ନେତାମାନଙ୍କୁ ନବୀନଙ୍କ ପାଖରେ ପୁରାଇ ଦେଇ ନଥିଲେ । ଏବେ, ନବୀନ ଡିହାଇଡ୍ରେସନର ଶିକାର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ମଧ୍ୟ ତାହାର ପୁନରାବୃତ୍ତି ଘଟିଛି । କେବଳ ବିଜେଡିର ବରିଷ୍ଠ ନେତାମାନେ ନୁହନ୍ତି, ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଚରଣ ଦାସ ମଧ୍ୟ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ହସ୍ପିଟାଲ ଯାଇଥିବା ବେଳେ ପାଣ୍ଡିଆନଙ୍କ ଦ୍ୱାରା ଅପଦସ୍ତ ହୋଇ ଫେରିଥିବା ଘଟଣା ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି ।
ପାଣ୍ଡିଆନଙ୍କୁ ନେଇ ବିଜେଡିରେ ଯେଭଳି ଅସନ୍ତୋଷ କୁହୁଳୁଛି ସେଥିରେ କେତେବେଳେ ଯେ ବିସ୍ଫୋରଣ ଘଟିବ ଓ ଦଳ ଛିନ୍ନଛତ୍ର ହୋଇଯିବ କହି ହେବ ନାହିଁ । ୨୦୨୪ ସାଧାରଣ ନିର୍ବାଚନ ପରରୁ ପାଣ୍ଡିଆନଙ୍କ ଗୋଟିଏ ଗୋଡ ବିଜେଡିରେ ଥିବା ସମୟରେ ଅନ୍ୟ ଗୋଡଟି ବିଜେପିରେ ଥିବା ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ମାଝି ତାଙ୍କ ମନ୍ତ୍ରୀ ପରିଷଦରେ ଅବଦଳ ବଦଳ କରିବେ କରିବେ କହି ଦୀର୍ଘ ଦିନ ବିତିଲାଣି । ମନ୍ତ୍ରୀମାନଙ୍କୁ ରିପୋର୍ଟ କାର୍ଡ ମଗା ଯାଇଥିଲା । ନିଜେ ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡ ସବୁର ତର୍ଜମା କରୁଛନ୍ତି ଓ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ଡକି ଘନ ଘନ ବୈଠକ କରୁଛନ୍ତି । ରାଜ୍ୟ ମନ୍ତ୍ରୀ ପରିଷଦରେ ଅଦଳ ବଦଳ ଦୂର କଥା, ୧୪ ମାସ ହେଲା ଖାଲି ଥିବା ଛଅ ମନ୍ତ୍ରୀ ପଦ ପୂରଣ କରାଯାଉନି । ବିଜେପି ସରକାର ଆସିବା ଦିନରୁ ବିଭିନ୍ନ ନିଗମ ଓ ସଂସ୍ଥାର ଅଧ୍ୟକ୍ଷ ପଦ ଖାଲି ରହିଛି । ଦଳୀୟ ନେତାମାନେ ନିଯୁକ୍ତି ପାଇବା ଆଶାରେ ଅଛନ୍ତି । ତେବେ, ସେସବୁ ପୂରଣ ହେଉନି । ଏସବୁ ପଦପଦବୀ ପୂରଣ ପାଇଁ ବିଜେପି ବିଜେଡି ଭାଂଗିବାକୁ ଅପେକ୍ଷା କରିଛି କି (?) ବୋଲି ଏବେ ଜନସାଧାରଣରେ ପ୍ରଶ୍ନ ହେଲାଣି । ତେବେ, ରାଜ୍ୟ ବିଜେପି ନେତୃତ୍ୱ କହୁଛନ୍ତି – ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ନେଇ ଦଳ ଓ ସରକାର କାମ କରୁଛନ୍ତି । ଦଳରେ କୌଣସି ସମସ୍ୟା ନାହିଁ । ଯାହା କିଛି ଅଶାନ୍ତି ଅସନ୍ତୋଷ ରହିଛି ଅତିଶୀଘ୍ର ତାହାର ସମାଧାନ ହୋଇଯିବ ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS