ଆଇଜିପି ସାଇନି ଛୁଟିରେ ଗଲେ ନା ତାଙ୍କୁ ପଠାଇ ଦିଆଗଲା ?


ପ୍ରସାଦ ରାଓ
ଭୁବନେଶ୍ୱର
ଅଗଷ୍ଟ ୦୭
ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୂତି ଘଟଣାର ତଦନ୍ତ କରୁଥିବା ସିଏଡବ୍ଲୁସିଡବ୍ଲୁର ମୁଖ୍ୟ ତଥା ପୁଲିସ ଆଇଜି ଏସ.ସାଇନି ଅଚାନକ ଗତ ମଂଗଳବାରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯିବା ଘଟଣା ସମସ୍ତଙ୍କୁ ଚକିତ କରିଛି । ଜୁଲାଇ ୧୨ ତାରିଖରେ ଏହି ଛାତ୍ରୀ ଆତ୍ମାହୂତି ଘଟଣା ଘଟିବା ପରେ ରାଜ୍ୟ ସରକାର ଘଟଣାର କ୍ରାଇମ ବ୍ରାଂଚ ତଦନ୍ତ ନିର୍ଦେଶ ଦେଇଥିଲେ । ସିଏଡବ୍ଲୁସିଡବ୍ଲୁ (କ୍ରାଇମ୍ ଏଗେନେଷ୍ଟ ଓମେନ ଏଣ୍ଡ ଚିଲଡ୍ରେନ୍ ୱିଙ୍ଗ୍) ମୁଖ୍ୟ ଆଇଜିପି ଏସ.ସାଇନି ପ୍ରତ୍ୟକ୍ଷ ଭାବେ ଘଟଣାର ତଦନ୍ତ କରୁଥିଲେ । ଇଂଟିଗ୍ରେଟେଡ ବିଏଡ୍ ଦ୍ୱିତୀୟ ବର୍ଷ ଛାତ୍ରୀ ସୌମ୍ୟାଶ୍ରୀ ବିଭାଗୀୟ ମୁଖ୍ୟଙ୍କ ଦ୍ୱାରା ଯୌନ ଉତ୍ପୀଡନର ଶିକାର ହେଉଥିବା ନେଇ କଲେଜ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଏବଂ ଅଭିଯୋଗର ତଦନ୍ତ କରିଥିବା କମିଟି ଓ କଲେଜ ଅଧ୍ୟକ୍ଷ ଅଭିଯୁକ୍ତ ଅଧ୍ୟାପକଙ୍କ ସହ ବୁଝାମଣା କରି ନେବାକୁ ଛାତ୍ରୀଙ୍କ ଉପରେ ଚାପ ପକାଇବାରୁ ଜୁଲାଇ ୧୨ ତାରିଖ ଦିନ ସେ କଲେଜ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ବାହାରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ପ୍ରାୟ ୯୦ରୁ ୯୫ ପ୍ରତିଶତ ପୋଡି ଯାଇଥିବା ସୌମ୍ୟାଶ୍ରୀଙ୍କୁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ପାଇଁ ଭତ୍ତି କରାଯାଇଥିଲା । ଜୁଲାଇ ୧୪ ତାରିଖ ରାତିରେ ତାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ କଲେଜ ଅଧ୍ୟକ୍ଷ ଓ କଲେଜର ବିଏଡ୍ ବିଭାଗୀୟ ମୁଖ୍ୟ ତୁରନ୍ତ ଗିରଫ ହୋଇ ଜେଲ ଯାଇଥିବା ବେଳେ ସୌମ୍ୟାଶ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିଥିବା ଅଭିଯୋଗରେ ପୁଲିସ ନିକଟରେ ବିଜେପି ଛାତ୍ର ସଂଗଠନ ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ)ର ଦୁଇ ଜଣ ଛାତ୍ର ନେତାଙ୍କୁ ଗିରଫ କରି ଜେଲ୍ ପଠାଇଛନ୍ତି । ଗତ ସୋମବାର ଦିନ ଏବିଭିପିର ଦୁଇ ଛାତ୍ର ନେତା ଗିରଫ ହୋଇଥିବା ବେଳେ ମଂଗଳବାର ଛାତ୍ରୀ ଆତ୍ମାହୂତି ଘଟଣାର ତଦନ୍ତ କରୁଥିବା ସିଏଡବ୍ଲୁସିଡବ୍ଲୁର ମୁଖ୍ୟ ତଥା ପୁଲିସ ଆଇଜି ସାଇନି ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯିବା ଏବଂ ତାଙ୍କ ଅନୁପସ୍ଥିତିରେ ରାଜ୍ୟ କ୍ରାଇମ୍ ବ୍ରାଂଚର ତଦନ୍ତକାରୀ ଅଧିକାରୀ (ଆଇଓ) ଏହି ମାମଲାର ତଦନ୍ତ ଦାୟିତ୍ୱରେ ରହିଲେ ବୋଲି ରାଜ୍ୟ କ୍ରାଇମ ବ୍ରାଂଚ ପକ୍ଷରୁ ସରକାରୀ ଭାବେ ନିର୍ଦେଶନାମା ଜାରି କରାଯିବା ସନ୍ଦେହର ବାତାବରଣ ସୃଷ୍ଟି କରିଛି । ସାଇନି ନିଜର କୌଣସି କାର୍ଯ୍ୟବଶତଃ ସ୍ୱଇଚ୍ଛାରେ ଛୁଟିରେ ଯାଇଛନ୍ତି ନା ଏବିଭିପିର ଦୁଇ ଛାତ୍ର ନେତାଙ୍କୁ ଛାତ୍ରୀ ଆତ୍ମାହୂତି ଘଟଣାରେ ଗିରଫ କରାଯିବାରୁ ସରକାରୀ ଚାପରେ ତାଙ୍କୁ ଛୁଟିରେ ଯିବାକୁ ବାଧ୍ୟ କରାଯାଇଛି (?) ତାହା ଆଜି ଦିନରେ ବଡ ପ୍ରଶ୍ନ ହୋଇଛି । ସାଇନି ଯଦି ନିଜର କୌଣସି କାର୍ଯ୍ୟବଶତଃ ଛୁଟିରେ ଗଲେ ତେବେ ସିଏଡବ୍ଲୁସିଡବ୍ଲୁ ଏସପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇପାରିଥା’ନ୍ତା । ତାହା କରାନଯାଇ ଓଡ଼ିଶା କ୍ରାଇମ ବ୍ରାଂଚ୍ ଏସପି ଅନିରୁଦ୍ଧ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଅଧିକାରୀ (ଆଇଓ) ମାମଲାର ତଦନ୍ତ ଜାରି ରଖିବେ ବୋଲି କ୍ରାଇମ ବ୍ରାଂଚ୍ ପକ୍ଷରୁ ସରକାରୀ ନିର୍ଦେଶ ଜାରି କରାଯିବା ହିଁ ସନ୍ଦେହର ବାତାବରଣ ସୃଷ୍ଟି କରିଛି । ଆଜି ଏକ ଜାତୀୟ ଇଂରାଜୀ ସମ୍ବାଦପତ୍ରରେ ଏହି ଖବର ପ୍ରକାଶ ପାଇଛି । ସଂପୃକ୍ତ ସମ୍ବାଦପତ୍ର ପକ୍ଷରୁ ଆଇଜିପି ସାଇନିଙ୍କ ସହ ଯୋଗଯୋଗ କରାଯାଇଥିଲା । ସେ ଏହା ଉପରେ କିଛି ମନ୍ତବ୍ୟ ଦେବାକୁ ମନା କରିଥିବା ବେଳେ କ୍ରାଇମ ବ୍ରାଂଚ ଡିଜି ବିନୟତୋଷ ମିଶ୍ର ଏବିଭିପି ଛାତ୍ର ନେତାଙ୍କ ଗିରଫ ଘଟଣା ସହ ସାଇନି ଛୁଟିରେ ଯିବାର କିଛି ସଂପର୍କ ନାହିଁ ବୋଲି ସଫେଇ ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ଆତ୍ମାହୂତି ଦେଇଥିବା ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଜେପି ଛାତ୍ର ସଂଗଠନ ଏବିଭିପି ସହ ସଂପୃକ୍ତ ଥିଲେ । ଘଟଣା ଦିନ ସେ ସ୍ୱତଃ ପେଟ୍ରୋଲ ଆଣି ନିଜ ଦେହରେ ଢାଳି ନିଆଁ ଲଗାଇ ଦେଇଥିଲେ କି ତାଙ୍କୁ କେହି ପ୍ରବର୍ତ୍ତାଇ ଥିଲେ (?) – ତାହାକୁ ନେଇ ତଦନ୍ତ ଆଗେଇ ଥିବା ବେଳେ ସେହିନ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଘଟଣାର ମୋବାଇଲ ସୁଟିଂ କରିଥିବା ଏବଂ ସୌମ୍ୟାଶ୍ରୀ ପୋଡି ଯାଉଥିବା ବେଳେ ନିଆଁ ଲିଭାଇବାକୁ ଉଦ୍ୟମ କରି ଗୁରୁତର ଆହତ ହୋଇଥିବା ଦୁଇ ଛାତ୍ର ନେତାଙ୍କୁ ପରବର୍ତ୍ତୀ ସମୟରେ ଗିରଫ କରାଯାଇଛି । ଏବିଭିପିର ଏହି ଛାତ୍ର ନେତା ଦ୍ୱୟ ଗିରଫ ହେବା ପରେ ପରେ ଆଇଜିପି ସାଇନି ଛୁଟିରେ ଯାଇଥିବା ଏବଂ କ୍ରାଇମ ବ୍ରାଂଚ ପକ୍ଷରୁ ଏସପି ଅନିରୁଦ୍ଧ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ କାର୍ଯ୍ୟ ଚାଲିବ ବୋଲି କ୍ରାଇମ ବ୍ରାଂଚ ପକ୍ଷରୁ ସରକାରୀ ନିର୍ଦେଶନାମା ଜାରି କରାଯିବ ସରକାରୀ ହସ୍ତକ୍ଷେପ ସମ୍ଭାବନାକୁ ନେଇ ଆଲୋଚନାକୁ ବଳ ଦେଇଛି । ଏହି ଆତ୍ମଦାହ ଘଟଣା ସରକାରଙ୍କୁ କାଠଗଡାରେ ଠିଆ କରିଥିଲା । ବିଜେପି ଶାସନରେ ରାଜ୍ୟରେ ନାରୀମାନେ ଅସୁରକ୍ଷିତ ବୋଲି ବିରୋଧୀ କଂଗ୍ରେସ ଓ ବିଜେଡି ଅଭିଯୋଗ କରି ରାଜ୍ୟ ସରକାରଙ୍କୁ ଘେରୁଛନ୍ତି । କଂଗ୍ରେସ ପକ୍ଷରୁ ରାଜ୍ୟରେ ନାରୀ ନ୍ୟାୟ ଆନ୍ଦୋଳନ ଚାଲିଛି । ଏହି ପରିସ୍ଥିତିରେ ସୌମ୍ୟାଶ୍ରୀଙ୍କୁ ଆତ୍ମଦାହ ପାଇଁ ଉସୁକାଇ ଥିବା ଅଭିଯୋଗରେ ଏବିଭିପିର ଦୁଇ ଜଣ ଛାତ୍ର ନେତା ଗିରଫ ହେବା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସରକାରକୁ ବ୍ୟାକ୍ ଫୁଟ୍ ରେ ରଖିଛି । ସରକାର ଅପଦସ୍ତ ହୋଇଥିବା ଅନୁଭବ କରିବା ପରେ ମାମଲାର ତଦନ୍ତ କରୁଥିବା ଆଇଜିପି ସାଇନିଙ୍କୁ ଛୁଟିରେ ଯିବାକୁ ବାଧ୍ୟ କରିଥିବା ଏବଂ ତଦନ୍ତ କାର୍ଯ୍ୟର ପ୍ରତ୍ୟକ୍ଷ ଅନୁଧ୍ୟାନ ପାଇଁ କ୍ରାଇମ ବ୍ରାଂଚ ଏସପିଙ୍କୁ ଦାୟିତ୍ୱ ଦେଇଥବା ଅନୁମାନ କରାଯାଉଛି ।
ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS