ହାଇକୋର୍ଟ ବେଂଚ ସପକ୍ଷରେ ପଶ୍ଚିମରୁ ସ୍ୱର ଶୁଭିଲାଣି, ଦକ୍ଷିଣରୁ କେବେ ?


ପ୍ରସାଦ ରାଓ
ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ସର୍କିଟ୍ ବେଂଚ ପ୍ରତିଷ୍ଠା ଦାବିରେ ଦୀର୍ଘ ବର୍ଷ ହେଲା ଓକିଲ ଆନ୍ଦୋଳନ ଚାଲିଛି । ଉଭୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଓକିଲମାନେ କ୍ରମାଗତ ସମୟ ବାହାର କରି କୋର୍ଟ କାର୍ଯ୍ୟକୁ ବର୍ଜନ କରିବା ମାଧ୍ୟମରେ ଓଡ଼ିଶା ହାଇକୋର୍ଟ ଓ ରାଜ୍ୟ ସରକାରଙ୍କ ନିକଟରେ ଏହି ଦାବି ଉପସ୍ଥାପନ କରି ଆସୁଥିଲେ । ତତ୍କାଳନୀ ରାଜ୍ୟ ଓ କେନ୍ଦ୍ର ସରକାର ଏନେଇ ବାରମ୍ବାର ଓକିଲ ସଂଘକୁ ପ୍ରତିଶ୍ରୁତି ଦେଇ ମଧ୍ୟ ବିଭିନ୍ନ ଆଳରେ କାଳକ୍ଷେପଣ ନୀତି ଅବଲମ୍ବନ କରିବାରୁ ପଶ୍ଚିମ ଓଡ଼ିଶାରେ ଚାଲିଥିବା ଓକିଲ ଆନ୍ଦୋଳନ ହିଂସାତ୍ମକ ମୋଡ ନେଇଥିଲା । ୨୦୨୨ରେ ଓକିଲମାନେ ହିଂସ୍ର ହୋଇ ଜିଲ୍ଲା ଅଦାଲତରେ ଧସେଇ ପଶିବା ଓ ଭଂଗାରୁଜା କରିବାରୁ ଓ ଜିଲ୍ଲା କୋର୍ଟ ସମେତ ବିଭିନ୍ନ ଅଦାଲତରେ ଅଚଳ ଅବସ୍ଥା ସୃଷ୍ଟି କରିବାରୁ ଓଡ଼ିଶା ହାଇକୋର୍ଟ କ୍ଷୋଭ ପ୍ରକାଶ କରିବା ସହ ସୁପ୍ରିମ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସୁପ୍ରମି କୋର୍ଟ ଓକିଲ ଆନ୍ଦୋଳନ ହିଂସାତ୍ମକ ମୋଡ ନେଇଥିବା ଦେଖି ତାହାକୁ ‘ବେଆଇନ’ କହିବା ସହ ଆନ୍ଦୋଳନରତ ଓକିଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରାଯିବାକୁ ନିର୍ଦେଶ ଦେଇଥିଲେ । ପଶ୍ଚିମ ଓଡ଼ିଶାରେ ହିଂସାରେ ସଂପୃକ୍ତ ଥିବା ଅଭିଯୋଗରେ ଓକିଲ ସଂଘର ବହୁ ନେତା ଓ ଓକିଲ ଗିରଫ ହୋଇ ଜେଲ ଯିବା ପରେ ଦକ୍ଷିଣ ଓଡ଼ିଶାରେ ଚାଲିଥିବା ଆନ୍ଦୋଳନ ଠପ୍ ହୋଇଯାଇଥିଲା ।
୨୦୨୨ ଡିସେମ୍ବରରେ ସୁପ୍ରିମ କୋର୍ଟ ଓଡ଼ିଶାରେ ହାଇକୋର୍ଟ ସର୍କିଟ୍ ବେଂଚ ପ୍ରତିଷ୍ଠା ଦାବିକୁ ଅଯଥାର୍ଥ ବୋଲି ଘୋଷଣା କରି ରାଜ୍ୟର ସମସ୍ତ ଅଦାଲତ ‘ଅଭାସୀ’ ବା ଅତ୍ୟାଧୁନିକ ବୈଷୟିକ କୌଶଳ ଦ୍ୱାରା ସଂଯୁକ୍ତ ହୋଇଥିବାରୁ କୌଣସି ଅଂଚଳରେ ହାଇକୋର୍ଟର ସର୍କିଟ ବେଂଚ ପ୍ରତିଷ୍ଠାର କୌଣସି ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ ମତ ରଖିଥିଲେ । ଆନ୍ଦୋଳନରେ ଥିବା ପଶ୍ଚିମ ଓଡ଼ିଶା ଓକିଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବା ଏବଂ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟର ସର୍କିଟ୍ ବେଂଚ ପ୍ରତିଷ୍ଠା ଦାବିର କୌଣସି ଯଥାର୍ଥତା ନଥିବା ସୁପ୍ରିମ କୋର୍ଟ କହିଦେବା ପରେ ଓକିଲ ଆନ୍ଦୋଳନ ଠପ୍ ହୋଇଯିବା ସହ ସର୍କିଟ ବେଂଚ ଦାବି ଏକପ୍ରକାର ଥଣ୍ଡାବାକ୍ସକୁ ଚାଲି ଯାଇଥିଲା । ୨୦୨୫ ଅଗଷ୍ଟ ୨ ତାରିଖରେ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ରର କୋହ୍ଲାପୁରଠାରେ ଚତୁର୍ଥ ସର୍କିଟ୍ ବେଂଚ ପ୍ରତିଷ୍ଠା ପାଇଁ ଗେଜେଟ୍ ବିଜ୍ଞପ୍ତୀ ଜାରି କରିବା ପରେ ଓଡ଼ିଶାରେ ଥଣ୍ଡାବାକ୍ସରେ ପଡି ରହିଥିବା ସର୍କିଟ୍ ବେଂଚ୍ ଦାବି ପୁଣି ଥରେ ବଳ ପାଇଛି । ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଆଲୋକ ଆରାଧେ ରାଜ୍ୟ ପୁନର୍ଗଠନ ଆଇନ ୧୯୫୬ (କ୍ରମାଙ୍କ ୩୭, ୧୯୫୬୦ର ଧାରା ୫୧ର ଉପଧାରା (୩) ଓ ଅନ୍ୟ ପ୍ରଦତ୍ତ କ୍ଷମତା ଅନୁଯାୟୀ ତଥା ମହାରାଷ୍ଟ୍ର ରାଜ୍ୟପାଳଙ୍କ ଅନୁମୋଦନକ୍ରମେ କୋହ୍ଲାପୁରରେ ଅଗଷ୍ଟ ୧୮ ତାରିଖରୁ ବମ୍ବେ ହାଇକୋର୍ଟର ଚତୁର୍ଥ ସକିଁଟ ବେଂଚ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବ ବୋଲି ଏହି ବିଜ୍ଞପ୍ତୀ ପ୍ରକାଶ କରିଛନ୍ତି ।
ଏହାକୁ ଆଳ କରି ପଶ୍ଚିମ ଓଡ଼ିଶାର ଓକିଲମାନେ ପ୍ରଶ୍ନ ଉଠାଇଛନ୍ତି, ଯଦି ମହାରାଷ୍ଟ୍ରରେ ଚାରିଟି ହାଇକୋର୍ଟ ସର୍କିଟ ବେଂଚ ପ୍ରତିଷ୍ଠା ସମ୍ଭବ ଓଡ଼ିଶାରେ କାହିଁକି ନୁହେଁ ? ପୁଣି ଥରେ ସେମାନେ ଆନ୍ଦୋଳନ ପାଇଁ ସଜାବାଜ ହେଉଥିବା ପଶ୍ଚିମ ଓଡ଼ିଶା ଓକିଲ ସଂଘର ନେତାମାନେ ବୟାନବାଜୀରୁ ସୂଚନା ମିଳୁଛି । ଏଠାରେ ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ନାଗପୁର, ଛତ୍ରପତି ସାମ୍ବାଜୀ ନଗର (ପୂର୍ବ ନାମ ଔରାଙ୍ଗାବାଦ) ଏବଂ ଗୋଆର ପାନାଜୀରେ ବମ୍ବେ ହାଇକୋର୍ଟର ତିନିଟି ସ୍ଥାୟୀ ସର୍କିଟ୍ ବେଂଚ ଥିବା ବେଳେ ଆସନ୍ତା ୧୮ ତାରିଖରୁ କୋହ୍ଲାପୁରରେ ନୂଆ ହାଇକୋର୍ଟ ବେଂଚରେ ବିଚାର ବିଭାଗୀୟ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଏହା ହେବ ମହାରାଷ୍ଟ୍ରରେ ବମ୍ବେ ହାଇକୋର୍ଟର ଚତୁର୍ଥ ସର୍କିଟ ବେଂଚ । ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଆରାଧେଙ୍କ ଦ୍ୱାରା ଗେଜେଟ ବିଜ୍ଞପ୍ତୀ ଅନୁଯାୟୀ, କୋହ୍ଲାପୁରରେ ୧୮ ତାରିଖରୁ ବମ୍ବେ ହାଇକୋର୍ଟର ସର୍କିଟ ବେଂଚ କାର୍ଯ୍ୟ ଆରମ୍ଭ କଲେ କୋହ୍ଲାପୁର ସମେତ ଛଅଟି ଜିଲ୍ଲାର ଅଧିିବାସୀ ଉପକୃତ ହୋଇ ପାରିବେ । କୋହ୍ଲାପୁରରେ ହାଇକୋର୍ଟର ବେଂଚ ପ୍ରତିଷ୍ଠା ପାଇଁ ଚାରି ଦଶକ ଧରି ଦାବି ହେଉଥିଲା । ଯେଉଁ କାରଣ ଦର୍ଶାଇ ଓଡ଼ିଶାରେ ଦୁଇଟି ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବି ହୋଇ ଆସୁଛି ମହାରାଷ୍ଟ୍ରରେ ସେହି କାରଣକୁ ଆଧାର କରି କୋହ୍ଲାପୁରରେ ବମ୍ବେ ହାଇକୋର୍ଟର ଚତୁର୍ଥ ବେଂଚ ପ୍ରତିଷ୍ଠା କରାଯାଇଛି ।
ରାଜ୍ୟରେ ବିଜେପି ନେତୃତ୍ୱାଧୀନ ମେଂଟ ସରକାର ରହିଛି । ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ (ବିଜେପି)ଙ୍କ ନେତୃତ୍ୱରେ ବିଜେପି, ଶିବସେନା (ସିନ୍ଧେ) ଓ ଏନସିପି (ଅଜିତ ପାୱାର)ର ମିଳିତ ସରକାର ସରକାର ପ୍ରତିଷ୍ଠା ପରେ ଡବଲ ଇଂଜିନ ସରକାରଙ୍କ ମିଳିତ ପ୍ରୟାସରୁ କୋହ୍ଲାପୁରରେ ବମ୍ବେ ହାଇକୋର୍ଟର ସର୍କିଟ ବେଂଚ ପ୍ରତିଷ୍ଠା ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଫଡନାଭିସ ଦାବି କରିବା ସହ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଓ ବମ୍ବେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶାରେ ଗଲା ୧୩ ମାସ ହେଲା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ବିଜେପିର ଡବଲ ଇଂଜିନ ସରକାର ଚାଲିଛି । ୨୦୨୪ ନିର୍ବାଚନ ସମୟରେ ବିଜେପି ସରକାରକୁ ଆସିଲେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଯଦି ମହାରାଷ୍ଟ୍ରର ଡବଲ ଇଂଜିନ ସରକାର ଏହା ସମ୍ଭବ କରି ପାରିଲେ ଓଡ଼ିଶା ସରକାର କାହିଁକି ସମ୍ଭବ କରିପାରିବେନି (?) ବୋଲି ଉଭୟ ସମ୍ବଲପୁର (ପଶ୍ଚିମ ଓଡ଼ିଶା) ଓ ବ୍ରହ୍ମପୁର (ଦକ୍ଷିଣ ଓଡ଼ିଶା)ର ଓକିଲମାନେ ପ୍ରଶ୍ନ କରିବା ଆରମ୍ଭ କଲେଣି । ସେମାନଙ୍କ ଯୁକ୍ତି ହେଉଛି, ରାଜ୍ୟର ଉପାନ୍ତ ଜିଲ୍ଲା ଅଧିବାସୀମାନେ ଅଧିକ ନ୍ୟାୟ ପାଇବା ସକାଶେ ଶହ ଶହ କିଲୋମିଟର ଦୂରରୁ କଟକରେ ଥିବା ଓଡ଼ିଶା ହାଇକୋର୍ଟକୁ ଆସୁଛନ୍ତି । ବିଭିନ୍ନ କୋର୍ଟ ‘ଅଭାସୀ’ ଦ୍ୱାରା ଯୋଡି ହୋଇସାରିଥିଲେ ମଧ୍ୟ ତ୍ୱରିତ ନ୍ୟାୟ ମିଳିବା ସମ୍ଭବ ହେଉ ନାହିଁ ।
ସମସ୍ତଙ୍କ ଦୁଆର ମୁହଁରେ ନ୍ୟାୟ ପହଂଚାଇବା କଥା କେନ୍ଦ୍ର ଓ ରାଜ୍ୟ ସରକାର କହି ଆସୁଥିବା ବେଳେ ଓଡ଼ିଶା ପ୍ରତି ଏତେ ଉଦାସୀନତା କାହିଁକି (?) ବୋଲି ଦକ୍ଷିଣ ଓ ପଶ୍ଚିମାଂଚଳ ଓକିଲ, ବୁଦ୍ଧିଜୀବୀ ଏବଂ ସଚେତନ ନାଗରିକମାନେ ପ୍ରଶ୍ନ କରୁଛନ୍ତି । ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ସର୍କିଟ୍ ବେଂଚ ପ୍ରତିଷ୍ଠା ଦାବି ଜୋର ଧରିବାରୁ ସରକାରଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟଙ୍କୁ ଅନୁରୋଧ କରାଯିବା ସହ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟକୁ ମଧ୍ୟ ଚିଠି ଲେଖା ଯାଇଥିଲା । ତେବେ, କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ସରକାର ନ ଥିବାରୁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ପ୍ରଶାସନିକ ମାୟାଜାଲରେ ଛନ୍ଦି ହୋଇ ଆଗକୁ ବଢିପାରି ନଥିଲା । ୨୦୨୨ ଡିସେମ୍ବର ମସିହାରେ ପଶ୍ଚିମ ଓଡ଼ିଶାରେ ଆନ୍ଦୋଳନ ହିଂସ୍ର ରୂପ ନେବାରୁ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରି ‘ଅଭାସୀ’ ମାଧ୍ୟମରେ ବିଚାରଣା ସମ୍ଭବ ଥିବାରୁ ଓଡ଼ିଶାର କୌଣସି ସ୍ଥାନରେ ହାଇକୋର୍ଟର ସର୍କିଟ୍ ବେଂଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟଭାବେ କହିଥିଲେ ଓ ଆନ୍ଦୋଳନରେ ଥିବା ରାଜ୍ୟର ସମସ୍ତ ଓକିଲଙ୍କୁ ନିଜ ନିଜ କାର୍ଯ୍ୟକ୍ଷେତ୍ରକୁ ଫେରି ଯିବାକୁ ନିର୍ଦେଶ ଦେଇଥିଲେ । ପଶ୍ଚିମ ଓଡ଼ିଶା ଓକିଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପରେ ଆନ୍ଦୋଳନ ଦବି ଯାଇଥିଲା ।
ଏହାପରେ ମଧ୍ୟ ରାଜ୍ୟ ସରକାରଙ୍କ ଆଡୁ ବିଧିବଦ୍ଧ ପ୍ରସ୍ତାବ ଆସିନି, ଆସିଲେ କେନ୍ଦ୍ର ସରକାର ବିଚାର କରିବେ ବୋଲି ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ଓ ମନ୍ତ୍ରୀମାନେ ଆଶ୍ୱାସନା ଦେଇ ଆସିଛନ୍ତି । ଓଡ଼ିଶାରେ ବିଜେପିର ସରକାର ପ୍ରତିଷ୍ଠା ହେଲେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେବ ବୋଲି ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗଲା ୧୩ ମାସ ମଧ୍ୟରେ ରାଜ୍ୟ ବିଜେପି ସରକାରଙ୍କ ଆଡୁ ଏଦିଗରେ କାଣିଚାଏ ପଦକ୍ଷେପ ନିଆଯାଇନି । ୨୦୨୪ ସେପ୍ଟେମ୍ବର ୨ ତାରିଖରେ ରାଜ୍ୟ ବିଧାନସଭାରେ ବିଜେଡି ବିଧାୟକ କଳିକେଶ ସିଂହଦେଓ ଓ ମନୋହର ରନ୍ଧାରୀ ହାଇକୋର୍ଟ ସର୍କିଟ ବେଂଚ ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ଉତ୍ତର ଚାହିଁଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉତ୍ତର ରଖି ସରକାରଙ୍କ ଏଭଳି କୌଣସି ପ୍ରସ୍ତାବ ବର୍ତ୍ତମାନ ପାଇଁ ନାହିଁ ବୋଲି କହିବା ପରେ ଉଭୟ ଶାସକ ଓ ବିରୋଧୀ ବିଧାୟକମାନେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ଫଳରେ, ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ବୟାନକୁ ସଂଶୋଧନ କରି ଏହି ବିଷୟ ସରକାରଙ୍କ ବିଚାରାଧିନ ଅଛି ବୋଲି ସଫେଇ ଦେଇଥିଲେ । ତେବେ, ମୁଖ୍ୟମନ୍ତ୍ରୀକ୍ୱକ୍ତବ୍ୟ ପରେ ମଧ୍ୟ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦିଗରେ ସରକାର ପାଦେ ଆଗକୁ ଯାଇ ନାହାନ୍ତି ।
ରାଜ୍ୟର ଓକିଲମାନଙ୍କ ପ୍ରଶ୍ନ ହେଉଛି, ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗଭାଇ ମହାରାଷ୍ଟ୍ରର କୋହ୍ଲାପୁରରେ ବମ୍ବେ ହାଇକୋର୍ଟର ଚତୁର୍ଥ ସର୍କିଟ ବେଂଚ ପ୍ରତିଷ୍ଠାକୁ ଯଦି ସମର୍ଥନ ଦେଇଛନ୍ତି ଓଡ଼ିଶାରେ କାହିଁକି ହାଇକୋର୍ଟ ବେଂଚ ହୋଇପାରିବ ନାହିଁ ? କୋହ୍ଲାପୁରରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେଉଥିବା ଖବର ଗଣମାଧ୍ୟମରେ ଆସିବା ପରେ ପଶ୍ଚିମ ଓଡ଼ିଶା ଓକିଲମାନେ ସେମାନଙ୍କ ଦାବି ଦୋହରାଇବା ଆରମ୍ଭ କରିଛନ୍ତି । ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୁଜାରୀ ଏନେଇ ପ୍ରଶ୍ନ ଉଠାଇ ଥିବା ବେଳେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଏକ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କୁ ସମାନ ପ୍ରଶ୍ନ କରିଛନ୍ତି । ପଶ୍ଚିମ ଓଡ଼ିଶା ଓକିଲମାନେ ହାଇକୋର୍ଟ ବେଂଚ ଦାବିରେ ପୁନଃ ସଂଗଠିତ ହେଉଥିବା ବେଳେ ଦକ୍ଷିଣ ଓଡ଼ିଶାରୁ ସେଭଳି ଜୋରଦାର ଦାବି ସାମ୍ନାକୁ ଆସି ନାହିଁ । ଗଂଜାମ ଜିଲ୍ଲା ଓକିଲ ସଂଘ ସଭାପତି ମନୋଜ ପଟ୍ଟନାୟକଙ୍କ ସହ ଯୋଗଯୋଗ କରିବାରୁ ସେ କହିଛନ୍ତି, ବର୍ତ୍ତମାନ ‘ଅଭାସୀ’ ମାଧ୍ୟମରେ ହାଇକୋର୍ଟରେ ମାମଲା ଶୁଣାଣୀ ସମ୍ଭବ ହେଉଛି । କିନ୍ତୁ, ହାଇକୋର୍ଟରେ ନିଜେ ଉପସ୍ଥିତ ହୋଇ ମହକିଲଙ୍କ କଥା ରଖି ହେଉ ନାହିଁ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେଲେ ବିଚାରଣା କାର୍ଯ୍ୟ ଅଧିକ ତ୍ୱରିତ ହୋଇପାରିବ । ମହକିଲଙ୍କୁ କଟକ ଯିବାକୁ ପଡିବ ନାହିଁ ।
ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଂଚ ସମ୍ବଲପୁରରେ ହେବ କି ବଲାଂଗୀରରେ ହେବ- ସେନେଇ ଦ୍ୱନ୍ଦ୍ୱ ଥିବା ବେଳେ ଦକ୍ଷିଣ ଓଡ଼ିଶାରେ ବ୍ରହ୍ମପୁରକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ତେଣୁ, ରାଜ୍ୟରେ ଡବଲ ଇଂଜିନ ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରନ୍ତୁ ବୋଲି ଗଂଜାମ ଓକିଲ ସଂଘ ସଭାପତି ପଟ୍ଟନାୟକ କହିଛନ୍ତି । ମଂଗଳବାର ଦିନ ଏନେଇ ବ୍ରହ୍ମପୁରସ୍ଥିତ ଗଂଜାମ ଜିଲ୍ଲା ଜଜ୍ କୋର୍ଟରେ ଓକିଲ ସଂଘ ସଭାପତି ପଟ୍ଟନାୟକଙ୍କ ନେତୃତ୍ୱରେ କିଛି ଓକିଲ ସର୍କିଟ ବେଂଚ ପ୍ରତିଷ୍ଠା ଦାବିରେ ପ୍ର୍ରତୀକାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବମ୍ବେ ହାଇକୋର୍ଟ ଅଧିନରେ ଚତୁର୍ଥ ସର୍କିଟ୍ ବେଂଚ ପ୍ରତିଷ୍ଠା ହୋଇଥିବା ବେଳେ ଓଡ଼ିଶାର ପଶ୍ଚିମାଂଚଳ ଓ ଦକ୍ଷିଣାଂଚଳରେ ଦୁଇଟି ହାଇକୋର୍ଟ ବେଂଚ ପ୍ରତିଷ୍ଠାରେ କେଉଁଠି ବାଧା ରହିଲା ବୋଲି ସେମାନେ ସରକାରଙ୍କୁ ପ୍ରଶ୍ନ କରିବା ସହ ରାଜ୍ୟର ଡବଲ ଇଂଜିନ ସରକାର ନିର୍ବାଚନ ପ୍ରତିଶ୍ରୁତି ରକ୍ଷା କରନ୍ତୁ ବୋଲି ଦାବି ଉଠାଇଛନ୍ତି । ତେବେ, ଗଂଜାମ ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିମାନେ (ଅଧିକାଂଶ ବିଜେପି) ହାଇକୋର୍ଟ ବେଂଚ ପ୍ରତିଷ୍ଠାକୁ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲି ନଥିବାରୁ ସେମାନେ କେବେ ଗଂଜାମ ଓକିଲ ସଂଘର ସ୍ୱର ସହ ସ୍ୱର ମିଳାଇବେ ତାହା ଉପରେ ଜିଲ୍ଲାବାସୀଙ୍କ ନଜର ରହିଛି ।
ମୁଖ୍ୟ ସଂପାଦକ, ମୋଅନୁଭବ.କମ୍
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS